ପାଦ କାଢ଼ିଛି ଆଗକୁ
ପାଦ କାଢ଼ିଛି ଆଗକୁ
ସେଇ ପୃଥିବୀରେ ପହଞ୍ଚିବାକୁ ମନରେ ଭାରି ଶ୍ରଦ୍ଧା ଥିଲା।କାରଣ ସେଇ ପୃଥିବୀରୁ ଭାସି ଆସୁଥିଲା ପାରିଜାତର ବାସ୍ନା।
ପାଦ କାଢ଼ିଥିଲି ଆଗକୁ।
ଧୀରେ ଧୀରେ ସେଇ ପୃଥିବୀର ଦ୍ବାର ପର୍ଯ୍ୟନ୍ତ ଚାଲିଆସିଲି।ମୋ ମନ,ମୋ ଭାବ,ମୋ ସୃଜନଶୀଳତା - ସମସ୍ତେ ମୋ ସହିତ ଥିଲେ।ନଦୀର ସରୁ ଧାର ବାଧା ବିଘ୍ନର ସମ୍ମୁଖୀନ ହୋଇ ସମୁଦ୍ର ପର୍ଯ୍ୟନ୍ତ ଚାଲିଆସିବା ପରି ଆମେ ଚାଲି ଆସିଥିଲୁ।
ଦ୍ବାର ବନ୍ଦ ଥିଲା।ମନେ ହେଉଥିଲା କେହି ମୋ ଆସିବା ଜାଣିପାରି ଦ୍ବାର ଖୋଲି ଦେଇପାରେ।ତେଣୁ ଅପେକ୍ଷା କଲି କିଛି ସମୟ।
ହେଲେ ସେପରି ହେଉ ନ ଥିଲା।ମୋ ଆସିବା ବାଟକୁ କେହି ଯଦି ଘୋର ଉତ୍କଣ୍ଠାରେ ଚାହିଁ ବସିଥାନ୍ତେ,ହୁଏ ତ ସେପରି ହୋଇଥାନ୍ତା।ଦ୍ବାର ନ ଖୋଲିବାରୁ ମୋର ସ୍ପଷ୍ଟ ମନେହେଲା ମୋତେ କେହି ଉତ୍କଣ୍ଠାର ସହିତ ଚାହିଁ ନ ଥିଲେ।
- ' ଆସ,ଭିତରକୁ ଆସ।ଆମେ ଆପଣଙ୍କୁ ଏ ପୃଥିବୀ ବୁଲାଇ ଦେଖାଇଦେବୁ। ' କେହି ଯଦି ଆସି ଦ୍ବାର ଖୋଲି ଦେଇ ଏତିକି କହିଥାନ୍ତା, କେତେ ଭଲ ଲାଗିଥାନ୍ତା!
ଆଉ ଉତ୍ସାହ ନ ଥିଲା।ସେପର୍ଯ୍ୟନ୍ତ ଆସିବାର ଖୁସି ମଧ୍ୟ ନ ଥିଲା।ଉଦ୍ୟମ ସବୁ ବେଳେବେଳେ ଏମିତି ବ୍ୟର୍ଥ, ନିଷ୍ଫଳ ଓ ଅର୍ଥହୀନ ହୋଇଯାନ୍ତି, ବୁଝୁଥିଲି ମୁଁ।
ଏତେ ବାଟ ଆସିଥିଲି।ବହୁ ଶ୍ରମ ସ୍ବୀକାର କରିଥିଲି।ତେଣୁ ଫେରି ପାରୁ ନ ଥିଲି।କ'ଣ କରିବି ଭାବୁ ଭାବୁ କବାଟରେ ଠକ୍ ଠକ୍ ଆଓ୍ବାଜ୍ ଦେବାରେ ଲାଗିଲି।
ଦ୍ବାର ସାମ୍ନାରେ ଠିଆ ହୋଇଥିଲି।ବାରମ୍ବାର ଆଓ୍ବାଜ୍ ଦେବାରେ ଲାଗିଥିଲି।
ଆଶ୍ଚର୍ଯ୍ୟ! କେହିଜଣେ ହେଲେ ଭିତରେ ନାହାନ୍ତି ନା କ'ଣ!କବାଟ ଫିଟାଉନାହାନ୍ତି!
କବାଟ ଫିଟୁ ନ ଥିଲା।କୌଣସି ଉତ୍ତର ମଧ୍ୟ ମିଳୁ ନ ଥିଲା।ଅପମାନିତ ହେଲେ ଯେପରି ଲାଗେ ଏବେ ସେହିପରି ଅନୁଭବ କଲି।
ଆରମ୍ଭରେ ବେଶ୍ ଭଦ୍ର ଥିଲି।ହେଲେ ଡେରି ହେବାରୁ ମୋ ଭଦ୍ରପଣ ମରିଗଲା।ଏବେ ମୋର ସମସ୍ତ ଶକ୍ତି ଖଟାଇ ମୁଁ କବାଟରେ ଆଓ୍ବାଜ୍ ଦେବାରେ ଲାଗିଲି।
ତଥାପି କବାଟ ଖୋଲୁ ନ ଥିଲା।କାହିଁକି କେଜାଣି!
ମୁଁ ଟିକେ ସ୍ଥିର ହୋଇଗଲି।ସାମାନ୍ୟ ବିରତି ନେଲି।ହେଲେ ସେଆଡୁ ଆଖି ଫେରାଇଲି ନାହିଁ।ହୁଏ ତ କେହିଜଣେ ଆସି ଖୋଲିପାରେ କବାଟ,ଭାବୁଥିଲି ମନେମନେ।
ଆଖିରେ କ୍ଳାନ୍ତ ଅନୁଭବ ଆସିଲା।ଦୃଷ୍ଟି ଦୁର୍ବଳ ହେବାକୁ ଲାଗିଲା।ତଥାପି ଖୋଲୁ ନ ଥିଲା କବାଟ।ଜିଦ୍ କଲା ଭଳି ବନ୍ଦ ହୋଇ ରହିଥିଲା।
ଏତିକିବେଳେ ବାହାରେ କାହାର ଡାକ ଶୁଭିଲା।ସେଇଠୁ ଫେରିବାକୁ ଇଚ୍ଛା ନ ଥିଲା।ତଥାପି ସେଆଡ଼କୁ ପାଦ ପକାଇଲି ମୁଁ।କିଛି ବାଟ ଚାଲି ଆସିବା ପରେ ଶେଷଥର ପାଇଁ ବୁଲି ଚାହିଁଲି।ତଥାପି ବନ୍ଦ ଥିଲା ଦ୍ବାର।
ଆଉ ଟିକେ ଅପେକ୍ଷା କରିଥିଲେ, ଆଉ କିଛି ଆଓ୍ବାଜ୍ ଦେଇଥିଲେ ଖୋଲିଥାନ୍ତା କି ଦ୍ବାର!ମୋ ମନକୁ ଏମିତି ଭାବନା ପଶିଆସିଲା।ସମୟାନ୍ତରେ ,ପ୍ରତିଟି ମୋଡ଼ରେ ଭାବୁଥିଲି, ମୁଁ କ'ଣ ହାରିଗଲି!
ନା,ସେପରି କେବେ ହୋଇ ନ ପାରେ।ସନ୍ଦେହକୁ ମନରୁ ଦୂର କରିବା ଭଳି ଦୂର କରି ମୁଁ ଚାଲିଲି।ହଠାତ୍ ଦେଖିଲି ଆଉ ଏକ ପୃଥିବୀର ଦ୍ବାର ଖୋଲିଗଲା।କେହିଜଣେ ସହର୍ଷ ବଦନରେ ଆସି ଶ୍ରଦ୍ଧାର ସହିତ ମୋତେ ଭିତରକୁ ନେଲେ।ଘରସାରା ବୁଲାଇଲେ।ଅଗଣା ଦେଖାଇଲେ।ସେଠି ଚାଲିବା ବୁଲିବାକୁ ମୋତେ ବେଶ୍ ଚମତ୍କାର ଲାଗିଲା।
ଏବେ ମୋତେ ସବୁକିଛି ମିଳିବା ପରି ଲାଗୁଥିଲା।କିଏ ହତାଦର କଲେ କରୁ,କିଏ ଫିଙ୍ଗିଦେଲେ ଫିଙ୍ଗିଦେଉ,ଆଉ ଜଣେ କେହି ତ ଆଦର, ଅଭ୍ୟର୍ଥନା କରିବାକୁ ଆଗେଇ ଆସିଛି!
ପ୍ରଥମେ ଯେଉଁ ପୃଥିବୀର ଦ୍ବାର ପାଖକୁ ଯାଇଥିଲି,ଏବେ ତାକୁ ଭୁଲିବାକୁ ବାଧ୍ୟ ହେଲି ମୁଁ।ଗୋଟେ ଛାଇ ଭଳି ଭୁଲିଗଲି।
ପାଦ କାଢ଼ିଛି ଆଗକୁ .......।
ପଛକଥା ଭୁଲିଯିବା ଭଲ।ନ ହେଲେ ପାଦ ପକାଇ ଆଗକୁ ଆଗକୁ ଓ ଆହୁରି ଆଗକୁ ମଣିଷ ଯିବ କେମିତି!