Kanan Bala Nayak

Inspirational

3  

Kanan Bala Nayak

Inspirational

ପାର୍ବଣ

ପାର୍ବଣ

5 mins
133



 କଲିକତା ସହରର ଗୋଟିଏ ଦୁର୍ଗା ପୂଜା ମଣ୍ଡପ. ପୂଜା ପାଇଁ ନାନା ପ୍ରସ୍ତୁତି ଚାଲିଥାଏ. ଆଉ ଦୁଇ ଦିନ ପରେ ପାର୍ବଣ.ଅନେକ କାମ ବାକି ଅଛି . ଦେବୀଙ୍କ ପ୍ରତିମା ଗଢା ସହିତ ରଙ୍ଗ ବେରଙ୍ଗର ଲାଇଟ୍ ସଜ୍ଜିତ କରାଯାଉଥାଏ.ମୂଖ୍ୟ ଶିଳ୍ପୀ ଭାସ୍କର ମହାରଣା ଦେବୀଙ୍କ ଅଳଙ୍କାର ଗଢିବାରେ ମଗ୍ନ ଥାଆନ୍ତି.ଅଳଙ୍କାର ଗଢାସରିବା ପରେ ମୂର୍ତ୍ତି ରେ ରଙ୍ଗ ଦିଆଯିବ ।


 ସେଇ ସମୟରେ ତାଙ୍କ କାନରେ ପଡିଲା ଚା ପିଇବେ ବାବୁ ଚା,ଅଦା ବାଲା ଚା. ଆପଣ କେତେବେଳ ଠାରୁ ମୂର୍ତ୍ତି ଗଢୁଛନ୍ତି. ଚା ପିଇଲେ ଟିକେ ଭଲ ଲାଗିବ. ଜମାରୁ ପାଞ୍ଚ ଟଙ୍କା. ଭାସ୍କର ମହାରଣା ନିଜ କାମ ବନ୍ଦ କରି ତଳକୁ ଅନାଇଲେ.ଦେଖିଲେ ତେର ଚଉଦ ବର୍ଷର ପିଲାଟିଏ. ଛିଣ୍ଡା ଗଞ୍ଜି ଟିଏ ପିନ୍ଧିଛି. ହାତରେ କେଟଲୀଟିଏ ଧରିଛି.ପିଲାଟିକୁ ଦେଖି ଭାସ୍କର ମହାରଣାଙ୍କ ମନରେ ଦୟା ଆସିଲା ।


 ସେ ତଳକୁ ଓହ୍ଲାଇ କହିଲେ ହଉ ଚା କପେ ଦେ. ସତରେ ବହୁତ ଥକା ଲାଗିଲାଣି. ପିଲାଟି କେଟଲୀରୁ ଚା ଗଡାଇ କପ୍ ଟି ଭାସ୍କର ମହାରଣାଙ୍କ ହାତକୁ ବଢାଇ ଦେଲା.ଚା ପିଉ ପିଉ ଭାସ୍କର ମହାରଣା ପିଲା ଟିକୁ ପଚାରିଲେ ଆରେ ପାର୍ବଣ ଆସିଲାଣି. ତୋ ବୟସର ପିଲା ମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଖେଳକୁଦରେ ମାତି ଗଲେଣି.ପୁଣି ଏତେ ରାତି ହେଲାଣି. ତୁ ଘରକୁ ନ ଫେରି ଚା କେଟଲୀ ଧରି ବୁଲୁଛୁ.ପିଲାଟି କହିଲା ମୋ ଭାଗ୍ଯରେ ପାର୍ବଣ କାହିଁ ବାବୁ. ମୋ ଭଳି ଗରିବ ପିଲା ମାନଙ୍କ ପାଇଁ ପୂର୍ଣିମା ଓ ଅମାବାସ୍ୟା ରାତି ଭିତରେ କିଛି ଫରକ ନାହିଁ ବାବୁ. ଆମ ପାଇଁ ସବୁ ରାତି ଅନ୍ଧାର ।


 ପିଲାଟିର କଥା ଶୁଣି ଭାସ୍କର ମହାରଣା ତା ମୁହଁକୁ ଅନାଇ କହିଲେ କଣ ହୋଇଛି ତୋର ଆଉ ତୋ କଥାରୁ ଜଣା ପଡୁଛି ତୁ ଆମ ଅଞ୍ଚଳର ନୁହେଁ ବୋଲି.ପିଲାଟି କହିଲା ମୋ ନାଁ ରାମୁ, ମୋ ଘର ମେଦିନୀପୁର. ଏଇ ପନ୍ଦର ଦିନ ହେଲା କଲିକତା ଆସିଛି. ଏଇ ପାଖରେ ମୋ ମାଉସୀ ଘର. ତାଙ୍କ ଘରେ ରହୁଛି.ଘରେ ମୋର ମାଆ, ଦୁଇ ସାନ ଭଉଣୀ ଓ ଗୋଟିଏ ଭାଇ. ମୋ ବାପା ଅନ୍ୟ ଘରେ ମୂଲ ଲାଗି ତଥା ଭାଗ ଚାଷ କରି ଆମ ପରିବାର ଚଳାଉଥିଲେ. ସେ ବର୍ଷ ଗାଁରେ ବର୍ଷା ହେଲାନାହିଁ କି କାମ ଧନ୍ଦା କିଛି ମିଳିଲା ନାହିଁ ।


 ସେ ସମୟରେ ପଡୋଶୀ ଗାଁ ରୁ ଜଣେ ବାବୁ ଆସି ଗାଁ ଲୋକଙ୍କୁ ବୁଝାଇଲେ ସୁରଟ୍ ଯିବା ପାଇଁ.ସେଠି ଲୁଗା କଳରେ କାମ କଲେ ଭଲ ଦୁଇ ପଇସା ରୋଜଗାର ହେବ. ଖାଇବା, ପିଇବା, ପିନ୍ଧିବା, ଔଷଧ ପତ୍ର ସବୁ ମାଗଣାରେ ମିଳିବ.ତେଣୁ ତୁମେ ମାନେ ଯାହା ରୋଜଗାର କରିବ ସବୁ ଘରକୁ ପଠାଇବ. ସେଇ ଲୋଭରେ ଗାଁ ଲୋକ ମାନେ ସ୍ଥିର କଲେ ଯେ ସେ ବାବୁଙ୍କ ସହ ସେମାନେ ସୁରଟ୍ ଯିବେ ଓ ଭଲ ଦୁଇ ପଇସା ଉପାର୍ଜନ କରିବେ. ଗାଁ ର ଅନ୍ୟ ଲୋକଙ୍କ ସହିତ ମୋ ବାପା ମଧ୍ୟ ସୁରଟ୍ ଚାଲିଯାଇଥିଲେ.ମାଆ ଯେତେ ମନା କଲେ ମଧ୍ୟ ମାନିଲେ ନାହିଁ ।

 

 କିନ୍ତୁ ସୁରଟ୍ ରୁ ଅଧିକ ଟଙ୍କା ଉପାର୍ଜନ କରି ବାପା ଆଉ ଘରକୁ ଫେରି ନ ଥିଲେ.ଗାଁ ର ଅନ୍ୟ ଲୋକ ମାନେ ମଝିରେ ମଝିରେ ଗାଁ କୁ ଆସିଲେ ବାପା ତାଙ୍କ ହାତରେ କିଛି ଟଙ୍କା ପଠାଇ ଦିଅନ୍ତି.କିନ୍ତୁ ସେ ଗାଁ କୁ ଆସନ୍ତି ନାହିଁ. ମୋ ମାଆ ଗାଁ ର ଅନ୍ୟ ଲୋକ ଙ୍କୁ ପଚାରିଲେ କହନ୍ତି ମୋ ବାପା କୁଆଡେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ।


 ଦୁଇ ବର୍ଷ ପରେ ହଠାତ୍ ବାପା ପଇସା ପଠାଇବା ବନ୍ଦ କରିଦେଲେ. ଗାଁ ଲୋକଙ୍କୁ ପଚାରିଲେ କହନ୍ତି ମୋ ବାପା କୁଆଡେ ଅଧିକ ଟଙ୍କା ଉପାର୍ଜନ ପାଇଁ ଅନ୍ଯ ଗୋଟିଏ କମ୍ପାନୀରେ କାମ କରୁଛନ୍ତି.ମୋ ମାଆ ପର ଘରେ ପାଇଟିକରି ଯାହା ରୋଜଗାର କରେ ସେଥିରେଘର ଚଳାଇବା ଭାରୀ କଷ୍ଟ ହୋଇ ପଡିଲା. ମାଆ ସବୁ ବେଳେ ଅନାଇ ରହିଥାଏ, ବାପା କେବେ ଗାଁ କୁ ଫେରିବେ. ବାପା କିନ୍ତୁ ଆସନ୍ତି ନାହିଁ. ମାଆର ଅପେକ୍ଷାର ଅନ୍ତ ହୁଏନା. ସେଥର ଶ୍ୟାମ ଦଦେଇ ସୁରଟ୍ ରୁ ଆସି ଖବର ଦେଲେ ମୋ ବାପା କୁଆଡେ ସେଠାରେ ଆଉ ଗୋଟିଏ ସଂସାର କରିଛନ୍ତି.ମାଆ ପାଖରେ ପଇସା ନଥିଲା ସୁରଟ୍ ଯାଇ ଘଟଣାର ସତ୍ୟାସତ୍ୟ ବୁଝିବା ପାଇଁ.ଏମିତିରେ ତ ମାଆ ଯାହା ରୋଜଗାର କରୁଥିଲା ସେତିକିରେ ଆମକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକରେ ମିଳୁ ନଥିଲା. ଆଉ ସୁରଟ୍ ଯିବା ପାଇଁ ଏତେ ଗୁଡା ଟଙ୍କା କେଉଁଠୁ ଆଣି ଥାଆନ୍ତା ।


 ଏଇ ଦୁଇ ମାସ ହେବ ମାଆ ବେମାରୀ ରେ ପଡିଛି.ଖୁଁ ଖୁଁ କାଶ ହେଉଛି. ସେ କିଛି କାମ ଧନ୍ଦା କରିପାରୁନି. ସରକାରୀ ଡାକ୍ତରଖାନାର ଡାକ୍ତର କହୁଛନ୍ତିମୋ ମାଆକୁ କୁଆଡେ ଟି. ବି. ହୋଇଛି.ବହୁତ ଦିନ ଧରି ଔଷଧ ଖାଇବା ପାଇଁ ପଡିବ ତା ଛଡା ତା ପାଇଁ ଯଥେଷ୍ଟ ଭଲ ଖାଦ୍ୟ ମଧ୍ୟ ଦରକାର.ମାଆ ବାପାଙ୍କ ପାଖକୁ ଖବର ପଠାଇଥିଲା ଶ୍ୟାମ ଦଦେଇଙ୍କ ହାତରେ କିନ୍ତୁ ନା ବାପା ଆସିଲେ ନା ଟଙ୍କା ପଠାଇଲେ ।


 ଦିନକୁ ଦିନ ଆମ ଅବସ୍ଥା ଖରାପ ହେବାକୁ ଲାଗିଲା. ଘରେ ଚୁଲି ଜଳିବା ବନ୍ଦ ହେବା ଅବସ୍ଥାକୁ ଆସିଗଲା.ସେଇ ସମୟରେ ମୋର ଜଣେ ସମ୍ପର୍କୀୟ ମଉସା ବୋଉକୁ ଦେଖିବା ପାଇଁ ଆମ ଘରକୁ ଆସି ଥାଆନ୍ତି. ମଉସା ଙ୍କର କଲିକତାରେ ଗୋଟିଏ ତେଜରାତି ଦୋକାନ ଅଛି.ସେ ବୋଉକୁ କହିଲେ କଲିକତାର ବିଭିନ୍ନ ସ୍ଥାନରେ ପାର୍ବଣ ପାଇଁ ମୂର୍ତ୍ତି ଗଢା ଚାଲିଛି. ସେଠାରେ କାମ କରୁଥିବା ଶିଳ୍ପୀ ମାନଙ୍କ ପାଇଁ ଚା ଦେବା କାମଟା ଧରିଛି ଏବେ. ଭଲ ଦୁଇ ପଇସା ରୋଜଗାର ହେଉଛି.ସେଠି ଚା ଦେବା ପାଇଁ ପିଲାଟେ ଖୋଜୁଛି. ରାମୁକୁ ମୋ ସହ ପଠାଇ ଦିଅ. ଆମ ଘରେ ଖାଇବ ପିଇବ. ମାସକୁ ଚାରି ହଜାର ଦେବି.ତେଣୁ ଏଇ ପନ୍ଦର ଦିନ ହେବ, ମୁଁ ମଉସା ଙ୍କ ଦୋକାନରେ କାମ କରୁଛି ।


 ବାବୁ ତୁମେ ତ କେତେ ମୂର୍ତ୍ତି ଗଢୁଛ, ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ?ଆମ ଦେଶରେ ପ୍ରତକଦିନ କେତେ ଲୋକ ଖାଇବାକୁ ନ ପାଇ ଅନାହାରରେ ମୃତ୍ୟୁ ବରଣ କରୁଛନ୍ତି, ହଜାର ହଜାର ରୋଗୀ ହସ୍ପିଟାଲରେ ବେଡ୍ ଟିଏ ନପାଇ ହନ୍ତସନ୍ତ ହେଉଛନ୍ତି, କେହି କେହି ତ ହସ୍ପିଟାଲ ଯିବା ବାଟରେ ହିଁ ପ୍ରାଣ ତ୍ଯାଗ କରି ଦେଉଛନ୍ତି. ହଜାର ହଜାର ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଦାରିଦ୍ର୍ୟତାର ଅନ୍ଧକାରରେ ଅକାଳରେ ଲିଭି ଯାଉଛି. ଆଉ ମୋ ଭଳି ଗରିବ ପିଲା ମାନେ ନିଜ ସ୍ବପ୍ନରେ ଡୋରି ବାନ୍ଧି ଚା କେଟଲୀ ଧରୁଛନ୍ତି. କିନ୍ତୁ ପ୍ରତ୍ଯେକ ବର୍ଷ ପାର୍ବଣ ଓ ଦୀପାବଳିରେ ସାଜସଜ୍ଜା ଓ ବାଣ ଫୁଟାଇବା ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ? 

 ଭାସ୍କର ମହାରଣା ରାମୁକୁ କଣ ଉତ୍ତର ଦେବେ କିଛି ଭାବି ପାରିଲେ ନାହିଁ. ରାମୁ କହିଲା ତୁମ ସହ କଥା ହେଉ ହେଉ ଅନେକ ଡେରି ହେଲାଣି. ମୋର ପୁଣି ଅନ୍ୟ ପୂଜା ମଣ୍ଡପକୁ ଯିବାର ଅଛି. ମଉସା ଜାଣିଲେ ମୋତେ ଗାଳି କରିବେ.ଭାସ୍କର ମହାରଣା ରାମୁ ଯିବା ବାଟକୁ ଏକ ଲୟରେ ଅନାଇ ଥିଲେ. ସେଇ ସମୟରେ ତାଙ୍କ ନଜର ପଡିଲା ରାମୁ ଧରିଥିବା ଚା କେଟଲୀ ଉପରେ ଯାହା ଦେହରେ ମାଆ ଦୁର୍ଗାଙ୍କର ପ୍ରତିଛବି ଟିଏ ହୋଇଛି.ଭାସ୍କର ମହାରଣାଙ୍କୁ ଲାଗିଲା ସତରେ ଯେମିତି ମାଆ ଦୁର୍ଗା ହସି ହସି କହୁଛନ୍ତି ମୋତେ ଏତେ ଅଳଙ୍କାର ଦେଇ ସଜାଇବା ପରିବର୍ତ୍ତେ ଦାରିଦ୍ର୍ୟତାର କୁଠାର ଘାତରେ ଅକାଳରେ ଝଡି ଯାଉଥିବା ଗୋଟିଏ ଜୀବନ ଯଦି ବଞ୍ଚାଇ ପାରନ୍ତ ତେବେ ତୁମ ମଣିଷ ଜୀବନ ସାର୍ଥକ ହୋଇ ଯାଆନ୍ତା ।


    ଭାସ୍କର ମହାରଣା ଆଉ ଡେରି ନ କରି ରାମୁକୁ ପଛ ପଟୁ ଡାକ ପକାଇଲେ. ଆଉ ପାଞ୍ଚ ହଜାର ଟଙ୍କା ତା ହାତକୁ ବଢାଇ ଦେଇ କହିଲେ ନେ ତୋ ମାଆର ଚିକିତ୍ସା ପାଇଁ. ରାମୁ କହିଲା ମୁଁ ଗରିବ ହୋଇ ପାରେ କିନ୍ତୁ ବିନା ପରିଶ୍ରମରେ କିଛି ନେବିନି ବାବୁ . ଆଉ ମୁଁ ଦେଇଥିବା ଚା ର ପ୍ରାପ୍ଯ ତ ଆପଣ ଆଗରୁ ଦେଇ ସାରିଛନ୍ତି. ଭାସ୍କର ମହାରଣା କହିଲେ ନାଁରେ ଆଜି ତୁ ମୋତେ ଯେଉଁ ଶିକ୍ଷା ଦେଇଛୁ ଏଇଟା ତାର ପ୍ରାପ୍ଯ. ରାମୁ କିଛି ବୁଝି ନ ପାରି ବଲବଲ ହୋଇ ଭାସ୍କର ମହାରଣାଙ୍କ ମୁହଁକୁ ଅନାଇ ଥାଏ. ଭାସ୍କର ମହାରଣା କହିଲେ ତୁ ପରା ଆଜି ମୋତେ ପ୍ରକୃତ ଦେବ ଦେବୀଙ୍କ ସନ୍ଧାନ ଦେଇଛୁ ଏଇଟା ତାରି ପ୍ରାପ୍ଯ ।


Rate this content
Log in

Similar oriya story from Inspirational