Suchismita Satpathy

Inspirational


4.5  

Suchismita Satpathy

Inspirational


ନିଃସଙ୍ଗତା

ନିଃସଙ୍ଗତା

4 mins 28 4 mins 28


ଆଜି ସମୟଟି ଭାରି ଖାଁ ଖାଁ ଲାଗୁଥିଲା ରମେଶ ବାବୁଙ୍କୁ । କିଛି ଗୋଟେ ହଜେଇ ଦେଲା ପରି ଲାଗୁଥିଲା । କିନ୍ତୁ ତାହା କଣ ସେ ଜାଣି ପାରୁ ନଥିଲେ । ବାହାରେ ବର୍ଷା ଏପଟେ ହୃଦୟର କେଉଁ ଏକ ସ୍ଥାନରେ ଦୁଃଖର ଲୁହ କୂଳ ଲଂଘନ କଲା ପରି ଲାଗୁଛି । ସର୍ବଦା ନିରବ ରହି ରହି ଆଜି ବି ନିଜ ମନ ମଧ୍ୟରେ ଆସୁଥିବା ଅଜଣା ଦୁଃଖ ଓ କୋହକୁ କାହା ଆଗରେ ପ୍ରକାଶ କରିପାରୁନାହାନ୍ତି । 

ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ସେ କେବେ ନିଜ ପରିବାରକୁ ସମୟ ଦେଇ ପାରିନାହାନ୍ତି । ସବିତା (ତାଙ୍କ ପତ୍ନୀ) ପିଲା ମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କାମ ଏକା କରିଛନ୍ତି ମାତ୍ର କେବେ ବି ସେ ସମୟ ଦେଇ ପାରିନାହାନ୍ତି ବୋଲି ମନଦୁଃଖ କରିନାହାନ୍ତି କି ଆରୋପ ମଧ୍ୟ କରିନାହାନ୍ତି । 


ଏବେ ସେ କଥା ଭାବିଲା ବେଳକୁ ରମେଶ ବାବୁଙ୍କ ମନ ଦୁଃଖରେ ଭାଙ୍ଗିପଡୁଛି । ସେ ଚାହିଁଥିଲେ ନିଜ ପରିବାରକୁ ସମୟ ଦେଇ ପାରି ଥାନ୍ତେ । ମାତ୍ର ସୀତାଙ୍କ ଉପରେ ତାଙ୍କର ଦୃଢ ବିଶ୍ୱାସ ହିଁ ତାଙ୍କୁ ତାଙ୍କ କର୍ମ କ୍ଷେତ୍ରରେ ସମୟ ଅତିବାହିତ କରିବା ପାଇଁ ପ୍ରଶ୍ରୟ ଦେଇଥିଲା । ପିଲାମାନେ ମଧ୍ୟ ପ୍ରତି କଥାରେ ମାଆକୁ ହିଁ ପଚାରନ୍ତି । 


ସେଇ ଅଭ୍ୟାସ ବୋଧେ ପିଲାଟି ଦିନରୁ ରହି ଆସିଛି ସେଥିପାଇଁ ଆଜି ବି ପୁଅ ଫୋନ କରି ତାର ପୁଅ ହୋଇଛି ଅର୍ଥାତ୍ ତାଙ୍କର ନାତିଟିଏ ହୋଇଛି ବୋଲି ଖବର ଦେଇ ମାଆ ପାଇଁ ଟିକେଟ ପଠାଇଛି ବାଙ୍ଗାଲୋର ଯିବା ପାଇଁ । ଆଗରୁ ବହୁ ଥର ଉଭୟଙ୍କୁ ଯିବା ପାଇଁ କୁହେ ମାତ୍ର ରମେଶ ବାବୁ ନିଜ ଅଫିସ କାମରେ ବ୍ୟସ୍ତ ରହୁଥିବାରୁ ଯାଇନପାରି ସବିତାଙ୍କୁ ପଠେଇ ଦିଅନ୍ତି । ତେଣୁ ସେବେଠାରୁ ସବିତା ହିଁ ଯାଆନ୍ତି । 


ମାତ୍ର ଆଜି ଯେତେବେଳେ ରମେଶ ବାବୁ ଚାକିରିରୁ ଅବସର ଗ୍ରହଣ କଲେଣି, ତାଙ୍କର ବି ଇଚ୍ଛା ହେଉଛି କିଛି ସମୟ ପିଲାମାନଙ୍କ ସହ କଟେଇବାକୁ । ମାତ୍ର ପିଲାମାନେ ମାଆ ସହ ଏତେ ମାତ୍ରାରେ ପରିଚିତ ଓ ସେମାନଙ୍କ ଭାବର ଆଦାନ ପ୍ରଦାନର ସୂକ୍ଷ୍ମ ତାରଟିର ଖିଅ ପାଇବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା । ଏମିତି ଭାବୁ ଭାବୁ କେତେବେଳେ ନିଦ୍ରା ଦେବୀ ତାଙ୍କୁ ଘାରିଛି ସେ ତାର ହିସାବ ପାଇନାହାନ୍ତି । 


ସକାଳୁ ଉଠିଲା ବେଳକୁ ସବିତା ଚାକରାଣୀକୁ କହିବାର ଶୁଣିଲେ, ହେଇଟି ମୁଁ ଯାଉଛି ତିନି ଦିନ ପାଇଁ, ବାବୁଙ୍କ ଖାଇବା ଠିକରେ ବୁଝୁଥିବୁ । ଘରଦ୍ୱାର ସବୁବେଳେ ପରିଷ୍କାର କରିବୁ । ତୋ ବାବୁଙ୍କୁ ଅପରିଷ୍କାର ଜମାରୁ ଭଲ ଲାଗେ ନାହିଁ । ଖାଇବା ଠିକ ଟାଇମରେ ସାରିବୁ, ତେଲ ମସଲା କମ କରି ରୋଷେଇ କରିବୁ । ଇତ୍ୟାଦି ଇତ୍ୟାଦି । 


ଏହା ଶୁଣି କିଛି ସମୟ ପାଇଁ ରମେଶ ବାବୁ ସ୍ତବ୍ଧ ହୋଇଯାଇଥିଲେ । ଭାବୁଥିଲେ ଯେ, ଯେତେସବୁ କଥା ସବିତା କହିଗଲେ ,ଏସବୁ ତ ସେ କେବେ ବି କହିନାହାନ୍ତି । କିନ୍ତୁ ଏକଥା ସତ ଯେ, ତାଙ୍କ ଆବଶ୍ୟକତା ଅନୁଯାୟୀ ସବିତା ଠିକ ସମୟରେ ସବୁ କରିଦିଅନ୍ତି । ଖାଦ୍ୟ ପ୍ରତି ସେ ବହୁତ ଯତ୍ନଶୀଳ ଯିବା ପାଇଁ ସେ ଆଜି ସୁସ୍ଥ । ଏଥିପାଇଁ ମଧ୍ୟ ସେ ସବିତାଙ୍କୁ କେବେ ଧନ୍ୟବାଦଟିଏ ମଧ୍ୟ ଦେଇନାହାନ୍ତି । କେବେ କୌଣସି ପର୍ବପର୍ବାଣୀରେ ଭଲ ଶାଢୀ ଖଣ୍ଡେ କିଣି ଦେଇନାହାନ୍ତି ମାତ୍ର ସବୁ ପାଇଁ କେବଳ ପଇସା ଦେଇଛନ୍ତି । 


ହଠାତ ସବିତା ରୁମ ଭିତରକୁ ପଶି ଆସିଲେ ଚା କପଟିଏ ଧରି । ଏହା ତାଙ୍କର ନିତ୍ୟ ନୈମିତ୍ୟ କଥା । ହାତକୁ ଚା ଦେଉ ଦେଉ କହିଲେ, ମୁଁ ଆଜି ଛଅଟା ବେଳ ଫ୍ଲାଇଟରେ ପୁଅପାଖକୁ ଯାଉଛି, କଁଇ (ଚାକରାଣୀର ନାମ)କୁ ସବୁ ବୁଝେଇ ଦେଇଛି । ତିନି ଦିନ ପରେ ଆସିବି । ଯଦି ପୁଅ କହିଲା ତେବେ ବୋହୁ ଓ ନାତିକୁ ଧରି ଆସିବି । ନାତିଟାକୁ ଦେଖିବାକୁ ଭାରି ମନ ଟାଣିଲାଣି । ଏହା କହି ସବିତା ତାଙ୍କ ବ୍ୟାଗ ସଜାଡିବାରେ ଲାଗିପଡିଲେ । 


ରମେଶ ବାବୁଙ୍କର କଣ ହେଲା କେଜାଣି ହଠାତ ଉଠି ଆସି ନିତ୍ୟକର୍ମ ସାରି ନିଜେ ଏକ ଭଲ ପୋଷାକ ପିନ୍ଧି ବାହାରିଲେ । ଏହା ଦେଖି ସବିତା ପଚାରିଲେ କୁଆଡେ ବାହାରିଛ ଯଦି ଟିକେ ଶିଘ୍ର ଆସିଯିବ, ଚାରିଟାରେ ମୁଁ ବାହାରିବି । ହଉ କହି ରମେଶ ବାବୁ ତରତର ହୋଇ ବାହାରିଗଲେ । ଇତି ମଧ୍ୟରେ ସବିତା ଦେବୀ ସବୁ କାମ ସାରି ଅପେକ୍ଷା କରି ବସିଥାନ୍ତି । ସମୟ ପାଖେଇ ଆସୁ ଥାଏ, ରମେଶ ବାବୁ ଆସିବାରେ ବିଳମ୍ବ ଯୋଗୁଁ ବ୍ୟସ୍ତ ବି ହେଉ ଥାନ୍ତି । ଯାହାହେଉ ଠିକ ସମୟରେ ରମେଶ ବାବୁ ଆସି ପହଞ୍ଚି ଯିବାପାଇଁ ଡାକିଲେ । ସବିତା ଦେବି ଗାଡିରେ ବସୁବସୁ କହୁଥାନ୍ତି ଠିକ ସମୟରେ ଖାଇନେବ, ନହେଲେ ଦେହ ଖରାପ ହେବ । 


ଫ୍ଲାଇଟ ଟାଇମ ହୋଇ ଆସୁଥିବାରୁ ବ୍ୟସ୍ତ ହୋଇ ସବିତା ଦେବୀ ଆଗରେ ଚାଲିଥାନ୍ତି, ତାଙ୍କର ଆଉ ରମେଶ ବାବୁଙ୍କ ପ୍ରତି ନିଘା ନଥାଏ । ହଠାତ ଯେତେବେଳେ ଭିତରକୁ ଯିବା ପାଇଁ ବୋର୍ଡିଂ ପାସ୍ ଦେଖାଇଲେ ସେତେବେଳେ ରମେଶବାବୁ ତାଙ୍କ ବୋର୍ଡିଂ ପାସ୍ ଦେଖାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବହୁତ ଲୋକ ଥିବାରୁ କିଛି କହିବା ବା ପଚାରିବା ପାଇଁ ସୁଯୋଗ ପାଇ ପାରିଲେ ନାହିଁ । 


ଫ୍ଲାଇଟ ଭିତରେ ଟିକେ ଥଣ୍ଡା ଲାଗିବାରୁ ବ୍ୟାଗରୁ ଚାଦର କାଢିବାକୁ ଉଦ୍ୟତ ହୁଅନ୍ତେ, ରମେଶ ବାବୁ ଏକ ନୂଆ ଚାଦର ସବିତାଙ୍କୁ ଘୋଡେଇ ଦେଲେ।


 ଏହା ଦେଖି ସବିତା ଆଶ୍ଚର୍ଯ୍ୟର ସହ ଚାହିଁବାରୁ ରମେଶ ବାବୁ ତାଙ୍କ ଚାହାଣୀର ଅର୍ଥ ବୁଝି କହିଲେ, ଦେଖ ସବିତା ଦୀର୍ଘ ତିରିଶ ବର୍ଷ ତୁମେ ମୋ ପାଇଁ, ମୋ ସହ ସୁଖ ଓ ଦୁଃଖରେ ଛାଇ ପରି ରହିଛ । ମୋ ପରିବାରକୁ ତୁମେ ଏକ ଆଦର୍ଶ ମାଆ, ପତ୍ନୀ ହୋଇ ଆଜିପର୍ଯ୍ୟନ୍ତ ନେଇଆସିଛ । ମୁଁ ତୁମକୁ କେବେ କୌଣସି ସାହାଯ୍ୟ କରିପାରିନାହିଁ । ତୁମେ ଏକା ଏକା ସଂସାରର ସବୁ ଝଡ ସହି ମଙ୍ଗକୁ ଜାବୁଡି ଧରିଛ।ମାତ୍ର ଆଜି ମୋର ଅବସର ପରେ ମୁଁ ବୁଝିପାରିଲି ଏକୁଟିଆ କେତେ କଷ୍ଟକର । ତେଣୁ ମତେ ତୁମ ନିଃସଙ୍ଗ ଜୀବନର ସାଥି ହେବାର ସୁଯୋଗ ଦିଅ । ଏହା ଶୁଣି ସବିତାଙ୍କ ଆଖି ଛଳ ଛଳ ହୋଇଗଲା । ରମେଶ ବାବୁ ଏଥିରେ ବି ସାଥି ହୋଇଗଲେ । ତାଙ୍କ ଆଖିରୁ ମଧ୍ୟ ଦୁଇ ଧାର ଲୁହ ବହିଗଲା । ବହୁଦିନ ପରେ ନିଜ ସାଥୀକୁ ପ୍ରକୃତରେ ସାଥି ରୂପେ ପାଇ ସବିତା ଦେବୀ ବହୁ ଖୁସିରେ ରମେଶ ବାବୁଙ୍କ କାନ୍ଧରେ ମୁଣ୍ଡ ଦେଇ ଯାତ୍ରା ସମୟଟିକୁ କାଟିଦେଲେ । 


ସବୁଠାରୁ ଖୁସିର ମୁହୂର୍ତ୍ତ ସେତେବେଳେ ଆସିଲା ଯେତେବେଳେ ସେ ପୁଅ ଓ ବୋହୁଙ୍କୁ ପାଖରେ ପହଞ୍ଚିଲେ । ମାଆଙ୍କ ସହ ବାପାଙ୍କୁ ଦେଖି ଉଭୟଙ୍କ ଖୁସିର ସୀମା ରହିଲା ନାହିଁ । ନାତିକୁ ଦେଖି ଓ ଏକସଙ୍ଗେ ସେଠାରେ ଝିଅ ଜ୍ୱାଇଁ ସମସ୍ତଙ୍କୁ ପାଖରେ ପାଇ ଖୁସି ଓ ଆନନ୍ଦରେ କିଛି ମୁହୂର୍ତ୍ତ ପାଇଁ ସେ ବାକ୍ ଶୂନ୍ୟ ହୋଇଗଲେ ରମେଶ ବାବୁ । ବହୁଦିନ ପରେ ପିଲାମାନେ ବାପାଙ୍କୁ ପାଖରେ ପାଇ କଣ୍ଢେଇ ଧରି ଖୁସିର ସେହି ମୁହୂର୍ତ୍ତକୁ ଆନନ୍ଦରେ ଅନୁଭବ କରିବାକୁ ଲାଗିଲେ । 


ସବିତା ଏସବୁ ଦେଖି ନିଜକୁ ପୃଥିବୀର ସବୁଠାରୁ ଧନୀ ମଧ୍ୟରେ ନିଜକୁ ଗଣିବା ଆରମ୍ଭ କରିଦେଇଥିଲେ । ରମେଶ ବାବୁ ମଧ୍ୟ ଏବେ ପାଇ ସାରିଥିଲେ ତାଙ୍କ ଖାଁ ଖାଁ ସମୟ ଓ ହୃଦୟର ଅଦେଖା, ଅଜଣା ଦୁଃଖର ସମାଧାନର ପନ୍ଥା ।



Rate this content
Log in

More oriya story from Suchismita Satpathy

Similar oriya story from Inspirational