Nityananda Nandi

Classics Inspirational

4  

Nityananda Nandi

Classics Inspirational

ମେଟ୍ରିକ୍ ଫେଲ୍

ମେଟ୍ରିକ୍ ଫେଲ୍

5 mins
373


"ପାଖ ଗାଁ'ର ଝିଅ", ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ଗପ ବାହାରିଛି। ରଚନା : ଦିବାକର ଭଞ୍ଜ। ରୁଞ୍ଜକୁ ନେଇ ଦେଖେଇଲା ଦିବାକର। ମୁହଁ ବୁଲେଇ ନେଲା ରୁଞ୍ଜ, ରାଗରେ 

"ସକାଳୁ ସକାଳୁ ବିରକ୍ତ କରନି, ନିଜେ ବସି ବାର ବାର ପଢ଼ ତମ ଗପକୁ ମନ ଦୁଃଖ କରି ବସିଲା ଯାଇ ସାଇକେଲ ଦୋକାନରେ ଦିବାକର। ଖୁସିରେ ରହିବାକୁ ଚାହୁଁ ଥିଲା ସେ। ଖୁସି କିନ୍ତୁ ବିଦଗ୍ଧ ସ୍ବପ୍ନ ପରି ମୁହଁ ଫେରାଇ ନିଏ। ସବୁ ମିଛ ଲାଗେ, କାହିଁକି କେଜାଣି। ଦୁଇ ବର୍ଷରୁ ଅଧିକ ହେବ, ଭାରି ଝଗଡା ସ୍ତ୍ରୀ ସାଥିରେ। କୋଡିଏରୁ ଅଧିକ ଗପକୁ ନେଇ ଗପ ବହିଟେ ପ୍ରକାଶ କରିବ ବୋଲି ପ୍ରବଳ ଇଛା । ଫେସବୁକରେ ତା ଗପ ସବୁ ମାନ୍ୟତା ହାସଲ କରିଛି। ଅସଂଖ୍ୟ ପାଠକ। ପ୍ରୋତ୍ସାହିତ ହୋଇଛି ସେ ଗୋଟାଏ ସଙ୍କଳନ ପାଇଁ। କିନ୍ତୁ କିଛି ପଇସା ଦରକାର। କୁଆଡୁ ଆଣିବ ସେ ଏତେ ପଇସା। କଟକଠୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ। ସବୁ ଛପା ଖାନାରୁ ବୁଲି ଆସିଲାଣି ସେ। ପଚିଶ ହଜାର ଟଙ୍କା ଲାଗିବ ଅତି କମରେ। ସକାଳୁ ଯାଇ ସଂଜରେ ଫେରେ, ମନଟା ଓହୋଳି ପଡେ।  ସ୍ତ୍ରୀ ଭାରି ନାରାଜ, ଗପ ଲେଖିବାରେ ହିଁ ସମୟ ଯାଉଛି। କାମ ଦାମ ଛାଡ଼ି ଦେଲେଣି ସେ ଏଇ ଲେଖା ଲେଖି ପାଇଁ। କେତେ ବେଳେ ଲେଖୁଥିବା ଡାଏରୀକୁ ସେ ଲୁଚେଇ ଦିଏ ତ ଆଉ କେତେବେଳେ ଛିଣ୍ଡି ପକାଏ ସେ ଲେଖୁଥିବା ଗପକୁ। ନା ପବ୍ଲିକେଶନ ହାଉସ ସାହାଯ୍ୟ କରୁଛନ୍ତି, ନା ସ୍ତ୍ରୀ ର ସମର୍ଥନ ଅଛି। କେତେ ଅସହାୟ ଏଇ ଜୀବନଟା, ଆଗରେ ଧୂଆଁଳିଆ ରାସ୍ତା। ପଛରେ ପାଦ ଚିହ୍ନ ବି ନାହିଁ, ମନେ ନାହିଁ କୋଉ ରାସ୍ତାରେ ସେ ଆସିଥିଲା। ହାୟ !ତଥାପି ଅତୀତଟା ଝାପ୍ସା ଝାପ୍ସା ମନେ ପଡିଯାଏ, ଇଚ୍ଛା ନ ଥିଲେ ବି। ମେଟ୍ରିକ ଫେଲ୍ ହେବା ପରେ ବନ୍ଦ ପଡ଼ିଥିବା ବାପାଙ୍କ ସାଇକେଲ ଦୋକାନକୁ ଖୋଲି ବସିଲା। କାମ ଧନ୍ଦା ନ କଲେ ପେଟ ପୋଷିବ କେମିତି। ବାପା କୋଉଠି ଆଉ ଥିଲେ ଯେ ତାଙ୍କ କଥା ବୁଝନ୍ତେ। ନିଜ ସାଇକେଲ ମରାମତି ଦୋକାନରେ ବସି ଗରାଖଙ୍କୁ ଅନେଇ ବସେ ଦିବାକର। "ଭଞ୍ଜ ସାଇକେଲ ମରାମତି ଦୋକାନ"। ଜେଜେଙ୍କ ପରେ ବାପା, ତା ପରେ ଦିବାକର। ଗୋଟାଏ ଟିଣ ବୋର୍ଡ ଲାଗିଛି ଜେଜେଙ୍କ ସମୟରୁ। ତିନି ପୁରୁଷର ସାକ୍ଷୀ ଏଇ ଟିଣ ବୋର୍ଡଟି। ଜେଜେଙ୍କ ସ୍ମୃତି ତାଜା ରହୁ ମନ ଭିତରେ। ସେଇଥି ପାଇଁ ବୋଧେ ଟିଣ ବୋର୍ଡଟାକୁ ବଦଳେଇନି ଦିବାକର। 


ରଙ୍ଗ ଆଣି ମୋବାଇଲ ନମ୍ବରକୁ ନୂଆ କରି ଲେଖିଛି ସେ ଆଉ ଥରେ ଦୁଇ ଦିନ ଆଗରୁ। ଦୁଇ ତିନୋଟି ସଂଖ୍ୟା ସ୍ପଷ୍ଟ ଦେଖା ଯାଉ ନ ଥିଲା ବୋର୍ଡ ଉପରେ। ଚାହିଁଥିଲେ ରଙ୍ଗ ବେରଙ୍ଗରେ ସଜେଇ ଥାଆନ୍ତା ବୋର୍ଡଟାକୁ, କିନ୍ତୁ ଏତେ ପଇସା କୁଆଡୁ ଆସିବ ? ବିଏସଏନଲ ମୋବାଇଲ ନମ୍ବରଟା ଶୁଭ ବୋଲି ଅନେକ ଥର ବଦଳେଇବାକୁ ଇଚ୍ଛା କରି ବି ସେ ବଦଳେଇନି। ସେଇ ନମ୍ବରରେ ଦିନେ ହଠାତ୍ ଫୋନ ଆସିଥିଲା ରୁଞ୍ଜ ପାଖରୁ। କିଛି ସ୍ମୃତି ଏତେ ମଧୁର ଯେ, ଭୁଲିବାକୁ ଚେଷ୍ଟା କରି ବି ଭୁଲି ହୁଏନି। ସ୍କୁଲ ଯାଉଥିବା ବେଳେ ଅନେକ ସମୟରେ ସାଇକେଲ ମରାମତି କରୁଥିଲା ସେ ଦିବାକର ପାଖରେ। କେତେବେଳେ ଫୋନ ନମ୍ବର ନୋଟ କରି ନେଇଛି, ଦିବାକର ଜାଣିନି। ଦିନେ ସ୍କୁଲରୁ ଫେରିବା ବେଳେ ଶଗଡ ଗାଡ଼ିକୁ ଧକା ଦେଇ ସାଇକେଲରୁ ପଡି ଯାଇଥିଲା ରୁଞ୍ଜ। ସାଇକେଲ ରିମ୍ ବେଣ୍ଡ ହୋଇ ଏକାକାର। ରାସ୍ତାରେ ଯାଉଥିବା ଆଉ କାହାର ମୋବାଇଲ ମାଗି ଫୋନ କରିଥିଲା ସେ ଦିବାକରକୁ। ଦିବାକର ଆସି ସାଇକେଲ ମରାମତି କଲା। ରୁଞ୍ଜର ମନଟାକୁ କିଣି ନେଇଗଲା ତା ସାଥିରେ, ସେଇଦିନ। ଏମିତି କେତେଟା ପାଦ ଚିହ୍ନ ଥାଏ, ବାଛି ହେଇଯାଏ ବେଳାଭୂଇଁ ଉପରେ। ଏମିତି ଗୀତ ବି ଥାଏ, ବାର ବାର ଶୁଣିବାକୁ ଇଚ୍ଛା ହୁଏ। ସମ୍ପର୍କର ଜାଲ ଭିତରେ ମେଞ୍ଚା ମେଞ୍ଚା ସ୍ନେହ ମମତା, ଆଉ ବସନ୍ତରେ ଖାଲି କୋଇଲିର କାକଳି ଭଲ ଲାଗେ। ଦିବାକର ଭଲ ପାଇ ବସିଲା ରୁଞ୍ଜକୁ।

 

ମେଟ୍ରିକ୍ ଫେଲ ହେବା ପରେ ରୁଞ୍ଜର ପାଠ ପଢା ବନ୍ଦ। ଛ ମାସ ପର୍ଯ୍ୟନ୍ତ ଆଉ ଦିବାକର ଦୋକାନକୁ ଆସୁନି ସେ। ମନେ ମନେ ଖୋଜେ ସେ ରୁଞ୍ଜକୁ। ପାଖ ଗାଁ ର ଝିଅଟି ! ଠିକଣା ଜାଣିନି ବୋଲି କେବେ ଖୋଜିବା ପାଇଁ ଦୁଃସାହସ କରି ନ ଥିଲା ସେ। ନା କାହାକୁ ପଚାରିବାକୁ ସାହାସ କଲା। ଲୋକେ କଣ ଭାବିବେ ହଠାତ୍ ଦିନେ ରୁଞ୍ଜ ଫୋନ କରି କହିଲା "ମୁଁ ତମକୁ ବାହା ହେବି। ରାଜି ତ ?" ନା ତା ଆଗରେ କେହି ଥିଲା ନା ତା ପଛରେ । ମାଆ କିଛି କହେ ନି ଦିବାକର କୁ। ବାପା ଯିବା ପରେ ମାଆର ସ୍ନେହ ଅମାପ, ଦିବାକର ପାଇଁ। ହଁ ଭରିଲା ଦିବାକର।


ଚାହୁଁ ଚାହୁଁ ଅଠର ବର୍ଷ କେମିତି କାଟି ଗଲା କେଜାଣି । ସ୍ମୃତି ଏତେ ପୁରୁଣା ଯେ ଭାବିଲେ ସବୁ ମିଛ ଲାଗେ, କେତେ ଚମ୍ପା ଫୁଲ ତଳେ ପଡି ମିଶି ଗଲାଣି ମାଟି ସାଥିରେ, ତାର ହିସାବ ନାହିଁ। ଇଚ୍ଛା ନ ଥିଲେ ବି କିଛି ସ୍ମୃତି ହାତ ଧରି ଚାଲି ଆସନ୍ତି, ମନା କରି ହୁଏନି। ଝିଅ ବାହା ଦେଇ ସାରିଛନ୍ତି ସେମାନେ। ବାସ୍, ଦିନସାରା ସାଇକେଲ ଦୋକାନରେ ବସେ, କାଁ ଭାଆଁ କେତେଟା ସାଇକେଲ ଆସେ, ମରାମତି ପାଇଁ। ଯୁଗ ବଦଳି ଗଲାଣି, କିଏ ଆଉ ସାଇକେଲ ଚଲାଉଛି ଯେ । ଦିନ ସାରା ବସି ଗପ ଲେଖେ। ସେଇଥି ପାଇଁ ମନାନ୍ତର ରୁଞ୍ଜ ସହିତ।


"ଦେଖୁନ ! ପାଖ ସାଇକେଲ ଦୋକାନରେ ବେଶ୍ ଭିଡ। ତମେ ପାଖକୁ କେହି ବି ଜଣେ ଆସୁ ନାହାନ୍ତି। ଏମିତି ହେଲେ ଆମେ ଚଳିବା କେମିତି ?"ରୁଞ୍ଜର କଡା ନଜର ଦିବାକର ଉପରେ। ଲେଖା ଲେଖିରେ ଅଯଥା ସମୟ ନ ଯାଉ। କେତେବେଳେ ସେ ତାର କଲମ ଲୁଚେଇ ଦିଏ ତ କେତେବେଳେ ଡାଏରୀ। ବେଳେ ବେଳେ ଏତେ ଝଗଡା ବଢି ଯାଏ ଯେ ଦିବାକର ଦୋକାନ ବନ୍ଦ କରି ଯାଇ ଗାଆଁ ପାଖ କେନାଲ ବନ୍ଧରେ ବସେ। ସଞ୍ଜ ହେଲେ ଘରକୁ ଫେରେ। ରୁଞ୍ଜ ହସିଦିଏ, ଦିବାକର ଭୁଲିଯାଏ ସକାଳର ଝଗଡାକୁ। ପୁଣି ଥରେ କାଗଜ କଲମ ଧରି ବସେ ଦିବାକର, କିଛି ଲେଖିବ। ରୁଞ୍ଜର ରକ୍ତ ଫୁଟେ, ରାଗରେ ଗର ଗର ହୁଏ। ବାପ ଘରକୁ ଚାଲି ଯିବ ବୋଲି ଧମକ ଦିଏ

ଘରେ ପଇସା ପତ୍ର ନାହିଁ, ରୋଗ, ବୈରାଗ୍ୟ ଅଛି। ଝିଅ ଘରକୁ ଶାଢୀ, ପିଠା ପଣା କେତେ କଣ ପଠେଇ ବାକୁ ହେବ। ଦୋକାନ ରେ ମନ ଦିଅ । ଲେଖିଲେ କଣ ସ୍ୱର୍ଗକୁ ଯିବ। ଏମିତି କେତେ ରାଗ ଅଭିମାନ ରୁଞ୍ଜର।

 

କ୍ଳାନ୍ତ ଶ୍ରାନ୍ତ ହୋଇ ଫେରିଥାଏ ଘରକୁ , ଝର୍କା ଦେଇ ଅନେଇଲା ସେ ରୁମ ଭିତରକୁ। ରୁଞ୍ଜ ଖବର କାଗଜ ଧରି ପଢୁଥାଏ, ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିବା ଆଜିର ଗପଟିକୁ, "ପାଖ ଗାଁ ର ଝିଅ"। ହସର ଲହଡ଼ି ଖେଳୁଥାଏ ତା ମୁହଁ ଉପରେ। ଅତି ନିଜର କେହି ଜଣେ ଅନ୍ତର୍ନିହିତ କଳାକୁ ସମର୍ଥନ କଲେ ଲାଗେ ଯେମିତି ଦୁନିଆଟା ହାତ ମୁଠାରେ। ପଛରୁ ବୋଉ ଡାକିଲେ ଶୁଭ ହୁଏ, ଅର୍ଦ୍ଧାଙ୍ଗିନୀର ହସଟା ଗ୍ରୀଷ୍ମ ଋତୁରେ ବର୍ଷାର ସ୍ଵାଦ ପରି। ଯୁକ୍ତାତ୍ମକ ଭାବନା ସବୁ ଭରିଗଲା ଦିବାକର ଭିତରେ। ଆଶା କଅଁଳୁ ଥିଲା ବାଳ ସୂର୍ଯ୍ୟର ରଶ୍ମି ପରି। ରୁଞ୍ଜ ତା ଗପ ଆଜି ପଢୁଛି , ଜୀବନରେ ପ୍ରଥମ ଥର ପାଇଁ ବୋଧେ। ମନଟା କୁଣ୍ଡେ ମୋଟା ହୋଇଯିବା ସ୍ଵାଭାବିକ !

ଭୁବନେଶ୍ୱର ବୀଣା ପ୍ରକାଶକଙ୍କ ଫୋନ ଆସିଲା। ଠିକ୍ ଅଛି ଦିବାକର, ତମ ପାଇଁ ବେଷ୍ଟ ପ୍ରାଇସ ତେଇଶ ହଜାର। ସମ୍ଭବ ଯଦି ଆସନ୍ତା ସପ୍ତାହରେ ଆସି ଦେଖା କର। "ରୁଞ୍ଜ ! ଦେଖ, ଫୋନ ଆସିଛି, ମୋ ଗପ ବହିକୁ ଛାପିବେ। ତେଇଶ ହଜାର ଲାଗିବ। ଷୋହଳ ହଜାର ମୋ ପାଖରେ ଅଛି। କିଛି କିଛି ଜମା କରିଥିଲି, ଦୋକାନ ପଇସାରୁ। ସାତ ହଜାର ନିଅଣ୍ଟ ପଡୁଛି।"

ପୁଣି ଥରେ ମହାଭାରତ ଆରମ୍ଭ, ଦ୍ୱିତୀୟ ଥର ଗୋଟେ ଦିନରେ। କଥା ଏତେ ବଢିଲା ଯେ ରାତିରେ ନା ରୋଷେଇ, ନା ଖାଇବା, ସବୁ କିଛି ବନ୍ଦ। "ତମର ଏତେ ସାହାସ କେମିତି ହେଲା ପଇସା ଜମା କରିଛ ଲୁଚେଇକି। ତା ପରେ ଗପବହି ପାଇଁ ଖର୍ଚ୍ଚ କରିବ। ଛିଃ, ତମକୁ ଲାଜ ଲାଗୁନି। ଦେହ ପା ଅଛି, ସବୁ ପଇସା ଉଡେଇ ଦେବ ତମେ ବହିରେ"। ଭତ୍ସନା କଲା ରୁଞ୍ଜ। ଅଧା ରାତିରେ ରୁଞ୍ଜ ଦେଖିଲା ଦିବାକର ଗାଲ ଉପରେ ଲୁହ ନିଗିଡ଼ି ଯାଇ ଶୁଖି ବି ଗଲାଣି। ଆଉ ନିଦ ହେଲାନି, ବିଛଣାରେ ପଡି ଛଟ ପଟ ହେଉଥାଏ ରୁଞ୍ଜ। ଅସହାୟତା ନା ବଞ୍ଚିବାକୁ ଦିଏ ନା ମରିବାକୁ। ସକାଳ ହେଲା, ମୃତବତ ଆକାଶଟା ଉତ୍ସବ ମୁଖରିତ ହୋଇ ଉଠିଲା ଧୀରେ ଧୀରେ। ମେଘ ସବୁ ଜାକି ହୋଇ ଯାଉଥାଏ ପାହାଡ ପଛକୁ। ଅଚାନକ ସିନ୍ଦୁରା ଫାଟିଲା ପୂର୍ବ ଆକାଶରେ, ସମ୍ଭାବନାର ସୂର୍ଯ୍ୟ ଉଇଁବ ପ୍ରାୟ ! ବାରଣ୍ଡାରେ ପଡିଥିବା ଭଙ୍ଗା ବେଞ୍ଚ ଉପରେ ବସିଲା ରୁଞ୍ଜ। ଫୋନ କଲା ବାପାଙ୍କୁ "ବାପା , ସାତ ହଜାର ଟଙ୍କା ଦରକାର, ଧୀରେ ଧୀରେ କରି ଫେରେଇ ଦେବି"।

କାହିଁକି ? "ତାଙ୍କର ଗୋଟେ ବହି ବାହାରିବ, ସାତ ହଜାର କମ୍ ପଡୁଛି !"ବାପା ହଁ ଭରିଲେ ଏଇ ପରିଣତ ବୟସରେ ବାପାଙ୍କ ଠୁ ପଇସା ମାଗିବା ଆଦୌ ଶୁଭାନୀୟ ନ ଥିଲା ରୁଞ୍ଜ ପାଇଁ

"ଠିକ୍ ଅଛି ବାପା ! କାଲି ଯାଇ ମୁଁ ନେଇ ଆସିବି"। 

ଦିବାକର ଘର ଭିତରୁ ରହି ଶୁଣୁଥିଲା। ଦୁଇ ଟୋପା ଲୁହ ବୋହି ଆସିଲା, ଖୁସିରେ ବୋଧେ। ରୁଞ୍ଜକୁ କୋଳେଇ ନେଲା ଦିବାକର। ହଁ ତମ ବହିର ନାଁ କଣ ରଖିବ କହିଲ, ବାପା ପଚାରିଲେ କହିବି। "ମେଟ୍ରିକ୍ ଫେଲ୍"। 

ଓଃ ଆମ ଦୁହିଁଙ୍କ ପ୍ରେମ କଥା ବୋଧେ ଲେଖିଛ ଏଇ ଗଳ୍ପ ବହିରେ ତମେ ମେଟ୍ରିକ୍ ଫେଲ୍, ମୁଁ ବି ମେଟ୍ରିକ୍ ଫେଲ୍।

ସାହିତ୍ୟ ସହିତ ପାଠ ସାଠ ର କିଛି ସମ୍ପର୍କ ନାହିଁ ବୋଧେ !

ରୁଞ୍ଜ ଜାବୁଡି ଧରିଲା ଦିବାକରକୁ।  ଆଶ୍ୱାସନାରେ ହାଲୁକା ହେଇଗଲା କେତେଦିନର ପୁରୁଣା ବୋଝଟା। ତାର ପ୍ରଥମ ବହି ପ୍ରକାଶିତ ହେବ। ଆକାଶଟା ଖୁସିରେ ଦୋହୁଲୁ ଥିଲା।


Rate this content
Log in

Similar oriya story from Classics