Banabihari Mishra

Others

4.5  

Banabihari Mishra

Others

ମହାମାରୀ

ମହାମାରୀ

6 mins
302


"ଧନରେ, ଗାଡିମଟରରେ ହୁସିଆରରେ ଯିବୁ। ବେଳ ହେଲେ ଖାଇନବୁ। ଦେହପା'କୁ ଜଗି ଚଳିବୁ। ସେଠି ପହଞ୍ଚି ସାଙ୍ଗେ ସାଙ୍ଗେ ବାତିନି ଦବୁ। ହଁ, ତୋ ବେଗରେ ସୁଜିପିଠା ଦେଇଚି, ବାଟରେ ଖାଇବୁ।"

ଏଇ ପଦିକ କଥା ମାଆଠୁ ଶେଷଥର ପାଇଁ ସନା ଶୁଣିଥିଲା। ତା'ପରେ ସିଏ ଯାଇଛି ଯେ ଯାଇଛି। ଗାଁରେ ରୋଜଗାରର ଘୋର ଅଭାବ। ବାପ ମରିଗଲା ପରେ ବିଧବା ମାଆ ତାକୁ କେତେ କଷ୍ଟରେ ପାଳିପୋଷି ବଡ କରିଛି, ସନା ସେକଥା ନିଜ ଆଖିରେ ଦେଖିଛି, ନିଜ ଅଙ୍ଗେ ନିଭେଇଛି। ନବମ ଶ୍ରେଣୀରେ ପଢୁଥିଲା, ତା ବାପା ମରିଗଲେ। ତା'ପରଠୁ ଏଇ ମାଆ ତାକୁ ଏଡୁଟେରୁ ଏଡେଟେ କରିଛି। ସିଏ ଦେଖିଛି, କେମିତି ତା' ମାଆ ଅନ୍ୟମାନଙ୍କ ଘରେ ଧାନ ଉଁଷେଇବା, ଧାନ କୁଟିବା ଆଦି କାମ କରି ଦି'ମୁଠା ପେଜ ତୋରାଣି ଯୋଗାଡ କରୁଥିଲା। କାହାର ବାହା ପୁନିଅଁରେ ହେଉ କି ହାଣ୍ଡିଘର ହେଉ, ଘର ଲିପାପୋଛା ପାଇଁ ତା ମାଆ ଯାଏ। ସେଇଥିରୁ ଯାହା କିଛି ପାଏ, ସେଇଥିରେ ତାକୁ ପ୍ଲସ୍ ଟୁ ପର୍ଯ୍ୟନ୍ତ ପଢେଇଛି। ସାଇକେଲରେ ଘରୁ ଯିବାଆସିବା କରି ପଢୁଥିଲା। କିନ୍ତୁ ବି.ଏ. ପଢିବା ପାଇଁ ଦଶ ମାଇଲି ଦୂର ସହରରେ ଯାଇ ରହିବା ପାଇଁ ତା ପକ୍ଷରେ ଅସମ୍ଭବ ଥିଲା। ସେଇଥିପାଇଁ ସେଇଠୁ ତା'ର ପାଠରେ ଡୋରି ବନ୍ଧାହେଲା। ଆରମ୍ଭ ହେଇଗଲା ଚାକିରିର ସନ୍ଧାନ। ଯୋଉଠିକି ଗଲେ ଲାଞ୍ଚ ଆଉ ସୁପାରିଶର ଆବଶ୍ୟକ ଯାହା ସନାର ନଥିଲା। ସବୁଆଡୁ ଚେଷ୍ଟା କରିକରି ନୟାନ୍ତ ହେଇ ଶେଷରେ ସ୍ଥିର କଲା ଦାଦନ ଖଟିବାକୁ ଯିବ। ଯେମିତି ହେଲେ ମାଆର ଦୁଃଖ ଦୂର କରିବ। 

ପାଖ ଗାଁର ନଟ ବେହେରା ଗୋଟେ ସର୍ଦ୍ଦାର। ତା ସାଙ୍ଗରେ ଯୋଗାଯୋଗ କରି ସନା ବାହାରିଲା ଦୀଲ୍ଲି। ପ୍ରଥମେ ତ ନଟ ସର୍ଦ୍ଦାର ମନା କରୁଥିଲା। କହିଲା, 'ପାଠଶାଠ ପଢିଛୁ, ଏଇଠି ଓଡିଶାରେ ରହି କିଛି କର। ପାଠ ପଢୁଆ ପିଲା, ତୁ କ'ଣ ଯାଇ ସେଠି ଖଟି ପାରିବୁ? ସେଠି ଯୋଉ ଖଟଣି, ଆଚ୍ଛା ଆଚ୍ଛା ଖଟିଲା ଲୋକ ବି ହାର ମାନି ଫେରି ଆସନ୍ତି।' କିନ୍ତୁ ସନାର ଏକା ଜିଦ୍, ସିଏ ଦାଦନ ଖଟିବାକୁ ଯିବ। ନଟ ବେହେରା ରେଳରେ ଟିକେଟ କରି ଧରେଇଦେଲା। ଆଖପାଖ ତିନି ଚାରିଟି ଗାଁରୁ ଆଉ ଆଠଜଣ ବି ଯାଉଥିଲେ। ସେଇ ନଟ ସର୍ଦ୍ଦାର ସେମାନଙ୍କୁ ପଠୋଉଥିଲା। ଆଖପାଖ ଗାଁର ହେଇଥିବାରୁ ଖୁବ୍ ଅଳ୍ପ ସମୟରେ ସେମାନେ ପରସ୍ପର ସହ ଅନ୍ତରଙ୍ଗ ହେଇଯାଇଥିଲେ। ଆଉ ସନାକୁ ଏକୁଟିଆ ଲାଗୁ ନଥିଲା। ଉତ୍କଳ ଏକ୍ସପ୍ରେସ ହଜରତ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିଲା। ସେଇଠୁ ସନା ଆଉ ତା ସାଥୀମାନେ ଗୋଟେ ଲୋକ ସାଙ୍ଗରେ ଅଟୋରେ ଯାଇ ଗୋଟେ ବସ୍ତିରେ ପହଞ୍ଚିଲେ। ଏଇଟା ଶ୍ରମିକମାନଙ୍କ ବସ୍ତି। ବିଶେଷ ଭାବେ ଓଡିଶା, ବିହାର ଆଉ ପଶ୍ଚିମବଙ୍ଗରୁ ଆସିଥିବା ଲୋକମାନେ ଏଇଠି ରୁହନ୍ତି। ସନା ଆଉ ତା ସାଥିମାନେ ପହଞ୍ଚିଲା ବେଳକୁ ଅଧିକାଂଶ ଲୋକ ନିଜର କାମରେ ଯାଇ ସାରିଥିଲେ। 

ସନାକୁ ସେ ଲୋକଜଣକ ଗୋଟିଏ ବଡ ହଲ ଭଳିଆ ଘରେ ରହିବା ପାଇଁ କହିଲା। ସେଇ ହଲରେ ଆଉ ଆଠଜଣ ଲୋକ ଆଗରୁ ରହୁଥିଲେ। ମେସ୍ ଚାଲିଥାଏ। ସେଇ ମେସରୁ ଖାଇବା ଆସେ। ସେ ଲୋକଜଣକ ମେସରେ କହିଦେଇ ଯାଇଥିଲା କି କ'ଣ, ସନା ଗାଧୁଆପାଧୁଆ ସାରି ଆସିଲା ବେଳକୁ ଖାଇବା ଆସି ଯାଇଥିଲା। ପରଦିନ ସକାଳୁ ସନାକୁ ଆସି ଗାଡିରେ ନେଇଗଲେ। ସନାର ଶିକ୍ଷାଗତ ଯୋଗ୍ୟତା ଦେଖି ତାକୁ ଅଫିସରେ କନିଷ୍ଠ କିରାଣୀ କାମ କରିବା ପାଇଁ କୁହାଗଲା। ସନାର କାର୍ଯ୍ୟଦକ୍ଷତା ଆଉ ନିଷ୍ଠା ଦେଖି କାରଖାନା କର୍ତ୍ତୃପକ୍ଷ ତାକୁ ରହିବା ପାଇଁ ଘର ଦେବା ସହ ଦରମା ବୃଦ୍ଧି ଓ ପଦବୀରେ ଉନ୍ନତି ଦେଇଥିଲେ। ତା'ପରଠୁ ସନାର ଭାଗ୍ୟ ଖୋଲିଯାଇଥିଲା। ମାଆ ପାଖକୁ ରୀତିମତ ଭଲରକମର ପଇସା ପଠେଇ ପାରୁଥିଲା। ତଥାପି ମନରେ କୋଉଠି ନା କୋଉଠି ଅବଶୋଷ ରହିଯାଉଥିଲା। 

ସନା ଭାବୁଥିଲା ତା ମାଆକୁ ସିଏ ସୁଖରେ ରଖିଛି। କାର୍ଯ୍ୟବ୍ୟସ୍ତତା ଆଉ ପଦୋନ୍ନତିର ପାହାଚ ଚଢିବାର ନିଶା ସନାକୁ କବଳିତ କରି ସାରିଥିଲା। ପାଞ୍ଚବର୍ଷ ହେଲାଣି ସିଏ ଦିଲ୍ଲୀକୁ ଆସିଲାଣି। ଏ ଭିତରେ ଥରେ ହେଲେ ବି ଘରକୁ ଯାଇନି। ଆଖପାଖ ଗାଁର ଲୋକମାନେ ସବୁବର୍ଷ ଅନ୍ତତଃ ଥରେ କି ଦୁଇଥର ଘରକୁ ଯାଉଥିଲା ବେଳେ ସନା ଥରେ ବି ଯାଇନି। ସେମାନଙ୍କଠୁ ସନା ଶୁଣେ, ମାଆ ଘର ଖଣ୍ଡେ କରିଛି। ପକ୍କା ଘର। ଛାତ ପଡିଛି। ବିଜୁଳି ବି ନେଇଛି। ମୋଟ ଉପରେ ମାଆ ତାର ଭଲରେ ଅଛି। ଆଉ ମାଆକୁ କାମ କରିବାକୁ ପଡୁ ନଥିବ ବୋଲି ମନେମନେ ସନା ଭାବି ନେଇଥିଲା। ସିଏ ତ ଏବେ ସନାରୁ ସନାତନ ହେଇଗଲାଣି। ତା ମାଆ ପୁଣି ପରଘରେ କାମ କରିବ?

ଘର ଛାଡି ଆସିଲା ସମୟରେ ମାଆ କହିଥିଲା ବାତିନି ଦେବାକୁ। କିନ୍ତୁ ସନାତନ ବାବୁ ସେତକ ବି କରିନାହାନ୍ତି। ଘରେ ଥିବା ସମୟରେ ମାଆ ନିଜର ଛୁଆଙ୍କ ପାଇଁ କେତେ ତ୍ୟାଗ କରେ ସେକଥା ବହିରୁ ପଢି ମାଆକୁ ପଚାରେ। ମାଆ କିଛି କହେନି, ଖାଲି ମୁରୁକି ହସିଦେଇ ତା ବେଣ୍ଡି ପଡିଥିବା ହାତରେ ଆଉଁସି ଦିଏ।। କହେ, 'ଧନରେ, ତୁ ଯେତେବେଳେ ବାପଟିଏ ହେବୁ, ସେତେବେଳେ ଯାଇ ଜାଣିବୁ।' ଛୋଟିଆ ସନା ବୁଝିପାରେନି ମାଆର କଥାର ଗୁଢତତ୍ତ୍ବ। ଆବାକାବା ହେଇ ଚାହିଁ ରହେ। କୁଣ୍ଡାପିଠା ଖାଉଥିବା ଲୋକ ମଣ୍ଡାପିଠା କଥା କାହୁଁ ଜାଣିବ। ଏବେବି ସନାତନ ବୁଝିପାରେନି ମାଆର ସେଇ କଥା ପଦକ।

ଏବେ ଚାରିଆଡେ ମହାମାରୀ ବ୍ୟାପିଛି। ଦିଲ୍ଲୀରେ ତ ବେଶି ଭୟଙ୍କର। ଚାରିଆଡେ ମରଣର ତାଣ୍ଡବ। ସମସ୍ତେ ଆଶଙ୍କାଗ୍ରସ୍ତ, ତ୍ରସ୍ତ। ସମସ୍ତେ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଦିଲ୍ଲୀରେ ପ୍ରାୟ ସବୁ ଛୋଟମୋଟ କାରଖାନା ବନ୍ଦ ହେଇ ସାରିଲାଣି। କାମ କରୁଥିବା ମଜୁରିଆମାନେ ବିକଳ ହେଇ ନିଜ ନିଜର ଜନ୍ମ ମାଟିକୁ ଫେରୁଛନ୍ତି। ଷ୍ଟେସନ, ବସଷ୍ଟାଣ୍ଡ ସବୁଠି ଅସମ୍ଭବ ଭିଡ। ସନାତନର କାରଖାନାକୁ ବି ବନ୍ଦ କରି ଦିଆଗଲା। ଟିଭିରେ ସନାତନ ଓଡ଼ିଶାର ଖବର ଦେଖେ। ତା ଜିଲ୍ଲାଟା ଏବେ ରେଡଜୋନ ଘୋଷଣା ହେଇଛି। ସନାତନ ମାଆ କଥା ଭାବୁଥିଲା। ମାଆ କେମିତି ଥିବ, ମାସ୍କ ପିନ୍ଧୁଥିବ କି ନାହିଁ, ଯଦି ତା ଗାଁ କଣ୍ଟେନମେଣ୍ଟ ଜୋନ୍ ହେଇଥିବ, ତେବେ ମାଆ କେମିତି କ'ଣ କରୁଛି, କ'ଣ ଖାଉଛି।ଏମିତି ଅନେକ ପ୍ରଶ୍ନ ସନାତନକୁ ବ୍ୟସ୍ତ ବିବ୍ରତ କରୁଥିଲା। ଗଲା ପାଞ୍ଚବର୍ଷ ଭିତରେ ଥରେ ହେଲେ ବି ଗାଁକୁ ଯାଇନଥିବା ସନାତନ ଏବେ ଗାଁକୁ ଯିବା ପାଇଁ ବ୍ୟସ୍ତ। କିନ୍ତୁ କୌଣସି ଟ୍ରେନରେ ଗୋଟେ ଟିକେଟ ମିଳିଲାନି। କୌଣସିମତେ ଅଧିକ ଟଙ୍କା ଦେଇ ଟିକେଟ ଯୋଗାଡ କରି ସନାତନ ରେଳରେ ବସିଲା। ଆସନ ସଂରକ୍ଷିତ ହୋଇଥିଲା, ତଥାପି ଏତେ ଭିଡ ଯେ ଖାଲି ବସିବା ବ୍ୟତୀତ ଓଡିଶାରେ ପହଞ୍ଚିଲା ପର୍ଯ୍ୟନ୍ତ ଆଖି ବନ୍ଦ କରିବା ପାଇଁ ସୁଯୋଗ ମିଳିଲା ନାହିଁ। ଯାହାହେଉ, ଅନେକ ଅସୁବିଧା ସତ୍ତ୍ୱେ ସନାତନ ଗାଁରେ ପହଞ୍ଚିଲା।

ଗାଁରେ ଅନେକ ପରିବର୍ତ୍ତନ। ଏଇ ପାଞ୍ଚ ବର୍ଷ ଭିତରେ ଅନେକ ଚାଳଘର ଉଭାନ ହେଇଯାଇଛନ୍ତି ଆଉ ତା ଜାଗାରେ ଛାତପକା କୋଠାଘର ନହେଲେ ଆଜବେଷ୍ଟସ ଘର। ସିଜୁ କଞ୍ଚାବାଡ କି କରଡା ଅବା ବାଉଁଶ ଝଟାର ବାଡ ସବୁ ବଦଳି ଯାଇଛି। ପଥରର ପାଚେରୀ ଅଧିକାଂଶ ଘରକୁ ଘେରି ଗଲାଣି। ସମସ୍ତେ ନିଜ ନିଜର ଦୁନିଆରେ ଆବଦ୍ଧ। ଆଉ ପଙ୍କ ଭାଉଜଙ୍କ କୁନି ଝିଅକୁ ଜର ହେଲେ ଉମା ମାଉସୀକୁ ଜଣା ପଡୁନି। ଏଇ ପଥର ପାଚେରୀ ବୋଧେ ସେଥିରେ ପ୍ରତିବନ୍ଧକ ହେଇଯାଇଛି। ସଞ୍ଜବେଳେ ବାଡ ସେପଟର ହେନାଫୁଲର ଭୁରୁଭୁରୁ ବାସ୍ନା ଆଉ ପଥର ପାଚେରୀ ଡେଇଁ ପାରୁନି। ଉପର ସାହି ଡେଇଁଗଲାବେଳେ ସନାତନ ଲକ୍ଷ୍ୟ କରୁଥାଏ, ନିଧି ଅଜା, ଯିଏକି ସବୁ ଗଲା ଆସିଲା ଲୋକଙ୍କୁ ଦି'ପଦ ପଚାରନ୍ତି, ସିଏ ବି ପାଚେରୀ କଣରୁ ବଡ ବିକଳ ଆଖିରେ ଚାହିଁରହିଥିଲେ। ସନିଆ ଦିଲ୍ଲୀରୁ ଆସିଛି। ସେଠି କୁଆଡେ ଏ ବେମାରୀଟା ଭାରି ଭୟଙ୍କର ଭାବେ ବ୍ୟାପିଛି। ଲୋକ କୁଆଡେ ପୋକମାଛି ଭଳି ମରୁଛନ୍ତି। ମଶାଣିରେ ଜାଗା ମିଳୁନି। ଆଗରୁ ବୁଢା ଏସବୁକୁ ଫୁତ୍କାରରେ ଉଡେଇ ଦେଉଥିଲା। 'ହୁଃ, ଏମିତି କ'ଣ ସମ୍ଭବ? ସେଠି ଏତେ ବଡବଡ ଡାକ୍ତର, କେତେ ଭଲଭଲ ଡାକ୍ତରଖାନା, ସବୁ କ'ଣ ବେକାର?' ତଥାପି ବୁଢା ବିଶ୍ୱାସ କରିବାକୁ ବାଧ୍ୟ ହୋଇଥିଲା। ତା ନାତି କହିଛି ପରା। ନାତିକୁ ବୁଢାର ଭାରି ବିଶ୍ୱାସ। ବୁଢା ତରକମରକ ହେଇ ସନିଆକୁ ଦେଖୁଥିଲା। 'ଅଜା, ଜୁହାର।' ସନିଆର ଏଇ ପଦକ କଥାରେ ବୁଢା ଆହୁରି ଡରିଗଲା। କାଳେ ସନିଆ ଦିଲ୍ଲୀରୁ ସେ ବେମାରୀଟାକୁ ବୋହି ଆଣିଥିବ ଆଉ ସେଇଟା ତାକୁ ଡେଇଁବ। ପ୍ରାଣକୁ ଭାରି ଲୋଭ। ସେଇ ପାଚେରୀ ଭିତରେ ଥାଇ 'ବୁଢାଟିଏ ହେଇଥା' କହିଦେଇ ନସରପସର ହେଇ ବୁଢା ଘର ଭିତରକୁ ପଶିଗଲା। 

ଗାଁ ଦାଣ୍ଡଟା ଖାଁ ଖାଁ। ଆଉ କୋଠଘର ପିଣ୍ଡାରେ ତାସ ପଶାର ଆସର ନାହିଁ। ଖବରକାଗଜରେ ଛପା ଖବରର ତର୍ଜମା ହେଉନାହିଁ। ଶ୍ୟାମ ମାଷ୍ଟ୍ରେ ଆଉ ଚାହାଳୀ ଖୋଲୁ ନାହାନ୍ତି। ସବୁକିଛି ବଦଳି ଯାଇଛି। ସନାତନ ଆପଣା ଘର ସାମ୍ନାରେ ପହଞ୍ଚିଲା। ତା ଚାଳଛପର ଘର ଆଗରେ ଥିବା ଅଗଣା ଆଉ ନାହିଁ। ନାହିଁ ସେଠି କଲମୀ ଆମ୍ବ ଗଛ କି ବାଡରେ ଜହ୍ନି ଲଟା। ସେଠି ଗୋଟେ କୋଠଘର ଠିଆ ହେଇଛି। ଘରଟାରେ ପୁଣି ତାଲା। ସନାତନ ସନ୍ଦେହରେ ପଡିଗଲା। ସତରେ ଏଇଟା ତା ଘର ତ! ଛୋଟ ଛୁଆଟିଏ ଯାଉଥିଲା, ଏଇ ଏଗାର କି ବାର ବର୍ଷର। ସନା ତାକୁ 'ଏଇଟା କାହା ଘର' ବୋଲି ପଚାରିବାରୁ 'ସନା ମା ଆଈର' କହି ପିଲାଟି ଏକରକମ ଦୌଡି ପଳେଇଲା। ସନାତନର ସନ୍ଦେହ ଦୂରେଇ ଯାଇଥିଲା। ଶେଷରେ ତା ଚାଳଛପର ଘରଟା ବି ଆଧୁନିକତାର ହାଓ୍ବାରେ କାୟା ପରିବର୍ତ୍ତନ କରିଛି। 

ପାଚେରୀ ଆଉ ଘରର କାନ୍ଥ ପାଖେ ପାଖେ ଗଳି ଭଳି ଅଣଓସାରିଆ ବାଟଦେଇ ସନାତନ ଆଗକୁ ବଢିଲା। ପଛରେ ସେଇ ପରିଚିତ ଚାଳଛପର ଘରଟାକୁ ଆବିଷ୍କାର କରି ସନାତନର ସବୁ ଆଶଙ୍କା ଆଉ ସନ୍ଦେହ ଦୂର ହେଇଗଲା। ସନାତନ ଘର ଭିତରକୁ ପଶିଲା। ଘରର ଗୋଟେ କଣରେ ମାଆ ଘୋଡେଇ ହେଇ ଶୋଇଛି। ପୁଅ ଆସିଛି ବୋଲି ସିଏ ଜାଣନି। ସନା ଆଗରୁ ଖବର ଦେଇ ନଥିଲା। ସନାମା ଚଦର ଭିତରେ ଥାଇ ପଚାରୁଥାଏ, 'କିଏ, ସୁମି କିଲୋ। ମୁନ୍ଦେ ପାଣି ଦେଲୁ। ଏ ନିଆଁଲଗା ଜରଟା ଜମା ଛାଡୁନି। ଭାରି ଶୋଷ ଲାଗୁଛି।', ପଡୋଶୀ ମାଧଦାଦାଙ୍କ ଝିଅ ସୁମି। ବେଳ ଅବେଳରେ ସନାମା କାମରେ ଟିକେ ହାତ ଲଗେଇ ଦିଏ।

'ବୋଉ, ମୁଁ ସନିଆ। ଉଠୁନୁ। କ'ଣ ଦେହ ଭଲ ନାହିଁ କି?' ସନାମା କୁନ୍ଥେଇ କୁନ୍ଥେଇ ଉଠିବାକୁ ଚେଷ୍ଟା କରି ଅସମର୍ଥ ହେଲା। ସନା ମାଆ ଦେହରେ ହାତ ବୁଲେଇ ଆଣିଲା। ଜରରେ ଖଇ ଫୁଟୁଛି। ସନା ଜାଣିଛି, ଏଟା ଦିଲ୍ଲୀ ନୁହେଁ ଯେ ଫୋନ କଲେ ଆମ୍ବୁଲାନ୍ସ ଆସିଯିବ। ମାଆକୁ ଡାକ୍ତରଖାନା ନେବାକୁ ହେବ। ସନା ବାହାରି ଗଲା। କାହାକୁ ହେଲେ ଡାକି ଅଟୋରିକ୍ସା ଆଣିବା ପାଇଁ କହିବ। ହେଲେ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବୁଲିଆସିଲା, କେହି ଜଣେ ହେଲେ ବାହାରିଲେନି। ବରଂ ତାକୁ ଦେଖି ସମସ୍ତେ ଲୁଚିଲେ। ସିଏ ଦିଲ୍ଲୀ ଫେରନ୍ତା, କାଳେ ସେ ବେମାରୀଟାକୁ ସାଙ୍ଗରେ ଆଣିଥିବ। ପୁଣି ସନାମାକୁ ଜର, କାଳେ ସେଇ ବେମାରୀଟା ହେଇଥିବ। ଉପାୟଶୂନ୍ୟ ହେଇ ସନା ଫେରିଲା। ମାଆ ଶୋଇଛି। ସନା ମାଆ ପାଖରେ ବସିଲା। ମୁଣ୍ଡକୁ ଆଉଁସିଲା। ମାଆ ମୁଣ୍ଡଟା ଅସମ୍ଭବ ଭାବେ ଥଣ୍ଡା। ଜର ଛାଡିଗଲା ବୋଧେ। ଗୋଡହାତରେ ହାତ ମାରିଲା। ପୁରା ବରଫ। ମାଆ ଆଉ କଥା କହୁନି। 'ମାଆ' 'ମାଆ' ବୋଲି ସନା ବଡପାଟିରେ ଡାକିଲା। କିଛି ବି ଉତ୍ତର ନାହିଁ। ମରଣ ସମ୍ପର୍କରେ ଅନଭିଜ୍ଞ ସନା ଏତେ ଶୀଘ୍ର ବିଶ୍ୱାସ କରିପାରୁନଥିଲା ଯେ ମାଆ ଆଉ ନାହିଁ ବୋଲି। ମରଣର କଟୁ ସତ୍ୟକୁ ଏତେ ପାଖରୁ ଦେଖିବା ତା ଜୀବନରେ ପ୍ରଥମ।

ଏକୁଟିଆ ମାଆକୁ କାନ୍ଧରେ ଉଠେଇ ଚାଲିଲା ଗାଁ ମୁଣ୍ଡ ମଶାଣି ଆଡକୁ। ନିଜେ ଜୁଇ ସଜାଡି ମାଆକୁ ଶୁଏଇ ଦେଇ ନିଆଁ ଲଗେଇ ଦେଲା। ଶବଟା ପୁରା ପୋଡିବା ଆଗରୁ ସନା ଗାଁକୁ ଫେରିଆସିଲା। ସନାତନ ଅନୁଭବ କରୁଥିଲା, ଆଧୁନିକତାର ମାଡରେ ଆଉ ମହାମାରୀର ଡରରେ ମଣିଷର ମଣଷପଣିଆଟା ଆତ୍ମହତ୍ୟା କରି ସାରିଛି। ସନାତନ ଏବେ ମୋହମାୟା ରହିତ ହେଇଯାଇଛି। ନା ଏ ଘରର ମୋହ ନା ଗାଁର ମାୟା, କେହି ତାକୁ ବାନ୍ଧି ରଖିବା ପାଇଁ ସମର୍ଥ ନୁହେଁ। ଯେମିତି ଆସିଥିଲା, ସେଇମିତି ଫେରିଲା। 

ସେଇ ଆଜିକୁ ଦଶନ୍ଧି ପାର ହେଇଗଲାଣି, ହେଲେ ଦିନଠୁ ସନାକୁ ଆଉ କେହି ଦେଖିନାହିଁ। 


Rate this content
Log in