ମହର୍ଷି ସାନ୍ଦିପନୀଙ୍କ ଗୁରୁଭକ୍ତି
ମହର୍ଷି ସାନ୍ଦିପନୀଙ୍କ ଗୁରୁଭକ୍ତି
ମହର୍ଷି ସାନ୍ଦିପନୀଙ୍କ ଗୁରୁଭକ୍ତି
==============
ଦ୍ୱାପର ଯୁଗର କଥା l ସେତେ ବେଳେ ସାନ୍ଦିପନୀ ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହିତ ଗୁରୁଗୃହରେ ରହି ବିଦ୍ୟାଶିକ୍ଷା କରୁଥିଲେ l ସେ ଗୁରୁଙ୍କ ଆଜ୍ଞାବହଶିଷ୍ୟ ଥିଲେ ଓ ଗୁରୁଙ୍କ ବାକ୍ୟ ଅକ୍ଷରେ ଅକ୍ଷରେ ପାଳନ କରୁଥଲେ l ଗୁରୁ ଯେତେବେଳେ ଯେଉଁ ନିର୍ଦ୍ଧେଶ ଦେଉ ଥିଲେ, ସେଥିରେ ଆଗ ପଛ କିଛି ବିଚାର ନକରି ସେ କାର୍ଯ୍ୟ କରିବାକୁ ଆଗ୍ରହର ସହ ଧାଇଁ ଯାଉଥିଲେ l ତାଙ୍କର ଏପରି ଆଗ୍ରହକୁ କିନ୍ତୁ ଅନ୍ୟ ସହପାଠୀ ମାନେ ନାପସନ୍ଦ କରୁଥିଲେ l
ଦିନକର କଥା l ସାନ୍ଦିପନୀ ସହପାଠୀଙ୍କ ସହିତ ଖେଳ କୁଦ ପରେ, ଆଶ୍ରମକୁ ଫେରି ଆସୁଥାନ୍ତି l ଗୁରୁ ତାଙ୍କୁ ଡାକି ଚୁପକି କହିଲେ, ବତ୍ସ ! ତୁମେ ପଡ଼ିଆରେ ଖେଳୁ ଥିବା ମୋ ପୁଅକୁ ଆଣି ସେହି କୂଅଭିତରେ ଫିଙ୍ଗିଦିଅ l ଗୁରୁଙ୍କ ଆଦେଶ ଶୁଣି ସାନ୍ଦିପନୀ ଆଉ କିଛି ଚିନ୍ତା ନକରି, କ୍ରୀଡ଼ାରତ ପିଲାଟିକୁ ଉଠେଇ ଆଣି କୂଅକୁ ଫିଙ୍ଗି ଦେଲେ l ଏହା ଦେଖି ଅନ୍ୟ ଶିଷ୍ୟମାନେ ଧାଇଁ ଆସି ଗୁରୁ ପୁତ୍ରଙ୍କୁ କୂଅ ଭିତରୁ ଉଦ୍ଧାର କଲେ l ଏହା ପରେ ସମସ୍ତେ ମିଶି ତାଙ୍କୁ ନିର୍ଘାତ ମାଡ଼ ମାରିଲେ l ହେଲେ ସାନ୍ଦିପନୀ ମାଡ଼ଖାଇ ବି କୌଣସି ପ୍ରତିବାଦ କଲେନାହିଁ କି ପାଟି ବି ଖୋଲିଲେ ନାହିଁ l ଗୁରୁ ଏପରି ନିଷ୍ଠୁର ନିର୍ଦ୍ଧେଶ, କାହିଁକି, କେଉଁଥି ପାଇଁ ଦେଲେ ଭାବି, ଅନ୍ୟ ଶିଷ୍ୟ ମାନେ କେବଳ ଚିନ୍ତା କରିବାକୁ ଲାଗିଲେ l
ଏମିତି କିଛିଦିନ ବିତିଗଲା l ସାନ୍ଦିପନୀଙ୍କୁ ଦିନେ ଗୁରୁ ପୁଣି ଡାକି, ଏକ ଅଦ୍ଭୁତ ନିର୍ଦ୍ଦେଶ ଦେଲେ l
ଗୁରୁ ସାନ୍ଦିପନୀଙ୍କ କାନରେ ଧିରେ କରି କହିଲେ, ତୁମେ ଏ ଆଶ୍ରମରେ ନିଆଁ ଲଗେଇ ଦିଅ l ଆଜ୍ଞାବହ ଶିଷ୍ୟ ସାନ୍ଦିପନୀ ତୁରନ୍ତ ଗୁରୁଦେବଙ୍କ ଆଜ୍ଞା ପାଳନ କଲେ l ଆଶ୍ରମଘର ସବୁ ହୁତହୁତ ହୋଇ ଜଳିବାକୁ ଲାଗିଲା l ଅନ୍ୟ ଶିଷ୍ୟ ମାନେ ଆଶ୍ରମ ଗୃହ ଜଳି ଯାଉଥିବା ଦେଖି ଦୌଡ଼ି ଆସି ନିଆଁକୁ ପାଣି ପାକାଇ ଲିଭାଇଦେଲେ l ସାନ୍ଦିପନୀ ନିଆଁ ଲଗାଇଛି ବୋଲି, ଶିଷ୍ୟମାନେ ଯେତେ ବେଳେ ଜାଣି ପାରିଲେ, ସେମାନେ ସେତେ ବେଳେ ଆଗ ଭଳି ତାଙ୍କୁ ନିର୍ଦ୍ଧୁମ ମାଡ଼ ଚଢ଼ାଇଲେ l ସାନ୍ଦିପନୀ ଗୁରୁଙ୍କ ନିର୍ଦ୍ଦେଶରେ ଏହା କରିଛନ୍ତି ବୋଲି, ଆଉ କିଛି ନ କହି ଚୁପ ରହିଲେ l
ପରେ ଅନ୍ୟ ଶିଷ୍ୟମାନେ ଜାଣି ପାରିଲେ ଗୁରୁଙ୍କ ନିର୍ଦ୍ଦେଶରେ ସାନ୍ଦିପନୀ ଏପରି କରୁଛନ୍ତି l ଏପରି ନିର୍ଦ୍ଦେଶ ଗୁରୁଦେବ କାହିଁକି ଦେଉଛନ୍ତି ଭାବି ସବୁ ଶିଷ୍ୟ ଖୁବ୍ ଆଶ୍ଚର୍ଯ୍ୟ ହେଉଥାନ୍ତି l
ସମୟ ଆସିଲା ସାନ୍ଦିପନୀଙ୍କର ବିଦ୍ୟାଶିକ୍ଷା ସମାପ୍ତ ହୋଇଗଲା l ସହପାଠୀମାନଙ୍କ ସହ ସେ ଗୁରୁଙ୍କ ଠାରୁ ବିଦାୟ ଘେନି ସ୍ୱ ଗୃହକୁ ଫେରି ଆସିଲେ l ଗୃହରେ ଥାନ୍ତି ଦିନେ ସେ ଖବରପାଇଲେ ଯେ ଗୁରୁ ଖୁବ୍ ଅସୁସ୍ଥ ହୋଇ ପଡିଛନ୍ତି l ଆଉ କାଳ ବିଳମ୍ୱ ନକରି ସେ ଗୁରୁଙ୍କ ଦର୍ଶନରେ ବାହାରି ପଡ଼ିଲେ l ଅନ୍ୟ ସବୁ ଶିଷ୍ୟ ମାନେ ମଧ୍ୟ ସମ୍ବାଦ ପାଇ ଆସି ସେଠାରେ ପହଞ୍ଚିଲେ l ଗୁରୁଙ୍କ ଅନ୍ତିମ ସମୟ ଉପନୀତ l ଏଣୁ ସମସ୍ତେ ଗୁରୁଙ୍କ ଶେଷ ଦର୍ଶନ କରି ଗୁରୁଙ୍କ ନିତ୍ୟ ବ୍ୟବହୃତ ପଦାର୍ଥ ଗୁଡ଼ିକରୁ ଏକ ଏକ କରି ନେଇ
ଆଶ୍ରମରୁ ବିଦାୟ ନେଲେ l
ସାନ୍ଦିପନୀ ଗୁରୁଙ୍କ ପାଖରେ ବସି ଦୁଃଖରେ ଅଶ୍ରୁ ଗଡ଼ାଉ ଥାନ୍ତି l ସମସ୍ତେ ଯେତେବେଳେ ସେଠାରୁ ଚାଲିଗଲେ ଗୁରୁ ସାନ୍ଦିପନୀଙ୍କୁ ପାଖକୁ ଡାକିଲେ l ସେ ଖୁବ୍ କ୍ଷୀଣ, ଅସ୍ପଷ୍ଟ ସ୍ବରରେ କହିଲେ, ବତ୍ସ ! ମୁଁ ଜାଣେ, ତୁମେହିଁ ମୋର ସବୁଠାରୁ ପ୍ରିୟତମ ଶିଷ୍ୟ l ତୁମେ ସବୁବେଳେ ମୋ ଆଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କରିଛ l ମୁଁ ଆଉ ତୁମକୁ କଅଣ ଦେବି l ତୁମକୁ କେବଳ ଏହି ଆଶୀର୍ବାଦ କରୁଛି ତୁମେ ନିଶ୍ଚୟ ଜଣେ ବଡ଼ ମଣିଷ ହେବ ଓ ଦିନେ ସ୍ଵୟଂ ଭଗବାନ ଆସି ତୁମ ନିକଟରେ ବିଦ୍ୟାର୍ଥୀ ହେବେ l ତୁମେ ହେବ ତାଙ୍କ ଗୁରୁ l ସନ୍ଧ୍ୟା ନଇଁ ଆସୁଥିଲା l ଏହି ତକ କହି ଗୁରୁ ଆଖି ବୁଜିଲେ l ଗୁରୁଙ୍କ ଆଶୀର୍ବାଦ ଘେନି, ସାନ୍ଦିପନୀ ଘରକୁ ଫେରି ଆସିଲେ l କାଳକ୍ରମେ ସେ ଗୁରୁଙ୍କ ଠାରୁ ଶିକ୍ଷାକରିଥିବା ବିଦ୍ୟାରେ ଜଣେ ପ୍ରବୀଣ ପଣ୍ଡିତ ବୋଲାଇଲେ l ଉଜ୍ଜୟିନୀଠାରେ ଏକ ଗୁରୁକୁଳ ସ୍ଥାପନ କଲେ ଯେଉଁଠିକୁ ଭାରତର ଚତୁର୍ଦ୍ଦିଗରୁ ବିଦ୍ୟାର୍ଥୀ ମାନେ ବିଦ୍ୟା ଶିକ୍ଷ୍ୟା ପାଇଁ ଆସିଲେ l ଗୁରୁଙ୍କ କଥା ସତ ହେଲା l ତାଙ୍କ ଗୁରୁକୁଳରେ ଦିନେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀବଳରାମ ଆସି ବିଦ୍ୟାର୍ଥୀ ହେଲେ l
ଗୁରୁ ସାନ୍ଦିପାନୀ ଥିଲେ କଶ୍ୟପ ଗୋତ୍ରୀୟ ଋଷି l ଶାସ୍ତ୍ର ମାନଙ୍କରେ ତାଙ୍କର ପିତା, ମାତା ଓ ଗୁରୁଙ୍କ
ବିଷୟରେ ସଠିକ୍ ତଥ୍ୟ, ଉପଲବ୍ଧ ହୁଏନାହିଁ l କେତେକ ଶାସ୍ତ୍ର।ତାଙ୍କୁ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କହୁଥିଲା ବେଳେ, କେତେକ ଗ୍ରନ୍ଥ କହିଥାନ୍ତି, ସେ ହେଉଚ୍ଛନ୍ତି ବ୍ରହ୍ମାଙ୍କ ପୁତ୍ର ବୋଲି l କିନ୍ତୁ ସେ କୃଷ୍ନ, ବଳରାମଙ୍କ ଗୁରୁ ଥିଲେ ବୋଲି, ଅନେକ ଶାସ୍ତ୍ରୀୟ ସିଦ୍ଧାନ୍ତ ରହିଛି l ତାଙ୍କ ମେଧାଶକ୍ତି ଖୁବ୍ କମ୍ ଥିଲା l ଗୁରୁଙ୍କୁ ସେ କେତେସମର୍ପିତ ତାହା ଜାଣିବା ପାଇଁ ଗୁରୁ ତାଙ୍କୁ ଏପରି କଠିନ କାର୍ଯ୍ୟ ସବୁ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ l ଗୁରୁ ବାକ୍ୟ ପ୍ରତି ତାଙ୍କର ନିଷ୍ଠାଯୋଗୁଁ, ସେ ଗୁରୁଙ୍କ ଆଶିଷ ଲାଭ କରି ଅପୁର୍ବ ପାଣ୍ଡିତ୍ୟ ହାସଲ କରିଥିଲେ l ସାନ୍ଦିପନୀଙ୍କ ପୁତ୍ର ମଧୁମଙ୍ଗଳ ଥିଲେ ଭଗବାନ୍ ଶ୍ରୀକୃଷ୍ଣଙ୍କ ପ୍ରିୟ ସଖା l
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
