Nityananda Nandi

Classics Inspirational

4.5  

Nityananda Nandi

Classics Inspirational

ମୋ ବୋଉ, ତାଙ୍କ ବୋଉ

ମୋ ବୋଉ, ତାଙ୍କ ବୋଉ

5 mins
167



 ଅଚାନକ ଦେଖିଲି, ଅଫିସ ବେଗରୁ ଗୋଟାଏ ସେଓ ବାହାର କରି ତାଙ୍କ ବୋଉକୁ ବଢେଇ ଦେଲେ ଆଦିତ୍ୟ। ଯେତେବେଳେ କି ସେ ଭଲ ଭାବେ ଜାଣନ୍ତି ମୋ ବୋଉ ଆଉ ଗୋଟାଏ ରୁମରେ ବସିଛି ବୋଲି ।

କଥାଟି ଗୋଟାଏ ଆପେଲ୍ ପାଇଁ ନ ଥିଲା, ଗୋଟାଏ ଅତୁଟ ବିଶ୍ବାସ ଯେମିତି ହୋ ହୋ କରି ଜଳୁଥିଲା ମୋ ମନ ଭିତରେ।

ମୁଁ ବହୁତ ଭଲ ପାଏ ଆଦିତ୍ୟଙ୍କୁ

ସେ ବି ମୋତେ ଠିକ୍ ସେମିତି ଭଲ ପାଆନ୍ତି। ମୋ ବୋଉକୁ ଗୋଟାଏ ସେଓ ଦେଇ ପାରିଥାନ୍ତେ ଆଦିତ୍ୟ। ସେଇଥିପାଇଁ ବୋଧେ କଷ୍ଟ ଲାଗିଲା। ସ୍ନେହ, ମମତାରେ ଭିଜି ଭିଜି ବଢ଼ିଥିବା ମନଟା କାଚ ପରି ସୂକ୍ଷ୍ମ ଆଉ ମସୃଣ। ଭାଙ୍ଗିବା ପାଇଁ ଅଳ୍ପ ଆଘାତ ହିଁ ଯଥେଷ୍ଟ। ମନଟା ଆଉ କୋଉ ପଥର ଯେ ପଡିଗଲେ ଭାଙ୍ଗିବାର ଭୟ ନ ଥିବ !

ଆଦିତ୍ୟଙ୍କ ସାଥିରେ ମୋର ପ୍ରେମ ବିବାହ। ପ୍ରେମ ବିବାହରେ ବୋଧେ ସାମାଜିକତା ଆଦୌ ନ ଥାଏ। ମୁଁ ତାଙ୍କ ପରିବାର ବାବଦରେ କିଛି ଆଲୋଚନା କରେ ନାହିଁ। ସେ ବି କରନ୍ତି ନାହିଁ ମୋ ପରିବାର ବାବଦରେ। ସେ ତାଙ୍କ ବୋଉ ପାଖରେ ଗପନ୍ତି , ମୁଁ ମୋ ବୋଉ ପାଖରେ। ବିଚରା ଜହ୍ନ, ଭଙ୍ଗାରୁଜା ରାତିର ସାନ୍ନିଧ୍ୟ ପାଇଁ ଯେତିକି ପାଗଳ ହୁଏ ପୃଥିବୀଟା ଠିକ ସେତିକି ବ୍ୟଗ୍ର ହୋଇ ଉଠେ ସକାଳ ସୂର୍ଯ୍ୟର ସ୍ପର୍ଶ ପାଇଁ..ସମସ୍ତେ ସ୍ୱାର୍ଥପର, ଠିକ୍ ଆମ ପରି।

ମୋ ବାପାଙ୍କ ମୃତ୍ୟୁ ପରେ ବୋଉ ମୋ ପାଖରେ ରହେ। ଆଦିତ୍ୟ ଙ୍କ ବୋଉ ଛ ମାସ ପାଇଁ ବୁଲି ଆସିଛନ୍ତି ଗାଆଁରୁ।

ଆମେ ଦୁଇଜଣ ଦିନସାରା କମ୍ପ୍ୟୁଟର ଆଗରେ ହିଁ ବସି ରହୁ। ଅଲଗା ଅଲଗା ଅଫିସରେ।

ହୃଦୟଟି ତ ସମ୍ପୂର୍ଣ୍ଣ ମେକାନିକାଲ। ଆଦିତ୍ୟ ତାଙ୍କ ବୋଉକୁ ଆପେଲ ଦେବା ଘଟଣାଟି ନେଇ ମୋ ହୃଦୟଟି ଏତେ ବିବ୍ରତ କାହିଁକି ? ସେ ତାଙ୍କ ବୋଉ, ଟିକିଏ ପକ୍ଷପାତିତା ରହିବ ହିଁ ରହିବ। ମନକୁ ବୁଝେଇ ଦେଲି। ମୁଁ ବି ତ ପୁଣି ବେଶି ଚିନ୍ତା କରେ ମୋ ବୋଉ କଥା !

ହୃଦୟଟି ମାଂସ ପେଶିକୁ ନେଇ ଗଠିତ, କଷ୍ଟ ହେବନି କାହିଁକି ? ତେଲ ବୋଳା ସଲିତା ବି ସ୍ନେହ ଚାହେଁ, ହାତର ସ୍ପର୍ଶ ଚାହେଁ। ନଚେତ୍ ଅଭିମାନୀ ପ୍ରଦୀପଟା ଲିଭିଯିବାର ଅଭିନୟ କରେ ! ଆମ ଭିତରେ ତ ପୁଣି ଜୀବନ ଅଛି, ଅନୁଭବ କରିବାକୁ ଶକ୍ତି ଦେଇଛନ୍ତି ଭଗବାନ୍।

ଦିନେ ହଠାତ୍ ବୋଉ ଫୋନ କରି କହିଲା, ମିତା ! ଶୀଘ୍ର ଆ। ତୋ ଶାଶୁର ଦେହ ଭାରି ଖରାପ।

ମୁଁ କାମଦାମ ଛାଡି ଦେଇ ବାହାରିଲି ଘରକୁ। ଆଦିତ୍ୟଙ୍କୁ କହିଲି, ଡାକ୍ତରଙ୍କୁ ଧରି ସିଧା ଘରକୁ ଆସ। ମୋ ଶାଶୁଙ୍କ ଦେହ ଭୀଷଣ ଖରାପ। ତମେ କାର ନେଇ ମୋ ପାଖକୁ ଆସନି। ମୁଁ ଓଲା ବୁକ କରି ସାରିଛି।

ମୁଁ ଘରେ ପହଞ୍ଚିଲା ବେଳକୁ ଆଦିତ୍ୟ ଆଉ ଡାକ୍ତର ଶାଶୁଙ୍କ ପାଖରେ। ଡାକ୍ତର କହିଲେ ସବୁ ଠିକ୍ ଅଛି, କିଛି ଅସୁବିଧା ନାହିଁ। ଏଇ ଔଷଧ ତାଙ୍କୁ ବଞ୍ଚେଇ ଦେଲା। ଆମ୍ଲୋଡିପାଇନ୍ ୫ ଏମ୍ ଜି।

ପ୍ରେସର ନର୍ମାଲ ହୋଇ ଯାଇଛି କହି ଡାକ୍ତର ବାହାରି ଗଲେ।

ଶାଶୁ କହିଲେ ସମୁଦୁଣୀ ନ ଥିଲେ ମୁଁ କଣ ଆଜି ବଞ୍ଚି ଥାଆନ୍ତି ! ଦେହ ଝାଳେଇଗଲା, ମୁଁ ଖଟ ତଳକୁ ଖସି ପଡିଲି। ଶବ୍ଦ ଶୁଣି ମିତାର ବୋଉ ଆସି ମୋତେ ଉଠେଇ ଖଟରେ ବସେଇ ଦେଲେ। ପ୍ରେସର ମାପିଲେ, ୧୮୦/୧୦୦, କଣ ଗୋଟାଏ ଟାବଲେଟ ଆଣି ମୋତେ ଖୁଏଇ ଦେଲେ, ମୁଁ କିଛି ଜାଣିନି। ଖାଲି ଏତିକି କହିଲେ ଯେ, ପ୍ରେସର ବଢ଼ି ଯାଇଛି। ପ୍ରେସର ବଟିକା ଖାଇନିଅ। ସେ ପ୍ରତିଦିନ ଖାଆନ୍ତି ବୋଧେ !!

ବାର ବାର ଟଏଲେଟ୍ ଯିବାକୁ ଇଚ୍ଛା ହେଲା, ଘଣ୍ଟାଏ ଭିତରେ ପାଞ୍ଚ ଥରରୁ ଅଧିକ ହେବ, ମିତାର ବୋଉ ମୋ ହାତ ଧରି ଟଏଲେଟ୍ ଭିତରକୁ ନେଇ ଯାଉଥିଲେ। ଓଦା ଗାମୁଛାରେ ଝାଳ ପୋଛି ଦେଉଥିଲେ ସେ ବାର ବାର। କହିଲା ବେଳକୁ ମୋ ଶାଶୁମାଙ୍କ ଆଖିରୁ ଦୁଇ ଟୋପା ଲୁହ ନିଗିଡ଼ି ଆସିଲା।

ଆଦିତ୍ୟ ଅବାକ୍ ହୋଇ ମୋତେ ଅନେଇଲେ। ମୋ ବୋଉକୁ କୁଣ୍ଢେଇ ପକେଇଲେ ସେ। ମା ! ତମେ ଥିଲ ବୋଲି ମୋ ବୋଉର ଜୀବନ ରକ୍ଷା ହୋଇଗଲା ନା ଆଖିରୁ ତାଙ୍କର ଅନବରତ ଅଶ୍ରୁ ନିଗିଡ଼ି ଚାଲିଥାଏ। ମୋ ବୋଉ ଆଦିତ୍ୟଙ୍କ ବାହୁ ଭିତରେ।

ମୋ ବୋଉ ଆଉ ମୋ ଶାଶୁ ମା ଭିତରେ ବି ଏତେ ଆନ୍ତରିକତା, କେବେ ଥରେ ଭାବିବାକୁ ସମୟ ପାଇନୁ। କ୍ଳାନ୍ତଶ୍ରାନ୍ତ ପାଖା ପାଖି ବହୁଥିବା ନଦୀ ଦୁଇଟି ମୁହାଣ ପାଖରେ ମିଶି ଯିବାକୁ ଇଚ୍ଛା କରନ୍ତି। ଗର୍ବ ଅହଙ୍କାରକୁ ପିଠିରେ ଲଦି ସାରା ଜୀବନ ଚାଲନ୍ତି ସେମାନେ ଏକୁଟିଆ। କେହି କାହାକୁ ଦେଖନ୍ତି ନାହିଁ। ଏକ ବିସ୍ତୀର୍ଣ୍ଣ ପରମାତ୍ମା ସହ ମିଶିବା ପୂର୍ବରୁ କେତେ ନିଃସହାୟ ହୁଅନ୍ତି ସେମାନେ। କୂଳ ସବୁ ଧସି ଯିବାର ମୁହୂର୍ତ୍ତ। ସାଥୀଟିଏ ଖୋଜିବାର ବେଳ। ହାତ ଧରି ସାଥିରେ ଚାଲିଲେ ମନରେ ଦମ୍ଭ ଆସେ ବୋଧେ।

କିନ୍ତୁ, ଆମେ ସବୁ ଅଫିସରୁ ଫେରିବା ପରେ ଲାଗେ ଯେମିତି ସେମାନେ ଦୁଇ ଜଣ ଭିନ୍ନ ଭିନ୍ନ ଦୁଇଟି ପୃଥିବୀର ମଣିଷ। ଆମ ସାମାଜିକ ବ୍ୟବହାର ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିଦିଏ, ରାତି ହେଲେ। ମୁଁ ବସେ ମୋ ବୋଉ ପାଖରେ, ଶାଶୁମାଙ୍କ ପାଖରେ ବସି ଦୁଃଖ ସୁଖ ହୁଅନ୍ତି ଆଦିତ୍ୟ। ତା ପରେ ଖାଇ ପିଇ ଆମେ ଦୁହେଁ ଆମ ରୁମ ଭିତରକୁ ଚାଲିଯାଉ। ମୁଁ କାହିଁକି ଶାଶୁଙ୍କ ପାଖରେ ବସେନି, ଆଦତ୍ୟ କାହିଁକି ପ୍ରାୟ କଥା ହୁଅନ୍ତି ନାହିଁ ମୋ ବୋଉ ସାଥିରେ। ସମସ୍ତେ ଆମେ ଡାଇନିଂ ଟେବୁଲରେ ବସି ଗପୁ ନାହାନ୍ତି କାହିଁକି ?

ଆଦିତ୍ୟଙ୍କ ଭିତରେ ଅଚାନକ ବହୁତ ବଡ ପରିବର୍ତ୍ତନ ଦେଖି ମୋତେ ଇଚ୍ଛା ହେଲା ମୁଁ ବି ଚେଷ୍ଟା କରିବି ବଦଳି ଯିବାକୁ ।ଗୋଟାଏ ଗଛରେ ଦୁଇ ରଙ୍ଗର ଫୁଲ ଏକ ଅସାଧାରଣ ବ୍ୟତିକ୍ରମ, ଆମେ ଦୁହେଁ ଏକ ସାଧାରଣ ଗଛର ଦୁଇଟି ଫୁଲ, ସମାନ ରଙ୍ଗ, ଆଉ ବର୍ଣ୍ଣରେ ହେଲେ କେତେ ସୁନ୍ଦର ଲାଗିବ ଗଛଟି।

ଆଦିତ୍ୟ ଙ୍କୁ ଟାଣି ନେଇଗଲି ବାରଣ୍ଡାକୁ, ଇଚ୍ଛା ହେଲା ବହୁତ ଗପିବାକୁ ଆଦିତ୍ୟଙ୍କ ସହିତ। କୋଳେଇ ନେଇ କହିଲି, ଶାଶୁଙ୍କୁ ନେଇ ବଡ ଡାକ୍ତର ପାଖରେ ଦେଖେଇ ଆଣିବା।

ଠିକ୍ ଅଛି, ସମସ୍ତେ ଯିବା। ଶାଶୁ ମା ବି ସାଥିରେ ଯିବେ, ଆଦିତ୍ୟ କହିଲେ

ଦୁଇଜଣ ଝର୍କା ଦେଇ ଅନେଇଲୁ ତାଙ୍କ ବୋଉ ଶୋଇଥିବା ଘର ଭିତରକୁ। ନଡ଼ିଆ ତେଲ ଦେଇ ଶାଶୁମାଙ୍କ ଚୁଟି କୁଣ୍ଡାଉ ଥିଲେ ମୋ ବୋଉ । ବୋଉ କହୁଥିଲା , ଗାଆଁକୁ ଆଉ ଯାଅନି ସମୁଦୁ ଣୀ, ଏଇଠି ରୁହ। ଏମିତି ବି ଗାଆଁରେ ଆଉ ଆତ୍ମିୟତା କାହିଁ। ଅଧାପୋଡ଼ା ଶବକୁ ଛାଡି ଦେଇ ଆସନ୍ତି ଶ୍ମଶାନରେ ଆତ୍ମୀୟ ସ୍ୱଜନମାନେ। ଚାଲ ସାଙ୍ଗ ହୋଇ ରହିବା ଏଇଠି। ବଳ ବୟସ ଗଲାଣି ଆଉ କେତେଦିନ ବଞ୍ଚିବା ଯେ ଖାଲି କଥା ରହିଲା, କିଏ ଆଗେ ଯିବ ! ତମେ ନା ମୁଁ ?

ଶାଶୁମା କହିଲେ, ସମୁଦୁଣୀ ! ମୁଁ ଯଦି ଆଗେ ମରିଯାଏ, ମୋ ପୁଅ ବହୁଙ୍କ କଥା ବୁଝିବ ତ। ରୋଷେଇ ଘର ଦ୍ବାର ମୁହଁରେ ଛିଡା ହୋଇ ବତେଇ ଦେବ, କଣ କେମିତି ରାନ୍ଧିବେ ସେମାନେ। କିଛି ଜାଣି ନାହାନ୍ତି ଲୋ, ଖାଲି ଅଫିସ, ଅଫିସ ଆଉ ଅଫିସ।

ମୋ ବୋଉ କହୁଥିଲା, ତା ବାପା ସବୁବେଳେ କହୁଥିଲେ, ଝିଅ କୁ ସବୁବେଳେ ବୁଝେଇବ ଜୀବନର ଅଧାସମୟ ଆଉ ଜଣେ ମା ସହିତ କାଟିବାକୁ ହୁଏ, ସେ ହେଉଛନ୍ତି ଶାଶୁମା। ଖାଲି ତ ପାଠପଢା ଆଉ ଚାକିରୀ, ସମୟ କୋଉଠୁ ଆଉ ମିଳିଲା ଯେ, ତାକୁ ବୁଝେଇ ଥାଆନ୍ତି କିଛି ଜାଣିନି, ନିଜ ଝିଅ ଭାବି କ୍ଷମା କରିଦେବ ତ ! ମୁଁ ଯଦି ଆଗେ ଚାଲିଯାଏ କହି କାନ୍ଦି ପକେଇଲା, ମୋ ବୋଉ।

କେତେ ଅସହାୟ ଲାଗୁଥିଲେ ମୋ ଶାଶୁ ମା। ଏକ ସରଳ ସହଜ ହସ ଭିତରୁ ଅସମାହିତ ପ୍ରଶ୍ନ ସବୁ ଉଙ୍କି ମାରୁଥିଲା, ଆମ ଦୁହିଁଙ୍କ ଭବିଷ୍ୟତକୁ ନେଇ ଆମେ କିନ୍ତୁ କେବେ ଭାବିନୁ ସେମାନଙ୍କ କଥା !

ମୋ କାନ୍ଧ ଉପରକୁ ଆଉଜି ପଡ଼ି ଅବଶ ହୋଇଗଲେ ଆଦିତ୍ୟ। ତାଙ୍କ ମୁଣ୍ଡ ଚୁଟିକୁ ସାଉଁଳି ଦେଲି, ଟିକିଏ ଦମ୍ଭ ଆସିବ। ଆଖିରେ ଆଖିଏ ଲୁହ ଭରି ଆସିବା ଆଗରୁ ନିଜକୁ ନିୟନ୍ତ୍ରଣ କରିନେଲି, ମନେ ମନେ ଭାବୁଥିଲି, ଜୀବନଟା ମୋ ବୋଉ ଓ ତାଙ୍କ ବୋଉ ଭିତରେ ସୀମିତ ନୁହେଁ, ଆହୁରି ଅନେକ କିଛି ତା ଠାରୁ ଉର୍ଦ୍ଧ୍ବରେ। କୃତ୍ରିମ ବୁଦ୍ଧିର ପରିସୀମା ଭିତରୁ ବାହାରି ଆସି ଏକ ସାମାଜିକତାର ଜାଲ ଭିତରେ ନିଜକୁ ଆବଦ୍ଧ କରିବାକୁ ହେବ। ବୋଉଠାରୁ ଟିକିଏ ଦୂରରେ ଶାଶୁ ମା ବୋଲି ଗୋଟାଏ ଚରିତ୍ରକୁ ଆବିଷ୍କାର କରିବାକୁ ହେବ ହିଁ ହେବ, ବାପା ବି ମୋ ବୋଉକୁ କହିଥିଲେ ସେଦିନ। ପ୍ରତିଦିନ ଯତ୍ନ ନେଲେ ଅନାବନା ହୋଇ ପଡିଥିବା ବଗିଚାଟି ମନୋରମ ହୋଇଉଠେ ନା ଯେମିତି ସୁନ୍ଦର ହସଖୁସିର ପରିବାର ପାଇଁ ଅଳ୍ପ ଟିକିଏ ଯତ୍ନ ଦରକାର, ବାସ୍ ଯେମିତି ଆମ ଅନୁପସ୍ଥିତିରେ ମୋ ବୋଉ ଶାଶୁ ମାଙ୍କ ଜୀବନ ବଞ୍ଚେଇଲା ନିଜ ଔଷଧ ତାଙ୍କୁ ଖାଇବାକୁ ଦେଇ ଦେଖିବାକୁ ଗଲେ ମୋ ବୋଉ ତାଙ୍କ ବୋଉ ଙ୍କ ଭିତରେ କିଛି ସମସ୍ୟା ନାହିଁ, ଆମେ ବୋଧ ହୁଏ ପରିସ୍ଥିତି ସହ ମୁକାବିଲା କରି ପାରୁନେ ।



Rate this content
Log in

Similar oriya story from Classics