Kanan Bala Nayak

Inspirational

4.5  

Kanan Bala Nayak

Inspirational

ମୋ ପୁଅ

ମୋ ପୁଅ

6 mins
253



  ରାତି ପ୍ରାୟ ଏଗାରଟା ପାଖାପାଖି ହେବ।ସେ ଦିନ ଅଫିସ୍ ଟୁର୍‌ ସାରି ଘରକୁ ଫେରିବା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥିଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିକେତଙ୍କର। ତେଣୁ ସେ ତାଙ୍କ ଡ଼୍ରାଇଭର ବିଜୟ କୁ କହିଲେ ରାତି ଅନେକ ହେଲାଣି ଏଣେ ଝିପି ଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି,ତେଣୁ ଦେଖି ଚାହିଁ ଧିରେଧିରେ ଗାଡ଼ି ଚଲା।ଟୁର୍ ଯାଇଥିବା ‌ଯାଗା ରୁ ତାଙ୍କ ଘରକୁ ପ୍ରାୟ ଦୁଇ ଘଣ୍ଟାର ରାସ୍ତା।ତାଙ୍କ ନିର୍ଦ୍ଦେଶ କ୍ରମେ ବିଜୟ ମଧ୍ୟ ଧିରେ ଧିରେ ଗାଡ଼ି ଚଲାଉ ଥାଏ। ଘଣ୍ଟା ଏ ଖଣ୍ଡେ ବାଟ ଆସିବା ପରେ ବିଜୟ କୁ ଲାଗିଲା କେହି ଜଣେ ବୃଦ୍ଧ ବ୍ୟକ୍ତି ଯେମିତି ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସୁଛନ୍ତି।ସେ ଡେରି ନ କରି ଗାଡ଼ିର ବ୍ରେକ୍ ମାରିଲା। ହେଲେ ସେତେବେଳକୁ ସେ ବୃଦ୍ଧ ବ୍ୟକ୍ତି ଜଣକ ଗାଡ଼ିରେ ବାଡ଼େଇ ହୋଇ ତଳେ ପଡି ଯାଇ ଥାଆନ୍ତି।


  କାଳ ବିଳମ୍ବ ନ କରି କ'ଣ ହୋଇଛି ବୋଲି ଦେଖିବା ପାଇଁ ଅନିକେତ୍ ଓ ବିଜୟ ଗାଡିରୁ ଓହ୍ଲାଇ ପଡିଲେ । ବୃଦ୍ଧ ବ୍ୟକ୍ତି ଜଣଙ୍କ ସେତେବେଳକୁ ଚେତାଶୂନ୍ଯ ହୋଇ ଯାଇ ଥାଆନ୍ତି। ଅନିକେତ୍ କହିଲେ ୟାଙ୍କୁ ତ ହସ୍ପିଟାଲ ନେବାକୁ ପଡିବ। ହସ୍ପିଟାଲ ନେବା ପାଇଁ ଦୁଇ ଜଣ ଯେତେବେଳେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଉଠାଇଲେ ତାଙ୍କ ମୁହଁ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଅନିକେତ୍।ଆରେ ଇଏ ତ ସନାତନ ସାର୍।ତା ପିଲା ବେଳର ଶିକ୍ଷକ। ହେଲେ ଏତେ ରାତିରେ ପୁଣି ଏଇ ବର୍ଷା ପାଗଟା ରେ ସାର୍ ଏମିତି ଚାଲି ଚାଲି କୁଆଡେ ଯାଉଥିଲେ।ଅନିକେତ୍ ବିଜୟକୁ ହସ୍ପିଟାଲ ଅଭିମୁଖେ ଗାଡ଼ି ଚଲାଇବା ପାଇଁ କହିଲେ। ହସ୍ପିଟାଲ ରେ ଆଡ଼ମିଶନ୍ କଲା ପରେ ଡକ୍ଟର ଚେକ୍ କରି କହିଲେ କିଛି ଇଣ୍ଟରନାଲ୍ ଇନଜ୍ୟୁରୀ ନାହିଁ।ଖାଲି ଡରରେ ଚେତାଶୂନ୍ୟ ହୋଇ ଯାଇଛନ୍ତି ଯାହା। ମୁଁ ସାଲାଇନ୍ ଲଗାଇ ଦେଇଛି କିଛି ସମୟ ପରେ ଚେତା ଫେରି ଆସିବ‌। ଆପଣ ଚାହିଁଲେ ତାଙ୍କୁ ଘରକୁ ନେଇ ଯାଇ ପାରିବେ।


   ଅନିକେତ୍ ଭାବିଲେ ସାର୍ ଙ୍କ ଚେତା ଫେରିବା ପରେ ତାଙ୍କୁ ସେ କେଉଁଠାକୁ ଯିବେ ପଚାରି ସେଠାରେ ଛାଡି ଦେଇ ଘରକୁ ଫେରିବେ‌। ଏତେ ରାତିରେ ସାର୍ ଙ୍କୁ ଏକୁଟିଆ ଯିବାକୁ ଦେବା ଟା ଠିକ୍ ହେବନି। କିଛି ସମୟ ପରେ ଜଣେ ନର୍ସ ଆସି କହିଲା ସାର୍ ଆପଣଙ୍କ ପେସେଣ୍ଟ ଙ୍କର ହୋସ୍ ଆସି ଗଲାଣି। ‌ଆପଣ ତାଙ୍କୁ ଦେଖା କରି ପାରିବେ।ଅନିକେତ୍ ସାର୍ ଙ୍କ ପାଖକୁ ଗଲେ ଏବଂ କହିଲେ ସାର୍ ଏବେ କେମିତି ଲାଗୁଛି? ମୋତେ ଚିହ୍ନି ପାରୁଛନ୍ତି? ମୁଁ ଅନିକେତ୍ ।ଅନିକେତ୍ ଦାସ ଆପଣଙ୍କ ଛାତ୍ର ଥିଲି।ଡାକ ନାମ ବାପି।ମୋ ବାପାଙ୍କ ନାମ ମନୋଜ ଦାସ।ସେ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ। ମନେ ପଡ଼ିଲା ସାର୍।ସନାତନ ସାର୍ ଅନିକେତ୍ ଙ୍କ ମୁହଁ କୁ ଭଲ ଭାବରେ ଅନାଇଲେ ଓ କହିଲେ ତୁ ସେଇ ବାପି ନା ଯିଏ ସବୁ ଦିନ ଡେରି ରେ ସ୍କୁଲ ଆସେ ବୋଲି ମୋ ଠାରୁ ସବୁବେଳେ ମାଡ଼ ଖାଉଥିଲା।ଅନିକେତ୍ ତଳକୁ ମୁହଁ କରି ହଁ କଲେ।ଆଉ ପଚାରିଲେ ସାର୍ ଆପଣ ଏତେ ରାତିରେ ଏକୁଟିଆ କୁଆଡେ ଯାଉଥିଲେ। ମୋତେ ଆପଣଙ୍କ ଠିକଣା ଟା କହିଲେ ମୁଁ ଆପଣଙ୍କୁ ଠିକଣା ଯାଗାରେ ଛାଡି ଦେବି। 


  ଆପଣଙ୍କ ଘର ଲୋକେ ବ୍ୟସ୍ତ ହେଉଥିବେ।ସନାତନ ସାର୍ କହିଲେ ମୁଁ କୁଆଡ଼େ ଯାଉଥିଲି, ମୋ ଠିକଣା କ'ଣ ମୁଁ ନିଜେ ମଧ୍ୟ ଜାଣିନି। ଆଉ ମୋତେ ଅପେକ୍ଷା କରିବା ପାଇଁ ଏ ଦୁନିଆରେ ମୋର କେହି ନାହାଁନ୍ତି।ଅନିକେତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସାର୍ ଦିଦି ଓ ଆପଣଙ୍କ ପିଲା ମାନେ? ସନାତନ ସାର୍ କହିଲେ ତୋ ଦିଦି କେବେ ରୁ ମୋତେ ଛାଡ଼ି ଚାଲି ଗଲାଣି।ଆଉ ଯେଉଁ ପୁଅ ମାନଙ୍କୁ ନେଇ ମୁଁ ଗର୍ବ ରେ ଏତେ କଥା କହୁଥିଲି ସେମାନେ ସବୁ ବିପଥ ଗାମୀ। ବଡ଼ ପୁଅ ପ୍ରସନ୍ନ ୨ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲା । ୨ ପରେ ଇଞ୍ଜିନିୟରିଂ ପଢିଲା ସେଠାରେ କେତେକ ବଦମାସ ପିଲା ଙ୍କ ସାଙ୍ଗରେ ପଡ଼ି ଡ୍ରଗ୍ସ୍ କବଳରେ କବଳିତ ହୋଇ ଗଲା। ମୁଁ ସେ କଥା ଜାଣିବା ବେଳକୁ ଅନେକ ଡେରି ହୋଇ ଯାଇଥିଲା। ଯେତେ ଚେଷ୍ଟା କଲେ ବି ତାକୁ ଆଉ ବାଟ କୁ ଆଣି ପାରିଲି ନାହିଁ। ଆଉ ସେଇ ଡ୍ରଗ୍ସ୍ ଦିନେ ତା ଜୀବନ ନେଇ ଗଲା।


  ଆଉ ରହିଲା ସାନ ପୁଅ ।ସେ ବଡ଼ ପୁଅ ସେ ଭଳି ଡ୍ରଗ୍ସ୍ ନ ଖାଇଲେ ମଧ୍ୟ ତା ପଦାଙ୍କ ଅନୁସରଣ କରି ଗାଁ ପିଲାଙ୍କ ସହିତ ମିଶି ସବୁ ବେଳେ ଦୁନିଆ ଖରାପ କାର୍ଯ୍ୟ ରେ ଲିପ୍ତ ରହିଲା। କେତେ ବେଳେ କାହାକୁ ମାର୍ ଧର୍ କରି ଜେଲ୍ ଗଲାଣି ତ କେତେବେଳେ କାହା ଝିଅ ବୋହୁ ଙ୍କୁ କମ଼େଣ୍ଟ କଲାଣି। ତା ପରେ ଗାଁ ର ଗୋଟେ ଝିଅ କୁ ନେଇ ଦିନେ ଘରକୁ ପଳାଇ ଆସିଲା।ସେ ଝିଅ ର ମଧ୍ୟ ଆମ ପ୍ରତି ବ୍ୟବହାର ଠିକ୍ ରହିଲାନି। ପୁଅ ମଧ୍ୟ ତାକୁ ବେଳେ ଅଧେ ମାର୍ ଧର୍ କରେ।ଏଇ ସବୁ ଚିନ୍ତା ରେ ତୋ ଦିଦି ର ହାର୍ଟ ଷ୍ଟ୍ରୋକ ହୋଇଗଲା ।ସେ ଗଲା ପରେ ମୁଁ ସମ୍ପୂର୍ଣ୍ଣ ଏକା ହୋଇ ଗଲି। କଷ୍ଟେ ମଷ୍ଟେ ସାନ ପୁଅ ପାଖରେ ରହିଥିଲି।। ହେଲେ ଦିନକୁଦିନ ତା ଅତ୍ୟାଚାର ଅସହ୍ୟ ହେଲା। ମୋତେ ମାର୍ ଧର୍ କରି ସବୁବେଳେ ମୋ ପେନସନ୍ ଗଣ୍ଡାକ ଛଡ଼ାଇ ନିଏ।ଆଉ ଗତକାଲି ମୁଁ ପେନସନ୍ ଟଙ୍କା ଦେବାକୁ ରାଜି ନ ହେବାରୁ ପୁଣିଥରେ ମାଡ଼ ମାରି ଟଙ୍କା ଛଡ଼ାଇ ନେଲା।ସେଇଥି ପାଇଁ ରାଗରେ ମୁଁ ଘର ଛାଡ଼ି ପଳାଇ ଆସିଲି।


  କୁଆଡେ ଯିବି କଣ କରିବି କିଛି ଭାବି ନଥିଲି।ଆଉ ଅନ୍ୟ ମନସ୍କ ହୋଇ ତୋ ଗାଡ଼ି ଆଗକୁ ଚାଲି ଆସିଲି। ଜୀବନ ଟା ଚାଲି ଯାଇ ଥାଆନ୍ତା ହେଲେ। ସାର୍ ଙ୍କ କଥା ଶୁଣି ଅନିକେତ୍ ତାଙ୍କ ସ୍କୁଲ ସମୟକୁ ଫେରି ଗଲେ।ସ୍କୁଲ ସମୟରେ ଅନିକେତ୍ ପ୍ରାୟ ପ୍ରତ୍ୟେକ ଦିନ ବିଳମ୍ବରେ ସ୍କୁଲ ଆସନ୍ତି କାରଣ ସେ ପିଲାଟି ବେଳରୁ ତାଙ୍କ ମାଆ ଙ୍କୁ ହରାଇ ଥିଲେ।ଆଉ ତାଙ୍କ ବାପା ଦ୍ବିତୀୟ ବିବାହ କରି ତାଙ୍କ ର ସଉତୁଣୀଆ ମାଆ ଙ୍କୁ ଘରକୁ ଆଣିଥିଲେ।ଏଇ ନୂଆ ମାଆ ଅନିକେତ୍ ଙ୍କୁ ଜମାରୁ ଭଲ ପାଉ ନଥିଲେ। ସବୁବେଳେ ନାନା କାର୍ଯ୍ୟ ରେ ଲଗାଇ ଦେଉଥିଲେ।ଘରର ସବୁ କାମ ସାରି ସ୍କୁଲ ପହଞ୍ଚିବା ପାଇଁ ଅନିକେତ୍ ଙ୍କ ର ସବୁ ଦିନ ବିଳମ୍ବ ହୁଏ। ସ୍କୁଲ୍ ର ପ୍ରଥମ ପିରିୟଡ୍ ଏଇ ସନାତନ ସାର୍ ଙ୍କ ର ଥାଏ। ସନାତନ ସାର୍ ବିଳମ୍ବରେ ଆସୁଥିବା ହେତୁ ପ୍ରାୟ ପ୍ରତ୍ୟେକ ଦିନ ଅନିକେତ୍ ଙ୍କ ପିଠି ଉପରେ ବେତରେ ପ୍ରହାର କରି ଚାଲନ୍ତି। ଅନେକ ଥର ଅନିକେତ୍ ଙ୍କ ର ପିଠି ଫାଟି ରକ୍ତ ଝରେ।ସେ ଯେତେ କଇଫିଅତ୍ ଦେଲେ ମଧ୍ୟ ସନାତନ ସାର୍ କିଛି ଶୁଣନ୍ତି ନି। ଯେତେ ପର୍ଯ୍ୟନ୍ତ ତାଙ୍କ ମନ ଶାନ୍ତି ନ ହୋଇ ଥାଏ ସେତେ ପର୍ଯ୍ୟନ୍ତ ବେତ ପ୍ରହାର କରି ଚାଲନ୍ତି।ଅନିକେତ୍ ଙ୍କ ଆଖି ରୁ ଧାର ଧାର ଲୁହ ବହି ଚାଲିଥାଏ।


   ସାଙ୍ଗ ପିଲା ମାନେ ମଧ୍ୟ ଅନିକେତ୍ ଙ୍କ ଉପରେ ସାର୍ ଙ୍କ ର ଏପରି ଅମାନବୀୟ ବ୍ୟବହାର କୁ ପସନ୍ଦ କରନ୍ତି ନାହିଁ। ହେଲେ ସେମାନେ ସାର୍ ଙ୍କ ଭୟରେ କିଛି କହି ପାରନ୍ତି ନାହିଁ। ସନାତନ ସାର୍ ଟିକେ ଟିକେ କଥାରେ ତାଙ୍କ ପୁଅ ମାନଙ୍କ ଉଦାହରଣ ଦିଅନ୍ତି। ଆଉ କହନ୍ତି ମୋ ପୁଅ ମାନେ କେବେ ବି ଏମିତି ହେବେନି।ଯଦି କିଛି ଶିଖିବାର ଅଛି ମୋ ପୁଅ ମାନଙ୍କ ପାଖରୁ ଶିଖ। ସେମାନେ କେତେ ଶୃଙ୍ଖଳିତ, ଶାନ୍ତ ଶିଷ୍ଟ ଓ ଭଦ୍ର।ଆଉ ମୋ ପୁଅ ମାନେ ଯଦି କେବେ ଏମିତି ହେବେ ତେବେ ମୁଁ ତାଙ୍କୁ ଜୀବନ ରୁ ମାରି ଦେବି।ଦେଖିବ ରୁହ ମୋ ପିଲା ମାନେ ବଡ଼ ହେଲେ କେମିତି ଭଲ ମଣିଷ ହେବେ। କିଛି ଦିନ ପରେ ଅନିକେତ୍ ଆଉ ସ୍କୁଲ୍ ଆସି ନଥିଲେ। ସାଙ୍ଗ ପିଲା ମାନେ ଭାବିଲେ ସନାତନ ସାର୍ ଙ୍କ ମାଡ କୁ ଡରି ବୋଧେ ଅନିକେତ୍ ସ୍କୁଲ ଆସୁନି। 


   ହେଲେ କିଛି ଦିନ ପରେ ସେମାନେ ଜାଣିବାକୁ ପାଇଲେ ଅନିକେତ୍ ଙ୍କ ମାମୁଁ ତାଙ୍କ ସାବତ ମାଆ କରୁଥିବା ଅତ୍ୟାଚାର କଥା ଶୁଣି ତାଙ୍କୁ ତାଙ୍କ ସହ ନେଇ ଯାଇଛନ୍ତି।ଆଉ ସେ ଏବେ ମାମୁଁ ଘରେ ରହି ପାଠ ପଢିବେ।ସତକୁ ସତ କିଛି ଦିନ ପରେ ଅନିକେତ୍ ଙ୍କ ମାମୁଁ ଆସି ତାଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନେଇ ଯାଇଥିଲେ।ଅନିକେତ୍ ଭାବନା ରାଜ୍ୟ ରୁ ସେତେବେଳେ ଫେରିଲେ ଯେତେବେଳେ ସନାତନ ସାର୍ କହିଲେ ବାପିରେ ମୋତେ ନେଇ ଯଦି କୌଣସି ବୃଦ୍ଧାଶ୍ରମ ରେ ଛାଡି ଦିଅନ୍ତୁ ତୋର ବହୁତ ମଙ୍ଗଳ ହୁଅନ୍ତା।ବୟସ ଥିବା ବେଳେ ମୁଁ ତୋ ଭଳି ଅନେକ ପିଲା ଙ୍କୁ ମୋ ପିଲାଙ୍କ ଉଦାହରଣ ଦେଇ ଅନେକ ଛାଟ ଦେଇଛି।ଆଉ ସବୁଠାରୁ ବେଶୀ ଛାଟ ବୋଧେ ତୋ ଉପରେ ପଡ଼ିଛି।ଦେଖ ତୋ ଆଖିରୁ ଗଡ଼ି ପଡୁଥିବା ସେ ଲୁହ କେମିତି ଆଜି ମୋର ସମସ୍ତ ଗର୍ବ ଓ ଅହଂକାର କୁ ଚୁରମାର୍ କରି ଦେଇଛି।

   

   ମୋ ପୁଅ ଏମିତି ମୋ ପୁଅ ସେମିତି କହି ଯେଉଁ ପୁଅ ମାନଙ୍କ ଉଦାହରଣ ମୁଁ ତୁମ ମାନଙ୍କୁ ଦେଉଥିଲି ସେଇ ପୁଅ ମାନେ କେମିତି ମୋ ଆଖିରୁ ଲୁହଧାର ନୁହେଁ ଲହୁଧାର ବୁହାଉ ଛନ୍ତି ।ଏଇଟା ଆଉ କିଛି ନୁହେଁ ନିଜ ପୁଅ ମାନଙ୍କୁ ନେଇ ଗର୍ବ କରି ତୁମ ମାନଙ୍କ ପ୍ରତି କରିଥିବା ଅନ୍ୟାୟ ର ଫଳ। ଏସବୁ କଥା ନା ମୁଁ କାହାକୁ କହି ପାରୁଥିଲି ନା ସହି ପାରୁଥିଲି‌। ଜୀବନ ରେ ଏମିତି କିଛି ଅକୁହା କଥା ଥାଏ ଯାହା କାହା ପାଖରେ ପ୍ରକାଶ କରି ହୁଏନା। ସେଇ କଥା ଆମକୁ ଆମ ଭିତରୁ କୋରି କୋରି ଖାଇଦିଏ।ଆଉ ଆମକୁ ଫମ୍ପା କରିଦିଏ।ଯାହା ଆଜି ମୋ କ୍ଷେତ୍ରରେ ଘଟିଛି।ଅନିକେତ୍ କହିଲେ ସାର୍ ଆପଣ ଏ କଣ କହୁଛନ୍ତି। ଆଜି ମୁଁ ଯାହା ବି ହୋଇଛି ଆପଣ ଙ୍କ ପାଇଁ ହୋଇଛି। ମୁଁ ଆପଣଙ୍କ ପାଖରୁ ଆପଣଙ୍କ ପୁଅ ମାନଙ୍କ କଥା ଶୁଣି ସବୁବେଳେ ତାଙ୍କ ଭଳି ଶୃଙ୍ଖଳିତ ଓ ଭଦ୍ର ହେବା ସହିତ ଭଲ ପାଠ ପଢ଼ିବା ପାଇଁ ଚେଷ୍ଟା କରୁଥିଲି।ସାବତ ମାଆ ଙ୍କ ଅତ୍ୟାଚାର ଯୋଗୁଁ ସିନା ସ୍କୁଲ ଠିକ୍ ଟାଇମ୍ ରେ ପହଞ୍ଚି ପାରୁ ନଥିଲି ।ଆଉ ଆପଣଙ୍କ ଠୁ ମାଡ଼ ଖାଉଥିଲି। କିନ୍ତୁ ମାମୁଁ ଘରକୁ ଗଲା ପରେ ସେଠାରେ ମାଇଁ ମୋର ବହୁତ ଯତ୍ନ ନେଲେ। ମୁଁ କେବଳ ପାଠ ପଢ଼ାରେ ମନ ଦେଲି। ଭଲ ପାଠ ମଧ୍ୟ ପଢିଲି।ଆଉ ଏବେ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ଏଇ ପାଖ ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗ ଦେଇଛି। 


   ସାର୍ ଆପଣ ଙ୍କୁ କୋଉ ବୃଦ୍ଧାଶ୍ରମ କି ଅନ୍ୟ ସଂସ୍ଥା କୁ ଯିବାକୁ ପଡ଼ିବନି। ଆପଣ ଆଜି ପାଖରୁ ମୋ ସହ ରହିବେ।ପିଲା ପାଖରୁ ମାଆ କୁ ହରାଇ ଥିଲି। ତେଣୁ ମାଆ ସ୍ନେହ କଣ ଜାଣି ନଥିଲି।ଆଉ ବାପା ଙ୍କୁ ମଧ୍ୟ କିଛି ବର୍ଷ ପୂର୍ବରୁ ହରାଇ ବାପାଙ୍କ ସ୍ନେହ ରୁ ବଞ୍ଚିତ ହୋଇଛି।ଆଉ ଏବେ ଗୁରୁ ଙ୍କୁ ପାଇଛି ତେଣୁ ଗୁରୁ ଙ୍କ ଆର୍ଶୀବାଦ କୁ ହାତ ଛଡା କରି ପାରିବି ନାହିଁ। ସାର୍ ଆପଣ ପରା ଆମକୁ ସବୁ ବେଳେ କହୁଥିଲେ "ଗୁରୁ ଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର"।ଆଜି ମୋତେ ମୋ ଈଶ୍ୱର ଙ୍କ ସେବା କରିବାର ସୁଯୋଗ ମିଳିଛି । ତେଣୁ ସେ ସୁଯୋଗ କୁ ମୁଁ ହାତ ଛଡା କରିବାକୁ ଚାହୁଁନି।


Rate this content
Log in

Similar oriya story from Inspirational