Sachidananda Kar

Others

3  

Sachidananda Kar

Others

ମୁହଁ ଲୁଚା ମଣିଷ

ମୁହଁ ଲୁଚା ମଣିଷ

2 mins
333



       ତିନି ଦିନ ହେଲାଣି।ଅସରାକୁ ଅସରା ବର୍ଷା ଲାଗିଛି।ଖାଲ,ବିଲ,ଗଡିଆ, ପୋଖରୀ ସବୁ ପୂରିଗଲାଣି।ବର୍ଷା ଛାଡିବାକୁ ନାହିଁ।

       ବର୍ଷା ପ୍ରତି ଏବେ ଲୋକଙ୍କର ବିରକ୍ତିବୋଧ ଖୁବ୍।ହେଲେ ବର୍ଷା ତା' ବାଟରେ।

      ସନାତନ ଜାଣିଗଲା ଆଗକୁ ନିଶ୍ଚୟ ବିପଦ ଆସୁଛି।ନଦୀରେ ପ୍ରବଳ ବନ୍ୟା ଆସିପାରେ।ବନ୍ୟା ଜଳ କୂଳ ଟପି ବିଲବାଡି ବୁଡାଇ ଦେଇପାରେ।ଗାଆଁ ଭିତରକୁ ପଶି ଆସିପାରେ ।

      ନିଜକୁ ପ୍ରସ୍ତୁତ କରିନେଲା ସନାତନ।ଚୁଡା,ଗୁଡ,ବିସ୍କୁଟ୍,କିରାସିନି ଘରେ ସାଇତି ଦେଲା।

      ଆଗାମୀ ସାତ ଦିନ ପାଇଁ ବେଶ୍ ନିଶ୍ଚିନ୍ତ ଥିଲା ସେ।

      ଦ୍ବିପହର ବେଳକୁ ଗାଆଁରେ ବନ୍ୟା ଜଳ ପଶିଗଲା।ସାରା ଗାଆଁରେ ହୋ ହାଲ୍ଲା।ମଣିଷଖିଆ ବାଘଟେ ଗାଆଁ ଭିତରକୁ ପଶି ଆସିଛି ଯେମିତି।ଗୋରୁ ଗାଈ ପିଲା ଛୁଆ ଧରି ସମସ୍ତେ ବନ୍ଧ ଉପର ଆଡ଼କୁ ଧାଇଁଲେ।

       ନଦୀ ବନ୍ଧ ଉପରେ ଥିଲା ସନାତନ।ଘରକୁ ଫେରିଆସିଲା।

       ଘର ପାଖରେ ପହଞ୍ଚି ସନାତନ ଦେଖିଲା ତଳ ସାହି ରାଧୁଆ ଯେନାର ସ୍ତ୍ରୀ ପିଲାମାନଙ୍କୁ ଧରି ଦୁଆରେ ଠିଆ ହୋଇଛି।

       ରାଧୁଆ ତା' ଠାରୁ ବୟସରେ ସାନ।ଦେଖିଦେଲେ ତା'ର ସ୍ତ୍ରୀ ମୁଣ୍ଡରେ ଓଢ଼ଣୀ ଦେଇ ସନାତନକୁ ଲାଜ କରେ।

       ବିପଦ ବେଳରେ ଲାଜ ଗୋଟେ କ'ଣ !ସେ କହିଲା - ' ଆମ ଘର ଦୁଆରେ ଆଣ୍ଠୁଏ ପାଣି।ନଈ ଯେମିତି ବଢୁଛି ଘରେ ପାଣି ପଶିବ।ପିଲାମାନଙ୍କୁ ନେଇ ଚାଲି ଆସିଛି।ତୁମରି ଘରକୁ ଆସିବା ପାଇଁ ସେ କହିଲେ। '

       - ' ଭଲ ହେଲା।ବଡ ଝିଅ ସୁନେଇକୁ ସାଙ୍ଗରେ ଆଣିନ କି ? ' ସନାତନ ପଚାରିଲା।

       - ' ଚାରି ଦିନ ହେଲା ଘରେ କିଛି ନାହିଁ।ସୁନେଇକୁ ଆର ସାହିର ମାଗା ମଉସାଙ୍କ ନାତି କୁଶ ବାହା ହେବ ବୋଲି ଆଗରୁ କହୁଥିଲା।ସକାଳୁ ଆସି ପିଲାଟା ଘରେ ବସିଥିଲା।ତା'ର ଏକା ଜିଦ୍,ସୁନେଇକୁ ସାଙ୍ଗରେ ନେଇ କରି ଯିବ।ଇଏ ସୁନେଇକୁ ତା' ସାଙ୍ଗରେ ପଠେଇ ଦେଲେ।' ରାଧୁଆର ସ୍ତ୍ରୀ କହିଲା।

       - ' ସତରେ ନା କ'ଣ ! ' ସନାତନର ଆଶ୍ଚର୍ଯ୍ୟର ସୀମା ନ ଥିଲା।

       - ' ହଁ, ଇଏ କହିଲେ, ସୁନେଇ ଯାଉ।ବଢ଼ି ଛାଡିଗଲେ କୁଶ ସାଙ୍ଗରେ ତା'ର ବାହାଘର କରିଦେବା। ' ରାଧୁଆର ସ୍ତ୍ରୀ କହିଲା।

       ମୃତ୍ୟୁ ଆଖିମିଟିକା ମାରିଲେ ,ମୁଣ୍ଡ ଉପରକୁ ବିପଦ ମାଡ଼ି ଆସିଲେ , ଦାୟିତ୍ୱ ତୁଟାଇ ଦେବାକୁ ମଣିଷ କେତେ ଆତୁର ନ ହୁଏ ସତରେ ! ସନାତନ ମନକୁମନ କହି ପକାଇଲା।

       - ' ସେ ଗଲା କୁଆଡ଼େ ? ' ପୁଣି ପଚାରିଲା ସନାତନ।

       - ' ସେ ବନ୍ଧ ଆଡ଼କୁ ଗଲେ।କହୁଥିଲେ କ'ଣ ରିଲିଫ ଆସିବ ବୋଲି। ' ରାଧୁଆର ସ୍ତ୍ରୀ କହିଲା।

       - ' ହଉ, ତୁମେ ସବୁ ଭିତରକୁ ଯାଅ।ମୁଁ ତାକୁ ଦେଖୁଛି। ' ସନାତନ କହିଲା, ପରେ ବନ୍ଧ ଆଡକୁ ମୁହାଁଇଲା।

       ନଈବନ୍ଧରେ ଲୋକ ଭିଡ଼।ପାଟିତୁଣ୍ଡ ଲାଗି ରହିଥିଲା।

       - ' ରାଧୁଆ ! ' ନଈ ବନ୍ଧରେ ମୁହଁ ଶୁଖେଇ ବୁଲୁଥିବା ରାଧୁଆକୁ ଦେଖି ପାରି ପାଟିକରି ଡାକିଲା ସନାତନ।

       ସନାତନକୁ ଦେଖି ପାରି ମୁହଁ ଲୁଚେଇ ଦେଲା ରାଧୁଆ । ଭିଡ ଭିତରେ ଲୁଚିଗଲା।


Rate this content
Log in