Lipi Sahoo

Others

4.0  

Lipi Sahoo

Others

ମଧୁର ଯନ୍ତ୍ରଣା

ମଧୁର ଯନ୍ତ୍ରଣା

2 mins
192


ଆଗକୁ ରଜ ଆସୁଛି ସେଥିରେ ପୁଣି ଆଜି ରବିବାର । ମାର୍କେଟରେ ପ୍ରବଳ ଭିଡ଼। ରାସ୍ତାଘାଟଠୁ ଦୋକାନ ସବୁ ଖାଲି ଲୋକାରଣ୍ୟ । ସ୍ୱୟଂପ୍ରଭା ଘଡିକୁ ଅନେଇଲେ ରାତି ନଅଟା ବାଜିଲାଣି । ତରତର ହେଇ ମଲରୁ ବାହାରି ଆସିଲେ । ଦୁଇ ହାତରେ ଦୁଇଟା ବ୍ୟାଗ୍ ସେ ବି ଲୁଗାପଟାରେ ଭର୍ତ୍ତି । ପରିବାରର ସମସ୍ତଙ୍କ ପାଇଁ କିଣା ହେଇଛି ନୂଆ ଲୁଗା ଆଉ ଡ୍ରେସ୍ । ଭିଡ଼ କାଟି ଆସୁ ଆସୁ ହଠାତ୍ କାହା ସାଙ୍ଗରେ ଧକ୍କା ହେଲେ । ସାରା ଶରୀରରେ ଖେଳିଗଲା ଏକ ଅପୂର୍ବ ଶିହରଣ ସତେ ଯେମିତି ବୈଦ୍ୟୁତିକ ତରଙ୍ଗ । ନାକରେ ବାଜିଲା ଏକ ସ୍ୱତନ୍ତ୍ର ବାସ୍ନା । ସେ ବାସ୍ନା ଆଉ ସେ ଶିହରଣ ତାଙ୍କ ସମଗ୍ର ଶରୀରକୁ କବଳିତ କରି ପକେଇଲା । ସଙ୍ଗେ ସଙ୍ଗେ ସେ ନିଜକୁ ସଞ୍ଜତ କରିନେଇ ଅନେଇଲେ କାହା ସହ ଧକ୍କା ହେଲା ବୋଲି ।


        ଦେଖିଲେ ତରତର ହେଇ ଜଣେ ଯୁବକ ଚାଲି ଯାଉଛି । ଦୌଡ଼ି ଯାଇ ତା ସାମ୍ନାରେ ଠିଆ ହେଇଗଲେ ?? ଖୁବ୍ ଆକର୍ଷଣୀୟ ଚେହେରା । ତାଙ୍କ ଠାରୁ ବେଶ୍ ଲମ୍ବା । ସେ ମୁହଁ ଉପରକୁ କରି ସିଧା ସିଧା ପଚାରିଲେ, ତମେ ଇଶ୍ୱର ନା ?? ମାନେ ଭଗବାନ୍ । ସେ ଯୁବକ ଜଣକ ଟିକେ ଇତଃସ୍ତତ ହେଲେ ସତେ ଯେମିତି ତାଙ୍କ ମୁଖା ଖୋଲି ଯାଇଛି । ଆଉ ଏକ ଗୁପ୍ତ ସତ୍ୟର ଉଦଘାଟନ ହୋଇଯାଇଛି । ମୁଁ ଆପଣଙ୍କୁ ଠିକ୍ ଚିହ୍ନି ପାରିଛି । ମୋତେ ଠକି ଦେଇ ପାରିବେନି । ସ୍ୱୟଂପ୍ରଭା ଏକ ପ୍ରକାର ଭାବ ବିହ୍ୱଳ ଅବସ୍ଥାରେ କହିଲେ । ଶରୀରରେ ଶିହରଣ ବି ଦ୍ୱିଗୁଣିତ ହେଇ ଯାଇଥିଲା ଯେତେବେଳେ ସେ ଯୁବକ ସାମ୍ନାରେ ଠିଆ ହେଇ ଯାଇଥିଲେ ।


        ହଠାତ୍ ଯୁବକ ନିଜକୁ ସଞ୍ଜତ କରିନେଇ ଅଳ୍ପ ହସି କହିଲେ, ମାଉସୀ ଖରାପ ଭାବିବେନି ମୋତେ ଲାଗୁଛି ଆପଣଙ୍କ ସ୍କୃ ଟିକେ ଢିଲା ଅଛି । ଆଉ ଲମ୍ବା ପାହୁଲ ପକେଇ ଆଗକୁ ମାଡ଼ି ଚାଲିଲେ । କିଛି ବାଟ ଯାଇ ସ୍ୱୟଂପ୍ରଭାଙ୍କୁ ବୁଲି ଚାହିଁଲେ ଆଉ ଓଠରେ ଥିଲା ତିର୍ଚ୍ଛା ହସ । ଯେମିତି ଶ୍ରୀକୃଷ୍ଣଙ୍କର କପଟ ହସ । ସେଇ ହସ ଦେଖି ସେ ସ୍ତବ୍ଧ ହେଇ ରହିଗଲେ କିଛି ମୁହୂର୍ତ୍ତ । ସମ୍ବିତ ଫେରି ଦୌଡିଲେ ସେଇ ଦିଗରେ ଯେଉଁ ଆଡେ ଯୁବକ ଯାଇଥିଲେ । ହେଲେ ସେଠି ଥିଲା ଖାଲି ବହଳ ଅନ୍ଧକାର ଆଉ ସେଇ ସ୍ୱତନ୍ତ୍ର ବାସ୍ନା । ଆଉ ଆଗକୁ ଯିବାକୁ ତାଙ୍କ ସାହସ ହେଲାନି ଫେରି ଆସିଲେ ବିଷର୍ଣ୍ଣ ମନରେ । ମନେମନେ କହିଲେ ସେଇଥି ପାଇଁ ତ ଲୋକେ କୁହନ୍ତି ତୁମେ ଭାରି କପଟିଆ । ଆଜି ଗୋଟିଏ କଥା ଜାଣିଲି ଈଶ୍ୱର କେତେବେଳେ କେଉଁଠାରେ ବି ମିଳି ଯାଇପାରନ୍ତି ଯେ କୌଣସି ରୂପରେ... । କେବଳ ଚିହ୍ନିବାର ନଜର ଦରକାର । ସାରା ଜୀବନ ପାଇଁ ଦେଇଗଲ ଏକ ମଧୁର ଯନ୍ତ୍ରଣା ......ପାଇ ନ ପାଇବାର ଅବବୋଧ ।।



Rate this content
Log in