Parameswar Ojha

Tragedy Inspirational

4  

Parameswar Ojha

Tragedy Inspirational

ନୀରବ ଯନ୍ତ୍ରଣା

ନୀରବ ଯନ୍ତ୍ରଣା

8 mins
387



    ସ୍ବୟଂଗୀତା କେବେ ତ କାହା ସହ ଛଳନା ପ୍ରତାରଣା କିଛି ବି କରିନି କି କାହା ଦୁର୍ବଳତା ର ଫାଇଦା ଉଠେଇନି । ତେବେ କ'ଣ ପାଇଁ ଏମିତି ତା ସହ ହେଉଛି । ଭାବିଥିଲା ତା ସ୍ବାମୀ କୁ ପ୍ରେମ ଫାସ ରେ ବାନ୍ଧି ରଖିବ , ନୂଆ ଦୁନିଆଁ କୁ ସ୍ବାମୀ ସହ ଢେର୍ ଉପଭୋଗ କରିବ । ବାହା ହେବା ପାଇଁ ଅନେକ ଝିଅ ମନ ଖରାପ କରନ୍ତି । ହେଲେ ସେ ତ କେବେ ସେମିତି ଭାବି ନଥିଲା ବରଂ ସହଜ ଭାବରେ ଗ୍ରହଣ କରିଥିଲା କଥାଟାକୁ । ଏଠି ଯେମିତି ତାର ଯତ୍ନ ନେବାକୁ ଅଛନ୍ତି ସେଠି ବି ସେମିତି ଥିବେ ଫରକ୍ ଏତିକି ତାଙ୍କ ନୂଆ ପରିବେଶ ରେ ଖାପ ଖୁଆଇ ଚଳିବା ପାଇଁ କିଛି ଦିନ ସମୟ ଲାଗିବ ବାସ୍ ।

ବାପା ବୋଉ ପରି ଶାଶୁ ଶ୍ୱଶୁର ପାଇଛି, ସାଙ୍ଗ ପରି ଦିଅର ଆଉ ସାନ ଭଉଣୀ ପରି ସୁନା ନାକି ନଣନ୍ଦ ପାଇଛି ସବୁ ଥିରେ ସେ ଖୁସି । ତା ନିଜଠୁ ସେମାନେ ଅଧିକ ଯତ୍ନ ନିଅନ୍ତି ସ୍ନେହ ଶ୍ରଦ୍ଧା କରନ୍ତି ୟାକୁ । ଈଶ୍ୱର ଙ୍କୁ ମନେ ମନେ ଧନ୍ୟବାଦ ଦିଏ ଏମିତି ପରିବାର ଟେ ତାକୁ ଉପହାର ଦେଇଥିବାରୁ । ସ୍ବାମୀ ବି ବହୁତ ଭଲ , ପ୍ରେମ ଭଲପାଇବା ଆଦର ସବୁଥିରେ ବାନ୍ଧି ରଖନ୍ତି ତାକୁ । ଉଭୟେ ଉଭୟଙ୍କ ପ୍ରତି ସମର୍ପିତ ଥାଆନ୍ତି ସବୁବେଳେ । କେବେ ବି ଲାଗିନି ସେମିତି ସ୍ବୟଂଗୀତା କୁ ପାଇ ସେ ଅସୁଖି ଥିବାର କି ମନ ଦୁଃଖ କରିବାର ବରଂ କଥାବାର୍ତ୍ତା କାର୍ଯ୍ୟକଳାପ ରୁ ଲାଗେ ଯେମିତି ତାଙ୍କ ଜୀବନ ଧନ୍ଯ ହୋଇ ଯାଇଛି ଏମିତି ସୁନ୍ଦରୀ ଆଉ ଗୁଣବତୀ ପତ୍ନୀ ଟେ ପାଇ । ସ୍ବୟଂଗୀତା ବି ସବୁକିଛି ପାଇ ଯାଇଛି ଭାବି ବେଶ୍ ଖୁସି ଖୁସି ରୁହେ ପ୍ରତ୍ୟେକ ମୁହୂର୍ତ୍ତ ।

 ହେଲେ ବିବାହ ର ଆଠ ମାସ ପରେ ସ୍ବୟଂଗୀତା ଜାଣି ପାରିଲା ସ୍ବାମୀ ଙ୍କ ଅସଲ ରୂପ , ସ୍ବାମୀ ତାଙ୍କର ପରକୀୟା ପ୍ରେମ ରେ ମାତିଛନ୍ତି । ସେ ପୁଣି ଅଫିସ୍ ର ସହକର୍ମୀ ଙ୍କ ସ୍ତ୍ରୀ ସାଥିରେ । ଜୀବନରେ ଏମିତି ବି ସମୟ ଆସେ ଯେତେବେଳେ ଅନ୍ତରର କଥା କହି ହୁଏନି କି ସହି ବି ହୁଏନି ସ୍ବୟଂଗୀତା ର ପରିସ୍ଥିତି ବର୍ତ୍ତମାନ ସେମିତି । ଭିତରେ ଭିତରେ ଅଶାନ୍ତି ର ଝଡ କାହିଁ କେତେ ଦିନୁ ବହି ଚାଲିଛି । ସେ ଝଡ଼ ପ୍ରଳୟ ର ରୂପ ନେବା ଆଗରୁ ତାକୁ ମୁହଁ ଖୋଲି କହିବାକୁ ପଡ଼ିବ ତାର କିଛି ଗୋଟେ ରାସ୍ତା ବାହାର କରିବାକୁ ପଡ଼ିବ ନହେଲେ ବଡ଼ ଅସୁବିଧା ହୋଇଯିବ ପରେ ।

ଦିନେ ନିରୋଳା ରେ ମୁହଁ ଖୋଲି ସ୍ବାମୀ କୁ କହିଲା ସ୍ବୟଂଗୀତା ,

-" ସେ ପର ସ୍ତ୍ରୀ ଲୋକ ସହ କଣ ପାଇଁ ସଂପର୍କ ଯୋଡିଛ ? କାଇଁ ତା ପାଖକୁ ସବୁବେଳେ ଯାଉଛ ? ଦେଖ ମୋ ସହ ଏମିତି ବିଶ୍ବାସଘାତ କରନି । ନିଜ ସ୍ତ୍ରୀ ଥାଇ ପର ସ୍ତ୍ରୀ କୁ ମନ ଦେବା ଭଲ ଅଭ୍ୟାସ ବିଲକୁଲ ନୁହେଁ । ଏବେ ବି ସମୟ ଅଛି ସୁଧୁରି ଯାଅ । ମୋତେ ଆଉ ଅଧିକ କଷ୍ଟ ଯନ୍ତ୍ରଣା ଦିଅନି ପ୍ଲିଜ୍ ତମକୁ ହାତ ଯୋଡୁଛି । "

--" ନାଇଁ ସେମିତି କିଛି ନାହିଁ । ତମେ କାହା ଠୁଁ କଣ ଶୁଣି ଏମିତି ମୋତେ ଅଯଥା ରେ ସନ୍ଦେହ କାଇଁ କରୁଛ ? "

-" ଦେଖ କିଛି ବାହାନା କରନି , ମୁଁ କଥାଟା ଜାଣି ସାରିଲିଣି ଯେତେବେଳେ ଆଉ ଲୁଚେଇ କିଛି ଲାଭ ନାହିଁ । ଶୁଣ ତମେ ସେସବୁ କୁ ରାତିର ସ୍ବପ୍ନ ଟେ ଭାବି ଭୁଲି ଯାଅ , ଆଉ ସେ ପର ସ୍ତ୍ରୀ ଚକ୍କର୍ ରେ ପଡନି । ମୁଁ ତମକୁ କ୍ଷମା କରିଦେବି । ଦେଖ ଘରେ ଆଗକୁ କୈାଣସି ଅଶାନ୍ତି ନ କରେଇବା କୁ ତମକୁ ମୋର ଅନୁରୋଧ   "

ତାପରେ ସ୍ବାମୀ ଙ୍କ କଡ଼ା ଜବାବ୍ , " ତମେ ଯେତିକି ରେ ରହିବା କଥା ସେତିକି ରେ ରୁହ , ମୋ ବ୍ୟକ୍ତିଗତ ଜୀବନ ରେ ହସ୍ତକ୍ଷେପ କରନି କହୁଛି । ତମକୁ ମୁଁ କୋଉଥିରେ ଅଭାବ ରେ ରଖିଛି ? ଖାଇବା ପିଇବା ଶାଢ଼ୀ ଗହଣା ନାଁ ଭଲପାଇବା ରେ ? କାହାଠୁ କଣ ଶୁଣି ମୋତେ ଅଯଥା ରେ ସନ୍ଦେହ କରିବା ଟା ଛାଡି ଦିଅ କହୁଛି ନହେଲେ କଥାଟା ଭଲ ହେବନି ଜମା । ଏ ବିଷୟରେ ଅଧିକ ଆଲୋଚନା ନକରିବା ଆମ ଉଭୟ ଙ୍କ ପାଇଁ ଭଲ ହେବ । "‌

ଏତିକି କହି ସ୍ବାମୀ ବାହାରି ଗଲେ ପଦାକୁ । ସ୍ବୟଂଗୀତା ଆଖି ରୁ ଲୁହ ଝରେଇ ଲଥ୍ କରି ବସି ପଡିଲା ଖଟ ଉପରେ । ତାକୁ ଏତେ ଆଦର ଯତ୍ନ କରୁଥିବା ସ୍ବାମୀ ନିଜକୁ ସ୍ବୀକାର କରୁ ନାହାନ୍ତି ତା ଆଗରେ । ମନ ଭିତରେ ଅଶାନ୍ତି ର କୁହୁଳା ନିଆଁ ରେ ଧିରେଧିରେ ତରଳି ବାକୁ ଲାଗିଲା ଜମାଟ ବାନ୍ଧିଥିବା ସବୁ ବିଶ୍ବାସ ଆଉ ଭରଷା ର ବରଫ ଖଣ୍ଡ ।

ଆଜି ବିବାହ ର ପାଞ୍ଚ ବର୍ଷ ପରେ ହଠାତ୍  ଅଖିଳେଶ କଥା ମନେ ପଡିଲା ତା'ର ।

ନିଜର କ୍ଲାସ୍ ସରି ଯାଇଥିଲେ ବି ସବୁବେଳେ କଲେଜ ଗେଟ୍  ପାଖରେ ଅପେକ୍ଷା କରିଥାଏ ସ୍ବୟଂଗୀତା କୁ । ଲାଇବ୍ରେରୀ ରେ ଗୋଟେ ବହି ଧରି ବସିଥାଏ ସତ କିନ୍ତୁ ପଢିବା ବାହାନା ରେ ସ୍ବୟଂଗୀତା କୁ ଚାହିଁ ଥାଏ ଅପଲକ ଆଖି ରେ ମୁଗ୍ଧ ଦୃଷ୍ଟି ରେ । କେବେ ବଙ୍ଗଳା ପଢି ପାରେନି ଅଖିଳେଶ , କେବେ ପଢିବାକୁ ଚାହିଁନି କି ଦରକାର ପଡିନି ତାର ତଥାପି ବଙ୍ଗଳା ଭାଷା ର ବହିଟେ ଧରି ବସିଥାଏ ପଢିବାର ବାହାନା କରୁଥାଏ ତ ଆଉ କେତେବେଳେ ବହି ଓଲଟା ଧରିଥାଏ । ସେ ଦୃଶ୍ୟ ଦେଖି  ସ୍ବୟଂଗୀତା କୁ ହସ ଲାଗେ କିନ୍ତୁ ସେ ଯଥା ସମ୍ଭବ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ । ଅଖିଳେଶ ବି ସେମିତି କହି ପାରେନି କେବେ କିଛି । ହୁଏତ ଭୟରେ କିମ୍ବା ସଙ୍କୋଚ ରେ ନହେଲେ ଲଜ୍ଜା ରେ । ସ୍ବୟଂଗୀତା ଜାଣେ ଅଖିଳେଶ ତାର ପିଛା କରୁଛି ତାକୁ ଚାହୁଁଛି କିନ୍ତୁ ସେ କେବେ ତା ତରଫରୁ କିଛି ସଂକେତ ଦେଇନି କି ଅଖିଳେଶ ପ୍ରତି ଆକର୍ଷିତ ହୁଏନି । କିନ୍ତୁ ତା ଭାବନାରେ ଅନ୍ୟ ପୁଅ ମାନଙ୍କ ପରି ଅଖିଳେଶ ବି ଜଣେ । ଯେମିତି ବାଟ ଘାଟରେ ଚାହିଁ ରହି ଥାଆନ୍ତି ଯାଗା ଅଯାଗା କୁ । ଅଭଦ୍ର ଛତରା ଙ୍କ ପରି ସୁଯୋଗ ଖୋଜନ୍ତି ଦେହ ସହ ଦେହ ବଜେଇ ବାକୁ । କିନ୍ତୁ ଅଖିଳେଶ ଠାରେ ଏ ପର୍ଯ୍ୟନ୍ତ ସେମିତି କିଛି ଲକ୍ଷଣ ଦେଖିନି ସେ । ତଥାପି ଭରଷି ପାରେନି ପୁରୁଷ ଜାତିକୁ ଏତେ ସହଜରେ ସବୁବେଳେ ସୁଯୋଗ ଖୋଜୁଥାନ୍ତି । କିନ୍ତୁ ଗୋଟେ ଘଟଣା ସ୍ବୟଂଗୀତା କୁ ବାଧ୍ୟ କରିଦେଲା ଅଖିଳେଶ ପ୍ରତି ଆକର୍ଷିତ ହେବାକୁ ।

ସେଦିନ ଶିଲାଜୀ ପାର୍କ କୁ ଆସିଥିଲା ଅଖିଳେଶ ତାକୁ ପିଛା କରି କି କେବଳ ଏକା ବୁଲିବାକୁ ସେକଥା ସ୍ବୟଂଗୀତା ଜାଣେନା , କିନ୍ତୁ ଲୁଚି କି ଦେଖୁଥିଲା ତାକୁ । କିନ୍ତୁ ଗୋଟେ ଝିଅ ପଛରେ ପଡିଥିଲା ସେ । କଣ ତାକୁ ପଚାରୁଥିଲା , କିନ୍ତୁ ସେ ସଂକୁଚିତ ହୋଇକି ଜାକିଜୁକି ହୋଇ କିଛି କହିପାରୁ ନଥିଲା । ଯେମିତି ସେ ଭୟ ପାଇଛି ଅବା କିଛି ଅପ୍ରିତିକର ଘଟଣା କେମିତି ପ୍ରକାଶ କରିବ ତା'ର କୈାଣସି ମାଧ୍ୟମ ପାଉନି । ସେ ଝିଅଟି କିଛି କହିଲା ଆଖିଳେଶ କୁ ଅଖିଳେଶ ଏଥର ବିବ୍ରତ ହୋଇ ବାଁ' ଡାଁ' କୁ ଅନେଇଲା । କେଇ ମୁହୂର୍ତ୍ତ ପରେ ସ୍ବୟଂଗୀତା କୁ ସେ ଦେଖି ନେଲା । ହଠାତ୍ ତା ଆଡକୁ ଚାଲିଆସି ସ୍ବୟଂଗୀତା ର ହାତ ଧରି କହିଲା -" ପ୍ଲିଜ୍ ଆସ ମୋ ସହିତ " ।

ସ୍ବୟଂଗୀତା ଚମକି ପଡିଲା ଏତେ ସାହସ ଏ ପିଲାଟାର ! ଏମିତି ତ କେବେ ବି କରିବା ପାଇଁ ସେ ଦୁଃସାହସ କରିନି ହେଲେ ଆଜି ହଠାତ୍ କ'ଣ ପାଇଁ ? ତେବେ ଘଟଣା କଣ ଜାଣିବା ପାଇଁ ତା ସାଙ୍ଗରେ ଗଲା ସ୍ବୟଂଗୀତା । ସେ ଅପରିଚିତା ଝିଅଟି ପାଖକୁ ନେଇ କହିଲା ତାର କଣ ଅସୁବିଧା ବୁଝିବା ପାଇଁ ।

ସ୍ବୟଂଗୀତା ଚିଡି ଯାଇ ଅଖିଳେଶ କୁ ଗୋଟେ ପାଖକୁ ଡାକି ନେଇ କହିଲା -" ଚିହ୍ନା ନାଇଁ ପରିଚୟ ନାହିଁ ଏମିତି ଅଜଣା କୋଉ ଝିଅ ପାଇଁ ତମେ କାଇଁ ଏତେ ବ୍ୟସ୍ତ ବିବ୍ରତ ହେଉଛ ମୁଁ ତ କିଛି ଜାଣି ପାରୁନି ?"

ଅଖିଳେଶ କହିଲା -" ତମେ ଜଣେ ଶିକ୍ଷିତା ପିଲା ହୋଇ ଏମିତି କଥା କେମିତି କହି ପାରୁଛ ? କେବଳ କଣ ଚିହ୍ନା ପରିଚୟ ଥିଲେ ସାହାଯ୍ୟ କରାଯାଏ ? ନହେଲେ କରା ଯାଏନି ? ଏମିତି ପରିସ୍ଥିତି ରେ ଯଦି ତମେ ଏକଲା ଥା'ନ୍ତ ଅଥବା ମୋ ଭଉଣୀ ଥାନ୍ତା ନହେଲେ ଆଉ କେହି ତମର ନିକଟ ସଂକର୍କୀୟ ଥାନ୍ତେ ତେବେ ? ତେବେ କ'ଣ ତୁମେ ଏମିତି କଥା କହିଥାନ୍ତ ? ଆମର ନହେଲେ ନାହିଁ କାହାର ତ ଗୋଟେ ଭଉଣୀ ହୋଇଥିବ ନାଁ ? ଥରେ ଅସୁବିଧା ପଚାରି ଦେଲେ କ'ଣ କିଛି ବିଶେଷ କ୍ଷତି ହୋଇ ଯିବ କି ?

ସ୍ବୟଂଗୀତା ପାଖରେ ଏବେ ଆଉ କିଛି ଉତ୍ତର ନଥିଲା ସେ ଝିଅଟି ପାଖକୁ ଯାଇ ପଚାରିଲା ତାର ଅସୁବିଧା । ଝିଅଟିର ଉତ୍ତର ଶୁଣିବା ପରେ ନିଜ ଉପରେ ଘୃଣା ଆସିଲା ତାର କିଛି ସମୟ ପୂର୍ବରୁ ଅଖିଳେଶ ସାଙ୍ଗରେ କରୁଥିବା ଯୁକ୍ତି ପାଇଁ । ଝିଅଟି ର ଋତୁସ୍ରାବ ହେଇଛି ଏବଂ ବହୁତ କଷ୍ଟ ପାଉଛି ସେ , ରକ୍ତ ପାଣି ରେ ପ୍ୟାଣ୍ଟ୍ ଭିଜି ଗଲାଣି । ସାଙ୍ଗରେ କେହି ଆସି ନାହାନ୍ତି ତା ସହ ସେଠାରୁ ଯାଗାରୁ ସେ ଲଜ୍ଜା ସଂକୋଚ ରେ ଉଠି ପାରୁନି ।

ସ୍ବୟଂଗୀତା କିଛି କହିବା ଆଗରୁ ଅଖିଳେଶ ଏଥର ସବୁ ବୁଝି ସାରିଥିଲା । କହିଲା , " ତୁମେ ଏଇଠି ଥାଅ ଝିଅଟି ପାଖରେ ମୁଁ ଏଇ ସାଙ୍ଗେ ସାଙ୍ଗେ ପ୍ୟାଡ୍ ନେଇକି ଆସୁଛି "

କିଛି ସମୟ ପରେ ଅଖିଳେଶ ପ୍ୟାଡ୍ ପ୍ୟାକେଟ ନେଇକି ଆସି ନିଜ ସାର୍ଟ ଖୋଲି ସ୍ବୟଂଗୀତା ହାତ କୁ ବଢେଇ ଦେଇ କହିଲା -" ଝିଅଟି ପଛରେ ଏଇ ସାର୍ଟ ବାନ୍ଧି ଦେଇ ନେଇ ଯାଅ ଟଏଲେଟ୍  । "

ଟଏଲେଟ୍ ରୁ ବାହାରି ଆସିବା ପରେ ସେଇ ଅଜଣା ଝିଅଟି ମୁହଁ ଆଗ ଠାରୁ ଢେର୍ ପ୍ରଶନ୍ନ ଦିଶୁଥିଲା ।

ସେଦିନ ଠାରୁ ଅଖିଳେଶ ପ୍ରତି ଥିବା ନଜର ସଂପୂର୍ଣ୍ଣ ଭାବେ ବଦଳିଗଲା ସ୍ବୟଂଗୀତା ର । କିନ୍ତୁ ସ୍ଵୟଂଗୀତା ଲକ୍ଷ୍ୟ କଲା ଆଉ ଆଗ ଭଳି ଅଖିଳେଶ ତାକୁ ଗୋଟେ ଆନ୍ତରିକତା ନଜର ରେ ଚାହୁଁନି  । ତାକୁ କଲେଜ ଗେଟ୍ ପାଖରେ ଅପେକ୍ଷା କରୁନି କି ଲାଇବ୍ରେରୀ ରେ ତା ପାଇଁ ବହି ପଢିବାର ବାହାନା କରୁନି । ସ୍ବୟଂଗୀତା ନିଜର ଭୁଲ୍ ବୁଝି ପାରି ସେଦିନ ର ଯୁକ୍ତି ପାଇଁ ଅନୁତପ୍ତ ହୋଇ ଅଖିଳେଶ କୁ ନିରୋଳା ଯାଗାରେ ଭୁଲ୍ ମାଗିଲା । ଅଖିଳେଶ ଏଇ ମୁହୁର୍ତ୍ତ ପାଇଁ ହିଁ ଅପେକ୍ଷା କରିଥିଲା । ଭାବିଥିଲା ସ୍ବୟଂଗୀତା ନିଶ୍ଚୟ ଗୋଟେ ଉଦ୍ଧତ ଝିଅ ହୋଇଥିବ ତା ଭୁଲ୍ କେବେ ସେ ସ୍ବୀକାର କରିବନି । 

ଧିରେ ଧିରେ ଉଭୟେ ଉଭୟଙ୍କ ପ୍ରତି ଆକର୍ଷିତ ହେଲେ । ପ୍ରେମ ଭଲପାଇବା ବଢିଲା । ସାରା ଜୀବନ ସାଥି ହୋଇ ରହିବେ ବୋଲି ଉଭୟେ ଉଭୟଙ୍କୁ ଭରଷା ବି ଦେଲେ । ଅଖିଳେଶ ତାଙ୍କ ଘରେ ଏ ବିଷୟରେ କହି ସାରିଥିଲା ସବୁ କିନ୍ତୁ ସ୍ବୟଂଗୀତା ତାଙ୍କ ଘରେ ପ୍ରକାଶ କଲା ବେଳକୁ ତାଙ୍କ ଘର ଲୋକ ଏ ସଂପର୍କ କୁ ମାନ୍ୟତା ଦେବାକୁ ମନା କଲେ । ସ୍ବୟଂଗୀତା କିନ୍ତୁ ତା ଜିଦ୍ ରେ ଅଟଳ ଥିଲା । ପରିସ୍ଥିତି ଏମିତି ଆସିଲା ସ୍ବୟଂଗୀତା ର ବାପା ଶେଷକୁ ବିଶ ଖାଇ ଦେଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ । ସ୍ବୟଂଗୀତା ପାଖରେ ଆଉ କିଛି ବାଟ ନଥିଲା । ବାପା ଙ୍କ ଜୀବନ ଆଗରେ ପ୍ରେମ ଫିକା ଦିଶିଲା ଆଖିକୁ ।

ଅଖିଳେଶ ସହ ନିରୋଳା ରେ ବଶି ତାକୁ ବୁଝାଇଲା ସବୁ କଥା

ଖୋଲିକି କହିଲା ‌ । ଅଖିଳେଶ କିନ୍ତୁ କୈାଣସି ପରିସ୍ଥିତି ରେ ବି ସ୍ବୟଂଗୀତା କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ତେଣୁ ସେ ଗୋଟେ ପରାମର୍ଶ ଦେଲା -- " ଚାଲ ଆମେ ଘର ଛାଡ଼ି ପଳେଇବା ।

ସ୍ବୟଂଗୀତା ମନା କରିଦେଲା -" ମୁଁ ପାରିବିନି ଏମିତି କରି , ଏଭଳି ପରିସ୍ଥିତି ରେ ତୁମେ କେମିତି କହି ପାରୁଛ ଏପରି କଥା ? ମୁଁ ପାରିବିନି . .... ମୋ ଦ୍ବାରା ଏମିତି ହୋଇ ପାରିବନି । ମୋତେ ତମେ ଭୁଲି ଯାଅ ପଛେ ସବୁ ଦିନ ପାଇଁ । "

-" ପ୍ଲିଜ୍ ଏମିତି କୁହନି ବହୁତ କଷ୍ଟ ହେଉଛି "

-" ମୋତେ କଣ କଷ୍ଟ ହେଉନି ? କିନ୍ତୁ ଆଉ କିଛି ରାସ୍ତା ନାହିଁ "

-" କହିଲିତ ଆମେ ପଳେଇବା ଘର ଛାଡ଼ି । କିଛି ମାସ ପରେ ପୁଣି ଫେରି ଆସିବା ଦେଖିବ ସବୁ ଠିକ୍ ହୋଇ ଯାଇଥିବ ସେତେବେଳକୁ । ମୋ କଥାରେ ରାଜି ହୋଇ ଯାଅ ପ୍ଲିଜ୍ ..." ପ୍ଲିଜ୍ ରାଜି ହୋଇ ଯାଅ ....  "

-" ନାଇଁ ମୁଁ ପାରିବିନି "

-" ଶୁଣ ତ ଆଗ ... ଆଉ ଗୋଟେ ଚିଠି ବାପା ବୋଉ ଙ୍କ ପାଇଁ ତମେ ଛାଡି ଯିବ .."

-" କି ଚିଠି ?"

-" ସେ ଚିଠି ରେ ତୁମେ ଏମିତି କିଛି ଲେଖିଥିବ , ମୁଁ ଅଖିଳେଶ କୁ ବାହା ନହୋଇ ଶାନ୍ତି ରେ କେବେ ବି ରହି ପାରି ନଥାନ୍ତି । ତେଣୁ ମୁଁ ସ୍ଥିର କରିଥିଲି ଆତ୍ମହତ୍ୟା କରିବା ପାଇଁ । ଶେଷରେ ଭାବିଲି ତୁମେ ଦୁହେଁ ସାରା ଜୀବନ କଷ୍ଟ ପାଇବ ଏ ଭୁଲ୍ ପାଇଁ । ତେଣୁ ମୁଁ ଅଖିଳେଶ ସହ ଘର ଛାଡ଼ି ଯାଉଛି .। ମୁଁ ଚାହେଁନା ବିବାହ ପରେ  କିଛିବି ଭୁଲ୍ କରି ତମ ନାଁ ଅଥବା ଶାଶୁ ଘର ନାଁ ତଳେ ପଡୁ ବୋଲି .. ତେଣୁ ମୋତେ କ୍ଷମା କରିଦେବ ... ।

ବୁଝିଲ  .. ଏମିତି ଲେଖି ସେ ଚିଠି ବାପା ବୋଉ ଙ୍କ ପାଇଁ ତୁମେ ଛାଡି ଯିବ। "

ସ୍ବୟଂଗୀତା ଏତିକି ଶୁଣି କିଛି ସମୟ ଚୁପ୍ ରହିଲା । ତାପରେ କହିଲା , " ହଉ ଠିକ୍ ଅଛି .. ମୁଁ ଚେଷ୍ଟା କରିବି ଏମିତି କରିବା ପାଇଁ .. ।

ତାପରେ ଦିନ ସମୟ ସ୍ଥିର ହେଲା । ସ୍ବୟଂଗୀତା ଆସି ପହଞ୍ଚିବପ କଥା ଦେଲା , ଅଖିଳେଶ ବି ପ୍ରସ୍ତୁତ ହୋଇ ରହିଲା ।

କିନ୍ତୁ କଣ ହେଲା କେଜାଣି ସ୍ବୟଂଗୀତା ଆଉ ଆସିଲାନି‌ ସେଦିନ ଅଖିଳେଶ ମନ ଭାଙ୍ଗିଗଲା ସେ ଭାବିନେଲା ସ୍ବୟଂଗୀତା ତା ନିଜ କଥାରୁ ଓହରି ଯାଇ ତାକୁ ଠକି ଦେଇଛି ।

କିନ୍ତୁ ଅଖିଳେଶ ପଛରେ କ'ଣ ଘଟିଛି ସେ କେବେବି ଜାଣି ପାରି ନଥିଲା । ସେଦିନ ସ୍ବୟଂଗୀତା ଘରୁ ବାହାରି ଆସିବା ପାଇଁ ସବୁ ପ୍ରସ୍ତୁତି ସାରି ଦେଇଥିଲା । ଚିଠି ବି ଲେଖି ସାରି ବାପାଙ୍କ ବିଛଣା ତଳେ ରଖି ଦେଇଥିଲା । କେବଳ ଗୋଡ଼ କାଢି ଆସିବାକୁ କି ସୁଯୋଗ ଅପେକ୍ଷା ରେ ଥିଲା । କିନ୍ତୁ ଚିଠି ଟି ବାପା ଙ୍କ ହାତରେ ଲାଗି ଯାଇଥିଲା ।

ତାପରେ ସବୁକିଛି ଓଲଟ ପାଲଟ ହୋଇଗଲା । ଯେତେକ ଘନିଷ୍ଠ ବନ୍ଧୁ ବାନ୍ଧବ ସମସ୍ତେ ଆସି ବୁଝା ସୁଝା କରାଇ

ସ୍ଵୟଂଗୀତା କୁ ରାଜି କରାଇ ଥିଲେ ବାହା ପାଇଁ । ସ୍ବୟଂଗୀତା ସେମାନଙ୍କ ସ୍ପଷ୍ଟ କଥା ଆଉ ଯୁକ୍ତି ଆଗରେ ନିଜକୁ କେବେବି ଠିକ୍ ପ୍ରମାଣିତ କରି ପାରି ନଥିଲା । ତେଣୁ ଅଖିଳେଶ କୁ ଏକ ତରଫା କରି ଦେଇ ସେ ନିଜର ନୂଆ ଜୀବନ ଗଢ଼ିବା ପାଇଁ ସ୍ଥିର କଲା । 

ତା ପରେ ଶେଷ ଥର ଅଖିଳେଶ କୁ କ୍ଷମା ମାଗିବାକୁ ଫୋନ୍ ବି କରିଥିଲା ଅନେକ ଥର କିନ୍ତୁ ଅଖିଳେଶ ଫୋନ୍ ଉଠେଇ ନଥିଲା । ସ୍ବୟଂଗୀତା ବି ପରେ ପରେ ନିଜ ର ସିମ୍ ବଦଳାଇ ଦେଇଥିଲା ।

ଆଜି ହଠାତ୍ ସ୍ବୟଂଗୀତା ନିଜକୁ ସମୀକ୍ଷା କରୁଛି ଅନୁତପ୍ତ ହୋଇ ଭାବି ଚାଲିଛି , ସେ କୋଉ ଭୁଲ୍ ପାଇଁ ଏ ଦଣ୍ଡ ଭୋଗୁଛି ? ବାପା ଙ୍କ ସମ୍ମାନ କୁ ବଜାୟ ରଖି ନା ଅଖିଳେଶ ଙ୍କ ପ୍ରସ୍ତାବ ରେ ରାଜି ନ ହୋଇ ?

ଭାଗ୍ୟ ତା ସହ କାହିଁକି ଏମିତି ଖେଳ ଖେଳିଲା ?


Rate this content
Log in

Similar oriya story from Tragedy