ମଣିଷ ପଣିଆ
ମଣିଷ ପଣିଆ
ରାସ୍ତା କଡ଼ରେ ବୁଢ଼ା ଲୋକ ଜଣଙ୍କୁ ଦେଖି ରୀନା ଛିଡ଼ା ହୋଇ ଗଲା ।
ପାଖକୁ ଯାଇ କିଛି ପଚାରିବା ଠିକ୍ ହେବ କି ନା ଜାଣି ପାରୁ ନଥିଲା ।
ତଥାପି ଟିକିଏ ସାହସ ଜୁଟେଇ ପାଖକୁ ଗଲା ।
ମଉସା , ଏ ମଉସା ।
ହଁ , କିଏ ତୁମେ ?
କିଏ ତୁମେ ଝିଅ ?
ମୁଁ ଏଇ ପଟେ ଯାଉଥିଲି ତ , ଆପଣଙ୍କୁ ଦେଖିଲି ।
ସେଇଥି ପାଇଁ ଅଟକି ଗଲି ।
ମୋ ସହ କି କଥା ।
ନା ନା କଥା ସେମିତି କିଛି ନାହିଁ ।ହେଲେ ଆପଣ କାହିଁକି ଏ ଜାଗା ରେ ଏମିତି ବସିଛନ୍ତି , ସେ କଥା ପଚାରୁ ଥିଲି ।
ହଁ ହଁ ।ମୁଁ ଜାଣିଛି ତୁମ ବୟସ ର ପିଲା ମାନଙ୍କ କଥା ।
ପ୍ରଥମେ ଆସି କଥା ହେବ , ତାପରେ ନ ମାଗିଲେ ବି ଖାଇବାକୁ ଦେବ । ତାପରେ ତୁମର ସେ ଯେ କାଠ ଫାଳିଆ ବଡ଼ ବଡ଼ ମୋବାଇଲ ରେ ଫଟୋ ଉଠେଇବ ।
ଯଦି ଥର କର ନ ହେବ , ଆଉ ଥରେ ଫଟୋ ଉଠେଇବ ।
ଏ ଇ ଯୁଗୁଣି ଖିଆ ରୋଗ ଆସିଲା ଦିନ ଠୁ ପରା ତୁମେ ସବୁ ଆସି ସେଇଆ କରୁଛ ।
ଆଜି ମୋର କଥା ହେବିନି କି ଭୋକ ଥିଲେ ବି ଖାଇବିନି ।
ନା ନା ମଉସା , ମୁଁ ସେମିତି କରିବି ନି ।
ଆପଣଙ୍କୁ ଭୋକ ଲାଗିଛି କି ?
ହଁ , ଜୋର୍ ।
ହେଲେ ଖାଇବାକୁ କିଏ ଦେବ ।
ଗୋଟେ ବୋଲି ପୁଅ ଥିଲା ।କାମ କରି ପଇସା ଆଣୁଥିଲା ।
ହେଲେ ଏ ଦଇବ ସହିଲାନି ପରା ।
ଏ ରୋଗ ରେ ମୋ ପୁଅ ଆଉ ରହିଲାନି ।
ମଉସା ର କାନ୍ଦ କାନ୍ଦ ଆଖି ରୁ ସବୁ କିଛି ବୁଝିବାକୁ ରୀନା କୁ ଡେରି ଲାଗିଲାନି ।
ମଉସା , ଚାଲନ୍ତୁ ଆପଣଙ୍କ ଘରକୁ ଯିବା ।
ମୋର ଘର ନାହିଁ ଲୋ ମା ।ଝୁପୁଡି ପଲା ଟେ , ସେ ବି ଛପର ସାତ ଚିରା ।ତୋ ବେଶ କହୁଛି ତୁ ଗୋଟେ ବଡ଼ ଲୋକ ଘର ଝିଅ । ମୋ ପଲା କୁ ଯିବୁ ତ ?
ହଁ ମଉସା ଯିବି , ନେଇ ଚାଲନ୍ତୁ ।
ମଉସା ତାକୁ ତାଙ୍କ ଘରକୁ ନେଇ ଗଲେ , ରୀନା ଯାଇ ତାଙ୍କ ଘରେ ପହଞ୍ଚି ଲା ।
ମଉସା ଟିକିଏ ରହିଥାନ୍ତୁ
ମୁଁ ଖାଲି ଏଇ ଗଲି ଆଉ ଆସିଲି ।
ରୀନା ର ପକେଟ୍ ମନି ଯାହା ଥିଲା ସବୁ ମିଶେଇ ରୋଷେଇ ପାଇଁ କିଛି ସଜ ଧରି ମଉସା ଘରେ ପହଞ୍ଚିଲା ।ଘରେ କେବେ କେବେ ବି ରୋଷେଇ ଘରେ ପଶି ନ ଥିବା ଝିଅ ମଉସା ଙ୍କ ଚୁଲି କୁ ବହୁତ୍ କଷ୍ଟ ରେ ଫୁଙ୍କି ଫୁଙ୍କି ଭାତ , ଡାଲି ବନେଇ କି ଦେଲା ।
ସେ ଖାଦ୍ୟ ମଉସା ଏମିତି ଖାଉଥିଲେ , ଯେମିତି କେତେ ଦିନ ରୁ ପାଟିରେ ଖାଦ୍ୟ ବାଜିନି ।
ପେଟ ପୁରା ଖାଇଦେଲି ରେ ଝିଅ ।ଭଗବାନ ତୋର ମଙ୍ଗଳ କରନ୍ତୁ ।
ଆଜିକାଲି କା ଛୁଆ ତ ଏତେ ଭଲ ହୁଅନ୍ତି ? ମୁଁ ତ ଜାଣି ନଥିଲି ।
ତୁ କେତେ ଭଲ ରେ ମା ।
ମଉସା ସବୁ ଆଶୀର୍ବାଦ ଆଜି ଦେଇ ଦେବେ କି ?
କିଛି ରଖିଥାନ୍ତୁ ।ମୁଁ ପୁଣି ଆଉ କେବେ କେବେ ଆସିବି । ଏଇ ଚୁଡ଼ା , ଛତୁଆ , ବିସ୍କୁଟ ଭୋକ ଲାଗିଲେ ଖାଇବେ ।ଆଉ ଯେଉଁଠି ଆପଣଙ୍କ ସହ ଦେଖା ହେଲା ନା , ଆପଣ ସେଇଠି ସବୁଦିନ ରହିବେ । ମୁଁ ଆପଣଙ୍କୁ ଖାଇବା ଦେବି ।
ଆପଣ ଘରେ ଆସି ଖାଇଦେବେ ।
ରୀନା ଘରେ ପହଞ୍ଚିଲା ବେଳକୁ ବହୁତ୍ ଡେରି ହୋଇଥାଏ ।
ମା ତାର ତାକୁ ଗାଳି କରୁଥାନ୍ତି ।
ରୀନା କିଛି କହିଲାନି ସବୁ ଗାଳି ଶୁଣି ସାରି ଦିନ ର ସବୁ କଥା ମା ଙ୍କୁ କହିଲା ।
ମା ତାର ସେ ସବୁ ଶୁଣି କି ରୀନା କୁ ଗାଳି ଦେଲେ ।
--- ତୁ କେଡେ ଗଧି ଟା।
ସେମିତି ବୁଢ଼ା ଲୋକ ଙ୍କୁ ଏକୁଟିଆ ଛାଡନ୍ତି ନା ।
ଚାଲ ମୋ ସହ ।
ରୀନା ର ମା କାର ନେଇ ବାହାରିଲେ ।
ସେ ମଉସା ଘରେ ପହଞ୍ଚି ତାଙ୍କୁ ବହୁତ୍ ବୁଝେଇ ସୁଝେଇ ତାଙ୍କ ଘରକୁ ଆଣିଲେ ।
ରୀନା ର ମା ଗୋଟେ ରୁମ୍ କୁ ସଜାଡି ଦେଇ ମଉସା ଙ୍କୁ ରହିବାକୁ ଦେଲେ ।
ମଉସା ଙ୍କୁ କିନ୍ତୁ ମାଡି ମାଡି ପଡୁଥାଏ ।
ରୀନା ବୁଝେଇ ଦେଲା , କିଛି ନୁହେଁ ମଉସା , ଆପଣ ସବୁଦିନ ମୋତେ ଆଶୀର୍ବାଦ ଦେଇଦେବେ ।
ବାସ୍ ଆଉ କିଛି ଦରକାର୍ ନାହିଁ ।
କେବେ କେବେ ଯାଇ ଆପଣଙ୍କ ଘର ବି ଦେଖି ଆସିବା ।
ମଉସା କିନ୍ତୁ ମନେ ମନେ ଭାବୁଥାନ୍ତି ସତରେ ଆଜି ବି ମଣିଷ ପଣିଆ ଦୁନିଆ ରେ ବାକି ଅଛି ।