puspanjali das

Inspirational

3  

puspanjali das

Inspirational

ନିଆରା ସମ୍ପର୍କ

ନିଆରା ସମ୍ପର୍କ

4 mins
186


ଅବଶ ଶରୀରଟାକୁ ଚେୟାର ଖଣ୍ଡିକରେ ଲମ୍ବାଇ ଦେଇ,ତାନି ଝରକା ବାଟେ ସାରୁଗଛ ପୂର୍ଣ୍ଣ ପଡିଆଟିକୁ ଏକ ଲୟରେ ଚାହିଁ ରହିଥିଲା।ଝିପି ଝିପି ବର୍ଷାଟା ଛାଡିଯାଇଥିବାରୁ ପତ୍ର କେତୋଟିରେ ପାଣି ଟୋପାଗୁଡିକ ଢଳ ଢ଼ଳ ହେଉଥିବା ଯେମିତି ତାକୁ ପିଲାଦିନର ସ୍ମୃତି କିଛି ମନେପକାଇ ଦେଉଥିଲା! ବୋଉ ଠାରୁ ଗାଳି ଶୁଣିଲେ ସୁଦ୍ଧା,ସାମାନ୍ୟ ବର୍ଷା ପରେ ପରେ,ସବୁବେଳେ ସେ ଦୌଡ଼ି ଯାଉଥିଲା ତାଙ୍କ କାଦୁଅ ପଚ ପଚ ବାଡ଼ିଟିକୁ,ଯୋଉଠୁ ସାରୁ ପତ୍ରଟିଏ ଛିଣ୍ଡାଇ ଆଣି,ସେଥିରେ ପଡିଥିବା ପାଣି କେଇ ବୁନ୍ଦାକୁ ଦେଖି ଆତ୍ମହରା ହୋଇ ପଡୁଥିଲା!ଥରୁଟିଏ ବାପାଙ୍କର ବୋଉକୁ କହୁଥିବା ପଦୁଟିଏ ତା'କାନରେ ପଡିଥିଲା,ଯଦିଓ ସେତେବେଳେ ସେକଥାର ମହତ୍ତ୍ୱ ସେ ବୁଝିପାରିନଥିଲା-'ମଣିଷ ଜୀବନଟା ସାରୁ ପତ୍ରରେ ପଡିଥିବା ପାଣି ଟୋପା ଭଳି, କେତେବେଳେ ଯେ ତଳେ ପଡି ମାଟିରେ ମିଶିଯିବ ଠିକଣା ନାହିଁ!' ହେଲେ,ଯେତେବେଳେ ସେଇ ପାଣି ଟୋପାକ ଭଳି,ସମସ୍ତଙ୍କୁ କନ୍ଦାଇ ଦେଇ ହଠାତ ହୃଦଘାତରେ ବାପା ତା'ର ଆରପାରିକୁ ଚାଲିଗଲେ,ସେତେବେଳେ ତାନି ଯେମିତି ସେକଥାଟିର ମର୍ମ ବୁଝିପାରିଥିଲା!ନାଁ ସେ ବାଡ଼ିକୁ ଆଉ ବର୍ଷା ଛାଡିଲେ ଦୌଡ଼ି ଯାଉଥିଲା,ନାଁ ସାରୁପତ୍ରରେ ପାଣି ଢଳ ଢଳକୁ ଦେଖିବାକୁ କେବେହେଲେ ଇଚ୍ଛା କରୁଥିଲା!

   ଅନେକ ବର୍ଷ ପରେ,କରୋନା ମହାମାରୀର କ୍ରୂରତାରେ ପୁଣି ସେଇ ସାରୁ ପତ୍ରର ପାଣି ଟୋପାଗୁଡିକ ଯେମିତି ବାରମ୍ବାର ବାପାଙ୍କର କହୁଥିବା କଥା ଟିକକ ମନେ ପକାଇ ଦେଉଥିଲା!ସତରେ,ପାଣି ଟୋପା ଭଳି କେତେ ଯେ ଜୀବନ କ୍ଷଣକେ ମାଟିରେ ମିଶି ଯାଉଥିଲା,ତାର କଳନା ନଥିଲା! କରୋନାର ଲହର ପରେ ଲହରରେ ଅନେକଙ୍କ ବିୟୋଗ ସତେ ଯେମିତି ତାନିକୁ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରି ଦେଇଥିଲା!ତା'ସାଙ୍ଗକୁ ନିଜ ଶରୀରର ଅସୁସ୍ଥତା ଓ ପିଲାଟିର ସୁରକ୍ଷାକୁ ନେଇ ନିଜକୁ ଖୁବ ଅସହାୟ ମନେକରୁଥିଲା!ଘରର ପରିସ୍ଥିତି ସୁଧାରିବାକୁ ଯେତେ ଚେଷ୍ଟା କରିଲେ ମଧ୍ୟ ଯେମିତି ହାରିଯାଉଥିଲା!ଶାଶୁ ଶଶୁରଙ୍କ ଏକାସାଙ୍ଗରେ କରୋନାରେ ପୀଡିତ ହେବା ଯଦିଓ କଷ୍ଟକର ଥିଲା,ତା'ସାଙ୍ଗକୁ ତା'ଘର କାମରେ ସାହାଯ୍ୟ କରିବା ସ୍ତ୍ରୀ ଲୋକଟିର ଅନୁପସ୍ଥିତିରେ ସେମାନଙ୍କର ଯତ୍ନ ନେବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିଲା! ଯଦିଓ ସାମୟିକ ପରିସ୍ଥିତିରେ ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ସେମାନଙ୍କୁ ସେଠାରେ ମଧ୍ୟ ଛାଡିପାରୁନଥିଲା।ଉପାୟଶୂନ୍ୟ ତାନି ନିଜ ପରିବାର କଥା ଭାବି ଭାବି କେବଳ ବିଚଳିତ ହୋଇ ପଡୁଥିଲା,ଆଉ ମନେ ମନେ ଠାକୁରଙ୍କୁ ବିକଳ ହୋଇ ଡାକୁ ଥିଲା!

   ବୋଉ ଓ ଖୁଡି ଉଭୟଙ୍କୁ ହରାଇଥିବା ତାନିର ଏକମାତ୍ର ଆଶା ଓ ଭରସା ଥିଲା ତା' "ନା'କର ମା"!ହେଲେ,କୋଉ ମୁହଁରେ ସେ ତାକୁ ସାହାଯ୍ୟ ପାଇଁ ଏ ସଙ୍କଟ ବେଳେ କହିବ,ଜାଣି ପାରୁନଥିଲା!ଗତ କିଛି ବର୍ଷ ତଳର ଘଟଣାଟି, ଏବେ ବି ତାକୁ ବ୍ୟତି ବ୍ୟସ୍ତ କରିପକାଉଥିଲା!ଯେତେ ଚେଷ୍ଟା କରିଲେ ମଧ୍ୟ ସେ ଭୁଲି ପାରୁନଥିଲା!ନା'କର ମା'ର ଲୁହ ଢଳ ଢଳ ଆଖି ଦୁଇଟି ଏବେ ବି ତାକୁ ଦିଶି ଯାଉଥିଲା!ଆଉ ଶାଶୁଙ୍କର ସେଇ କଡା କଥା କେଇପଦ ମଧ୍ୟ ତା'କାନରେ ବାଜି ଯାଉଥିଲା!କେତେ ଶରଧାରେ ତା' ଝିଅ ରୁଚି ପେଟରେ ଥିଲାବେଳେ,ମା'ତାରି ପାଇଁ କେତେ କଣ ସଦ ତିଆରି କରି ଗଣ୍ଠିଲିଟିଏରେ ଧରିକି ଆସି ପହଞ୍ଚି ଥିଲା ଉଦୁଉଦିଆ ଖରାବେଳ ଟାରେ!ହେଲେ ଦାଣ୍ଡଘରୁ ସିଧା ସିଧା ଶାଶୁ ତାର ଶୁଣାଇ ଦେଇଥିଲେ-"ଏସବୁ ଫେରାଇ ନିଅ,ଡାକ୍ତରଙ୍କ ପରାମର୍ଶରେ କେବଳ ତାନି ଖାଦ୍ୟ ଖାଉଛି,ଅନ୍ୟ କିଛି ବାହାର ଜିନିଷ ଖାଇବାକୁ ମନା!"ପାଣି ଗିଲାସେ ବି ତାକୁ ଯାଚି ନ ଥିଲେ,ଆଉ ସେଇ ଧୁପ ଖରା ଟାରେ ନା'କର ମାଆ ତା'ର ଫେରି ଯାଇଥିଲା,ଆଖିରେ ଆଖିଏ ଲୁହ ନେଇ!ଖାଲି ଦୂରରୁ ତାନିର ମୁହଁକୁ ଟିକିଏ ଅନାଇଦେଇ,ହାତ ଉଠାଇ ସତେ ଯେମିତି ଆଶୀର୍ବାଦ କରି ପକାଉଥିଲା !ଶାଶୁଙ୍କୁ କିଛି କହିନପାରି ରହିଯାଇଥିଲା ତାନି ହତବାକ୍ ହୋଇ..

   ନା'କର ମାଆ ଡାକଟି ଯଦିଓ ତାନିର ପିଲାବେଳୁ ଥିଲା,ହେଲେ ବଡ଼ ହେଲାପରେ ସେମିତି ଡାକିବାର ପ୍ରକୃତ ଅର୍ଥ ବୁଝିପାରିଥିଲା ଯେ ଜ୍ୟୋତିଷ ନାହାକ ଘରର ସେ ମାଆ ଜଣକ ଥିବାରୁ,ବୋଉର ନାହାକ ଘର ମାଉଷୀକୁ ସମୟକ୍ରମେ ସେପାଞ୍ଚ ଭାଇଭଉଣୀ ଅପଭ୍ରଂଶ କରି ନା'କର ମାରେ ପରିଣତ କରିଦେଇଥିଲେ!ଆଉ ସେ ଡାକଟିକୁ ସେ ମା' ବି ଖୁସିରେ ଗ୍ରହଣ କରିଦେଇଥିଲା!କୌଣସି ରକ୍ତ ସମ୍ପର୍କ ନ ଥାଇ ମଧ୍ୟ ସ୍ନେହ ମମତାରେ ବାନ୍ଧି ହୋଇଥିଲା ସେ ସମ୍ପର୍କଟି। ପିଲାବେଳୁ ବାପା ତାଙ୍କ ବାପା ମାଆଙ୍କୁ ହରାଇ ସ୍ନେହ ଡୋରଟିଏ ଯେମିତି ଖୋଜୁଥିଲେ,ଆଉ ପାଖ ପଡିଶା ଘର ବିଧବା ବୃଦ୍ଧା ଜଣକ ଯେମିତି ସେ ଡୋର ଟିରେ ବାନ୍ଧି ପକାଇଥିଲେ ଉଭୟ ବାପା ଓ ବୋଉଙ୍କୁ!ଅନାବିଳ ସ୍ନେହ ମମତାରେ ପୁରା ପରିବାରଟି ସେ ବୃଦ୍ଧାଙ୍କ ସାଙ୍ଗରେ ଯୋଡି ହୋଇ ଯାଇଥିଲା!

   ଯଦିଓ କିଛି ବର୍ଷ ପରେ,ତାନିର ପରିବାରଟି ନିଜ ଘର କରି ସେଇ ସହରର କିଛି ଦୂରକୁ ଚାଲିଆସିଥିଲେ, ତଥାପି ସମୟର ସୁଅରେ ସମ୍ପର୍କର ସେତୁଟି ଟିକିଏ ବି ଦୁର୍ବଳ ହୋଇନଥିଲା,ବରଂ ଦିନକୁ ଦିନ ମଜଭୁତ ହେବାକୁ ଲାଗିଥିଲା!ବର୍ଷଯାକର ପର୍ବ ପର୍ବାଣୀରେ ପିଠାପଣା ଧରି ଯେତେବେଳେ ନା'କର ମାଆ ଚାଲିଆସୁଥିଲା,ସଫା ଧଳା ଲୁଗା ଖଣ୍ଡିକରେ ଗୁଡ଼ାଇ ଗଣ୍ଠିଲିଟିଏ ଧରି,ତାନି ଓ ଚାରି ଭାଇ ଭଉଣୀଙ୍କର ଖୁସିର ଠିକଣା ରହୁ ନଥିଲା!ସେମାନଙ୍କର ଛଡ଼ାଛଡି ହୋଇ ଖାଇବା ଦେଖି ନା'କର ମାଆର ମୁହଁରେ ଆତ୍ମତୃପ୍ତିର ରଙ୍ଗଟା ବୋଳି ହୋଇ ଯାଉଥିଲା,ଆଉ ହଜି ଯାଉଥିଲା ତାର ଦରିଦ୍ରତାର ରଙ୍ଗ ଟି!ପ୍ରତି ପର୍ବ ପର୍ବାଣୀର ମହତ୍ତ୍ୱ ତା'ରି ହାତ ତିଆରି ପିଠା ପଣାରେ ଯେମିତି ରହିଥାଏ,କୋଉଦିନ ଚିତଉ ଅମାବାସ୍ୟାରେ ଚିତ୍ତଉ ପିଠା ତ କୋଉ ଦିନ ମକର ସଂକ୍ରାନ୍ତିର ମକର ଚାଉଳ,ରଜ ପୋଡ଼ ପିଠା,ଧନୁ ମୁଆଁ,କିଛି ବି ସେ ଭୁଲେନି!ତାନି ଓ ସବୁ ଭାଇ ଭଉଣୀଙ୍କର ସବୁବେଳେ ତା'ରି ପିଠା ପଣାକୁ ଲୋଭ ଥାଏ,ସେମାନେ ଜାଣିଥାନ୍ତି ଯେ,ଯେତେ ଯାହା ହେଇଗଲେ ବି ନା'କର ମାଆର ଭୁଲ କେବେ ହେବନି କି ସିଏ କେବେହେଲେ କିଛି ଭୁଲିବନି!ସତକୁ ସତ,ନାଁ ତାର କେବେ କୋଉ ପର୍ବରେ ଭୁଲ ହେଉଥିଲା,ନାଁ କେବେହେଲେ ସିଏ କିଛି ପାରମ୍ପରିକ ପିଠାପଣା ଆଣିବାକୁ ଭୁଲୁଥିଲା!ସେଦିନ ବି ତାନି ସେଇ ଆଶା ନେଇ ଅନେଇ ରହିଥିଲା ତା'ର ଗଣ୍ଠିଲିଟିକୁ,ଆଉ ଭାବି ଚାଲିଥିଲା କେତେ କ'ଣ!ଠିକ ଯେମିତି ଭାଉଜଙ୍କ ବେଳକୁ ନା'କର ମାଆ କେତେ କଣ ଆଣିକି ଆସିଥିଲା,ଆଉ ଗୋଟି ଗୋଟି କରି ବୁଝେଇ କହୁଥିଲା,କାହାକୁ ଖାଇଲେ ଛୁଆ ଗୋରା ହବ,ବୁଦ୍ଧିଆ ହେବ ଇତ୍ୟାଦି ଇତ୍ୟାଦି।ବିଭିନ୍ନ ପ୍ରକାରର ପିଠା ଓ ତରକାରି ଗୁଡିକ ବେଶ ଶୁସ୍ଵାଦୁ ହୋଇଥିଲା।ତା'ସ୍ନେହ ବୋଳା ହାତ ତିଆରି ରନ୍ଧା ଜିନିଷର ସ୍ୱାଦ ହିଁ ସବୁବେଳେ ଥାଏ ଖୁବ ନିଆରା !ଗର୍ଭବତୀର ଆଶା ଅପୂର୍ଣ ରହିଯିବାରେ ବିଶ୍ୱାସ କରୁ ନ ଥିବା ଶାଶୁ ତା'ର ଆଡେଇ ଯାଇଥିଲେ ତାନିର ଆଶାୟୀ ଚାହାଣୀ କୁ..ପ୍ରଥମ ଥର ପାଇଁ ନା'କର ମାର ଗଂଠୁଲିଟି ଅଫିଟା ରହିଯାଇଥିଲା!ସତେ ଯେମିତି ସ୍ନେହମମତାର ମୂଲ୍ୟ କମିଯାଇ ହାରିଯାଇଥିଲା ଦରିଦ୍ରତା ପାଖରେ!

  ହଠାତ୍ କଲିଂବେଲର ଶବ୍ଦରେ ଭାବନାରାଜ୍ୟରୁ ଫେରି ଆସିଥିଲା ତାନି।ଏମିତି ଅବେଳଟାରେ କେହି ଆସିବାର ସମ୍ଭାବନା ନଥିବାରୁ,ଆଶଙ୍କିତ ହୋଇ ବାହାର କବାଟ ଖୋଲିବାକୁ ଉଠିଯାଇଥିଲା।କବାଟ ଖୋଲି ଦେଇ,ଚମକି ପଡି ଠିଆ ହୋଇ ପଡ଼ିଥିଲା।ନିଜ ଆଖିକୁ ଯେମିତି ବିଶ୍ୱାସ କରି ପାରୁନଥିଲା!ସାମ୍ନାରେ ନା'କର ମାଆ ହସ ହସ ମୁହଁରେ ଠିଆ ହୋଇ ଥିଲା, ହାତରେ କିନ୍ତୁ ଗଣ୍ଠିଲିଟି ବଦଳରେ ପୁରୁଣା ବ୍ୟାଗଟିଏ ଥିଲା,ଯୋଉଥିରେ କିଛି ଲୁଗାପଟା ରହିଥିଲା ଭଳି ଲାଗୁଥିଲା!

   ତାନିର ଇଚ୍ଛା ହେଉଥିଲା, ଦଉଡି ଯାଇ କୁଣ୍ଢେଇ ପକାଇବାକୁ,ହେଲେ ସେଦିନର ଘଟଣା ଓ କରୋନା କଟକଣା ଯେମିତି ଗୋଡ ଦୁଇଟାକୁ ତାର ବାନ୍ଧି ପକାଉଥିଲା!ଧୀରେ ଧୀରେ ଦୁଇପାଦ ଆଗଉ ଆଗଉ ନା'କର ମାଆର କଥା ତା'କା ନରେ ବାଜି ଯାଇଥିଲା-ଆଲୋ,ତୋ ଗାଧୁଆ ଘରଟା ଆଗ ମତେ ଦେଖା,ମୁଁ ଗୋଡ ହାତ ଧୋଇ ପକାଏ,ତା'ପରେ କଥା ହେବି!ଯନ୍ତ୍ର ଚାଳିତ ପରି,ଡରି ଡରି ତାନି କିଛି ବୁଝି ନ ପାରି ତାକୁ ଗାଧୁଆ ଘରକୁ ନେଇଯାଇଥିଲା,ମନ ଭିତରେ ତା'ର ଅନେକ ଆଶଙ୍କା ଓ ପ୍ରଶ୍ନ ଯେମିତି ଉବୁଟୁବୁ ହେଉଥିଲା!ତା'ପ୍ରଶ୍ନିଳ ଆଖିକୁ ଅନାଇ ନା'କର ମାଆ ଗୋଡ଼ ହାତ ଧୋଉ ଧୋଉ କହିପକାଇଥିଲା-ଆଲୋ,ତୋ ଶାଶୁଙ୍କ ଫୋନ ପାଇକି ମୁଁ କେମିତି ଆସିନଥାନ୍ତି କହିଲୁ?ତୁ ସିନା ମତେ ମନେ ପକାଉନୁ,ମୁଁ ପରା ଫି ଦିନ ତୋରି ପାଇଁ ଦୀପଟିଏ ବସେଇକି ଶୁଭ ମନାସୁଛି! ଏତକ ଶୁଣି,ସତେ ଯେମିତି ତାନିର ଦେହରେ ଜୀବନ ପଶି ଯାଇଥିଲା!ଯଦିଓ ଶାଶୁଙ୍କ ଫୋନ ଓ ନା'କର ମାଆର ଆସିବା ସବୁ ଯେମିତି ଚମତ୍କାର ଭଳି ଲାଗୁଥିଲା,ହେଲେ ଆସ୍ୱସ୍ତିର ରଙ୍ଗଟା ତା'ମୁହଁରେ ବୋଳି ହୋଇ ଯାଇଥିଲା! ନା'କର ମାଆକୁ କୁଣ୍ଢାଇଧରି ଭେଁ ଭେଁ କାନ୍ଦି ପକାଇବାର ଇଚ୍ଛାଟାକୁ ସେ ଆଉ ଅଟକାଇ ପାରିନଥିଲା!



Rate this content
Log in

Similar oriya story from Inspirational