Satyabati Swain

Tragedy

3  

Satyabati Swain

Tragedy

ନାଲି

ନାଲି

5 mins
408


    


ଓହୋ ନାଲି ବାପାର କି ଖୁସି!ଉଡିବ!ବୁଡିବ!

ଚାଲିବ!ଡେଇଁବ !ଘେରାଏ ନାଚି ଯିବ!

ଖୁସିରେ ଗୀତ ବୋଲିବକି!,ନା ବଡ଼ ପାଟି କରି ଚିଲେଇବ

 ବାସ୍ତବରେ ଏସବୁ କିଛି ନ କରି ମୁଚୁକୁନ୍ଦିଆ,ଲାଜୁଆ ଲାଜୁଆ ହସ ମନେ ମନେ ହସୁଥିଲା ଯାହା।ମନର ଭାବକୁ ଲୁଚେଇ ବି ପାରୁ ନଥିଲା ।

 ଏମିତି ଖୁସି କିଏ ଅଟକେଇ ପାରେ ନା କଣ?କମ୍ ବଡ଼ କଥା ସେ ପ୍ରଥମ କରି ବାପା ହେଇଛି।।ବାପା ହେବା ଗୌରବ ଟା ସତରେ ନିଆରା।ବାପା ବାପା ଭାବର ମିଠା ପଣ ତା ଦେହ ମନକୁ ଗୋଟା ପଣେ ମିଠା ଝରଣାରେ ଭସେଇ,ଭିଜେଇ ନେଉଛି। ତୃପ୍ତିର ବାସ ଚହଟି ଯାଉଛି ନିଅଁଣ୍ଟିଆ, ଅଭାବୀ,ଜୀବନ, ଘର।ଛାଇ ହେଇ ଯାଉଛି ସବୁଜ ଛନ ଛନ ବଗିଚା ତା ହୃଦୟରେ।ଓହଳି ପଡୁଛନ୍ତି ଫେନ୍ଥା ପେନ୍ଥା ଫୁଲ।ବାଃ କି ଅଦ୍ଭୁତ ରୋମାଞ୍ଚ!

  "ତୁ ବାପା ହେଇଗଲୁ,ବାପା ।"

କି ପୁଲକ ଭରୁଛି ନାଲି ବାପା ଆତ୍ମାରେ ଏ ଛୋଟିଆ ବାକ୍ୟଟି।

ପ୍ରଥମ ଥର ବାପା ହେବା ଗୋଟିଏ କୌଣସି ବଡ଼ ଐତିହାସିକ ଘଟଣା ଠାରୁ ଆଦୌ କମ୍ ନୁହେଁ ଜୀବନ ପାଇଁ।

ଏଇ କେତେ ଦିନ ହେବ ତାର କିଛି କାମରେ ମନ ଲାଗୁ ନଥିଲା। କୁଆଡେ ଘର ଛାଡ଼ି ଯିବାକୁ ଇଛା ବି ହେଉ ନଥିଲା।ନାଲି ମା ଟି ଖାଲି ଘୁଷୁରି ହେଉଥିଲା ।ଦିନ ବାର ହୋଇ ଆସିଲାଣି କେତେ ବେଳେ କେଉଁ କଥା!ସେ ଘରେ ନଥିଲେ ଯଦି ନାଲି ମା ର କିଛି ସୁବିଧା ଅସୁବିଧା ହେଲା?

ନାଲି ମା କୁ ଦେଖି ତଟସ୍ଥ ହୋଇ ଯାଏ ନାଲି ବାପା।ମା ର କଷ୍ଟ ସତରେ କି ବିକଳ୍ପ ଅଛି କି??ଦିନ ରାତି ଯୁଝୁଥିବ।ନିଜ ଭିତରେ ଭ୍ରୂଣଟିକୁ ଥାପି ସତେ କି ତପସ୍ୟା କରୁଥିବ।ତାର ଅସ୍ତିତ୍ୱ କୁ ଉପଲବ୍ଧି କରୁ କରୁ ଆତ୍ମମଗ୍ନ ହେଉ ଥିବ।ଭ୍ରୁଣର ଆକାର ବଢିବା ସହ ମା ସମସ୍ତ ଦୁଃଖ କଷ୍ଟକୁ ପିଇ ଅପେକ୍ଷା ରଖୁଥିବ ଦୁଇଟି ଜୁଳୁ ଜୁଳୁ ଆଖି,କୁନି କୁନି ହାତ ପାଦକୁ।

 ମା ଟିଏ ସ୍ରଷ୍ଟା ଟିଏ।ସୃଷ୍ଟିର ମଝି ଖୁରାଟିଏ।।ବିଶ୍ୱର କେନ୍ଦ୍ରବିନ୍ଦୁଟିଏ। ତ୍ୟାଗ,ସହନଶୀଳତାର ଜୀବନ୍ତ ମୂର୍ତ୍ତି ଟିଏ।ନାଲି ବାପାର ନାଲି ମା ପରି ଗର୍ଭଧାରଣ,ପ୍ରସବ ବେଦନା ନାହିଁ।।କେବଳ ଦାୟିତ୍ୱ। କେମିତି ହେବାର ଚିନ୍ତା।।

ତାଙ୍କ ଘର ପାଖେ ଡାକ୍ତର ଖାନାଟିଏ ବି ନାହିଁ।।ମା ଟିଏ ଯେତିକି କଷ୍ଟ ଛୁଆକୁ ଗର୍ଭରେ ଧରି ପାଏ,ବାପା ତହୁଁ ଅଧିକ ଆଶା ଆଶଙ୍କାରେ ଥାଏ।ସବୁବେଳେ ଭୟ ଜାବୁଡି ଧରି ଥାଏ।

 ଯାହା ହେଉ ନାଲି ମା ଭଲରେ ଭଲରେ ପିଲା ଜନ୍ମ କରିଛି।ଭାରି ସୁନ୍ଦରିଆ ,ଗୁଲଗାଲିଆ, ନାଲିଆ ନାଲିଆ ଛୁଆ ।

 ଈଶ୍ୱରଙ୍କୁ କୋଟି କୋଟି ଦଣ୍ଡବତ। ନାଲି ମା କୁ ସୁରୁଖୁରୁରେ ଦି ଭାଗ କରି ଦେଇଛନ୍ତି।

 ନାଲି ବାପା ଏବେ ଆଶ୍ୱସ୍ତ। ବେଶୀ ଖୁସି ନାଲି ନାଲି ରଙ୍ଗର ଛୁଆକୁ ଦେଖି।।ସେଇପାଇଁ ସବୁଠୁ ଅଧିକ ନାଲି ଦିଶୁ ଥିଵା ପିଲା ନା ଦେଇଛି "ନାଲି"।

 ନିଶରେ ଟିକେ ହାତ ବୁଲାଉ ବୁଲାଉ କହିଲା ନାଲି ବାପା ମୋ ଛୁଆଙ୍କର ଠିକ୍ ଠିକ୍ ଯତ୍ନ ନେବୁ,ବୁଝିଲୁ ନାଲି ମା।।ଏଇ ପିଲା ଗୁଡା ବଡ଼ ହେଇ ଗଲେ ଆମର ସମ୍ମାନ ବଢାଇବେ ଜାଣିଲୁ ।

ନାଲି ମା କିନ୍ତୁ ଖୁସି ନଥିଲା।।ମା ମନ ଭୟରେ ଜଡ଼ସଡ ହୋଇ ଯାଉ ଥିଲା ।ପିଲା ମାନଙ୍କୁ ଦେଖି ତା ମୁହଁ ଶୁଖି ଯାଉଥିଲା।

ମନେ ମନେ କହୁଥିଲା ଏତେ ସୁନ୍ଦର ହେବାକୁ କିଏ କହୁଥିଲା ରେ !ସୁନ୍ଦର ହେଲେ ସବୁ ସରିଲା ଜାଣ।ଡାହାଁଣା ଆଖି ଏ ଦୁନିଆର ବଞ୍ଚେଇ ଦେବେ କି ?ଖାଲି ତ ଘୁରି ଘୁରି ଦେଖିବେ,ନଜର ପକାଇବେ। ଅଲକ୍ଷଣା ଗୁଡାବେଶୀ ସରାଗ ଏଇ ନାଲି ରଙ୍ଗ ପିଲା ମାନଙ୍କ ଉପରେ।।କଳେ ବଳେ କୌଶଳେ ହାସଲ କରିବେ ସ୍ୱାର୍ଥୀ,ଅବିବେକୀ ଅମଣିଷ ଗୁଡାକ!ଛି ।

 ସୁନ୍ଦର ହେବା ବି ଆଜିକାଲି ଗର୍ବର ବିଷୟ ନ ହୋଇ ମୁଣ୍ଡ ବିନ୍ଧାର କାରଣ ହେଉଛି।ବେଳେ ବେଳେ ଲାଗୁଛି ଅତି ସୁନ୍ଦରତା ଗୋଟିଏ ଅଭିଶାପ!

 ଟିକେ ବଡ଼ ହେଲେ ଟାଣି ଝାମ୍ପି ନେବେ ନିଜ ପାଖକୁ,ନିଜ ସଉକ ପାଇଁ।।ଯିବା ଆସିବା ବି ମୁସ୍କିଲ ହୋଇ ଯିବ ଏକା ଏକୁଟିଆ।ବାପା ମାଙ୍କ ଛାତି ତଳ ସୁନ୍ଦର ଛୁଆର ମୁହଁ ଦେଖି ଆତ୍ମତୃପ୍ତିରେ ଭରି ଉଠିଲା ବେଳେ ଭୟଟିଏ ଫୋଡି ପକାଏ ଆଶଙ୍କାରେ,ଆତ ଙ୍କରେ ସେମାନଙ୍କ ହୃଦୟ।

 ମା ମନକୁ ମନ କହୁଥିଲା ତମେ ମାନେ କାଳିଆ,କେମ୍ପା, କୁଜା,ନ ହୋଇ ଏମିତି ସୁନ୍ଦର କାହିଁକି ହେଲ ?କେଉଁଠି ଲୁଚାଇ ରଖିବି ତୁମକୁ ରେ ପିଲେ!କେତେ ଡାହୁକ ଆଖି ବୁଲୁଛି ଛଞ୍ଚାଣ ପରି।।କେତେ ବେଳେ କେଉଁ କଥା।ତାଙ୍କ ଘର ପିଲା ମାନଙ୍କୁ ବଡ଼ ହେବାକୁ ବେଶୀ ସମୟ ଲାଗେ ନାହିଁ ନା।

 "ମା ଆତଙ୍କିତ,ଆଶଙ୍କିତ,ବିଚଳିତ ବି" ଏମିତି ନାଲି ରଙ୍ଗର ପିଲାଙ୍କୁ ତାଙ୍କ ଦୁନିଆଁର ଚାହିଦା ବେଶୀ।କେତେ ଘଟଣା ଏପରି ସେ ଦେଖିଛି ଏଠି।

କେତେ ଅସହାୟ ଗୋଟିଏ ମା। ପିଲା ଜନ୍ମ କରିବାରେ ଯେଉଁ ଅବର୍ଣ୍ଣୟୀୟ ଯନ୍ତ୍ରଣା! ପିଲାକୁ ଦେଖିଲା ପରେ ଉଭେଇ ଯାଇଥାଏ କୁଆଡେ ଆପେ ଆପେ। ଏବେ କିନ୍ତୁ ମା ଟିଏ ପ୍ରସବ ବେଦନା ସହ ଆଗାମୀ କଥା ଚିନ୍ତାକରି ଦୁର୍ବଳ,ଅସହାୟ ହୋଇ ପଡୁଛି ବେଶୀ ବେଶୀ।

ମାର ଚିନ୍ତାକୁ ସତ କରି ସବୁ ପିଲାଙ୍କ ମଧ୍ୟରେ ବଡ ପିଲା ନାଲିଟି ଧାଉଁ ଧାଉଁ ବଢ଼ି ଯାଉଛି।

ତା ବଢିବା ଦେଖି ହୃତ ସ୍ପନ୍ଦନ ଗତି ବଢି ଯାଉଛି ପ୍ରବଳ ବେଗରେ ମା ର।।ହାର୍ଟ ଆଟାକ୍ ହେବକି ନାଲି ମାର!

       ହେ ନା ମ ଏ ଗରିବ ଗୁରିବାଙ୍କର ପରା ତେନ୍ତୁଳି ଛାଟ ପରି ଚେମେରା ଜୀବନ! ଏତେ ଶୀଘ୍ର କଣ ଭାଙ୍ଗେ ?ଦୁଃଖ ଅଭାବରେ ସବୁ କଷ୍ଟ ଆଘାତ ଦେହ ସୁଆ ହୋଇ ଯାଇଥାଏ।

 ନାଲି ପାଇଁ ବେଶୀ ଚିନ୍ତା ନାଲି ମାର।ବାପା କିନ୍ତୁ ଭାରି ଖୁସି।ନାଲିଟା ତାଙ୍କର ଦିନକୁ ଦିନ ବଡ଼ ହୋଇଯାଉଛି,କି ସୁନ୍ଦର ହୋଇଗଲାଣି ଝିଅଟି ଏତିକି ଦିନରେ !

ଦେଖୁନ ! ନାଲି ଟା କେମିତି ଗାବୁଲା ଗାବୁଲା ହେଇ ଗାଲାଣି ଦିନ କେଇଟାରେ !

ନିଶ୍ଚୟ ନାଲି ତାଙ୍କର ବଡ଼ ଘରକୁ ଯିବ, ବଢିଆ ଜୀବନ ଜୀଇଁବ।।ସେ ଦିନ ସେ ଗର୍ବରେ ଛାତି ଫୁଲେଇ କହିବ,ଦେଖ--ନାଲି ମୋ ଝିଅ କି ସୁନ୍ଦର,କେମିତି ଘରେ ରହିବ ଯାଉଛି,ଦେଖ ଦେଖ।

ନାଲି ମା "କଲିଜାରୁ ଲୁହ ବୋହୁଛି",ନାଲିକୁ ଦେଖି।ବାପା ପାଟିରୁ" ଲାଳ ଟପ୍ କୁଛି" ନାଲି ବଡ ଘରେ ରହିବ ଭାବି।

ସତକୁ ସେ ସୁ ଦିନଟି ନାଲି ବାପାଙ୍କ ଜୀବନରେ ଶୀଘ୍ର ଚାଲି ଆସିଲାନାଲି କୁ ଦେଖି ସମସ୍ତେ ଲୋଭେଇଲେ।।ଚଡା ଦର କଷା ହେଲା।ନାଲି ବାପାର ଖୁସି ଦେଖେ କିଏ?ସନ୍ତାନ ସୁଖ ଶିରୀ ଏକାନ୍ତ କାମ୍ୟ ବାପାଙ୍କର।ସବୁ ଭଲ ତାଙ୍କ ପିଲାଙ୍କୁ ମିଳୁ ଇଛାଟିଏ ସବୁରି ବାପା ମା ପ୍ରାଣରେ ସାଇତା ଥାଏ।ନାଲି ସେମିତି ଜୀବନ ପାଇବ ଏହାଠାରୁ ବଳି ଆନନ୍ଦ ଆଉ କଣ ଥାଇ ପାରେ!

ହେଲେ ନାଲି ମା ଗୁମୁରି ହେଲା।ନାଲିକୁ ସଫା ସୁତୁରା କଲା।ବଳେଇ ବଳେଇ ଖୁଆଇଲା।କେତେ ବୁଝାଇଲା।

 ନାଲିଲୋ!ବାହାର ଜାଗା।ଦୃଷ୍ଟ ହେବୁ ନାହିଁ।ଏଣେ ତେଣେ ବୁଲିବୁ ନାହିଁ । ମାଲିକ କଥା ମାନିବୁ।ଯାହା ଦେବେ ଖାଇବୁ।ଅଝଟ ହେବୁ ନାଇଁରେ ସୁନା । ଅମାନିଆଁ କେବେ ବି ହେବୁନି।ମା ବୁଝିଥିଲା ଆଉ ଜୀବନରେ ନାଲି ସହ ଦେଖା ହେବ ନାହିଁ।।ଝିଅଟିକୁ ସବୁଦିନ ବିଦା କରୁଛି ସେ।।ଲୁହ ଆଖି ଏରୁଣ୍ଡି ବନ୍ଧ ଡେଇଁ ଆସୁଥିଲା ଅନ୍ତର ଭିଜେଇ ନାଲି ମାର।।

ନାଲି କିନ୍ତୁ ଖୁସିରେ କୁଲୁ କୁଲୁ ହୋଇ ଡେଉଁ ଥିଲା ସେ ତାଙ୍କ ଅସନା ଘର ଛାଡ଼ି ଯିବ।।କାଚ ଚକ୍ ମକ୍ ଘରେ ରହିବ। ଆଜେ ବାଜେ ନୁହେଁ କେତେ ନୂଆ ପ୍ରକାର ଖାଦ୍ୟ ଖାଇବ। ସେଠି କିଛି ଚମତ୍କାର ଜିନିଷ ଅପେକ୍ଷା କରି ଥିବ ତା ପାଇଁ,ତାଙ୍କ ଜୀବନଠୁ,ତାଙ୍କ ଜୀଇଁବାଠୁ ଏକଦମ୍ ଭିନ୍ନ। ନାଲିର ବାପା ଏ ସବୁ ସ୍ବପ୍ନ ତା ଆଖିରେ ଭରି ଦେଇଛନ୍ତି। ସେଇଥି ପାଇଁ ନାଲି ଆଜି ଆକାଶରେ ଉଡୁଛି।

ସାଙ୍ଗ ସାଥି ଙ୍କ ଆଗେ କେତେ କଣ ଗପୁଛି ତା ଅଦେଖା ଦୁନିଆଁ ସମ୍ପର୍କରେ। ଭାଇ ଭଉଣୀ ମାନଙ୍କୁ ବଡ ପଣିଆଁ ଜାହିର କରି ଏମିତି ହେବ ସେମିତି କରିବ ମା ପାଖେ ପାଖେ ଥିବ ବାପାଙ୍କ କଥା ମାନିବ । ଜମା ଯିବା ନାହିଁ ସେଇ ଜାଗାକୁ ଯେଉଁଠି ଆମ ମାନଙ୍କ ଜୀବନ ପ୍ରତି ବିପଦ ଅଛି ବୁଝେଇ କହୁଥିଲା।

ବିଚିତ୍ର ଏ ସମ୍ପକ! ପାଖରେ ଥିଲେ କି ବାଦ! କି ବାଡ଼ିଆ ପିଟା!କିନ୍ତୁ ଦୁରେଇ ଗଲେ କେତେ ଆପଣାର,କେତେ ଲୋଭନୀୟ ଲାଗେ ଏଇ ଖୁପୁରା ଖୁପୁରୀ ଜୀବନରେ ନିଃଶବ୍ଦେ ବହୁଥିବା ନିର୍ମଳ ସେହ୍ନ ମମତା ବନ୍ଧନର ଗଙ୍ଗା ! ଏଇ ସମୟ ଟା ଡେଇଁ ଗଲେ ପରିଣତ ବୟସ ଏସବୁ ଖୋଜେ,ଝୁରେ,ପୁଣି ମିଳନ୍ତାକି ଇଛାଟିଏ କରେ। ଯାହା ଏକବାର୍ ଅସମ୍ଭବ। ଜୀବନରେ ଫେରେନି କେବେ ଶୈଶବ। ଜୀବନ" ସକାଳ କଅଁଳ ଖରାର ଧାସ" ପରି ଶୈଶବ ଟି।

ସମସ୍ତଙ୍କ ଠାରୁ ବିଦାୟ ନେଇ ନାଲି ଗଲା ମାଲିକର ବଡ଼ କୋଠା ଘର ଭିତରେ ଥିବା କାଚ ଘର ରହିବାକୁ।

ନାଲି ମା ଆଖିରେ ଆଷାଢ଼। ଛଟ୍ ପଟ୍ ହେଉଥିଲା ପରାହତ ମାତ୍ତୃତ୍ୱ ପାଇଁ। ହତା ହୃତପିଣ୍ଡ,ତା ଗେହ୍ଲେଇଟି, ଅଲଗା ହୋଇ ଯାଉଥିଲା ଶରୀରରୁ ବୋଲି।କିନ୍ତୁ ଏଇତ ତାଙ୍କ ନିୟତି!!!କିଛି ଦିନ ନାଲିକୁ କାଚ ଘର ଭଲ ଲାଗିଲା।ଭଲ ଲାଗିଲା ନୂଆ ଜାଗା ସଫା ଚିକ୍ ଚିକ୍। ନୂଆ ଖାଦ୍ୟ ସ୍ୱାଦ ବି ସମ୍ପୂର୍ଣ୍ଣ ନୂଆ ତା ପାଇଁ। ମାତ୍ର କିଛି ଦିନ।

ସବୁଥିଲା ନାଲି ପାଇଁ । ନଥିଲା ଗୋଟିଏ ଚିଜ।।ଯାହା ପାଖେ ଦୁନିଆଁର ସବୁ ଅମୂଲ୍ୟ ଧନ ସମ୍ପଦ,ଶେଷ୍ଠ ସୁଖ ସ୍ବାଛନ୍ଦ୍ୟ, ଆଳିସାନ ମକାନ୍ ଅତି ତୁଛ।ତା "ସ୍ୱାଧୀନତା"।ତା ବାହାର ଦୁନିଆଁ।

 ନାଲିର ମନେ ପଡ଼ିଲା ମା ମୁହଁ।ସେ ଏବେ ବୁଝି ପାରିଲା ତାଆସିବାରେ ସଭିଏଁ ଖୁସି ଥିବା ବେଳେ ମା କାଇଁକି କାନ୍ଦୁଥିଲା। କାହିଁକି ଶୁଖିଥିଲା ତା ମୁହଁ ! ଭାରି ମନେ ପଡ଼ିଲା ତା ଭାଇ ଭଉଣୀ,ସାଙ୍ଗ ସାଥି ,ତାଙ୍କ ଅସନା ଘର କଥା।

ଝୁରି ହେଲା ନାଲି ତା ଛାଡି ଆସିଥିବା ଜୀବନ,ପ୍ରିୟ ମୁହଁ,ସ୍ଥାନ। ଛାଟି ପିଟି ହେଲା ତା ଖୋଲା ମେଲା ମୁକ୍ତ ଜୀବନ ପାଇଁ ଖୋଜିଲା ମା। ଖୋଲା ଆକାଶ। ଆହା ଟିକିଏ ସୁଖ ଛାହିଁଲା ବୋଲି ଏତେ କିଛି ମୂଲ୍ୟ ଦେବାକୁ ପଡିଲା ତାକୁ!

 ଟିକିଏ ସୁଖ ପାଇଁ ଏତେ କିଛି ଛାଡିବାକୁ ଯଦି ପଡୁଛି ଜୀଵ ସୁଖ ଚାହେଁ କାହିଁକି ଯେ?

 ଆସିବାଟା ତା ପାଇଁ ଅତି ସହଜ ଥିଲା କିନ୍ତୁ ଯିବା ଟା! ଆଦୌ ସମ୍ଭବ ନୁହେଁ ଅନ୍ତତଃ ଏ ଜୀବନେ ସେ ବୁଝି ପାରିଥିଲା

ସେ ତ ଏବେ ମାଲିକ ଘରର ଶୋଭା ବଢ଼ାଉଛି।।ଯିଏ ଦେଖୁଛି ତାରିଫ କରୁଛି। ଇସ୍! କି ସୁନ୍ଦର ହେଇଛି ନାଲି ଟା।

ମାଲିକଙ୍କ ପୁଅ ବେଶୀ ଖୁସି"ନାଲି"କୁ ଦେଖି। ନାଲିର ବି ଭାରି ଇଛା ହେଉଥିଲା ମାଲିକ ପୁଅ ପରି ଖେଳିବାକୁ,ବୁଲିବାକୁ,ଡେଇଁବାକୁ ମନ ଇଛାରେ। ତା ଗାଡି ଚଳାଇ ଚଟାଣରେ ଟିକେ ବୁଲୁବାକୁ,ରିମୋଟ୍ ଖେଳନାରେ ଖେଳିବାକୁ।

କିନ୍ତୁ ତା ଭାଗ୍ୟରେ ଏ ସବୁ କାହିଁ ? ସେ ଯେ ଆକ୍ବାରିୟମ୍ ର "ନାଲିମାଛ" ଟା।


Rate this content
Log in

Similar oriya story from Tragedy