ନିଶବ୍ଦ ସାମ୍ରାଗ୍ନି
ନିଶବ୍ଦ ସାମ୍ରାଗ୍ନି
ଟେବୁଲ୍ ଉପରେ ନିମନ୍ତ୍ରଣ କାର୍ଡଟା ରଖା ହେଇଥିଲା । ନାମଧନ୍ୟ ଶିଳ୍ପପତି କେଶବଚନ୍ଦ୍ର ବାଜପେୟୀଙ୍କ ପୁଅ ବ୍ରତଘର ନିମନ୍ତ୍ରଣ...ସାମ୍ନା ଚେୟାର ଉପରେ ଆଖି ବନ୍ଦ କରି ବସିଥିଲେ ବିଶିଷ୍ଟ ଲେଖିକା ମୀରା କୌଶିକ... ।
ସ୍ବପ୍ନ ନୁହଁ..ବାସ୍ତବତାର ଦୀର୍ଘ ତିରିଶ୍ ବର୍ଷ..ହଁ..ଶୈଶବରୁ ଯୌବନକୁ ପାଦ ଥାପିଥିବା ଅନୁଢ଼ା ଅପରିପକ୍ଵ କିଶୋରୀ ମନ..ଆଉ ସେ ମନ ଗହ୍ୱରକୁ ଆନ୍ଦୋଳିତ କରି ପଶି ଆସିଥିବା ସେ ଅପରିଚିତ ଅଥଚ ଅତ୍ୟନ୍ତ ଆପଣା ସେ ନବ ଯୁବକ...ଦୁହେଁ ଆନମନା କରି ଦେଇଥିଲେ ମୀରାଙ୍କୁ.. ।
ସେ ପ୍ରଥମ ଦେଖା..ଯେଉଁ ଦେଖା ପର୍ଯ୍ୟାପ୍ତ ଥିଲା..ଆଖି ରାସ୍ତା ଦେଇ ତାଙ୍କ ହୃଦୟ କନ୍ଦରରେ ପ୍ରବେଶ କରିବା ପାଇଁ । ଅସଂଖ୍ୟ ଇନ୍ଦ୍ରଧନୁର ସମାହାର ନେଇ ଅଗଣିତ ବାଦ୍ୟର ଐକତାନରେ ମୀରାଙ୍କୁ ଦୋହଲାଇ ଦେଇଥିଲା କେଶବଙ୍କ ସେ ଚାହାଣୀ..ତାହା ହିଁ ସେ ଅପୂର୍ବ ମୁହୂର୍ତ୍ତ ଥିଲା ଯାହା ମୀରାଙ୍କୁ ନିଜଠାରୁ ଅଲଗା କରିନେଇ କେଜାଣି କେତେବେଳେ କେଶବଙ୍କ ସହ ଯୋଡ଼ି ଦେଇଥିଲା...!!??
ପ୍ରତି ସ୍ପନ୍ଦନରେ ପ୍ରତି ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବା ନାମଟି କିନ୍ତୁ କେବେ ବି ମୀରା ମୁହଁ ଖୋଲି ନେଇ ପାରି ନ ଥିଲେ । କିନ୍ତୁ ଭଲପାଇବା କଣ କେବେ ସ୍ଵୀକରୋକ୍ତି ଖୋଜେ..!!??ସେ ତା ଭଲ ପାଇ ଚାଲିଥିଲେ । ନିରବଚ୍ଛିନ୍ନ ଭାବେ.. ନିସର୍ତ୍ତ ଭାବେ.. ।
ସ୍ୱଳ୍ପ ସମୟ ପରେ ଆଦ୍ୟ ଯୌବନ ଛୁଇଁଥିଲା ତାଙ୍କୁ କିନ୍ତୁ କେଶବ ସେ ଅଳ୍ପ ସମୟ ପରେ ଅନ୍ୟତ୍ର ଚାଲି ଯାଇଥିଲେ । ମୀରା ମଧ୍ୟ ଜୀବନ ଆହ୍ବାନରେ ଆଗେଇ ଯାଉ ଯାଉ ଆଉ କେବେ କେଶବଙ୍କୁ ପାଇ ନ ଥିଲେ । କିନ୍ତୁ ମୀରା ହୃଦୟରେ କେବଳ କେଶବ ହିଁ ସ୍ଥାନ ପାଇ ସାରିଥିଲେ । ସେ ଦୁଇ ଚାରିଥର ହେଇଥିବା ସାକ୍ଷାତକୁ ସମ୍ବଳ କରି ମୀରାଙ୍କ ହୃଦୟ ନିରନ୍ତର କେଶବ ନାମ ହିଁ ଜପ କରି ଚାଲିଥିଲା... ।
ଶିକ୍ଷା ସମାପ୍ତି ପରେ ମୀରା ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ । ସମୟ ସୁଅରେ ଆଗେଇ ଯାଇ କିନ୍ତୁ କେଶବଙ୍କ ପ୍ରତି ଥିବା ତାଙ୍କ ଶାଶ୍ଵତ ପ୍ରେମ କେବେ କମ ହୋଇ ପାରି ନ ଥିଲା । ତେଣୁ ସୋସିଆଲ ମିଡ଼ିଆ ସହାୟତାରେ ସେ କେଶବଙ୍କୁ ଖୋଜି ବାହାର କରି ପାରିଥିଲେ । ଆଜି ଯାଏଁ ଯେଉଁ କୋଲପ ପକାଇ ସେ ନିଜ ଅବେଗକୁ ବନ୍ଦ କରି ରଖିଥିଲେ..କେମିତି ବା ତାକୁ ଖୋଲି ପାରନ୍ତେ..!!??ନୀରବରେ.. ଏକାନ୍ତରେ..ସେ ନିଜ ସଦା ଜାଗ୍ରତ ଆନ୍ତରିକତାକୁ ଦୁନିଆ ଆଖିରୁ ବିଲୁପ୍ତ କରି ରଖିଥିଲେ..ସେଥିପାଇଁ ନା ଅବଶୋଷ ଥିଲା ନା ଥିଲା କୌଣସି କ୍ଷୋଭ.. । ଦୁନିଆ କହେ ସ୍ଵୀକାର ବିନା ସ୍ନେହ ମୂଲ୍ୟହୀନ କିନ୍ତୁ ପ୍ରକୃତରେ କଣ ସେଇୟା ଠିକ୍..!!?? କେବଳ ସ୍ଵୀକାର କରିଦେଲେ କଣ ଦୁଇଟି ହୃଦୟ ଯୋଡ଼ି ହୁଏ..!!??ଦୁଇ ବିପରୀତ ମେରୁର ଆକର୍ଷଣ ପରି କଣ ଦୁଇ ହୃଦୟ ଏକ ଚୁମ୍ବକୀୟ ଆକର୍ଷଣରେ ଦୂର ଦୁରାନ୍ତରୁ ଆକର୍ଷିତ ହୋଇ ପାରନ୍ତିନି..!!??କଣ ନାମ ନ ମିଳିଲେ ଆକର୍ଷଣ ଅଭାବ ହୋଇଯାଏ..!!??ନା କେବଳ ନାମ ମିଳିଗଲେ ସମ୍ପର୍କ ପରିପକ୍ୱତା ଲାଭ କରିଥାଏ..!!?? ଏ ସବୁ ମନର ଭ୍ରାନ୍ତ ଧାରଣା ମାତ୍ର ।
କିଛି ସମ୍ପର୍କ କେବଳ ଯୋଡ଼ି ହୋଇଥାଏ ବୋଲି ଜୀବନ ସାରା ଯୋଡ଼ି ରଖିବାକୁ ହୁଏ । ଆଉ କିଛି ସମ୍ପର୍କ ଯୋଡ଼ି ନ ହୋଇ ମଧ୍ୟ ନିଜ ସହ ଆଜୀବନ ଯୋଡ଼ି ହୋଇ ରହିଯାଏ । ହୁଏତ ମୀରା ପାଗଳୀ ଆଖ୍ୟା ପାଇଥାନ୍ତେ ଯଦି ଏପରି ଏକ ଦୈବୀ ଚିନ୍ତାଧାରା ମନୁଷ୍ୟ ଆଗରେ ଉପସ୍ଥାପନା କରିଥାନ୍ତେ..ତେଣୁ ସେ କେବେ କାହାରିକୁ କିଛି କହିଲେନି..କିନ୍ତୁ..କେଶବ..!!ପ୍ରତି ସକାଳର ପ୍ରଥମ ଶୁଭେଚ୍ଛା ଓ ପ୍ରତି ରାତ୍ରିର ଶେଷ ଶୁଭକାମନା ସେ ନୀରବରେ ଜଣେଇ ଦିଅନ୍ତି ନିଜ ହୃଦୟେଶ୍ଵରଙ୍କୁ । ଦୁନିଆଠୁ ଲୁଚେଇ ସେ କେଶବଙ୍କ ଏକ ଫଟୋ ରଖିଛନ୍ତି ନିଜ ପାଖରେ..ସବୁ ସୁଖ ସବୁ ଦୁଃଖ ..ସବୁ ମାନ ଅଭିମାନ ସେ କହି ଦିଅନ୍ତି ନିଜ ମନର ମଣିଷକୁ । କେଶବଙ୍କ ପ୍ରତ୍ୟେକ ଖବର ସେ ରଖନ୍ତି, କିନ୍ତୁ ଏ କଥା କେଶବ ମଧ୍ୟ ଜାଣନ୍ତୁ..ତାହା କଳ୍ପନା ବାହାରେ ।
ଅବଶ୍ୟ ବିଧିର ନିର୍ଦ୍ଦେଶରେ କେଶବଙ୍କ ସହ ପରୋକ୍ଷ ବନ୍ଧୁତା ହୋଇଯାଇଛି ମୀରାଙ୍କର.. । ଦୁନିଆ ଅନାମଧେୟକୁ ପଚାରେ ନାହିଁ କିନ୍ତୁ ପ୍ରତ୍ୟେକ ସୁନାମ ନିଜ ସହ ଅନେକ ନାମକୁ ଅନାୟାସରେ ଯୋଡ଼ି ଦିଏ..ଠିକ୍ ସେମିତି କିଛି ନ୍ୟାୟରେ ଏ ଦୁହେଁ ଯୋଡ଼ି ହୋଇଯାଇଛନ୍ତି..ଆବିଲତା ଶୂନ୍ୟ ଅନୁରାଗ ଶୂନ୍ୟ ଏକ ବନ୍ଧନରେ..କେଶବଙ୍କ ପକ୍ଷରୁ । କିନ୍ତୁ ମୀରା..!!??ନିଜ ପରିବାର ଆଉ ସମାଜରେ ଏକ ସୁଦକ୍ଷ ଗୃହିଣୀ ସାବ୍ୟସ୍ତ ହୋଇ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଆଗେଇ ଚାଲିଛନ୍ତି । ତାଙ୍କ ପ୍ରେରଣା ତ ତାଙ୍କ ପାଖରେ ସବୁବେଳେ ଅଛନ୍ତି । ସେ ବା କାହିଁକି କାହାକୁ ଡରିଥାନ୍ତେ..!!??
କେଶବଙ୍କ ଜୀବନରେ ରାଧା ଥାଉ କି ରୁକ୍ମିଣୀ.. ମୀରା ସେଥିନେଇ ନିର୍ବିକାର..କିନ୍ତୁ ଆଜି..!!.ଅନ୍ୟ ସବୁ ବନ୍ଧୁ ପରି କେଶବ ନିଜ ପୁତ୍ର ବ୍ରତଘର ପାଇଁ ନିମନ୍ତ୍ରଣ ନିହାତି ସାଧାରଣ ଢଙ୍ଗରେ ପଠେଇ ଦେଇଛନ୍ତି ଲେଖିକାଙ୍କ ନାମରେ.. । ଆଜିକାଲି କାର୍ଡ ପଠାଇ ସୌଜନ୍ୟମୂଳକ ଫୋନ୍ କରିଦେଲେ ନିମନ୍ତ୍ରଣ କାମ ଖତମ୍ । ଅତି ନିକଟ ବନ୍ଧୁ କିମ୍ବା ପ୍ରିୟଜନ ହେଲେ ଦେଖା କରି ଡକାଯାଇଥାଏ । ସେ ଦୃଷ୍ଟିରୁ ମୀରା ଜାଣନ୍ତି କେଶବ ଦେଖା କରିବେନି ଆଉ ଯଦି ସେ ଚାହାନ୍ତି ତେବେ ମଧ୍ୟ ମୀରା ନିଜକୁ ଦୂରେଇ ଦେବେ.. । ସେ ଜୀବନରେ କେଶବଙ୍କୁ ସାମ୍ନା କରିବେନି । ତାଙ୍କ ହୃଦୟର ସ୍ପନ୍ଦନ ..ମନର ଆବେଗ..ଏତେ ବର୍ଷର ଆତୁରତା ଆଉ ଏକନିଷ୍ଠ ଭଲପାଇବା..ସେ ଲୁଚେଇ ପାରିବେନି କେବେ.. । କିନ୍ତୁ ହଁ..କେଶବଙ୍କ ରାସ୍ତା କେହି ରୋକିବା ସମ୍ଭବ ନୁହେଁ । ସେ ଯଦି ନିଜେ ଆଗେଇ ଆସନ୍ତି..ଦେଖାଯିବ ସେତେବେଳେ.. । କିନ୍ତୁ ମୀରାଙ୍କୁ ନା କିଛି ପ୍ରାପ୍ତିର ଆଶା ଅଛି ନା ଅଛି ମିଳନର ପ୍ରତୀକ୍ଷା..!!??.ନିଜ ସଂସାର ମଧ୍ୟରେ ସେ ଯେପରି କର୍ତ୍ତବ୍ୟ କରି ଚାଲିଛନ୍ତି କେଶବ ମଧ୍ୟ ତାଙ୍କ ସାଂସାରିକ ଧର୍ମ ସୁଚାରୁ ରୂପେ ପାଳନ କରନ୍ତୁ..ଏତିକି ହିଁ ତ କାମନା..ଖାସ୍ ଏଥିପାଇଁ ତ ସେ ..।
ନିଜସ୍ବ ନିଭୃତ ଦୁନିଆର ନିଶବ୍ଦ ସାମ୍ରାଜ୍ଞୀ ଅଳ୍ପ ହସି ନିମନ୍ତ୍ରଣ କାର୍ଡଟି ଚିରିଦେବା ଉଦ୍ଦେଶ୍ୟରେ ତୋଳି ଧରିଲେ...।
ମୀରାଙ୍କ ହୃତତ୍ସ୍ପନ୍ଦନର ତୀବ୍ରତା ଏକ ସମୟରେ ଭୂମିକମ୍ପ ଓ ବୈଦ୍ୟୁତିକ ଚପଳା ଚମକେଇବା ପାଇଁ ପର୍ଯ୍ୟାପ୍ତ ଥିଲା ...!!??