Priyadarshini Mishra

Others

4  

Priyadarshini Mishra

Others

ନିମନ୍ତ୍ରଣ

ନିମନ୍ତ୍ରଣ

2 mins
319



  ସକାଳୁ ସକାଳୁ ପଡୋଶୀ ସାହୁ ବାବୁଙ୍କ ନାତୁଣୀ ର ବର୍ଷପୁରାଣୀ ପାଇଁ ନିମନ୍ତ୍ରଣ ପତ୍ର ଟି ପାଇ ମିଶ୍ର ବାବୁ ନିମନ୍ତ୍ରଣ ପତ୍ରଟିକୁ ପଢିବାକୁ ଲାଗିଲେ।ଦୁଇ ଦିନ ପରର ତାରିଖ ଉଲ୍ଲେଖ ଥିଲା।ସାହୁବାବୁଙ୍କ ଘରକୁ ଯାଇ ତାଙ୍କୁ ଓ ତାଙ୍କ ପରିବାରକୁ ନିକଟରୁ ଜାଣିବା ସହ ଏକ ନୂତନ ସମ୍ପର୍କ ଗଢ଼ିବାର ଖୁସିରେ ବିଭୋର ହୋଇଉଠିଲେ।ମିଶ୍ରବାବୁ ନିଜ ଗାଁ ସ୍କୁଲରେ ଶିକ୍ଷକତା ଆରମ୍ଭ କରି ସେହିଠାରୁ ଅବସର ଗ୍ରହଣ କରିଥିଲେ।ସହର ତଥା ସହରୀ ଜୀବନ ଠାରୁ ସମ୍ପୂର୍ଣ୍ଣ ଦୂରରେ ଗାଁର ଶାନ୍ତ ସରଳ ପରିବେଶରେ ତାଙ୍କ ଜୀବନର ଅର୍ଦ୍ଧାଧିକ ସମୟ କଟିଥିଲା।ଗାଁ ଲୋକଙ୍କ ଅତ୍ମୀୟତା ,ସରଳତା ତଥା ଗ୍ରାମୀଣ ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ସେ ଜଡିତ ଥିଲେ।ଗାଁ ଛାଡି ସହରକୁ ଆସି ରହିବା କଥା ସେ କଳ୍ପନା ମଧ୍ୟ କରିନଥିଲେ।ତେବେ ଶ୍ରୀମତିଙ୍କ ଅସୁସ୍ଥତା ଓ ନାତି ଟୋକାର ସ୍ନେହ ଶ୍ରଦ୍ଧା କୁ ଏଡାଇ ନପାରି ସହର ରେ ଚାକିରୀ କରିଥିବା ପୁଅ ପାଖକୁ ଚାଲି ଆସିଛନ୍ତି।ଏଠି କିନ୍ତୁ ସବୁକଥା ତାଙ୍କୁ ଅଡୁଆ ଲାଗୁଥିଲା।ଗାଁରେ ସମବୟସ୍କଙ୍କ ସହ ଖୁସିଗପ ସାନମାନଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ବୟସ୍କମାନଙ୍କ ପ୍ରତି ତାଙ୍କର ସମ୍ମାନଭାଵ ତାଙ୍କର ଖୁବ ମନେ ପଡୁଥିଲା।ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ ବ୍ୟତୀତ ସବୁ ସମୟରେ ଘର ଭିତରେ ଗୃହବନ୍ଦୀ ଭଳି ଜୀବନ ତାଙ୍କୁ ବହୁତ କଷ୍ଟ ଦେଉଥିଲା।ତେବେ ମନକୁ ମାରି ପରିସ୍ଥିତି ସହ ଖାପ ଖୁଆଇ ଚଳିବା ପାଇଁ ସେ ଶତ ଚେଷ୍ଟିତ ଥିଲେ।

    ତେଣୁ ନିମନ୍ତ୍ରଣ ପତ୍ରଟି ଦେଖି ସେ ବହୁତ ଖୁସି ହୋଇଥିଲେ।ସାହୁବାବୁ ତାଙ୍କ ସମବୟସ୍କ ଥିଲେ।ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ସହ ନିକଟବର୍ତ୍ତୀ ହେବା ଦ୍ୱାରା ମିଶ୍ରବାବୁଙ୍କୁ ବନ୍ଧୁ ଜଣେ ମିଳିଯିବେ ଖୁସିଗପ ହେବା ପାଇଁ,ଏହି କଥା ଭାବି ଭାବି ମିଶ୍ରବାବୁ ଖୁସିରେ କୁରୁଳି ଉଠୁଥିଲେ।

      ନିମନ୍ତ୍ରଣ ପତ୍ରରେ ସମୟ ସନ୍ଧ୍ୟା ସାତ ଘଟିକା ଉଲ୍ଲେଖ ଥିଲା।ଠିକ ସନ୍ଧ୍ୟା ସାତ ଘଟିକା ସମୟରେ ମିଶ୍ରବାବୁ ସାହୁବାବୁଙ୍କ ଘରେ ଉପସ୍ଥିତ ହୋଇଗଲେ।କିନ୍ତୁ ତାଙ୍କ ଘର ଖାଁ ଖାଁ ଲାଗୁଥିଲା।ସାହୁବାବୁ ତାଙ୍କୁ ବସିବା ପାଇଁ କହି ନିଜ କାମରେ ବ୍ୟସ୍ତ ରହିଲେ। ଧୀରେ ଧୀରେ ବନ୍ଧୁ ବାନ୍ଧବଙ୍କ ସଂଖ୍ୟା ବଢିବାକୁ ଲାଗିଲା।ମିଶ୍ରବାବୁ କିନ୍ତୁ ନିଜ ବସିବା ସ୍ଥାନ ରେ ହିଁ ବସିଥିଲେ।କାରଣ ସମସ୍ତେ ତାଙ୍କ ପାଇଁ ଅପରିଚିତ ଥିଲେ।ଏମିତି ଦୁଇ ଘଣ୍ଟା ବିତିଗଲା।ରାତି ନଅ ଘଟିକା ସମୟରେ କେକ୍ କାଟିବା ପରେ ସମସ୍ତେ ଭୋଜି ଖାଇବା ପାଇଁ ଚାଲିଲେ।ଗାଁରେ ଭୋଜି ଖାଇବା ପାଇଁ ଗଲେ ଗୃହସ୍ୱାମୀ ବଳେଇ ବଳେଇ ଖୁଆଇଦିଅନ୍ତି ।ଏଠି କିନ୍ତୁ ସେସବୁ କିଛି ନଥିଲା।ସମସ୍ତେ ନିଜେ ନିଜେ ବଫେ ସିଷ୍ଟମରେ ଖାଇ ଖାଇ ଫେରି ଯାଉଥିଲେ।ମିଶ୍ରବାବୁ ମଧ୍ୟ ଥାଳିଟିଏ ଧରି ଖାଇ ଘରକୁ ଫେରିଆସିଲେ।

     ସେଦିନ ରାତିରେ ଶୋଇ ଶୋଇ ମିଶ୍ରବାବୁ ଭାବୁଥିଲେ କଣ କଣ ଭାବି ସେ ସାହୁବାବୁଙ୍କ ଘରକୁ ଯାଇଥିଲେ କିନ୍ତୁ ଫେରିଲା ବେଳେ ସେଠାରୁ କଣ ଅନୁଭୂତି ନେଇ ଫେରିଲେ ସେସବୁ କଥା ସେ କାହା ଆଗରେ ପ୍ରକାଶ କରିପାରିବେ କି ।


Rate this content
Log in