ମୁନା ମାଗିଲା କ୍ଷମା
ମୁନା ମାଗିଲା କ୍ଷମା
ଦୁଇ ଦିନ ହେଲା ମୁନା ନିଖୋଜ. ଗଡିଆ, ପୋଖରୀ, ରାସ୍ତା,ଘାଟ, କୂଅ,ଜଳାଶୟ ,ସ୍କୁଲ, ସାଙ୍ଗ,ସାଥି, ଖେଳ ପଡିଆ, ବସଷ୍ଟାଣ୍ଡ, ଷ୍ଟେସନ ସବୁଆଡେ ଖୋଜି ଖୋଜି ଶେଷରେ ଥାନାରେ ଏଫ. ଆଈ. ଆର ଲେଖାଇଲେ ମୁନା ପିତା ମାତା. ଏବେ ମୁନା ଘରେ ଖାଲି ପୋଲିସ ଛାଉଣୀ. କାହାକୁ ସନ୍ଦେହ କରୁଛନ୍ତି କି? ମାଡ଼ ଗାଳି ଦେଇଥିଲେ କି ଆଦି ଅନେକ ଅଜବ ପ୍ରଶ୍ନର ଉତ୍ତର ସେମାନଙ୍କୁ ଗଜବ ଭଳି ମନେ ହେଉଥିଲା ତ ସାହି ପଡିଶା ମଧ୍ୟ ବାଦ ଯାଉନଥିଲେ. ପିଲାଟା କୁଆଡେ ଗଲା ନଖୋଜି ପ୍ରଶ୍ନବାଣ ଜର୍ଜ୍ଜରିତ ପିତା ମାତା ଦୁହିଁଙ୍କ ଆଖିରୁ ଲୁହ ଶୁଖୁ ନଥିଲା.
ଶେଷରେ ପୋଲିସ ଅନ୍ଧାରି ଘର ବାବାଙ୍କୁ ଗିରଫ କଲା ହେଲେ କିଛି ପ୍ରମାଣ ନଥିଲା ତଥାପି ବାବାମାନଙ୍କ କାରନାମା କାହାକୁ ଅଛପା ନଥିଲା. ଯୋଗକୁ ବାବାଙ୍କ ପରିଚୟ ଖୋଜୁ ଖୋଜୁ ତାଙ୍କ ପ୍ରକୃତ ନାମ ରାଜୁ ଓ ତାଙ୍କ ନାମରେ ବିଗତ କିଛି ଵର୍ଷ ପୂର୍ବରୁ ଛୋଟ ମୋଟ ଦଫା ଗଡୁଥିଲା. ତେଣୁ ପୋଲିସର ସନ୍ଦେହ ଦୃଷ୍ଟି ବାବା ଉପରେ ପଡିବାରୁ ବାବା ଅକଥନୀୟ ଯନ୍ତ୍ରଣାର ଶୀକାର ହେବା ଦେଖି ଗ୍ରାମଲୋକ ନା ବାବାଙ୍କର ନା ମୁନା ପିତା ମାତାଙ୍କର ହେବେ ଦ୍ଵନ୍ଦରେ ପଡୁଥିଲେ. ଗାଁ ଲୋକମାନଙ୍କୁ ବାବା ତାଙ୍କ ଗୁପ୍ତଧନ ଦେଇ ବିଶ୍ୱାସଭାଜନ ହୋଇସାରିଥିଲେ. ସେ ଗୁପ୍ତଧନ ସୁନା ଅଳଙ୍କାର କି ହୀରା ଲୀଳା ମୋତି ମାଣିକ ନଥିଲା ବରଂ ବାବାଙ୍କ ହାତ ପ୍ରସ୍ତୁତ ଔଷଧ ଓ ଉପଯୁକ୍ତ ପରାମର୍ଶ.ତେଣୁ ସେମାନେ ପୋଲିସ ଆଗରେ ଯୁକ୍ତି ଉପସ୍ଥାପନା କରୁଥିଲେ କି ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇପାରିଲା ଭଳି ଅନ୍ଧାରି ବାବା ତାଙ୍କ ଅତୀତ ବା ବିଗତ ଦିନର ଅପରାଧ କାର୍ଯ୍ୟକଳାପ ଛାଡ଼ି ସାଧୁ ସନ୍ଥ ମହାତ୍ମା ରୂପେ ଗ୍ରାମବାସୀଙ୍କର ଦେବଦୂତ ସାଜିଛନ୍ତି ତେଣୁ ତାଙ୍କୁ ସନ୍ଦେହ ପରିସରରେ ରଖିବା ଉଚିତ ନୁହେଁ.
ଠିକ ସେତିକି ବେଳକୁ ମୁନା ଓ ତାର କେତେଜଣ ସାଙ୍ଗ ପହଞ୍ଚି ଯାଇଥିଲେ. ମୁନା କହିଥିଲା, ଖରାଦିନେ ଘରପୋଡି ଠାରୁ ବିପତ୍ତି ନାହିଁ.ତେଣୁ ପାଖ ଗାଁରେ ଘର ପୋଡି ଦୁର୍ଦ୍ଦଶା ଭିତରେ ଥିବା ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼େଇ ତାଙ୍କ ସେବା ପାଇଁ ସେ ସାଙ୍ଗମାନଙ୍କ ସଙ୍ଗେ ଚାଲି ଯାଇଥିଲା. ଘରେ ଜଣେଇ ପାରିନଥିବାରୁ ସେ ଯେତିକି ଦୁଃଖ ପ୍ରକାଶ କରିଥିଲା ଅନ୍ଧାରି ବାବା ସନ୍ଦେହ ପରିସରରୁ ବାହାରି ସେତିକି ଖୁସି ହୋଇଥିଲେ. ପିତା ମାତା ପ୍ରଥମେ ମୁନା ଉପରେ ରାଗି ଥିଲେ ବି ଯେତେବେଳେ ଜାଣିଲେ,ଏ ଖରାଦିନେ ଡହ ଡହ ଖରାରେ ଘରପୋଡି ଯାଇଥିବା ଲୋକଙ୍କୁ ସେବା ଯୋଗାଇବା ସହ ଗରୀବ ଦୁସ୍ଥ ଅସହାୟ ଲୋକଙ୍କ ସହିତ ପଥିକ ତଥା ବାଟୋଇ ମାନଙ୍କ ପାଇଁ ଜଳଛତ୍ର ସେବା ଯୋଗାଇ ଚାଲିଥିଲା ମୁନା, ସେମାନେ ଶାନ୍ତ ପଡିଗଲେ ଆଉ ମୁନା ଯୋଗୁଁ ଅନ୍ଧାରି ବାବା କଷ୍ଟ ପାଇଥିବାରୁ ତାଙ୍କୁ କ୍ଷମା ମାଗିବାକୁ ଉପଦେଶ ଦେଇଥିଲେ. ମୁନା ମଧ୍ୟ ନିଜ ଭୁଲ ବୁଝି ସେପରି କରିଥିଲା.ମୁନା ପିତା ମାତା, ମୁନା ଯେ ଗୋଟେ ଭଲ ମଣିଷ ହେବାର ସ୍ବପ୍ନ ସତ ହେବ ବୋଲି ହୃଦୟଙ୍ଗମ କରି ଖୁସି ହେଉଥିଲେ.