Nityananda Nandi

Classics Inspirational

4  

Nityananda Nandi

Classics Inspirational

ମିଶାଣ ଫେଡାଣ

ମିଶାଣ ଫେଡାଣ

5 mins
374



ପ୍ରତିଦିନ ସକାଳେ ଠିକ୍ ସାଢେ଼ ସାତଟାରେ ଅଫିସ ବେଗ ଧରି ତଳକୁ ଓହ୍ଲେଇ ଆସନ୍ତି ହେମଲତା। ପ୍ରାୟ ପଚାଶ ପାଦ ଚାଲିବା ପରେ ଗୋଟାଏ ନିର୍ଦ୍ଦିଷ୍ଟ ଟ୍ୟାକ୍ସି ଭିତରେ ଯାଇ ବସନ୍ତି ସେ। ସବୁଦିନ ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଜଣଙ୍କୁ ଯାତ୍ରୀ ଭାବେ ପାଇ ଟ୍ୟାକ୍ସି ବାଲା ରଘୁନାଥ ବି ବେଶ୍ ଖୁସି। 


ହେମଲତା ମାଡମ୍ ଙ୍କୁ ବେଶ ଦୁଇ ଚାରି ବର୍ଷ ହେଇ ଗଲାଣି ଏଇ ସହରରେ। ଆଦିତ୍ୟନଗର କଲୋନୀ ଭିତରେ ଗୋଟେ ଛୋଟ ଘରେ ରହନ୍ତି ସେ। ବ୍ୟସ୍ତ ବହୁଳ ସହରରେ କେହି କାହାକୁ ଚିହ୍ନନ୍ତି ନାହିଁ, ତାଙ୍କୁ ମଧ୍ୟ କେହି ଜାଣି ନ ଥିଲେ। ଭାରି ବ୍ୟସ୍ତ ରହୁଥିଲେ ହେମଲତା। ରାସ୍ତା କଡ ପଥର ଉପରେ ବସି ସମୟ ସହ କଥା ହେବାକୁ ଫୁରସତ କାହାକୁ। ଦେଖିବାକୁ ଗଲେ, କେହି କାହାରି ନୁହଁ। ଭିଡ ଭିତରେ ଅତି ନିଜର କାହାକୁ ଖୋଜିବା ସାତ ତାରାକୁ ଯୋଡି ଧ୍ରୁବତାରା ପାଖରେ ପହଞ୍ଚିବା ପରି ଗୋଟାଏ କାଳ୍ପନିକ ଚେଷ୍ଟା ନୁହେଁ ତ ଆଉ କଣ !! ସେଇଥିପାଇଁ ବୋଧେ ହେମଲତା ଚୁପ୍ ରହିବାକୁ ପସନ୍ଦ କରୁଥିଲେ ।


ହେମଲତା ରଘୁନାଥର ଟ୍ୟାକ୍ସି କୁ ନିର୍ଭର କରନ୍ତି ବୋଲି ସାମାନ୍ୟ ଦେହ ପା ହେଲେ ବି କିଛି ଭ୍ରୁକ୍ଷେପ ନ କରି ଅପେକ୍ଷା କରେ ସେ ମାଡମ୍ ଙ୍କ ପାଇଁ।  ଦୁଇ ତିନୋଟି ଟ୍ୟାକ୍ସି ଛିଡା ହେଇଥିଲେ ମଧ୍ୟ ହେମଲତା ଖୋଜନ୍ତି ରଘୁନାଥ କୋଉଠି।


ମାମ୍ ! ମୁଁ ଏଇଠି କହି ହାତ ହଲେଇ ଦିଏ।


ମାଡମ୍ ଯାଇ ବସନ୍ତି ଟ୍ୟାକ୍ସି ଭିତରେ। କିଛି ସମ୍ପର୍କ ଅଠା ପରି ଲାଖି ରହେ ମନ ଭିତରେ। ଆଉ କିଛି ଅଚାନକ ମନେ ପଡେ, ଯେମିତି ହାତ ଛାଡି ଭିଡ ଭିତରେ କେହି ଜଣେ ପଛରେ କୋଉଠି ରହି ଯାଇଛି। ବର୍ଷା ଋତୁ ପରେ ଅଚାନକ ପଳାଶ ଫୁଲ କଥା ମନେ ପଡିଲେ କଣ ହେବ, ଦୀର୍ଘ ଆଠ ଦଶ ମାସ ଅପେକ୍ଷା କରିବାକୁ ହୁଏ, ନାଲି ପଳାଶ ଭିତରୁ ସ୍ବର୍ଗ ସୁଖ ସାଉଁଟିବା ପାଇଁ। ହେମଲତା କାହିଁକି କେଜାଣି ଅନ୍ୟମନସ୍କ ରହନ୍ତି ସମ୍ପର୍କର ଏଇ ଲୁଚକାଳି ଖେଳ ଭିତରେ।


ନା ରଘୁନାଥ କିଛି କଥା ହୁଏ, ନା ମାଡମ୍ କିଛି କହନ୍ତି। ଦିନେ ରଘୁନାଥ ଦୁଇଟି ପାଚିଲା କରମଙ୍ଗା ମାଡମ୍ ଙ୍କୁ ଦେଇ କହିଲା ମାମ୍! ଆମ ବାଡି କରମଙ୍ଗା, ଭାରି ମିଠା। ଘରୁ ଧୋଇ ନେଇ ଆସିଛି, ଖାଇ ଦେଖନ୍ତୁ। ଭଲ ଲାଗିବ। ଅଳ୍ପ ହସିଦେଇ ଧରିନେ ଲେ ହେମଲତା। ଦିନେ ଦୁଇ ଦିନ ପରେ ଟ୍ୟାକ୍ସି ଭିତରେ ବସି ହେମଲତା କିଛି କଳା ଅଙ୍ଗୁର ଧରେଇଦେଲେ ରଘୁନାଥକୁ। ନିଅ, ଛୁଆ ପିଲାଙ୍କୁ ଦେବ।

ରଘୁନାଥ ଧରିନେଇ କହିଲା, କାହିଁକି ମାମ୍, 

ଓଃ, କରମଙ୍ଗା ଦେଇଥିଲି ବୋଲି।

ହେମଲତା ଚୁପ୍ ରହିଲେ। ସାଧାରଣ ଭାବେ ବହୁତ କମ୍ କଥା ହୁଅନ୍ତି ହେମଲତା। ଯେମିତି ପୁରୁଷ ମାନଙ୍କୁ ସେ ଘୃଣା କରନ୍ତି। ତଥାପି ସ୍ନେହ ଭରା କିଛି ପ୍ରଶ୍ନର ଉତ୍ତର ନାହିଁ ବୋଲି ରଘୁନାଥ ଅନୁଭବ କଲା ବେଳକୁ ମାମ୍ ତାଙ୍କ ଅଫିସ ଗେଟ୍ ପାଖରେ ଓହ୍ଲେଇ ସାରିଥିଲେ ଟ୍ୟାକ୍ସି ଭିତରୁ। ଜୀବନରେ କିଛି ପ୍ରଶ୍ନ ମାନସାଙ୍କ ପରି ସହଜ ଲାଗିଲେ ବି ଖାଲି ମିଶାଣ ନୁହେଁ ବେଳେ ବେଳେ ଫେଡାଣର ସାହାଯ୍ୟ ନେବାକୁ ହୁଏ। ଫେଡାଣର ଅବଶେଷ ହିଁ ସ୍ନେହ ବୋଧେ। ସମ୍ପର୍କର ଅଦ୍ଭୁତ ଏକ ତରାଜୁରେ ପେନ୍ଥାଏ ଅଙ୍ଗୁର ସାଥିରେ କିଛି ସ୍ନେହ ମିଶି ଦେଇ କରମଙ୍ଗାର ଓଜନ ସଙ୍ଗେ ତୁଳନା କରୁ କରୁ ହେମଲତା ବୋଧେ ମନେ ମନେ ଅତି ନିଜର ଭାବୁଥିଲେ ଜଣେ ଅଚିହ୍ନା ମଣିଷକୁ। ତା ନ ହେଲେ ରଘୁନାଥ କୁ ଅଙ୍ଗୁର ଦେଇ ଥାଆନ୍ତେ ବା କାହିଁକି ?  


ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି। କହିବାକୁ ଗଲେ ମୋଟ ଉପରେ ପାଞ୍ଚ ମିନିଟରୁ ଅଧିକ କଥା ହେଇ ନାହାନ୍ତି ସେମାନେ। ମାମ୍ ଙ୍କ ଘରେ କିଏ କିଏ ଅଛନ୍ତି ବୋଲି ପଚାରିବ ବୋଲି ଭାବି କି ମଧ୍ୟ ରଘୁନାଥ ପଚାରି ପାରୁ ନ ଥିଲା। ଥରେ ସାହାସ କରି ପଚାରିଲା ମାମ୍ ! ଆପଣ ଗାଡିରେ ଯିବା ଆସିବା ପାଇଁ ଚୁକ୍ତିଟିଏ କରୁ ନାହାନ୍ତି କାହିଁକି ? ମୁଁ ପିକ୍ ଆପ୍ ଓ ଡ୍ରପ କରି ପାରନ୍ତି। ମୋର ରୋଜଗାର ବଢ଼ନ୍ତା, ଆପଣ ମଧ୍ୟ ଯିବା ଆସିବାକୁ ନେଇ ଆଶ୍ବସ୍ତ ହୁଅନ୍ତେ। 


ରଘୁନାଥ ! ମୁଁ ଚୁକ୍ତି କିମ୍ବା ଏଗ୍ରିମେଣ୍ଟ ସପକ୍ଷରେ ନୁହେଁ। ଚୁକ୍ତି ମଣିଷ ମାନଙ୍କ ଭିତରେ ଥିବା ସମ୍ପର୍କ କୁ ସୀମିତ କରିଦିଏ। ଚୁକ୍ତିରେ ଥିବା ସର୍ତ୍ତ ସବୁ ଜୀବନ ପାଆନ୍ତି ସିନା ଦିନ ଶେଷ ବେଳକୁ ମଣିଷ କିନ୍ତୁ ହାରି ଯାଇଥାଏ ସେଇ ସବୁ ସର୍ତ୍ତ ପାଖରେ। ସମ୍ପର୍କର ଗାମ୍ଭିର୍ଯ୍ୟତା ଧୀରେ ଧୀରେ କମିଯାଏ। ମୋ ବାହାଘର ବି ଗୋଟାଏ ଚୁକ୍ତି ଥିଲା, ଆମେ ଉଭୟେ ଦସ୍ତଖତ କରିଥିଲୁ କାଗଜ ଉପରେ। ହେଇ ଦେଖୁନା, ମୁଁ ଏକା ରହୁଛି। ମୋ ପିଲାମାନେ ତା ବାପାଙ୍କ ସହ ରହନ୍ତି। ତମ ସହ ଚୁକ୍ତି କରିନାହିଁ ବୋଲି ଆମ ଭିତରେ ସମ୍ପର୍କଟା ତମେ ଦେଇଥିବା କରମଙ୍ଗା ପରି ମିଠା। ମନେରଖ, ଅଳ୍ପ ମିଳାମିଶା ହିଁ ଯୋଡି କି ରଖେ ସମସ୍ତଙ୍କୁ ଏଇ ଜୀବନରେ...

ରଘୁନାଥ କଣ ଏତେ ବଡ ଜୀବନ ଦର୍ଶନ ବୁଝି ପାରିବ !! ସୁତରାଂ ସେ ଚୁପ୍ ରହିଲା।

****

ତିନି ଦିନ ଛୁଟି ପରେ ହେମଲତା ଅଫିସ ଯିବାକୁ ବାହାରିଲେ। ଟ୍ୟାକ୍ସି ନ ଥିଲା ତା ଜାଗାରେ। ଏଣେ ତେଣେ ଦେଖିଲେ, କଣ ହେଲା ରଘୁନାଥ ଆସିନି ଆଜି। ଅଫିସ ପହଞ୍ଚିବାକୁ ବିଳମ୍ବ ହେବ ବୋଲି ଛିଡା ହେଇଥିବା ଅଟୋରେ ଯାଇ ବସିଲେ ହେମଲତା।

ଏମିତି ଆଠ ଦଶ ଦିନ ସମାନ ଗୋଟାଏ ଅଟୋରେ ବସି ଅଫିସ ଗଲେ। ମନ କିନ୍ତୁ ଥିଲା ରଘୁନାଥ ପାଖରେ। ସେତେବେଳେ ତା ପାଖରେ ମୋବାଇଲ ନ ଥିଲା, ନା ହେମଲତା କେବେ ଠିକଣା ବାବଦରେ କିଛି ପଚାରିଥିଲେ ରଘୁନାଥକୁ। 

ଦିନେ ଅଟୋ ଚଲାଉଥିବା ଯୁବକକୁ ପଚାରିଲେ, ଆଛା କହି ପାରିବ ! ଗୋଟାଏ ଟ୍ୟାକ୍ସି ଏଇଠି ସବୁଦିନ ଛିଡା ହେଉଥିଲା, ଆଜିକାଲି ଆସୁନି କାହିଁକି। 

ମାଡମ୍ ! ସେଇ ଟ୍ୟାକ୍ସି ମୋ ବାପାଙ୍କର, ତାଙ୍କ ନାଁ ରଘୁନାଥ।

ତମେ ରଘୁନାଥଙ୍କ ପୁଅ

"ହଁ ମାମ୍, ମୁଁ ତାଙ୍କ ପୁଅ

ତାଙ୍କ କିଡନୀ ରେ ପଥର ହେଇଛି ବୋଲି ଡାକ୍ତର କହିଲେ। ଭାରି କଷ୍ଟ ପାଉଛନ୍ତି ସେ। ଆଜିକୁ ଦଶ ଦିନ ହେବ, ସିଟି ନର୍ସିଂ ହୋମରେ ଅଛନ୍ତି। ଅଚାନକ ରାତିରେ ଯନ୍ତ୍ରଣା ହେଲା, ମୋତେ ପାଖକୁ ଡାକି କହିଲେ "କାଲିଠୁ କଲୋନୀ ଛକ ପାଖରେ ଅଟୋ ନେଇ ଛିଡା ହେବୁ। ଜଣେ ମାମ୍ ଆସିବେ ତାଙ୍କୁ ନେଇ ଅଫିସ ପହୁଞ୍ଚେଇବୁ। ଗତ ପାଞ୍ଚ ବର୍ଷ ହେବ ମୋ ଟ୍ୟାକ୍ସି ରେ ସେ ଅଫିସ ଯାଆନ୍ତି। ପୁରାପୁରି ମୋ ଉପରେ ସେ ନିର୍ଭର କରନ୍ତି। ଆମେ କେହି ଛକ ଉପରେ ନ ଥିଲେ ସେ ଭାରି ବିବ୍ରତ ହେବେ"। 

ପ୍ରଥମ ଦିନ ମୁଁ ଦେଖିଥିଲି ଆପଣ ବିବ୍ରତ ଥିଲେ ଟ୍ୟାକ୍ସି ପାଇଁ। ମୁଁ ବି ସାହାସ କରୁ ନ ଥିଲି ଆପଣଙ୍କ ସହ କଥା ହେବାକୁ। ଆପଣ ନିଜେ ଆସି ମୋ ଅଟୋ ରେ ବସିଲେ। ସବୁ ସମସ୍ୟାର ସମାଧାନ ହେଇଗଲା। ମୋତେ ମୋ ତରଫରୁ କିଛି କହିବାର ଆବଶ୍ୟକତା ଆଉ ପଡିଲା ନାହିଁ। ସେଇଥିପାଇଁ ସବୁଦିନ ମୁଁ ଅପେକ୍ଷା କରେ ଆପଣଙ୍କୁ ଏଇ ଛକ ଉପରେ...


ସେ ଚୁପ୍ ହେଇ ଶୁଣୁଥିଲେ। ଆଖି ଟିକେ ଓଜନିଆ ହେଇ ଯାଇଥିଲା ତାଙ୍କର !! କିଛି ନ କହି ଅଫିସ ଗେଟ୍ ପାଖରେ ଓହ୍ଲେଇ ଗଲେ ହେମଲତା। ଅଶାନ୍ତ ରାତି ପରେ ସକାଳଟା ଏତେ ସତେଜ ଲାଗେନି। ଅସଜଡା ହେଇ ପଡ଼ିଥାଏ ପୃଥିବୀ, କାହିଁକି କେଜାଣି। ନୀରବ, ନିଶ୍ଚଳ ହେଇଗଲେ ହେମଲତା ମାମ୍। ଅତି ନିଜର କେହି ଜଣେ ତାଙ୍କ ହୃଦୟ କୁ ଶୂନ୍ୟ କରି ଚାଲି ଗଲା ବୋଧେ ।



ସନ୍ଧ୍ୟା ସାତଟା, ସିଟି ନର୍ସିଂହୋମ ରିସେପ୍ସନ୍ ପାଖରେ ହେମଲତା ଛିଡା ହେଇ ପଚାରିଲେ ରଘୁନାଥ କଥା।

ଡାକ୍ତର କହିଲେ ଅପରେସନ ହେଇ ପାରିବ ନାହିଁ। ଲକ୍ଷେ ପଚିଶ ହଜାର ଟଙ୍କା ଯୋଗାଡ କରି ପାରୁ ନାହାଁନ୍ତି ସେମାନେ। ଆମେ ଆଜି ରଘୁନାଥକୁ ଡିସଚାର୍ଜ କରୁଛୁ।


ହେମଲତା ଆଶ୍ଚର୍ଯ୍ୟ ହେଇ ଅନେଇଲେ ଡାକ୍ତରଙ୍କୁ। କ୍ଳାନ୍ତ ଶ୍ରାନ୍ତ ମୁହଁ ଉପରେ ହାତ ବୁଲେଇ କଣ ସବୁ ଚିନ୍ତା କଲେ କେଜାଣି।


କହିଲେ, ନୋ... ଡିସଚାର୍ଜ କରନି। ପଇସା ମୁଁ ପେମେଣ୍ଟ କରୁଛି କହି ଲକ୍ଷେ ପଚିଶ ହଜାର ଟଙ୍କାର ଚେକ୍ ଲେଖି ରିସେପ୍ସନ୍ ରେ ଜମା କରିଦେଲେ ହେମଲତା। ଡାକ୍ତର ଅବାକ୍ ହେଇ ଦେଖୁଥିଲେ ହେମଲତାଙ୍କୁ। ମନେ ମନେ ଧନ୍ୟବାଦ୍ କରୁଥିଲେ ସେଇ ଅଜଣା ଭଦ୍ର ମହିଳାଙ୍କୁ। ଆଶା ଓ ନିରାଶାର ଏକ ସଂକୀର୍ଣ୍ଣ ତମ ବ୍ୟବଧାନ ଭିତରେ ଅଚାନକ କିଛି ଚମତ୍କାର ଘଟିବାର ସମ୍ଭାବନା କ୍ଷୀଣ ହେଲେ ବି ସୁଅ ମୁହଁରେ ପତ୍ର ପରି କାମକରେ ଏଇ ଚମତ୍କାରଟି। ଡାକ୍ତର ଭାବୁଥିଲେ," ରାମରାଜ୍ୟ ଆଉ ବେଶି ଦୂର ନୁହେଁ, ପଇସା ଅଭାବରୁ ଚିକିତ୍ସା ନ କରି ଡିସଚାର୍ଜ ହେଇ ଯାଉଥିବା ଗରିବ ରୋଗୀଙ୍କ ପାଇଁ ଏମିତି ଜଣେ ଜଣେ ବାହାରି ଆସନ୍ତେକି !! ଗରିବୀ ଜନିତ ଏଇ ସବୁ ସାମାଜିକ ସମସ୍ୟାର ମୂଳୋତ୍ପାଟନ ହେଇ ପାରିବ !! ଭଗବାନ ଆଉ କିଏ କି ??? ଏଇ ମାନେ ତ ଭଗବାନ !"


ରଘୁନାଥ ପୁଅର ପକେଟରେ ଦୁଇ ହଜାର ଗୁଞ୍ଜି ଦେଇ ହେମଲତା କହିଲେ ରଖି ଥା, ଏଇ ପଇସା। ବାପାଙ୍କ ଅପରେସନ ପରେ ଔଷଧ ପାଇଁ ଖର୍ଚ୍ଚ କରିବୁ।

ଡିସଚାର୍ଜ ପାଇଁ ପ୍ରସ୍ତୁତ ହୋଇ ହୁଇଲ ଚେୟାର ଉପରେ ବସିଥିବା ରଘୁନାଥ ଅନେଇଥିଲା ହେମଲତା ମାମ୍ ଙ୍କୁ। ଦୁଇ ଟୋପା ଲୁହ ବହି ଆସିଲା ତା ଆଖିରୁ। ମାମ୍ ପୂର୍ବପରି ବେଶି କିଛି ନ କହି ହସ୍ପିଟାଲରୁ ବାହାରି ଗଲେ, ନିଜ ସ୍ବାମୀ ଆଉ ପିଲାମାନେ ଦୂରରେ ଥାଇ ବି ହେମଲତାଙ୍କୁ ଲାଗୁଥିଲା ଯେମିତି ଅନେକ ଆପଣାର ଲୋକେ ପାଖେ ପାଖେ ଅଛନ୍ତି। 

ରଘୁନାଥ ଭାବୁଥିଲା ମିଶାଣ ଫେଡାଣ ପରେ ଯାହା ବଳେ ଏଇ ଜୀବନରେ ତାହା ହିଁ ବୋଧେ ସ୍ନେହ, ତାହା ହିଁ ବୋଧେ ମାନବିକତା... 

ରଘୁନାଥର ପୁଅ ପଛରୁ ଡାକି କହିଲା ମାମ୍ ମୋ ଅଟୋ ରେ ବସନ୍ତୁ, ଘରେ ଛାଡି ଦେଇ ଆସିବି। ଅଳ୍ପ ହସି ଅଟୋରେ ଯାଇ ବସିଲେ ହେମଳତା ।



Rate this content
Log in

Similar oriya story from Classics