ନିଶ୍ଚଳ ସମୟ
ନିଶ୍ଚଳ ସମୟ
ନିଶ୍ଚିତ ସମୟ,
କଥାକୁହା ସମୟ,
ହାତ ପାହାନ୍ତାରେ ଚାଲବୁଲ୍ କରୁଥିବା ସମୟ,
ଫୁର୍ କରି ଉଡିହଜି ଯାଉଥିବା ସମୟ,
ଅସରନ୍ତି ସମୟ,
ଅପେକ୍ଷା ର ସମୟ ।
ତୋ ଥିବା ବେଳରେ ସମୟ,
ମୁଁ ନ ଥିବା ବେଳର ସମୟ,
ଆଗକୁ
କିଛି ସ୍ମୃତି, କିଛି ପ୍ରତିଶ୍ରୁତି ର ସମୟ
ସମ୍ପର୍କ ଟେ ଗଢି ହଜିବା ଭିତରେ
ଆଖି ତଳେ କଳା ଦାଗ ଗାଢ
ଆହୁରି ଗାଢ ଦବିବା ଭିତରେ
ଅଜସ୍ର ଅକୁହା ଅଭିମାନ ଭିତରେ,
କୁହୁରୁଥିବା ହୃଦୟ ସହ କୋହ ମିଶା
ଭଲପାଇବା ର ସମୟ,
କିଛି ନିଶ୍ଚଳ ସମୟ ।
ମୋ ସମାଧିର ପାଖାପାଖି,
ସମାଧାନଟେ ପରି ସାଇତା
ଫୁଲ ତୋଡାଟି ତୋର ଝାଉଁଳିବା ଯାଏ,
ତୋ ମନ ତଳେ ମୁଁ
ଜୀଁ ଯିବାର
ଭରପୁର ଜୀଁ ଯିବାର ସମୟ ।
ଚକ୍ରବାକ ପରି ଘୂର୍ଣ୍ଣୟମାନ ଏ ସମୟ,
ହେଲେ ମୁଁ ମନେ ପଡୁ ପଡୁ ତୋର
ଆଖପାଖର ସବୁକୁ ଅଦୃଶ୍ୟମାନ,
ସ୍ଥିର କରୁଥିବା
ଆଖି ଲୁହ ଢଳାର ସମୟ ।
ଦର୍ପଣରେ ମୋ ପ୍ରତିଛବିରେ
ତୋ ମୁହଁ ଝଲସୁଥିବା ର ସମୟ,
ମୋ ଆଖି ଦେଇ ତୁ ହସୁଥିବାର ସମୟ,
ଶବ୍ଦହୀନ କିଛି ସେମିତି ର ସମୟ
ତୋର ଓ ମୋର ନିଶ୍ଚଳ ସମୟ
ଯେତେବେଳେ ତୁ ତ ଥିବୁ
ହେଲେ ହରେଇସାରିଥିବୁ ମତେ ର ସମୟ ।
ତୋ ଜୀବନ ତମାମ୍ ଅଭିମାନ କୁ ପିଠିରେ ବୋହି
ମୋ ଫେରିଯିବାର ସମୟ,
ଚୁପ୍ ଚାପ୍ ଲେଉଟିବାର ସମୟ ।
ଏବେ ତୁ ଏକା ଭୋଗ
ମତେ ଖୋଜିବାର ସମୟ
ଅଭିମାନରେ ଯେ "ମୁଁ କାହିଁକି ଚାଲିଗଲି ?
ସତରେ କେତେ ଅବୁଝାମଣା ଏ ସମୟ ।
ଏବେ ମୋ ଅଭିମାନ ଆରମ୍ଭ ର ସମୟ ।