ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ମୋହନବଂଶୀ

ମୋହନବଂଶୀ

5 mins
184


ବିଦ୍ୟୁତ୍ ବେଗରେ ଖବରଟି ଖେଳିଗଲା ସାରା ସହରରେ "ଏ ବର୍ଷ ପ୍ରବଚନ ଦେବାକୁ ଆସିଛନ୍ତି ମୃଦ୍ୟୁ ସମ୍ଭାଷିଣୀ ସୁଶ୍ରୀ ଧାରାଦେବୀ l ପାଞ୍ଚ ଫୁଟ୍ ଆଠ ଇଞ୍ଚର ଗହମ ଗୋରା ଦେହକୁ ଉନ୍ନତ କପାଳରେ କୃଷ୍ଣ ସନ୍ତକ l ବିଭିନ୍ନ ବେଦ ବେଦାନ୍ତ ପୁରାଣ, ଶାସ୍ତ୍ରର ପ୍ରତି ବାକ୍ୟ, ଶଦ୍ଦକୁ ବିଶ୍ଳେଷଣ କରି ସେ ସିଦ୍ଧହସ୍ତା l ବାସ୍ତବ କଥାକୁ ଆପଣା ଶବ୍ଦଜାଲରେ ସଜାଇବାରେ ସୁପରିଚିତା ତତ୍ ସହ ସାହିତ୍ୟ ସଂସ୍କୃତିର ଉତ୍ତର ଦାୟୀତ୍ବ ବହନକରି ସାମାଜିକ ବାର୍ତ୍ତା ଦେଇଥାନ୍ତି l 

ମିନି ଷ୍ଟାଡିୟମରେ ଲୋକାରଣ୍ୟ l ସହରବାସୀ ଆହ୍ଲାଦିତ l ମନରେ ଅନନୁଭବ ଉଦବେଳନ l ଆଜିକାଲି ଏଇ ପ୍ରବଚନ ଶୁଣିବାକୁ ଏତେ ଗହଳି l

ଯଥାରୀତିରେ ରବିବାର ସାନ୍ଧ୍ୟ ସମୟରେ ଆରମ୍ଭ ହେଲା ପ୍ରବଚନ l ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ର ଦ୍ୱାରା ସହଯୋଗୀମାନେ କୃଷ୍ଣପ୍ରେମରେ ମଞ୍ଚକୁ ପ୍ଲାବିତ କଲେ l ଅବାଳ ବୃଦ୍ଧ ବନିତା ସଭିଏଁ ଭାବବିଭୋର l ଛୁଟାଇ ଦେଉଥାଆନ୍ତି ହରିବୋଲ ହୁଳହୁଳି, କରତାଳିର ମୃଦୁଲହରୀ l ସତେ ଯେମିତି ଭକ୍ତ ଭଗବାନଙ୍କ ଅପୂର୍ବ ମିଳନର ମଧୁ ମୁହୁର୍ତ୍ତ l ଭଜନର ଅନ୍ତିମ ପାଦରେ ମାଇକ୍ରୋ ଫୋନ୍ ସମ୍ମୁଖରେ ଆନନ୍ଦକନ୍ଦ ସଚିଦାନନ୍ଦ, ଚିନ୍ମୟ ଅଶରଣ ଶରଣ, ତ୍ରିତାପ ହରଣ, ଗୋପ ଗାଆଁ ବିହାରୀ, ସଂସାରୀ କଂସାରୀ କି ଜୟ....

ବୃନ୍ଦାବନ ଧାମ କି ଜୟ....

, "ପ୍ରେମ ସେ ବୋଲୋ " କହି ଦୁଇ ହାତ ଉର୍ଦ୍ଧ୍ୱକୁ ଟେକି ରାଧେ ରାଧେ...

କହିବା ପରେ ପରେ "

ହେ କୃଷ୍ଣ କରୁଣାସିନ୍ଧୋ ଦୀନବନ୍ଧୁ ଜଗତ୍ ପତେ,

ଗୋପେଶ ଗୋପିକାକାନ୍ତ ରାଧା କାନ୍ତ ନମଃସ୍ତୁତେ l"

 ଅର୍ଥାତ ହେ ପ୍ରିୟ କୃଷ୍ଣ!ହେ ପ୍ରିୟ ମୋହନ, ଆପଣ ଦୁଃଖୀ ଜନର ବଂଧୁ ଓ ସୃଷ୍ଟିର ମୂଳ ଅଟନ୍ତି l

ପୁଣି ଆପଣ ଗୋପୀମାନଂକ ନାଥ, ଶ୍ରୀମତୀ ରାଧାରାଣୀଙ୍କର ପ୍ରେମିକ ଅଟନ୍ତି l ମୁଁ ଆପଣଙ୍କ ପଦ ଯୁଗଳରେ ଭକ୍ତିପୂତ ନମନ କରୁଛି ଅପରାନ୍ତେ ପୁନଶ୍ଚ ଆରମ୍ଭ କଲେ 

ସଜ୍ଜନବୃନ୍ଦ, ଯେଉଁଠି ନଦୀ, ସମୁଦ୍ର,ସେଇଠି ସଭ୍ୟତା ସଂସ୍କୃତିର ତୁର୍ୟ୍ଯନାଦ l ପୁଣ୍ୟଭୂମି ଭାରତ ଭୂଖଣ୍ଡରେ ନଦୀସମୂହ ମାତୃସ୍ୱରୂପା l ଯମୁନାର ନୀଳ ଜଳତରଙ୍ଗରେ କେତେ ଯେ ଭାବ ବଂଶୀର ସ୍ୱର କେତେ କେତେ ପ୍ରୀତି ସମ୍ପତ୍ତି, ଜାତି ଗୀତି ଝଙ୍କୃତ ହୋଇଛି, ତାହା ଅବର୍ଣ୍ଣନୀୟ l ପ୍ରେମ ସମ୍ପର୍କକୁ ମଜଭୂତ କରିବାକୁ ହେଲେ ସହନଶିଳତା ଅବଲମ୍ବନ କରିବାକୁ ହୁଏ l ଅନ୍ୟଠାରୁ ଅପମାନ କିମ୍ବା ଅସମ୍ମାନ ପାଇଲେ ସେଥିରେ ବ୍ୟତିବ୍ୟସ୍ତ ନ ହୋଇ ଆନନ୍ଦରେ ଗ୍ରହଣ କରିବା ଉଚିତ୍ l ଏହାକୁ ଅଭ୍ୟାସ କରିବାର ଅର୍ଥ ସହନଶିଳତା l ପ୍ରହ୍ଲାଦ ଯେତେବେଳେ ଏ ଦିବ୍ୟ ଗ୍ୟାନ ସାଧନାରେ ବ୍ରତୀ ହେଲା, ତାର ପିତା ତାର ଶତ୍ରୁ ସାଜିଲେ ଏପରିକି ତାଙ୍କୁ ମାରିବାକୁ ଚେଷ୍ଠା କଲେ, କିନ୍ତୁ ନିର୍ଭୟ ଚିତ୍ତରେ ସବୁ ସହି ନେଲେ ସେ l

ତତ୍ ସହ ସରଳତା ଅବଲମ୍ବନ କଲେ l

କୂଟନୀତି ବିହୀନ ସେ ପୁଣି ନିତ୍ୟ ସ୍ପଷ୍ଟବାଦୀ l ସମସ୍ତ ବାଧା ବନ୍ଧନ କାଟି ମୋହନ ଶବଦରେ ତତ୍ଲୀନ ହେଲେ...


ପ୍ରବଚନକୁ ବିରାମ ଦେବାକୁ କିଛି ଚରଣ ବାକି ଥାଏ, ଦେଖିଲେ ଅଳ୍ପ ଦୂରରେ ଜଣେ ଯୁବକ ଉର୍ଦ୍ଧ୍ୱକୁ ଦୁଇବାହୁ ଟେକି ଆନନ୍ଦ ବିଭୋର ହୋଇ ନୃତ୍ୟ କରୁଛନ୍ତି l ଭଲ ଭାବରେ ଆଖି ବୁଲାଇଲେ l ତାଙ୍କୁ ଯେମିତି କେଉଁଠି ବହୁବାର, ଦେଖିଛନ୍ତି l ଆଖି ବୁଝି କିଛି କ୍ଷଣ ସେଇ ଚେହେରାର ଖିଅ ଖୋଜିଲେ l କେହିକେହି କହନ୍ତି,ସେ ପ୍ରାୟ ସବୁ ଭଜନ, ପ୍ରବଚନରେ ଏମିତି ଭାବ ବିହ୍ବଳ ହୋଇ ନୃତ୍ୟ କରନ୍ତି l ପଚାରିଲେ ଖାଲି କହନ୍ତି "ରାଧେ ରାଧେ "l ଧାରାଦେବୀଙ୍କର ମନରେ ଜାଗିଥିବା ଜିଜ୍ଞାସା ଦେଖି ଆୟୋଜକ କମିଟିର ସଭାପତି ସମସ୍ତ ପ୍ରକାରର ଧାରଣା ଦୂର କଲେ l ତାଙ୍କ କହିବା ମୁତାବକ ସେ ଜଣେ ସୁସ୍ଥ ମସ୍ତିସ୍କଧାରୀ ଯୁବକ, କିନ୍ତୁ ବେଳେବେଳେ ପାଗଳ ପରିକା ଆଚରଣ କରନ୍ତି l ବିଶେଷକରି ସକାଳ ଓ ସଂଜ ସମୟରେ ସମୃଦ୍ରକୂଳରେ ବସି ସୁମଧୁର ବଂଶୀ ବଜାଇବାରେ ବ୍ୟସ୍ତ ଥାଆନ୍ତି l ଯେଉଁଥି ପାଇଁ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି, ସାଥିରେ ଫଟୋ ଉଠାଇବାକୁ କହିଲେ ମନା କରନ୍ତି l ଆଉ ମଝିରେ ମଝିରେ ବାଲୁକା ଶଯ୍ୟା ଉପରେ କୌଣସି ଏକ ନାରୀର ମୁଖମଣ୍ଡଳ ଚିତ୍ରଆଙ୍କି ତଳେ ଗୋଲ ଗୋଲ ଅକ୍ଷରରେ ରାଧା ବୋଲି ଲେଖିଥାଆନ୍ତି l ବାସ୍ ସେତିକି ହଁ ହଁ... ସହରର ବିବାହ ଉତ୍ସବ ଭୋଜି ଖାଆନ୍ତି ନାହିଁ କିନ୍ତୁ, ମଠ, ମନ୍ଦିର ପ୍ରସାଦ ଖାଇଥାନ୍ତି l ଭୋକ ଉପାସରେ କାହାରିକୁ ହାତପତାନ୍ତି ନାହିଁ l କିନ୍ତୁ ସକାଳୁ ଖାଲି ପେଟରେ ସେ ତୁଳସୀ, ବେଲପତ୍ର ଚୋବାଇ ଖାଇବାର ନିଜେ ଦେଖିଛନ୍ତି l

ତେବେ ଏଇ କଣ ସେଇ ହାଇସ୍କୁଲ୍ ପଢାବେଳର ମୋହନ......

ମନେ ପଡିଗଲା...

ରାଧା ଥରେ ତିନି ଚାରି ଜଣ ସହପାଠିନୀଙ୍କ ମେଳରେ ଟିଉସନରୁ ଫେରୁଥାନ୍ତି ସାଇକେଲରେ l ମୋହନ ହୁଇସିଲି ମାରି ପ୍ରୀତି ଈଶାରା ଦେଇଥିଲା ଓ ପରେ ପ୍ରେମ ଚିଠିଟେ ହାତକୁ ବଢେଇ ଦେଲା l ରାଗି ଗଲେ ରାଧା l ମୋହନ ଜଣେ ଭଲ ବଂଶୀ ବାଦକ ଥିଲା ପୁଣି ଶାନ୍ତ ଶିଷ୍ଟ ସ୍ଵଭାବର ସହପାଠୀ ଥିଲା ଯେଉଁଥି ପାଇଁ ସେ ସ୍କୁଲର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ପ୍ରିୟ ଭଜନ ଥିଲେ l ତଥାପି ସେ ଚାହୁଁ ଥିଲେ ଏକୁଟିଆ କହିଥାନ୍ତେ ମନର କଥାକୁ l ସେ ସାଦରେ ଗ୍ରହଣ କରି ଥାଆନ୍ତେ l ଏମିତି ଖୁଲମ୍ ଖୋଲା ଭାବେ ନୁହେଁ, କାହିଁକି ନା କଥାକୁ ନେଇ ସହ ପାଠିନୀମାନେ କେତେ ଖଚ ମିଛ କହି କଥାପ୍ରଘଟ କରିବେ l ସେଇ ଦୃଷ୍ଟିରୁ ସେ ରୋକ୍ ଠୋକ୍ ମନା କରିଦେଲେ l ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କଲେ l ଏ କଥା ରାଧାଙ୍କ ପରିବାର ଲୋକେ ଜାଣିବାରୁ ସେମାନେ ମୋହନଙ୍କ ବାପାଙ୍କୁ କହିଲେ l ମୋହନର ବାପା ନିର୍ଦ୍ଧୁମ ପିଟିଲେ ତାଙ୍କୁ l ମୋହନ ପଢାରେ ଡୋରି ବାନ୍ଧିଲେ ସେ ଦିନଠୁ lଆଉ ସ୍କୁଲକୁ ଆସିଲେ ନହିଁ l ପରେ ଜାଣିବାକୁ ପାଇଲେ ଯେ ଯେଉଁ ଦିନ ରାଧା ମୋହନକୁ ଭଲପାଏ ବୋଲି ପ୍ରକାଶ କରିବେ ସେଦିନ ସେ ପାଠ ପଢିବେ l ହେଲେ ରାଧାର ବାପା ଆଗକୁ ଏଇ ପ୍ରେମ ପ୍ରସଙ୍ଗକୁ ଆଗକୁ ବଢ଼ିବାକୁ ନ ଦେଇ ତାଂକୁ ସହରର ବାଳିକା ବିଦ୍ୟାଳୟରେ ନାଁ ଲେଖେଇଲେ l ରାଧା ତାପରେ ବନାରସ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ଶିକ୍ଷାଲାଭ କଲେ l

ଖରା ଛୁଟି କିମ୍ବା ଧାନକଟା ଛୁଟିରେ ଗାଆଁକୁ ଆସିଲେ ଇଛା କରନ୍ତି ମୋହନ ସହ ଭେଟ କରିବାକୁ ଆଉ ସେ ସବୁଦିନ ପାଇଁ କେବଳ ତାଙ୍କର ବୋଲି କହିବାକୁ l ହେଲେ ଦେଖାମିଳିବା ତ ଦୂରର କଥା କିଛି ଖୋଜଖବର ପାଇ ନଥାନ୍ତି l ତାଙ୍କ କାୟ ମନ ବାକ୍ୟରେ ମୋହନ ବସାବାନ୍ଧି ସାରିଥିଲେ l ଦିନେ ବିଭାଗୀୟ ପାଠଚକ୍ରରେ ଜଣେ କୃଷ୍ଣାଶ୍ରିତ ପ୍ରଧାନଚାର୍ଯ୍ୟଙ୍କ ସଂସ୍ପର୍ଶରେ ଆସି ନିଜକୁ ସଂସାର ଠାରୁ ଦୂରେଇ ଯିବାକୁ ଇଚ୍ଛା କଲେ l

ହେଲେ କେମିତି କହିବେ ପିତା ମାତାଙ୍କୁ ଡ଼ାକ୍ତରଙ୍କ ପରାମର୍ଶ ନେଇ ବାହାନା କରି ଅନବରତ ଋତୁସ୍ରାବ ଜନିତ କାରଣରୁ ଶରୀର ଅସୁସ୍ଥତା ଅନୁଭବ ପ୍ରକାଶ କଲେ l ରାଧା କେବେ ବି ସାଂସାରିକ ଜୀବନ ବିତାଇ ପାରିବେନି ବୋଲି ମିଛ ରିପୋର୍ଟ୍ ଦେଲେ ଡ଼ାକ୍ତର l ଚିନ୍ତାରେ ପଡି ଗଲେ ରାଧାର ପରିବାର l ଝିଅର ସୁଖରେ ସେ ସୁଖୀ କହି ରାଧାଙ୍କୁ ନିଜ ଜୀବନ ଜୀବିକା ନିର୍ଦ୍ଧାରଣର ନିଷ୍ପତ୍ତି ରାଧାଙ୍କୁ ଦେଇ ଦେଲେ l

ସେଇ ଦିନଠୁ ସେ ଖାଲି ମୋହନଙ୍କ ରୁପକଳ୍ପ କେବେ କେବେ ପ୍ରବଚନ ମଧୟମରେ ବଖାଣି ଥାଆନ୍ତି l 

ମୋହନ ପ୍ରାପ୍ତିର ଅଭାବ ବୋଧରୁ ନିଜ ନାଆଁକୁ ବଦଳେଇ ଦେଲେ l ରାଧାରୁ ହେଇଗଲେ ଧାରାଦେବୀ l

ପ୍ରୀତି ସାଗର ମୁହାଁ ଧାରାଙ୍କ ଏକମାତ୍ର ଲକ୍ଷ୍ୟ ନୀଳ ସମୋହନ ପ୍ରାପ୍ତି l

ଏଇ ମୋହନ ତତ୍ତ୍ଵକୁ ଟିକି ନିଖି ବ୍ୟାଖ୍ୟା କରିବାକୁ ଯାଇ ସେ କହନ୍ତି 

ସାଂସାରିକ ମୋହ ନଅ ପ୍ରକାର l

ବିଭୁ ପ୍ରେମର ଆଦି ସୋପାନ

ଯେ ବିଭୂର

ସେ ସବୁର

ପୁଣି ମୋର ବୋଲି ବୋଲି କିଛି ନାହିଁ, ସବୁ ତାଙ୍କର, ବିଶ୍ୱ ମୋହନଙ୍କର l

ସେଇ ଅତୀତର ସେଇ ଇପ୍ସିତ ମୋହନଙ୍କୁ ପାଖରୁ ଦେଖିବା ପାଇଁ ବ୍ୟାକୁଳ ହୋଇ ଉଠିଲେ । ସତରେ ସେ ଯଦି ମୋହନ ହୋଇଥିବେ, ତେବେ ତାଙ୍କ ପାଦ ତଳେ ପଡି ନିଜେ ଭୁଲ୍ ମାଗିବେ l ଆଉ ନୀଳ ସମୁଦ୍ରକୁ ସାକ୍ଷୀ ରଖି କହି ଦେବେ ରାଧା ମୋହନର l କେବଳ ମୋହନର lମଞ୍ଚରୁ ଓହ୍ଲେଇ ସମୁଦ୍ରକୂଳ ଆଡେ ଏକ ମୁହାଁ ହୋଇ ଚାଲିଗଲେ l

ସବୁଆଡ଼େ ଖୋଜାଖୋଜି କଲେ ହେଲେ କେଉଁଠି ପାଇଲେ ନାହିଁ l ଶେଷରେ ସେଠି ପହଂଚି ଗଲେ କେଉଁଠି ମୋହନ ବସି ବଂଶୀ ବାଦନ କରନ୍ତି l ତାଙ୍କୁ ବେଶୀ ଆଶ୍ଚର୍ଯ୍ୟ ଚକିତ କରିଥିଲା ସେଇ ବସିବା ସ୍ଥାନର ଚିହ୍ନବର୍ଣ୍ଣ ନ ଦେଖି, କେବଳ ସେଠି ପଡ଼ି ରହିଥିଲା l ବିଷାଦ ଗ୍ରସ୍ତରେ ଫେରି ଆସୁଥିବା ବେଳେ ପାଖ ନୋଳିଆ ବସ୍ତିରେ ଜଣେ ଯୁବକକୁ ସମୂଦ୍ର ଲହରୀ ଆପଣେଇ ନେବା ଖବର କୁହାକୁହି ହେଉଥିଲେ l କାରଣ ବୁଝୁ ବୁଝୁ ଜାଣିବାକୁ ପାଇଲେ ଯେ ସେଦିନ ବଂଶୀ ବଜେଇବାରେ ସାଜିଥିଲେ ମଗ୍ନ ତପସ୍ୱୀ ଯାର ଅବାରିତ ମୂର୍ଚ୍ଛନାରେ ଅଧୀରା ହୋଇ ବାରବାର ପାଦ ଯୁଗଳ ଛୁଇଁ ଦେଇ ଯାଉଥିଲେ ସମୁଦ୍ରର ନୀଳଢେଉ ଓ ଫେନାୟିତ ଜଳତରଙ୍ଗ l କିନ୍ତୁ ମୋହନର ସେଥି ପ୍ରତି ନିଘା ନ ଥାଏ, ଯେତେ ଥର ପାଦ ସ୍ପର୍ଶ କରୁଥାଏ ସମୁଦ୍ରର ଉତ୍ତlଳ ତରଂଗ, ସେତେ ବେଶୀ ସପ୍ତସ୍ଵରକୁ ଭକ୍ତି ପ୍ରେମରେ ସ୍ନାନ କରାଉଥିଲେ ମୋହନ l ଏମିତି ଏକ ସାଙ୍ଗିତିକ ମୁହୁର୍ତ୍ତ ଆସିଲା, ଯେଉଁଠି ବଂଶୀର ସମସ୍ତ ସ୍ଵରକୁ ଆପଣେଇନେଲା ନୀଳଲହରୀମାଳା l ହେଲେ ଫେରାଇ ଦେଇଥିଲା ବେଳାଭୂମକୁ ମୋହନବଂଶୀ _ସଭିଙ୍କୁ ମନେ ପକେଇଲା ଭଳି ସନ୍ତକଟିଏ l

ଆଉ କି ସହି ହେବ କାନରେ ଶୁଣି ସାରିଲା ପରେ l ମୋହନ....ମୋହନ....

ଡାକି ପାଗେଳୀ ହୋଇ ଛୁଟିଗଲେ ସମୁଦ୍ର ବେଳାଭୂମି ଆଡକୁ ଯେଉଁଠି ନୀଳ ସମୁଦ୍ର ଏକାକାର ହୋଇଯାଇଥିଲା ନୀଳ ଆକାଶ ସହ ସମ୍ମୋହନରେ, ବିମୋହନରେ l



Rate this content
Log in

Similar oriya story from Tragedy