ମିଛ ମମତା
ମିଛ ମମତା
ମୋ ମାମା କେବଳ ମୋତେ ସ୍ନେହ ଆଦର କରନ୍ତି ଏ ଭାବନା ମୋର ଦୂର ହୋଇଗଲା ଯୋଉ ଦିନ ପାଖ ବସ୍ତିର ଦଶ ବାର ଜଣ ପିଲାଙ୍କୁ ମାମା ଆମ ଘରକୁ ଡାକିଥିଲେ ।
ଘର ଦ୍ଵାର ସେଦିନ ସବୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ ।ଚଟାଣ ଉପରେ ସଫା ଆସନ ପକାଇ ଥିଲେ । ଭଲ ଭାବେ ଧୂଆ ହୋଇଥିବା କଦଳୀ ପତ୍ରରେ ଅତି ଯତ୍ନରେ ବାଢ଼ି ଦେଇଥିଲେ ପୁରି ଡାଲମା ଆଉ ରସଗୋଲା ବି । ସବୁ ପିଲା ମନଭରି ଖାଉଥିଲେ ।
ଖାଇବା ମଝିରେ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରୁଥିଲେ ମାମା , " ବାବା ଆଉ କ'ଣ ଦେବି କି ? , ଗୋଟେ ପଟ ଦଉଛି ? .... ହଁ.... ତୁ ବି ନେ .... କଣ ବାବା ଶୋଷ ଲାଗୁଚି.. ?... ହଉ ନେଏ ପାଣି ପିଇ ଦେ .. ।
ଖାଇବା ମଝିରେ ମୋତେ ମାମା ଯେମିତି ପଚାରେ ସେମିତି ପଚାରୁଥିଲା ସେମାନଙ୍କୁ ।
ଖୁସି ମନରେ ସବୁ ପିଲା ଖାଇ ପିଇ ଫେରିଗଲେ ତାଙ୍କ ବସ୍ତିକୁ । ମୋତେ ବହୁତ ଖୁସି ଲାଗିଥିଲା ସେଦିନ ମୋ ମାମା ସତରେ କେତେ ଭଲ ।
ଏଇ ଘଟଣା ର କିଛି ଦିନ ପରେ ସେଦିନ ଖରାବେଳେ ଅଚାନକ ତାର ଛୋଟ ପୁଅ ସହିତ ଜଣେ ଭିକାରୀ ବୁଢୀ ଆମ ଗେଟ୍ ବାଡ଼େଇଲା ।
ମୋ ମାମା କବାଟ ଖୋଲି ତାଙ୍କ ପାଖକୁ ଗଲାରୁ ସେ ବୁଢୀ କହିଲା " ମାଆ କିଛି ଖାଇବାକୁ ମିଳିବ କି ବହୁତ ଭୋକ ..." ଛୁଆଟା ବି ସକାଳ ପହରୁ କିଛି ଖାଇନି ଯଦି କିଛି ଦିଅନ୍ତ ତେବେ ...."
ମାମା ବୁଢୀ ହାତକୁ ଦଶ ଟଙ୍କା ବଢେଇ ଦେଇ କହିଲେ - " ନାନା ଆଜି କିଛି ନାଇଁ ପରେ ଆସିବ "
ସେମାନେ ଚାଲିଗଲା ପରେ ମାମା କୁ ମୁଁ କହିଲି - " ତାଙ୍କୁ କିଛି ଖାଇବାକୁ ଦେଇ ଦେଲନି ? ସେଦିନ ଏତେ ପିଲାଙ୍କୁ ଦେଲ ଆଉ ଆଜି ଦିଇ ଜଣଙ୍କୁ ଦେବାକୁ ...."
ମାମା ମୋ ମୁଣ୍ଡ ଆଉଁସି ଦେଇ କହିଲେ -" ପାଗଳାଟା , ସାଇବାବା ବ୍ରତ ପରା ସରି ଯାଇଛି " ।