Arjuni charan Behera

Others

4  

Arjuni charan Behera

Others

ମହାଭାରତର ମହାଯୋଦ୍ଧା ବର୍ବରୀକ

ମହାଭାରତର ମହାଯୋଦ୍ଧା ବର୍ବରୀକ

6 mins
324


 ପ୍ରଳୟଙ୍କରୀ ମହାଭାରତ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥାଏ l କୌରବ ଓ ପାଣ୍ଡଵ ପକ୍ଷର ଯୋଦ୍ଧା ମାନେ ପ୍ରସ୍ତୁତ, ଯୁଦ୍ଧ ଭୂମି ପ୍ରସ୍ତୁତ, ହାତୀ ଘୋଡ଼ା ପ୍ରସ୍ତୁତ l ମହାନାୟକ ଶ୍ରୀକୃଷ୍ଣ ଯୁଦ୍ଧଭୂମିରେ ବୁଲି ନୀରିକ୍ଷଣ କରୁଥାନ୍ତି ଯୁଦ୍ଧର ଏହି ପ୍ରସ୍ତୁତି ପର୍ବକୁ l ହଠାତ୍ ସେ ଯୋଦ୍ଧାମାନଙ୍କ ଗହଣକୁ ପଶିଯାଇ ସମବେତ ଯୋଦ୍ଧୃଵୁନ୍ଦଙ୍କୁ ପ୍ରଶ୍ନ କଲେ କେଉଁ ବୀର କେତେ ଦିନ ମଧ୍ୟରେ ଏକାକୀ ଲଢ଼ି ଏହି ଯୁଦ୍ଧକୁ ସମାପ୍ତ କରିଦେଇ ପାରିବ l

କୌରବ ସେନାରୁ ଭୀଷ୍ମ ବାହାରି କହିଲେ, ସେ ଏହାକୁ କୋଡ଼ିଏ ଦିନରେ ସମାପ୍ତ କରି ଦେବେ l ଦ୍ରୋଣାଚାର୍ଯ୍ୟ କହିଲେ ପଚିଶଦିନ, କର୍ଣ୍ଣ କହିଲେ ଚବିଶ ଦିନ l ପାଣ୍ଡଵ ସେନାରୁ ମହାବୀର ଅର୍ଜୁନ ବାହାରି କହିଲେ, ମୁଁ ଏହାକୁ ଅଠେଇଶି ଦିନରେ ଶେଷ କରିଦେବି l 

ମହାଭାରତ ଯୁଦ୍ଧ ଦେଖି ଆସି ଥାଏ ବାଳକଟିଏ l ନାମ ତାର ବର୍ବରୀକ l ସେ ମହାବଳୀ ଭୀମଙ୍କର ନାତି ତଥା ଭୀମ ପୁତ୍ର ଘଟୋତ୍କଚ ଓ ମୌରଭିଙ୍କ ପୁତ୍ର l

ବାଲ୍ୟ କାଳରେ ମାତାଙ୍କ ଠାରୁ ସେ ସମସ୍ତ ଶସ୍ତ୍ର ବିଦ୍ୟା ଶିକ୍ଷାକରି ପାରଙ୍ଗମ ହୋଇଥିଲା l ଯେତେ ବେଳେ ଶୁଣିଲା ସେ ମହାଭାରତ ଯୁଦ୍ଧକଥା,କାଳ ବିଳମ୍ବ ନକରି ବାହାରି ପଡ଼ିଲା ସେ ଯୁଦ୍ଧ ଦେଖିବା ପାଇଁ l ତାକୁ ମାଆ ଯେତେ ବୁଝାଇଲେ ମଧ୍ୟ ସେ ମାନିଲା ନାହିଁ l ଯୁଦ୍ଧକୁ ଆସିଲା ବେଳେ ମାଆଙ୍କୁ କହି ଆସିଲା, ଯଦି ଆବଶ୍ୟକ ପଡ଼େ, ତେବେ ମୁଁ ମଧ୍ୟ ଏହି ଯୁଦ୍ଧରେ ଭାଗ ନେବି l ଯୁଦ୍ଧରେ ଦୁର୍ବଳ ହୋଇ ପଡ଼ୁଥିବା ସେନାର ପକ୍ଷ ନେଇ ହିଁ ମୁଁ ଯୁଦ୍ଧ କରିବି l ସେ ମହାଦେବଙ୍କର ପରମ ଭକ୍ତ ଥିଲା l ତପସ୍ୟାରେ ସନ୍ତୁଷ୍ଟ କରି ମହାଦେବଙ୍କ ଠାରୁ ତିନି ଗୋଟି ଅମୋଘ ବାଣ ପ୍ରାପ୍ତ ହୋଇଥିଲା l ଅଗ୍ନିଙ୍କ ଠାରୁ ମଧ୍ୟ ଗୋଟିଏ ଅପରାଜେୟ ଧନୁ ସେ ପ୍ରାପ୍ତ ହୋଇଥିଲା l

ଭଗବାନ ଶ୍ରୀକୃଷ୍ଣଙ୍କୁ ବର୍ବରୀକର ଶକ୍ତି ବିଷୟରେ ମାଲୁମ ଥିଲା, ସେ କୁରୁକ୍ଷେତ୍ରରେ ଆସି ପହଞ୍ଚିଛି, ଏକଥା ଶ୍ରୀକୃଷ୍ଣ ଜାଣିପାରିଲେ l ବର୍ବରୀକର ଶକ୍ତି ପରୀକ୍ଷାପାଇଁ ପ୍ରଭୁ ଜଣେ ବ୍ରାହ୍ମଣ ବେଶରେ ଯାଇ ତା' ନିକଟରେ ପହଞ୍ଚି ଅନ୍ୟ ମାନଙ୍କୁ ପଚାରିଥିବା ସେହି ଏକା ପ୍ରଶ୍ନ ପଚାରିଲେ l ଉତ୍ତରଦେଇ ବୀର ବାଳକ ବର୍ବରୀକ କହିଲା, ଏହି ଯୁଦ୍ଧକୁ ନିମିଷକ ମଧ୍ୟରେ ମୁଁ ସମାପ୍ତ କରି ଦେବି l

ଛଦ୍ମବେଶୀ ଶ୍ରୀକୃଷ୍ଣ କହିଲେ, ଆରେ ତୁ ତ ଜଣେ ସାମାନ୍ୟ ବାଳକ ମାତ୍ର l କିପରି ଏଭଳି ଅସମ୍ଭବ କଥା କହୁଛୁ l ବର୍ବରୀକ କହିଲା, ମୋ ନିକଟରେ ତିନୋଟି ଅଵ୍ୟର୍ଥ ତୀର ଅଛି,ତନ୍ମଧ୍ୟରୁ ଗୋଟିଏର ପ୍ରୟୋଗ,ଏ ଯୁଦ୍ଧର ପରିସମାପ୍ତି ପାଇଁ ଯଥେଷ୍ଟ l

ସେ ପୁଣି କହିଲା,ଏହି ଶରମାନଙ୍କ ମଧ୍ୟରୁ ପ୍ରଥମ ଶରକୁ ମୁଁ ବ୍ୟବହାର କରେ ଯାହାକୁ ଧ୍ୱଂସକରିବା ପାଇଁ ମୁଁ ଚାହୁଁଥାଏ ତାହା ବିରୁଦ୍ଧରେ l ଦ୍ୱିତୀୟଟି ଯାହାକୁ ରକ୍ଷା କରିବାକୁ ଚାହୁଁଥାଏ, ତୃତୀୟ ଶର ପ୍ରଥମ ଦୁଇ ଶର ଚିହ୍ନଟ ନ କରିଥିବା ସବୁ ଜିନିଷ ଧ୍ୱଂସ କରିବା ପାଇଁ ସମର୍ଥ l ଏବଂ ସେହି ତୀରଟି ତା'ର କାର୍ଯ୍ୟ ସାରି ମୋ ତୁଣୀରକୁ ଫେରିଆସିବ l ଶ୍ରୀକୃଷ୍ଣ କହିଲେ ତା ହେଲେ ଦେଖା ତୋର କାଢ଼ ପଣିଆଁ, ଆମେ ଏବେ ଯେଉଁ ଅଶ୍ୱତ୍ଥ ବୃକ୍ଷ ତଳେ ଛିଡ଼ା ହୋଇଛନ୍ତି ତାର ପତ୍ର ସବୁକୁ ତୋର ବାଣ ସାହାଯ୍ୟରେ ବାନ୍ଧିଦେଲୁ ଦେଖିବା !!!

ଏହା ଶୁଣି ବର୍ବରୀକ ତାର ଆଖି ବନ୍ଦ କଲା ଏବଂ ଧ୍ୟାନକରି ଧନୁରେ ତୀରଟିଏ ଯୋଖି ଛାଡ଼ିଦେଲା l ଏହି ମୁହୂର୍ତ୍ତରେ ଶ୍ରୀକୃଷ୍ଣ ଗୋଟିଏ ପତ୍ରକୁ ଛିଡ଼ାଇ ପାଦ ତଳେ ଚାପି ରଖିଲେ l ବର୍ବରୀକ ଛାଡ଼ିଥିବା ତୀର ଯାଇ ସମସ୍ତ ପତ୍ରକୁ ଛୁଇଁ ଆସି, ଶ୍ରୀକୃଷ୍ଣଙ୍କ ପାଦ ଉପରେ ଘୂର୍ଣ୍ଣନ କରିବାକୁ ଲାଗିଲା l ଏହାର ରହସ୍ୟ କଣ ବୋଲି ଶ୍ରୀକୃଷ୍ଣ ପଚାରିବାରୁ ବାଳକ ବର୍ବରୀକ କହିଲା, ଆପଣଙ୍କ ପାଦ ତଳେ ନିଶ୍ଚୟ ଗୋଟିଏ ପତ୍ର ରହିଛି l ଆପଣ ପାଦ ଉଠାନ୍ତୁ, ନ ହେଲେ ମୋର ତୀର ଆପଣଙ୍କ ପାଦ ଭେଦ କରି ଯିବ l ଶ୍ରୀକୃଷ୍ଣଙ୍କର ବର୍ବରୀକର ଶକ୍ତି ବିଷୟରେ ଆଉ କୌଣସି ସନ୍ଦେହ ରହିଲା ନାହିଁ l 

ଶ୍ରୀକୃଷ୍ଣ ଚିନ୍ତା କଲେ, ଆରେ ଏ ବାଳକ ତ ମୋର ସବୁ ଯୋଜନା ପଣ୍ଡ କରି ଦେବ l ଅଠର ଦିନର ମହାଭାରତ ଯୁଦ୍ଧ ଆଉ କ'ଣ ହେବ ! ଇଏ ଯଦି ପୁଣି ପାଣ୍ଡଵମାନଙ୍କ ବିରୁଦ୍ଧରେ ଲଢ଼ିଲା,ତେବେ ତ କଥା ସରିଲା l ଶ୍ରୀକୃଷ୍ଣ ତାକୁ ପଚାରିଲେ, ହେ ବୀର ବାଳକ,ତେବେ କୁହ ତୁମେ କେଉଁ ପକ୍ଷରେ ଯୁଦ୍ଧ କରିବା ପାଇଁ ଆସିଛ l ସେ କହିଲା,ମୁଁ ମୋ ମାଆଙ୍କୁ କଥା ଦେଇ ଆସିଛି ଯେ ଯୁଦ୍ଧରେ ଯେଉଁ ପକ୍ଷ ଦୁର୍ବଳ ହୋଇ ପଡ଼ୁଥିବ, ମୁଁ ସେହି ପକ୍ଷରେ ରହି ଲଢ଼ିବି l ମୁଁ ଦେଖୁଛି ସଂଖ୍ୟା ଦୃଷ୍ଟିରୁ ପାଣ୍ଡଵମାନେ ହିଁ ଦୁର୍ବଳ, ଏଣୁ ମୁଁ ତାଙ୍କ ପକ୍ଷରୁ ଲଢ଼େଇ କରିବି l

ଶ୍ରୀକୃଷ୍ଣ ତାଙ୍କ ବାକ୍ ଚାତୁରୀରେ କହିଲେ, ଦେଖ ବାଳକ ମୁଁ ଦେଖୁଛି ତୁମେ ଯାହା ପକ୍ଷରେ ରହିବ ସେ ନିଶ୍ଚିନ୍ତ ଯୁଦ୍ଧ ଜିଣିବ l ତୁମେ ପାଣ୍ଡଵମାନଙ୍କ ପକ୍ଷରେ ରହିଲେ କୌରବ ମାନେ ହାରିବେ ଏବଂ କୌରବମାନଙ୍କ ପକ୍ଷରେ ରହିଲେ ପାଣ୍ଡଵମାନେ ହାରିବେ, କିନ୍ତୁ ସମସ୍ୟା ହେଲା ଧରା ଯାଉ,ତୁମେ ପାଣ୍ଡଵ ପକ୍ଷରେ ରହିଲେ କୌରବ ମାନେ ନିଶ୍ଚୟ ଦୁର୍ବଳ ହୋଇ ପଡ଼ିବେ l ତୁମର କଥା ଅନୁସାରେ ପୁଣି ତୁମକୁ ପକ୍ଷ ପରିବର୍ତ୍ତନ କରିବାକୁ ପଡ଼ିବ ଓ ପାଣ୍ଡଵମାନେ ଦୁର୍ବଳ ହୋଇ ପଡ଼ିଲେ ପୁଣି ତୁମକୁ ତାଙ୍କର ପକ୍ଷ ନେବାକୁ ପଡ଼ିବ l କଅଣ ବାରମ୍ବାର ତୁମେ ଏହିଭଳି ପଟ ପରିବର୍ତ୍ତନ କରୁଥିବ l ଯଦି ଏଭଳି କର,ତେବେ କୌଣସି ପକ୍ଷ ଏ ଯୁଦ୍ଧ ଜୟ କରି ପାରିବେ ନାହିଁ l ଫଳତଃ ସବୁ ଯୋଦ୍ଧା ରଣ ଭୂମିରେ ପ୍ରାଣପାତ କରିବେ,ତୁମେ କେବଳ ଏକା ବଞ୍ଚି ରହିବ l ଏଭଳି ଯୁଦ୍ଧରେ ଲାଭ କ'ଣ l ହଉ ବୀର ବାଳକ,ଯାହା ତୁମର ଇଚ୍ଛା ! ମୁଁ ବ୍ରହ୍ମଚାରୀ, ସେଥିରେ ମୋର ଯାଏ ଆସେ କଅଣ,କିଛି ଦାନ ଦକ୍ଷିଣା ପାଇଲେ ଆମ୍ଭେ ସନ୍ତୁଷ୍ଟ l

ଦାନ କଥା ଶୁଣି ବର୍ବରୀକ କହିଲା, ହେ ବ୍ରାହ୍ମଣ ଦେବତା,ଆପଣ ଯାହା ଦାନ ଇଚ୍ଛା କରନ୍ତି ତାହା ମାଗି ପାରନ୍ତି, ତ୍ରିବାର ସତ୍ୟକରି କହୁଛି ତାହା ମୁଁ ନିଶ୍ଚୟ ପୂରଣ କରିବି l ଛଦ୍ମବେଶି କୃଷ୍ଣ କହିଲେ, ମୋର ଛୋଟ ଦାନଟିଏ ଦରକାର ତାହା ତୋ'ର ମସ୍ତକ l ଏହା ଦେଇପାରିବୁ ତ ଦେ ନହେଲେ ମୁଁ ଚାଲିଲି l ବର୍ବରୀକ ଆଶ୍ଚର୍ଯ୍ୟହୋଇ ଭାବିଲା ଇଏ ସାମାନ୍ୟ ବ୍ରାହ୍ମଣ ନୁହଁନ୍ତି, ଛଦ୍ମ ବେଶରେ ନିଶ୍ଚୟ କୌଣସି ଦେବତା l ସେ ଶ୍ରୀକୃଷ୍ଣଙ୍କୁ କହିଲା, ହେ ଭଗବନ ! ଆପଣ କିଏ କୁହନ୍ତୁ l ଆପଣ ମୋର ପରୀକ୍ଷା ନେବାକୁ ଆସି ଥିବା କୌଣସି ଦେବତା ନୁହଁନ୍ତି ତ ? ବର୍ବରୀକକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ବିଶ୍ୱରୂପ ଦେଖାଇ ତାର ସମସ୍ତ ସନ୍ଦେହ ମୋଚନ କଲେ l କୁହାଯାଏ ବର୍ବରୀକ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏ ଅର୍ଜୁନଙ୍କ ପରେ ଭଗବାନଙ୍କର ବିଶ୍ୱ ରୂପ ଦର୍ଶନ କରିଥିଲେ l

ଭଗବାନଙ୍କର ସେହି ଦିବ୍ୟ ରୂପ ଦେଖି ବର୍ବରୀକ ତାର ଶିର କର୍ତ୍ତନ କରି ଭଗବାନଙ୍କୁ ଅର୍ପଣ ପାଇଁ ପ୍ରସ୍ତୁତ ହୋଇଗଲା l ସେ ଭଗବାନଙ୍କୁ କହିଲା,ମୁଁ ମୋର ଶିର ଦେବା ପାଇଁ ପ୍ରସ୍ତୁତ, କିନ୍ତୁ ମୋର ବଡ଼ ଅଭିଳାଷ ଥିଲା ଏହି ଯୁଦ୍ଧରେ ନିଜେ ଯୁଦ୍ଧ କରିବି, ତାହା ତ ଆଉ ସମ୍ଭବ ନୁହେଁ l କିନ୍ତୁ ମୋତେ ଏହି ଅନୁଗ୍ରହ କରନ୍ତୁ, ଯେପରି ଯୁଦ୍ଧକୁ ସମ୍ପୂର୍ଣ୍ଣ ରୂପେ ମୁଁ ଦେଖିପାରିବି l ଶ୍ରୀକୃଷ୍ଣ କହିଲେ ତାହା ହିଁ ହେବ l ଏହାପରେ ବର୍ବରୀକ ତାହାର ଶିର ଛେଦନ କରି ଶ୍ରୀକୃଷ୍ଣଙ୍କ ହାତରେ ଅର୍ପଣ କଲେ l ବର୍ବରୀକର ମୁଣ୍ଡକୁ ନେଇ ଭଗବାନ କୁରୁକ୍ଷେତ୍ର ରଣାଙ୍ଗନରେ ଥିବା ଏକ ପର୍ବତ ଶିଖରରେ ସ୍ଥାପନକଲେ ଯେଉଁ ଠାରୁ ସମ୍ପୂର୍ଣ୍ଣ ଅଠର ଦିନର ମହାଭାରତ ଯୁଦ୍ଧକୁ ବର୍ବରୀକ ଅବଲୋକନ କରିଥିଲେ l

ମହାଭାରତ ଯୁଦ୍ଧ ଶେଷ ହୋଇଗଲା l ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଦିନେ ପାଣ୍ଡଵମାନେ ବସି ଆଲୋଚନା କରୁଥାନ୍ତି କାହା ପାଇଁ ଆମେ ଏ ଯୁଦ୍ଧ ଜୟ କଲୁ l ଭୀମ, ଅର୍ଜୁନ ନିଜ ନିଜର ବଢ଼େଇ କରୁଥାନ୍ତି,କିନ୍ତୁ ଏହା କିଏ କହିବ ? ସମସ୍ତଙ୍କର ତ ଏହି ଯୁଦ୍ଧରେ ଅବଦାନ ରହିଛି l ଶ୍ରୀକୃଷ୍ଣ ଟିକେ ମୃଦୁ ହାସ୍ୟ କରି କହିଲେ,ମୁଁ ଦେଖୁଛି,ଏହାର ଉତ୍ତର ମହାଭାରତ ଯୁଦ୍ଧକୁ ସମ୍ପୂର୍ଣ୍ଣ ଦେଖି ଥିବା ବର୍ବରୀକ ଛଡ଼ା ଆଉ କେହି ଦେଇ ପାରିବେ ନାହିଁ l ଚାଲ ସମସ୍ତେ ତା' ପାଖକୁ ଯିବା l

ସମସ୍ତେ ଯାଇ ସେହି ପର୍ବତ ପାଖରେ ପହଞ୍ଚିଲେ l ପର୍ବତ ଶିଖରରେ ଥୁଆ ହୋଇ ଥିବା ବର୍ବରୀକର ସେ ମୁଣ୍ଡକୁ ପଚାରିବାରୁ ସେ କହିଲା,ଏ ଯୁଦ୍ଧରେ ତ ମୁଁ କାହାରିକୁ ଯୋଦ୍ଧା ଭାବରେ ଦେଖି ନାହିଁ, ମୁଁ ଦେଖିଛି ଦୁଇଟି ଜିନିଷ l ଗୋଟିଏ ଚକ୍ର ଆସି ସବୁ ଯୋଦ୍ଧା ଯେଉଁମାନେ ଅଧର୍ମ ପକ୍ଷ ଗ୍ରହଣ କରିଛନ୍ତି ତାଙ୍କ ଶିର କାଟି ଦେଉଛି ଓ ମହାକାଳୀ ତାଙ୍କର ଲହଲହ ଜିହ୍ଵାକୁ ବୁଲାଇ ସେମାନଙ୍କୁ ବଳିଭୋଜା ପ୍ରାୟ ଭକ୍ଷଣ କରୁଛନ୍ତି l

ବର୍ବରୀକର କଥା ଶୁଣି ପାଣ୍ଡଵମାନେ ବୁଝିଗଲେ, ଆମେ କେବଳ ବୃଥା ଅହଂକାର କରୁଛୁ,କେବଳ ଆମେ ନିମିତ୍ତମାତ୍ର l ଏ ସଂସାରରୁ ଅଧର୍ମର ମୂଳ ଉତ୍ପାଟନ ପାଇଁ ଏହା ଭଗବାନ ଓ ମହାମାୟାଙ୍କ ସର୍ଜନା l ଏ ବିଜୟ କେବଳ ତାଙ୍କରି ପାଇଁ l

ଏହି ବର୍ବରୀକ ପୂର୍ବ ଜନ୍ମରେ ଜଣେ ଯକ୍ଷ ଥିଲେ l ଥରେ ବ୍ରହ୍ମା ସମସ୍ତ ଦେବଗଣଙ୍କ ସହ ବୈକୁଣ୍ଠରେ ପହଞ୍ଚି ଭଗବାନ ବିଷ୍ଣୁଙ୍କୁ ଧରଣୀର ପାପ ଭାର ଓ ମୁଣ୍ଡ ଟେକି ଉଠିଥିବା ଅଧର୍ମକୁ ନାଶ କରିବାପାଇଁ ପ୍ରାର୍ଥୀ ହେବାରୁ ଭଗବାନ ସେମାନଙ୍କୁ ଆଶ୍ୱସ୍ତକରି କହିଲେ ମୁଁ ଅବିଳମ୍ବେ ଧରାଭାର ଉଶ୍ୱାସ ନିମନ୍ତେ ଅବତାର ଗ୍ରହଣ କରିବି l ଏହି ସମୟରେ ଜଣେ ଯକ୍ଷ ଆସି କହିଲା, ଭଗବାନ ବିଷ୍ଣୁଙ୍କୁ ଏତେ କଷ୍ଟ ଉଠାଇବାକୁ ପଡ଼ିବ ନାହିଁ l ଏ କାର୍ଯ୍ୟ ପାଇଁ ଏକା ମୁଁ ହିଁ ଯଥେଷ୍ଟ l ଏହା ବ୍ରହ୍ମାଙ୍କୁ ଖୁବ ବାଧିଲା l ସେ ଯକ୍ଷକୁ ଅଭିଶାପ ଦେଲେ, ଯେତେ ବେଳେ ସେହି ସମୟ ଉପସ୍ଥିତହେବ ଏବଂ ଭଗବାନ ବିଷ୍ଣୁ ଦୁଷ୍ଟ ସଂହାର ପାଇଁ ଅବତାର ନେବେ, ସେତେବେଳେ ସେ ଏହି ଅହଙ୍କାରୀ ଯକ୍ଷକୁ ହିଁ ପ୍ରଥମେ ସଂହାର କରିବେ l ସେହି ଯକ୍ଷ ହିଁ ବର୍ବରୀକ ରୂପରେ ଜନ୍ମ ଗ୍ରହଣ କରିଥିଲେ l

ଅନ୍ୟ ଏକ କାହାଣୀରୁ ଜଣାଯାଏ,ଶ୍ରୀକୃଷ୍ଣ ଅଶ୍ୱତ୍ଥ ପତ୍ରଟିକୁ ଯେଉଁ ପାଦ ତଳେ ଲୁଚାଇ ଦେଇଥିଲେ, ସେହି ପାଦକୁ ବର୍ବରୀକର ଶର ବିଦ୍ଧ କରି ଥିଲା l ଫଳତଃ ଶ୍ରୀକୃଷ୍ଣଙ୍କ ସେହି ପାଦରେ ଏକ ଦୁର୍ବଳ ସ୍ଥାନ ରହିଯାଇଥିଲା l ଭଗବାନ ଶିଆଳି ଲଟାରେ ଶୋଇଥିଲାବେଳେ ଜରାଶବର ତାଙ୍କ ପାଦର ସେ ସ୍ଥାନକୁ ମୃଗକାନ ଭାବି ଭୁଲକ୍ରମେ ଶରବିଦ୍ଧ କରି ଥିଲା ଓ ଭଗବାନ ମହାପ୍ରୟାଣ ଲଭିଥିଲେ l

ବର୍ବରୀକ ତାର ଶିର ଦାନ କରିଥିବାରୁ ଭଗବାନ ତାକୁ ବର ଦେଇଥିଲେ, କଳି ଯୁଗରେ ସେ ତାଙ୍କରି ନାମ ବହନ କରି ଖାଟୁଶ୍ୟାମ ରୂପେ ପୂଜାହେବେ l

ଯୁଦ୍ଧ ସରିଗଲା ପରେ,ବର୍ବରୀକର ମସ୍ତକକୁ ପ୍ରଭୁ ଶ୍ରୀକୃଷ୍ଣ ନେଇ ରାଜସ୍ଥାନରେ ପ୍ରବାହିତ ରୂପବତୀ ନଦୀରେ ବିସର୍ଜନ କରିଦେଲେ l ମସ୍ତକଟି ଯେଉଁ ଠାରେ ପଡ଼ି ରହି ଥିଲା ସେଠାରେ ନିକଟସ୍ଥ ଖାଟୁ ଗ୍ରାମବାସୀ ମାନେ ଏକଦା ଦେଖିଲେ ଗାଈମାନେ ଆସି ତାଙ୍କ ପହ୍ନାରୁ କ୍ଷୀର ଢାଳି ଦେଇ ଯାଉଛନ୍ତି l କୌତୁହଳ ବଶତଃ ସେମାନେ ଜାଗାଟିକୁ ଖନନ କରି ଗୋଟିଏ ମୁଣ୍ଡ ପାଇଲେ l ସେହି ସମୟରେ ଖାଟୁର ରାଜା ଥିଲେ ରୂପସିଂହ ଚୌହାନ l ତାଙ୍କୁ ସ୍ୱପ୍ନାଦେଶ ହେଲା,ସେହି ମସ୍ତକଟିକୁ ଏକ ମନ୍ଦିର ନିର୍ମାଣ କରି ସ୍ଥାପନ କରିବାକୁ l ସେହି ଅନୁଯାୟୀ ରାଜା ଏକ ଭବ୍ୟ ମନ୍ଦିର ତୋଳି ଦେଲେ l ସେହିଠାରେ ବର୍ବରୀକଙ୍କର ପୂଜା ଚାଲିଲା ଖାଟୁଶ୍ୟାମ ଭାବରେ l ବର୍ବରୀକଙ୍କ ମସ୍ତକ ମିଳି ଥିବା ସ୍ଥାନଟି ଶ୍ୟାମକୁଣ୍ଡ ଭାବେ ବିଖ୍ୟାତ l ଖାଟୁଶ୍ୟାମ ହେଲେ ମାରୱାଡ଼ି ସମ୍ପ୍ରଦାୟର ଉପାସ୍ୟ ଦେବତା l



Rate this content
Log in