Nityananda Nandi

Classics Inspirational

4  

Nityananda Nandi

Classics Inspirational

ମହୁଲ ଫୁଲ

ମହୁଲ ଫୁଲ

5 mins
257



ମୋ ଝିଅ କୋଉଠି ? କାହା ଘରେ ଛାଡି ଆସିଛୁ ? ତା ସଂଗାତ ଘରେ ? ନା ପଡିଶା ଘର ବୁଢୀ ସାଥିରେ ମହୁଲ ଫୁଲ ଗୋଟା ଇବାକୁ ଯାଇଛି ? 


କିଛି କହୁ ନ ଥାଏ ବିଶୁଆ। କିଛି କାମ କରେନି, ପେଟେ ତାଡି ପିଇ ଦେଇ ଘର ସାମ୍ନାରେ ପଡ଼ିଥିବା ଦଉଡ଼ିଆ ଖଟ ଉପରେ ଚିତ୍ ହେଇ ଦିନ ସାରା ପଡ଼ିଥାଏ। ଆଜି କଥା କହିବାକୁ ଶକ୍ତି ନାହିଁ। ଯେତେ ପଚାରିଲେ କଣ ହେବ, କିଛି ଜବାବ ଦେଉନି।


ଦୁମ୍ କରି ବସି ପଡିଲି ପିଣ୍ଡା ଉପରେ। ସାତ ବର୍ଷର ଝିଅ କାମିନୀ।

ଭାରି ଭଲ ପାଏ କିନ୍ତୁ ବିଶୁଆ କାମିନୀକୁ। ଦିନ ସାରା ତାଡି ପିଇ ଦେଇ ଅଚେତ ହେଇ ପଡି ରହେ। କାମିନୀ ମିଛି ମିଛିକା ରୋଷେଇ କରେ ବିଶୁଆର ଖଟିଆ ପାଖରେ। ଅନାବନା ଶାଗ ରାନ୍ଧେ ନ ହେଲେ କଢ଼ାରେ ପାଣି ଦେଇ ମହୁଲି ରାନ୍ଧେ।

କୋଉଠି ନା କୋଉଠି ଆଖ ପାଖରେ ଥିବ ସେ ନିଶ୍ଚୟ, 

ବିଶୁଆ କିନ୍ତୁ ପାଟି ଖୋଲିଲେ ସିନା...


ତା ଜ୍ଞାନ ନ ଫେରିବା ଯାଏ ପଚାରି କି ଲାଭ କଣ !!! ଶୂନ୍ୟତା ଭିତରେ ଶବ୍ଦର ଗାଢ଼ତା ବଢି ବଢି ଚାଲେ, ଜ୍ଞାନ ଶୂନ୍ୟ ମଣିଷ ଆଗରେ କିନ୍ତୁ ବଜ୍ର ପାତର ଆଘାତ ବି କିଛି ନୁହେଁ। ଚେତା ଶୂନ୍ୟ ମଣିଷ ର ଜୀବନ ଗଳ୍ପ ଶୁଷ୍କ , ନା କିଛି ସାମାଜିକ ଉପାଦେୟତା ନା କିଛି ପ୍ରେରଣା ଥାଏ ସେଇ ଗଳ୍ପରେ।


ଘର ସାରା ସବୁ ଆଡେ ମହୁଲ ଫୁଲ। ବିକ୍ରି କରି ପୁରା ବର୍ଷକର ଖର୍ଚ୍ଚ ଆମେ ଉଠାଉ ସେଥିରୁ। ମୋ ମାଆ, ବୁଢୀମା ସମୟରୁ ଏଇ ବ୍ୟବସାୟ। ଖାଲି ଆମେ ନୁହଁ, ଗାଆଁ ସାରା ସମସ୍ତଙ୍କର ଗୋଟାଏ ବ୍ୟବସାୟ । ମହୁଲ ସଂଗ୍ରହ କରି ବିକ୍ରି କରିବା।


ମହୁଲ ଫୁଲର ବାସ୍ନା ବ୍ୟତୀତ ଆଉ କୋଉ ଫୁଲର ମହକ ଆସେନି ଆମ ଘର ଭିତରକୁ। ଲୋକେ କହନ୍ତି ବର୍ଷା ହେଲେ ଭୂଇଁ ମହକେ। ଆମ ଘରେ କିନ୍ତୁ ମହୁଲ ଫୁଲ ବାସ୍ନାର ରାଜତ୍ଵ। ବୁଢୀମା ସମୟରୁ ସେଇ ଗୋଟାଏ ମହକ। ଗୋଟାଏ ବାସ୍ନା ଭିତରେ ଜୀବନଟା ଗଢି ଉଠିଲେ ଲାଗେ ଯେମିତି ପୃଥିବୀଟା ବଦଳି ନାହିଁ। ଗୋଟାଏ ରଙ୍ଗ, ଗୋଟାଏ ଧ୍ଵନି। ଏକଚାଟିଆ ପ୍ରକୃତିର ପ୍ରଭାବ !!


ମୁଁ ସେତେବେଳେ ଛୋଟ ହେଇଥାଏ। ପ୍ରତିଦିନ ରାତି ତିନିଟା ବେଳକୁ ବୁଢୀମା ଆଉ ଶୋଇବାକୁ ଦିଏନି ମୋ ମାଆକୁ। ମୋ ମାଆ ଆଖି ଦଳି ଦଳି ବୁଢୀମା ପଛରେ ଚାଲେ। ମୁଁ ଚାଲେ ମାଆର ହାତ ଧରିକି। ରାତିର ଅନ୍ଧାର ଭିତରେ ଦୁଇ ଘଣ୍ଟାର ପ୍ରତିଯୋଗିତା। ଗାଆଁର ସବୁ ମହିଳାଙ୍କ ଭିଡ ସେଇ ମହୁଲ ଜଙ୍ଗଲ ଭିତରେ। କିଏ କେତେ ଫୁଲ ଗୋଟାଇ ପାରିବ। ସିନ୍ଦୁରା ଫାଟି ନ ଥାଏ। ଘରକୁ ଫେରି କ୍ଳାନ୍ତ ଶ୍ରାନ୍ତ ହେଇ ଆଉ ଥରେ ଶୋଇ ଯାଆନ୍ତି ସେମାନେ।


କେମିତି ସମୟ ସବୁ ଅତିକ୍ରମ ହେଇଗଲା କେଜାଣି ! ଋତୁ ପରେ ଋତୁ, ଅଗଣାର ଗଙ୍ଗଶିଉଳି ଫୁଲ କେତେ ଥର ମାଟି ଭିତରେ ବିଲୁପ୍ତ ହେଇ ସାରିଲେଣି, ତା'ର ପତ୍ତା ସତ୍ତା ନାହିଁ। ସମୟର ହାତ ଧରି ପୃଥିବୀର କାହାଣୀ ସବୁ ଗତିଶୀଳ। ନା ସମୟ, ନା ଜୁଆର କାହାକୁ ଅପେକ୍ଷା କରେ। ମୁଁ ବି ବଢି ଚାଲିଲି ସମୟ ସାଥିରେ। 

ବୁଢ଼ୀ ମାଆ ର ମୃତ୍ୟୁ ପରେ ମାଆ ଆର ପାରିକି ଚାଲିଯିବାଟା ଅସହନୀୟ ଥିଲା ମୋ ପାଇଁ। ବଞ୍ଚିବା ପାଇଁ କି ସେଇ ମହୁଲ ଫୁଲ ଗୋଟାଇବା ଛାଡି ଦେଲେ କିଛି ଉପାୟ ନ ଥିଲା ମୋ ପାଖରେ। ନା ମାଆ ଥିଲା ଯେ ତା ହାତ ଧରି ଭୋର୍ ତିନିଟା ରୁ ମହୁଲି ଜଙ୍ଗଲ ଭିତରେ ହାଜର ହୁଅନ୍ତି। ଭେଣ୍ଡିଆ ବରଟା ବି ସାଥିରେ ଯାଉ ନ ଥିଲା। ହଁ, କାମିନୀ ଛୋଟ ହେଇଥାଏ। ତା ପାଖରେ ଛାଡି ଦେଇ ଆପାତତଃ ଶାନ୍ତିରେ ଯାଇ ଫୁଲ ଗୋଟାଉ ଥିଲି। ଥରେ ସୁଯୋଗ ପାଇ ରାତି ତିନିଟାରେ ଏଇ ବିଶୁଆ ଟା ଗାଆଁ ଦାଣ୍ଡରେ ବ୍ୟଭିଚାର କଲା ମୋ ସହିତ। ମୁଁ ଚିତ୍କାର କଲି। ଏଇ କୁତ୍ସିତ ଘଟଣା ପରେ କାମିନୀର ବାପା କାହିଁକି କେଜାଣି ଆମ ଦୁହିଙ୍କୁ ଛାଡି ସବୁଦିନ ପାଇଁ ରେଢ଼ାଖୋଲ ଚାଲିଗଲା। ମୋତେ ସନ୍ଦେହ କଲା ବୋଧେ। ମୋତେ ଅସହାୟ ଦେଖି ଗାଆଁ ଲୋକେ ବିଚାର ଡାକିଲେ। ବିଶୁଆ କୁ ନିର୍ଦ୍ଦେଶ ଦେଲେ ମୋ ସହିତ ରହିବାକୁ। ପାଞ୍ଚ ବର୍ଷ ରୁ ଅଧିକ ହେବ, ରହୁଛି ଆମ ଘରେ ମୋ ସହିତ। ଭାରି ସରଳ ପ୍ରକୃତିର। କିଛି ବୁଝେନି, ଯିଏ ଯୋଉଠି କହେ ସେଇଠି ଟିପ ଚିହ୍ନ ଲଗେଇବାରେ ଧୁରନ୍ଧର ସେ। ବେଳେ ବେଳେ ପାଞ୍ଚ କିଲୋ ଚାଉଳ ମୁଁ ହରେଇ ବସେ। ସାଉକାର କୁ ପଚାରିଲେ କହେ, ଦେଖୁନୁ, ତୋ ବର ଟିପ ଚିହ୍ନ ଦେଇ ନେଇ ଯାଇଛି। ବିଶୁଆ କୁ ପଚାରିଲେ କହେ ମୁଁ ଚାଉଳ ଫାଉଳ କିଛି ଆଣିନି। ମୋତେ ଟିପ ଚିହ୍ନ ଦେବାକୁ କହିଲା, ମୁଁ ଦେଇଦେଲି, ବାସ୍।  

କାହିଁକି କେଜାଣି ଅନ୍ଧାର ଭିତରେ ମୋତେ ଜାବୁଡି ଧରିଲା, ଆଜି ପର୍ଯ୍ୟନ୍ତ ମୁଁ ବୁଝି ପାରିନି। ମନରେ ଆଘାତ ହେବ ବୋଲି ମୁଁ ପଚାରି ନାହିଁ, କାହିଁକି ଏମିତି କଲୁ। ନିଶାରେ ବୁଡି ଯାଇ ବୋଧେ ବିବେକ ହରେଇ ବସନ୍ତି ଏମାନେ। କାମିନୀ ତା ଜୀବନ, ଗୋଟାଏ ମୁହୂର୍ତ୍ତ ନ ଦେଖିଲେ ରହି ପାରେନି। କାମିନୀ ବି ଠିକ୍ ସେମିତି, ତାରି ହାତ ଧରି ଘୁରି ବୁଲେ ଜଙ୍ଗଲ ସାରା।

ଦୁଇ ଦିନ ପାଇଁ ଦିଦି ଘର ଗାଆଁ କୁ ଚାଲି ଯାଇଥିଲି ଯେ କାମିନୀ କୁ କାହାଘରେ ନିଶ୍ଚୟ ଛାଡି ଦେଇ ଆସିଛି। ଭାରି ଜିଦି କରେ, କିଛି ଖାଇ ନ ଥିବ , ବାଧ୍ୟ ହେଇ ତା ସଙ୍ଗାତ ଘରେ ବୋଧେ ଛାଡି ଆସିଛି। 


ବିଶୁଆ କଡ ଲେଉଟେଇ ଉଠି ବସିଲା। 

ପଚାରିଲି, କାମିନୀ କୋଉଠି।

ଆଖି ଦଳି ଦଳି କହିଲା, ତାକୁ ମୁଁ ବହୁତ ଦୂରରେ ଛାଡି ଦେଇ ଆସିଛି। ମୋ ଆଖିରୁ ଲୁହ ଝରି ଆସିଲା। 

କୋଉଠି ?

ଚାଲ୍, ଦେଖି ଆସିବା

ଆଗେ ଆଗେ ବିଶୁଆ ଚାଲିଲା, ପଛେ ପଛେ ମୁଁ ଚାଲିଲି। ଭୟର ପଞ୍ଜୁରୀ ଭିତରେ ଆବଦ୍ଧ ଥିଲି ମୁଁ। କଦଳୀ ପତ୍ର ପରି ଥରୁଥିଲି। ମୋ ଝିଅକୁ କୋଉଠି ଛାଡିଛି ସେ। ତା ଉତ୍ତର ଭିତରେ କିଛି ଭୟଙ୍କର କଥା ଲୁଚି ରହିଥିବ ବୋଲି ଆଉ କିଛି ପଚାରିବାକୁ ଶ୍ରେୟସ୍କର ମନେ କଲିନି। କାହାକୁ ପଇସା ପାଇଁ ବିକି ଦେଇନି ତ ! ନିଜ ଝିଅ ନୁହେଁ ଯେତେବେଳେ କିଛି ବି ସେ କରି ଥାଇ ପାରେ। ଆଜି କାଲି ବିଶ୍ବାସ କାହାକୁ। କିଛି ଉପାୟ ନ ଥିଲା ମୋ ପାଖରେ। ତା ପଛେ ପଛେ ଚାଲିବାକୁ ଉଚିତ୍ ମନେ କଲି।


କିଛି ବାଟ ଚାଲିବା ପରେ ଟ୍ରେକରରେ ଯାଇ ବସିଲୁ। ଅଧା ଘଣ୍ଟା ପରେ ବାସିପିଠା ଛକରେ ଓଲ୍ହେଇଲୁ ଆମେ। 

ହେଇ ଦେଖ୍, କାମିନୀ ଖେଳୁଛି ତା ସାଙ୍ଗ ମାନଙ୍କ ସାଥିରେ। କେତେ ଖୁସିରେ ଅଛି ସେ !!!

ଏତେ ବଡ ଆବାସିକ ବାଳିକା ବିଦ୍ୟାଳୟ। ମୁଁ କେବେ ଦେଖି ନ ଥିଲି ମୋ ଜୀବନରେ।


ବିଶୁଆ କହିଲା, ଭାବିଲି, ଆମ ଝିଅ ପାଠ ପଢି ମଣିଷ ହେବ !! ମହୁଲ ଫୁଲ ବାସ୍ନା ଭିତରେ ଗୋଟାଏ ଝିଅର ସ୍ବପ୍ନ ଦବି ନ ଯାଉ ବୋଲି ମୁଁ ଭାବିଲି। ମହୁଲ ଫୁଲ ଗୋଟାଇ ଜୀବିକା ନିର୍ବାହ କରିବା ବାହାରେ ବି ଗୋଟାଏ ଦୁନିଆ ଅଛି ଲୋ ପୂର୍ନା। ରାତି ତିନିଟା ରୁ ଉଠି ତୋ ପରି ସେ ବି ମହୁଲି ଫୁଲ ଗୋଟାଇବାକୁ ଯାଉ, ମୁଁ ଚାହୁଁ ନ ଥିଲି। ତୋ ବୁଢୀ ମା, ତୋ ମାଆ, ତା ପରେ ତୁ ସେଇ ଗୋଟାଏ କାହାଣୀ। ଏମିତି ଏକ କଳୁଷିତ ଜୀବିକା ନିର୍ବାହ ପ୍ରଣାଣୀରେ ପୂର୍ଣ୍ଣ ଛେଦ ପଡୁ। ସେଇଥି ପାଇଁ ତୋ ଅନୁପସ୍ଥିତି ରେ କାମିନୀର ଏଡମିସନ୍ କରି ଦେଇଛି ଏଇ ସ୍କୁଲରେ। ମାଗଣାରେ ଶିକ୍ଷା, ମାଗଣାରେ ଖାଇବା। ସ୍କୁଲରେ ସେମାନେ ଦସ୍ତଖତ କରିବାକୁ କହିଲେ, ମୁଁ କିନ୍ତୁ ଟିପ ଚିହ୍ନ ଦେଲି। କେତେ ଲାଜ ଲାଗିଲା କହିଲୁ।


ଦୁଇ ଟୋପା ଆନନ୍ଦାଶ୍ରୁ କେତେ ବେଳେ ବହି ଆସିଛି, ମୁଁ ଜାଣି ନ ଥିଲି। ଖୁସିରେ କୋଳେଇ ନେଲି ବିଶୁଆ କୁ। ଫେରୁଥିବା ଗୋଟାଏ ଟ୍ରେକର୍ ଭିତରେ ଯାଇ ବସିଲୁ। ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଖେଳ ପଡିଆକୁ ଏକ ଲୟରେ ମୁଁ ଦେଖୁଥିଲି, କେତେ ଖୁସିରେ ଖେଳୁଛି ଆମ କାମିନୀ, ପାଠ ପଢି ସେ ମଣିଷ ହେବ, ମହୁଲ ଫୁଲ ପରିସୀମା ବାହାରେ ଥିବା ଆଉ ଗୋଟେ ଦୁନିଆର ଆଲୋକ ଦେଖିବ ସେ ! ମନେ ମନେ ଭାବୁଥିଲି କେତେ ଭଲ କାମଟିଏ କରିଛି ବିଶୁଆ ଖୁସି ହେଇ ଟାଣି ପକେଇଲି ତା ଗାଲକୁ। ମୋତେ ଦେଖି ହସିଦେଲା ସେ।


Rate this content
Log in

Similar oriya story from Classics