MANAS KUMAR KAR

Classics Fantasy Inspirational

4  

MANAS KUMAR KAR

Classics Fantasy Inspirational

ମେଘମାଳିଆ ସୁଆରପିଠା

ମେଘମାଳିଆ ସୁଆରପିଠା

4 mins
327



        ଧୁନା ସୁଆର।ଚାରି ବର୍ଷରେ ବାପ ଆଉ ବର୍ଷେ ପରେ ମାଆକୁ ହରେଇ ଏକବାର ନିରାଶ୍ରୟ ଧୁନାର ଏକମାତ୍ର ଭରସା ମହାପ୍ରଭୁ ।ଜଗନ୍ନାଥେ ଥାଉ ଥାଉ ତାଙ୍କ ସେବକ ବା ଅନାଥ ହେବ କେମିତି ! ସେବକ ପ୍ରିୟ ମାଧବ ପିଲାଟି ବେଳୁ ଧୁନା ଲାଗି ସକଳ ବ୍ୟବସ୍ଥା ଆରୋପିଛନ୍ତି।ପାଞ୍ଚବର୍ଷରୁ ଧୁନାର ଘର,ଦ୍ୱାର,ଖେଳପଡିଆ ସବୁ ବଡ଼ଦେଉଳ।ପାଟଅଗଣାରେ ଖେଳି,ଆନନ୍ଦ ବଜାରରେ ଖାଇ ,ନିଶାାତଳରେ ଶୋଇ ଜୀବନ କାଟିଛି ଧୁନା।ପିଲାବେଳୁ ବାପମା' ଛେଉଣ୍ଡ ବୋଲି ପଦିଆ ମହାସୁଆର ଆପଣେଇ ନେଇଛନ୍ତି ତାକୁ।ସେବଠୁ ପଦିଆ ମହାସୁଆରଙ୍କର ସେ ଏକାନ୍ତ ଅନୁଗତ ସେ।ଭଅଣ୍ଡ ନୃସିଂହଙ୍କ ତଳେ ମହାର୍ଦ୍ଦ ବିକିବାଠୁ ଆରମ୍ଭ କରି ବଡୁଘର ପରେ ରୋଷରେ ପାଳି ଖଟିବା ଯାଏଁ ସବୁଥିରେ ପାରଙ୍ଗମ ଧୁନା।ଛେକ ବୋହିବା ଠାରୁ ଧୂପରେ ଅବଢ଼ା ତୋଳିବା ପର୍ଯ୍ୟନ୍ତ ମଣିମାଙ୍କ ସେବାରେ ଆଗୁସାର ସେ।ବଲ୍ଲଭରୁ ବଡ଼ସିଂହାର ଯାଏଁ ସାଆନ୍ତଙ୍କ ଛାମୁରେ ନିତ୍ୟ ହାଜିରା ଦେଉଥିବା ଧୁନା ପହୁଡ଼ ଉତ୍ତାରେ ବଡଛତା ମଠ ବାରଣ୍ଡାରେ ନିଜ ଦେହକୁ ପାରିଦିଏ।ଏଇମିତି କୋଡ଼ିଏ ବର୍ଷ ବିତିଗଲାଣି।ତା'ର ଏକଇ ଅନୁଭବ-"ଅରକ୍ଷିତକୁ ଦଇବ ସାହା"।ଯାହାର କେହି ନାହିଁ ,ତା ଲାଗି ଏ କଳାମଚମଚ ଦିଅଁ ଭୁଜମେଲେଇ ରତ୍ନସିଂହାସନରେ ବସିଛନ୍ତି।ଡାକିଲେ କୋଳେଇ ନେବେ,କାନ୍ଦିଲେ ହସେଇ ଦେବେ ଆଉ ଗୁହାରିଲେ ମନେଇନେବେ।ଧୁନାର ଆଉ ଦୁଃଖ କଣ??

ସଂଧୂପ ବଢି ଚନ୍ଦନଲାଗି ପରେ ମହାପ୍ରଭୁଙ୍କର ବଡ଼ସିଂହାର ବେଶ ଆରମ୍ଭ ହେଲେଣି, ତିନିବାଡ଼ରେ ପାଳିଆ ସିଂହାରୀଏ ବାରଲାଗି ଗୀତିଗୋବିନ୍ଦ ସଜକୁ ଶ୍ରୀଅଙ୍ଗରେ ମଣ୍ଡଣି କରୁଛନ୍ତି।ମଥାରେ ଗଭା,ଚନ୍ଦ୍ରିକା,କପାଳରେ ଅଳକା,ନାକରେ ଝୁମ୍ପା,ନାସାପୁଟରେ ଗୁଣା ,ଅଧରମାଳା,ହୃଦପଦକ,କରପଲ୍ଲବ,ଶ୍ରୀପୟରମାଳା, ମକରକୁଣ୍ଡଳ ଆଦି ପୁଷ୍ପାଳଙ୍କାର ଯଥାସ୍ଥାନରେ ଲାଗି ହେଲେଣି।ଚନ୍ଦନ,କର୍ପୁର,ଅଗରୁର ସୁଗନ୍ଧରେ ମହକୁଛି ଜଗମୋହନ।ବଡଛତା ମଠର ବାଆଜୀଏ ପଖାଉଜ ବଜାଇ କୀର୍ତ୍ତନ ଆରମ୍ଭିଲେଣି।'ହରି ହରିବ୍ ବୋଲ ' ଡାକରେ ପ୍ରକମ୍ପିତ ଗରୁଡ଼ପଛ।ଗୁଆଲି ମାରେ ବେଶରେ ବିଭୂଷିତ ଦିଅଁମାନେ ଝଟକୁଛନ୍ତି।"ବଡଦିଅଁଙ୍କ ବଡ଼ସିଂହାର " ସାରାଦିନର ଭକ୍ତମାନଙ୍କର ଗାଳି ,ଗୁହାରି,ଅଳି,ଅର୍ଦ୍ଦଳି ଶୁଣି ବିଶ୍ୱ ଚିନ୍ତାମଣି ଏବେ ଟିକେ ମଉଜରେ ଚିନ୍ତାମୁକ୍ତ ହେଉଛନ୍ତି। ସେ ଲାଗି ପୁରୀଲୋକେ ସନ୍ଧ୍ୟାପରେ ନିଜେ ଜଞ୍ଜାଳଗରମରୁ ଥଣ୍ଡା ହୋଇ ଚନ୍ଦନଲାଗି ପରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।ସେ ପଟେ ଦିଅଁଙ୍କ ଛାମୁକୁ ବଡ଼ସିଂହାର ଭୋଗ ଆସିଲେଣି ,ଖାଣ୍ଟି ଓଡ଼ିଆ ପଣରେ କୋଟି ଓଡ଼ିଆର ମଉଡ଼ମଣି ଚୁପୁଡାପଖାଳ,କାଞ୍ଜି,କଦଳୀ ଭଜା ଭୁଞ୍ଜିଲେଣି ;ଏବେ ପହୁଡିବେ ସାଆନ୍ତେ।ସାରାଦିନର ସବୁଠାରୁ ଆକର୍ଷଣୀୟ ନୀତି- 'ପହୁଡ଼'।ଖଟଶେଯ ମେକାପେ ପୋଖରିଆକୁ ରତ୍ନପଲଙ୍କ ବିଜେ କରେଇଲେଣି।ଭଣ୍ଡାରଘରୁ ଶୟନ ଦିଅଁ ଆସି ଜୟବିଜୟ ଦ୍ୱାରରେ ଡମ୍ବରୁଲାଗି ହେଲେଣି।ସେଠି ଘଷା,ପଇଡ଼, ବିଡ଼ିଆ ମଣୋହି ବଢି ପହୁଡ଼ ଆଳତି ହୋଇ ଶୟନଦିଅଁ ଗର୍ଭଗୃହକୁ ବିଜେ ହେଲେଣି।ଭିତରଗାଉଣୀଙ୍କର ଗୀତିଗୋବିନ୍ଦ ଗାନ ସହିତ ନୃତ୍ୟସେବା,ମାଦେଳିଙ୍କ ମର୍ଦ୍ଦନ ବାଦନ, ବୀଣାକାରଙ୍କର ବୀଣାର ଅପୂର୍ବ ମୂର୍ଚ୍ଛନାରେ ସାଆନ୍ତେ ପହୁଡକୁ ଅବଧାନ ହେଉଛନ୍ତି।ଛାମୁଖୁଣ୍ଟିଆଙ୍କର 'ମଣିମା ! ମଣିମା ! ଡାକରେ ପ୍ରକମ୍ପିତ ଭିତରକାଠ।'ଜୟ ଜୟ ଜଗନ୍ନାଥ ଜଗଦେବା, ଶିବ ବିରଞ୍ଚି ନାରଦ କରି ସେବା....'ର ଅପୂର୍ବ ପଦଲାଳିତ୍ୟରେ ମନ୍ଦ୍ରନିନାଦିତ ବାହାରକାଠ।ଆଲୁଅ ଲିଭିବାରେ ପାଇକମାନେ ଦେଉଳ ଶୋଧ କଲେଣି ।ବିଶ୍ୱଚିନ୍ତାମଣି ଶୋଇବେ ତ !!

ଏ ପଟେ ଭଅଣ୍ଡଘର ତଳେ ସଂଧୂପ ସମାଧିହାଣ୍ଡି ଖେଚେଡ଼ି ଧରି ବସିଥିବା ଧୁନା ଡକାପକେଇଛି-"ଆହେ କାଳିଆ ସାଆନ୍ତଙ୍କ ଅଧରଲାଗି ଅମୃତ ! ଆସ ହେ ନେବ !କା'କପାଳରେ ଅଛି ! ଅଦାହେଙ୍ଗୁ ଖେଚେଡ଼ି !! ଦି' କଉଡି଼ ଏ ପଡିବ ହେ!!" ଏ ସମୟରେ ଅକସ୍ମାତ ଜଣେ ସୌମ୍ୟକାନ୍ତ ଦେବଦୁର୍ଲଭ ଲକ୍ଷଣ ସଂପନ୍ନ ,ସୌନ୍ଦର୍ଯ୍ୟରେ କାମକୁ ପରାଜିତ କରିଥିବା,କଳିଯୁଗ ଭେଣ୍ଡା ମାରେ ଉଚ୍ଚ, ଗଡୁର ମାରେ ନାକ,ବିଭୀଷଣ ପୁଡାପରି ଉତ୍ତୁଙ୍ଗ ନାସାପୁଟଧାରୀ ଧୁନା ଆଗରେ ହାତପାତିଲେ।ଭାଙ୍ଗନିଶାରେ ବିଳିବିଳେଇ ଧୁନା ଘିଅସରସର ଦେବତାଙ୍କୁ ଅଲଭ୍ୟ ଖେଚେଡ଼ି ତାଙ୍କ ହାତକୁ ବଢ଼େଇଦେଲା।ସେ ଗୋଟିଏ ମୁଦ୍ରା ଧୁନାକୁ ଦେଇ ଦକ୍ଷିଣଦ୍ୱାର ଆଡେ ଆଗେଇଲେ।ଦୀପ ଆଲୁଅରେ ଧୁନା ନିରିଖେଇ ଦେଖିଲା ବେଳକୁ ଏକ ବିଶୁଦ୍ଧ ସୁବର୍ଣ୍ଣମୁଦ୍ରା ।ୟା'ର ଡ଼ରରେ ଧଡକ ଶୁଖିଗଲା।ଭାବିଲା - ଆଉ କେଉଁ ରାଜକର୍ମଚାରୀ ଆସିଥିଲେ କି ! ମୋ ନାଁରେ ଗଜପତିଙ୍କ ଆଗରେ ଫେରାଦ କରିବେ ?ପହୁଡ଼ପରେ ଭିତରବେଢ଼ାରେ ଅବଢ଼ାବିକିବାର ଦୋଷରେ ତା ମନ ଘାରିହେଲା।ଚିନ୍ତାରେ ଘୋଳି ହୋଇ ତାଙ୍କ ପଛରେ ଧୁନା ଧପାଲିଲା।ସେ ପଟେ ଦେଵୋପମ ପୁରୁଷ ବାଲିସାହି ଉଆଁସ ଦାଣ୍ଡଦେଇ କୁମୁଦମଶାଣି ମହାବୀରଙ୍କୁ ଅତିକ୍ରମି ସୋଲାଖିଆ ବରଗଛ ହେଲା ବେଳକୁ ତାଙ୍କ ପଛରେ ଧୁନା ଧାଇଁଛି ;ହେଲେ ନିକଟରେ ପହଂଚିପାରୁନି ।ସେ ସ୍ବର୍ଗଦ୍ୱାରରେ ପହଁଚିଲା ବେଳକୁ ଧୁନାତାଙ୍କଠୁ ଛ' ହାତ ଦୂରରେ ଡକାପାରିଲା- 'ଶୁଣ ! ମୁଁ ମହାପ୍ରଭୁଙ୍କ ସେବକ ,ତମେ କିଏ ? ପରିଚୟ ଦିଅ '।ଡାକଶୁଣି ସେ ପଛକୁ ଚାହିଁଲେ - ତାଙ୍କୁ ଚନ୍ଦ୍ରଆଲୋକରେ ଦେଖି ହତପ୍ରଭ ହୋଇଗଲା ଧୁନା। ସେ ହସିଦେଇ କହିଲେ- " ମୁଁ ଦେବରାଜ ଇନ୍ଦ୍ର,ମହାପ୍ରଭୁଙ୍କ ଦର୍ଶନ ଲାଗି ଆସିଥିଲି ,ଆପଣଙ୍କ ଅନୁଗ୍ରହରୁ ମତେ ଆଜି କୈବଲ୍ୟ ଲାଭ ହୋଇଛି"। ଏ କଥା ଶୁଣି ଧୁନାର ମୁଣ୍ଡରେ ଆକାଶ ଛିଣ୍ଡିପଡ଼ିଲା ।ସେ ପାଦଛୁଇଁବାକୁ ଆଗେଇବାରୁ ଦେବରାଜ ପଛଘୁଞ୍ଚା ଦେଇ କହିଲେ - 'ଆପଣ ମହାପ୍ରଭୁଙ୍କ ସେବକ ,ଆପଣଙ୍କର ଚରଣରଜ ଆମର ଏକାନ୍ତ କାମ୍ୟ।'ଧୁନା ଲୁହ ଛଳଛଳ ହୋଇ ଇନ୍ଦ୍ରଙ୍କୁ ପ୍ରଣତମୁଦ୍ରାରେ ପ୍ରାର୍ଥନା କଲା।ଦେବେନ୍ଦ୍ର ସନ୍ତୁଷ୍ଟ ହୋଇ ତାକୁ ବୃଷ୍ଟିକରଣ ମନ୍ତ୍ର ପ୍ରଦାନ କଲେ- ଯେ କୌଣସି ସ୍ଥାନରେ ଏହି ମନ୍ତ୍ର ପାଠ କଲେ ବର୍ଷା ହେବ କିନ୍ତୁ କାହା ଆଗରେ କହିଦେଲେ ମୂର୍ଦ୍ଧନାଘାତ ହେବ।ଏତିକି ଆଶୀର୍ବାଦ କରି ଇନ୍ଦ୍ର ସ୍ୱର୍ଗଦ୍ୱାର ଦେଇ ଅନ୍ତର୍ଦ୍ଧାନ ହୋଇଗଲେ।

ରାତି ପାହି ଆସିଲାଣି।ବଡ଼ଦେଉଳ ଦୁଆର ଖୋଲି ମଙ୍ଗଳଆଳତି ଆରମ୍ଭ ହେଲେଣି।ଧୁନା ଛେତେଙ୍ଗାରେ ଗାଧେଇ ସିଙ୍ଗିଦୁଆରେ ପହଁଞ୍ଚିଲା ବେଳକୁ ତା ଘଣି ଭୋବନି ମୁଖପଖାଳ ଦେଖା ହୋଇଗଲା।ତାକୁ ଦେଖି ଧୁନା କହିଲା - ମଣି ! କଉଡ଼ିଏ ଦେ ,ଆଜି ଅଣ୍ଟିରେ କିଛି ବି ନାହିଁ ,ଭାଙ୍ଗୁଟା ମଡେଇକି ରୋଷକୁ ଯିବି।

ଭୋବନି ଇଙ୍ଗିତରେ କହିଲା - ଆହେ ବାତେନି ଲାଗିଛି କି ! କଉଡ଼ି କଣ ଗଛଫଳ ,ତୋଳିକି ଦେବି ?

ଦବୁନି ତ !ଦେଖିବୁ ଏବେ ବର୍ଷା କରିବି !

ଧୁନାର କଥାରେ ଭୋବନି ଦାନ୍ତ ନେଫେଡ଼ି କହିଲା-

ଭିପ' ଇନ୍ଦ୍ରଟା ତ ବର୍ଷା କରିଦେବୁ।

ଏତିକି କହୁକହୁ ବର୍ଷା ଆରମ୍ଭ ହେଇଗଲା।କଥା କାନରୁ କାନ ବ୍ୟାପି ପୁରସ୍ତମ ସାରା ପ୍ରଚାର - ଧୁନାପ୍ରତି ଇନ୍ଦ୍ରଙ୍କର କୃପା ହେଇଛି।ଯେଣେ ଯେମିତି ଯେଉଁଠି ଚାହୁଁଛି ମେଘ ବର୍ଷେଇ ଦେଉଛି,ହେଲେ କାହାରିକୁ ରହସ୍ୟ କହୁନି।ଶେଷରେ କଥା ଗଜପତିମହାରାଜାଙ୍କର କର୍ଣ୍ଣଗୋଚର ହେଲା।ଡଗରପଠେଇ ଧୁନାକୁ ଶ୍ରୀନଅରକୁ ଡକେଇ ପଚାରିବାରୁ ନିରୁତ୍ତର ରହିଲା ଧୁନା।ଶେଷରେ ରାଜଦଣ୍ଡର ଭୟ ଦେଖାଇବାରୁ ପୂର୍ବରାତ୍ରିର ସକଳ ବୃତ୍ତାନ୍ତ ଗାଇଗଲା।ହଠାତ ତାର ମୂର୍ଦ୍ଧନାପାତ ହେଲା ଆଉ ସେଇଠି ଟଳିପଡିଲା ଧୁନା।

ଗଜପତି ମହାରାଜା ସପାର୍ଷଦ ଗଭୀର ମ୍ରିୟମାଣ ହୋଇଗଲେ,ମନସ୍ତାପରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି କ୍ଷମାଯାଚନା କଲେ।ସେ ଦିନଠାରୁ ଧୁନାସୁଆର ନାମରେ ଗୋଟିଏ ସ୍ୱତନ୍ତ୍ର ପିଠା ମହାପ୍ରଭୁଙ୍କ ସଂଧୂପରେ ଅର୍ପଣ କରାଯିବ ବୋଲି ସନନ୍ଦ ସହିତ ରାଜଡିଣ୍ଡିମ ବାଜିଲା ।ଆଉ ଏହା ଯାବତ୍ ଚନ୍ଦ୍ରାର୍କେ ବଳବତ୍ତର ରହିବ।ଆଜି ବି ମେଘମୁହାଁ ମହାପ୍ରଭୁ ମେଘମାଳିଆ ସୁଆରପିଠାକୁ ନିଇତି ସନ୍ଧ୍ୟାଧୂପରେ ଭୁଞ୍ଜୁଛନ୍ତି ଆଉ ଆପଣାର ଅତିପ୍ରିୟ ସେବକଙ୍କର ବିଜୟ ବୈଜୟନ୍ତୀକୁ ଉଡାଉଛନ୍ତି ।



Rate this content
Log in

Similar oriya story from Classics