Banabihari Mishra

Abstract

3  

Banabihari Mishra

Abstract

ମୁଣ୍ଡି ଝାଡୁ

ମୁଣ୍ଡି ଝାଡୁ

5 mins
86


ଗତ ତିନିମାସ ହେଲା ଏ ଶାଶୁ-ବୋହୁଙ୍କ ମଧ୍ୟରେ ମନାନ୍ତର ବଢ଼ିବାରେ ଲାଗିଛି। ଆଉ ତାହାରି ଭିତରେ ପେଶି ହେଇଯାଉଛି ମନୋଜ। ବାହାଘର ପରେ ପ୍ରଥମେ ପ୍ରଥମେ ତ କିଛି ଦିନ ଠିକଠାକ୍ ଚାଲିଥିଲା। କିନ୍ତୁ ଏଇ ତିନି ମାସ ହେବ ମତାନ୍ତର ଆଉ ମତାନ୍ତରରୁ ମନାନ୍ତର ବେଶ୍ ବଢିଯାଇଥିଲା। ମାଆ ଆଉ ସ୍ତ୍ରୀଙ୍କର ଏଇ ଝଗଡ଼ା ଦିନକୁ ଦିନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଥିଲା। ଖୁବ୍ ସାଧାରଣ କଥାକୁ ନେଇ ଶାଶୁ ବୋହୁଙ୍କର ଝଗଡ଼ା ଘରଟା ଭିତରେ ଗୋଟେ ଅଶାନ୍ତିକର ପରିବେଶ ସୃଷ୍ଟି କରୁଥିଲା। ସକାଳୁ ଯାହା ଆରମ୍ଭ ହେଉଥିଲା, ରାତି ଶୋଇବା ପର୍ଯ୍ୟନ୍ତ ମୁହଁ ଫୁଲା, ପରସ୍ପରକୁ ଦେଖେଇ ଶିଖେଇ କହିବା, ଏମିତିକି ବେଳେବେଳେ ତିଥିହୀନ ଏକାଦଶୀ କରିବା ଗୋଟେ ସାଧାରଣ କଥା ହେଇଯାଇଥିଲା। ଯଦିଓ ଏସବୁ ସହ ମନୋଜ ଧୀରେ ଧୀରେ ଅଭ୍ୟସ୍ତ ହେଇଯାଉଥିଲା, ତଥାପି ମାନସିକ ସ୍ତରରେ ଗୋଟେ ବିକ୍ଷିପ୍ତ ଭାବ ତାକୁ ସବୁବେଳେ ଆକ୍ତାମାକ୍ତା କରି ରଖୁଥିଲା। ଅଫିସରେ କୌଣସି କାମରେ ମନକୁ କେନ୍ଦ୍ରିଭୂତ କରିପାରୁ ନଥିଲା। କେବଳ ସେଇଥିପାଇଁ ଅନେକ ସମୟରେ ଅଫିସ କ୍ୟାଣ୍ଟିନରେ ଖାଇଦେଇ ଗେଷ୍ଟ ହାଉସରେ ବିଶ୍ରାମ କରି ନେଉଥିଲା। ଘରର ଅଶାନ୍ତିକର ପରିବେଶ ତାକୁ ଏମିତି ଗୋଟେ ନ ଯଯୌ ତ ତସ୍ଥୌ ଅବସ୍ଥାରେ ପକାଇ ଦେଇଥିଲା ଯାହା ତା ପାଇଁ ଖୁବ୍ ଅସହ୍ୟ ଥିଲା।


ପାଖରେ ଶୁଏ, କାନରେ କୁହେ, ତା କଥା କିବା ଅନ୍ୟଥା ଯାଏ? ରାତିରେ ଶୋଇଲା ବେଳେ ମନୋଜକୁ ବାରମ୍ବାର ସେଇ ଗୋଟିଏ କଥା ଶୁଣିବାକୁ ମିଳୁଥିଲା। "ଚାଲ ଆମେ ଟାଉନରେ ରହିବା। ଯଦି ସରକାରୀ କ୍ବାର୍ଟର ମିଳୁଛି ତ ଭଲ କଥା, ନହେଲେ ଘରଭଡା ନେଇ ରହିବା"। ନିଜର ସ୍ବଳ୍ପ ଦରମାରେ ଟାଉନରେ ଘରଟିଏ ଭଡ଼ା ନେଇ ରହିବା ଅତ୍ୟନ୍ତ କଷ୍ଟକର ବୋଲି ମନୋଜ ସ୍ଥିର ନିଶ୍ଚିତ ଥିଲା। ତା'ଛଡା ମାଆକୁ ଏକୁଟିଆ ଘରେ ଛାଡି ସହରରେ ରହିବାଟା ତାକୁ ଆଦୌ ଭଲ ଲାଗୁନଥିଲା। ତଥାପି ନିତିଦିନିଆ ଏଇ ଅଶାନ୍ତିକର ପରିବେଶ ଅପେକ୍ଷା ସହରରେ ରହିବା ତାକୁ ଶ୍ରେୟସ୍କର ମନେ ହୋଇଥିଲା। ଚିନ୍ତା କରୁଥିଲା, ମାଆ କଥା ଦେଖାଶୁଣା କରିବାକୁ କକାଘର ତ ଅଛନ୍ତି, ତା'ଛଡା ସହର ତ ବେଶି ଦୂର ନୁହେଁ। ଅଧଘଣ୍ଟାର ବାଟ। ପ୍ରତିଦିନ ଗାଁରୁ ଅନେକ ଲୋକ ନିଜର କୌଣସି ନା କୌଣସି ଆବଶ୍ୟକତା ନେଇ ସହରକୁ ଯାଉଛନ୍ତି। ସେମାନଙ୍କଠାରୁ ଘରର ଖବର ଅନ୍ତର ରଖିହେବ। ଯେ କୌଣସି ସମୟରେ ଅଧଘଣ୍ଟାକ ଭିତରେ ବାଇକରେ ଆସି ଘରେ ପହଞ୍ଚି ହେବ। ସପ୍ତାହରେ ଥରେ ଦୁଇଥର ଘରକୁ ଆସି ଦେଖାଶୁଣା କରିଦେଇ ଗଲେ ଚଳିବ।


ଘରଛାଡି ମନୋଜ ଆଜି ପର୍ଯ୍ୟନ୍ତ କେବେହେଲେ ବାହାରକୁ ଯାଇନି। ସାଇକେଲରେ ଯିବା ଆସିବା କରି କଲେଜ ପଢା ସାରିବା ପରେ ଚାକିରୀ ଜୀବନ ଆରମ୍ଭ କରିଥିଲା। ଦୈନିକ ଘରୁ ଯିବା ଆସିବା କରେ। ଏମିତିକି ଦୁଇଘଣ୍ଟାର ଲଞ୍ଚ୍ ସମୟରେ ବି ମନୋଜ ଘରକୁ ଆସି ଖାଇଦେଇ ଯାଏ। କିନ୍ତୁ ବାହାଘରର ପରବର୍ତ୍ତୀ ପରିସ୍ଥିତି ଯେମିତି ହେଲା, ସେଥିରେ ଅଧିକାଂଶ ଦିନ ଲଞ୍ଚ୍ ସମୟରେ ଘରକୁ ଆସେନି।


ମନୋଜ ଗୋଟେ କଥା ଜାଣିପାରେନି, ଏ ଶାଶୁ ବୋହୁଙ୍କର ସମସ୍ୟାର ମୂଳ କୋଉଠି। ନିଜର ଅହମିକା ନା ଅସହିଷ୍ଣୁ ମନୋଭାବ। ଏଇ ଧରାଯାଉ, ସେଦିନ ସୁଦଶା ବ୍ରତରେ ମଣ୍ଡାପିଠାର ପୁର ଗୁଡରେ ନା ଚିନିରେ ହେବ। ଜଣେ କହୁଛି ଚିନିରେ ତ ଆଉ ଜଣେ ଗୁଡର ପକ୍ଷପାତୀ। ଖାଇଲା ଲୋକ କିନ୍ତୁ ଜଣେ, ମନୋଜ। ଆଉ ତାର ଏ ବାବଦରେ କୌଣସି ବାଛବିଚାର ନାହିଁ। ଗୁଡ ହେଉ ବା ଚିନି ହେଉ, ଉଭୟ ତାର ପସନ୍ଦ। ଉଭୟ ସ୍ବାଦୁକର। ମନୋଜ ଶୁଣୁଥିଲା, ମାଆ କହୁଥିଲା, "ଆମେ ଚାଷବନ୍ଦୀ ଘର। ଆମର ଆଖୁ ଚାଷ ହୁଏ। ନଥିଲା ଲୋକମାନେ ଗୁଡ ନପାଇ ଚିନି କିଣିକି ଖାଆନ୍ତି"। ବାସ୍, ଏତିକିରେ ଆହତ ନାଗୁଣୀ ପରି ରୋଷେଇ ଘରୁ ଶୁଭିଲା, "ପଇସା ନଥିଲେ ଗୁଡ ଖାଆନ୍ତି। ସେ କଳାକଳା ପୁରଗୁଡା ଧଳା ମଣ୍ଡା ଭିତରେ କି କଦର୍ଯ୍ୟ ଦିଶେ। ଛିଃ।" ଏତିକି କଥାରୁ ରାଗରୁଷା ଆରମ୍ଭ, ତା ପୁଣି ସୁଦଶା ବ୍ରତରେ। 


ମନୋଜ ସ୍ଥିର କରି ନେଇଥିଲା ସବୁଦିନିଆ ଏ ଝଞ୍ଜଟରୁ ମୁକ୍ତି ପାଇବା ପାଇଁ ତାକୁ ସହରରେ ଘରଭଡା ନେଇ ରହିବା ଉଚିତ ହେବ। ସରକାରୀ କ୍ବାର୍ଟର ପାଇଁ ଦରଖାସ୍ତ ଦେଇଦେଲା ପରେ ଚୁପଚାପ ବସିଲେ ଚଳିବନି। କୋଉ ବଡ ହାକିମ ହୁକୁମାଙ୍କୁ ଟିକେ ଧରାଧରି କଲେ ବୋଧହୁଏ ଟିକେ ଶୀଘ୍ର ମିଳି ଯାଇପାରେ। ତା'ପରେ ଭଡାଘର ଛାଡି କ୍ବାର୍ଟରକୁ ଚାଲିଯିବ। ସବୁ ସୁବିଧା ହେଇଯିବ। ଏକେ ତ ନିଇତି ଘରକୁ ଚାରିଥର ଯିବାଆସିବା କରି ପେଟ୍ରୋଲ ଖର୍ଚ୍ଚରୁ ତ୍ରାହି ମିଳିବ, ତା'ଛଡା ଶରୀର କ୍ଳେଶ ବି ଲାଘବ ହେବ। ପୁଣି ପିଲାଛୁଆ ହେଲେ ସେମାନଙ୍କ ପଢାପଢିର ବି ସୁବିଧା ହେବ।


କିନ୍ତୁ ଏଥିରେ ମୁଖ୍ୟ ସମସ୍ୟା ହେଲା ଭଡାଘର ଖୋଜିବା। ଅଫିସର କେତେକ ସହକର୍ମୀ ଆଉ ବନ୍ଧୁଙ୍କ ସହାୟତାରେ ସେ ସମସ୍ୟା ସମାଧାନ ହେଇଗଲା। ଏଥର ମାଆ ଠାରୁ ଅନୁମତି ନେବା। ଏମିତି ତ ମାଆ ତା ବୋହୁ ଉପରେ ରାଗିକି ଅଛି। ସେଥିପାଇଁ ମନୋଜ ଭାବୁଥିଲା, ମାଆ ଠାରୁ ଅନୁମତି ମିଳିବାଟା ସହଜ ହେଇଯିବ। ତଥାପି କଥାଟା ମାଆକୁ କେମିତି କହିବ ସେଇକଥା ଭାବୁଥିଲା। ସାହସ କରି ମାଆକୁ କହିଲା। ସେକଡେ ଆଗୁଆ ତିନି ମାସର ଘରଭଡା ଦିଆସରିଛି। ସେତକ ନହେଲେ ଭଡାଘର ଖଣ୍ଡେ ମିଳିବା ମୁସ୍କିଲ। ଯଦି ଠିକ୍ ସମୟରେ ସେ ଘରଟା ନିଜ ଅକ୍ତିଆରକୁ ନନେବ ତେବେ ଆଡଭାନ୍ସ ଦିଆଯାଇଥିବା ଟଙ୍କାଟା ପାଣିରେ ପଡିଲା ଜାଣ। ଏ କମ୍ ଦରମାର ଚାକିରୀରେ ଏତେ ଗୁଡେ ଟଙ୍କା ହରେଇଲେ ଭାରି ବାଧିବ।


ପୁଅର ଏ ଘରଛାଡିବା କଥା ଶୁଣି ମାଆ ଏକାବେଳକେ ହତବାକ୍ ହେଇଗଲା। ଲୁହ ଛଳଛଳ ଆଖିରେ ବୋହୁର ସବୁକଥା ମାନିବ ବୋଲି ପ୍ରତିଶ୍ରୁତି ଦେଇ ଘର ଛାଡିବା ନିଷ୍ପତ୍ତିରୁ ଓହରି ଯିବାପାଇଁ ମନୋଜକୁ କେତେ କହିଲା। କିନ୍ତୁ ଆଗୁଆ ଦିଆଯାଇଥିବା ଘରଭଡା ଟଙ୍କାଟା ଆଉ ମିଳିବନି ଆଉ ପୁଅର ଆର୍ଥିକ କ୍ଷତି ହେବ ଜାଣି ବହୁତ କଷ୍ଟରେ ରାଜି ହେଲା। 


ମନୋଜ ଯାଇ ସହରରେ ରହିବାର ତିନି ମାସରୁ ଉପର ହେଲାଣି। ୟା ଭିତରେ ତା ସ୍ତ୍ରୀକୁ ତେଲଲୁଣର ଅସଲ ଭାଉ ଜଣା ପଡିଲାଣି। ଖାଲି ଅଳ୍ପ କିଛିଦିନ ଅନ୍ତରରେ ଗାଁକୁ ଯାଇ ଚାଉଳ ପରିବା କିଛି କିଛି ନେଇଆସେ। ଆଉ ସେଇଥିରେ ଯାହା ଯେମିତି ଚଳିଯାଏ। 


ଗାଁରୁ ସେଦିନ ମନୁଆଦି କିଛିଗୋଟେ କାମରେ ସହରକୁ ଆସିଥିଲେ। ମନୋଜ ସହ ଦେଖା ହେଇଗଲା। ମାଆର ଦେହ ଖରାପ ବୋଲି ସେ କହୁଥିଲେ। ମାଆର ଚିକିତ୍ସା ପାଇଁ ତାକୁ ଏଠାକୁ ଆଣିବା ପାଇଁ ମନୋଜ ମନେ ମନେ ସ୍ଥିର କରି ସ୍ତ୍ରୀକୁ କହିଲା। 

-- ଶୁଣ, ମୁଁ କାଲି ଗାଡି ଭଡା କରି ଗାଁକୁ ଯିବି। ମାଆ ଦେହ ଖରାପ। ତୁମେ ଯଦି ଯିବ ତେବେ ବାହାର।

-- ଯାଅ, ମୁଁ ଯାଇ ପାରିବିନି।


ସକାଳୁ ସକାଳୁ ମନୋଜ ଗାଡି ନେଇ ବାହାରିଗଲା ଗାଁକୁ। ତା ପରଦିନ ଯେତେବେଳେ ମାଆକୁ ଧରି ପହଞ୍ଚିଲା, ସେତେବେଳେ ଘରର ଅବସ୍ଥା ଦେଖି ମନୋଜ ଆଶ୍ଚର୍ଯ୍ୟ ହେଇଗଲା। ମାଆର ରହିବା ପାଇଁ ଗୋଟେ ରୁମ ସଜଡା ହେଇଛି। ମାଆର ସବୁ ଆବଶ୍ୟକ ଜିନିଷପତ୍ର ସେଇ ରୁମରେ ସଜାଡି ରଖିବା ପରେ ମାଆକୁ ନେଇ ମନୋଜ ଡାକ୍ତରଖାନାରେ ଦେଖେଇ ଆଣିଲା।


ୟା ଭିତରେ ବେଶ୍ କିଛିଦିନ ବିତିଗଲାଣି। ଏବେ ମନୋଜ ଲକ୍ଷ୍ୟ କରୁଛି ଆଉ ଶାଶୁ ବୋହୁଙ୍କର ପୁରୁଣା ଖିଟପିଟ୍ ଆଉ ନାହିଁ। ଯେବେ ପିଠା ହେଉଛି, ମନୋଜକୁ ବଜାରରୁ ଗୁଡ ଆଣିବାକୁ ପଡୁଛି। ମାଆର ମନପସନ୍ଦ ପାଣି ସନ୍ତୁଳା ପ୍ରାୟଦିନ ତରକାରୀରେ ମିଳୁଛି। ଏବେ ବେଶ୍ କିଛିଦିନ ହେଲା ଅଫିସରୁ ଫେରି ଶାଶୁ ବୋହୁ ଟୁପୁରୁ ଟାପର ହେଉଥିବାର ମନୋଜ ଦେଖୁଛି। ସିଏ ଭାବୁଥିଲା, ହୁଏତ ତା ସ୍ତ୍ରୀ ବୁଝାମଣା କରିବା ଶିଖି ଗଲାଣି ଅଥବା ମାଆ ବୋହୁକୁ ଭଲପାଇବା ଆରମ୍ଭ କଲାଣି। ତଥାପି ଏ ପରିବର୍ତ୍ତନର ଭିତିରି ରହସ୍ୟଟା ଜାଣିବା ପାଇଁ ଭାରି ଉତ୍ସୁକ ଥିଲା।


ଦିନେ ଫୁସୁଲେଇ କରି ସ୍ତ୍ରୀକୁ ପଚାରିଲା, "ଆଗରୁ ତ ମାଆକୁ ତୁମେ ଶେଉଳ ମାଛ ଭଳି ଡେଉଁଥିଲ। ଆଉ ମାଆର ବି ତୁମ ଛାଇ ଦେଖିଲେ ନାହି ଡେଉଁଥିଲା। ଏବେ ଏମିତି କ'ଣ ହେଲା ଯେ ଏକାବେଳକେ ଦି'ଜଣଯାକ ଏଭଳି ବଦଳିଗଲ?"


ଘରଣୀ ହସି ହସି କହିଲେ, "ସବୁ ସେଇ ମୁଣ୍ଡି ଝାଡୁର କମାଲ।" ମନୋଜର କୌତୁହଳ ବଢି ଯାଇଥିଲା। ପଚାରିଲା, "କେମିତି? ଟିକେ ଖୋଲିକରି କୁହ।"


"ସେଦିନ ଘର ମାଲିକ ଆସିଥିଲା। ନାଳିଟା ଭଲଭାବରେ ସଫା ହେଇ ନଥିଲା ବୋଲି କେତେ କଥା କହିଲା। ମୁଁ କ'ଣ କରବି ଯେ? ଏ ଲମ୍ବା ନଡ଼ିଆ ଝାଡୁରେ ନାଳିଟା ଯେମିତି ଜାମ୍ ହେଇଛି, ସେଗୁଡା ଯାଉନି। ମୁଁ ସେଇମିତି ମାରି ଦେଉଥିଲି। କିନ୍ତୁ ସେଦିନ ଘର ମାଲିକ ମୋତେ ଯାହା କହିଲା, ତାକୁ ଶୁଣି ମାଆ ଭିତରୁ ବାହାରି ଆସିଲେ। ତାକୁ କଡା କରି ଦି ପଦ ଶୁଣେଇଦେଲେ। 'ମୋ ବୋହୁକୁ କହିବାକୁ ତୋର ସାହସ ହେଲା କେମିତି?' ତା'ପରେ ପନିକିରେ ଝାଡୁର ଅଧାଅଧି ହାଣି ପକେଇଲେ। ବାସ୍, ତିଆରି ହେଇଗଲା ମୁଣ୍ଡି ଝାଡୁ। ସେଇ ମୁଣ୍ଡି ଝାଡୁରେ ନାଳିଟା ବଢିଆ ସଫା ହେଉଛି। ଆଉ ହଁ, ମୁଁ ଏବେ ଜାଣୁଛି, ମାଆ ମୋତେ କେତେ ଭଲ ପାଆନ୍ତି। ନିଜେ କିଛି କହିବେ ସିନା, ଆଉ କିଏ କହିଲେ ସହିବେନି। ମୋର ତାଙ୍କୁ ବୁଝିବାରେ ବେଶ୍ ଡେରି ହେଇଗଲା। ଏଣିକି ମାଆ ଏଇଠି ରହିବେ। ହଉ, ଗଲ, ଆଜି ପରା ମାଆଙ୍କର ଏକାଦଶୀ। ତାଙ୍କ ପାଇଁ ଫଳ ନେଇ ଆସିବ।" ମନୋଜ ମନେ ମନେ ହସୁଥିଲା। ଭାବୁଥିଲା, ମଣିଷର ହୃଦୟଟା ସତେ କେଡେ ବିଚିତ୍ର।


Rate this content
Log in

Similar oriya story from Abstract