ମଧ୍ୟସ୍ଥି
ମଧ୍ୟସ୍ଥି
ଘର ଅଗଣାରେ, ଚା’ପାନ ବିରତି ପରେ ମଧ୍ୟସ୍ଥି ସୁନାକର ବାବୁ ମଦନ ବାବୁଙ୍କୁ ହସି ହସି କହୁଥିଲେ - ଆପଣ ଆଦଂ ଚିନ୍ତା କରନ୍ତୁନି ମଦନ ବାବୁ । ମୁଁ ଆପଣଙ୍କ ଝିଅର ବାହାଘର ପୁରା ଫାଇନାଲ୍ କରିକି ଆସିଛି । ସେହିଠାରେ ବାହାଘର କଲେ ଭଲ ହେବ । କ’ଣ ନାହିଁ ତାଙ୍କର କହିଲେ ? ସବୁ ଅଛି । ଆଉ ହେଳା ନ କରି ଏଇ ୧୫ ଦିନ ଭିତରେ ଯେନତେନ ପ୍ରକାରେ ହାତକୁ ଦି’ହାତ କାର୍ଯ୍ୟଟା ସାରିଦେଲେ ଭଲ ହେବ ବୋଲି ମୁଁ ଭାବୁଛି ,ନା’ କ’ଣ କହୁଛନ୍ତି ? ମଦନ ବାବୁ ଅତି ଖୁସିରେ ଗଦ୍ ଗଦ୍ ହୋଇ କହିଲେ – ସବୁ ଠିକ୍ ଯେ, ହେଲେ ପୁଅବାଲା ଘରଆଡେ ଟିକେ ଯାଇ ବୁଲିଆସିଥିଲେ ଭଲ ହୋଇଥାନ୍ତା । ସୁନାକର ବାବୁ ସଙ୍ଗେ ସଙ୍ଗେ ତାଙ୍କ ପାଟିରୁ କଥା ଛଡାଇ ନେଇ କହିଲେ – ଠିକ୍ ଅଛି । ଯାହା ଆପଣଙ୍କ ଇଛା । ପୁଅ ବାହାରେ ରହୁଛି । ସେ’ ତ ଏବେ ଆସିପାରିବନି । ଆଉ ଘରେ ତା’ର ଖାଲି ବିଧବା ମାଆଟା । ପରିବାର କହିଲେ ଗାୟମୋଟ ଦି’ଜଣ । ତେଣୁ କିଛି କଥା ନଭାବି ବାହାଘର ଲାଗି ରେଡି ହୋଇ ଯାଆନ୍ତୁ । ମଧ୍ୟସ୍ଥିଙ୍କ ପାଟିରୁ କଥା ସରିଛି କି ନାହିଁ, ସଙ୍ଗେ ସଙ୍ଗେ ମଦନ ବାବୁ ପୁଣି ତାଙ୍କୁ କହିଲେ - ଆଉ ଘରଦ୍ୱାର ବିଷୟରେ ତ କିଛି କହିଲେନି ? ଉତରରେ କିଛି ସମୟ ଭାବିଲା ପରେ ସୁନାକର ବାବୁ ଦୀର୍ଘ ନିଶ୍ୱାସଟିଏ ଛାଡି କହିଲେ – କ’ଣ ଆଉ କହିବି ? ଖାଲି ଏତିକି ସଂକ୍ଷେପରେ କହୁଛି -
୧) ଘରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ
୨) ଗାଈଗୋରୁ ଭିତରେ ଯେତେ ବାହାରେ ସେତେ
୩) ଝିଅ ଯାଉ(ଜାଉ ) ଖାଇଲେ ଜାଣିବ ।
ତେଣୁ ମୁଁ କହି ଯାଉଛି ଆପଣଙ୍କୁ, ଏ ପ୍ରସ୍ତାବ ହାତଛଡା କଲେ ମୋତେ ଆଉ କହିବେନି । ଆଜି କିମ୍ବା କାଲି ସଂଧ୍ୟା ସୁଦ୍ଧା ତୁରନ୍ତ ଜଣାନ୍ତୁ । ମୁଁ ଏବେ ଯାଉଛି । ମୋ’ର ତେଣେ ଅନେକ କାମ ବାକି ଅଛି ।
ମଦନ ବାବୁଙ୍କର ଭାରି ଅଭାବ । ତାଙ୍କର ପରିବାର କହିଲେ ସାତ ଜଣ । ତେଲ ଲୁଣ ସଂସାର ଭିତରେ ଚାରି ଚାରିଟା ଝିଅ ଓ ଗୋଟିଏ ପୁଅକୁ ଚଳାଇବା କେତେ କଷ୍ଟ , ବୁଢାବୁଢୀ ଦୁହେଁ ନାକେଦମ୍ ହୋଇପଡନ୍ତି । ଏତେ ଅଭାବ ଅନାଟନ ଭିତରେ ଥାଇ ବି ଏଇ ଛଅ ବର୍ଷ ଭିତରେ ଅତି କଷ୍ଟେମଷ୍ଟେ ତିନିଟା ଝିଅକୁ ବାହାଦେଇ ସାରିଛନ୍ତି । ତାଙ୍କର ସବୁ ଝିଅ ମାଇନର ପାସ କରିଛନ୍ତି ଓ ଏକ ମାତ୍ର ପୁଅଟି ଦଶମ ଯାଏ ପଢି କଟକରେ ଗୋଟେ ମୋଟର ଗ୍ୟାରେଜରେ କାମ କରୁଛି । ସେ ବିଲବାଡିରୁ ଯେତିକି ଆୟ କରନ୍ତି ସେଇଥିରେ ଦୁଃଖେକଷ୍ଟେ ଚଳିଯାଆନ୍ତି । ଏଇ ସବା ସାନ ଝିଅ ମାଳତୀ ପାଇଁ ଚାରିଆଡୁ ପ୍ରସ୍ତାବ ଆସୁଛି, ହେଲେ ମଦନ ବାବୁଙ୍କ ମନକୁ ପାଏନି । ତାଙ୍କର ଇଛା ଭଲ ଘରଦ୍ୱାର ଥିବ, ଗାଈ ଗୋରୁ ଥିବେ, ଜ୍ୱଇଁପୁଅ କିଛି କରୁଥିବେ, ଜମିବାଡି ଥିବ ଇତ୍ୟାଦି ଇତ୍ୟାଦି । ସୁନାକର ବାବୁ ମନକୁ ମନ ଘରକୁ ଆସି ଦେଇଯାଇଥିବା ପ୍ରସ୍ତାବ ତାଙ୍କ ମନକୁ ବେଶ୍ ପାଇଛି । ଖୁସିରେ ଗୋଡ ତଳେ ଲାଗୁନି । ଯାହା ବି ହେଉ ଧାର କରଜ କରି ଝିଅକୁ ଉଠାଇ ଦେଲେ ଗୋଟେ ବଡ ଚିନ୍ତା ଯିବ । କଥାରେ ଅଛି - ‘ଝିଅ-ଘିଅ’ । ଘରେ ବେଶୀ ଦିନ ରଖିବା ଠିକ୍ ହେବନି ।
ତା’ ପରଦିନ ପ୍ରତ୍ୟୁଷରୁ ମଦନ ବାବୁ ନିତ୍ୟକର୍ମ ଶେଷ କରି କଂସାଏ ପଖାଳ ସାଙ୍ଗକୁ ଶୁଖୁଆ ଭଜା ଟିକେ ଖାଇ ସୁନାକର ବାବୁଙ୍କୁ ଦେଖା କରିବା ପୂର୍ବରୁ ତାଙ୍କ ଗେହ୍ଲା ଝିଅ ମାଳତୀକୁ ପାଖକୁ ଡାକି କହିଲେ –
-ମା’ରେ, ଏ ପ୍ରସ୍ତାବରେ ତୁ ରାଜି ତ ?
-ବାପା, ମୋତେ କ’ଣ ପଚାରୁଛ ? ତୁମ ଖୁସିରେ ମୁଁ ଖୁସି । ହେଲେ ...
-ହେଲେ ପ’ୁଣି କ’ଣ ?
-ତମେ ଥରେ ଯାଇ ତାଙ୍କ ଘରଆଡେ ଟିକେ ବୁଲି ଆସିଥିଲେ ଭଲ ହୋଇଥାନ୍ତା ।
-ତୁ ମା’ ଆଦଂ ଚିନ୍ତା କ’ରନା । ସୁନାକର ବାବୁ ପରା ଦେଖିଛନ୍ତି । ଆଉ ପୁ’ଣି ଅସୁବିଧା କ’ଣ ?
-ହଉ, ତମେ ଯଲ୍ଦି ଯାଅ । ସଂଧ୍ୟା ସୁଦ୍ଧା ଫେରି ଆସିବ ।
ମଦନ ବାବୁ ସୁନାକର ବାବୁଙ୍କ ଘରେ ପହଂଚି ଯୈାତୁକ ବିଷୟରେ ତଥା ବିବାହ ତାରିଖ ଧାର୍ଯ୍ୟ କରି ହସ ହସ ମୁହଁରେ ଘରକୁ ଫେରି ଆସି ତାଙ୍କ ପତ୍ନୀଙ୍କୁ ପାଖକୁ ଡାକି କହିଲେ – ବୁଝିଲ, ବାହାଘର ବିଷୟରେ ସବୁ କଥା ତୁଟେଇକି ଆସିଛି । ଆସନ୍ତା ମାସ ସାତ ତାରିଖରେ ବାହାଘର ହେବ । ଆଉ ଗୋଟେ କଥା ଶୁଣିଲେ ତୁମେ ଆଶ୍ଚର୍ଯ୍ୟ ହେବ । ସୁନାକର ବାବୁ ଆଉ ମୁଁ ମୋଟର ସାଇକେଲରେ ଜ୍ୱଇଁପୁଅଙ୍କ ଘରଆଡେ ଯାଇଥିଲୁ । ସେ ଦୂରରୁ ମୋତେ ତାଙ୍କ ଘରଦ୍ୱାର ଦେଖେଇଦେଲେ । ତାଙ୍କର କେଡେ ସୁନ୍ଦର ଘର, ଘର ପଛ ପଟେ ବଗିଚା, ବଗିଚାକୁ ଲାଗି ଗୁହାଳ, ଏସବୁ ଦେଖି ମୁଁ ଖୁସି ହୋଇଗଲି । ତମେ ଯାହା କୁହ ଭାନୁମତୀ, ଆମ ଝିଅ ସେଠାରେ ରାଣୀ ପରି ରହିବ । ଦୁଇ ଜଣଙ୍କ ମଧ୍ୟରେ କଥୋପକଥନ ଚାଲିଥିବା ସମୟରେ ମାଳତୀ ପାଖକୁ ଆସି କହିଲା – ବାପା, ଚା’ ନିଅ । ଘରର ଦୁଆରବନ୍ଧ ପାଖରେ ଠିଆ ହୋଇ ସେ ସବୁ କଥା ଶୁଣି ମନେ ମନେ ଖୁସି ହେଉଥିଲା ।
ମଦନ ବାବୁଙ୍କ ଗାଁ ମୁଣ୍ଡରେ ଥିବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଳତୀ ସହ ମାଧବର ବିବାହ ସଂପନ୍ନ ହେଲା । ଶାଶୁଘରେ ପହଂଚି ମାଳତୀ ଯାହା ଦେଖିଲା, ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଚାଳ ଘର । ଛପର ଠାଏ ଠାଏ ଯାଗାରୁ ଉଡି ଗଲାଣି । ଘର ଭିତରୁ ଚାହିଁଲେ ସୂର୍ଯ୍ୟ ଦିଶୁଛନ୍ତି । ଘର ଭିତରକୁ ଯିବାକୁ ହେଲେ ନଇଁବାକୁ ପଡିବ । ବାପଅଜା ଅମଳର ପୁରୁଣା ଦଦରା ଖଟଟା ଉପରେ ମାଳତୀ ଯାଇ ବସିଲା । ତା’ ଆଖିରୁ ଠକ୍ ଠକ୍ ଲୁହ ଝରି ପଡିଲା । ଘରକୁ ଚାଲିଗଲେ ବାପାର ଇଜ୍ଜତ ତଳେ ପଡିଯିବ ଭାବି ନିଜର ଲୁହକୁ ନିଜେ ପିଇ ଚୁପ୍ଚାପ୍ ପଡିରହିଲା ।
ଚତୁର୍ଥୀ ରାତିରେ ମାଳତୀର କାନ୍ଦ କାନ
୍ଦ ମୁହଁକୁ ଦେଖି ମାଧବ ଭାଙ୍ଗିପଡି ଦୁଃଖର ସହ କହିଲା –
-ତମେ ମନଦୁଃଖ କରିଛ ନା ?
-କଲେ ଆଉ କ’ଣ ହେବ ? ସବୁ ତ ସରିଗଲାଣି । ସୁନାକର ମଉଷାଙ୍କୁ ତୁମର ଘର ବିଷୟରେ ...
-ସେ ଘର ଆମର ନୁହେଁ, ବଡମାଆଙ୍କର ।
-ତମେ ବାହାରେ ଚାକିରୀ କରିଛ ନା ?
-ନା’ ତ । ମୁଁ ସବୁଦିନେ ମୂଲ ମଜୁରି ଲାଗେ ।
-ଆଉ ତୁମ ମାଆ ?
-ସେ ଆଜିକୁ ୩ବର୍ଷ ହେବ ଆରପାରିକୁ ଚାଲିଗଲାଣି । ମୁଁ ଏକା ।
-ସୁନାକର ମଉଷା କହୁଥିଲେ ତୁମ ମାଆ ଅଛନ୍ତି ?
-ଯିଏ ଅଛନ୍ତି ସେ ମୋ ବଡମାଆ ମାନେ ବଡବୋଉ । ସେ ବିଧବା । ସେସବୁ କଥା ଛାଡ । ରାତି ଅନେକ ହେଲାଣି ଶୋଇପଡ ।
ଦୁଃଖରେ ଓ ଚିନ୍ତାରେ ମାଳତି ଆଖିରୁ ନିଦ ହଜି ଯାଇଥିଲା । ସେ ଉପରକୁ ଚାହିଁଲା । ଦେଖିଲା ଜହ୍ନ ଆଲୁଅ ଘର ଭିତରେ ପଡୁଛି । ଜହ୍ନ ଦିଶୁଛି । ସବୁ କିଛି ଦେଖିସାରିଲା ଓ ଜାଣିସାରିଲା ପରେ ଶେଷରେ ଭାଗ୍ୟ ଆଦରି ପଡିରହିବା ବ୍ୟତୀତ ତା’ର କିଛି ଉପାୟ ନଥିଲା ।
ସକାଳୁ ସକାଳୁ ମାଧବ ମାଣ୍ଡିଆ ଜାଉ କଂସାଏ ଖାଇ ମୂଲ ଲାଗିବାକୁ ଆର ଗାଁକୁ ଚାଲିଗଲା । ମାଳତୀ ନିତ୍ୟକର୍ମ ଶେଷ କରି ତୁଳସୀ ଚଉରାରେ ପାଣି ଟିକେ ଦେଇ ନିଜ ପାଇଁ ମାଣ୍ଡିଆ ଜାଉ ବାଢିଲା ।
କିଛିଦିନ ପରେ ମଦନ ବାବୁ ଓ ତାଙ୍କ ସହଧର୍ମିଣୀ ଝିଅକୁ ଦେଖିବାକୁ ବାହାରିଲେ । ପଚାରି ପଚାରି ମାଧବଙ୍କ ଘର ପାଖରେ ପହଂଚିଲେ । ମାଧବର ଘର ଦେଖି ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ନିଜକୁ ବିଶ୍ୱାସ କରିପାରିଲେନି । ମନେ ମନେ ଭାବିଲେ – ସେଦିନ ସୁନାକର ବାବୁ ତ କୋଠାଘର ଦେଖାଇଥିଲେ ? ଏ ପୁଣି କ’ଣ ? ଦାଣ୍ଡରେ ଯାଉଥିବା ପିଲାଟିକୁ ପାଖକୁ ଡାକି ପୁ’ଣି ଥରେ ପଚାରିଲେ –
-ଆରେ ବାବା କହିଲୁ, ମାଧବଙ୍କ ଘର କେଉଁଟା ?
-ଏଇ ଘରଟା ହେଉଛି ମାଧବ ଦାଦାଙ୍କର ।
ପିଲାଟି କହି ଚାଲିଗଲା ପରେ ଦୁଃଖରେ ମଦନ ବାବୁ ଓ ତାଙ୍କ ପତ୍ନୀ ଘର ଭିତରକୁ ପସୁ ପସୁ ଦେଖିଲେ – ମାଳତୀ ମାଣ୍ଡିଆ ଜାଉ ଓ ଶାଗ ଭଜା ଖାଉଛି । ବାପମାଆକୁ ହଠାତ ଦେଖି ସେ ଜାଉ କଂସା ପାଖରୁ ଉଠି ଆସି ତାଙ୍କୁ ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ମଦନ ବାବୁ ଲୁହ ଛଳ ଛଳ ଆଖିରେ ବିକଳରେ କହିଲେ –
-ଏସବୁ କ’ଣ ଦେଖୁଛି ମୁଁ । ମୋ ଭାଗ୍ୟ ଖରାପ ।
-ନା ବାପା ସେମିତି କୁହନା । ତମେ ସିନା ଜନ୍ମ ଦେଇଛ, ତମେ କ’ଣ ଭାଗ୍ୟ ଦେଇଛ ? ମୋ ଭାଗ୍ୟରେ ଯାହା ଥିଲା ସେଇଆ ହେଲା । ଆସ ଭିତରକୁ ।
ମଦନ ବାବୁ ନଇଁ ନଇଁ ଘର ଭିତରକୁ ଗଲେ । ଦେଖିଲେ ସୂର୍ଯ୍ୟ କିରଣ ଘର ଭିତରେ ପଡୁଛି । ସେ ଉପରକୁ ଚାହିଁଲେ । ଛପର ମଝିରୁ ମଝିରୁ ଉଡିଗଲାଣି । ସୂର୍ଯ୍ୟ ଦିଶୁଛନ୍ତି । ସେ ବିଚଳିତ ହୋଇ ମାଳତୀକୁ ପାଖକୁ ଡାକି କହିଲେ –
-ଆଉ ଜ୍ୱଇଁପୁଅ ତ କାହିଁ ଦିଶୁନାହାନ୍ତି ?
-ସେ ମୂଲ ଲାଗିବାକୁ ଯାଇଛନ୍ତି ।
-ସେ ପରା ବାହାରେ ଚାକିରୀ କରୁଥିଲେ ?
-ମିଛକଥା । ସୁନାକର ମଉଷା ତୁମକୁ ସବୁ ମିଛ କହିଛନ୍ତି ।
ଏସବୁ ଶୁଣି ଦୁଃଖରେ ଭାଙ୍ଗିପଡିଲେ ମଦନ ବାବୁ । ନିଜର ଲୁହକୁ ଗାମୁଛାରେ ପୋଛି ଘରର ପଛପଟକୁ ଯାଇ ଦେଖିଲେ ହଡା ବଳଦଟି ଗୁହାଳ ଦୁଆର ବନ୍ଧ ଉପରେ ତଳକୁ ମୁହଁ ମୋଡି ମଲା ଭଳି ପଡିରହିଛି । ତା’ର ଶରୀର ଗୁହାଳ ଭିତରକୁ ଯେତିକି ବାହାରକୁ ସେତିକି ଦିଶୁଛି । ଏସବୁ ଦୃଶ୍ୟ ନିଜ ଆଖିରେ ଦେଖିସାରିବା ପରେ ସେ ନିଜକୁ ସହି ପାରିଲେ ନାହିଁ । ତାଙ୍କ ମୁଖମଣ୍ଡଳରେ ହତାଶାଭାବ ସ୍ପଷ୍ଟ ବାରିହୋଇ ପଡୁଥିଲା । ଆଉ କାଳ ବିଳମ୍ବ ନକରି ପତ୍ନୀଙ୍କୁ ସାଥୀରେ ଧରି ଘରକୁ ଫେରିଆସିଲେ । ନିଜର ରାଗକୁ ନିୟନ୍ତ୍ରଣ କରି ନପାରି ସୁନାକର ବାବୁଙ୍କ ପାଖରେ ପହଂଚି ଯାହା ତାଙ୍କ ମନକୁ ଆସିଲା ବକିଗଲେ । ଏଥର ସୁନାକର ବାବୁ କହିଲେ –
-ଆପଣଙ୍କୁ ରାଗି ଆସେ, ଆଉ ମୋତେ କ’ଣ ରାଗି ଆସେନି ?
-ଆପଣ ଯାହା କଲେ କ’ଣ ଠିକ୍ କଲେ ?
-କ’ଣ ହେଇଛି ଆଗ କୁହନ୍ତୁ ।
-ମିଛ କହି ମୋ ଝିଅକୁ ମଝି ଦରିଆରେ ଭସେଇ ଦେଲ, କ’ଣ ପାଇଲ ?
-ମୁଁ ମିଛ କହିନି । ଆପଣ ମୋତେ ଭୂଲ୍ ବୁଝିଛନ୍ତି । ଯାହା କହିଥିଲି ଆଉ ଥରେ ଆପଣଙ୍କୁ ମନେପକାଇ ଦେଉଛି । ମୁଁ କହିଥିଲି : ୧) ପୁଅ ବାହାରେ ରହେ ଓ ମଝିରେ ମଝିରେ ଘରକୁ ଆସେ । ଏହାର ଅର୍ଥ - ପୁଅ ବାହାର ଗାଁକୁ ମୂଲ ଲାଗିବାକୁ ଗଲେ ରାତିରେ ସିଆଡେ ରହିଯାଏ । କାମ ସରିଲା ପରେ ଯାଇ ଘରକୁ ଫେରେ । ୨) ଘରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ, ଅର୍ଥାତ୍ – ଘର ଭିତରକୁ ଗଲେ ତମେ ଭିତରୁ ସୂର୍ଯ୍ୟ ଓ ଚନ୍ଦ୍ରକୁ ଦେଖିପାରିବ । କାରଣ ଛପର ମଝିରୁ ମଝିରୁ ଉଡିଗଲାଣି । ୩) ଗାଈ ଗୋରୁ ଭିତରେ ଯେତେ, ବାହାରେ ସେତେ । ଏହାର ଅର୍ଥ – ହଡା ବଳଦଟି ଗୁହାଳ ଦୁଆରବନ୍ଧର ଠିକ୍ ମଝିରେ ମଲା ଭଳି ପଡିରହିଛି । ୪) ଝିଅ ଯାଉ(ଜାଉ ) ଖାଇଲେ ଜାଣିବ, ଅର୍ଥାତ - ଝିଅ ଶାଶୁଘରକୁ ଗଲେ ଖାଇବ ଆଉ ଜାଣିବ । ଏସବୁ କଥା ସତ କି ନା ?
-ହଁ ସବୁ ସତ । ହେଲେ ଆପଣ ମୋତେ ଏସବୁ କଥା ସିଧା ସଳଖ ନ କହି ବୁଲେଇ ବଙ୍କେଇ କହିବା କ’ଣ ଦରକାର ଥିଲା ?
-ମୋତେ ଲାଗିଲା ଆପଣ ସବୁ ବୁଝିଗଲେ । ସେଥିପାଇଁ ଆଉ ଡାଇରେକ୍ଟ୍ କହିଲି ନାହିଁ । ହଉ, ଏସବୁ କଥା ଛାଡ । ଆଉ କ’ଣ କହୁଛ କୁହ ।
-କିଛି କହିବାର ନାହିଁ । ନିଜର ଗାଲକୁ ନିଜ ହାତରେ ଚାପୁଡା ମାରି ଯାଉଛି ।
ମଦନ ବାବୁ ମଧ୍ୟସ୍ଥିଙ୍କ ଉପରେ ଭିଷଣ ବିରକ୍ତ ହୋଇ ଫେରୁଥିବା ସମୟରେ କାନ୍ଦି କାନ୍ଦି କହୁଥିଲେ – ସରଳତାର ସୁଯୋଗ ଯୋଗୁଁ ମୋ ଝିଅର ଅବସ୍ଥା ଯାହା ହେଲା ମୁଁ ଏବେ ଅଙ୍ଗେ ଲିଭଉଛି । ହେ ଭଗବାନ୍, ଏଭଳି ମଧ୍ୟସ୍ଥି ଆଉ କେଉଁ ଝିଅର ବାପା ଭାଗ୍ୟରେ ଯେମିତି ନ ଯୁଟୁ । ଏତିକି ମୋ’ର ପ୍ରାର୍ଥନା ।