ଓଏସିସ
ଓଏସିସ
ଏ ଭିତରେ ଉମାର ଆତ୍ମନିର୍ଭରଶୀଳତା ତାକୁ ଗାଁ ସ୍କୁଲ ଶିକ୍ଷୟତ୍ରୀ କରିପାରିଛି. ଏସନ ନିଜ ଦରମା ପଇସାରେ ସାବିତ୍ରୀଓଷାରେ ଶାଢ଼ୀ ଖଣ୍ଡେ କିଣିଦେଇ ବୋଉକୁ ଦେବାକୁ ବୋଉ ନାହିଁ. ବାପାଙ୍କୁ ଗୋଟେ କିଡ଼ନୀ ଦେବା ପରେ ପରେ ବୋଉ ଚାଲିଗଲା. ବୋଉକୁ ଝୁରି ଝୁରି ବାପା ତା କିଡ଼ନୀ ନେଇ କେତେଦିନ ଅବା ବଞ୍ଚିଥାଆନ୍ତେ!ସେ ମଧ୍ୟ ବୋଉ ପଛେ ପଛେ ଗଲେ . ଚବିଶ ବର୍ଷ ବୟସରେ ଅପା ଆଜି ବିଧବା.ଝିଅ ରେବତୀକୁ ମଣିଷ କରିବା ପାଇଁ ଉମା ନିଜ ସ୍କୁଲରେ କୁହାବୋଲା କରି ଅପାକୁ ପାଚିକା ଚାକିରୀରେ ନିଯୁକ୍ତି କରାଇଛି. ମାଆ ରମା ରୋଷେଇ କରେ ଆଉ ରେବତୀ ପାଠ ପଢେ. ଏମିତି ଜୀଵନ ଭିତରେ ସେଦିନ ଟାଇଁ ଟାଇଁ ଖରା ବେଳଟାରେ ଉମାର ସାଙ୍ଗ ଉମେଶକୁ ତା ଘରେ ଦେଖି ଉମା ପଚାରିଲା ଏ ଯେଉଁ ଖରା ଗରମ ସେଥିରେ ମଣିଷ ଛାର ଗଛପତ୍ର ଜଳିଯାଉଛି ସେତେବେଳେ ତୁମେ ମୋ ଘରେ!କୋଉ ପ୍ରେରଣା ପାଇବାକୁ ଏଠି ତୁମ ପେଣ୍ଟିଙ୍ଗରେ ରଙ୍ଗ ଦେବାକୁ ତୁଳୀ ସଜାଡିବାକୁ ଆଗ୍ରହ କଲ ଉମେଶ? ଉମେଶ କହିଥିଲା ତୁ ତ ଜାଣୁ ଉମା ଏ ଖରା ସହିତ ମୋ ଜୀଵନରେ କେତେ ସାମଞ୍ଜସ୍ୟ ରହିଛି. ଏହି ଧୁ ଧୁ ଖରା ପରି ମୋ ଅନାଥ ଜୀଵନ କଟିଛି ଝାଞ୍ଜି ପରି, ଆଉ ତା ଭିତରେ ପିଲାଦିନୁ ତୋର ସବୁ ଥାଇ ମଧ୍ୟ ତୋ ଜୀବନର ଖରା ମାପୁ ମାପୁ ମୁଁ ନିଜକୁ ସମ୍ଭାଳି ବଡ଼ ହୋଇଛି. ଖରାରେ ଜଳିଯାଉଥିବା ଏ ଘର,ଉପରକୁ ଗୋଟେ ମରୁଭୂମି ଭଳି ପ୍ରତୀୟମାନ ହେଉଥିଲେ ମଧ୍ୟ ଭିତରେ ତୁମର ଏ ଛୋଟ ସୁଖୀ ପରିବାର ଭିତରେ ତୁ ଗୋଟେ ଓଏସିସ ପରି ମତେ ଦେଖାଯାଉ ଉମା. ତେଣୁ ଏଇ ଘରେ ମୁଁ ଯେତିକି ଆଙ୍କିଛି ଆଉ କୋଉଠି ଆଙ୍କି ପାରିବି ନାହିଁ.
ଉମେଶ କଥାରେ ଉମା ହସେ ଓ ରେବତୀ ସହିତ ଖେଳୁଥାଏ. ସେଦିନ ହଠାତ ଉମା ପଚାରିବସିଥିଲା ଉମେଶକୁ ତମେ ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପ ପଢିଛ ଉମେଶ? ହଁ ନପଢି ମଧ୍ୟ ଜାଣିଛି. ଯଦି ଜାଣିଛ କହିପାରିବ ମୋ ଚବିଶ ବର୍ଷୀୟ ବିଧବା ଅପାର ଏ ସନ୍ତାନ ଝିଅ ରେବତୀର ଭବିଷ୍ୟତ ବିଷୟରେ? ଏଭଳି ପ୍ରଶ୍ନରେ ଉମେଶ ଅବା କଣ କହିବ!ତେବେ କହିଥିଲା ତାର ଜେଜେମା ନାହିଁ ଯିଏ ତାକୁ ପାଠପଢିଲେ ଲୋ ରେବୀ.. ଲୋ ନିଆଁ... ଲୋ ଚୁଲି କହି ଗାଳିଦେବ ବରଂ ପାଖରେ ତାର ମାଆ ଓ ମାଉସୀ. ମୁ
ଁ ଯଦି ବାହା ହୋଇଯାଏ? ନିରୁତ୍ତର ରହିବା ପରେ ବହୁ ଭାବିଚିନ୍ତି ଉମେଶ କହିଲା ତ ତା ମାଆ ଅଛିନା? ହଁ ତା ମାଆ ଅଛି ଯିଏ ପାଠ ପଢିବା ବୟସରେ ବିପତ୍ନୀକ ଭଗିଆକୁ ବାହା ହୋଇ ବର୍ଷକ ପରେ ଏକାଥରେ ବୈଧବ୍ୟ ପରି ଯନ୍ତ୍ରଣା ଓ କନ୍ୟା ରେବତୀକୁ ପାଇ ମାତୃତ୍ୱ ପାଇଥିଲା ସେହି ମୋ ଅପା ରମାର ଭବିଷ୍ୟତ ଅନ୍ଧାର ଥିଲାବେଳେ, ପିତୃତ୍ୱର ସାହାରା ହରାଇ ରେବତୀ ବଞ୍ଚିବ କିପରି ଉମେଶ? ଉମାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ପାରିବାରିକ ପ୍ରଶ୍ନରେ ଉମେଶର କିଛି ଯାଏଆସେ ନଥିଲା ଏମିତି ନୁହେଁ କାରଣ ସେ ଉମାକୁ ଭଲ ପାଉଥିଲା. ମରୁଭୂମିର ଓଏସିସକୁ ପାଇ ହରାଇବାକୁ ଚାଁହୁନଥିଲା ବେଳେ ଉମାର ଏଭଳି ରେବତୀର ଭବିଷ୍ୟତକୁ ନେଇ ପ୍ରଶ୍ନର କୁହେଳିକା ତାକୁ ଦୁଃଖୀ କରିଦେଉଥିଲା. ସେ ତା ପେଣ୍ଟିଙ୍ଗ ଉପକରଣ ସବୁକୁ ଗୋଟେଇ ପୋଟେଇ ଫେରିପଡୁଥିଲା ବେଳେ ପଛରୁ ରମା କହିଥିଲା ଚା ଟିକେ ପିଇ ନାହାଁନ୍ତି ଥଣ୍ଡା ହୋଇଗଲାଣି, ଉମା କହେ ଆପଣ ଏ ଖରାରେ ମଧ୍ୟ ଚା ପିଇବାକୁ ପସନ୍ଦ କରନ୍ତି. ମୁଁ ଗରମ କରି ଆଣିଲା ବେଳକୁ ଆପଣ ଚାଲିଯାଉଛନ୍ତି ଉମା ମନ କଷ୍ଟ କରିବନି?
କଥାରେ ଯାଦୁ ଥିଲା,ଯାହା ହୃଦୟକୁ ଛୁଇଁ ଗଲା ଉମେଶର. ଚାହିଁଲା ରମା ଆଡ଼େ. କଲେଜରେ ପିଜି କରୁଥିବା ତରୁଣୀଟି ଯେମିତି ଏଇ ଏଇ ନୂଆ ନୂଆ ପ୍ରେମ କରୁଛି ଭଳି ଲାଗିଲା ଉମେଶକୁ. ଚା ପିଉ ପିଉ ସେ ପୁଣି ଆଙ୍କି ବସିଥିଲା ସୁନ୍ଦର ଛବିଟିଏ. ଛବିରେ ଘୋଡା ଉପରେ ଚଢି ମରୁଭୂମିରେ ଯାଉଥିବା ଲୋକର ଚିତ୍ର ଦେଖି ରେବତୀ କହୁଥିଲା ଏ ନିଶ୍ଚୟ ଆପଣ ଅଙ୍କଲ କିନ୍ତୁ ଆପଣଙ୍କ ଆଗେ ଆଗେ ଥିବା ସେ ସ୍ତ୍ରୀ ଲୋକ କିଏ ଅଙ୍କଲ? ଏଁ ହଁ ସେ ଓଏସିସ. ହସିଲା ଟିକି ଝିଅ ରେବତୀ କହିଲା ନା ନା ସେ ମୋ ମାଉସୀ ଉମା. ହଠାତ ଉମେଶ କହିଲା ନା ନା ସେ ଓଏସିସର ନାଁ ରମା. କେବଳ ରମା. ପାଖରେ ଆସି ଉମା ଠିଆ ହୋଇସାରିଥିଲା ଅନେକବେଳୁ ଆଉ ତାଳି ମାରି କହୁଥିଲା ମୁଁ ଜାଣିଥିଲି ଉମେଶ,ରେବତୀକୁ ତୁମେ ହିଁ ଆପଣାର ସ୍ୱୀକୃତି ଦେଇପାରିବ.ମୋ ମାଆର ଆତ୍ମା ଶାନ୍ତି ଓ ମୋ ପିତାଙ୍କ ଆତ୍ମାର ଗତି ମୁକ୍ତି ଦେବାକୁ ତୁମେ ହିଁ ଏକାନ୍ତ ଯୋଗ୍ୟବ୍ୟକ୍ତି.।