Parameswar Ojha

Drama Inspirational

3  

Parameswar Ojha

Drama Inspirational

ନିରୁତ୍ତର

ନିରୁତ୍ତର

5 mins
140



ଅନେକ ଦିନ ପରେ ଆଜି ମଧୁର ଫୋନ କଲେ ତାଙ୍କ ପତ୍ନୀଙ୍କ ପାଖକୁ ।


  ରିମା ସେପଟରୁ ବ୍ୟଥିତ କଣ୍ଠରେ କହୁଛି -" କଣ ଯେ.. ଯାଇ ରହିଛ ଯେ ରହିଛ ଆସିବାର ନାଁ ବି ଧରୁନ ? ଉଁ ... ? ଜଣା ପଡୁନି କି କିଛି ତମକୁ , ଖାଲି ମାସକୁ ମାସ ପଇସା ପଠେଇ ଦେଇ ରହି ଯାଉଛ ? ପୁଅ ଷଷ୍ଠ ରେ ପଢ଼ୁଥିଲା ତାର ଆସି ନବମ ହେଲାଣି ହେଲେ ତମର ଦେଖା ନାଇଁ । ଆଉ ତମ ବୋଉ ତ ଯାହା ହଉଛନ୍ତି ନ କହିବା ଭଲ । ମୋ ଛାଇ ପଡ଼ିଲେ ତାଙ୍କ ର ଯେମିତି ନାହି ଡେଉଁଛି । ଛୋଟ ମୋଟ କଥାରେ ଦେଖେଇ ଶିଖେଇ ଏମିତି କହୁଛନ୍ତି ଯେ ଭଗାରୀ ବି ହେବନି ଏମିତି । ଆଛା ତମେ କୁହତ ମୁଁ କଣ କରୁନି କି କିଛି ଉଁ.. ? ଘର ଲିପା ପୋଛା ପାଖରୁ ରୋଷେଇ ବାସ ଯାଏଁ ଆଉ କୋଉ ଲୋକ କରୁଛି କି ଆସି ?

ମୋ ଉପରେ ଗଜର ଗଜର ହେବା କଣ ଦରକାର ? 

ଏଠି ଖାଲି ବାହା କାମୁଡି ରହିବା କଥା ଯାହା.. ନହେଲେ ମନ ଯାହା ହଉଚି.. ଛାଡ କଣ ଆଉ କହିବି... ? ହେଲୋ ... । ହେଲୋ... ? ଶୁଭୁଛି ନା ନାଇଁ ତମକୁ ..? କିଛି କହୁନ ଯେ.... ? 


ଢେର୍ ସମୟ ନିରବ ରହିବା ପରେ , ମଧୁର ଗୋଟେ ଦୀର୍ଘ ପ୍ରଶ୍ବାସ ଛାଡ଼ିଲେ ତାପରେ ଆରମ୍ଭ କଲେ -" କଣ ଆଉ କହିବି ? ଏବେ କିଛି ନକହିବା ହୁଏତ ଭଲ ମୋ ପାଇଁ । ନାଁ ତତେ କିଛି କହି ପାରୁଛି ନା ବୋଉକୁ କିଛି କହିପାରୁଛି । ତମ ଦି ଜଣଙ୍କ ଛୋଟ ମୋଟ ଝଗଡ଼ା ଭିତରେ ମଝି ମଣିଷ ଟା କେମିତି ଘାଣ୍ଟି ଚକଟି ହେଉଛି ତମେ ସେଇଟା ମୋଟେ ବୁଝି ପାରୁନ । ଅଯଥା ତମ ପାଖରେ ରହି କାଇଁ ଦହଗଞ୍ଜ ହେଇ କଷ୍ଟ ଭୋଗିବି ? ବରଂ ତମ ଠୁଁ ଦୂରରେ ରହି ଶାନ୍ତି ରେ ରହିବା ଭଲ । 


-" କଣ ଏମିତି ସବୁ କହୁଚ ? " 


କଣ୍ଠ ସ୍ବରରେ ଟିକେ ବି ପରିବର୍ତ୍ତନ ନ ଆଣି ସେମିତି କହୁଥାନ୍ତି ମଧୁର 

-" ମଣିଷ ବଞ୍ଚି ରହିଲେ ସିନା ପରିବାର ପୋଷିବ ପିଲା ଛୁଆ ଭଲ ମନ୍ଦ କଥା ଦେଖିବ । ଯଦି ଚିନ୍ତାରେ ଚିନ୍ତାରେ କେତେବେଳେ କଣ ହେଇଯାଏ ସେଇଠୁ ? 


ରିମା ବିରକ୍ତ ହୋଇ କହିଲା -" କଣ ୟାଡୁ ସ୍ୟାଡୁ ଗପି ଯାଉଛ ? 


-" ହଁ ମୋ କଥା ତତେ ୟାଡୂ ସ୍ୟାଡୁ ହିଁ ଲାଗିବ ଏବେ । ଘରେ ପାଖରେ ଥିଲା ବେଳେ ବୁଝେଇ ବୁଝେଇ ତ ବୁଝି ପାରିଲୁନି ଏବେ ମୋ କଥା ରୁ କଣ ହେଙ୍ଗୁ ବୁଝିବୁ ? " 


-" ତମେ କଣ କହିବାକୁ ଚାହଁ ସଫା ସଫା କୁହ " 


-" ଆଛା ତୋ ସ୍ବାମୀ ଶାନ୍ତି ରେ ରହୁ ବୋଲି କେବେ ଚାହିଁଛୁ ତୁ ? ନାଁ ଏବେ ଚାହୁଁଛୁ ? 


-" ମାନେ ?"


କଣ୍ଠ ସ୍ବର ପୂର୍ବ ଠାରୁ ଆହୁରି ଗମ୍ଭୀର କରି କହିଲେ ମଧୁର -" ନାଁ ଜନ୍ମ କଲା ମାଆ ମୋତେ ବୁଝି ପାରିଲା ନା ସାରା ଜୀବନକୁ ମୋ ହାତ ଧରିଥିବା ପତ୍ନୀ । କେହି ଜଣେ ବି ବୁଝି ପାରିଲେନି ମୋତେ । ବୋଉ ତା ପୁଅ ର ଶାନ୍ତି ଚାହୁଁନି କି ପତ୍ନୀ ତା ସ୍ବାମୀ ର ଖୁସି ଚାହୁଁନି । " 


-" କଣ କହିବାକୁ ଚାହଁ ?"


-" ଘର କରି କଣ ଛୋଟ ମୋଟ କଳି ଝଗଡ଼ା ହୁଏନି ? କାହା ଘରେ ଝଗଡ଼ା ଝାଣ୍ଟି ନାହିଁ କହୁନୁ ? 

ତୁ ବୋହୂଟା ହେଇଚୁ ଯେତେବେଳେ ଶାଶୁ ଶ୍ୱଶୁର କଣ ଯଦି କିଏ କେତେବେଳେ କହିଦେଲେ ଟିକେ ସହିଯିବା କଥା ନା ନାହିଁ ? ସେତକ ନାଇଁ ତୋର ? ଟିକେ ଟିକେ କଥାରେ ତୋ ପାଟି ଖୋଲିବ । ଜବାବ୍ ଦେବାରେ ତୋ ଠାରୁ କେହି ବୁକେଇ ଯିବେନି । ସବୁବେଳେ ମୋ କାନ ପାଖରେ ଲଗେଇ ଥବୁ ବୋଉ ଏଇଟା କଲା ସେଇଟା କଲା ଏମିତି କହିଲା ସେମିତି କହିଲା । ମଣିଷ ଦିନ ସାରା ଖଟି ଖଟି ଆସି ସଂଧ୍ୟାରେ ଟିକେ ଶାନ୍ତିରେ ଶୋଇବ ନାଁ ଏଇ କଥା ଶୁଣି ମୁଣ୍ଡ ଗରମ କରିବ ? ସେତିକି ବୁଝିବା ପାଇଁ ତମର ସାଧାରଣ ଜ୍ଞାନ ନାହିଁ । ଆଛା ମଣିଷ ଦିନ ମାନ ଖଟେ କଣ ପାଇଁ ? ପରିବାର ଭଲରେ ଚଳୁ ସମସ୍ତେ ଖୁସିରେ ରୁହନ୍ତୁ । ଯଦି ଦିନ ମାନର ଖଟଣି ପରେ ସଂଧ୍ୟାକୁ ଫେରିବା ବେଳକୁ ଘରେ ଅଶାନ୍ତି ଥିବ , କେମିତି ଲାଗିବ କୁହ ତ ? ସପ୍ତାହରେ ତମର ତିନି ଦିନ ଭଲ କୁ ଚାରି ଦିନ ମନ୍ଦ ଏମିତିରେ ମନ ଲାଗିବ ଘରେ ?


ଢେର୍ ଦିନ ପରେ ମନ କଥା କହି ଦେଇ ଥିବାରୁ ଆଉ ଅଧିକ କିଛି ନକହି ରିମାକୁ ଭାବିବାକୁ ଛାଡି ଦେଇ ଟିକେ ହାଲକା ହେବାକୁ ମଧୁର ଫୋନ୍ କାଟି ଦେଲେ । 


ପାଖରେ ବସିଥିବା ଘନିଷ୍ଠ ବନ୍ଧୁ ବିରାଜ କହିଲା - " ଆରେ ତୁ ଘରକୁ ଯାଉନୁ ? ସ୍ତ୍ରୀ ପିଲା ଛୁଆଙ୍କୁ ଛାଡି ଏକୁଟିଆ କେମିତି ରହି ପାରୁଛୁ ଏତେ ଦିନ ? ଜାଣେ ସାନ ଭାଇ ଅଛି ଭଲ ମନ୍ଦ ବୁଝିବାକୁ କିନ୍ତୁ ଯା'ହେଲେ ବି .. ତୁ । ଶୁଣେ ଘର କରି ସେମିତି କଳି ଝଗଡ଼ା ହୁଏ ଛୋଟ ମୋଟ ତା ବୋଲି ତୁ ଏମିତି.... ?" 


 ବିରାଜ କଥା କୁ ପୁରା କରିବାକୁ ନ ଦେଇ ମଧୁର କହିଲା -" ତୁ ଜାଣିନୁରେ .. ନିଜ ବାପା ବୋଉ ଯେତେବେଳେ ନିଜ ଛୁଆକୁ ଭୁଲ୍ ବୁଝନ୍ତି ସେତେବେଳେ କେତେ କଷ୍ଟ ହୁଏ ? 


ବୋଉ କଥା ଶୁଣୁନୁ , ପୁଅ ବା'ଘର ପୂର୍ବରୁ ଘରର ସବୁ କାମ ଦାମ ସେ ଏକଲା କରୁଥିବ । ପାଣି ଆଣିବା ପାଖରୁ ରୋଷେଇ ବାସ ଘର ଲିପା ପୋଛା ସବୁ କାମ.. ନାଁ ଅସନ୍ତୋଷ ଥିବ ନା କାହା ପ୍ରତି କିଛି ଅଭିଯୋଗ ।‌ କିନ୍ତୁ ବୋହୂଟିଏ ଘରକୁ ଆସିଲେ ତାର ଅଧେ କାମ ହାଲକା ହୋଇଯିବ ନିହାତି , କିନ୍ତୁ ତାପରେ ବି ଟିକେ କାମରେ ହେଳା କୁ ନେଇ କି ଅସନ୍ତୋଷ ଗେଜେରେ ଗେଜେରେ ହେଉଥିବ ତାଉପରେ । କାଇଁ ସେ ଯଦି କିଛି କିଛି କାମ କରୁନାହିଁ ବା ଭୁଲ୍ ଭଟକା ହେଉଛି ତାକୁ ତୁ ସୁଧାରି ନେଲେ ହଅନ୍ତାନି ? ନା.... । ଖାଲି ମୋ ବୋଉ ନୁହେଁ ବିରାଜ.... , ସଂସାରର ଅର୍ଦ୍ଧେକ ବୋଉ ଏମିତି ... ସେ ଚାହାନ୍ତି ଯେ ତାଙ୍କ ଘରକୁ ଆସିଥିବା ଝିଅଟି ଯେମିତି ସବୁ କାମରେ ନିପୂଣା ପ୍ରବିଣା ଆଉ ଦକ୍ଷ ହେଇଥିବା ନିହାତି ଦରକାର । ଆଉ ଯଦି କୋଉଥିରେ କୋଉଟି ଅବହେଳା ହୋଇଗଲା ..ଗଲା ତା ପଛରେ ଲାଗିଥିବ ବାଦ କଲା ପରି । ଯେମିତି ବୋହୂ ନୁହେଁ ସେ ପଡିଶା ଘର ଭଗାରୀ । ଇଏ ତ ଗଲା ଗୋଟେ କଥା ଆଉ ଗୋଟେ କଥା ହେଉଛି , ଆଗରୁ ଯୋଉ ପୁଅ କିଛି କହେ ନିଷ୍ପତ୍ତି ନିଏ ସେଥିରେ ବାପା ବୋଉଙ୍କର କିଛି ଅଭିଯୋଗ ନଥାଏ । କିନ୍ତୁ ବାହା ହେବା ପରେ ଯଦି ଭଲରେ ମନ୍ଦରେ କଣ କିଛି କହିଦେଲା ତ ବାପା ବୋଉ ଅନ୍ୟ କିଛି ଭାବନ୍ତି । ସିଧା ସିଧା ନକହିଲେ ବି ପରୋକ୍ଷରେ କହି ଦିଅନ୍ତି ବା କାର୍ଯ୍ୟକଳାପରେ ଏମିତି ଦର୍ଶେଇ ଦିଅନ୍ତି ଯେମିତି ମୁଁ ମୋ ବୁଦ୍ଧିରେ ନିଷ୍ପତ୍ତି ନେଉନି କିଛି , ସବୁ ମୋ ସ୍ତ୍ରୀ ବୁଦ୍ଧିରେ ତା କଥାରେ ପରିଚାଳିତ ହେଉଛି । ସିଧା ଭାଷାରେ ବାପା ବୋଉ ମାନେ ଭାବନ୍ତି ପୁଅ ଟା ଭଲ ଥିଲା ଆଗରୁ ଏବେ କିନ୍ତୁ ସ୍ତ୍ରୀ ବୁଦ୍ଧିଆ ହେଇଗଲା । କୋଉ ବାଆରେ ମଣିଷ ମରିବ କହ ? ଏପଟେ ସ୍ତ୍ରୀ କହିବ ବୋଉକୁ କିଛି କହୁନି ମୁଁ ... ସେପଟେ ବାପା ବୋଉକୁ କିଛି ବି କହିଲେ ଭଲରେ ମନ୍ଦରେ ସେ ଭାବିବେ ମାଇପ ବୁଦ୍ଧିଆ ହେଇଗଲା .. । 


ଥରେ ଏଇ ଗେଜେରେ ଗେଜେରେକୁ ନେଇ ମୁଣ୍ଡ ଟେନସନ ହେଲା ଯେ ବୋଉକୁ ଦି କଥା କହିଲି ରିମାକୁ ବି ବହେ ଗାଳି ଦେଲି । ତା ପରଠାରୁ ବୋଉ ଭଲରେ କଥା ହେଲାନି ଆଉ ମୋ ସହ ଏ ବି ଅଖିଆ ଅପିଆ ଶୋଇଲା ଦିଇ ଦିନ । କାନ ମୋଡ଼ି ଗାଲରେ ଚାପୁଡା ଖାଇଲି ନିଜେ ନିଜେ ସେହି ଦିନୁଁ ମନସ୍ଥ କଲି ଶଳା କାହାକୁ କିଛି ବି କହିବାର ନାହିଁ ମୋର ଆଉ । ବାହା ହୋଇ ବଡ଼ ଭୁଲ୍ କରିଦେଇଛି । 


ଭାବିଥିଲି ବାହା ହେଲାପରେ ସ୍ତ୍ରୀଟିଏ ଘରକୁ ଆସିଲେ ଘର ଭଲରେ ଚଳିବ । ଭଲ ଭଲ ଖାଇବା ତିଆରି ହବ ଜାମା ପଟା ସଫା ସୁତୁରା ରହିବ ସବୁବେଳେ ଖୁସର ବାତାବରଣ ରହିବ । ସମସ୍ତେ ମନ ମିଶେଇ ଚଳିବେ ‌ । ବୋଉ କୁ ବି ଟିକେ କାମ ରେ ରିହାତି ହବ ..ସେ ଖୁସି ହେବ । କିନ୍ତୁ ଏବେ ଏସବୁ ଦେଖିଲା ପରେ ଭାବୁଛି ଶଳା ବାହା ହେଇନଥିଲା ମଣିଷ ଖୁବ୍ ଖୁସିରେ ଥିଲା ‌ ।


ବିରାଜ ସେତେବେଳେ ଭାବୁଥିଲା ମଧୁର ମୁହଁକୁ ଚାହିଁ ପରବର୍ତ୍ତୀ ଉତ୍ତର କଣ ଦେବ ତାକୁ । 




Rate this content
Log in

Similar oriya story from Drama