Buy Books worth Rs 500/- & Get 1 Book Free! Click Here!
Buy Books worth Rs 500/- & Get 1 Book Free! Click Here!

Minata Barad

Drama Tragedy


3  

Minata Barad

Drama Tragedy


ମସଲା ଦୋସା

ମସଲା ଦୋସା

3 mins 400 3 mins 400

ହଷ୍ଟେଲ୍ ରେ ରହି ପାଠ ପଢା ଆଉ ପାଠ ପରେ ପରେ ଚାକିରି। ଦଶମ ଶ୍ରେଣୀ ପରେ ଜୀବନ ଯେମିତି ଘର ଛଡା ହୋଇ ବୁଲୁଚି। ଘରର ସ୍ୱାଦ କହିଲେ ଦଶହରା, ଧାନକଟା ଆଉ ଖରା ଛୁଟିରେ ହିଁ ମିଳେ। ମା’ ହାତ ରନ୍ଧା ତରକାରି, ଶାଗ, ମଣ୍ଡାପିଠା, କାକରା, ପୋଡ ପିଠା ଆଉ ସବୁଠୁ ଶ୍ୱାଦିଷ୍ଟ ମା’ କୋଳ। ସବୁ ଯେମିତି ବାଣ୍ଟି କୁଣ୍ଟି ହେଇ ସମୟ ନିର୍ଘଣ୍ଟ ହିସାବରେ କଟି ଯାଏ। ଘରର କାମ କରିବାକୁ ସମୟ ହିଁ ମିଳେନି। ଯଦିଓ ସମୟ ମିଳେ ମା’ କଥାକୁ ଗାଲୁରେ ପେଲି ଦେଇ ସାଂଗ ସାଥି ଘର ବୁଲିବା, ମାମୁଁ ଘର,ମାଉସି ଘର, ଭୋଜି ଭାତ ଇତ୍ଯାଦିରେ ସମୟ ସଫା ହେଇଯାଏ। ମା’ ଯଦି କେବେ ଇମୋସ୍ନାଲ୍ ବ୍ଲାକ୍ ମେଲ୍ କରେ ତେବେ ଦୟା ଆସେ କିଛି କାମରେ ହାତ ମାରିବା ପାଇଁ। ସେତେବେଳେ ସେ କନ୍ଥା କଚାଠୁ ଆରମ୍ଭ କରି ଘାସ କଟା ସବୁ କାମ ଲଦି ଦିଏ। ସବୁ କାମ ଯେମିତି ସେମିତି କରି ହୁଏ। କିନ୍ତୁ ନୋଳରେ ବିରି ବାଟିବା ଆଉ ଶିଳରେ ବେଶର ବାଟିବା କାମଟା ନିହାତି କଷ୍ଟ ଦାୟକ। ଘରେ ଗ୍ରାଇଣ୍ଡର୍ ଥିବା ସତ୍ୱେ ମାତା ମହାଶୟା ସବୁ ବାଟିବେ। ସେ ପୁଣି ମୋ ଭଳିଆ ନିରିହ ଶ୍ରମିକ ଲଗେଇ। ମା’ ମନରେ କଷ୍ଟ ଦବା ଯେମିତି ମୋ ଜାତକରେ ନାହିଁ। ନାକ କାନ ଟେକି ବାଟେ। ମଝିରେ ଶହେ ଥର ଡାକ ପକାଏ ଚିକ୍କଣ ହେଲା କି ନା ପରୀକ୍ଷା କରିବା ପାଇଁ। ମା’ ରାଗିଯାଏ ଆଉ କହେ “ଥାଉ ଥାଉ ମୁଁ କରିବି।” ବାଧ୍ଯ ହୋଇ କାମଟି ମତେ ହଁ ଶେଷ କରିବାକୁ ପଡେ। 


ଏବେ କିନ୍ତୁ କଥା ନିଆରା। ବାହାରେ ଏକା ରହିଲେ ସବୁ ବଟା ଛେଚା ଗ୍ରାଇଣ୍ଡର କରିଦିଏ। ମୋ ପାଖରେ କିନ୍ତୁ ଗ୍ରାଇଣ୍ଡର ନାହିଁ। ଭଡା ଘର ସେଥିରେ ପୁଣି ଏକୁଟିଆ ମଣିଷ। ଏତେ ସରଂଜାମ କିଏ ରଖୁଚି। ଗୋଟିଏ ମାତ୍ର ଭରସା ହେମଦସ୍ତା। ହେଲେ ଚକୁଳି ଖିଆ ଆବଶ୍ଯକତା ତ’ ହେମଦସ୍ତା ପୁରଣ କରିପାରିବନି। ତାକୁ ଗ୍ରାଇଣ୍ଡର୍ ନିହାତି ଦରକାର। ଘର ମାଲିକ ଭାରି ଭଲ। ଯେତେବେଳେ ଯାହା ଆବଶ୍ଯକ ସବୁ ଦିଅନ୍ତି। ତେଣୁ ଗ୍ରାଇଣ୍ଡର୍ ର ଆବଶ୍ଯକତା ତାଂକ ଠାରୁ ପୁରଣ ହୋଇଯାଏ। 


ଆଜି ମସଲା ଦୋସା ଖାଇବାକୁ ଇଚ୍ଛା। ସକାଳୁ ସକାଳୁ ବିରି ଚାଉଳ ଭିଜେଇ ଦେଇଚି। ଗ୍ରାଇଣ୍ଡର୍ ଖୋଜିଲା ବେଳକୁ ଓନର୍ ମାଉସି କୁଣିଆ ଘର ଯାଇଚନ୍ତି। ଦି ଦିନ ପରେ ଫେରିବେ। ବିକଳ୍ପ କହିଲେ ମାଉସିଙ୍କର ନୋଳଟେ ପଡିଚି। ମୁଁ ବି ତ ସିଦ୍ଧହସ୍ତ। ମା’ ମୋର ସବୁ ସିଖେଇ ଦେଇଚି। ଚିନ୍ତାର କାରଣ ନାହିଁ। ଅପରାହ୍ନ ଚାରିଟାରେ ବାହାରିଲି ଅଭିଯାନରେ। ଅସ୍ତ୍ର ଶସ୍ତ୍ର ଧରି ଯୁଦ୍ଧକ୍ଷେତ୍ରକୁ ଆସି ଦେଖେ ତ ନୋଳଟି ଭାରି ଅପରିଷ୍କାର ହେଇଚି। ଦଶ ଗରା ପାଣି ଢାଳିଲେ ବି ଗନ୍ଧ ଯିବନି। ପାଖରେ ଆଉ ଗୋଟେ ବିକଳ୍ପ ଅଛି। ଭଂଗା ପଥରଟେ। ବେଳେ ବେଳେ ଔଷଧ ବଟା ହବାର ମୁଁ ଦେଖିଚି। ତେଣୁ ତାକୁ ପରିଷ୍କାର କଲେ ସେ ଶିଳର କାମ ଦବ। ତା ପୁଆ ମଧ୍ଯ ଛୋଟ। ଔଷଧ ସିନା ହେଇଯାଏ, କିନ୍ତୁ ବିରି ବଟା ତ କଷ୍ଟ ପଡିବ ଏଥିରେ। ତଥାପି ମୁଁ ଅଭିଯାନରୁ ଓହରିନି। ପିଢା ପକେଇ ପୁରୀ ପଣ୍ଡା ବେଶର ବାଟିଲା ଭଳି ବସି ପଡିଲି। 


ଭଙ୍ଗା ପଥରଟା। ହାତରେ ମୁଠାଏ ଚାଉଳ ବିରି ରଖିଲେ ବି ଗଳିଯିବାର ସମ୍ଭାବନା। ସେପଟେ ବଟା ଚାଉଳ ବି ବୋହିଯିବ। ସଂପୂର୍ଣ୍ଣ ସତର୍କତାର ସହ କାମଟି କରିବାକୁ ହେବ। ଘସି ହବା ପଥରଟିର ଦୈର୍ଘ୍ଯ ଖାଇବା ଚାମଚର ଦୈର୍ଘ୍ଯ ସହ ସମାନ। ଦୁଇ ହାତରେ ଯାବୁଡି ଧରି ତାକୁ ଘସିବା ମଧ୍ଯ କଷ୍ଟ। ଯେମିତି ସେମିତି ପ୍ରଥମ ମୁଠା ଟା ବାଟି ଦେଲି। ତା ପରକୁ ପର ଥୋଇ ଚାଲିଲି। ବିରି ବଟା ଅଧା ହେଲା ବେଳକୁ ମୋ ହାତ ଅକର୍ମଣ୍ଯ ହେଇଗଲା। ଆଙ୍ଗୁଠି ଗୁଡା ନିର୍ଜିବ ଆଉ ଡେଣା ଦିଇଟା ଶିଥିଳ। ଆଙ୍ଗୁଠିର ଅଗ୍ର ଭାଗ ସ୍ଥାଣୁ ପାଲଟି ଗଲା। ଇଚ୍ଛା ହଉଥିଲା ବିରି ଚାଉଳ ତୋରଣି କୁଣ୍ଡରେ ଢାଳି ଦେଇ ଶୋଇପଡନ୍ତି ଯାଇ। କିନ୍ତୁ କଥାଟା ସହଜ କି? 


ମା’ କଥା ଭାରି ମନେ ପଡିଲା। ଘରେ ଥିଲେ କେତେ ଝାଡି ହେଇ ଥାଆନ୍ତି। ନାକରେ କାନ୍ଦିଥାଆନ୍ତି। ଏଠି କ’ଣ ଉପାୟ ଅଛି? ସେ କେମିତି ସବୁ କରେ ବିନା ପ୍ରତିବାଦରେ। ସମସ୍ତଙ୍କ କଥା ବୁଝେ, ଘର ଓଳା, ଗାଈ ଗୁହାଳ ପୋଛା ଟିକିନିଖି ସବୁ କାମ। ଏଇ ବିରି ବଟା ଆଉ ବେଶର ବଟା କାମଟା ତା ବାଁ ହାତର ଖେଳ ପରି। ତାକୁ କ’ଣ କିଛି କଷ୍ଟ ହୁଏନି? ଯଦି ବି ହୁଏ, ଅଭିଯୋଗ ଭରା ଦରଖାସ୍ତଟା କାହା ହାତରେ ଧରେଇବ? ମୁଁ ବୁଝିପାରେ ସବୁ କିଛି। କିନ୍ତୁ ନିରୁପାୟ। ସହି ଆସିବା ତାର ଧର୍ମ ହୋଇଛି। ସେ ନିର୍ବିକାର ପାଲଟି ଗଲାଣି। ବିରି ବାଟି ଚକୁଳି କରିବା କାମଟା ଯେମିତି ତା ପାଇଁ କିଛି ନୁହେଁ। ଆଖି ଭିଜି ଗଲା ମୋର। 


ଅପରାହ୍ନ ଚାରିଟାରୁ ସଂଧ୍ଯା ଛଅ। ଦିର୍ଘ ଦୁଇ ଘଣ୍ଟାର ଶକ୍ତ କଶରତ ପରେ ମୋର ବିରି ବଟା ସରିଲା। କାମଟା ନିହାତି କଷ୍ଟ ଦାୟକ ଥିଲା। ମୁଁ କିନ୍ତୁ ହାର ମାନିଲି ନାହିଁ। ମା’ କେମିତି ଅଦୃଶ୍ଯରେ ପ୍ରେରଣା ଦେଇଯାଏ ଭାବି ବସିଲି। ଏବେ ମୋର ଆଙ୍ଗୁଠି ସେମିତି କଷ୍ଟ ଅନୁଭବ କରୁଚି। ମୁଁ କିନ୍ତୁ ଖୁସି। ମସଲା ଦୋସା ଆଜି ଭାରି ସୁଆଦିଆ ଲାଗୁଛି। କ’ଣ ପରିଶ୍ରମ ପାଇଁ ନା ମା’ ର ପ୍ରେରଣା ପାଇଁ! ପେଟ ପୁରା ଖାଇଲି ହେଲେ ଫଟୋ ଦିଇ ଟା ଉଠେଇ ମା’ ପାଖକୁ ପଠେଇବା ପାଇଁ ଭୁଲି ଗଲି। 


Rate this content
Log in

More oriya story from Minata Barad

Similar oriya story from Drama