Bhagirathi Mohanty

Tragedy Others

3  

Bhagirathi Mohanty

Tragedy Others

ନିଃସଙ୍ଗ ପ୍ରଜାପତି

ନିଃସଙ୍ଗ ପ୍ରଜାପତି

3 mins
110



ସକାଳ ହେଲେ ସ୍ତ୍ରୀ ଶ୍ୟାମଳୀ , କୁମାରଙ୍କ ହାତ ଭିଡି ଧରି, ପୋଟିକୋରେ ପଡ଼ିଥିବା କାଠ ଖଟରେ ବସେଇ ଦେଇ ଯାଆନ୍ତି । କେବଳ ବଞ୍ଚିବା ପାଇଁ ହିଁ ବଞ୍ଚି ରହିଛନ୍ତି ସେ । ଏଇ ବେମାର ଟା କେତେ ନିର୍ଦ୍ଦୟ ସତରେ ! ବଞ୍ଚିବାକୁ ଦେଉନି କି ମରିବାକୁ ଦେଉନି । ବାମ ଅଙ୍ଗ ସମ୍ପୁର୍ଣ୍ଣ ଅଚଳ । ଜିଭ ଲେଉଟୁ ନାହିଁ କଥା କହିବା ପାଇଁ । ଇଏ କି ଜୀବନ ? ଗୋଡ଼ ଥାଇ ଗୋଡ଼ ନାହିଁ, ହାତ ଥାଇ ହାତ ନାହିଁ, କାନ ଥାଇ କାନ ନାହିଁ, ଆଖି ଥାଇ ବି ନାହିଁ? ସେ ପକ୍ଷାଘାତରେ ଶିକାର । 

    ଘର ଆଗରେ ପ୍ରଧାନ ରାସ୍ତା । ଦିନ ରାତି ପଥଚାରୀ ମାନଙ୍କର ଗହଳି । ହସ କାନ୍ଦ କୁ ସାଙ୍ଗରେ ନେଇ ଅସରନ୍ତି ଜୀବନ ମାର୍ଗ ରେ ଧାଇଁ ଚାଲନ୍ତି ସେମାନେ । 

    ‌ସକାଳେ ସକାଳେ ସ୍କୁଲ ବସ ତାଙ୍କ ଘର ଆଗରେ ଠିଆ ହେଇ ହର୍ଣ୍ଣ ମାରେ। ନାତି ନାତୁଣୀ ଦି'ଜଣ ସ୍କୁଲ ପୋଷାକ ପିନ୍ଧି ଅପେକ୍ଷା କରି ରହିଥାନ୍ତି ବସ୍ କୁ । ତାଙ୍କୁ 'ଟା ,ଟା' କ‌ହି ଧାଇଁ ଧାଇଁ ଯାଇ ବସ୍ ଚଢନ୍ତି ।

       ସେମାନେ ଯିବା ପରେ ତାଙ୍କ ଆଖି ପତା ଯୋଡ଼ିକ ଭିଜିଯାଏ । ମନ ଖରାପ ହୋଇଯାଏ । ଭାବନ୍ତି ସେ କେତେ ଜଲଦି ବଡ଼ ହୋଇ ଯାଉଛନ୍ତୁ ଏ ଦି'ଜଣ ! ଆହୁରି ବଡ ହୋଇ ଯିବେ ତ ! ନା , ଆଉ ବଡ ନ ହୁଅନ୍ତୁ । ସମୟ କିନ୍ତୁ ତାଙ୍କ କଥା ଶୁଣୁ ନ ଥିଲା ।

ଗେହ୍ଲା ନାତିର ନାତୁଣୀ ଦି'ଜଣ , ମାଆ କୋଳ ଛାଡି ତାଙ୍କ କୋଳ କୁ ଆସିଲେ । ତାଙ୍କ କୋଳ ରେ ଏକ, ଦୁଇ ସବୁ କଲେ । ଏଥିପାଇଁ ତାଙ୍କ ମନରେ ତିଳେ ବି ଘୃଣା ନ ଥିଲା କି ବୋହୂ କୁ ଡାକୁ ନ ଥିଲେ ସଫା ସୁତୁରା କରିବା ପାଇଁ । ଅତି ଖୁସିରେ ଏ ଗୁଡିକୁ କରନ୍ତି ସେ ।ଏଥିରେ ତାଙ୍କର ଅକୃତ୍ରିମ ଆନନ୍ଦ । ସେତେବେଳେ ତାଙ୍କର ଗୋଡ଼ ହାତ ଚଳୁଥିଲା । ଚାକିରି ପର ର ଜୀବନ ଖୁବ୍ ଖୁସି ରେ କାଟୁଥିଲା । 

   ଚାକିରି ରୁ ଅବସର ନେବା ପରେ ସମୟ କେମିତି କଟିବ, ତା'ର ଯୋଜନା ନ କଲେ, ଜୀବନ ଦୁର୍ବିସହ ହୋଇ ପଡ଼େ। କୋଡ଼ିଏ ବର୍ଷ ଯଦି ବଞ୍ଚିବାକୁ ଥାଏ , ତାହା ଦଶ ବର୍ଷ ନ ହୋଇଯିବ କିଏ ଜାଣେ ? ନିଜକୁ ବ୍ୟସ୍ତ ରଖିବା ପାଇଁ କିଛି ବି କରି ପାରନ୍ତି। ମୋଭି ଦେଖା, ପଢା ପଢ଼ି, ସମାଜ ସେବା ,ଗଛ ଲଗେଇବା _ଏମିତି କେତେ ଉପାୟ ଅଛି ।

   କୁମାର ଏଇ ନାତି ନାତୁଣୀ ଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏହାକୁ ଛାଡି , ସେ ପରିବା ସଉଦା ପାଇଁ ହାଟକୁ ଯାଆନ୍ତି । ସାଗ ବାଛନ୍ତି । ପରିବା କାଟନ୍ତି । ମାଛ କେଳାନ୍ତି ;ଭାଜନ୍ତି । ବୋହୂ ବାଧକି ରେ ପଡ଼ିଥିଲେ ; ଘର ଓଳା, ପୋଛା , ରନ୍ଧା ବଢା _ଏମିତି ଅସରନ୍ତି କାମ । ଶ୍ୟାମଳୀ ଜଣେ ଶ୍ବାସ ରୋଗିଣୀ _ ପାଣି ହାତ ହେଲେ ସେ ରୋଗ ବାହାରେ । ନିଜ ସ୍ବାସ୍ଥ୍ୟ ର ଏତିକି ଯତ୍ନ ନେଉ ଥିବା ଶ୍ୟାମଳୀ ଙ୍କର ଦେହ ଖରାପ ନାଁ ରେ କୁନ୍ଥଉ ଥାନ୍ତି ସବୁବେଳେ । 

    ଏ ସବୁ ପାଇଟି କରି ସାରି ସେ ଗାଧୁଆଘରକୁ ପଶନ୍ତି । ଓଦା ଲୁଗାରେ ଗାଧୁଆ ଘରୁ ବାହାରି ସିଧା ଠାକୁର ଘର କୁ ଲୁଙ୍ଗି ଭଳି ପିନ୍ଧିଥିବା ଧୋତି ଟିକୁ କଛା ମାରି , ମନ୍ତ୍ର ଉଚ୍ଚାରଣ ପୂର୍ବକ ଠାକୁର ମାନଙ୍କୁ ପୂଜା ।

 ଏଥି ଉତ୍ତାରେ,  ଜଳଖିଆ ଓ ଚା' । ଏଗାର ବାଜି ଯାଇ ଥାଏ ସେତେବେଳକୁ । ଏଇ ନାତି, ନାତୁଣୀ ଆସିଯିବେ । ଅପେକ୍ଷା କରି ରହିଥାନ୍ତି ବସ୍ କୁ । ଝାଳ ସର ସର ହେଇ ଦି'ଜଣ ଓହ୍ଲାନ୍ତି ବାସ୍ ରୁ । ସେମାନଙ୍କ ବ୍ୟାଗ ଗୁଡିକ ଦୁଇ କାନ୍ଧରେ ଓହଳେଇ ସେ ଘର ଭିତରକୁ ପଶନ୍ତି । ଗାମୁଛା ଖଣ୍ଡକରେ ଦି'ଜଣଙ୍କର ଝାଳ ପୋଛି ପକାନ୍ତି ।ଗୋଡ଼ ହାତ ଧୋଇ ଦିଅନ୍ତି , ସାବୁନ୍ ରେ ।

  ଏତିକିରେ ତାଙ୍କ କାମ ସରେ ନାହିଁ । " ଭୋକ ଲାଗିଲାଣି, ଭୋକ ଲାଗିଲାଣି" କହୁଥିବା ପିଲା ଦି'ଟିକୁ ,ତେଲ ମାଖି ଦେଇ , ଗାଧୁଆଘରକୁ ନେଇ ଯାଆନ୍ତି । ଓଦା ତଉଲିଆ ରେ  , ରଗଡେଇ ଘସି ଘସି ମଳି ଛଡାନ୍ତି । " ଶୀତ ଲାଗୁଛି, ଶୀତ ଲାଗୁଛି," କହୁଥିଲେ ବି, ସେମାନଙ୍କ କଥା ନ ଶୁଣି କଳ ଫିଟେଇ , ପାଣି ଛାଡ଼ିଦେଇ ଗାଧୋଇ ଦେଇ ପୋଛି ପକାନ୍ତି । ରୋଷେଇ ସରି ଯାଇ ଥିବାରୁ ସେମାନଙ୍କୁ ଖୁଆଇ ପିଆଇ ,ନାନାବାୟା ଗୀତ ଗାଇ ଶୁଆଇ ପକାନ୍ତି ।

 ସଂଧ୍ୟା ହେଲେ ଘର ପାଖ ବଜାର କୁ ସେ ଯାଆନ୍ତି ଲୁଚି ଲୁଚି ।

    ଚାକିରି ଆମଳରେ ,ଉପୁରି ପଇସା ରେ ମଦ ପିଉ ପିଉ ,ଆଉ ଗୋଟେ ଉପର ପାହାଚ କୁ ଉନ୍ନିତ ହୋଇଥିଲେ _ ଧଳା ଜହର ଏବଂ ଆଉ ଗୋଟେ ଦୁଇଟ ଜୀବନ ହାନୀ କାରକ ଡ୍ରଗସ୍ କୁ। ତାହା ସେ ଛାଡି ପାରି ନଥିଲେ ବିଗତ ଯୌବନ ପର୍ଯ୍ୟନ୍ତ । 

  ପରିବାର ର ପ୍ରବଳ ପ୍ରତିବାଦ ପରେ ସେ ଅନିଷ୍ଟକାରୀ ଅଭ୍ୟାସ ରୁ ଦୂରରେ ରହିଛନ୍ତି । 

  ଯୌବନ ର କରିଥିବା ଅପରାଧ ପାଇଁ ବାର୍ଦ୍ଧକ୍ୟ ରେ ସଜା ମିଳେ ।  ସେ ହଠାତ୍ ପୀଡ଼ିତ ହେଲେ ଏଇ ଅସାଧ୍ୟ ବେମାରରେ । ସେ ଏବେ ଏକ ଅଚଳ ମାଦଳ ;ଡେଣା ଜଖମ ହୋଇ ଯାଇଥିବା , ନିଃସଙ୍ଗ ପ୍ରଜାପତି। ଉଡି ପାରୁଛନ୍ତି ନା ଫୁଲ ରେଣୁ ରେ ମୁଗ୍ଧ ହୋଇ ପାରୁଛନ୍ତି । କେହି ନାହିଁ ତାଙ୍କ ପାଖରେ। ତାଙ୍କ ଆଗରେ କେବଳ ଅଖଣ୍ଡ ଶୂନ୍ୟତା । ଅସଂଖ୍ୟ ନିରାଶାର ପାହାଡ଼ ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡୁଛି । ନିଶ୍ଵାସ ଅବଗଣନା କରୁଛନ୍ତି ପ୍ରତି ମୁହୂର୍ତ୍ତରେ । ତାପରେ ଅନ୍ଧକାର _ ମହା ଅନ୍ଧକାର। 


Rate this content
Log in

Similar oriya story from Tragedy