Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bibhu Samanta

Drama Crime Inspirational

3  

Bibhu Samanta

Drama Crime Inspirational

ମୃଣ୍ମୟୀ

ମୃଣ୍ମୟୀ

6 mins
156


ସେଦିନ ସନ୍ଧ୍ୟାରେ ବାଲକୋନିିରେ ଚା ପିଉ ପିଉ ସରୋଜ କହିଲେ, ବୁଝିଲ ମିନୁ ଏଥର ପୂଜାଟା ପୁରା ବର୍ଷାରେ ଧୋଇ ହୋଯିବ। ଏଇ ଦେଖୁନ ଷଷ୍ଠୀରୁ ତିନି ଦିନ ଯାଏ ବର୍ଷା । ଦେବୀ ମା ବି ଦେଖି ଦେଖି ନୟାନ୍ତ ହେଲେଣି ଏ ପାପୀ ମଣିଷ ଗୁଡାଙ୍କୁ। ମହିଷାସୁର ତ ସବୁ ବର୍ଷ ବଧ ହେଉଛନ୍ତି କିନ୍ତୁ ପର ବର୍ଷ ! ଆଉ ଜଣେ ମହିଷା କୁଆଡୁ ଆସେ? ସେ କଣ ଖାଲି ଏମିତି ଦୁଷ୍ଟ ସଂହାର ପାଇଁ ଆସୁଥିବେ? ନା, ଏଥର ଆଉ ମୁଁହ ଚାହିଁବେନି ଏମାନଙ୍କର। ଆରେ ଦେଖୁନ ପୂଜାମଣ୍ଡପରେ ଦି ହାତ ଯୋଡି ଭକ୍ତିପୂତ ପ୍ରଣାମ କରୁଥିବା ଲୋକଟି ବାହାରକୁ ଆସି କେମିତି ପର ସ୍ତ୍ରୀ ଗୁଡାକୁ ବୁଲି ବୁଲି ଦେଖେ ରୋମାଣ୍ଟିକ ଗୀତ ଗାଇ। ସତରେ ମା'କୁ ଭିତରେ କେତେ କଷ୍ଟ ନ ହେଉ ଥିବ କହିଲ ? ଭିତରେ ପକୁଡି ପାଇଁ ପିଆଜ କାଟୁଥିବା ମିନୁ କଥା ଶୁଣୁଶୁଣୁ ନିଜ ଆଙ୍ଗୁଠି କାଟିଦେଇଛି ଅନ୍ୟମନସ୍କରେ । ରକ୍ତରେ ଲୁଗା କାନି ଭିଜା । ଡରିକି ଚିତ୍କାର କଲା । ଧାଇଁ ଆସିଲେ ସରୋଜ ମିନୁ୍ର କଷ୍ଟ ଦେଖି ବ୍ୟସ୍ତ ହୋଇ ପଡିଲେ । ସାଙ୍ଗେ ସାଙ୍ଗେ ଔଷଧ ଲଗେଇ ପଟି କରି ଦେଲେ । ମିନୁ ଆଖିରେ ଦି ଧାର ଲୁହ । ସାମାନ୍ୟ ବିରକ୍ତ ହୋଇ କହିଲେ, ଏମିତି ଅନ୍ୟମନସ୍କ ହୋଇ କାମ କଲେ ଖଣ୍ଡିଆ ହେବନି? ଥାଉ ତମେ ଆଉ ପକୁଡି କରନି ମୁଁ ବାହାରୁ ନେଇ ଆସୁଛି । ମିନୁ କହିଲା,ଯାହା ହେଲା ସବୁ ତମ ପାଇଁ, ତମ କଥା ଶୁଣୁଶୁଣୁ ହାତ କାଟିଦେଲି। ମୋତେ ଏବେ ଭାରି କଷ୍ଟ ହେଉଛି। କେତେ ରକ୍ତ ଚାଲିଗଲା ମୋର। ମୁଁ ଆଜି ରୋଷେଇ କରି ପାରିବିନି। ସଞ୍ଜୁ ବୁଝିଗଲେ ମିନୁ ଏମିତିକା। ଭାରି ସୁକୁମାରୀ ଟିକେ ବି କଷ୍ଟ ସହି ପାରେନି ଟିକେ ଟିକେ କଥାରେ କାନ୍ଦି ପକାଏ। ଆଉ କଥା ନ ବଢ଼େଇ ସେ କହିଲେ, ଠିକ ଅଛି ଆଜି ରାତି ପାଇଁ ବାହାରୁ ଖାଇବା ନେଇ ଆସିବି।

ସଞ୍ଜୁ ବାହାରିଲେ ବଜାର ଜଳଖିଆ ଆଣିବାକୁ। ସୋଫାର ଗୋଟେ କୋଣରେ ବସିଥିଲେ ମିନୁ। ତାଙ୍କୁ ବଜାର ବାହାରିବା ଦେଖି କହିଲେ,ତମେ ବୋଧେ ଭୁଲି ଯାଇଛ ଆଗକୁ ଦୁର୍ଗାଷ୍ଟମୀ। ବିସ୍ମିତ ହୋଇ ଚାହିଁଲେ ସରୋଜନା ଭୁଲିବି କଣ ପାଇଁ? ମନେ ଅଛି ତ ଗୁରୁବାର ପଡୁଛି ଏଥର। ଭଲ ଦିନ ମନ୍ଦିର ଯିବା । ଦର୍ଶନ କରି ଆସିବା। ମିନୁ କ୍ଷଣିକ ପାଇଁ ଚାହିଁ କହିଲା, ଆଛା, ସବୁ ମନେ ଅଛି ତ? ଏକଥା ବି ମନେ ଥିବ ଯେ ମୋର ନୂଆ ଶାଢ଼ୀ ନାହିଁ ବୋଲି। ସଞ୍ଜୁ କହିଲେ, ହଉ ନେଇ ଆସିବା ଏଇଟା ଗୋଟେ କଥା! ମିନୁ କହିଲା, ଏବେ ତ କହିଲ ଷଷ୍ଠୀରୁ ବର୍ଷା। କୋଉଦିନ ଆଉ ଯିବା। ତମକୁ କୋଉ ସମୟ ହେଉଛି ଯେ? ମୁଁ ସେ ଓଦା ହେଇ ଯିବିନି ଶାଢ଼ୀ କୁଣିବାକୁ । ସରୋଜ ନିରୁପାୟ ହୋଇ କହିଲେ, ଚାଲ ତେବେ ଯିବା। 

- ଯିବି ଯେ ହେଲେ ତମେ ମତେ ଚାଟ ଖୋଇବ ତ ମୋତେ? ଆଉ ତା ସାଙ୍ଗେ ଆଇସକ୍ରିମ ବି।

ଆଛା, ଏଟା କଣ ଜୋରିମାନା।

 ନା,ପୂଜା ବକ୍ସିସ । ହସି ଉଠିଲେ ଦୁହେଁ। 


ସରୋଜ ଆଉ ମିନୁ ଗାଡି ପାର୍କ କଲେ ସହରର ଗୋଟେ ନାମୀ ଦାମୀ ଦୋକାନ ପାଖେ। ପୂଜା ପାଇଁ ବଜାର ପୁରା ଭିଡ଼। ହେବନି କେମିତି? ଦଶହରା ବୋନସ ପାଇଥିବେ ସବୁ। ପୂଜା କଣ ଖାଲି ପୂଜା ଗାଁ ହେଉ କି ସହର ସେ ନେଇ ଆସେ ନୂଆ ଏକ ଉନ୍ମାଦ ଏକ ଅଦୃଶ୍ୟ ଲହରୀ ଯେଉଁଥିରେ ଭିଜେ ପୁରପଲ୍ଲୀ। କାଶତଣ୍ଡି ଶ୍ୱେତ ଚାମର ହଲେଇ କିଏ ଯେମିତି କହିଦିଏ ଉଠ ସଜ ହୋ ଦେଖ ମୁଁ ଆସିଛି ତୋ ପାଖକୁ କଇଁ ଫୁଲରେ ନାଲି ଅଳତାର ରଙ୍ଗ ନେଇ,ବରଷକ ପରେ ପୁଣି ତୋ ସଂଗେ ଟିକେ ସୁଖଦୁଃଖ ହେବା ପାଇଁ। ସହର ଟା ସଜେଇ ହୋଇଛି ଆଲୋକ ମାଳାରେ କେବଳ ତାଙ୍କ ଆଗମନ ପାଇଁ। ପାର୍ବଣର ମହକରେ ଦୁଲୁକୁଛି ପୁରା ସହର ଦୁହେଁ ହାତ ଧରି ଗଲେ ଦୋକାନ ଭିତରକୁ କିଛି କିଣିବାକୁ। ମିନୁ ପାଇଁ ସରୋଜ ଶାଢ଼ୀଟିଏ ବାଛିଦେଲେ ଆଉ ମିନୁ ତାଙ୍କ ପାଇଁ ସାର୍ଟଟିଏ। ଶାଢ଼ୀ ମିନୁ୍ର ଖୁବ ପସନ୍ଦ ହେଲା ଆଉ ସରୋଜଙ୍କୁ ସାର୍ଟଟି ଖୁବ ମାନୁଥିଲା। ଦୁହେଁ ଗଲେ ପଇସା ଦେବା ପାଇଁ କାଉଣ୍ଟର ପାଖକୁ। ସେଠି ଆଗରୁ ଲମ୍ବା ଧାଡି। ମିନୁ ଏତେ ଭିଡ଼ ଦେଖି କହିଲା, ମୁଁ ପଇସା ଦେଇ ଆସୁଛି ତମେ ଯାଅ ଗାଡି ବାହାର କର। କାଉଣ୍ଟରରେ ପଇସା ଦେଲାବେଳେ ସେ କର୍ମଚାରୀଟି ଫୋନ ନମ୍ବର ପଚାରିଲା। ମିନୁ ଦେଲା ନମ୍ବର। ଆଉ ପଇସା ତୁଟେଇ ଆସିଲେ ବହାରକୁ। ଠିକ ଏତିକି ବେଳେ ତାଙ୍କ ଦେହରେ ଜଣେ ଲୋକ ବାଡେଇ ହୋଇ ଚାଲିଗଲା ମିନୁ ଅପ୍ରସ୍ତୁତ ଥିଲା ଆଗକୁ ଝୁଙ୍କି ପଡିଲା। କିଛି କହିବା ପୂର୍ବରୁ ତା ଫୋନଟି ବାଜି ଉଠିଲା। ମିନୁ ଫୋନ କାଢି ଦେଖିଲେ କେତେ ଗୁଡ଼େ ମେସେଜ ଆସିଛି। ଖୋଲି ପଢିଲା ବେଳକୁ ତା ମୁଣ୍ଡ ଗରମ ହେଇଗଲା। କେହି ଜଣେ ଅଶ୍ଳୀଳ ମେସେଜ ଲେଖି ପଠେଇଛି। ଆଖିରୁ ଦି ଧାର ଲୁହ ଝରିଗଲା ରାଗରେ। କିଏ ଏମିତି କରିଛି ଭାବିଲା ବେଳକୁ ଆଉ ଗୋଟେ। ଭାବିଲା ସରୋଜଙ୍କୁ ଜଣେଇବେ। ତରତର ହୋଇ ଆସିଲା ବେଳକୁ ସେ ଦୋକାନ ବାହାରେ ପୁଣି ଜଣେ ତା ଦେହରେ ଘଷି ହୋଇ ଗଲା। ଆଉ ଦୂରକୁ ଯାଇ ଅତି ବିଦ୍ରୁପ କରି କହୁଛି ସରି। ମିନୁଙ୍କ ରାଗ ପଞ୍ଚମକୁ ଉଠିଗଲା। ତା ପଛେ ଯାଇ ପଚାରିଲା, କଣ ବାବୁ ତମକୁ ଦେଖା ଯାଉନି? ସେ ଅନୁତପ୍ତ ହେବା ବଦଳେ କହିଲା,କଣ ହେଲା ଟିକେ ଯଦି ବାଜିଗଲା ଦେହ କଣ ଘୋରି ହୋଇଯାଉଛି? ଏମିତି ହେଉଛ ଯେମିତି କେହି ଆଗରୁ କେବେ ଘଷି ହୋଇନି? ମିନୁ ଦେଲେ ଗୋଟେ ଚଟକଣି। ବେଶୀ ବୟସ ନୁହେଁ ପିଲାଟିର ବୟସରେ ମିନୁ୍ ଠୁ ସାନ ହେବ ବୋଧେ। ରାଗ ଓ ଅପମାନରେ ସେ ଚାଲିଗଲା ସେଇଠୁ ମିନୁ ଚାଲିଲା ପାର୍କିଂ ଆଡେ ସରୋଜଙ୍କ ପାଖକୁ ଏତିକିବେଳେ ସେ ପିଲା ତା ସାଙ୍ଗ ସାଥି ଆସି ମିନୁକୁ ଙ୍ଘେରି ଗଲେ। ତା ଭିତରୁ ଜଣେ କହିଲା ତମେ ତା ଦେହରେ ହାତ ମାରି କିଛି ଭଲ କଲନି। ମିନୁ କହିଲା ଦେଖ ବାବୁ ସେ ଅଭଦ୍ରାମି କଲା ମାଡ଼ ଖାଇଲା। ଆପଣ ମାନେ ଏଥିରେ ପଡନ୍ତୁନି। ହେଲେ ସେମାନେ ଶୁଣିଲା ପରିସ୍ଥିତିରେ ନଥିଲେ। କିଏ ମିନୁର ବ୍ୟାଗ ଟାଣିଲାଣି ତା କିଏ ପର୍ସ। ୟା ଭିତରେ ପୁଣି କିଏ ଜଣେ ଧକା ଦେଲା ପଛରୁ ମିନୁ ପଡି ଯାଉ ଯାଉ ଧରି ପକେଇଲା ପାଖରେ ଥିବା ଲୁହ ବାଡ଼କୁ। ସରୋଜ ବି ଆସିନାହାନ୍ତି ଏଯାଏ। ଏଥର ସେ ଅଣ୍ଟାରେ ବାନ୍ଧିଲା ନିଜର ଚୁନିକୁ। ଆଉ ବାଡ଼ ପାଖକୁ ପଡିଥିବା ଗୋଟେ ଲୁହ ରଡ଼ ଗୋଟେଇ ଆଣି ଧରିଲେ ହାତରେ ଆଉ ତାପରର ଦୃଶ୍ୟ ଥିଲା କେଉଁ ଏକ ଫିଲ୍ମ ପରି ଗୋଟେ ଗୋଟେ କରି ସମସ୍ତଙ୍କୁ ପିଟି ଚାଲିଥିଲା ସେ। ଅନେକ ଦେଖାଣହାରି ଜମି ଯାଇଥିଲେ ସବୁ ନିଜ ନିଜ ମୋବାଇଲ ଧରି ଫୋଟୋ ଉଠେଇବାରେ ବ୍ୟସ୍ତ। ହେଲେ କେହି ଆଗକୁ ଆସୁ ନଥିଲେ। ଟିକେ ଆଗରୁ ହାତ କଟିଥିବାରୁ କାନ୍ଦୁଥିବା ନାରୀର ଏବେ ରଣଚଣ୍ଡୀ ରୂପ। ମାଡ଼ ଖାଇ ଯେ ଯୁଆଡେ ପଳେଇ ଥିଲେ ରହି ଯାଇଥିଲା ମୁଖ୍ୟ ପିଲାଟି। ମାଡ଼ ଖାଇସାରି ଲଜ୍ଜ୍ୟା ଓ ଅପମାନରେ ତା ମୁହଁରୁ କଥା ବାହାରୁ ନଥିଲା। ରାଗରେ ଜରଜର ମିନୁ ତଥାପି ପିଟି ଚାଲିଥାଏ ତାକୁ। କହୁଥାଏ ତୁ କଣ ଭାବୁଛୁ ନାରୀ ଖାଲି ହାତରେ ଚୁଡି ପିନ୍ଧି ଦୁଆରେ ଝୋଟି ପକେଇବା ଶିଖିଛି। ହେଲେ ଭୁଲି ଯାଅନି ସେ ତମ ପରି କେତେଟା ଅଳିଆଙ୍କୁ ରୁଟି ବେଳିଲା ପରି ଦଳି ଚକଟି ସେକି ବି ଶିଖିଛି। ଏତିକି ବେଳେ ପହଞ୍ଚିଗଲେ ସରୋଜ। ସେ ମିନୁର ଏପରି ରୂପ ଆଗରୁ କେବେ ଦେଖିନଥିଲେ। ସେ ଯାଇ ବୁଝାସୁଝା କଲା ବେଳକୁ ମିନୁ ଆହୁରି ରାଗି ଗଲା। ବଡ଼ ପାଟିରେ ଚିତ୍କାର କରି କହିଲା,ତମକୁ କେମିତି ଲାଗିଥାନ୍ତା? ଯେତେବେଳେ ଇଏ ମୋତେ ରାତିରେ ଅଭଦ୍ର ମେସେଜ ପଠେଇ ଥାନ୍ତା। ଦୃଶ୍ୟଟି ଦେଖି ଲାଗୁଥିଲା ଯେମିତି ପର୍ବତ ନନ୍ଦିନୀ ନିଜ ଶାନ୍ତ ରୂପ ଛାଡି ମହାକାଳୀ ହୋଇ ଛିଡା ହୋଇଛନ୍ତି ରଣ କ୍ଷେତ୍ରରେ। କ୍ରୋଧାଗ୍ନିରେ ଜର୍ଜରିତ, କଟାକ୍ଷରେ ଅଗ୍ନି ବର୍ଷା। ସରୋଜ ଅନେକ ବୁଝେଇବା ପରେ ମଧ୍ୟ ମିନୁ କିଛି ବି ଶୁଣିବାକୁ ନାରାଜ। ଗଣ୍ଡଗୋଳ ଖବର ପାଇ ପୋଲିସ ଆସି ପହଞ୍ଚିଲା।


ସେ ପିଲାକୁ ଗାଡ଼ିରେ ସେମାନେ ନେଇ ଗଲେ ଆଉ ମିନୁ୍କୁ କହିଗଲେ ଥାନାକୁ ଯିବାକୁ। ସରୋଜଙ୍କ ଇଚ୍ଛା ନଥିଲା ସେ ଥାନା ପୋଲିସ ପାଖକୁ ଯିବାକୁ। ବାଧ୍ୟ ହୋଇ ଗଲେ ଏତେ ବଡ଼ ଗଣ୍ଡଗୋଳ ଯେତେବେଳେ ଥାନା ଇନ୍ସପେକ୍ଟର ଜଣେ ମହିଳା ହୋଇ ଥିବାରୁ ଘଟଣା ଭଲରେ ଶୁଣିଲେ। ଏବଂ ସେ ପିଲାକୁ ପଚାରିଲା ଠୁ ସେ ମାନିଲା ସବୁ କଥା ତା ଠୁ ଫୋନ ଆଣି ଦେଖିଲେ ଯେ ସେ ହିଁ କରିଛି ସେ ସବୁ ଅଭଦ୍ର ମେସେଜ ସବୁ। କାଉଣ୍ଟର ପାଖେ ଯେତେବେଳେ ମିନୁ ଦେଉଥିଲା ନମ୍ବର ସେ ସେଇଠୁ ନେଇ ଏମିତି କରିଥିଲା। ପିଲାଟିକୁ ମାଡରେ ପାଟିରୁ ରକ୍ତ ବାହାରୁଛି। ଆଉ ସେ ଭୟରେ ଅଚେତ ହୋଇଯାଇଛି।ଇନ୍ସପେକ୍ଟର ସରୋଜଙ୍କୁ ପଚାରିଲେ, ୟାକୁ ଆପଣ ମାରିଛନ୍ତି?ସରୋଜ ହଁ କି ନାହିଁ କଣ ଯହିଁବେ ଜାଣି ପାରୁ ନଥିଲେ। ଏତିକି ବେଳେ ମିନୁ କହିଲା ,ନା ସେ କିଛି କରି ନାହାନ୍ତି। ମୁଁ ମାରିଛି। ମ୍ୟାଡାମ କହିଲେ,ଏମିତି କଣ କେହି ମାରେ? ଜାଣନ୍ତି ସେ ମରି ଯାଇଥାନ୍ତା ଯଦି ... . ସରୋଜ କହିଲେ, ସରି ମ୍ୟାଡାମ... ଭୁଲ ତ ହେଇଯାଇଛି। ତା ଚିକିତ୍ସାରେ ଯାହା ଖର୍ଚ୍ଚ ହେବ ଆମେ କରିବୁ। କିନ୍ତୁ ଦୟାକରି କିଛି କେସ କରନ୍ତୁନି। ଏତିକି ବେଳେ ମିନୁ କହିଲା,ନାହିଁ ମ୍ୟାଡାମ ମୁଁ ନିଜେ ସ୍ୱାଭିମାନ,ନିଜ ଇଜ୍ଜତ ନିଜେ ରକ୍ଷା କରିଛି। ଯଦି ମୁଁ ମାରିନଥାନ୍ତି ଆଜି ମୁଁ ହୁଏତ କୋଉ ଗଳିରେ ପଡି ଭୋକିଲା କୁକୁରର ଆହାର ହେଉଥାନ୍ତି ନହେଲେ କୋଉ ଛବିରାଣୀ ପରି ନଈ ପଠାରେ ପଡ଼ିଥାନ୍ତି। କେତେଦିନ ଆଉ ଆମ ଝିଅଙ୍କୁ ଶିଖେଇବା, ଚୁପ ରହି ବାପା ,ଭାଇ ,ସ୍ୱାମୀ ପାଖେ କାନ୍ଦି କାନ୍ଦି ଅଭିଯୋଗ କରିବା। କିଛି ପ୍ରତିବାଦ ନ କରି ତାଙ୍କ ପାଖେ ନିଜକୁ ନିର୍ଦୋଷ ବୋଲି ପ୍ରମାଣ କରିବା। ଏଇଥିପାଇଁ ସେ ଶକ୍ତିକୁ ଆବାହନ କରୁ? ମ୍ୟାଡାମ ଥିଲେ ନିରୁତ୍ତର। ପଚାରିଲେ ଆପଣ ଙ୍କ ନାଁ? ଆପଣ କଣ କରନ୍ତି? ସରୋଜ କହିଲେ, ମୃଣ୍ମୟୀ ଦାସ ହାଉସୱାଇଫ । ହେଲେ ମିନୁ ମୁଣ୍ଡ ଟେକି ଉତ୍ତର ଦେଲା ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀ ଓ ଜଣେ ଅବସରପ୍ରାପ୍ତ ସୈନିକର ଝିଅ । ପିଲାଟି ବେଳୁ ଶିଖି ଆସିଛି ଅନ୍ୟାୟର ପ୍ରତିବାଦ କରିବା। ଇନ୍ସପେକ୍ଟର ମ୍ୟାଡ଼ାମ ମନେ ମନେ ଗୁଣି ହେଉଥିଲେ ନାଁ ଟି।


ଗାଡି ପାଖେ ପହଞ୍ଚି ମିନୁ ଚାବି ମାଗିଲା ସରୋଜ ମନା କଲେ। ମିନୁ ଚୁପଚାପ ତାଙ୍କ ଠୁ ଚାବି ନେଇ ଗାଡ଼ିରେ ଲଗେଇଲା। ସରୋଜ ଦେଖିଲେ ମିନୁୁ ହାତରେ ଚୁଡି ଭାଙ୍ଗି ପଶି ଯାଇଛି । ରକ୍ତ କେତେବେଳୁ ବୋହି ଶୁଖି ଯାଇଛି। ହେଲେ ଆଶ୍ଚର୍ଯ୍ୟ ଯେ ଟିକେ ଆଗରୁ ଆଙ୍ଗୁଠି କଟିଗଲେ କାନ୍ଦୁଥିଲେ ସେ ଏବେ କଠୋର। ସରୋଜ ହାତ ଧରି କାଢ଼ିଦେଲେ ଭଙ୍ଗା ଚୁଡିର ଅଂଶ। ଫେରିବା ରାସ୍ତାରେ ଶୁଭୁଥିଲା ଚଣ୍ଡୀପାଠର ଶ୍ଳୋକ ସବୁ। ଭାସି ଆସୁଥିଲା ଝୁଣା ଧୂପର ବାସ୍ନା, କେହି ଜଣେ ତାଙ୍କ ସୂକ୍ଷ୍ମ ଚେତନାକୁ ଜାଗ୍ରତ କରି କହୁଥିଲା, ଯେତେ ଯାଏ ମଣିଷ ମନ ଭିତରେ ଏ ପାପୀ ମହିଷା ବଞ୍ଚିଥିବ ତାକୁ ସଂହାର କରିବାକୁ ମା ଆସୁଥିବେ, ବର୍ଷା ହେଉ କି ବାତ୍ୟା ହେଉ। ହୃଦୟ ମଣ୍ଡପର ପରଦା ଫାଙ୍କାରୁ ସେ ଦେଖୁଥିଲେ ନରମ ଓଦା କଞ୍ଚା ମାଟିର ଖୋଳପା ଭିତରୁ ପ୍ରକଟ ହେଉଥିଲେ ଦେବୀ ମୂର୍ତ୍ତିଟିଏ।



Rate this content
Log in

More oriya story from Bibhu Samanta

Similar oriya story from Drama