Lipi Sahoo

Children Stories

4.0  

Lipi Sahoo

Children Stories

ମୋ ବାପା ସାଣ୍ଟା

ମୋ ବାପା ସାଣ୍ଟା

5 mins
135


ଦୀପୁ ଚପଲ ଗଳେଇ ସଅଳ ଆ...। ମୋର ତେଣେ କେତେ ଡେରି ହେଲାଣି । ସେଣେ ମା ପୁଣି ପାଟି କରିବେ । ଦୀପୁ ଚପଲ ଗଳେଇ ସାର୍ଟର ବୋତାମ ଲଗେଇ ଲଗେଇ ବାହାରି ଆସିଲା । ମୁଁ ତ ତୋତେ କହୁଛି ବଡ଼ ହେଲିଣି ପ୍ରଥମ ଶ୍ରେଣୀରେ ପଢିଲିଣି ଘରେ ଏକା ରହି ଯିବି , ତୁ ହିଁ ମାନୁନୁ । ଦୀପୁର କଲର ସଜାଡୁ ସଜାଡୁ ସୀତା କହିଲା ଉଁ... ବଡ଼ ହେଲିଣି , ବୋତାମ ଠିକ୍ ସେ ଲଗେଇନୁ ଦେଖ ଉପର ତଳ କରି ଲଗେଇଚୁ । ଓ... ଏଇଟା ତରତର କଲୁ ବୋଲି ଏମିତି ହେଇ ଯାଇଚି । ହଉ ହଉ ଠିକ୍ ସେ ଲଗା ଆଉ ଚାଲେ । ତୋତେ ଧରି ଧରି ଏଇନେ ଚାରି ଘର ବୁଲିବି । ତୋ ବାପାଟା ଗୋଟେ ରାଜା ନା.... ବଡଦିନରେ ସକାଳୁ ଭୋଜି କରିବାକୁ ପଳେଇଲା । ତୁ ସ୍କୁଲ ଯାଇଥିଲେ ମୋର କ'ଣ ଏତେ ଚିନ୍ତା ଥାଆନ୍ତା ??? ହେଲେ ତୋର ଆଜି ଛୁଟି । ହଉ ଶୁଣ ବାବୁ ଘରେ ଚୁପଚାପ୍ ଗୋଟେ ଜାଗାରେ ବସିବୁ । ଯମା ଚଗଲା ହେବୁନୁ କୋଉ ଜିନିଷରେ ଲାଗିବୁନି । ନ ହେଲେ ମା ବିରକ୍ତ ହେବେ । ବୁଝିଲୁ ... ?? ଦୀପୁ ମୁଣ୍ଡ ଟୁଙ୍ଗାରିଲା ।

                   ସୀତା ଆଗ ମହାନ୍ତି ବାବୁଙ୍କ ଘରକୁ ଗଲା । କଲିଂବେଲ୍ ମାରିଲା । ଶାନ୍ତା ଭାଉଜ ଆସି କବାଟ ଖୋଲିଲେ । ପଚାରିଲେ ଇୟେ କିଏ ତୋ ପୁଅ ? ସୀତା ଛୋଟିଆ ହଁ ଟିଏ ମାରି ଦୀପୁକୁ ଆଖିରେ ଇସାରା କଲା ପିଣ୍ଡାରେ ବସିବାକୁ ଆଉ ଭିତରକୁ ଚାଲିଗଲା । ପିଣ୍ଡାରେ ଗୋଟେ ବେତର ଦୋଳି ଟଙ୍ଗା ହେଇଥାଏ । ଦୀପୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ସେଇ ଦୋଳି ପାଖରେ ବସିଲା ଆଉ ଧୀରେ ଧୀରେ ତାକୁ ଝୁଲେଇଲା । ସେଥିରେ ବସିବାକୁ ତା'ର ବହୁତ ଇଚ୍ଛା ହେଉଥିଲା ହେଲେ ମା ପାଟି କରିବ ଡରରେ ବସି ନଥିଲା । କିଛି ସମୟ ପରେ ଗୋଟେ ତାରି ବୟସର ପିଲା ବାହାରକୁ ଆସିଲା । ହାତରେ ଲାଲ୍ ରଙ୍ଗର ବଡ଼ ଖେଳନା ଗାଡ଼ି ଧରି । ସେ ଦୀପୁକୁ ଦେଖି କହିଲା ଆରେ ... ସେଟା ସେମିତି ଖାଲି ହଲାନ୍ତିନି , ଏମିତି ବସି ଝୁଲନ୍ତି କହି ଦୋଳିରେ ବସି ପଡିଲା । ଦୀପୁର ନଜର ସେଇ ଖେଳନା ଗାଡ଼ି ଉପରେ ପଡ଼ିଲା । ତାକୁ ବହୁତ ଭଲ ଲାଗିଲା । ସେ ହାତ ବଢେଇଲା ନେବା ପାଇଁ । ଓ...ଏଇ ଗାଡ଼ିଟା ତ ?? ମୋତେ ଆର ବର୍ଷ ସାଣ୍ଟା ଏଇଟା ଗିଫ୍ଟରେ ଦେଇଥିଲା । ଦୀପୁର ମୁଣ୍ଡରେ କିଛି ପଶିଲାନି ସେ ମୁଣ୍ଡ କୁଣ୍ଡେଇ ହେଲା । ରହ...ରହ ତୋତେ ଦେଖଉଚି କହି ଭିତରକୁ ଦୌଡ଼ି କି ପଳେଇଲା ।

                  ଦୀପୁର ମନ ସେଇ ଗାଡ଼ିରେ ଲାଗି ଯାଇଥିଲା । ଭିତରୁ ଶୁଭିଲା , ପିଣ୍ଟୁ ସେ ବହି ନେଇ କୁଆଡେ଼ ଯାଉଛୁ ? ପିଣ୍ଟୁ ଆସି ଉଭା ହେଲା ଦୀପୁ ଆଗରେ ଗୋଟେ ହାତରେ ବହି ଆର ହାତରେ ସେଇ ଖେଳନା ଗାଡି ଧରି । ଏଇ ଦେଖ କହି ଗୋଟେ ପୃଷ୍ଠା ଖୋଲିଲା ସେ । ଏଇ ଯୋଉ ବୁଢ଼ା ନାଲି ଡ୍ରେସ୍ ଆଉ ଟୋପି ପିନ୍ଧିଚି ତାରି ନାଁ ସାଣ୍ଟା । ସେ ଆକାଶରେ ରୁହେ । କ୍ରିସମାସ୍ ଦିନ ମାନେ ଆଜି ରାତି ବାରଟା ପରେ ସେ ତଳକୁ ଆସି ଛୋଟ ପିଲା ମାନଙ୍କୁ ଉପହାର ଦିଏ । ପିଲା ମାନଙ୍କୁ ସେ ବହୁତ ଭଲପାଏ । କାଇଁ ମୋତେ ତ କେବେ ଦେଇନି , ମୁହଁ ଶୁଖେଇ ଦୀପୁ କହିଲା । ପିଣ୍ଟୁ ହସି ହସି କହିଲା ଆରେ ବୋକା !! ତାକୁ ଜଣେଇଲେ ସିନା ତୋ'ର କ'ଣ ଦରକାର ? ସେ ଆଣି କି ଦେବ । ନ ହେଲେ ସେ କେମିତି ଦେବ ? ତୁ ହାତ ଜୋଡି ଆଖି ବନ୍ଦ କରି କି ତାକୁ କହ ତୋ'ର କ'ଣ ଦରକାର ? ଦୀପୁ ତା କଥା ମାନି ହାତଯୋଡି ମନକୁ ମନ କହିଲା , ସାଣ୍ଟା !! ମୋତେ ଗୋଟେ ନାଲି ଖେଳଣା କାର ଦରକାର । ଠିକ୍ ଏଇ ସମୟରେ ସୀତା ହାତ ପୋଛି ପୋଛି ବାହାରି ଆସି କହିଲା ଚାଲ୍ ଦୀପୁ ଦାସ ବାବୁଙ୍କ ଘରକୁ ଯିବା । ପିଣ୍ଟୁବାବୁ ଭିତରକୁ ଯାଅ ମା ଖାଇବାକୁ ଡାକୁଛନ୍ତି । 

              ସୀତା ଆଉ ତିନି ଘର କାମ ସାରିଲା । ସେତେବେଳେକୁ ଦିନ ଆସି ଏଗାରଟା ବାଜିଲାଣି । ଦୀପୁ ଯାହା ହେଉ କିଛି ବଦମାସି ନ କରି ସୁନା ପିଲା ଭଳି ସମସ୍ତଙ୍କ ଘରେ ଚୁପଚାପ୍ ବସିଲା । ସେଇ ନାଲି ଖେଳନା ଖାଲି ତା ଆଖିରେ ନାଚୁଥାଏ । ସତର ଥର ସାଣ୍ଟାକୁ ଜଣେଇ ସାରିଲାଣି ତା ମନ କଥା । ରାସ୍ତାରେ ମାଁକୁ ପଚାରିଲା ଆମେ କାହିଁକି ବଡଦିନ ପାଳନ କରୁନୁ ?? ସୀତା କିଛି ବୁଝି ନପାରି କହିଲା ସେଇଟା ବଡ଼ବଡ଼ିଆଙ୍କ ପର୍ବ । ଆମ ଭଳି ଗରିବ ଲୋକଙ୍କର ନୁହଁ । ଦୀପୁ ପଚାରିଲା ଆମେ ଗରିବ କାହିଁକି ?? ତୋ ବାପା ଗେରେଜ୍ ରେ କାମ କରେ ଆଉ ମୁଁ ପର ଘରେ ବାସନ ମାଜେ ସେଇଥି ପାଇଁ । ଆଉ ବର ବର ହେଇ ମୋ ମୁଣ୍ଡ ଖରାପ କରନା । ଶିଘ୍ର ଘରକୁ ଚାଲ । ତୋତେ ଭୋକ ହଉନି କି ?? 

                 ଘରେ ପହଞ୍ଚି ଭାତ ଖାଇ ଦୀପୁ ଶିଘ୍ର ଶୋଇ ପଡ଼ିଲା । ତାକୁ ବହୁତ ରାତି ଯାଏଁ ଚେଇଁବାକୁ ପଡ଼ିବ ସେଇଥି ପାଇଁ । ପିଣ୍ଟୁ କହିଥିଲା ସାଣ୍ଟା ରାତି ବାରଟା ପରେ ଆସିବ । ଦୀପୁ ଉଠିଲା ବେଳକୁ ସନ୍ଧ୍ୟା ହେଲାଣି । ମା ସଂଜ ଦେଉଥିଲା ଚଉରା ଗଛ ମୂଳରେ । ତାକୁ ଦେଖି କହିଲା କେତେ ଶୋଉଚୁ କିରେ ? ମୁଁ ସବୁ ଘରେ କାମ ସାରି ଆସିଲିଣି ତୁ ସେମିତି ଶୋଇଚୁ । ଦୀପୁ ପଚାରିଲା ତୁ ମତେ ବାହାରୁ ତାଲା ଦେଇ ଯାଇଥିଲୁ କାମକୁ ? ଆଉ କ'ଣ କରି ଥାଆନ୍ତି ତୁ ସେମିତି ଶୋଇଚୁ ଯେ ଶୋଇଚୁ । ମା ବାପା କେତେବେଳେ ଆସିବେ ? ମୋତେ କ'ଣ ଜଣା ? ବହୁତ ରାତି ହେବ ବୋଧେ । ମା ସାଣ୍ଟା ବୋଲି କିଏ ଜଣେ କ'ଣ ସତରେ ଅଛି ? ପିଣ୍ଟୁ କହୁଥିଲା ସେ ଆକାଶରେ ରୁହେ ଆଉ ପିଲା ମାନଙ୍କୁ କାଳେ ଉପହାର ଦିଏ ବୋଲି । ସୀତା ବିରକ୍ତ ହେଇ କହିଲା ମୁଁ ସେ ସବୁ କିଛି ଜାଣିନି । ବଡ଼ ଲୋକଙ୍କ ବଡ଼ କଥା । ସେଥିରେ ତୁ କାଇଁ ମୁଣ୍ଡ ପୁରଉଚୁ ?                

       ରାତି ଖାଇବା ସାରି ଦୀପୁ ଯାଇ ଗୋଟେ ଚଦର ଘୋଡେ଼ଇ ହେଇ ପିଣ୍ଡାରେ ବସିଲା । ସୀତା ଆସି ପଚାରିଲା ଏତେ ଥଣ୍ଡାଟାରେ ପିଣ୍ଡାରେ କାହିଁକି ଆସି ବସିଛୁ । ସତ କଥା ନ କହି ଦୀପୁ କହିଲା ବାପା ଆସିବେ ତ ଜଗି ବସିଛି । ଆରେ !! ସେ ଆସୁ ଆସୁ କେତେ ରାତି ହେବ କିଏ ଜାଣେ ? ତୁ ଏତେ ରାତିରେ ଦୁଆର ଖୋଲି ବସିବୁ । ଥଣ୍ଡା ରେ ତୋ ଦେହ ଖରାପ ହେବ । 

         ହଉ !! ତୁ ଯା ଶୋଇବୁ ମୁଁ ଆଉ ଟିକେ ପରେ ପଳେଇ ଆସିବି । ଦିନରେ ଶୋଇ ପଡିଥିଲି ନିଦ ଆସୁନି । 

       ଜଲଦି ପଳେଇ ଆସିବୁ ବେଶୀ ସମୟ ବସିବୁନି । ମଦୁଆ ସବୁ ମାତାଲ୍ ହେଇ ଫେରିବେ ଏଇନେ । ସୀତା ଭିତରକୁ ପଳେଇଲା । କେତେବେଳେ ତା ଆଖି ଲାଗିଯାଇଚି ସେ ଜାଣେନା ।                 

             ଦୀପୁ ପିଣ୍ଡାରେ ସେମିତି ବସିଥାଏ ରାସ୍ତାକୁ ଅନେଇ । ପାଖ ଗୀର୍ଜାଘରେ ଢଙ୍ଗ ଢଙ୍ଗ ଘଣ୍ଟା ବାଜି ଉଠିଲା । ପରେ ପରେ ବୋଧେ ଗୋଟେ ବାଣ ଫୁଟିଲା । ଇସ୍ କି ସୁନ୍ଦର !! ଆକାଶ ସାରା ଆଲୋକମୟ ହେଇଗଲା । ତା ପରେ ଚୂନା ଚୂନା ତାରା ଫୁଲ ଆକାଶରୁ ଖସିପଡିଲେ । କେତେ ସମୟ ଯାଏଁ ସେଇ ତାରାଫୁଲ ଗୁଡ଼ିକୁ ଅନେଇ ବସିଲା । ଗଳି ମୁଣ୍ଡକୁ ଅନେଇଲା କେ‌ହି ଜଣେ ନାଲି ସ୍ବେଟର ଆଉ ନାଲି ଟୋପି ପିନ୍ଧି ଆସୁଛି । ପତଳା କୁହୁଡିରେ ଠିକ୍ ସେ ଦେଖା ଯାଉନି , ସାଣ୍ଟା ବୋଧେ । ଆଉ ଟିକେ ପାଖକୁ ଆସିଲା ପରେ ଠିକ୍ ସେ ଦେଖାଗଲା । ଆରେ !!! ଏତ ମୋ ବାପା , ହେଲେ ତାଙ୍କ ହାତରେ ନାଲି ଖେଳନା କାର କେମିତି ଆସିଲା ?? ଦୀପୁ ଖୁସିରେ ତାଳିମାରି ନାଚି ଉଠିଲା ମୋ ବାପା ସାଣ୍ଟା !! ମୋ ବାପା ସାଣ୍ଟା !! କହି ସନାକୁ କୁଣ୍ଢେଇ ପକେଇଲା । ସନା ଦୀପୁ ହାତକୁ ବଢ଼େଇ ଦେଲା ସେଇ ଖେଳନା କାର । 

                 ଦୀପୁ ଦୌଡ଼ି ଯାଇ ସୀତାକୁ ଉଠେଇ କହିଲା ଦେଖିଲୁ ମୋ ବାପା ହିଁ ସାଣ୍ଟା । ପିଣ୍ଟୁ କିଛି ଜାଣିନି । ଏଇ ଦେଖ ମୋ ପାଇଁ କେମିତି ଦାମିକା ନାଲି କାର ଆଣିଛନ୍ତି । ତୁ ତ ପୂରା ବୋକିଟେ, ତୁ କ'ଣ କହିଲୁ ସେ ଖାଲି ବଡ଼ବଡ଼ିଆଙ୍କ ପିଲାଙ୍କୁ ଦିଏ । ସୀତା ପ୍ରଶ୍ନବାଚୀ ନଜରରେ ଚାହିଁଲା ସନାକୁ । ସନା ହାତଠାରି କହିଲା ମୁଁ ପଛରେ କହିବି ଦୀପୁ ଶୋଇସାରୁ । ଦୀପୁ ଖେଳଣାକୁ କୁଣ୍ଢେଇ ଶୋଇପଡ଼ିଲା । 

                ସନା ଚୁପଚୁପ୍ କହିଲା ଆମେ ଯୋଉ ଯାଗାକୁ ଭୋଜି କରି ଯାଇଥିଲୁ ସେଠିକୁ ବହୁତ ଲୋକ ଆସିଥିଲେ ଭୋଜି କରିବା ପାଇଁ । ସେଇ ଭିତରୁ କେହି ଗୋଟେ ଛୋଟପିଲା ତା ଖେଳନା ଛାଡି ଯାଇଥିଲା ବୋଧେ । ଗୋଟେ ଗଛମୂଳରେ ପଡ଼ିଥିଲା । ଦିନା କହିଲା ତୋର ତ ଛୋଟ ପୁଅ ଅଛି ନେଇ ଯା ସେ ଖେଳିବ । ଏଠି ତ କେହି ନାହାଁନ୍ତି ପଡ଼ି ପଡ଼ି ନଷ୍ଟ ହେଇଯିବ । ତୁ ନେଇ ଯା ....।


         


Rate this content
Log in