Satyabati Swain

Inspirational

4.0  

Satyabati Swain

Inspirational

ପ- 26ଆତ୍ମଲଗ୍ନ ଚିତ୍ରକର

ପ- 26ଆତ୍ମଲଗ୍ନ ଚିତ୍ରକର

3 mins
346



ତାକୁ ମନେ ପକେଇ ବସିଗଲି ତାର ଚିତ୍ରଟିଏ ଆଙ୍କିବି ବୋଲି। 


    ଆଖି ବୁଜି ଚେଷ୍ଟା କଲି ତାକୁ ମୋ ଆଖି ସମାନାରେ ଧରି ରଖିବାକୁ।ବାରମ୍ବାର ସେଇ ରୂପଟିକୁ ଅବିକଳ କାର୍ଡ଼ବୋର୍ଡ ଛାତିରେ ଉତ୍ତାରିବାକୁ ତୁଳୀ ଚାଳନା କରି ବିଫଳ ହେଉଥିଲି। କେବେ ଆର୍ କେ ଚିତ୍ର ଶିଳ୍ପୀ ଜୀବନରେ ଏପରି ଘଟି ନଥିଲା। କାହିଁକି ପାରୁ ନଥିଲି ଆଙ୍କି ସେ ରୂପଟିକୁ ? କୌଣସି ଦୃଶ୍ୟ ହେଉ ବା ବ୍ୟକ୍ତି ଥରେ ମନପୁରେଇ ଦେଖି ନେଇଥିଲେ ପାଞ୍ଚ ମିନିଟ ରେ ଆଙ୍କି ଦେବା ମୋ ଶିଳ୍ପୀ ଜୀବନର ପୁଞ୍ଜି।। କଣ ହୋଇଛି ମୋର ! ଆର୍ କେ ଚିତ୍ରଶିଳ୍ପୀ କଣ ଶେଷ ହୋଇଗଲା ? ଭିତରୁ କରୁଣ ଧୂନ୍ ଟିଏ ମୋତେ ଅସ୍ତବ୍ୟସ୍ତ କରି ପକାଉଥିଲେ। ମୋ କଳ୍ପନା ଡେଣା ଯେମିତି କିଏ କାଟି ଦେଇଛି ।ଆର୍ କେ ଦ ବେଷ୍ଟ୍ ମଡ଼ର୍ଣ୍ଣ ଆର୍ଟିଷ୍ଟ ଆଜି ଜଣେ ପରାଜିତ ଚିତ୍ର ଶିଳ୍ପୀ। ତା ତୁଳୀର ଚମତ୍କାରିତାର କଳା କେହି ହରଣ କରି ନେଇଛି ଯେମିତି ।

    

      ହୋଇ ପାରୁ ନଥିଲି ନିବିଷ୍ଟ, ମଗ୍ନ। ଶିଳ୍ପୀ ଆତ୍ମା ମୋର ହେଉଥିଲା ଅମନ ଯୋଗୀ। ହଜେଇ ପାରୁ ନଥିଲି ମୋ ଆତ୍ମା ତା ଭିତରେ ।ତୁଳୀ କାର୍ଡ ବୋର୍ଡ ଉପରେ ସେ ଛବି ଆଙ୍କିବା ଆଗରୁ ପ୍ରଥମେ ସେ ମୋ ଭିତରେ ଓହ୍ଲେଇବା କଥା। କିନ୍ତୁ କଣ ହୋଇଛି ଆଜି ! ତୁଳୀ କିଛି ଆଙ୍କୁନି ? ରଙ୍ଗଗୁଡିକର ମୁହଁ ଶ୍ୱେତା ! ବିକ୍ଷିପ୍ତ ଚିନ୍ତାଧାରା !


   ଚିତ୍ରଶିଳ୍ପୀ ଆତ୍ମା ମୋର ବିଚଳିତ ବ୍ୟସ୍ତ ନିରୁତ୍ସାହିତ ବି।ଆଖି ବୁଜି ଆତ୍ମସ୍ଥ ହେବାକୁ ଚେଷ୍ଟା କଲି । ଭାବନା ମଗ୍ନ ହୃଦୟରେ ବ୍ୟାଘାତ ଦେଇ କେହି ଜଣେ ଡାକିଲେ ଶିଳ୍ପୀ ଇ ଇ ଇ..


କିଏ ତୁମେ ?


ଖିଲି ଖିଲି ହସ ପହଁରି ଗଲା।


ଆରେ କିଏ ତୁମେ ?


ଭଲ କରି ନିରୀକ୍ଷଣ କର ଶିଳ୍ପୀ।


ପାରୁନାହିଁ ଆଜି ଖୋଲା ଆଖି କିମ୍ବା ବୁଜା ଆଖିରେ କିଛି ଦେଖି।


ଚେଷ୍ଟା କର। ଗଭୀର ତନ୍ଦ୍ରା ତେଜି ଦେଖ ମୋତେ।


  କହିଲି ତ ପାରୁନାହିଁ ଆଜି। ସେ ମୋତେ ଶେଷ କରି ଦେଇଛି। ତାକୁ ଦେଖି ଆସିଲା ପରେ ମୁଁ ଆଉ ଆର୍ କେ ବିଖ୍ୟାତ ଚିତ୍ର ଶିଳ୍ପୀ ହୋଇ ନାହିଁ।ଯାହା ତୁଳୀରେ କୁହୁକ।ଯାହାର ରଙ୍ଗରେ କୃଷ୍ଣ ଚୁଡା ହସ।ଯିଏ ନିଜେ ଗୋଟେ ସମୁଦ୍ର ଥିଲା। ଆଖି ଯାହାର ଏତେ ଶକ୍ତିଶାଳୀ ଏକ୍ସରେ ଯେ ଏଯାବତ ବାହାରି ନାହିଁ ସେମିତି ଗୋଟେ ଯନ୍ତ୍ର।ହୃଦୟ ଏକ ବିଶାଳ ରଙ୍ଗ ଭର୍ତ୍ତି ପୃଥିବୀ। ଆଜି କିନ୍ତୁ ସବୁ ନିରବ ନରମ।


  କାହିଁକି ଶିଳ୍ପୀ ! କଣ ହୋଇଛି ତୁମର ? ଆସ ମୁଁ ଟିକେ ଆଉଁସି ଦିଏ ତୁମ ମୁଣ୍ଡ। ଥାପି ଦିଏ ଆଖିରେ ସ୍ୱପ୍ନ।ରଙ୍ଗେଇ ଦିଏ ତୁମ ହୃଦ । ଆସ ଶିଳ୍ପୀ ତୁଳୀ ଧର। ତୁମେ ପାରିବ ଶିଳ୍ପୀ । 


   କିନ୍ତୁ ତୁମେ କିଏ ? ତୁମ ସାନିଧ୍ୟ ମୋତେ ଶୀତଳ ତାର ସ୍ପର୍ଶ ଦେଉଛି । ମୋ ବିଚଳିତ ବିଗଳିତ ମନକୁ ପ୍ରଶାନ୍ତି ଭରି ସ୍ଥିର କରୁଛି ? କିଏ ତୁମେ ଦେବୀ ନା ମାନବୀ ? ମୁଁ ତୁମକୁ ଦେଖି ପାରୁନାହିଁ ? କେଉଁଠି ତୁମେ ?


   ମନ ମୋହକ ହସର ଆମନ୍ତ୍ରଣ ସହ ସେ କହିଲେ ମୁଁ !!ମୁଁ ତ ତୁମ ଭିତର ଶିଳ୍ପୀ। ତୁମ ଚିତ୍ରର ରଙ୍ଗ ,ଆକର୍ଷଣ, ନୂତନତା, ଚିନ୍ତା, ଚେତନା, କଳ୍ପନାର ଉତ୍ସ। ଏତେ ବିଷାଦ କାହିଁକି ଶିଳ୍ପୀ। ତୁଳୀ, ରଙ୍ଗ ତୁମର କ୍ରନ୍ଦନରତ !


   ଆଜି ଦେଖିଲି ତାକୁ । ନୃତ୍ୟରତା ଥିଲା ସେ।ଆଃ ପ୍ରତି ଚିତ୍ରକରକୁ ପଛରେ ପକାଇ କେହି ଆଙ୍କିଛି ତା ସୁନ୍ଦର କପାଳ,ଚନ୍ଦ୍ରକଳା ପରି ଭ୍ରୁଲତା, କଥା କୁହା ହଳେ ମାଟିଆ ଆଖି, ତିଖ ନାକ, ତରଭୁଜ ରଙ୍ଗ ପରି ଓଠ ,ମୟୁର ଗ୍ରୀବା, ପପେୟା ଅଣ୍ଟା, ପଦ୍ମ ପାଦ ଏବଂ ଏକ ସୁଢ଼ଳ ଶରୀର । ଥରେ ଦେଖିଲେ ବାରବାର ଦେଖିବା ତୃଷ୍ଣା ବଢିବ ପଛେ କମିବ ନାହିଁ। କିନ୍ତୁ....


 କିନ୍ତୁ କଣ ଚିତ୍ରଶିଳ୍ପୀ !


     ସେଇ ତ ମୋ ଦୁଃଖର କାରଣ। ସବୁ ଅଛି ତାଙ୍କଠାରେ।କି ଚମତ୍କାର ନାଚୁଥିଲେ ସେ।ରବୀନ୍ଦ୍ର ମଣ୍ଡପରେ ଦେଵଦାସୀ ହୋଇ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପି ଦେଇ ବିହ୍ଵଳିତ ମୁଦ୍ରାରେ ସେ ନାଚୁଥିଲେ। ମନ୍ତ୍ର ମୁଗ୍ଧ ଦର୍ଶକ। ନୃତ୍ୟ ଶେଷରେ ସେ କୃତଜ୍ଞତା ଜ୍ଞାପନ କଲେ ଗୋଟିଏ ହସ୍ତରେ। ସେ ଯାଏ ତାଙ୍କ ନୃତ୍ୟ ଭିତରେ ଏପରି ସମସ୍ତେ ହଜିଥିଲେ ଯେ କେହି ଜାଣି ପାରିଲେ ନାହିଁ ସେ...


  ଓଃ ମୋ ଛାତି ଫାଟିଗଲା। ଆହା ଘୁଙ୍ଗୁର ତାଳେ ତାଳେ ଦର୍ଶକ ଗ୍ୟାଲେରିକୁ ନିର୍ବାକ କରି ରଖିଥିବା ନୃତ୍ୟ ପ୍ରବୀଣା ସେଇ ସୌନ୍ଦର୍ଯ୍ୟ ବିମଣ୍ଡିତା ଝିଅଟି ଜଣେ ଦିବ୍ୟାଙ୍ଗ ! କହୁଣୀଠାରୁ ଡାହାଣ ହାତଟି ନାହିଁ !!


  ଶିଳ୍ପୀ ତୁମେ ଅଧିକ ଭାବପ୍ରବଣ ହୋଇ ଉଠୁଛ। ତା ଠାରୁ ବି ଆହୁରି ଅନେକ ବିକଳାଙ୍ଗ ଦିବ୍ୟାଙ୍ଗ ଅଛନ୍ତି।ସୃଷ୍ଟି ର ବିସ୍ମୟ ଇଏ।ଏପରି କାହିଁକି ହୁଏ ନା ତୁମେ ଜାଣିଛ ନା ଅନ୍ୟ କେହି।କିନ୍ତୁ ତା ଦିବ୍ୟାଙ୍ଗତା ଦେଖ ନାହିଁ।ଦେଖ ତାର ଦକ୍ଷତାକୁ।ମାପ ତାର ବିଶ୍ୱାସକୁ ।ପଢ଼ ତାର ଦୃଢୋକ୍ତିକୁ। ଶିଖ ଜୀବନକୁ ଯେ କୌଣସି ପରିସ୍ଥିତିରେ ଯେତେ ଅଭାବ ବୋଧ ସେ ଆର୍ଥିକ ହେଉ କି ଶାରୀରିକ ହୋଇଥିଲେ ମଧ୍ୟ କି ଖୁସିରେ ଜୀବନକୁ କିପରି ଜୀଇଁ ହୁଏ। 


  ସତେ ତ । ଝିଅଟି ମୁହଁ ଖୁସିରେ ଉଛୁଲୁ ଥିଲା। ଚଞ୍ଚଳ ହୋଇ ଉଠିଲେ ମୋ ରଙ୍ଗ ,ତୁଳୀ ଏବଂ କଳ୍ପନାର ଆଖି।


  କିଛିକ୍ଷଣ ପରେ ଖିଲି ଖିଲି ହସୁଥିଲା ସେ ନୃତ୍ୟରତା ଦିବ୍ୟାଙ୍ଗ ଝିଅଟି ମୋ କାନଭାସ୍ ଉପରେ। 

  



Rate this content
Log in

Similar oriya story from Inspirational