ମଣିଷପକ୍ଷୀ
ମଣିଷପକ୍ଷୀ


ଗାଁରେ ଥିଲାବେଳୁ,ପିଲାଦିନୁ ପୁଅ ଦେଖିଛି ବାପା ଅବିନାଶ ଭାରି ଦୟାଳୁ. ଯେଉଁ ଲୋକର ପୋକା ବାଇଗଣ ବିକ୍ରୀ ହୋଇପାରୁନଥିବ କି ଦୀପାବଳୀରେ ଯୋଉ ବୁଢ଼ୀର ହାତଗଡଢ଼ା ମାଟି ଦୀପ ବଦଳରେ ଲୋକେ ଆଜିକାଲିକା ସୌଖିନ ଦୀପ କିଣି ନେଉଥିବେ ଓ ବୁଢ଼ୀମାଉସୀଙ୍କ ଦୀପକୁ ଆଡ଼ ଆଖିରେ ଚାହୁଁନଥିବେ ତ ସେଇ ଲୋକ ବା ବୁଢା ବୁଢ଼ୀଙ୍କ ଜିନିଷ ସବୁକୁ କିଣି ଆଣନ୍ତି ଅବିନାଶ . ସୁମିତ୍ରା ମଧ୍ୟ ଯେତେ ବିରକ୍ତ ହେଲେ ବି ବାଛୁଥିବେ ବାଇଗଣ, କୋବି ଓ ପିତାଶାଗ ସବୁକୁ ଧର୍ଯ୍ୟ ରଖି. ଏବେ ବାପା ନିଜକୁ ଯେତେ ସକ୍ଷମ ଭାବି ସାଇକେଲରେ ବଜାର ଯାଇ ପରିବା, ଦୋକାନ ସଉଦା, ହାଟବାଟ କରୁଥିଲେ ମଧ୍ୟ ପୁଅର ମନ ମାନେନା. ଅନଲାଇନରେ ସଉଦା, ପରିବା ମଗାଇ ଦେବିକି କହିଲେ ମଧ୍ୟ ବାପା ରାଜି ନୁଁହନ୍ତି ବୋଲି ମାଆ ସୁମିତ୍ରାଙ୍କଠାରୁ ଶୁଣି ପୁଅ କହେ ମାଆ ଦାଣ୍ଡ ଦୁଆରକୁ ବିକି ଆସୁଥିବା ବୁଲା ବିକାଳିମାନଙ୍କଠୁ ନିଶ୍ଚୟ କିଣାକିଣି କରି ତଟକା ପରିବା, ଶାଗ, କଞ୍ଚାଲଙ୍କା, ଲେମ୍ଭୁ ଆଦି ପାଇଯିବା ସଙ୍ଗେ ବାପାଙ୍କ କାମକୁ ହାଲକା କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ବୁଲା ବିକାଳିମାନଙ୍କୁ ସହାୟ ହେଉଥିବୁ. ସୁମିତ୍ରା ହସନ୍ତି. ବାପାଙ୍କ ଭଳି ପୁଅ ବୋଲି ମନେ ମନେ ଖୁସି ହୁଅନ୍ତି.ଯା ହେଉ ମୋ ପୁଅର ହୃଦୟ ବଡ଼. ଯିଏ ଅନ୍ୟ ପାଇଁ ଭାବେ ସେ ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ ପାଇଥାଏ.
ସେଦିନ ଦୂରରୁ ସେଇ କୋଚିଲା ଗଛମୂଳେ ବୁଢ଼ୀଟିଏ ବସି କିଛି ବିକ୍ରି କରୁଥିବାର ଲକ୍ଷ କଲେ ସୁମିତ୍ରା. ଗାଁର ଅନେକ ସାଇ ପଡିଶା ଓ ଗଲା ଆସିଲା ବାଟୋଇ କିଣି ନେଇଯାଉଥାଆନ୍ତି ବୁଢ଼ୀମାଉସୀଙ୍କଠୁ ତ ସୁମିତ୍ରା ଭାବିଲେ ଜିନିଷଟା କଣ ହୋଇପାରେ. କଣ କଣ ବୋଲି ଭାବିଲା ବେଳକୁ ଅବିନାଶ ପହଞ୍ଚିଗଲେ ସଉଦା, ପରିବା, ଶାଗ ଇତ୍ୟାଦି ଧରି ତ ପରିବାରେ କଖାରୁ ନଥିଲା ଯାହା ବ୍ୟତିରେକେ ଘାଣ୍ଟ ବା ଗୋଳିଆ ତରକାରୀ ଅଧୁରା ନିଶ୍ଚୟ. ଶାଗରେ ମଧ୍ୟ କଖାରୁ ସାରୁ ପଡିଲେ ସ୍ୱାଦିଷ୍ଟ ଲାଗେ ତ ସୁମିତ୍ରା କଅଁଲେଇ କହିଲେ ଏଇ ସେଇ ଗଛମୂଳେ ବୁଢ଼ୀମାଉସୀ ଜଣେ ବସି କଖାରୁ ବିକୁଛି. ସମସ୍ତେ କିଣି ନେଉଛନ
୍ତି ତ ଦ୍ୱିତୀୟ ମହଲାରେ ରହୁଥିବା ଅବିନାଶ ତରତର ହୋଇ ତଳକୁ ଓଲ୍ହେଇ ଗଲେ ଓ କିଛି ସମୟ ପରେ ଧଇଁ ସଇଁ ହୋଇ ଉପରକୁ ଶିଡ଼ି ଚଢି ଆସି ଏମିତି ବିରକ୍ତ ହେଲେ କେଵେ ବି ସେମିତି ବିରକ୍ତ ହେବା ଆଗରୁ ସୁମିତ୍ରା ଅନୁଭବ କରିନଥିଲେ.ଅବିନାଶ କହୁଥିଲେ ତୁମ ମୁଣ୍ଡ ଖରାପ ହୋଇଗଲାଣି. ନିଶ୍ଚୟ ସେଇ ରାତ୍ରୀଚର ପକ୍ଷୀ ବୋବାଳି ଶୁଣି ଶୁଣି. ସେ ବୁଢ଼ୀ କଖାରୁ ବିକୁନି ବରଂ ଲୁଣି ମାଛ ବିକୁଛି. ତୁମର ଦରକାର? ସୁମିତ୍ରା କହିଲେ ଏତେ ଦୂରରୁ ମତେ କଖାରୁ ଭଳି ଲାଗିଲା.ଆଉ ଯଦି କଖାରୁ ନୁହେଁ ତେବେବି ଏତେ ରାଗୁଛ ଯେ ମୋ ମୁଣ୍ଡ ନୁହେଁ ବରଂ ତୁମ ମୁଣ୍ଡ ଖରାପ ହୋଇଗଲାଣି.
ସେ ଦିନଟା ଆଉ ଶାନ୍ତିରେ ଗଲାନାହିଁ ସୁମିତ୍ରାଙ୍କର ଗାଁ ଘରେ ଯଦିଓ ନିଜ ଭୁଲ ବୁଝିପାରି ଅବିନାଶ ଘରର କିଛି ଛୋଟମୋଟ କାମରେ ହାତ ବଟେଇବା ସହ ସୁମିତ୍ରାଙ୍କ ମନ ବୁଝିଲା ଭଳି କିଛି କଥା ଓ କାମ କରିଯାଉଥିଲେ ମଧ୍ୟ ସୁମିତ୍ରାଙ୍କ ମନରେ କୋଉଠି ନା କୋଉଠି ଫିଟିଥିବା ଘାଇଟାକୁ ବନ୍ଦ କରିହେଉନଥିଲା. ସବୁଦିନ ପରି ଦିଲ୍ଲୀରେ ଥିବା ପୁଅ ତାର ଅଫିସ ଫେରନ୍ତା ସମୟରେ, ଘରର ଭଲ ମନ୍ଦ ଓ ଦୁଃଖ ସୁଖ ହେବାକୁ ମାଆ ସୁମିତ୍ରାଙ୍କୁ ଭିଡ଼ିଓ କଲ କରି ପଚାରୁଥିଲା ଦିନକର ଚର୍ଯ୍ୟା ତ ମାଆ ମୁଁହଁ ଥମଥମ ଦେଖି କହୁଥିଲା ତୋ ଦେହ ଭଲ ନାହିଁକି? ଏତିକିରେ ମନ ହୃଦୟର ଗଳିଆ ଫିଟି ପଡିଲା ସୁମିତ୍ରାଙ୍କର ତ ସବୁ କହିଯାଇଥିଲେ ପୁଅ ଆଗରେ. ସବୁ ଶୁଣି ପୁଅ କିନ୍ତୁ କହୁଥିଲା ବାପା ନିଜକୁ ବୟସ୍କ ବୋଲି ମାନୁନଥିଲେ ମଧ୍ୟ ତାଙ୍କୁ ବୟସ ହେଲାଣି ନା ତାଙ୍କ କଥା ଧରି ବସେନା.ଏତିକିବେଳେ ସେପଟୁ ଅବିନାଶ କହୁଥିଲେ ଶୀତୁଆ ସନ୍ଧ୍ୟା ଚା ଟିକେ ମିଳିବନା ସେଇ ପକ୍ଷୀ ଗବେଷଣା ଚାଲିଥିବ ପୁଅ ଝିଅଙ୍କ ସହିତ କନଫରେନ୍ସରେ!ଚା ଆଣୁ ଆଣୁ ସୁମିତ୍ରା କହୁଥିଲେ ଦିନର ପକ୍ଷୀ ଓ ରାତ୍ରୀଚର ପକ୍ଷୀଠୁ ବଳି ତ ତୁମେ ଗୋଟେ ମଣିଷପକ୍ଷୀ ନା. କେମିତି? କେମିତି ଆଉ କଣ,କେଵେ କୋଉଦିଗକୁ ଉଡିଯାଉଛ ମତେ ଠାଵ କରିବାକୁ କଷ୍ଟ ହେଉଛି. ସୁମିତ୍ରାଙ୍କ ଏଭଳି ରସିକତାରେ ଠୋ ଠୋ ହସୁଥିଲେ ଅବିନାଶ ଆଉ କହୁଥିଲେ ହାୟ ଏ ପକ୍ଷୀ ଜୀଵନ!