Basanti Pattnaik

Inspirational

4.3  

Basanti Pattnaik

Inspirational

ମୋ ପିତା ମୋର ହିରୋ

ମୋ ପିତା ମୋର ହିରୋ

6 mins
382


 ମୋ ମହାନ୍ ପିତାଙ୍କ ବିଷୟରେ ଯେତେ ଲେଖିଲେ ବି ଭାଷା ଓ ଶବ୍ଦ ଉଭୟ କମ୍ ପଡ଼ିବ, ବାଲ୍ୟକାଳରୁ ଅର୍ଥାତ୍ ହେତୁ ପାଇଲା ଵେଳୁ ମୋ ପିତାଙ୍କର ଚାଲିଚଳନ ଆଚାର ବ୍ୟବହାର ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା ।

       ଆମେ ପାଞ୍ଚ ଭ‌ଉଣୀ ତିନି ଭାଇ, ଏକ ବଡ଼ ପରିବାର ଅଟେ, ମୁଁ ଦେଖେ ଆମ ଘରେ ବହୁତ ଲୋକ ଆସି ଆମ ବୈଠକ ରୁମରେ ବସିଥାନ୍ତି, ମୋ ନନା ଅଫିସରୁ ଫେରିଲା ପର୍ଯ୍ୟନ୍ତ, ପ୍ରଥମେ ଛୋଟ ପିଲା ଯୋଗୁଁ ଵୁଝିପାରୁନଥିଲି.... ଭାବୁଥିଲି ଆମର ତ ୨ଟି ବେଡ୍ ରୁମ୍, ଗୋଟିଏ ଡ୍ର‌ଇରୁମ୍ ଓ ଅଗଣାରେ ଗୋଟିଏ ପାଠ ପଢା ରୁମ୍ । ଏମାନେ ଆସି କାହିଁ ଏତେ ଗହଳି କରୁଛନ୍ତି?

       ଆସ୍ତେ ଆସ୍ତେ ବଡ଼ ହେଲି,ମୋ ନନା ସର୍ବଦା ହସ ହସ ମୁଖମଣ୍ଡଳ, ତେଜୀୟାନ୍ ଚେହେରା, ଅତି ସରଳ ଅମାୟିକ ମଣିଷଟିଏ, କଥାରେ ଥିଲା ଅଦ୍ଭୁତ ଆକର୍ଷଣ ଶୈଳୀ । ଘରେ ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ, ସବୁବେଳେ ଆମ ଘରେ ମହାପୁରୁଷଙ୍କ କଥା ଓ ସେମାନଙ୍କ ଜୀବନ ଶୈଳୀ ଗଳ୍ପ ଆକାରରେ ମୋ ପିତା ପିଲାମାନଙ୍କୁ ବସେଇ ଶୁଣାଉଥାଆନ୍ତି, ସ୍ୱାଧୀନତା ପୂର୍ବର

କଥା ଓ ବଳିଦାନ କାହାଣୀ ଆମ କାନରେ ପକ‌ଉ ଥାଆନ୍ତି,

ବେଳେ ବେଳେ ଏହି ବିରତ୍ୱ କାହାଣୀ ଶୁଣି ମୁଁ ଆତ୍ମ ବିଭୋର ହୋଇ ଟପ୍ ଟପ୍ କାନ୍ଦୁଥିଲି,ମୋ ମହାନ୍ ପିତା ଙ୍କର ଆମକୁ ଗଢିବା ଶୈଳୀ ଅତି ମାର୍ଜିତ ଥିଲା, ଯାହା ଆମ ଆଠ ଭାଇ ଭଉଣୀଙ୍କୁ ଗଭୀର ପ୍ରଭାବିତ କରିଥିଲା ।

     ମୁଁ ଦେଖିଛି ଆମ ଗେଟ୍ ଓ ହତା ସବୁଆଡେ ଲୋକମାନଙ୍କର ଭିଡ ଜମେ, ସେମାନେ ମୋ ମହାନ୍ ପିତାଙ୍କୁ ଦେଖିବା ଓ ପରାମର୍ଶ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଠିଆ ହୋଇଥାଆନ୍ତି କାରଣ ଆମ ବୈଠକ ରୁମଟି ଛୋଟ ସେଠି ଛଅ ଜଣଙ୍କଠାରୁ ବେଶୀ ଜାଗା ହେବେନି । ଭୁବନେଶ୍ୱରର ଏକ ‌‌‌‌‌ନମ୍ବରରେ ନନା ଟାଇପ୍ ଫୋର୍ ଘର ପାଇଥାନ୍ତି, ଏତେ ଲୋକଙ୍କ ଗହଳ ଚହଳ ଯୋଗୁଁ ମୋ ବୋଉ ଉପରେ ଅଧିକ କାମ ପଡ଼ିଯାଉଥିଲା । କିନ୍ତୁ, ଦେବୀ ତୁଲ୍ୟ ବୋଉ ହସିହସି ତା ଶାରିରୀକ କଷ୍ଟକୁ ଲୁଚାଇ ଏତେ ସନ୍ତାନଙ୍କ କଥା ବୁଝି ଏହି ବାହାର ଲୋକଙ୍କ ଚା ପାଣିର କଥା ମଧ୍ୟ ବୁଝୁଥିଲା, ମୁଁ ଭାବେ ସତରେ ମୋ ନନା ବୋଉ କି ଉପାଦାନରେ ଗଢା??

      ଆମ ଘରକୁ ମୋ କକେଇ ଲିଙ୍ଗରାଜ ମିଶ୍ର ପ୍ରାୟ ଆସନ୍ତି କାରଣ ସେ ନ‌ଅ ନମ୍ବରରେ ରହୁଥିଲେ । ବୃତ୍ତିରେ ଶିକ୍ଷକତା କରୁଥିଲେ, ସେ ଯେତେବେଳେ ଆସନ୍ତି, ମୁଁ ଜିଦ୍ କରେ ମୋ ମହାନ୍ ପିତାଙ୍କ ବାଲ୍ୟକାଳ ବିଷୟରେ ଜାଣିବାକୁ, ସେ କୁହନ୍ତି ... ପୁରୀର ବୀରହରେକୃଷ୍ଣପୁରର

ଏକ ବିଖ୍ୟାତ ପରିବାରରେ ତାଙ୍କର ଜନ୍ମ, ଚାରି ଭାଇ ‌ଓ ଏକ ଭଉଣୀ ମଧ୍ୟରେ ସେ ଚତୁର୍ଥ ସନ୍ତାନ ଥିଲେ, ମୋ ନନା ଯେତେବେଳେ ପଞ୍ଚମରେ ପଢୁଥିଲେ ସ୍କୁଲ ପିଲାଙ୍କୁ ଏକତ୍ରିତ କରି ଇଂରେଜୀମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ତାଙ୍କ ନିଜସ୍ଵ ରଚିତ କବିତା ଜାଗି ଉଠରେ

 ଭାରତ ବାସୀ, ପୋଲିସ ଲାଠିକୁ ନ ଡରି ହସି.... ଏହି ଗୀତକୁ ଗାନ କରି ଇଂରେଜୀ ଶାସନ ବିରୁଦ୍ଧରେ ଲଢିଥିଲେ,୧୯୪୨ମସିହାରେ ମାତ୍ର ୧୪ବର୍ଷ‌ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ପୁରୀ ଚନ୍ଦନପୁର ଥାନାରେ ଇଂରେଜୀ ପତାକା କାଢି ଭାରତୀୟ ପତାକା ଉଡେଇଥିଲେ । ତାଙ୍କର ବଡ଼ ଦୁଇ ଭାଇ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର ଓ ବିଶିଷ୍ଟ ଜ୍ୟୋତିଷବିଦ୍ ପିତାମ୍ବର ମିଶ୍ର ଯେ ବୃତ୍ତିରେ ମିଲିଟାରୀ ଅଫିସର ଥିଲେ ସେ ଏତାଦୃଶ କାର୍ଯ୍ୟକଳାପ ପାଇଁ ସାଙ୍ଗରେ ମଧ୍ୟପ୍ରଦେଶ ନେଇ ଗଲେ । ପଢା ସାରିବା ପରେ ସେ ଜବଲପୁରରେ ମିଲିଟାରୀରେ ପ୍ରଥମ ବୃତ୍ତି କରିଲେ । ସେଠି ମନ ମାନିଲାନି । କଟକ ଡିଜି ପୋଲିସରେ ଜ‌ଏନ୍ କଲେ । ସେଠି ବି ମନ ବୁଝିନଥିଲା । ଚଞ୍ଚଳ ମନ ଆଉ କିଛି ସ୍ୱପ୍ନ ଦେଖୁଥିଲା । ୧୯୫୮ରୁ ୧୯୬୦ଭିତରେ ଡେପୁଟି କଲେକ୍ଟର ହିସାବରେ ଆସ୍କାରେ ଜ‌ଏନ୍ କଲେ । ସେ କିନ୍ତୁ ଉପରିସ୍ଥ ଅଫିସରମାନଙ୍କ ପାଖରେ ଚାମଚାଗିରୀ କରିପାରିନଥିଲେ । ପୁଣି ଏହି ଚାକିରିରୁ ଅବ୍ୟାହତି ନେଇ ଭୁବନେଶ୍ୱର ଚାଲି ଆସିଥିଲେ । ତାଙ୍କ ଭଳି ଜଣେ ସତ୍ ମଣିଷ‌କୁ ଏହି ଉଚ୍ଚ ଚାକିରି ଓ ପଦବୀ ବାନ୍ଧି ପାରିନଥିଲା । କାରଣ ତାଙ୍କ ପାଖରେ ସମ୍ମାନ ଓ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ସତ୍ୟତା ସବୁଠାରୁ ବଡ଼ ପଦବୀ ଥିଲା । ସେ ପୁଣି ସେକ୍ରେଟାରୀଏଟରେ ପରୀକ୍ଷା ଦେଇ, ପ୍ରଥମ ‌‌‌‌‌‌‌ହୋଇ ଚାକିରି କରିଥିଲେ । ସେ ଅଣ୍ଡରସେକ୍ରେଟେରୀ ଥିଲେ । ସେ ସରକାରୀ ଚାକିରିଆ ହୋଇ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ‌‌‌‌‌‌‌କରୁଥିଲେ । ଏହି ସତ୍ ସାହସ ତାଙ୍କର ହିଁ ଥିଲା । ଅଲ୍ ଇଣ୍ଡିଆ ସରକାରୀ କର୍ମଚାରୀ ସଂଘର ସଭାପତି ଓ ସମ୍ପାଦକ କ୍ରମାନ୍ୱୟରେ ରହି ସରକାରୀ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢେ଼ଇ କରୁଥିଲେ । ସେଥିପାଇଁ କର୍ମଚାରୀ ମହଲରେ ସେ ପିତାମହ ଭୀଷ୍ମ ଭାବରେ ପରିଚିତ ଥିଲେ, ସେ ଅଗ୍ନିବର୍ଷି ଭାଷଣ ଦେଉଥିଲେ,ତାଙ୍କ ‌‌‌‌‌‌‌‌‌‌‌ତେଜୀୟାନ୍ ଭାଷଣ ପାଖରେ ବଡ଼ ବଡ଼ ମନ୍ତ୍ରୀ ନେତା ମୁଣ୍ଡ ତଳକୁ କରି ଦେଉଥିଲେ ।


    ଏତେ ବଡ଼ ପରିବାର, ଏହାର ଭରଣ ପୋଷଣ ସହିତ ବାହାର ଲୋକଙ୍କ ସମସ୍ୟାକୁ ସେ କିଭଳି ସହାସ୍ୟ ବଦନରେ କାର୍ଯ୍ୟ କରୁଥିଲେ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ବୋଧହୁଏ ଜଣେ କରିପାରିବ । ସେ କିନ୍ତୁ ତାଳି ମାରି ଘଣ୍ଟା ଘଣ୍ଟା ପୂଜାର ବିରୁଦ୍ଧରେ ଥିଲେ, ସେ କର୍ମ ଓ ସେବାକୁ

 ବଡ଼ ଧର୍ମ ଓ ପୂଜା ମାନୁଥିଲେ, ମନୁଷ୍ୟତ୍ୱ ଓ ସତ୍ ପଥର ମହତ୍ତ୍ଵ ଆମକୁ ଛୁଆ ବେଳୁ ଶିଖାଉଥିଲେ, ସତ୍ର ଦିଗଦର୍ଶନ ତାର ପ୍ରଭାବ ସମସ୍ତ ସନ୍ତାନମାନଙ୍କ ଉପରେ ପଡ଼ିଥିଲା, ସେଥିପାଇଁ ବିଭିନ୍ନ ସ୍ତରରେ ତାଙ୍କ ଆଠ ସନ୍ତାନ ଆଲୋକିତ । 

     ମୁଁ ଅନୁଭବ କରିଛି ନନା ବୋଉ ଅଭାବର ପ୍ରଭାବ ପିଲାମାନଙ୍କୁ ଜଣେଇ ଦଉନଥିଲେ । ସଂସାରରେ ବହୁ ବାଧାବିଘ୍ନକୁ ମୋର ପିତା ନିଜ ଭିତରେ ଲୁଚାଇ ସର୍ବଦା ‌‌‌‌‌‌‌ହସହସ ମୁହଁରେ କର୍ମ କରି ଚାଲୁଥିଲେ, ଜୀବନରେ ମୋ ନନା ନିଜ ଦେହ ଖରାପ ଲାଗୁଥିଲେ ମଧ୍ୟ କାହାକୁ ନ ଜଣାଇ ଛାତିକୁ ଚିପି ବସି ଯାଉଥିଲେ, ଏହି ଶାରୀରିକ କଷ୍ଟରେ ମଧ୍ୟ କିଛି ଲୋକ ତାଙ୍କ ସମସ୍ୟା ‌‌‌‌‌‌‌‌‌‌‌ ପାଇଁ ଲେଖା ସବୁ ଲେଖିବା ପାଇଁ ଆସୁଥିଲେ, ବିନା ସ୍ୱାର୍ଥରେ ପେଟେଇ ହୋଇ ରାତିସାରା ଲୋକଙ୍କ ସ୍ୱାର୍ଥ ପାଇଁ ଲେଖୁଥିଲେ, ଶେଷରେ ଛାତି ପାଖରେ ଏକ ବଡ଼ ଦାଗ ବି ହୋଇଗଲା, ସେ ଯନ୍ତ୍ରଣାକୁ ଚାପିଧରି କାହାକୁ ଜଣେଇ ଦ‌ଉନଥିଲେ, ସନ୍ତାନ ଓ ପତ୍ନୀଙ୍କୁ ଚିନ୍ତିତ ନ କରିବା ପାଇଁ ସବୁବେଳେ ନିଜ କଷ୍ଟ ଲୁଚାଇ ଅନ୍ୟକୁ ଖୁସି ଦେବା ପାଇଁ କର୍ମ କରିଚାଲୁଥିଲେ । ସୂର୍ଯ୍ୟ ଦେବତା ଯେପରି ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କରନ୍ତି ଏହି ମହାନ୍ ମଣିଷଟି ଠିକ୍ ସେହିପରି, ନିଜର ଶାରିରୀକ କଷ୍ଟ ଓ ଅର୍ଥର ଅଭାବ କାହାକୁ ନ ଜଣେଇ ସମସ୍ତଙ୍କୁ ଖୁସି ରଖିବାକୁ ପ୍ରଚେଷ୍ଟା କରୁଥିଲେ । ସବୁ ପିଲାଙ୍କ ପଢା ଦାୟିତ୍ଵ ଓ ସ୍ୱାସ୍ଥ୍ୟର ପରାମର୍ଶଦାତା ରୂପେ ସବୁଦିନ ଅଫିସରୁ ଫେରି ତଦାରଖ କରୁଥିଲେ, ମଝିରେ ମଝିରେ ଖୁସିରେ ବୋଉ ସାଙ୍ଗରେ ମିଶି ରନ୍ଧା କାର୍ଯ୍ୟରେ ସାହାଯ୍ୟ କରୁଥିଲେ, ମୋର ମନେପଡେ... ଦିନେ ମୋର ପ୍ରୋଗ୍ରେସ୍ ରିପୋର୍ଟ୍ ଦେଖି ଅଙ୍କରେ ୯୦ ଥିବା ଦେଖିଲେ, ସେ ଆଶ୍ଚର୍ଯ୍ୟ ହେଲେ । କାରଣ ମୋର ସବୁ ବିଷୟ ଭଲ ହେଉଥିଲା କେବଳ ଅଙ୍କଟିକୁ ଛାଡି । ମୋ ଅଙ୍କ ଦିଦି ମୋତେ କାହିଁକି କେଜାଣି ଭାରି ଭଲ ପାଉଥିଲେ । ସେ ମୋର ଟିଉସନ୍ ଟିଚର୍ ବି ଥିଲେ । ତେଣୁ ପୂର୍ବରୁ ଯେଉଁ ଅଙ୍କ ପଡ଼ିବ ମୋତେ ପ୍ରସ୍ତୁତି କରିଦେଇଥିଲେ ମାନେ ମୁଁ ସେହି ଗୁଡ଼ିକୁ ଗୋଳେଇ ଏକାଥରେ ପିଇ ଦେଇଥିଲି । ତେଣୁ 

୧୦୦ରୁ ୯୦ରଖିଥିଲି କିନ୍ତୁ ମୋ ନନା ଖୁସି ହେବା ପରିବର୍ତ୍ତେ ମୋତେ ପାଟି କରିଥିଲେ ଓ ସତ କହିବାକୁ ବାଧ୍ୟ କରିଥିଲେ... ମୁଁ କହିଲି ଆଗରୁ ଏହି ଅଙ୍କ ପଡ଼ିବ ବୋଲି ଦିଦି କେତେ ଗୁଡିଏ ସେହି ଧାରାର ପ୍ରାକ୍ଟିସ୍ କରାଇଥିଲେ ତେଣୁ ମୁଁ ଘୋଷି ଦେଇଥିଲି, ବାସ୍ ତା ପରଦିନ ମୋତେ ନେଇ ଦିଦିଙ୍କ ପାଖରେ ପହଞ୍ଚି କହିଲେ, ମୋ ଝିଅ ଗଣିତରେ ଗଧି କିନ୍ତୁ ଆପଣ ନବେ ମାର୍କ୍ସ୍ ଦେଇଛନ୍ତି କିପରି ? ସେ ହସିକି କହିଲେ ସାର୍ ଏବେ ସେ ଇମ୍ପ୍ରୁଭ୍ କଲାଣି, ମୁଁ ତା ପରିଶ୍ରମର ଫଳ ଦେଇଛି । ସେ କହିଲେ ..ସାର୍ ଆପଣଙ୍କ ଭଳିଆ ପିତା କେହି ନଥିବେ ଯିଏ ସନ୍ତାନର ଅଧିକ ନମ୍ବର ଦେଖି ଖୁସି ପରିବର୍ତ୍ତେ କାଳେ ଅସତ୍ ପଥ ଥିବ ଅଭିଯୋଗ କରୁଛନ୍ତି,ଦେଖିବେ ଆପଣଙ୍କ ସତ୍ ପଥ ପାଇଁ ଝିଅ ଦିନେ ବହୁତ ନାଁ କରିବ ।

       ତାଙ୍କ ପ୍ରଚେଷ୍ଟାରେ ବହୁ ଅନୁଷ୍ଠାନ ଗଢି ଉଠିଥିଲା, ତତ୍ ମଧ୍ୟରେ ରାଜଧାନୀ କଳା ସଂସଦ, ସରକାରୀ କର୍ମଚାରୀ ସଂଘ ସଂଗ୍ରାମ ସମିତି, ଆଚାର୍ଯ୍ୟ ହରିହର ସାହିତ୍ୟ ଏକାଡେମୀ, ୨ନମ୍ବର ମାର୍କେଟ୍ ବିଲିଡିଙ୍ଗ୍ ପୂଜା କମିଟିର ଫାଉଣ୍ଡର୍ ମେମ୍ବର ଥିଲେ । ପୁରୀ ମୁକ୍ତି ମଣ୍ଡପର ସଦସ୍ୟ ଥାଇ ଗାଇଡ୍ ଲାଇନ୍ (ବାଇ_ଲ) ଲେଖିବାରେ ସହୋଯୋଗ କରି ଥିଲେ, କିଛି ତୃଟିପୂର୍ଣ୍ଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ଜାରି ରଖିଥିଲେ।

   ମୋ ପିତା ଶାସ୍ତ୍ରୀୟ ସଙ୍ଗୀତ, ଇଂରାଜୀ ଓ ଓଡ଼ିଆ ସାହିତ୍ୟ ଉପରେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ, କଟକରେ ଶାସ୍ତ୍ରୀୟ ଶଙ୍ଗୀତ ବିଶାରଦ ପଣ୍ଡିତ ଭୀମସେନ୍ ଯୋଶୀ ଓ ପଣ୍ଡିତ ଯଶରାଜଙ୍କୁ ନେଇ ପ୍ରୋଗ୍ରାମ କରିଥିଲେ, ଏଥିରେ ଦାମୋଦର ହୋତା ସହଯୋଗର ହାତ ବଢ଼ାଇ ଥିଲେ । 


        ଏହି ମହାନ୍ ମଣିଷଟି ଯିଏ ମୋର ପିତା କର୍ମଚାରୀମାନଙ୍କ ସ୍ୱାର୍ଥ ପାଇଁ ରିଟାୟାର୍ଡ୍ ପରେ ବି କାମ କରୁଥିଲେ, ବହୁ ଦାୟିତ୍ଵ ବହନକାରୀ ମଣିଷଟି କ୍ରମଶଃ ଅସୁସ୍ଥ ହୋଇ ପଡିଲେ । ଦିନେ ଏକ ମିଟିଂରେ ଅଗ୍ନିବର୍ଷୀ ଭାଷଣ ଦେଉଥିବା ଅବସ୍ଥାରେ ଅସୁସ୍ଥତା ଅନୁଭବ କରିଥିଲେ । ସାଙ୍ଗେ ସାଙ୍ଗେ କର୍ମଚାରୀ ବନ୍ଧୁମାନେ ତାଙ୍କ ପ୍ରିୟ ନେତାଙ୍କୁ ଘରକୁ ନେଇ ଆସିଲେ । ୨୦୦୩ ଜାନୁଆରୀ ୧୭ ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ତାଙ୍କୁ ସଙ୍ଗେ ସଙ୍ଗେ ‌‌‌‌‌‌‌‌‌‌‌‌‌‌ଡାକ୍ତରଙ୍କ ପାଖକୁ ନିଆଗଲା, ଆଶ୍ଚର୍ଯ୍ୟର କଥା ତାଙ୍କର ସ୍ମିତହାସ୍ୟ ବଦନ ଯୋଗୁଁ ଡ଼ାକ୍ତର ତାଙ୍କୁ ସିରିୟସ୍ ବୋଲି ଜାଣି ପାରିନଥିଲେ । ମୋ ପିତା ବି ତାଙ୍କର ଅସହ୍ୟ ଯନ୍ତ୍ରଣାକୁ କାହାକୁ ଜଣେଇ ଦେଉନଥିଲେ, ତାଙ୍କୁ ଯେତେବେଳେ ଏକ ଚଉକି ବସିବାକୁ ଦିଆଗଲା ସେ ସେହି ଚ‌ଉକି ଉପରେ ସଙ୍ଗେ ସଙ୍ଗେ ଟଳି ପଡ଼ିଲେ, ସମସ୍ତେ ସ୍ତବ୍ଧ ହୋଇପଡିଲେ, ଏହି ମହାନ୍ ବ୍ୟକ୍ତିତ୍ଵ ଧାରୀ ମଣିଷଟି ଶେଷ ଜୀବନରେ ବି କାହାକୁ କଷ୍ଟ ନ ଦେଇ ନିରବରେ ହସି ହସି ଟଳି ପଡିଲେ ।


       ମୁଁ ଆଜି ଗର୍ବିତ ସତ୍ୟବାଦୀ ମିଶ୍ରଙ୍କ ଝିଅ ହିସାବରେ, ଯିଏ ଆମକୁ ବଳିଦାନ, ଜୀବନର ପ୍ରକୃତ ଧର୍ମ କଣ, ସତ୍ ପଥର ମିଠାତ୍ୱ କଣ ଶିଖେଇ ଦେଇ ଯାଇଛନ୍ତି । ତାଙ୍କ ସତ୍ କର୍ମର ଫଳ ସ୍ୱରୂପ ମୃତ୍ୟୁ ପରେ ଆମ ଜାତୀୟ ପତାକା ଘୋଡେ଼ଇ ସରକାରୀ କର୍ମଚାରୀ ସଂଘ ତରଫରୁ ସମବେତ ହୋଇ ଅଶ୍ରୁ ନୟନରେ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ, ସ୍ଲୋଗାନ ଥିଲା ସତ୍ୟବାଦୀ ମିଶ୍ର ଅମର ରହେ, ବିଭିନ୍ନ କ୍ଷେତ୍ରରେ ତାଙ୍କ ଫୋଟ ରଖି ଜନ୍ମ ଓ ଶ୍ରାଦ୍ଧୋତ୍ସବ ପାଳନ କରାଯାଉଛି, ଯାହା ଆମ ପାଇଁ ଗର୍ବରର କଥା, ଯୁଗ ଯୁଗ ପାଇଁ ସେ ଏହି ଅମୂଲ୍ୟ ଧନକୁ ରଖି ଦେଇ ଯାଇଛନ୍ତି, ଯାହାକୁ ନେଇ ଆମେ ସନ୍ତାନ ମାନେ ଗୈାରାବିତ ମନେ କରିଥାଉ, ଏହି ପୂଜ୍ୟ ପିତାଙ୍କୁ କୋଟି କୋଟି ପ୍ରଣାମ । ନାମଟି ସତ୍ୟବାଦୀ ମିଶ୍ର, ବାସ୍ତବରେ ଏହି ନାମ ତାଙ୍କ ପାଇଁ ଯଥାର୍ଥ ଅଟେ ।ସେ ଜୀବନର ଶେଷ ପର୍ଯ୍ୟନ୍ତ ଆତ୍ମ ପ୍ରଚାରଠୁ ଦୂରରେ ଥିଲେ, ମୁଁ ଏହି କ୍ଷେତ୍ରରେ ପିତାଙ୍କ ଉପରେ ଲେଖନୀ ପାଇଁ ଥିବାରୁ ମହାନ୍ ପିତାଙ୍କର ଅମୂଲ୍ୟ କର୍ମ ଭିତରୁ ଏହି ସଂକ୍ଷିପ୍ତ ବିବରଣୀ ସମାଜ ଆଗରେ ଥୋଇଲି,ମୋ ମହାନ୍ ପିତାଙ୍କୁ ସଲାମ୍ ଦେଉଛି,

ଜୟ ହିନ୍ଦ୍,ଜୟ ଭାରତ ମାତା।



Rate this content
Log in

Similar oriya story from Inspirational