Arjuni charan Behera

Inspirational Others

3  

Arjuni charan Behera

Inspirational Others

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

4 mins
904



ପଦ୍ମ ପୁଷ୍ପ ଏକ ଅତ୍ୟନ୍ତ ପବିତ୍ର ପୁଷ୍ପ l ଏହା ସ୍ୱୟଂ ମହାଲକ୍ଷ୍ମୀଙ୍କ ନିବାସସ୍ଥଳୀ l ସେଥିପାଇଁ ମା' ମହା ଲକ୍ଷ୍ମୀଙ୍କୁ ପଦ୍ମାଳୟା,ପଦ୍ମା,କମଳା,ପଦ୍ମାସନି ଆଦି ନାମରେ ଅଭିହିତ କରା ଯାଏ l ମହାଲକ୍ଷ୍ମୀ ପୂଜା ପାଇଁ ପଦ୍ମ ଫୁଲ ଏକ ଅପରିହାର୍ଯ୍ୟ ଦ୍ରବ୍ୟ l ଭକ୍ତ କବି ମଧୁସୂଦନ ରାଓ ତାଙ୍କ ପଦ୍ମ କବିତାରେ ପଦ୍ମ ଫୁଲର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି ଲେଖିଛନ୍ତି :-

   କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି l

   କି ଅମୃତେ ତୋ ତନୁ ଗଢ଼ିଲା ବିହି ll

   ତୋ ରୂପ ଦରଶନେ ମୋର ହୃଦୟ l

   ପୁଣ୍ୟ ଆନନ୍ଦେ ହୁଏ ଅମୃତ ମୟ ll

ସେ ପୁଣି ପଦ୍ମର ଅମୃତମୟ ରୁପକୁ ବର୍ଣ୍ଣନା କରି ଲେଖିଛନ୍ତି :-

  ଶ୍ବେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ l

  ବାରେ ଦେଖିଲେ କେଭେ ନ ଯିବ ମନୁ ll

      ସର୍ବ ଶୋଭାର ତୁହି ଉପମା ସ୍ଥଳ l

       ଭକତ ପ୍ରେମିକର ତୁହି ସମ୍ବଳ ll

ପଦ୍ମ ପୁଷ୍ପ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଖୁବ ନିବିଡ l ତାଙ୍କ ଚାରି ର୍ଭୁଜରେ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ଶୋଭା ପାଏ l ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମସହ ତୁଳନା କରାଯାଏ ଯଥା ପଦ୍ମପାଦ,ପଦ୍ମ ମୁଖ, ପାଦପଦ୍ମ, ମୁଖ ପଦ୍ମ,ପଦ୍ମ ନେତ୍ର ଇତ୍ୟାଦି l ମହାପ୍ରଭୁଙ୍କ ବହୁ ଭଜନ,ଜଣାଣ ଓ ସ୍ତୁତିରେ ପଦ୍ମ ଶବ୍ଦର ବ୍ୟବହାର ଦେଖାଯାଏ ଯଥା :-

   ଜଗନ୍ନାଥ କଲେ ଯା ଅନାଥରେ

         ଆଉ କେ ହରିବ ଦୁଃଖ l

   ଜଗତରେ ପରା,ବାଜୁଛି ନାଗରା,

           ଦୁଃଖ ହାରି ପଦ୍ମମୁଖ ll

ଫୁଲ ମାନଙ୍କ ମଧ୍ୟରେ କମଳ ବା ପଦ୍ମପୁଷ୍ପ ଶ୍ରେଷ୍ଠ ହୋଇଥିବାରୁ ଏହାକୁ ଆମ ଦେଶର ଜାତୀୟପୁଷ୍ପ ଭାବେ ଗ୍ରହଣ କରାଯାଇଛି l ବିଶ୍ୱ ସ୍ରଷ୍ଟାଙ୍କର ଏହି ଅମୃତମୟ ସୃଷ୍ଟି ପଦ୍ମ l ତେଣୁ ପଦ୍ମପୁଷ୍ପରେ ତାଙ୍କୁ ବର୍ଷରେ ଗୋଟିଏ ଥର ସଜ୍ଜିତ କରାଯାଇ ଥାଏ l ମହାପ୍ରଭୁଙ୍କର ନିତ୍ୟ ରାତ୍ରର ବଡ଼ ସିଂହାର ବେଶ ଏହି ପଦ୍ମ ବେଶ ଦିନ ହୁଏ ନାହିଁ l ପଦ୍ମ ବେଶରେ ରହି ସେଦିନ ଠାକୁରଙ୍କ ରାତ୍ରପହୁଡ଼ ହୋଇଥାଏl

ସପ୍ତଦଶ ଶତାବ୍ଦୀ ଗଙ୍ଗ ବଂଶର ରାଜତ୍ୱ କାଳରୁ ଏହି ବେଶ ହୋଇ ଆସୁଅଛି ବୋଲି ଗବେଷକଙ୍କ ମତ l ଏ ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ l ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ବଡ଼ଛତା ମଠ ବହନ କରି ଆସୁଛି l

ରଘୁବରଦାସ ଏହି ବେଶର ପ୍ରବର୍ତ୍ତକ ବୋଲି ମତ ଥିଲେ ହେଁ ଏ ବେଶ କିପରି ପ୍ରଚଳିତ ହେଲା ସେ ନେଇ ଏକ ଅତି ସୁନ୍ଦର କିମ୍ବଦନ୍ତୀ ଅଛି l ଏକଦା ଉତ୍ତର ଭାରତର ଜଣେ ସନ୍ଥ, ତଥା ମହାପ୍ରଭୁଙ୍କ ପରମ ଭକ୍ତ ମନୋହର ଦାସ, ଶ୍ରୀକ୍ଷେତ୍ର ମଉଡ଼ ମଣୀଙ୍କ ଦର୍ଶନ ଅଭିଳାଷି ହୋଇ ପଦ ବ୍ରଜରେ ଆସୁଥାନ୍ତି l କ୍ଲାନ୍ତ ହୋଇ ଗୋଟିଏ ସ୍ଥାନରେ ସେ ବିଶ୍ରାମ କରୁଥିଲେ, ପାଖରେ ଦେଖିଲେ ଗୋଟିଏ ପ୍ରସ୍ଫୁଟିତ ପଦ୍ମଫୁଲଭରା ପୁଷ୍କରିଣୀଟିଏ l ସମୟ ଥାଏ ମାଘମାସ,ଶୀତଋତୁ l ସାଧାରଣତଃ ଶୀତ ଋତୁରେ ପଦ୍ମ ଫୁଲ ଫୁଟି ନଥାଏ l ବିରଳ ସେହି ପଦ୍ମ ପୁଷ୍ପଭରା ପୁଷ୍କରିଣୀକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗଲେ l ମନେ ମନେ ଭାବିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରୁ ବୋଧହୁଏ ଏହା ସମ୍ଭବ ହୋଇଛି l ଦାସେ ସ୍ଥିରକଲେ ଫୁଲ ଗୁଡିକୁ ତୋଳି ନେଇ ମହାପ୍ରଭୁଙ୍କୁ ଅର୍ପଣ କରିବି l ପୁଷ୍କରିଣୀରୁ ପଦ୍ମ ଫୁଲ ଗୁଡ଼ିକୁ ତୋଳି ତାଙ୍କ ମଇଳା ଗାମୁଛା ଭିତରେ ଗୁଡ଼ାଇ ରଖି ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ l ଦୀର୍ଘ ପଥ, ଶ୍ରୀକ୍ଷେତ୍ରରେ ପହଞ୍ଚୁ ପହଞ୍ଚୁ ତିନି ଦିନ ବିତି ଗଲା l ପଦ୍ମ ଫୁଲ ଗୁଡ଼ିକ ସବୁ ମଉଳିଯାଇଥାଏ l ସେ ଶ୍ରୀକ୍ଷେତ୍ରରେ ପହଞ୍ଚି ପଣ୍ଡା ଗୋସେଇଁଙ୍କୁ ଅନୁରୋଧ କଲେ ଫୁଲଗୁଡିକୁ ମହାପ୍ରଭୁଙ୍କୁ ଲାଗି କରିଦେବା ପାଇଁ l ଗୋସେଇଁ ମଇଳା ଗାମୁଛାରେ ମଉଳା ଫୁଲ ଦେଖି କ୍ରୋଧିତ ହୋଇ କହିଲେ,ଏହି ଫୁଲ ଲାଗି ହେବା ଯୋଗ୍ୟ ନୁହେଁ l ଏହା ଲାଗି ହୋଇ ପାରିବ ନାହିଁ l ଏମିତି କହି ସେ ଫୁଲ ଗୁଡିକୁ ଫିଙ୍ଗି ଦେଲେ l ସନ୍ଥ ଅତି ଦୁଃଖରେ ମନମାରି ସିଂହଦ୍ୱାର ସମ୍ମୁଖରେ ମୂର୍ଛିତ ହୋଇ ଶୋଇ ପଡ଼ିଲେ l ଚିନ୍ତା କରୁଥାନ୍ତି,କେତେ ଶ୍ରଦ୍ଧାରେ ଫୁଲ ଗୁଡିକୁ ଘେନିଆସି ଥିଲି,ମହାପ୍ରଭୁ ଗ୍ରହଣ କଲେ ନାହିଁ,ଆଉ ଜୀବନ ରଖି କି ଲାଭ l ଭାବଗ୍ରାହୀ ପ୍ରଭୁ ଭକ୍ତର ଭାବ ବୁଝିଲେ l ଠାକୁର ରାଜାଙ୍କୁ ସ୍ୱପ୍ନାଦେଶ ହେଲା ମୋର ସେହି ପରମ ଭକ୍ତ ମନୋହରଦାସ ଆଣିଥିବା ସେ ମଉଳା ପଦ୍ମ ଫୁଲରେ ମୋର ଶ୍ରୀଅଙ୍ଗ ଶୃଙ୍ଗାର କର l ଦଉଡ଼ି ଆସିଲେ ଗଜପତି ମହାରାଜା l ଦେଉଳକରଣଙ୍କୁ ରାଜା ନିର୍ଦ୍ଧେଶ କଲେ ମହାପ୍ରଭୁଙ୍କର ସ୍ୱପ୍ନାଦେଶ l ତଦନୁଯାୟୀ ରାଜା ଓ ଦେଉଳକରଣଙ୍କ ନିର୍ଦ୍ଦେଶ କ୍ରମେ ସେଦିନ ରାତିରେ ମଉଳା ପଦ୍ମଫୁଲ ଲାଗି କରା ଗଲା l କିନ୍ତୁ ଏ କ'ଣ ! ଲାଗିହେବା ମାତ୍ରେ ଶୁଷ୍କ ପଦ୍ମଫୁଲ ଗୁଡ଼ିକ,ଜୀବନ୍ତ ହୋଇ ଉଠିଲେ ! ସମସ୍ତେ ଆଶ୍ଚର୍ଯ୍ୟ ! ସାରା ଶ୍ରୀ କ୍ଷେତ୍ରରେ ଚହଳ ପଡ଼ିଗଲା l ଭକ୍ତ ମନୋହରଙ୍କ ଚକ୍ଷୁରୁ ବହିଚାଲି ଥାଏ ଅବାରିତ ଆନନ୍ଦାଶ୍ରୁ,ଚାରିଆଡ଼େ ଗୁଞ୍ଜରିତ ହେବାକୁ ଲାଗିଲା ଭକ୍ତ ଏବଂ ଭକ୍ତବତ୍ସଳ ପ୍ରଭୁଙ୍କ ଲୀଳା କଥା l

ସେହି ଦିନ ଠାରୁ ଏ ବେଶ ପଦ୍ମ ବେଶ ଭାବରେ ଖ୍ୟାତ ହେଲା l ଆରମ୍ଭ ହୋଇଗଲା ପଦ୍ମବେଶର ନୂଆ ପରମ୍ପରା l ସେହି ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ବର୍ଷର ଗୋଟିଏ ଦିନ ମହାପ୍ରଭୁ ଏ ପଦ୍ମ ବେଶରେ ସଜ୍ଜିତ ହୁଅନ୍ତି l ସେହି ଦିନଟି ହେଉଛି ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ଅଥବା ଶନିବାର l ବେଶକୁ ପୁଷ୍ପାଳକ ବା ସିଂହାରୀ ସେବକ ମାନଙ୍କ ଦ୍ଵାରା କରା ଯାଇଥାଏ l ପଦ୍ମ ବେଶ ଉପରାନ୍ତେ ମହାପ୍ରଭୁଙ୍କୁ ଅମାଲୁ(ମାଲପୁଆ)ଓ କ୍ଷୀରି ଭୋଗ ମଣୋହୀ କରା ଯାଇ ଥାଏ l ଭକ୍ତ ମନୋହରଙ୍କ ସ୍ମୃତିରେ ନିୟମିତ ଭାବେ ଏହି ପଦ୍ମବେଶ କରାଇ ଆସୁଛନ୍ତି ବଡ଼ ଛତା ମଠ l ମାତ୍ର ଶୀତ ଋତୁରେ ପଦ୍ମଫୁଲ ମିଳିବା ସମ୍ଭବ ନୁହେଁ ବୋଲି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରାଇଥିଲେ ଏକ ଭିନ୍ନ ପରମ୍ପରା l ସୋଲ,କନା, ଜରି,କଇଥଅଠା ଓ ରଙ୍ଗରେ ପ୍ରସ୍ତୁତ କୃତ୍ରିମ ପଦ୍ମ ଫୁଲରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପଦ୍ମବେଶ l ସେବେଠାରୁ ନିରବଚ୍ଛିନ୍ନ ଭାବେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଛି l ରତ୍ନ ସିଂହାସନ ଉପରେ ଠାକୁର ମାନଙ୍କ ଏକ ଅତି ଆକର୍ଷଣୀୟ ବେଶ ଏହି ପଦ୍ମବେଶ, ଯେଉଁଥିରେ ତିନି ଠାକୁର ତିନୋଟି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଶୋଭା ପାଇଥାନ୍ତି l ଦୁଇ ଯୋଡ଼ା ହଂସ ପଦ୍ମରୁପୀ ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଭଙ୍ଗୀରେ ରହି ଥାନ୍ତି l ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୋଇଥାନ୍ରି l ବେଶରେ ଥାଇ ମହାପ୍ରଭୁଙ୍କ ରାତ୍ରୀ ପହୁଡ଼ ହୋଇଥାଏ l ପର ଦିନ ପ୍ରତ୍ୟୁଷରୁ ପଦ୍ମ ବେଶରେ ମହାପ୍ରଭୁ ଦର୍ଶନ ଦିଅନ୍ତି ଶ୍ରଦ୍ଧାଳୁ ମାନଙ୍କୁ l

ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରାକୃତିକ ପଦ୍ମ ଫୁଲ ଅଭାବରୁ ଶୋଲ ପଦ୍ମଫୁଲରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହେଇଆସୁଥିଲା l ଭୁବନେଶ୍ୱରର ଜଣେ ଭକ୍ତ ଚିନ୍ତାମଣି ଦାଶ, 2011 ମସିହାରେ ଏହି ବେଶ ପାଇଁ ପ୍ରାକୃତିକ ପଦ୍ମ ଫୁଲ ଯୋଗାଇ ଦେଇଥିଲେ l ଚିନ୍ତାମଣି ଦାଶ 2011ମସିହାରେ 1008, 2012 ରେ 3008 ପଦ୍ମ, ମହାପ୍ରଭୁଙ୍କ ବେଶ ପାଇଁ ଯୋଗାଇ ଦେଇଥିଲେ l ମହାଶୟ ପୁଣି 2013 ରେ ଚତୁର୍ଦ୍ଧା ମୂର୍ତ୍ତି, ମା' ବିମଳା,ମା' ବାଟମଙ୍ଗଳା, କମଳାତ୍ମିକା ଓ ମା' ମହାଲକ୍ଷ୍ମୀଙ୍କ ପାଇଁ ଯଥା କ୍ରମେ 3008,108, 54,108 ଓ 108 ଗୋଟି ପଦ୍ମ ଫୁଲ ଯୋଗାଇ ଦେଇଥିଲେ l

ଚଳିତ ବର୍ଷ 2022 ରେ ମହାପ୍ରଭୂଙ୍କ ପଦ୍ମବେଶ ଅନୁଷ୍ଠିତ ହେଉଛି ଫେବୃଆରୀ ଦୁଇ ତାରିଖରେ l ଏହି ଦୁର୍ଲଭ ପଦ୍ମ ବେଶ ଦର୍ଶନ କଲେ ମନୁଷ୍ୟର ସମସ୍ତ କଳୁଷ ଦୂର ହୋଇଥାଏ ବୋଲି ବିଶ୍ୱାସ l ଶ୍ରୀଜୀଉ ମାନଙ୍କୁ ପଦ୍ମବେଶରେ ଦର୍ଶନକରି ଭକ୍ତ ଆନନ୍ଦ ବିଭୋର ହୋଇ ଗାଇଥାନ୍ତି :-

    ମଣିମା ଶୁଣିମା ହେଉ ଗରିବ ଡ଼ାକ l

      ନିରକ୍ଷ ଜନକୁ ରଖ ପଙ୍କଜ ମୁଖ ।


Rate this content
Log in

Similar oriya story from Inspirational