ପାଗଳ
ପାଗଳ
ଏତେ ବଡ଼ ବର୍ଷାଟାରେ ସ୍ତ୍ରୀ କମଳିନୀଙ୍କୁ ଘରେ ଛାଡି଼ଦେଇ ପୁଣି ରିକ୍ସାରେ ବସି ସିଧା ଡାକ୍ତରଖାନାକୁ ଚାଲିଲେ ଅଶୋକବାବୁ.ଏଣେ କମଳିନୀଙ୍କ ମନଟା ଅସ୍ଥିର. ଇଏ ଯେମିତିକା ରାଗିଲୋକ ନା, କହୁକହୁ କାହାକୁ କ'ଣ ବୋଲି କହି ପକାଇବେ. ଆଜିକାଲିର ଲୋକଙ୍କୁ ଭଲ କଥାଟାଏ କହିଲେ ବରଂ ସେମାନେ ଅପମାନ ଦେବେ.ମଟମଟ କରି ଅନେଇବେ ସିନା, ନିଜର ଭୁଲକୁ ସୁଧାରିବାକୁ କେବେ ଚେଷ୍ଟା କରିବେ ନାହିଁ. ଏଇମିତି ଭୁଲ, ଅନ୍ୟାୟ ଆଉ ଅଵିଵେକୀ କାମଗୁଡ଼ାକୁ କରିବାକୁ କେତେଜଣ କର୍ମଚାରୀ ବାହାଦୁରୀ ମନେ କରିଥା'ନ୍ତି.ସେଥିରେ ବାଧା ଦେବା ଲୋକ ଆଉ ପ୍ରତିଵାଦ କରିବା ଲୋକ ତ ତାଙ୍କର ପରମ ଶତ୍ରୁ.ତେବେ କ'ଣ ଏଇମାନଙ୍କର ଅନ୍ୟାୟ କାରବାର ସବୁଦିନେ ଏମିତି ଚାଲିଥିବ,? ନା ସେ ଆଜି ବରଂ ଯାଆନ୍ତୁ, କିଛି ତ ଟିକିଏ ଭଲ କାମ ହେଇପାରିବ".ଏଇ କଥା ଭାବି ଭାବି ପ୍ରକୃସ୍ଥିତ ହୋଇ କମଳିନୀ ଘର ଭିତରକୁ ଚାଲିଗଲେ.
ଡାକ୍ତରଖାନାରେ ପହଞ୍ଚି ଅଶୋକବାବୁ ଉପର ହାକିମଙ୍କ ପାଖକୁ ଗଲେ. ହାକିମଙ୍କ ସହ ସାକ୍ଷାତ କରିବା ପୂର୍ବରୁ ତାଙ୍କୁ ପ୍ରତୀକ୍ଷାଳୟରେ ଅପେକ୍ଷା କରିବାକୁ ପଡ଼ିଲା.ଆହୁରି ଆଠ ଦଶଜଣ ଲୋକ ତାଙ୍କ ଆଗରୁ ସେଇଠି ଅପେକ୍ଷା କରି ବସିଥା'ନ୍ତି. ଜଣେ ବୟସ୍କ ଲୋକର ପାଖରେ ଖାଲିଥିବା ଚୌକିରେ ଅଶୋକବାବୁ ବସିପଡ଼ିଲେ. ଲୋକଟି ତାଙ୍କ ମୁହଁକୁ ଚାହିଁ ପଚାରିଲେ- "ଆଜ୍ଞା ଆପଣ କୋଉଠି ଚାକିରୀ କରନ୍ତି ? କ'ଣ ଫିଟନେସ ନା' ଫଲସ ?"ଲୋକଟାର କଥାଶୁଣି ଅଶୋକବାବୁ କିଛି ବୁଝିପାରିଲେ ନାହିଁ, ସେ ବୋକାଙ୍କ ଭଳି କ'ଣ ଭାବିବାକୁ ଲାଗିଲେ. ଲୋକଟା ନିଜେ ନିଜେ କହି ଚାଲିଲା-"ମୁଁ ଏଇ କମ୍ପାନୀରେ ତିରିଶ ବର୍ଷ ହେଲା କାମ କରୁଛି। ଆଉ ମାତ୍ର ମାସଟାଏ ପରେ ମୋତେ ରିଟାୟାର୍ଡ଼ ହେବାକୁ ପଡ଼ିବ. ଏହା ଭିତରେ ଯାହା ରୋଗ, ବୈରାଗ ହେବାର ଅଛି, ଯଦି ଏବେ ହୋଇଯାଆନ୍ତା, ମୁଁ ବରଂ ଖୁସି ହୁଅନ୍ତି.କାରଣ ମାସକ ପରେ ଆମର ଔଷଧ ଖର୍ଚ୍ଚ ଆଉ କମ୍ପାନୀ ବହନ କରିବ ନାହିଁ. ମୁଁ ସେଇ ଚିନ୍ତାରେ ପଡ଼ିଛି.ଏବେ ମୋର କିଛି ଟଙ୍କା ଦରକାର.ଆଡ଼ଭାନ୍ସ ପାଇଁ ବଡ଼ ଡାକ୍ତରଙ୍କୁ ମୋ ଦେହର ସବୁ ଅଙ୍ଗ ପରୀକ୍ଷା କରେଇ କୌଣସି ଗୋଟାଏ ମାରାତ୍ମକ ରୋଗ ହେଇଛି ବୋଲି ପ୍ରମାଣପତ୍ର ଖଣ୍ଡିକ ନେଇ କମ୍ପାନୀରେ ଦାଖଲ କରିବି.ନହେଲେ ପରେ ମୋ କଥା ଆଉ କେହି ଶୁଣିବେ ନାହିଁ. ଦି' ତିନି ଥର ଆସିଲେଣି ଆଜ୍ଞା, ଡାକ୍ତରବାବୁ ଖାଲି କହୁଛନ୍ତି-ତୁମର କୌଣସି ରୋଗ ନାହିଁ. ଏଥର ମୁଁ କିଛି ନା କିଛି ଗୋଟାଏ ରୋଗ ହୋଇଥିବା
ପ୍ରମାଣପତ୍ର ନ ନେଇ ଖାଲି ହାତରେ ଯିବିନାହିଁ".ତାଙ୍କ ପାଖରେ ବସିଥିବା ଆଉ ଜଣେ କମ ବୟସ୍କଲୋକ କହିଲା- "ଆଜିକାଲି ବିଜ୍ଞାନ ବହୁତ ଉନ୍ନତି କଲାଣି। ଚନ୍ଦ୍ର ଉପରେ କି ପ୍ରକାର ମାଟି ଅଛି, ସୂର୍ଯ୍ୟ ଭିତରେ କି ଗ୍ୟାସ ଅଛି, ପୁଣି ଶୁକ୍ରଗ୍ରହରେ କେତେ ଜଳ ଅଛି, ସେ କଥା ବିଜ୍ଞାନ କହିଦେଇ ପାରିଲାଣି. ତମକୁ ଆସନ୍ତା ବର୍ଷ କି ରୋଗ ହେବ, ସେ କଥା କ'ଣ ଡାକ୍ତରବାବୁ କହିପାରିବେ ନାହିଁ ? ନିଶ୍ଚୟ କହିପାରିବେ. ମତେ ଯାହା ଜଣାପଡୁଛି, ତମକୁ ପାଗଳା ରୋଗ ଧରିଛି".
ଲୋକଟାର କଥାଶୁଣି ବୟସ୍କ ଲୋକଟା ଆନନ୍ଦରେ ତାକୁ କୁଣ୍ଢେଇ ପକେଇ କହିଲା- "ଭାଇ ! ତମେ ନିଶ୍ଚୟ ଜଣେ ଡାକ୍ତର. ମତେ ଖଣ୍ଡେ ପ୍ରମାଣପତ୍ର ଦେଲେ ତମ ପୁଅ ଝିଅଙ୍କର କଲ୍ୟାଣ ହୁଅନ୍ତା. ଯେତେ ଟଙ୍କା କହିବ, ମୁଁ ଦେବାକୁ ପ୍ରସ୍ତୁତ ଅଛି. ମୋତେ ଖାଲି ପାଗଳା ରୋଗ ହେଇଥିବା ପ୍ରମାଣପତ୍ର ଖଣ୍ଡେ ଦରକାର". ଅଶୋକବାବୁ ଲୋକଟାର ପାଗଳାମି ଦେଖି ମୁରୁକି ମୁରୁକି ହସୁଥିଲେ. ସେ କହି ପକେଇଲେ, "ହଇହୋ ବାବୁ ! ପାଗଳା ରୋଗ ପ୍ରମାଣପତ୍ର ନେଇ ଦାଖଲ କଲେ, ତମକୁ ଟଙ୍କା ଆଡ଼ଭାନ୍ସ ତ ମିଳିବ ନାହିଁ; ବଂର ପାଗଳା ଡାକ୍ତରଖାନାରେ ଭର୍ତ୍ତି ହେବାପାଇଁ ରିଲିଭ ଅର୍ଡ଼ର ମିଳିଯିବ. ଏମିତିକା ଭୁଲ କାମ କରନାହିଁ, ତମର ଶରୀର ସୁସ୍ଥ ଅଛି.କେବଳ ମନଟାକୁ ସୁସ୍ଥ ରଖ, ସବୁ ଠିକ ହେଇଯିବ"
ଘରକୁ ଖୁସି ଖୁସିରେ ଫେରିଥିବା ସ୍ୱାମୀ ଅଶୋକ ବାବୁଙ୍କ ମୁହଁକୁ ଚାହିଁ କମଳିନୀ କହୁଥିଲେ ଡାକ୍ତରଖାନାରେ ଡାକ୍ତର ରହନ୍ତୁ କି ନରହନ୍ତୁ, ଔଷଧ ଦିଅନ୍ତୁ କି ନଦିଅନ୍ତୁ ତାଙ୍କ ବିରୁଦ୍ଧରେ ଉପରହାକିମ ପାଖରେ ଅଭିଯୋଗ କରିବା ଅପେକ୍ଷା ବେସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିନେବା ଭଲ. ଅଶୋକବାବୁ କହୁଥିଲେ ଡାକ୍ତର ହାକିମଙ୍କ ସଙ୍ଗେ ସିନା ଦେଖାହେଲାନି କିନ୍ତୁ ଅପେକ୍ଷାକରିବାକୁ ଥିବା ହଲରେ ଲାଗିଥିବା ଟିଭିରୁ ଆୟୁଷ୍ମାନ ଯୋଜନା ବିଷୟରେ ଜାଣି ଖୁବ ଖୁସି ଲାଗିଲା. ଆଉ କିଛି ବର୍ଷ ପରେ ମତେ ସତୁରୀ ବର୍ଷ ହୋଇଗଲେ ତା ପରେ କିଛି ବର୍ଷ ତୁମକୁ ସତୁରୀ ହେବା ଯାଏଁ ଅପେକ୍ଷା କରିଗଲେ ଗଲା. ଅପେକ୍ଷାର ଅନ୍ୟ ନାମ ଜୀଵନ ଠିକ ଯେ କିନ୍ତୁ ଆମେ ଦୁହେଁ ସରକାରୀ ଚାକିରୀରୁ ଅବସର ନେବା ବୋଲି ତୁମେ ଭୁଲିଯାଉଛ ଯେ. ଅଶୋକବାବୁ କହିଲେ ସେହି ପାଗଳ ଲୋକଙ୍କ କଥା ଶୁଣି ମୁଁ ମଧ୍ୟ ପାଗଳ ହୋଇଗଲିଣି. କମଳିନୀ କିଛି ବୁଝିନପାରି ବଡ଼ ବଡ଼ ଆଖି ମେଲାଇ ସ୍ୱାମୀଙ୍କୁ ଚାହିଁଥିଲେ.ବର୍ଷା ମଧ୍ୟ ପାଗଳଙ୍କ ଭଳି ବର୍ଷି ଚାଲିଥିଲା.