ଓ୍ବାସିଂ ମେଶିନ୍
ଓ୍ବାସିଂ ମେଶିନ୍
ଡିସେମ୍ବର ମାସର ଶିତୁଆ ସକାଳ। ଅଳସ ଭାଙ୍ଗିବା ପାଇଁ କିଛି ବାଟ ଚାଲିବା ପରେ ଥକ୍କା ମେଣ୍ଟାଇବାକୁ ରୂପାଲୀ ଛକର ଚାହା ଖଟିରେ ରୁଣ୍ଡ ହୋଇଛନ୍ତି ଜୀବନର ଅପରାହ୍ନରେ ପାଦ ଥାପିଥିବା ପାଞ୍ଚ ଛଅ ଜଣ ବରିଷ୍ଠ ନାଗରିକ। ସଭିଙ୍କ ହାତରେ ବାମ୍ଫ ଉଠା ହର୍ବାଲ୍ ଟି' କପ୍। ଓଠରେ ଚାହାର ସ୍ବାଦ ନେଉ ନେଉ ସହରର ହାଲଚାଲ୍ ଠୁଁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ଖବର ସବୁଦିନ ଏଠି ଚର୍ଚ୍ଚା ହୁଏ ରୀତିମତ। ଆଜି କିନ୍ତୁ ସଫାସୁତୁରାକୁ ନେଇ "ସ୍ବଚ୍ଛ ଭାରତ ମିଶନ" ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିଛି।
ଏଇ ଖଟିର ଆବାହକ ହେଉଛନ୍ତି ଦାସ ବାବୁ। କିଛି ବର୍ଷ ପୂର୍ବରୁ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବିଭାଗର ପ୍ରମୁଖ ସଚିବ ଥିଲେ। ଆଇନକାନୁନର ଦାଓପେଞ୍ଚ ଠାରୁ ଆରମ୍ଭ କରି ରାଜନେତାଙ୍କ ଦୋଷ ଦୁର୍ବଳତା ସବୁକିଛି ଜଣା ତାଙ୍କୁ। ଯୁକ୍ତିରେ କେହି ବି ଜିତି ପାରିବେ ନାହିଁ ତାଙ୍କୁ। ଅନ୍ୟତମ ସଦସ୍ୟ ପ୍ରଧାନ ବାବୁ ହେଉଛନ୍ତି ଅବସରପ୍ରାପ୍ତ ପ୍ରାଧ୍ୟାପକ। କଥା କଥାକେ ଦାସବାବୁଙ୍କୁ ଉଖୁରାଇବା ତାଙ୍କର ଏକ ବିଶେଷ ସୁଗୁଣ। ଦାସବାବୁ ଯେତେବେଳେ କହିବା ଆରମ୍ଭ କରିବେ ସେତେବେଳେ ତାଙ୍କ କଥାରେ ବାଡବତା ରହେ ନାହିଁ। ବେଶ୍ ଖୁଲମଖୁଲା ସବୁକଥା ବ୍ଯାଖ୍ଯାନ କରନ୍ତି। ଯାହାକୁ କହନ୍ତି, "ହାଟ ମଝିରେ ବ୍ରହ୍ମ ଜ୍ଞାନ!"
ଆଜିର ବିଷୟ ତ ସ୍ବଚ୍ଛ ଭାରତ ମିଶନ ସମ୍ବନ୍ଧୀୟ। ଅତଏବ ପ୍ରଧାନ ବାବୁ କହିଲେ, "ଆଜ୍ଞା! ଜାଣିଲେଣି କି ନାହିଁ? ନୂଆ ୱାସିଂ ମେଶିନ୍ ବଜାରକୁ ଆସିଛି। ଦେଶୀୟ ଉଦ୍ଭାବନ। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହାର ବିଶେଷତା ହେଲା, ବିନା ବିଜୁଳିରେ ଚାଲୁଛି। ଯେତେ କଳଙ୍କର ଦାଗ ସବୁ କିଛି ଧୋଇ କରି ଧୋବ ଫରଫର କରିଦେଉଛି। ଗଙ୍ଗା ଜଳରେ ପାପ ଧୋଇ ଯିବା ପରି ଏଇ ଓ୍ବାସିଂ ମେଶିନ୍ ବଡ଼ ବଡ଼ିଆଙ୍କ ସବୁ ଦାଗ ସଫା କରି ଦେଉଛି। ଯେତେ ଦାଗୀ, ଚୋର ତସ୍କର, ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଲୋକ ସମସ୍ତେ ପରା ଏଇ ମେଶିନ୍ କିଣିକି ଶୁଦ୍ଧ ସୁବର୍ଣ୍ଣର ଆଖ୍ଯା ଅର୍ଜନ କରୁଛନ୍ତି।"
ପ୍ରଧାନ ବାବୁଙ୍କ କଥାଟା ଦାସବାବୁଙ୍କ ମଗଜରେ ହଠାତ୍ ଢୁକିଲା ନାହିଁ। ଅପ୍ରସ୍ତୁତ ଥିଲେ ସିଏ ଏପରି ଏକ ବିଷୟ ନେଇ। ରାସ୍ତାଘାଟର ପରିଛନ୍ନତା ନେଇ ଚର୍ଚ୍ଚା କରୁ କରୁ ପ୍ରଫେସର ଯେ, ଅଚାନକ ଏମିତି ତୀର ନିକ୍ଷେପ କରିବେ ତାହା ଥିଲା ତାଙ୍କର କଳ୍ପନାର ବାହାରେ। ତଥାପି ଟାଣପଣରେ କହି ପକେଇଲେ,"ହଁ, ପରା ଆଗେ ମଣିଷ ସଫା ହେଲେ ତ ଯାଇ କି ଦେଶ ସଫା ରଖିବ ନା! ସେଇଥିପାଇଁ ତ ଦଳୀୟ ସଦସ୍ୟତା ଟିକଟ ଖର୍ଦ୍ଧି କରି ରାଷ୍ଟ୍ରବାଦର ଢେଉରେ ଗାଧେଇ ପଡ଼ିଲେ ସବୁ ଦୋଷ ସର୍ବ କ୍ଷମା ଯୋଜନାରେ ମାଫ୍ ହୋଇଯିବ!" ଦାସବାବୁଙ୍କ କଥାରେ ସଭିଏଁ ଠୋ ଠୋ ହୋଇ ହସି ଉଠିଲେ। ଗମ୍ଭୀର ହୋଇ ପଡୁଥିବା ବାତାବରଣ ବନ୍ଧୁମାନଙ୍କ ହାସ୍ୟରୋଳରେ ରମଣୀୟ ମନେ ହେଉଥିଲା। ଦାସବାବୁଙ୍କ ବାକ୍ ଚାତୁରୀର ଭୁରି ଭୁରି ପ୍ରଶଂସା କରୁଥିଲେ ପ୍ରଫେସର ପ୍ରଧାନ ।