Satyabati Swain

Thriller Drama

3  

Satyabati Swain

Thriller Drama

ମଫୁ ଛୋଟଲୋକ

ମଫୁ ଛୋଟଲୋକ

10 mins
565


ଜହ୍ନ କର ଲେଉଟାଇ ଅଣ୍ଡାଳିଲା ସୂର୍ଯ୍ୟଙ୍କୁ । ହେଲେ ସୁର୍ଯ୍ୟ କାଇଁ! ୱାସ୍ ରୁମ୍ ଯାଇଛନ୍ତି କି! ନା ତ..ସେଠି ବି ନାହାନ୍ତି । ବାଲ କୋନୀରେ ବସିଛନ୍ତି କି! ଏମିତି ବେଳେବେଳେ ଉଠି ବସି ଗଣନ୍ତି ତାରା । ଦେଖନ୍ତି ସାମନା କୃଷ୍ଣଚୂଡ଼ା ଗଛ ଉପରେ ଷ୍ଟ୍ରୀଟ୍ ଲାଇଟ୍ ପଡି ବିଚିତ୍ର ଦିଶୁଥିବା ଦୃଶ୍ୟ । କେବେ ଉଦାସ ହୋଇ ବସିଥିବେ ଚୁପଚାପ; କିନ୍ତୁ ପାଟି ପାକୁ ପାକୁ କରି କଥା ହୁଅନ୍ତି ନିଜ ସହ ।  ଆଉ ଦିନେ ଦିନେ ଷ୍ଟୋର ରୁମରୁ ବାହାରନ୍ତି ଗମ୍ଭୀର ହୋଇ । ସୂର୍ଯ୍ୟଙ୍କ ଗେଟ୍ ଅପ୍ ଓ ଆଟିଟୁଡ୍ ସମ୍ପୂର୍ଣ୍ଣ ବିପରୀତ ମୁଖୀ ଦୁଇ ଧାରା ପରି । ଦେଖିଲେ କେହି କହିବ ଅତି ଫ୍ୟାସନ ବୁଲ୍ ହିରୋ ଟାଇପ ଯୁବକ । କିନ୍ତୁ କାର୍ଯ୍ୟ କଳାପ ଦେଖିଲେ ଭାବିବ ମସ୍ତ ବଡ଼ ପାଗଳ । ଏ ଦୁଇଟା ରୂପ ଗୋଟିଏ ମଣିଷର ଦେଖି ବିସ୍ମୟ ହୁଏ ଗାଁ ଝିଅ ଜହ୍ନ ।

ଏ ସହରିଆ ଲୋକଙ୍କର ଭିତର ଗୋଟିଏ ବାହାର ଆଉ ଗୋଟେ । ଭାରି ହିସାବ କିତାବି ଜୀବନ ଏ ସହରିଆଙ୍କର । ଚାଲି ଚଲନ କ’ଣ କହିବ! ଗୋଟିଏ ଘରେ ଥାଇବି କେହି କାହା ସଙ୍ଗେ କଥା ହେବା ବିରଳ । ଶଶୁର ଶାଶୁ ଭୋରୁ ଉଠି ମର୍ନିଂ ୱାଲକ୍ ଯାଆନ୍ତି । ସୂର୍ଯ୍ୟ ଯାଆନ୍ତି ଜିମ୍ । ନଣନ୍ଦ ରିତା ଅଛନ୍ତି ଯେ ଉଠିବେ ଯେତେବେଳେକୁ ଆଲାର୍ମ ଦେଇଥିବେ । ରବିବାର ତ ବାର କି ଗୋଟିଏ ହୋଇଯିବ ରାଣୀ ମାଆଙ୍କର ଉଠିବା । ନାଁଟି କେଡେ ସୁନ୍ଦର ! ସିନୋରୀତା । ହେଲେ କହିବେ ଭାଉଜ ପ୍ଲିଜ଼ ମୋତେ ରୀତା ଡାକିବନି । ମୋତେ ଡାକିବ ରୀ ।

ଆଶ୍ଚର୍ଯ୍ୟ ହୁଏ ମନେ ମନେ ଜହ୍ନ । ନାଁ ପରି ଚୁଟି ଗୁଡା ବି କାଟିକୁଟି ଏଡିକି ବକଟେ ବକଟେ ତାଙ୍କର  ।  କିନ୍ତୁ ସୂର୍ଯ୍ୟ ଟିକି ଚୂଳ ପରି ବାନ୍ଧନ୍ତି କେରାଏ ଚୁଟି ପଛ ପଟେ । ଆରେ ଏ କି କଥା! ଭଉଣୀ ଚୁଟି କାଟି ପୁଅ, ଭାଇ ଚୁଟି ରଖି ଝିଅ! ନଣନ୍ଦ କାନ ଖାଲି । ସୂର୍ଯ୍ୟ କାନରେ ଦି’ ଦି’ଟା ନୋଳି ! ଶାଶୁବି ଚିପା ପ୍ୟାଣ୍ଟ ଓ କୁର୍ତ୍ତି ଗଲାଇ ପକାନ୍ତି । ଶଶୁର ଥ୍ରୀ ଫୋଲଡ୍ ପ୍ୟାଣ୍ଟ । ସୂର୍ଯ୍ୟ ପିନ୍ଧନ୍ତି ଶଶୁରଙ୍କ ଠାରୁ ଆହୁରି ଛୋଟ ପ୍ୟାଣ୍ଟ । ଦେହରେ କାହାର ରୁମ୍ ଟିକିଏ ନାହିଁ ।  ଲୋମ ସଫା କ୍ରିମ ଲଗାଇ ଟାୱେଲରେ ରଗଡି ରଗଡି ଘଷନ୍ତି ଘରର ପ୍ରତ୍ୟେକ ସଦସ୍ୟ । ସବୁ ଲୋମ ଟାୱେଲକୁ ଜଡେଇ ଧରନ୍ତି ପ୍ରେମିକ ପରି । ନିତିଦିନିଆ ରୁଟିନ ତା’ ଶାଶୁ ଘରର ଏସବୁ । ସପ୍ତାହକୁ ଥରେ ଶାଶୁ, ଶଶୁର, ନଣନ୍ଦ ବିୟୁଟି ପାର୍ଲର ଓ ସ୍ପା ଯିବା ଥୟ । ଟାଣନ୍ତି ଜହ୍ନକୁ । ଶାଶୁଶଶୁର ଓ ନଣନ୍ଦ ବହୁ ବାଧ୍ୟ କରନ୍ତି ପାର୍ଲର ଓ ସ୍ପା ଯିବାକୁ ଜହ୍ନକୁ ।

କେଜାଣି ଜହ୍ନକୁ ଏସବୁ ବିରକ୍ତ ଲାଗେ ।  ପ୍ରାକୃତିକ ସୌନ୍ଦର୍ଯ୍ୟରେ ସେ ତ ଜହ୍ନ ଭଳି ଜଳେ ବୋଲି ମା’ ତା ନାଁ ଦେଇଛି ଜହ୍ନ ।  ସେ ପୁଣି ଆଉ କି ସୁନ୍ଦର ହେବାକୁ ଯିବ! । ଏଣୁ ସେ ଏସବୁ କୃତ୍ରିମତାକୁ ଭଲ ପାଏନି । କିନ୍ତୁ କେହି ଯଦି କରେ ସେଥିରେ ତାର ଆପତ୍ତି ନଥାଏ । ନିହାତି ସରଳ ନିଶ୍ଚିନ୍ତ ସୁନ୍ଦର ସଂସ୍କାରୀ ବୋହୂ ପାଇଁ ଶାଶୁଶଶୁର ସମସ୍ତେ ଗର୍ବିତ । ବହୁତ ଭଲ ପାଆନ୍ତି ତାକୁ । ନଣନ୍ଦ ଅଳସେଇ କୁହେ ମୋ ଭାଉଜ କାଚ । ମୋ ଗେଲ୍ଲୀଟା । କିନ୍ତୁ ...

କିନ୍ତୁ ପରେ କ’ଣ ଯୋଡିବ ଖୋଜି ପାଏନି ଜହ୍ନ ଯଦିଓ ଅସମ୍ପୂର୍ଣ୍ଣ ବାକ୍ୟକୁ ଶୀଘ୍ର ସଫଳ କରିବାରେ ସେ କ୍ଲାସରେ ପ୍ରଥମ ହେଉଥିଲା । କିନ୍ତୁ କ’ଣ ପଚାରିଲେ ନଣନ୍ଦ କୁହନ୍ତି ନାଇଁ ସେ କିଛି ନୁହେଁ । ତୁମେ ବୁଝିପାରିବ ନାହିଁ ।  ରୀ ଡାକ ଭଲ ନ ଲାଗିବାରୁ ରିଟା ଡାକେ ଜହ୍ନ ନଣନ୍ଦଙ୍କୁ । ଦିନେ ରୀଟା ସାଙ୍ଗ ମାନେ ଆସିଥିଲେ ଲଞ୍ଚ ଖାଇବାକୁ ନିମନ୍ତ୍ରଣରେ । ସେଇ ଦିନ ସେ କିନ୍ତୁ ପରେ କ’ଣ ଯୋଡ଼ା ହେବ ଜାଣିଗଲା । ତାଙ୍କ ସାଙ୍ଗ ଲିଷ୍ଟରେ ପୁଅ ଥିଲେ ଅଧିକ ଝିଅ ଥିଲେ ଅତି କମ୍ । ପଚିଶ ଜଣଙ୍କ ମଧ୍ୟରେ ଝିଅ ମାତ୍ର ତିନି ଜଣ; ବାକିତକ ପୁଅ ସାଙ୍ଗ । କି ହେଁ ହେଁ ଫେଁ ଫେଁ ହେଉଥାନ୍ତି । ଜହ୍ନ ତା ରୁମ୍ ରେ ଥାଏ । ସୂର୍ଯ୍ୟ ଶୋଇଥାନ୍ତି ମୁହଁମାଡି । ରୀଟା ତାଙ୍କ ସାଙ୍ଗ ମାନକୁ ଜହ୍ନ ରୁମ୍ କୁ ନେଇ ଆସିଲେ । ସାଙ୍ଗ ମାନଙ୍କ ଚାହାଣି କଥା ବାର୍ତ୍ତା ସେତେ ଭଲ ନଥିଲା । ସେମାନେ ରିଟାକୁ କହିଲେ ତୁମ ଭାବିଜାନ୍ ଯୋଖା ମାଲ୍ ଟିଏ । କିନ୍ତୁ ଷ୍ଟାଇଲ ପୁରା ଚୂଡ଼ା, ଢୋଲ । ସେମାନେ ଫେରି ଯାଉ ଯାଉ କହୁଥିଲେ ଭାରି ସୁନ୍ଦରୀଟା ତୋ ଭାବିଶ୍ରୀ । କିନ୍ତୁ କ’ଣ ହେବ ନିପଟ ମଫ, ଗାଉଁଳିଟା, ଛୋଟଘର ଝିଅ, ଛୋଟ ଲୋକୀଙ୍କ ହାଵ ଭାଵ । ତାଙ୍କୁ ଟିକେ ସହରି ହାଵ ଭାଵ ଶିଖା । ବିଶ୍ୱାସ ହେଉ ନାହିଁ ଏଇ ଝିଅଟି ଏଡ଼େ ବଡ଼ କଲେଜର ପାଠ ପଢାଏ ! ଇଂଜିନିୟରିଂ ପିଲା ଯେଉଁ ଛତରା ସେମାନେ ମାନନ୍ତି ତୋ ମଫ ଭାବିଶ୍ରୀଙ୍କୁ ! ବିଚାରୀ ଏତେ ପଢିଛନ୍ତି ବୋଲି ମୋଟେ ଲାଗୁନି ମ୍    ଓ....ରିଟା କିନ୍ତୁ କହି ଅଟକି ଯାଆନ୍ତି ଏଇ ପାଇଁ ! ଜହ୍ନ ଏତେ ଦିନେ ଜାଣିଲା । କିନ୍ତୁ ଦେହକୁ ଦେଖେଇ ନଦେଖାଇବାର ଡ୍ରେସ ନ ପିନ୍ଧିବା, ପାର୍ଲର କି ସ୍ପା ଯାଇଁ କୃତ୍ରିମ ରୂପଚର୍ଯ୍ୟା ନ କରିବା, ଅଳସ ନ ହୋଇ ଖାଇବା ପିଇବା, ସବୁ କାମରେ ଅନ୍ୟ ଉପରେ ଆଶ୍ରା ନ କରିବାର ଅନ୍ୟ ନାମ କ’ଣ ମଫ କି! ସେ ତ ତାଙ୍କ ଗାଁରେ ସବୁଠୁ ବଡ଼ ଧନୀ ! ସେ ଚୌଧୁରୀ ଘରର ଝିଅ; ପୁଣି ଛୋଟ ଘର, ଛୋଟ ଲୋକଙ୍କ ଝିଅ କେମିତି ହେଲା ! ହଁ ସେ ଆଧୁନିକତାର ଧାର ଧାରେନି ତା ବୋଲି ଛୋଟ ଘର, ଛୋଟ ଲୋକଙ୍କ ଝିଅ ହେବ...ଭାରି ଟିକେ ଆବଶ୍ୟକତା ଠାରୁ ଅଧିକ କାଟିଲା ଜହ୍ନକୁ ।

ସବୁ ଭଲ ଭିତରେ ଅଣ ନିଃଶ୍ଵାସୀ ହୋଇ ପଡେ ଜହ୍ନ । ସେ ବି ଜଣେ ଇଞ୍ଜିନିୟରିଙ୍ଗ କଲେଜ ଅଧ୍ୟାପକ  । ସେ ବି ଆଧୁନିକା । କିନ୍ତୁ ଅଶ୍ଳୀଳ କି ସ୍ବେଚ୍ଛାଚାରୀ ନୁହେଁ । ପରିପୂର୍ଣ୍ଣ ସ୍ନେହ ମମତା ଜଡ଼ସଡ ପରିବାର ଜୀବନ ପାଇଁ ସେ ଝୁରେ ।  ପିନ୍ଧିକି ଲଂଗଳା ଦେଖା ଯାଉଥିବା ସଭ୍ୟତା ସେ ଆପଣେଇ ପାରେ ନାହିଁ । ଚୌଧୁରୀ ଜଗ ଜୀବନ ରାମ ଦି’ ଗଡ଼ କରିବା ଲୋକ । ନ୍ୟାୟ ନିଶାପରେ ସେ ପର ଆପଣା ବୁଝନ୍ତି ନାହିଁ । ନିରପେକ୍ଷ ବିଚାର ତାଙ୍କର ।  ତାଙ୍କ ଝିଅ ହୋଇ ଛୋଟ ଡ୍ରେସ ପିନ୍ଧିବା, ପାର୍ଲର ଯିବା, ପୁଅ ସାଙ୍ଗ ପଲେ ଆଣି ଘରେ ଖୁଆଇବା, ହେଁ ହେଁ ଫେଁ ଫେଁ ହେବା ସେ କରି ପାରନ୍ତା କି! ବାପା ଠିଆ ଚିରି ଦେବେ । ବାପା କୁହନ୍ତି ଅଧିକ ଶିକ୍ଷିତ ବ୍ୟକ୍ତି ଅଧିକ ନମ୍ର, ବିନୟୀ ହୁଏ । ଜ୍ଞାନୀ ଲୋକ ଦେଖେଇ ହୁଏନି । ତାର କାର୍ଯ୍ୟ କଳାପ କହିଦିଏ ସେ ଶିକ୍ଷିତ, ଜ୍ଞାନୀ । ହେଲେ ଏ ସହରେ ସବୁ ଓଲଟା କ’ଣ ଯେ । ଶାଶୁ ବି ବେଳେବେଳେ ଶଶୁରଙ୍କୁ କୁହନ୍ତି ମଫ ଝିଅଟିକୁ ବୋହୂ କଲ, ଟିକେ ଶିଖାଅ ତ ସହରି ଚଳଣି । ଆଲୋ ମା’ ଗାଁ କଥା ଅଲଗା । ଛୋଟ ଲୋକଙ୍କ ଚଳଣି ଟିକେ ଛାଡ଼ । ସ୍ମାର୍ଟ ହଅ ।

ଜହ୍ନ ଯେତିକି ଚକିତ ହୁଏ, ସେତିକି ନିଜକୁ ଚିଡ଼େ । ସେ ତ ସହରରେ ରହି ପଢ଼ିଛି, ଭଲ ପଢ଼ିଛି, କିନ୍ତୁ କୌଣସି ସହରି ସଭ୍ୟତା ତାକୁ କାବୁ କରି ନାହିଁ କାହିଁକି? ଏ ପ୍ରଶ୍ନଟି ଯେତିକି ପଚାରିଛି, ସେତିକି ଭଉଁରୀରେ ପଡ଼ିଯାଏ ସେ ।  ତାର ବଂଶ ବୁନିଆଦି, ତା’ ବାପା ମା’, ଗାଁର ସଂସ୍କାର ତାକୁ ଏମିତି ବୋଧେ କରେଇ ଦେଇନି ।  କଲେଜ ଶାଢ଼ୀ ପିନ୍ଧି ସେ ଚାଲିଗଲେ ଆଚ୍ଛା ପୁଅ ଘଡ଼ିଏ ଚାହିଁବ । ଜହ୍ନ, ଜାହ୍ନବୀ ଚୌଧୁରୀ ମାମ୍ ଙ୍କ ପଢା, ବେଶ ପୋଷାକ ସଭିଙ୍କ ପସନ୍ଦ । ସମସ୍ତେ ଆଦର ସହ ଖୁବ ସମ୍ମାନ ଦିଅନ୍ତି ତାଙ୍କୁ । କେହି ଛୋଟ ଲୋକ ବା ଛୋଟ ଘର ଝିଅ କି ମଫ କୁହନ୍ତି ନାହିଁ । ବରଂ କୁହନ୍ତି ଶିଖ କିଛି ଚୌଧୁରୀ ମାମ୍ ଙ୍କ ଠାରୁ । ମେଧାବୀ, ଅତ୍ୟଧିକ ସୁନ୍ଦରୀ, କିନ୍ତୁ କେତେ ସରଳ ମାର୍ଜିତ, ସଂସ୍କାରୀ ।

ଜହ୍ନକୁ ସବୁଠୁ ବିଚିତ୍ର ଲାଗେ ସୂର୍ଯ୍ୟ । ରାତି ଅଧାରୁ ଉଠି ସେ କୁଆଡେ ଯାଆନ୍ତି, କାହିଁକି ଯାଆନ୍ତି, ଏ ପ୍ରଶ୍ନ ଅହରହ ଦଂଶେ ଜହ୍ନକୁ । ମାସେ ହେବ ଆସି ନାହିଁ ଏ ଘରକୁ ତିନି କେଜି ଝଡି ଗଲାଣି । ପ୍ରଚୁର ସ୍ୱାଧୀନତା, ପର୍ଯ୍ୟାପ୍ତ ସ୍ନେହ ମିଳେ ଯଦିଓ ମଫ ଛୋଟ ଲୋକ ଭାବନ୍ତି ତାକୁ, ମୁହଁରେ କୁହନ୍ତିନି କେହି । କ’ଣ ଅଭାବ ବୋଲି ସେ ନିଜକୁ ଅସୁଖୀ ମଣେ ! ଦି’ଟା ରୋଲ କରେ ସେ  । ଭିତରେ ଅତି ଅସୁଖୀ, ବାହାରେ ଅତି ସୁଖୀ ବୋଲାଉଥିବା ମଣିଷ । ପାରେ ନାହିଁ ଏ ଦି’ଟା ରୋଲ ଗୋଟିଏ ମଣିଷ ହୋଇ କରି । ସୂର୍ଯ୍ୟଙ୍କୁ ପଚାରି ପାରେନି କୁଆଡେ ଯାଅ ବୋଲି । ସୂର୍ଯ୍ୟଟା ଖୁବ୍ ଗମ୍ଭୀର,ଚୁପ୍ ଚାପ୍ ସ୍ୱଭାବର ମଣିଷ । ଛଟ ପଟ ହୁଏ, ସୂର୍ଯ୍ୟ ଯାଆନ୍ତି କୁଆଡେ ଜାଣିବାକୁ ।

ପୁଣି ଏମିତି ରାତି ଅଧଟାରେ କିଏ ଉଠି ପଡି ହୁଏ କି ସୂର୍ଯ୍ୟ ପରି ! ଏଣେ ତେଣେ ଖୋଜିଲା, ଘର, ଡାଇନିଂ, କିଚେନ ଛାତ । ନାଇଁ ତ ବାଲକୋନିରେ ବି ନାହାନ୍ତି । ତେବେ ଗଲେ କୁଆଡେ ! ଜହ୍ନ ଡରିଗଲା ।  ଆଛା ପାଗଳା ହାବୁଡ଼େ ପଡିଲା । ଥିବେ ଥିବେ ସୂର୍ଯ୍ୟ କୁହନ୍ତି," ଜହ୍ନ ତୁମେ ଚେୟାର ଉପରେ କ୍ଷଣେ ଚୁପ୍ ଚାପ୍ ବସତ । ମୁଁ ଟିକେ ଦେଖେ ତୁମେ ଠିକ୍ 'ସେମିତି' ତ!"

 ଜହ୍ନ ଆବା କାବା ହୋଇଯାଏ । କ’ଣ ଇଆଡୁ ସିଆଡୁ ଗପୁଛ । ଆରେ ତୁମ ଦେହ ଭଲ ଅଛି ତ! ସେମିତି ମାନେ କ’ଣ ! ପାଗଳ ପରି ହସି ଉଠନ୍ତି ସେ । ପୁଣି ତୁନି ପଡି ଯାଇ ଚିତ୍ ହୋଇ ଚାରି କାତ ମେଲେଇ ପଡି ଯାଆନ୍ତି । ଜହ୍ନ ବଡ଼ ଅଡୁଆରେ ପଡ଼ିଯାଏ । ସୂର୍ଯ୍ୟ କ’ଣ ମାନସିକ ରୋଗୀ ! ବିକୃତ ମସ୍ତିଷ୍କ! ସେ ଡରି ଯାଏ । ଲୁହ ଟଳ ମଳ ହୋଇ ନଈ ବନ୍ଧ ବନ୍ୟାରେ ଭାଙ୍ଗିଲା ପରି ଅବସ୍ଥାକୁ ପ୍ରାପ୍ତ ହୁଏ । ସେ ଠକି ଗଲାକି ଆଉ । ତା’ ବାବା ମା’ଙ୍କ ପସନ୍ଦ ଭୁଲ କି ! ଏଇ ଏଇ ତ ନୂଆ ଦୁନିଆରେ ପାଦ ଥାପିଛି ସେ । ମାସେ ହେବ ଜହ୍ନ ଆସିଛି ସୂର୍ଯ୍ୟଙ୍କ ଜୀବନ ପରିଧିକୁ । ଉଜାଇଁଛି ତା କୁଆଁରୀ ଜୀବନ ବ୍ରତ । ନୂଆ ନୂଆ କରିଛି ସେ ବିବାହିତ ଜୀବନ ଆରମ୍ଭ । କିନ୍ତୁ ସୂର୍ଯ୍ୟ! ବିଚିତ୍ର ଲାଗୁଛନ୍ତି । ତାଙ୍କ କଥା କେମିତି ଗୋଟେ ଭିନ୍ନ ପୃଥିବୀକୁ ଇଙ୍ଗିତ କରୁଛି ।  ସକାଳୁ ସକାଳୁ ଚଲା କି ଜିମ୍ ରୁ ଫେରନ୍ତି ସମସ୍ତେ । ଠିକ୍ ଆଠଟାରେ ସକାଳ ଖିଆ ସହ ଚା କି କଫି କି ଜୁସ୍ ଯାହାର ଯାହା ପସନ୍ଦ । ସବୁ ରେଡି କରି ଦିଅନ୍ତି ଗୋପାଳ ନନା । ଭଲ ଲାଗେନି ଜହ୍ନକୁ ଏସବୁ । ହାତ ଗୋଡ଼ ଥାଇ ସମସ୍ତେ କର୍ମକୁଢି । ରୋଷେଇ କରିବେ ଗୋପାଳ ନନା । ବାସନ ମାଜିବ ମିନା, ଘର ସଫାସଫି କରିବ ସୁଷମା । ଛିଃ...ୟା’କୁ କୁହନ୍ତି ଜୀବନ! ସେ ଏସବୁ ନିଜ ହାତରେ କରନ୍ତା ସଭିଙ୍କ ମନ ଜାଣି । ସମସ୍ତେ ମିଳିମିଶି କାମ କରନ୍ତେ । ଏଣେ ବସି ବସି ଖାଇବେ ତେଣେ ଝଡେଇ ହେବାକୁ ସକାଳ ସଂଜେ ଚାଲିବେ ! କି ଜୀବନ ଏଇ ବଡ଼ ସହରିଆଙ୍କର ବା’ ।

କାଦୁଅ ପଡା ଗାଁରେ ଜହ୍ନର ଘର । ଓ ଜେଇ ପରୀକ୍ଷାରେ ଟପର୍ ସେ  । ଗୋଟିଏ ଚାଉଳରେ ଗଢ଼ା । ରୂପ ଗୁଣ ସବୁ ଖୁନ୍ଦି ଖୁନ୍ଦି ଦେଇଛନ୍ତି ଠାକୁରେ ।

ଭୁବନେଶ୍ୱର ଗୀତା ଇଞ୍ଜିନିୟର କଲେଜ ଅଧ୍ୟାପିକା ବି ।  ଗୋଟିଏ ଥର ଜହ୍ନକୁ ସପିଙ୍ଗ ମଲ୍ ରେ ଦେଖି ସୂର୍ଯ୍ୟ ଓ ତାଙ୍କ ବାପା ମା’ ପସନ୍ଦ କରି ବୋହୁ କରିବା ପାଇଁ ଜହ୍ନ ଗାଁକୁ ଯାଇଥିଲେ । ଜହ୍ନର ବାପା ଚୌଧୁରୀ ଜଗଜୀବନ ରାମ ଖୁସି ହୋଇ ପ୍ରସ୍ତାବ ଗ୍ରହଣ କରିଥିଲେ । ଜ୍ୱାଇଁ ଫିଲିମ ହିରୋ ପରି ମାରୁତି ମୋଟରସ୍ ଭୁବନେଶ୍ୱର ଜୋନର୍ ଅଫିସ୍ ସି ଇ ଓ ।  ଶଶୁର ରିଟାୟଡ଼୍ କୋରା ପୁଟ ଦାମନ ଯୋଡିର ଚିପ୍ ଇଞ୍ଜିନିୟର୍ । ସ୍ମାର୍ଟ ସିଟିରେ ଘର । ଅରାଜି ହେବାର କାରଣ ନଥିଲା । ଜହ୍ନ ବି ସେଇଠି ଚାକିରୀ ପାଇଛି ଏଇ ବର୍ଷ । ସୁବର୍ଣ୍ଣ ସୁଯୋଗ ।  ହାତଛଡା କରନ୍ତେ କି!     କିନ୍ତୁ ସବୁ ପୂର୍ଣ୍ଣତା ମଧ୍ୟରେ ଖାଲି ଶୁନ୍ୟତା ଲାଗେ ତାକୁ  । କଲେଜରୁ ଘରକୁ ଫେରିବାକୁ ଇଛା କରେନି ସେ । ତା ଅବିବାହିତ ଜୀବନ,ହଷ୍ଟେଲ ରହଣି ତା ଗାଁ ଖୁସିବାସିଆ ଜୀବନକୁ ଝୁରେ ସେ । ପାର୍ଟି ପିକନିକ୍ ଯିବାକୁ ତାକୁ ଭଲ ଲାଗେନି । ପୁଣି ସୂର୍ଯ୍ୟଙ୍କ ହଠାତ୍ ଗାଏବ ହୋଇଯିବା, ତାକୁ ମୋଡି ମାଡି ଭାଙ୍ଗି ଦିଅନ୍ତି । ସେ ଜାଣିବାକୁ ଚାହେଁ କୁଆଡେ ଯାଆନ୍ତି ସୂର୍ଯ୍ୟ ।

ରବିବାରିଆ । ଘରେ କେହି ନଥାନ୍ତି । ଗୋପାଳ ନନା ରୋଷେଇ ଘରେ ଖାଇବା ପ୍ରସ୍ତୁତ କରୁଥାନ୍ତି । ଜହ୍ନ ଗୋପାଳ ନନାକୁ ପଚାରିଲା "ନନା ସୂର୍ଯ୍ୟ ରାତି ଅଧରେ ହଠାତ୍ କୁଆଡେ ଯାଆନ୍ତି ଦିନେ ଦିନେ"?ଜିଭ କାମୁଡି ପକାଇଲେ ଗୋପାଳ ନନା । ବୋହୁ ମା ମୁଁ କଣ କହି ପାରିବି ବଡ଼ ଘର ବଡ଼ ଗୁମର କଥା । ରୋଷେଇ କରିବା ମୋର କାମ । ଘର ଲୋକେ କଣ କଲେ ମୁଁ ସେଥିରେ ମୁଣ୍ଡ ପୁରେଇବି କାହିଁକି? ନନାଙ୍କ ଉତ୍ତର ଆହୁରି ରହସ୍ୟ ଘେରକୁ ଟାଣିନେଲା ଜହ୍ନକୁ । ସେ ପୁଣି ପଚାରିଲା କହିବନି ନନା, ମୁଁ କ’ଣ ତୁମ ଝିଅ ନୁହେଁ । ଏ ଘର ଲୋକେ କେହି କାହା ସଙ୍ଗେ କଥା ହେବା ତ ସେ ଦେଖିନି । ଖାଲି ଯାହା ଡାଇନିଂ ଟେବୁଲରେ ଦେଖା । ଖାଇବା ସମୟରେ ତ କାହାକୁ ଏସବୁ ପଚାରି ହେବନି । ସୂର୍ଯ୍ୟଙ୍କୁ ତ ଜାଣ । କେତେ ମାପି ଚୁପି କଥା ହୁଅନ୍ତି । କାହା ଠାରୁ ବୁଝିବି କୁହ,ନନା । ତୁମେ କୁଆଡେ ଅନେକ ବର୍ଷ ହେବ,ଏ ଘରେ କାମ କରୁଛ । ନିଶ୍ଚୟ ଜାଣିଥିବ କୁହ ପ୍ଲିଜ଼ ନନା ।

ବୋହୂ ମା’! ବଡ଼ ବାବୁ ମା’ ଜାଣିଲେ ମୋତେ ରଖିବେନି । ଜହ୍ନ କହିଲା ସେ ସିନା କାହାକୁ ଜଣେଇଁଲେ ଅନ୍ୟ ମାନେ ଜାଣିବେ ତୁମେ କହିଛ ବୋଲି । କୁହ ନନା..ନନା ଜହ୍ନକୁ ଭାରି ଭଲ ପାଆନ୍ତି ଏତେ ଶିକ୍ଷିତା, ସୁନ୍ଦରୀ ହୋଇ ବି ଏତେ ସରଳ ବୋଲି । ଭାଙ୍ଗି ପାରିଲେନି ଜହ୍ନ କଥା । ଚୁପି ଚୁପି କହିଲେ ସୁର୍ଯ୍ୟ ବାବୁ ତୁମ ଶାଶୁଙ୍କ ପୁଅ ନୁହେଁ । ବଡବାବୁ ଦାମନ ଯୋଡିରେ ଆଉ ଗୋଟେ ସ୍ତ୍ରୀ ରଖିଥିଲେ । ଭୁବନେଶ୍ୱରରେ ଥିଲେ ତୁମ ଶାଶୁ । ତାଙ୍କର ପିଲା ପିଲି ଦଶ ବାର ବର୍ଷ ପରେ ହେଲା । ସୂର୍ଯ୍ୟ ବାବୁ କୋରାପୁଟର ଝିଅ ଜାନିର ପୁଅ । ପୁଅଟାକୁ ଜନ୍ମ କରି ସେ ମରିଗଲା । ବଡବାବୁ ତୁମ ଶାଶୁଙ୍କୁ ନେଇ ସେଠି ରଖିଲେ ଓ ଦୁଇ ବର୍ଷ ପରେ ସୂର୍ଯ୍ୟ ନିଜ ଜନ୍ମିତ ପୁଅ ବୋଲି କହିଲେ । ମାତ୍ର ସତ କ’ଣ ଲୁଚି ରୁହେ । ଜାନି ବାଆ ତାର ମଲା ଝିଅର ପୁଅକୁ ଦେଖିବାକୁ ଆସିବାରୁ ସବୁ ଜଣା ପଡିଲା । ଷ୍ଟୋର୍ ରୁମ୍ ରେ ଗୋଟିଏ ସ୍ତ୍ରୀ ଲୋକର ବଡ଼ ଫୋଟୋ ଟିଏ ଅଛି ତାଜା ଉପରେ ଖୁବ୍ ଯତ୍ନରେ । ସେଇ ସୂର୍ଯ୍ୟ ବାବୁଙ୍କ ଅସଲି ମା’ । ସୂର୍ଯ୍ୟ ବାବୁ ଦିନେ ଦିନେ ଷ୍ଟୋର ରୁମ୍ କୁ ରାତିରେ ସମସ୍ତେ ଶୋଇ ଗଲା ପରେ ଯାଆନ୍ତି । ଫଟୋ ଧରି ବହେ କାନ୍ଦନ୍ତି, ଗେଲ କରନ୍ତି, ପୁଣି ଚୁପ୍ ଚାପ୍ ଆସି ଶୁଅନ୍ତି,ବା ବାଲକୋନୀରେ ବସନ୍ତି ବା ଛାତ ପରେ ଯାଇ ତାରାଙ୍କୁ ଦେଖନ୍ତି । ସାନ ବାବୁ ଭାରି ଭଲ ମଣିଷ ବୋହୁ ମା’ । ତୁମ ଶାଶୁ ଆଦୌ ଭଲ ପାଆନ୍ତି ନାହିଁ ତାଙ୍କୁ । କେବଳ ନିଜର ପୁଅ ନାହିଁ,ଅନେକ ବର୍ଷ ପରେ ମା ହୋଇଛନ୍ତି ବୋଲି ବାଧ୍ୟ ବାଧକତାରେ ନିଜ ପୁଅ ବୋଲି ଗ୍ରହଣ କରିଛନ୍ତି । ଜରରେ ବାଉଳି ହେଲେ କି ଖଣ୍ଡିଆ ଖାବରା ହୋଇ ମା’ ମା ହେଲେ, ବଡ଼ ମା’ ଦଉଡ଼ି ଯାଆନ୍ତି ନାହିଁ । ସବୁ କରନ୍ତି ବଡ଼ ବାବୁ ।

ଦୀର୍ଘଶ୍ଵାସ ଟିଏ ଛାଡି ଜହ୍ନ ଚାଲିଗଲା ଓ ଷ୍ଟୋର ରୁମ ଯାଇ ଦେଖିଲା ସେ ଫଟୋଟିକୁ । ଅପେକ୍ଷା କଲା ସୂର୍ଯ୍ୟଙ୍କ ଆସିବାକୁ । ସୂର୍ଯ୍ୟ ଯେମିତି ଆସିଲେ ଦଉଡ଼ି ଯାଇ କୁଣ୍ଢାଇ ପକାଇଲା ଜହ୍ନ । କହିଲା, ସୂର୍ଯ୍ୟ ଆଜି ମୁଁ ଚେୟାରରେ ବସୁଛି ଦେଖତ ମୁଁ ତୁମ 'ସେମିତି' ପରି ଲାଗୁଛି ନା ନାହିଁ?ସୂର୍ଯ୍ୟ ଉତ୍ଫୁଳିତ ହୋଇ କହିଲେ ହେଉ ବସତ । ଷ୍ଟୋର ରୁମ୍ ଖୋଲି ଦେଖିଥିଲା ଜହ୍ନ ସୂର୍ଯ୍ୟ ମା’ଙ୍କ ଫଟୋ । ଖୁବ୍ ହସକୁରି ଝିଅଟିଏ । ତୋଫା ଜହ୍ନ ପରି ଦେହ । ପିନ୍ଧିଥିଲେ ଗୋଲଡ଼ ନ କଲର୍ ଶାଢ଼ୀ । ମଥାରେ ସକାଳ ଉଇଁଆସୁଥିବା ପରି ସିନ୍ଦୁର ଠୋପାଟେ । ପାଦରେ ପ୍ରେମ ଛନ୍ଦା ପାଉଜି । ହାତରେ ଚୁଡ଼ ସହ ନାଲି ପାଣି ଚୁଡ଼ି । ସେଇ ଗେଟ୍ ଅପ୍ ରେ ଜହ୍ନ ନିଜକୁ ସଜେଇ ଥିଲା ଆଉ ଅପେକ୍ଷା କରିଥିଲା ସୂର୍ଯ୍ୟ ଆସିବାକୁ ସୂର୍ଯ୍ୟ ଜହ୍ନର ହସ, ବେଶ, ବସିବା ଭଙ୍ଗୀ ଦେଖି ଭାଵ ବିହ୍ଵଳ ହୋଇ କହିଲା ହଁ ହଁ ତୁମେ ଠିକ୍ ସେମିତି ଜହ୍ନ । ଜାଵ ପଡି ଯାଇଥିଲା ଦୁଇଟି ଶରୀର କିଛି କ୍ଷଣ ।  ଦୁହିଁଙ୍କ ଆଖିରୁ ଗଳି ପଡୁଥିଲା ଖୁସିର ଲୁହ କେଇ ଟୋପା । ସୂର୍ଯ୍ୟ ସେହି କାଙ୍ଗାଳ ମଣିଷ ଟାକୁ ଠିକ୍ ବୁଝି ପାରିଥିଲା ମଫ ଛୋଟ ଲୋକ ଘରର ଝିଅ ବୋଲି ସମସ୍ତେ ଯାହାକୁ କୁହନ୍ତି ।


Rate this content
Log in

Similar oriya story from Thriller