ମଙ୍ଗଳବାଦ୍ୟର ସାହାନାଇ
ମଙ୍ଗଳବାଦ୍ୟର ସାହାନାଇ
ସମସ୍ତେ ଅମ୍ଲାନକୁ ପେଚା ପରି ଓଲା ଭାବୁଥିଲେ କାରଣ ଅମ୍ଲାନ ଖୁବ ଉଚ୍ଚପଦସ୍ଥ ସରକାରୀ ଚାକିରିଆ ଥାଇ ମଧ୍ୟ ଝିଅ ଖୋଜୁଥିଲା ଯିଏ କି ଖୁବ ସରଳ ଓ ବୁଦ୍ଧିମତୀ ତଥା ସଂସ୍କାରୀ ହୋଇଥିବ. ପାଠ ଦି ଅକ୍ଷର ତ ନିଶ୍ଚୟ ପଢିଥିବ ଓ ଦେଖିବାକୁ ସୁନ୍ଦର ହୋଇଥିବ ହେଲେ ବଡ଼ କଥା ତା ସ୍ତ୍ରୀ ହୋଇ ଆସିଲା ପରେ ପ୍ରଥମେ ତା ପରିବାର ଲୋକଙ୍କୁ ଆଦର ସମ୍ମାନ କରିବା ସହ ତା ବାପା ମାଆଙ୍କୁ ନିଜ ବାପା ମାଆ ଭଳି ଦେଖିବ. ଏଭଳି ଝିଅ ଆଜିକାଲି ଯୁଗରେ ମିଳିବା ସହଜ ନଥିଲା ଆଉ ବିନା ଯୌତୁକରେ ଅମ୍ଲାନ ଝିଅ ଖୋଜୁଥିଲେ ବି ପସନ୍ଦ ଝିଅ ମିଳୁନଥିଲା.ଅମ୍ଲାନ ମଧ୍ୟ ଝିଅ ପରଖିବାକୁ କାହା ଘରେ ଭାତ ଖାଇବ କହୁଥିଲା ତ କାହା ଘରେ ଟିଫିନ. ଲୋକେ ସିନା ତାକୁ ଓଲା ଭାବୁଥିଲେ ସେ କିନ୍ତୁ ଝିଅ ହାତରେ ରୋଷେଇ ଓ ବଢ଼ାବଢି ତଥା ଚଳଣି ଓ ଆଚାର ବ୍ୟବହାରକୁ ତଉଲ କରୁଥିଲା. ଟିଫିନରେ କୋଉ ଝିଅ ଘର ଉପମା କି ଇଡ଼ିଲି ଦେବା ପରିବର୍ତ୍ତେ ନୂଆ ନୂଆ ଡିଜାଇନ ଭରା ମସଲା ଯୁକ୍ତ ଡିସ ଦେଖି ସେ ବିବାହ କଥା ଆଗକୁ ବଢ଼ାଉନଥିଲା କାରଣ ତାର ଦେଶୀ ଜଳଖିଆ ଯଥା ଚୂଡ଼ାଉପମା, ସୁଜି ଉପମା ପସନ୍ଦ ବୋଲି ସେ ଆଗରୁ କହିସାରିଥିଲେ ମଧ୍ୟ ସେପରି ଟିଫିନ କେହି ଦେଉନଥିଲେ. ସେମାନେ ହୁଏତ ଅଫିସର ଭାବି ଜୋଇଁଙ୍କୁ ଆକର୍ଷିତ କରିବା ପାଇଁ ଏସବୁ ଦେଉଥିବେ କିନ୍ତୁ ଝିଅ ଯେବେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କହେ ତାକୁ ଦେଶୀ ଖାଦ୍ୟ ଚୂଡ଼ା, ସୁଜିରେ ତିଆରି ଉପମା ବା ରୁଟି ପରଠା ପସନ୍ଦ ନୁହେଁ ତ ମନ ମରିଯାଏ ଅମ୍ଲାନର କାରଣ ସେ ଭଲକରି ଜାଣେ ତା ବାପା ମାଆ ସେହି ପୁରୁଣା ଚୂଡ଼ା, ମୁଢି, ଉପମା, ଚକୁଳି, ଚିତଉ, ଆରିସା, ପୁଳି,କାକେରା ପସନ୍ଦ କରନ୍ତି. ଝିଅମାନେ ସେସବୁକୁ ଘୃଣା କରନ୍ତି ତ ମନ ଭାଙ୍ଗିଯିବା ସହ ପ୍ରସ୍ତାବ କାଟ ଖାଇଯାଏ ତ ଚିହ୍ନାଜଣା, ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ କହନ୍ତି ଅଫିସର ହେଲେ କଣ ହେବ ଓଲା ପିଲାଟା ନହେଲେ ଏତେ ଭଲ ଭଲ ପ୍ରସ୍ତାବକୁ ଠୁକରାଇ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରି ଜନହିତକର କାମ କରୁନଥାନ୍ତା.
ଯିଏ ଯାହା କହୁ ପଛେ ଅମ୍ଲାନ କିନ୍ତୁ ନିଜେ ଲାଗିଥାଏ ତା ସମାଜ ସେବା କାମରେ.ରେଳ ଫାଟକ ନିର୍ଦ୍ଦେଶମାନି ଲୋକେ ଟିକେ ଅପେକ୍ଷା କରିଯାଇ ଧନ ଜୀଵନ ବଂଚେଇବାକୁ ପରାମର୍ଶ ଦେଉଥାଏ କାରଣ ଟିକେ ଅପେକ୍ଷା ନକରି ଲୋକେ ଟ୍ରେନ ରେଳଫାଟକ ପଡିବା ପରେ ମଧ୍ୟ ଗଳି ପଶି ଯିବାର ଉଦ୍ୟମ ଜାରି ରଖୁଥିବା ଦେଖିଲେ ଲାଗେ ମଣିଷ ଏ ଗଣଦୌଡ଼ରେ ସାମିଲ ହୋଇ ନିଜକୁ ସତେ ଯେମିତି ପ୍ରତି ଯୋଗିତା ଭିତରେ ବାନ୍ଧି ଜୀଵନ ପ୍ରତି ବିପଦ ଆଣିଦେଉଛି. ତେଣୁ ଅମ୍ଲାନ ଲାଗିପଡିଥାଏ ସଚେତନ କରିବାକୁ ଲୋକଙ୍କୁ. ସେହିପରି ଜୀବ ହତ୍ୟା କରି ଆମିଷ ଖାଦ୍ୟ ପରିବର୍ତ୍ତେ ସବୁଜ ପନିପରିବା ଖାଇ ମନ ଓ ହୃଦୟକୁ ନିର୍ମଳ ରଖି ଚଳିବାକୁ ସଚେତନତାର ବାର୍ତ୍ତା ଦେଇ ଚାଲେ. ଉଦାହରଣରେ ଗାନ୍ଧିଜୀଙ୍କ କଥା କହିବାକୁ ଭୁଲେ ନାହିଁ. ଅଂହିସା ମନ୍ତ୍ର ଆପଣେଇବା ସହଜ କଥା ନୁହେଁ. ଗାନ୍ଧି ସେହି ଅସ୍ତ୍ର ଟିକକର ସ୍ୱାଦ ପାଇଥିଲେ ବୋଲି ଦେଶକୁ ସ୍ବାଧୀନତା ଆଣିଦେବାକୁ ସକ୍ଷମ ହୋଇ ଆଜି ମହାତ୍ମା ବା ଆମ ପ୍ରିୟ ବାପୁ. ଗାନ୍ଧିଜୀ ଥରେ ଛେଳି ମାଂସ ବା ମଟନ ଖାଇବା ପରେ ତାଙ୍କ ପେଟ ଭିତରେ ଛେଳିର ମେଁ ମେଁ ବୋବାଳି ଶୁଣିବାକୁ ପାଇଥିଲେ. ଜୀବ ହତ୍ୟା କଲାବେଳେ ତା ମନ ଓ ହୃଦୟରେ ଯେଉଁ ଭୟ, ଅସନ୍ତୋଷ ଓ ଅଶାନ୍ତି ଭରା ଦୁଃଖର ଝଡ଼ ବହିଯାଏ ତାହା ନିଶ୍ଚୟ
ସେମାନଙ୍କ ମାଂସରେ ପ୍ରତିକ୍ରିୟା ସ୍ୱରୂପ ହିଂସା ଆଚରଣ କରିବାକୁ ପଛାଏ ନାହିଁ. ସେହି ମାଂସ ଭକ୍ଷଣ କରିବା ଦ୍ୱାରା ମନୁଷ୍ୟ ଶରୀରରେ ମଧ୍ୟ ରାଗ, ରୋଷ, ଘୃଣା, ହିଂସା ଇତ୍ୟାଦି ଗୁଣ ପ୍ରକାଶ ପାଇ ମଣିଷ ରାକ୍ଷାସ ରୂପେ କେଵେ ଦୁଷ୍କର୍ମ, କେଵେ ଚୋରି, କେଵେ ନରହତ୍ୟା ଭଳି ଜଘନ୍ୟ କାମ କରିବାକୁ ପଛାଏ ନାହିଁ. ତେଣୁ ଆମିଷ ବଦଳରେ ସାକାହାରୀ ହୋଇ ସବୁଜ ବଳୟ ଭିତରେ ରହିଲେ ଦେହ, ମନ, ମସ୍ତିଷ୍କ ସବୁ ସୁସ୍ଥ ରହିପାରିବ ବୋଲି ଗାନ୍ଧିଙ୍କ ବିଶ୍ୱାସକୁ ନିଜେ ଅମ୍ଲାନ ବିଶ୍ୱାସ କରି ଅନ୍ୟ ମଣିଷମାନଙ୍କୁ ବୁଝାଏ. ଏହି ସମୟରେ ସରକାରୀ କାର୍ଯ୍ୟରେ ତାକୁ କଲିକତା ଯିବାକୁ ପଡିବାରୁ ହଠାତ ଫ୍ଲାଇଟ ଟିକେଟ କାଟି ନପାରି ଟ୍ରେନ ଯାତ୍ରା କଲା ଅମ୍ଲାନ.
ଭାଗ୍ୟର ବିଡମ୍ବନା ଟ୍ରେନଟି ଦୁର୍ଘଟଣାର ଶୀକାର ହେଲା ଯେତେବେଳେ ସମସ୍ତେ ଶୋଇଥିଲେ. ନିଦ ଭାଙ୍ଗିଲା ବିରାଟ ଶବ୍ଦରେ ତ ଅମ୍ଲାନ ନିଜ ଦେହକୁ ନିଜେ ଚୁମୁଟୁ ଥିଲା କାରଣ ମୃତାହତଙ୍କ ଭିତରେ ସେ ବଞ୍ଚିଛି ବୋଲି ବିଶ୍ୱାସ କରିବାକୁ ଭରସା ପାଉନଥିଲା. ରକ୍ତର ସୁଅ ଓ କାନ୍ଦ ବୋବାଳିରେ ଟ୍ରେନ କମ୍ପାର୍ଟମେଣ୍ଟ କମ୍ପୁଥିଲା. ସମସ୍ତଙ୍କ ହୃଦୟବିଦାରକ କାନ୍ଦ ଭିତରେ ଜଣେ କୃଷକ ଶ୍ରେଣୀର ଲୋକର କାନ୍ଦରେ ଅମ୍ଲାନ ବ୍ୟସ୍ତ ବିବ୍ରତ ହୋଇପଡ଼ିଲା କାରଣ ସବୁ ମୃତାହତ ଲୋକଙ୍କ ସହିତ କ୍ଷତାକ୍ତ ଲୋକସବୁ ଉଦ୍ଧାର ପାଇ ଷ୍ଟ୍ରେଚରରେ ବୁହା ହେଲାବେଳକୁ ସେହି ଲୋକଟି ଅକ୍ଷତ ଥାଇ ଅମ୍ଲାନ ପରି ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଯାଇ ମଧ୍ୟ କହୁଥିଲା ଭଗବାନ ମତେ ଆଉ କୋଉ ସୁଖ ଦେବାକୁ ରଖିଛ ପ୍ରଭୁ ବରଂ ମାରିଥିଲେ ଅନୁକମ୍ପାମୂଳକ ସାହାଯ୍ୟ ପାଇ ପରିବାର ଲୋକ କୁତାର୍ଥ ହୋଇଥାନ୍ତେ. ବଢିଲା ବିଏ ପାଶ କରିଥିବା ଝିଅକୁ ଚାକିରୀ ଦେଇଥାନ୍ତେ, ବାପା ମାଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିଥାଆନ୍ତା. ଏବେ ଘରଡିହ ବନ୍ଧା ପକେଇ ଦାଦନ ଖଟିବାକୁ ଯାଉଥିଲି ଯେ ସେ ସ୍ବପ୍ନ ମଧ୍ୟ କାହିଁକି ଅପୂରଣୀୟ ରଖିଲ ପ୍ରଭୁ!କୋଉ ମୁହଁରେ ଘରକୁ ଫେରିବି କହି କାନ୍ଦୁଥିବା ଲୋକ ପିଠିରେ ହାତ ରଖିଲା ଅମ୍ଲାନ କହିଲା ବ୍ୟସ୍ତ ହୁଅନ୍ତୁ ନାହିଁ ମଉସା ଚଲନ୍ତୁ ଆପଣଙ୍କୁ ନିଜ ଘରେ ପହଞ୍ଚେଇବା ଦାଇତ୍ୱ ମୋର.ନିଜ ବାପା ମାଆ ଭାଇ ଭଉଣୀ ନିଜ କାର ନେଇ ଅମ୍ଲାନକୁ ଦେଖି ଲୁହ ଓ କୋହ ଭରା ହୃଦୟର ଆବେଗରେ ପୁଅକୁ କୁଣ୍ଢେଇ ପକାଉଥିଲା ବେଳେ ପୁଅ ଅମ୍ଲାନ କହୁଥିଲା ଚାଲ ବାପା ମଉସାଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆସିବା. କେଶବଙ୍କ ଘରେ ପହଂଚିଲା ପରେ କେଶବଙ୍କୁ ଦେଖି ସ୍ତ୍ରୀ, ଝିଅ ଓ ବୃଦ୍ଧ ବାପା ମାଆ ଦଉଡି ଆସିଥିଲେ. କାନ୍ଦି ପକେଇଥିଲେ ସମସ୍ତେ . ଝିଅ କହୁଥିଲା ମୁଁ ଟ୍ୟୁସନ କରି ଘର ଚଳେଇବି ବାପା ତୁମର ଆଉ କୁଆଡେ ଯିବା ଦରକାର ନାହିଁ. ମାଆ ବାପା କହୁଥିଲେ ବାଡ଼ି ବଗିଚାରେ ଶାଗ ଓ ସବୁଜ ପନିପରିବା କରି ହାଟକୁ ନେବୁ ଆମେ ତୁ ଘରେ ବସ. ସ୍ତ୍ରୀ କହୁଥିଲା ପରଦ୍ୱାରେ ବାସନ ମାଜିବି ପଛେ ତୁମେ ଆଉ କୁଆଡେ ଯାଅନି. ପରିବାର ଭିତରେ ଥିବା ଆପଣାପଣ ଖାଲି ଅମ୍ଲାନକୁ ନୁହେଁ ବରଂ ଅମ୍ଲାନ ପରିବାରଲୋକଙ୍କ ହୃଦୟ ଛୁଇଁ ଥିଲା. ସବୁଠୁ ଆଶ୍ଚର୍ଯ୍ୟ କଥା ଓଲା ବୋଲି ଲୋକେ କହୁଥିବା ଅମ୍ଲାନ ସେହି କେଶବମଉସାଙ୍କ ଝିଅକୁ ବିବାହ କରିବାକୁ ନିଜ ଆଡୁ ଦେଇଥିବା ପ୍ରସ୍ତାବକୁ ତା ପରିବାର ଲୋକ ସମ୍ମତି ଜଣେଇ ଖୁସିରେ ଫାଟି ପଡୁଥିଲେ.ଅମ୍ଲାନର ଗାଁ ଘର ଖୁସିରେ ଉଛୁଳି ପଡୁଥିଲା ।