Lalita Mohan Mishra

Tragedy Classics Others

4  

Lalita Mohan Mishra

Tragedy Classics Others

ନନାଙ୍କ ଛତା

ନନାଙ୍କ ଛତା

5 mins
423


ମାଟିରୁ ଆକାଶ, ଅନ୍ତରରୁ ଅନ୍ତରୀକ୍ଷ ପୁଣି ଦରିଆରୁ ଦିଗ୍‌ବଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଥିବା ଶବ୍ଦଟିଏ ନନା । ନା କଳିହୁଏ ନା ମାପିହୁଏ ତାଙ୍କ ବ୍ୟକ୍ତିତ୍ୱକୁ। ସନ୍ତାନ ଓ ପରିବାର ପାଇଁ ସଦା ସମର୍ପିତ ଜୀବନଟିଏ। ସବୁ ଝଡ଼ଝଞ୍ଜା ମଧ୍ୟରେ ଦୁନିଆର ସବୁ ସୁଖ ଶାନ୍ତିକୁ ପର କରି ପିଲାଙ୍କ ପାଇଁ ସୁଖ ସାଉଁଟି ଆଣିବାରେ ଲହୁଲୁହାଣ ହୋଇପଡ଼ନ୍ତି । ତଥାପି ନିରନ୍ତର ପ୍ରୟାସ ଜାରିରଖିଥିବା ମଣିଷ ନନାଙ୍କ ଛଡ଼ା ଆଉ କିଏ ହେବ ଯେ । ବୋଉ ଘରର ଗୌରବ ହେଲେ, ନନା ଏହାର ଅସ୍ତିତ୍ୱ । ବୋଉର ଆଖିରେ ଅଶ୍ରୁଧାରା ଥାଏ, ହେଲେ ନନାଙ୍କ ଆଖିରେ ଥାଏ ସଂଯମ । ବୋଉ ରୋଷେଇ କରେ ସିନା, କିନ୍ତୁ ନନା ପରିବାର ପାଇଁ ସାରାଜୀବନ ଖାଇବା ପିଇବାର ବନ୍ଦୋବସ୍ତ କରିଥାନ୍ତି । ଟିକିଏ ଅସୁବିଧାରେ ବୋଉ ମନେପଡ଼େ । କିନ୍ତୁ ଭୟଙ୍କର ବିପଦରେ ନନାଙ୍କୁ ହିଁ ଖୋଜାପଡ଼େ। କୋଳେଇ କାଖେଇ ବୋଉ ଦେଖାଇ ଦିଏ ଆକାଶର ଜହ୍ନ, କିନ୍ତୁ ନନା ଛାତିରେ ବସାଇ ସ୍ବପ୍ନ ଦେଖାନ୍ତି । ବୋଉ ଲୋରୀ ଶୁଣାଏ ଓ ନନା ଶୁଣାନ୍ତି ଜୀବନର ସଙ୍ଗୀତ। ସମଗ୍ର ପରିବାର ପାଇଁ ନନା ହେଉଛନ୍ତି ବିଶ୍ୱାସର ବଟବୃକ୍ଷଟିଏ । ଗଭୀର ଆସ୍ଥା ଓ ଭରସାର ମଧୁମୟ ଜହ୍ନଟିଏ । ପୁଣି ଅସୀମ ଆକାଶର ଆଶ୍ୱାସନାଟିଏ । ତାଙ୍କ ସୁଶୀତଳ ଛାୟାରେ ସମ୍ପୂର୍ଣ୍ଣ ପରିବାରରେ ଅନବରତ ଖେଳିଯାଏ ପ୍ରସନ୍ନତା । ତାଙ୍କର ଅନାବିଳ ସ୍ନେହ ଓ ସ୍ବର୍ଗୀୟ ପ୍ରେମ ହିଁ ଘରକୁ ବୈକୁଣ୍ଠରେ ବଦଳାଇ ଦିଏ । ଯେ ପର୍ଯ୍ୟନ୍ତ ବଟବୃକ୍ଷ ତୁଲ୍ୟ ନନାଙ୍କ ଛାଇ ଆମ ଉପରେ ଥାଏ, ସେ ପର୍ଯ୍ୟନ୍ତ ନିଜକୁ ଆମେ ସୁରକ୍ଷିତ ମଣୁ । ତାଙ୍କ ମଧୁମୟ ଆଶ୍ଳେଷରେ ରାସ୍ତାର ଯେତେସବୁ କଣ୍ଟା ଥାଏ, ତାହା ସବୁ ଫୁଲ ପାଲଟିଯାଏ । ଆଉ ଦୁଃଖସବୁ ବଦଳିଯାଏ ସୁଖରେ । ସେ ନିଜେ ପଛେ ବାଡ଼ିଧରି ଚାଲନ୍ତି । କିନ୍ତୁ ପିଲାମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବାକୁ ଅନବରତ ଚେଷ୍ଟା କରାନ୍ତି। ସେ ଚଷମାରେ ଦୁନିଆ ଦେଖନ୍ତି କିନ୍ତୁ ପିଲାମାନଙ୍କୁ ସ୍ବଚକ୍ଷୁରେ ଦୁନିଆ ଦେଖାଇବାକୁ ପ୍ରବର୍ତ୍ତାନ୍ତି । ସବୁ ଦୁଃଖକୁ ଗରଳ ପରି ପାନ କରି ନୀଳକଣ୍ଠ ସାଜିବାରେ ପଛଘୁଞ୍ଚା ଦେଉ ନ ଥିବା ସେହି ମହନୀୟ ବ୍ୟକ୍ତିତ୍ୱ ନନାଙ୍କ ଛଡ଼ା ଆଉ କିଏ ହୋଇପାରେ ?

ଆମେ ପାଞ୍ଚ ଭାଇ ଭଉଣୀ ଏବଂ ଜେଜେମାଆ ଓ ନନା ବୋଉଙ୍କ ନେଇ ଆଠ ଜଣିଆ ପରିବାର । ବିଭିନ୍ନ ସୁଖ ଦୁଃଖ ଅଭାବ ଅନାଟନକୁ ନେଇ ପରିବାର ରଥ ଗଡେଇ ଚାଲିଥାନ୍ତି ନନା । ସେ ଜଣେ ସ୍ବଳ୍ପ ବେତନ ଭୋଗି ପ୍ରାଇମେରୀ ଶିକ୍ଷକ ହୋଇଥିଲେ ମଧ୍ୟ ପରିବାର ଚଳାଇବାର ତରିକା ତାଙ୍କୁ ଜଣା ଥାଏ । ନନାଙ୍କର ସାଇକେଲ ଆଉ ନନାଙ୍କ ଛତା ଏକ ନିଆରା ପ୍ରତୀକ ସୃଷ୍ଟି କରୁଥାଏ । ସ୍କୁଲକୁ ଯିବା ଅସିବାର ଅସୁବିଧା ହେତୁ ନନା ସାଇକେଲଟି ବ୍ରହ୍ମପୁରରୁ କୋଡିଏ ଟଙ୍କାରେ କିଣି କରି ଆଣିଥିଲେ । ସାଇକେଲ୍ ଟି ଥିଲା ନନାଙ୍କ ଗୋଡ । କେବଳ ଆଣ୍ଠୁ ଯନ୍ତ୍ରଣା କୁ ଛାଡ଼ିଦେଲେ ନନାଙ୍କ ର ପ୍ରାୟ କିଛି ରୋଗ ନ ଥିଲା । ସକାଳ ହେବାଠାରୁ ପୁଣି ରାତି ହେବାଯାଏ ନନା ସ୍କୁଲକୁ ଯିବା, ବିଲ ବାଡ଼ି ହାଟ ବାଟ ସବୁଆଡେ ସେଥିରେ ଯାଆନ୍ତି। ଯେତେବେଳେ ଯାହାର ଯାହା ଦରକାର ପାଟିରୁ ନ ବାହାରୁଣୁ ସେ ସାଇକେଲ୍ ଟି ଧରି ବାହାରି ପଡ଼ନ୍ତି । ସାଇକେଲରେ ଖଳାରୁ ଜାଳେଣୀ କାଠ ଆଣିବା, ଚୁଡାଧାନ ନେଇ ଚୂଡା କରିବାକୁ ଦେବା । ବିଲରୁ ଚଣା ମୁଗ ଆଣିବା। ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ଘର, ବ୍ୟାଙ୍କ୍, ଡାକ୍ତରଖାନା ,ହାଟ,ବଜାର, ମନ୍ଦିର ସବୁଆଡ ସାଇକେଲ ନେଇ ପଳେଇଯାନ୍ତି ନନା । ବେଳେ ବେଳେ ବୋଉ ଥଟ୍ଟା କରି କୁହେ, ତୋ ନନାଙ୍କୁ ସାଇକେଲ ଦେଇଦେଲେ ସେଥିରେ ସେ ଦିଲ୍ଲୀ ପଳାଇ ଯିବେ।

ନନାଙ୍କ ସାଇକେଲ ବ୍ୟତୀତ ଆଉ ଏକ ପ୍ରିୟ ଜିନିଷ ତାଙ୍କର ଛତା । ସ୍କୁଲକୁ ବର୍ଷା ଦିନେ ଯିବା ଆସିବା ପାଇଁ ନନା ଛତାଟିଏ ରଖିଥାନ୍ତି । ବାଉଁଶ ବେଣ୍ଟରେ ତିଆରି ଛତା । ଛତାରେ କଳା କନାଟିଏ ପଡିଥାଏ  । କଳା କନାଟି ଉପରେ ଗୋଟିଏ ଧଳା ମୁଣ୍ଡି ଥାଇ ଡୋର ଲାଗିଥାଏ । ସେ ଡୋରିରେ ହିଁ ଛତାକୁ ଚିପି କରି ବାନ୍ଧିଥାନ୍ତି । ବର୍ଷା କିମ୍ବା ଖରାରେ ସେ ଛତା ଖୋଜା ପଡେ । ଛତାଟି ନନା ନନା ବାସେ । ନନାଙ୍କର ଅତି ଆଦରର ସେ ଛତା । ଯୁଆଡେ ଯିବେ କାନ୍ଧରେ ଯାକି କରି ଚାଲିଥିବେ। 

ନନାଙ୍କ କଡ଼ାଶାସନ । ସେ ଛତା ଯଦି କିଏ ଏପରି କୁଆଡେ ନେଇ ପଳାଇ ଥିବ, ଠିକ୍ ସମୟରେ ଛତା ନାହିଁ ବୋଉ ଉପରେ ନନାଙ୍କର ଗାଳି ଗୁଲଜ ବର୍ଷଣ। ତାଙ୍କର ନାଲିଆଖି, ମାଡ଼ଗାଳି ପୁଣି ଶୃଙ୍ଖଳା ଜୀବନଧାରାରେ ସାଜିଥାଏ ଆମର ପଥପ୍ରଦର୍ଶକ। ନନାଙ୍କ ଖାଲି ଛତା କଥା ନୁହେଁ, ପ୍ରତ୍ୟେକ ଜିନିଷରେ ନନାଙ୍କର ଦାୟିତ୍ବ ଏବଂ ଗୁରୁତ୍ବ ଥାଏ । ଚାକିରୀରୁ ଅବସର ନେଲା ବେଳକୁ ତାଙ୍କୁ ଛତାଟିଏ ଏବଂ କାଶ୍ମୀର ସାଲ୍ ଟିଏ ଉପହାର ସ୍ବରୂପ ଦେଇଥିଲେ । ମୋର ଚଦର ନ ଥିଲା ମୋତେ ସେ ସାଲ୍ ଟି ଦେଇଦେଲେ । ମୁଁ ଯେତେ ମନାକଲି ତୁମକୁ ଉପହାର ମିଳିଛି ମୁଁ ନେବି ନାହିଁ । କିନ୍ତୁ ସେ ଶୁଣିଲେ ନାହିଁ । ମୁଁ ଚାକିରୀ କଲା ପରେ ଟିକେ ବଡ ସାଲ୍ ଟିଏ ଆଣି ଦେଇଛି । କିନ୍ତୁ ତାଙ୍କର ସେ ଉପହାର ସାଲ୍ ଟି ମୁଁ ଆଜି ପର୍ଯ୍ୟନ୍ତ ରଖିଛି । ତାହା ନନାଙ୍କ ସ୍ମୃତି । 

ମୋ ଆଖିରେ ତାଙ୍କର ଲହଡି ମାରୁଥାଏ ଏବଂ ସୁନେଲି ଭବିଷ୍ୟତର ସ୍ବପ୍ନ । ସେ ସଙ୍କଳ୍ପବଦ୍ଧ ମଣିଷଟିଏ । ଆମକୁ ମଣିଷ ପରି ମଣିଷ କରିବାରେ ତାଙ୍କର ଅତୁଳନୀୟ ଅବଦାନ କିଛି କମ୍ ନୁହେଁ । ସେ ଅନବରତ ଦେଇ ଚାଲିଥାନ୍ତି ଉତ୍ସାହ ଓ ପ୍ରେରଣା । ସମ୍ଭବତଃ ସେଥିପାଇଁ ଈଶ୍ୱରଙ୍କ ସଂକ୍ଷିପ୍ତ ସଂଜ୍ଞା ଭାବରେ ନନାଙ୍କୁ ହିଁ ନିଆଯାଏ। କାରଣ ଈଶ୍ୱରଙ୍କୁ ମାଗିଲେ କିଛି ମିଳୁ ବା ନ ମିଳୁ କିନ୍ତୁ ଯାହାଙ୍କୁ ମାଗିଲେ ନିଶ୍ଚୟ କିଛି ମିଳିଯାଏ, ସେ ହେଉଛନ୍ତି ନନା ।

ସମୟଚକ୍ରରେ କେତେବେଳେ ନନା ଖୁସିରେ ଆତ୍ମହରା ହୋଇପଡ଼ନ୍ତି ତ କେତେବେଳେ ଦୁଃଖରେ ଭାଙ୍ଗିପଡ଼ନ୍ତି। ଏସବୁ ଭିତରେ ଆଖିରେ ତାଙ୍କର ପୂରି ରହିଥାଏ କର୍ତ୍ତବ୍ୟବୋଧ ସହ ମମତ୍ୱବୋଧ । ନିରୋଳା ଲୁହଲହୁକୁ ଏକାକାର କରି ନିଜ ପ୍ରଶସ୍ତ ଛାତିରେ ଦୁଃଖକୁ ଆଲିଙ୍ଗନ କରିବାକୁ ଡରୁ ନ ଥିବା ମଣିଷ ନନା । ଗୋଟିଏ ଘରେ ଏକାଠି ରହୁଥିବା ମଣିଷଙ୍କ ପାଇଁ ସେ ଛତା ନୁହେଁ, ଛାତ। ପାଦ ପାଇଁ ଜୋତା ନୁହେଁ, କବଚ। ଘରର ମଝିଖୁଣ୍ଟ ସାଜି ଯାବତୀୟ ବୋଝକୁ ମୁଣ୍ଡେଇ ପାରୁଥିବା ଓ ଜଞ୍ଜାଳରେ ପେଷି ହୋଇଯାଉଥିବା ଶକ୍ତିଶାଳୀ ଦମ୍ଭଟିଏ ସେ । ତାଙ୍କରି ପାଇଁ ତ ଦପ୍‌ଦପ୍‌ ଦିଶେ ବୋଉ ମଥାର ଲାଲ ଟହ ଟହ ସିନ୍ଦୁର ଓ ହାତର ଝଲମଲ ପାଣିକାଚ। ବୋଉ ନନାଙ୍କୁ ଏକା କରି ଆଗ ଚାଲିଗଲା । ଭାଙ୍ଗି ପଡିଲେ ନନା ।

ସବୁ ଦୁଃଖକୁ ଅନ୍ତର ଭିତରେ ଚାପି ଆଗକୁ ଚାଲିବାରେ ପ୍ରୟାସ କଲେ । ବୋଉ ସିନା ଚାଲିଗଲା, ନନାଙ୍କ କଥା ଭାବି ଦୁଃଖିତ ହେଉ । ନନା ସଦାବେଳେ କୁହନ୍ତି - ମୁଁ ଆଉ ଅଳ୍ପ ଦିନ । ନନାଙ୍କ ମହାନତାକୁ ସବୁଠୁ ଅନୁଭବ ସିଏ କରିପାରିଥାଏ, ଯାହାର ବାପା ଥାଏ । ବାପାଙ୍କ ବିନା ଦୁନିଆଟା ଖାଁ ଖାଁ ଲାଗେ। ମନ ଭିତରେ କେଉଁଠି କେଜାଣି ଲୁଚିଯାଏ ଦାମ୍ଭିକତା। ହତାଶାଭାବଟା ଆବୋରି ବସେ ମନକୁ। ସବୁ ସୀମା ସରହଦ ଡେଇଁ ଦୁଃଖ ମାଡିଆସେ। ଦୁନିଆ ଆଖିରେ ବାପଛେଉଣ୍ଡ ପିଲାଟିଏ ଅଜାଣତରେ ହରାଇବସେ ତା’ ପରିଚୟ। ଜୀବନର ଚଲାପଥରେ ଝୁଣ୍ଟି ପଡ଼ିବାକୁ ହୁଏ ବାରମ୍ବାର। ଘୋର ବିପଦରେ ମୁହଁରୁ ଉଚ୍ଚାରିତ ବାପା ଶବ୍ଦଟି ମିଳେଇଯାଏ ଶୂନ୍ୟରେ। ସବୁ ସାମର୍ଥ୍ୟ ଥାଇ ସୁଦ୍ଧା ସଭାରେ ହାରିବା ହିଁ ସାରହୁଏ। ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ।’ ପରି ପବିତ୍ର ମହାମନ୍ତ୍ର ନନାଙ୍କ ବିନା କେମିତି ଅଧୁରା ଅଧୁରା ଲାଗେ।

ବୋଉ ପରେ ନନା ଚାଲି ଯିବାର ଏହା ଭିତରେ କେତେ ଦିନ ବିତି ଗଲାଣି । ନନା ଯିବା ପରେ ଦାୟିତ୍ବ ବଢି ଯାଇଛି । ନନା ଯେଉଁ କାମ ଗୁଡ଼ିକ କରୁଥିଲେ ଆମେ ଜାଣି ପାରି ନ ଥିଲୁ । କେତେ ସେ ଗୁରୁ ଦାୟିତ୍ବ । ଆମକୁ ଏବେ ସବୁ କରିବାକୁ ପଡୁଛି । ନନାଙ୍କୁ ଏସବୁ ସମୟରେ ବେଶୀ ମନେ ପଡୁଛି । ନନାଙ୍କ ସାଇକେଲ୍ ଏବେ ସେହି ଗୁହାଳ ଘର ପିଣ୍ଡାରେ ଆଉଜେଇ ହୋଇ ପଡି ରହିଛି । ନନାଙ୍କ ଛତାଟି ଠାକୁର ଘର ସାମ୍ନା ପିଣ୍ଡାର କଣ୍ଟାରେ ଲାଗି ରହିଛି । ଛତାର କଳା କନାଟି ଧୂଳି ଧୂସର ହୋଇ ଏକ ପ୍ରକାର ଅଲୋଡା ଜିନିଷ ହୋଇଗଲାଣି । ସାଇକେଲ ବି ପଡି ରହିଛି, ଆଉ କିଏ ଚଲାଉ ନାହାଁନ୍ତି । ଏବେ ଘରକୁ ଗଲେ ଲାଗେ - ଏସବୁର ଯିଏ ଯତ୍ନ ନିଏ ସେ ବୋଉ, ସେ ତ ଆଗ ଚାଲିଗଲା । ଆଉ ଯିଏ ଦଣ୍ଡେ ନ ଦେଖିଲେ ଘର କମ୍ପମାନ କରନ୍ତି । ସେ ବି ଚାଲିଗଲେ । ବୁଢା ବୁଢୀ ଙ୍କୁ ଅଲୋଡା ଅଖୋଜା ଭାବନ୍ତି । ସେମିତି ନନାଙ୍କ ସାଇକେଲ୍ ଏବେ ଅଲୋଡା, ଆଉ ଛତା ଅଖୋଜା ହୋଇ ପଡି ରହିଛି । ଦେଖିଲେ ଲାଗେ ସତେ ନନା ବୋଉ ଛାଡି ଚାଲିଗଲା ପରି ଏମାନେ ମଧ୍ୟ ଚାଲି ଯାଇଛନ୍ତି । ଖାଲି ଶରୀରଟି ହିଁ ପଡି ରହିଛି ।


Rate this content
Log in

Similar oriya story from Tragedy