କୃଷ୍ଣ ପ୍ରିୟା ମହାପାତ୍ର

Action Classics

4.1  

କୃଷ୍ଣ ପ୍ରିୟା ମହାପାତ୍ର

Action Classics

ମଡ଼ଛୀ

ମଡ଼ଛୀ

8 mins
201



ଆଜି ଜମିଦାରଙ୍କ ଉଆସରେ ଶୁଭଶଙ୍ଖ, ଶୁଭ ସାହାନାଇର ମୂର୍ଚ୍ଛନା । ଦିନେ ନିଜ ଜେଜେଙ୍କ ବୃଥା ଅହମିକା ଓ ଅନ୍ଧବିଶ୍ୱାସର ଵିକୃତ ମାନସିକତାରେ ଶିକାର ହୋଇ ବିସର୍ଜିତା ଶିଶୁକନ୍ୟା ଆଜି ଅଠେଇଶଟି ବସନ୍ତକୁ ଅତିକ୍ରମ ପୂର୍ଣ୍ଣ ଯୁବତୀ। ରାୟ ବାହାଦୁର ଜୟମୋହନ ସେଇ ସୁକନ୍ୟାର ଗର୍ବିତ ପିତା, ସେ ଆଜି ଏ ବଂଶକୁ ଦେଇଛି ନୂଆ ପରିଚୟ। IPS ଅପରାଜିତା ସାମନ୍ତ। ଉପଯୁକ୍ତ ବରପାତ୍ର ଚୟନ କରି କନ୍ୟା ସଂପ୍ରଦାନ କରିବେ ବୋଲି ମନ ଆଜି ଆନନ୍ଦରେ ଉଦ୍ବେଳିତ। ଅନେକ ଦିନର ଆଶା ଆଜି ପୂରଣ ହେବାକୁ ଯାଉଛି।

     ପିତାଙ୍କର ନିର୍ଭୀକତା, ଉଚ୍ଚ ମାନର ଚିନ୍ତାଧାରା, ସମାଜରେ ନିଷ୍ପେସିତ, ନିର୍ଯ୍ୟାତିତଙ୍କ

ପ୍ରତି କର୍ତ୍ତବ୍ୟ, ତ୍ୟାଗ ଇତ୍ୟାଦି ସଦଗୁଣ ଦ୍ୱାରା ପ୍ରଭାବିତ ହୋଇ ନିଜକୁ ଏକ ସୁସ୍ଥ ସକାରାତ୍ମକ ବ୍ୟକ୍ତିତ୍ୱ ରୂପରେ ଗଢି ତୋଳିଥିଲେ IPS ସୁଶ୍ରୀ ଅପରାଜିତା ସାମନ୍ତ।

   

  ଜୟମୋହନଙ୍କ  ସ୍ମୃତିରେ ଭାସି ଆସୁଛି ସେଦିନର ଦୃଶ୍ୟ। ତୁଚ୍ଛ ବଂଶ ପରମ୍ପରାର ଦ୍ୱାହିରେ ଘଟିବାକୁ ଯାଉଥିବା କୃର ଓ ଅମାନବୀୟ ଘଟଣା।


   ଜମିଦାର ରାୟବାହାଦୁର୍ ଜଗତ ମୋହନ ସାମନ୍ତଙ୍କ ଅଟ୍ଟାଳିକା ଆଜି ନୀରବ ନିଷ୍ପ୍ରଭ, ସମସ୍ତଙ୍କ ମନ ଭିତରେ ଭୟ ଆଉ ଆଶଙ୍କା। ହାତୀଦାନ୍ତ ପଲଙ୍କ ଉପରେ ଚିନ୍ତିତ ହୋଇ ଶୋଇ ରହିଛନ୍ତି ଜଗତମୋହନ । ଆସନ୍ନ ପରିସ୍ଥିତିକୁ କିଭଳି ସାମ୍ନା କରିବେ ସେଇ ଚିନ୍ତା ରେ ନିମଗ୍ନ ସେ। ମନର କୃରତା ଚେହେରାରେ ପ୍ରତିବିମ୍ବିତ।

ପତ୍ନୀ ତାଙ୍କର କାତର ଦୃଷ୍ଟିରେ ସାମ୍ନାରେ ଟଙ୍ଗା ଯାଇଥିବା ଜଗନ୍ନାଥଙ୍କ ଫୋଟ କୁ ଚାହିଁ ରହିଛନ୍ତି।

ବାହାର ବାରଣ୍ଡାରେ ଟହଲୁଛନ୍ତି ଗୁମାସ୍ତା ମଦନମହାନ୍ତି।

  ତଳ ସାହାଲାରେ ଥିବା କୋଠରି ଭିତରୁ ଶୁଭୁଛି ଗୁମୁରି ଗୁମୁରି କେହି କାନ୍ଦିବାର ସ୍ୱର।

କିଏ ସିଏ........... ଅଭାଗିନୀ ମା ଟିଏ, ଦଶ ମାସ ଗର୍ଭରେ ଧରି ଯନ୍ତ୍ରଣା ସହି ଜନ୍ମ ଦେଇଥିବା ସନ୍ତାନଟିକୁ ହରାଇ ଦୁଃଖରେ ବିଳପି ଉଠୁଛି ତା ମାତୃ ହୃଦୟ।

 ମା ଆଖିର ଲୁହ କୁ ବୋଧେ ସହି ପାରିଲାନି ଆକାଶ ନଇଁ ପଡୁଥିଲା ଗାଁ ଉପରେ ଧୂସର ରଙ୍ଗମେଘ ହୋଇ, ସେ ବି କାନ୍ଦିଲା ନୀରବରେ ଢାଳି ଦେଉଥିଲା ଲୁହରୂପକ ବର୍ଷା ।

   "ଆଜି ଯଦି ବଞ୍ଚିଥାଆନ୍ତା ତା ଧନ, ତା ନୟନରତାରା, କୂଳନନ୍ଦନ, ଜେଜେ ଆଉ ଜେଜେ ମା ଙ୍କର ଗୋଡ଼ ତଳେ ଲାଗୁ ନ ଥାଆନ୍ତା।କୋଳପୂର୍ଣ୍ଣ କରି ଧନ୍ୟ କରିଥାଆନ୍ତା ହେଲେ ଶୂନ୍ୟ କରିଦେଇ ଚାଲିଗଲା ଅଜଣା ରାଇଜକୁ"

  "ବାବା କୁଆଡେ ଗଲୁ ରେ,........!!"

ତୋ ବାପା ଆସିଲେ କଣ ଉତ୍ତର ଦେବି??......... କେମିତି କହିବି ଧନ, ତୁ ଏ ମାଟି ଛୁଇଁବା ଆଗରୁ, ମୋ ମାତୃତ୍ୱକୁ ପରିପୂର୍ଣ୍ଣ କରିବା ପୂର୍ବରୁ, ବାପାଙ୍କ ସ୍ବପ୍ନକୁ ସାକାର କରିବା ପୁର୍ବରୁ ଚାଲିଗଲୁ ବୋଲି।...........

  ସେଦିନର ସକାଳ ଥିଲା ତା ମାତୃ ଜୀବନର ଅୟମାରମ୍ଭ,ଶାରୀରିକ ପୀଡା ଯେତେ ବଢୁଥିଲା ତା ମାତୃ ହୃଦୟ ଆଗତ ସନ୍ତାନର ସ୍ପର୍ଷପାଇବା ପାଇଁ ଆତୁର ହେଉଥିଲା।ଧାଈ ମା, ପରିଚାରିକା ମାନେ ଲାଗି ପଡ଼ିଥିଲେ ସେବାରେ।କେଉଁ ଜିନିଷର ଅଭାବ ଯେ ସକଳ ଯୋଗାଡ଼ ହେଉଥିଲା ଗୋଟିଏ ମାତ୍ର ଇଶାରାରେ। ପରିବାର ସଦସ୍ୟମାନେ ଆତୁର ହୋଇ ବାହାରେ ଅପେକ୍ଷା କରିଥିବା ବେଳେ ଘର ଭିତରେ ଚାଲିଥିଲା ଅହରହ ଜୀବନ ଓ ମୃତ୍ୟୁର ସଂଘର୍ଷ।

ଧାଈମା'ଙ୍କର ଅନେକ ବର୍ଷର ଅଭିଜ୍ଞ ହାତର ଯାଦୁରେ ଭୂମିଷ୍ଠ ହେଲା ଜମିଦାର ବଂଶର ଆଗାମୀ ବଂଶଜ।

କୁଆଁ କୁଆଁ ଶବ୍ଦରେ ପ୍ରକମ୍ପିତ ହେଲା ଜମିଦାର ଙ୍କ ପ୍ରାସାଦ।ଜନ୍ମଦାତ୍ରୀ ମା ଅତ୍ୟଧିକ ପୀଡାରେ ମୁର୍ଛିତପ୍ରାୟ। ଅପେକ୍ଷାରତ ସମ୍ପର୍କୀୟ ମାନେ ଆଶ୍ୱସ୍ତ ହୋଇ ଦ୍ୱାର ନିକଟକୁ ଧାଇଁ ଗଲେ ସୁ ସମାଚାର ଶୁଣିବା ଅଭିପ୍ରାୟରେ।ସନ୍ତାନର ପିତାଙ୍କୁ କିନ୍ତୁ ଏ ସୁସମ୍ବାଦ ଅଗୋଚର।କାରଣ ଦୂର ସହରରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଗତକାଲି ଠାରୁ ଗୃହରେ ଅନୁପସ୍ଥିତ। 

 ହଟାତ ଯେମିତି ବଜ୍ରପାତ ହେଲା,ସକାଳଠାରୁ ଲାଗିଥିବା ଆନନ୍ଦ ଉଲ୍ଲାସରରେ ଭଟ୍ଟା ପଡିଗଲା।ସନ୍ଧ୍ୟା ସମୟକୁ ଦୃଶ୍ୟ ବଦଳି ଯାଇ ପରିବେଶ ହୋଇ ଉଠିଲା ମର୍ମାନ୍ତିକ।କିଛି ସମୟ ନିରବତା ପରେ କୁଆଁ କୁଆଁ ସ୍ୱର ଦୂରେଇ ଗଲା ବହୁ ଦୂରକୁ........

 

     ତୀବ୍ର ବେଗରେ ଗୃହ ଅଭିମୁଖେ ଛୁଟିଛି ଜୟ ମୋହନ ସାମନ୍ତଙ୍କ କାର୍।ଡ୍ରାଇଭର କୁ ବାରମ୍ବାର ଅନୁରୋଧ କରୁଥାନ୍ତି ଦୃତ ଗତିରେ ଯିବା ପାଇଁ।

   ରାତିର ଘନ ଅନ୍ଧକାରକୁ ଭେଦ କରି ମୋଟର କାରଟି ଆଗେଇ ଚାଲିଛି।ଜୟ ମୋହନଚିନ୍ତା କରୁଛନ୍ତି ଘରେ ଆସନ୍ନପ୍ରସବା ପତ୍ନୀଙ୍କ ବିଷୟରେ ,ପିତୃହୃଦୟର ଆକୁଳ ପ୍ରାର୍ଥନା ପ୍ରଭୁ ଭଲରେ ଭଲରେ ମୋ ସନ୍ତାନକୁ ଭୂମିଷ୍ଠ ହେବାକୁ ଆଶୀଷ ଦିଅ। 

  ଦୁଇଦିନ ହେଲା ଅନୁପସ୍ଥିତ ଥିବାରୁ କିଛି ଜାଣି ନାହାଁନ୍ତି ସେ। ତା ଭିତରେ ପତ୍ନୀ ତାଙ୍କର ଶିଶୁ କୁପ୍ରସବ ଦେଇ ସାରି ନାହାଁନ୍ତି ତ???

ମନରେ ଉଙ୍କି ମାରୁଛି, କେବେ ଶିଶୁର ସୁନ୍ଦର ପ୍ରତିଛବି ତ କେତେବେଳେ ଅଘଟଣ ଘଟିବାର ଭୟ।

ବାଟ ସାରା ନାନା ଦୁଃଶ୍ଚିନ୍ତା ମଧ୍ୟରେ ଅଛନ୍ତି ଜୟ ମୋହନ। ଗ୍ରାମ ନିକଟ ହୋଇ ଆସିଲାଣି, ମନରଦଶାକୁ କହିବାକୁ କେହି ପାଖରେ ନାହାଁନ୍ତି।ଡ୍ରାଇଭର ସହିତ ଦୁଇ ପଦ କଥା ହୋଇ ମନ ହାଲକା କରିବାକୁ ଚିନ୍ତା କଲେ।

  ଆଚ୍ଛା ସୁରେନ୍ଦ୍ର ତୁମର ଝିଅର ଦେହ ଖରାପ ଥିଲା ଭଲ ହେଲାଣି ତ ??

ଡ୍ରାଇଭର କହିଲା "ହଁ ଆଜ୍ଞା ଏବେ ସେ ସୁସ୍ଥ ଅଛି।"

"-ଆଚ୍ଛା ତୁମ ଝିଅ କୁ କେତେ ବର୍ଷ ହେଲା???"

-ଆଜ୍ଞା ପାଞ୍ଚ ବର୍ଷ ହେଲା।ହେଲେ କୁହନ୍ତୁନି ବାବୁ ସେ ମୋର ଝିଅ ନୁହେଁ ତ ମାଆ ହୋଇଛି।

ଆଚ୍ଛା, ଜୟ ମୋହନଙ୍କ ମନରେ କୋୖତୁହଳ,କେମିତି???

ଡ୍ରାଇଭର ପୁଣି କହିଲା, ବାବୁ, ମୋ ଝିଅ ମୋ ଫେରିବା ବାଟକୁ ଅନେଇ ବସିଥିବ।ମୋତେ ଦେଖିଲେ ଖୁସିରେ କୁରୁଳି ଉଠିବ।ବାପା ଆସିଲେଣି କହି ପାଣି ପିଇବାକୁ ଆଣି ଦେବ।ଖାଇବା ବେଳେ ପାଖରେ ବସି ଆଉ କଣ ଖାଇବ ପଚାରି ବସିବ।ମୁଁ ମୋ ଝିଅକୁ ଛାଡ଼ି ଗୋଟେ ମୁହୂର୍ତ୍ତ ରହି ପାରୁନି,ବାବୁ କେମିତି ତାକୁ ଶାଶୁ ଘରକୁ ଛାଡ଼ିବି ଏବେ ଠାରୁ ମୋର ଚିନ୍ତା ହେଲାଣି। "

"ହଁ ସୁରେନ୍ଦ୍ର ଝିଅ ମାତ୍ରେକେ ସେଇଆ, କେଉଁ ଧାତୁ ରେ ବିଧାତା ଗଢିଥାଏ ସେମାନଙ୍କୁ କେଜାଣି ?

ମମତାର ଅମୂଲ୍ୟ ସମ୍ପଦକୁ ହୃଦୟ ରେ ସାଇତି ଥାଆନ୍ତି ଅନ୍ୟ ମାନଙ୍କ ଉପରେ ଲୁଟେଇ ଦିଅନ୍ତି।

ହେଲେ ପାଆନ୍ତି କଣ? ସାରା ଜୀବନ ଯନ୍ତ୍ରଣା,ଆଉ ଯନ୍ତ୍ରଣା । " ଜାଣିଛ ସୁରେନ୍ଦ୍ର" ମୁଁ ଗୋଟିଏ କନ୍ୟା ସନ୍ତାନର ପିତାହେବାକୁ ଚାହେଁ।"

 ସମସ୍ତେ କୁହନ୍ତି ଆମ ବଂଶ ରେ ଝିଅ ଜନ୍ମ ହୁଅନ୍ତି ନାହିଁ ବୋଲି ....ହେଲେ ମୁଁ ଶୁଣିଛି, କିନ୍ତୁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ମୋର ଯେତେ ସନ୍ତାନ ହେବେ ସବୁ ଯେମିତି ଝିଅ ହୁଅନ୍ତି। ସେତିକି ପୁଣ୍ୟ ଅର୍ଜନ କରିଥିଲେ ଜଣେ ପିତା କନ୍ୟାଦାନ କରି ଥାଏ। ଭଗବାନ ସମସ୍ତଙ୍କୁ ସେ ସୌଭାଗ୍ୟ ଦେଇ ନ ଥାଆନ୍ତି।

 ଏକ ରୁ ଅଧିକ ପୁଅ ଥିବେ ହେଲେ ଘର ପୁର୍ଣ୍ଣ ହୁଏନା, ମାତ୍ର ଗୋଟିଏ ଝିଅ ଘରକୁ ସ୍ୱର୍ଗ କରିଦେଇ ପାରେ। ସୁରେନ୍ଦ୍ର ତୁମେ ଭାଗ୍ୟବାନ ତୁମ କୋଳକୁ ଲକ୍ଷ୍ମୀ ଠାକୁରାଣୀ କନ୍ୟା ହୋଇ ଆସିଛନ୍ତି।

    କହୁ କହୁ ହଜିଗଲେ ଜୟ ମୋହନ ଭାବନା ରାଜ୍ୟରେ,ତାଙ୍କ ଜମିଦାରୀ ବୁଝୁଥିବା ଗୁମସ୍ତା ମଦନ ମହାନ୍ତି ଯାହାକୁ ସିଏ ମଉସା ବୋଲି ଡାକନ୍ତି ପିଲାଦିନ ତାଙ୍କ ପରିବାର ସହ ଭଲ ସମ୍ପର୍କ ହେତୁ ତାଙ୍କର ଅତ୍ୟଧିକ ସମୟ ତାଙ୍କ ଘରେ ବିତେ।

ତାଙ୍କର ଦୁଇଟି ଝିଅ ଜୟ ମୋହନଙ୍କୁ ନିଜର ସାନ ଭାଇ ଭଳି ସ୍ନେହ କରନ୍ତି। ତେଣୁ ପ୍ରତ୍ୟେକ ପର୍ବ ପାଳନ ସମୟରେ ତାଙ୍କ ଘରେ ଅତ୍ୟନ୍ତ ଆଦର ସହକାରେ ନିମନ୍ତ୍ରିତ ହୋଇଥାନ୍ତି।

 ମଦନ ମଉସାଙ୍କ ପୁଅ ତାଙ୍କର ସମବୟସ ହୋଇ ଥିବାରୁ ସେଠାରେ ସେ ଅତ୍ୟଧିକ ସମୟ ବିତାଇ ଥାଆନ୍ତି।

ଆଜି ମଧ୍ୟ ମନେଅଛି ତାଙ୍କର ଦଶହରା କୁମାରପୂର୍ଣ୍ଣମୀ,ଗହ୍ମାପୂର୍ଣ୍ଣମୀ ଦୋଳ ଉତ୍ସବ, ଆଉ ରଜ ତିନି ଦିନ ଅତି ତୋନାଲ ମୋନାଲ ରେ ପାଳନ କରାଯାଏ।ମଉସାଙ୍କ ଦୁଇ ଝିଅ ସବୁ ପର୍ବ ପାଳନ କରୁଥିଲେ ଆଉ ସବୁଠାରୁ ନିଆରା ଥିଲା ରଜ।

କୃଷି ଭିତ୍ତିକ ଏଇ ପର୍ବ ଜମିଦାର ଙ୍କ ଉଆସରେ ସିନା ମହା ସମାରୋହରେ ପାଳିତ ହୁଏ କିନ୍ତୁ ମଉସାଙ୍କ ଘର ପରି ଆନନ୍ଦ ଦେଇ ନଥାଏ। ଘରେତ ଜୟ ମୋହନ ଆଉ ତାଙ୍କର ସାନ ଭାଇ, ଝିଅ ନ ଥିବା ଘରେ ପୁଅ ମାନେ ରଜର ମହତ୍ତ୍ୱ କେମିତି ଅନୁଭବ କରିବେ।


ମନେ ପଡେ ଗାଁ'ରପୁରୁଣା ଦିନ............

     ରଜ ପୁର୍ବରୁ ନୂଆ ବାହା ହୋଇଥିବା ଝିଅ,ବୋହୂ ମାନଙ୍କର ଭାର ଆସିଥାଏ।ନୂଆ ଲୁଗା ପଟା କିଣା ଯାଏ।ପୂର୍ବଦିନ ଗ୍ରାମର ପ୍ରତି ଘରେ ପୋଡ଼ପିଠା ଏବଂ ଆହୁରି ଅନେକ ପ୍ରକାର ପିଠା ପ୍ରସ୍ତୁତ ହୁଏ।ମଉସା ତାଙ୍କ ହଳିଆ ମାନଙ୍କୁ ଡାକି ବଡ଼ ବଡ଼ ଗଛରେ ଦୋଳିବାନ୍ଧି ଦିଅନ୍ତି।ପୁର୍ବ ଦିନ ଠାରୁ ସଜବାଜ ଆରମ୍ଭ ହୋଇଯାଏ ।ଝିଅ ମାନେ ପ୍ରଭାତର ପ୍ରଥମ ପ୍ରହର ରୁ ମୁଣ୍ଡ କୁଣ୍ଡେଇ ନଦୀ ବା ପୁଷ୍କରିଣୀ ରେ ହଳଦୀ ଲଗାଇ ସ୍ନାନ ସାରି ଘରକୁ ଫେରନ୍ତି, ତା ପର ଦୁଇ ଦିନ ଆଉ ସ୍ନାନ କରାଯାଏ ନାହିଁ। ଗୋଟିଏ ସ୍ବତନ୍ତ୍ର ସ୍ଥାନରେ ଏକତ୍ର ବସି ଆରମ୍ଭ ହୁଏ ପ୍ରସାଧାନ, ମଥାରେ ଚନ୍ଦନଟିପା,ସିନ୍ଦୁର, ଆଖିରେ କଜଳ,ପାଦରେ ଅଳତା ଲଗାଇ ନବ ବସ୍ତ୍ର ପିନ୍ଧି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି।ଗାଁ ସାରା ପ୍ରତ୍ୟେକ ପ୍ରତ୍ୟେକଙ୍କ ଘରବୁଲି ପିଠା, ମିଠା, ପାନ ଖାଇ ସାରିବା ପରେ ଦୋଳିରେ ବସି ଝୁଳନ୍ତି।ସେଇ ସମୟର ଦୃଶ୍ୟ ଜୟ ମୋହନଙ୍କ ଆଖିରେ ଏବେବି ସ୍ପଷ୍ଟ ଭାବରେ ଦୃଶ୍ୟ ମାନ ହେଉଛି।ଦୋଳି ଖେଳୁ ଖେଳୁ ଝିଅ ମାନେ ରଜଦୋଳି ଗୀତ ଗାଇ ଗାଇ ସାରା ଗ୍ରାମକୁ ଉତ୍ସବ ମୁଖର କରିଦିଅନ୍ତି।ଏଇ ସମୟରେ ପୁରୁଷ ମାନେ ମଧ୍ୟ ବିଭିନ୍ନ କ୍ରୀଡ଼ାରେ ମାତିଥାଆନ୍ତି।

 କୁହାଯାଏ ମାଆ ବସୁମତୀ ରଜସ୍ୱଳା ହୁଅନ୍ତି, ନାରୀ ରଜସ୍ୱଳା ହେଲେ ଯେମିତି ସନ୍ତାନ ଧାରଣ କରିବାକୁ ସକ୍ଷମ ହୁଅନ୍ତି ସେମିତି ପୃଥିବୀ ମା ଶସ୍ୟ ଉତ୍ପାଦନ ପାଇଁ ପ୍ରସ୍ତୁତ ହୁଏ।ତେଣୁ ଏହି ତିନି ଦିନ ନାରୀଟିଏ ବିଶ୍ରାମ ନେବା ପରି ମା ବସୁନ୍ଧରା ବିଶ୍ରାମ ନିଏ।ଏହି ସମୟରେ ଚାଷ କାର୍ଯ୍ୟ ବନ୍ଦ କରାଯାଏ, ଖୋଳା ଖୋଳି ହଳ ଇତ୍ୟାଦି ବନ୍ଦ ରହେ ,ତେଣୁ ଅବସର ହେତୁ କାର୍ଯ୍ୟ ନ କରି ସମସ୍ତେ ମନୋରଞ୍ଜନ କରିଥାନ୍ତି। କବାଡି, ତାସ୍ କାଚକଉଡି ,ଲୁଡ଼ୋ, ବାଘ ଛେଳି, ପଶା ଏମିତି ଅନେକ ଖେଳ ଖେଳି ଲୋକ ମାନେ ସମୟ ବିତାଇ ଥାଆନ୍ତି।

ତୃତୀୟ ଦିନରେ ଭୂମୀକୁ ସ୍ପର୍ଶ କରିବା ମନା, ବିଶେଷତଃ ଝିଅମାନେ ଏହି ଦିନ ଗୁଆ ଖୋଳପାକୁ ପାଦରେ ଚପଲ ପରି ଗଳେଇ ଯିବା ଆସିବା କରନ୍ତି।

ଚତୁର୍ଥ ଦିନ ବସୁମତୀ ସ୍ନାନ,ମା ବସୁମତୀ ଙ୍କୁ ପ୍ରତୀକ ସ୍ୱରୂପ ହଳ ଲଙ୍ଗଳ ସହ ସ୍ନାନ କରାଯାଏ।

ଘର ମାନଙ୍କରେ ଧୁଆ ଧୋଇ ପରିଷ୍କାର କରାଯାଇ ମହାଲକ୍ଷ୍ମୀ ଙ୍କୁ ଖଟୁଲି ଉପରେ ବସେଇ ଚୁଆ, ହଳଦୀ ଅଅଁଳା ଲଗାଇ ମହାସ୍ନାନ ପରେ ନବବସ୍ତ୍ର ରେ ସଜ୍ଜିତ କରାଯାଏ । ଫଳ, ଧୁଆମୁଗ ,ନଡିଆ ଇତ୍ୟାଦି ନୈବେଦ୍ୟ ଅର୍ପଣ ପରେ ବନ୍ଦାପନା କରାଯାଏ।

ସେ ଦିନ ମଧ୍ୟ ଝିଅ ବୋହୂ ମାନେ ନଦୀ ପୁଷ୍କରିଣୀ ରେ ସ୍ନାନ ସାରି ଗୃହ କୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁରୁଜନ ଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରନ୍ତି।.......

ସେଇ ବିଗତ ଦିନର ସ୍ମୃତି ରେ ହଜି ଯାଇଥିବା ବେଳେ କେଉଁ ଠାରୁ ଶୁଭିଲା କୁଆଁ କୁଆଁ କାନ୍ଦିବାର ସ୍ୱର।

ଜୟ ମୋହନ ଭାବୁଛନ୍ତି ,ଶିଶୁଟିଏ କେଉଁଠି କାନ୍ଦୁଛି ନା କଣ? ନା ମୋତେ ଏମିତି ଶୁଭୁଛି,

ସୁରେନ୍ଦ୍ର ତୁମେ କିଛି ଶୁଣି ପାରୁଛ,??

ସୁରେନ୍ଦ୍ର ଗାଡ଼ିର ଶବ୍ଦ ରେ କିଛି ଶୁଣି ପାରିନଥିଲେ।

ଜୟ ମୋହନଙ୍କ କଥାରେ ଗାଡ଼ିର ଗତିକୁ କମ କରି ଶୁଣିବାକୁ ଚେଷ୍ଟା କଲେ।

  "ହଁ ସାର କେଉଁଠି ଗୋଟେ ଛୋଟ ଛୁଆ କାନ୍ଦିଲା ଭଳି ଶୁଭୁଛି।"

"ଆରେ ଏଠି ତ ଘର ଦ୍ୱାର ନାହିଁ ପିଲା ଟିଏ କୁଆଡୁ ଆସିଲା।ଗାଡି ରଖିଲ ଦେଖିବା।"

ଗାଡ଼ିରୁ ଓହ୍ଲାଇ ଯେଉଁ ଦିଗରୁ ଶବ୍ଦ ଆସୁଥିଲା ସେଇ ପଟକୁ ଚାଲିଲେ।ହାତରେ ଟର୍ଚ୍ଚ, ଟିକେ ଭିତରକୁ ଯିବା ପରେ ଜୟ ମୋହନଙ୍କ ନଜର ପଡ଼ିଲା କିଆବୁଦା ମୂଳକୁ ଲାଗି ଏକ ଗଣ୍ଠିଲି ପ୍ରାୟ କିଛି ଥୁଆ ହୋଇଛି। ନିକଟକୁ ଯାଇ ଆଶ୍ଚର୍ଯ୍ୟ ହୋଇଗଲେ ସେଇ ଗଣ୍ଠିଲି ଭିତରେ କିଛି ହଲଚଲ ହେଉଥାଏ।

 ଏଥର କିନ୍ତୁ କାନ୍ଦଟା ଧୀମା ଶୁଭୁଥିଲା।ସୁରେନ୍ଦ୍ର କୁ ବଡ଼ ପାଟିରେ ଡାକ ପକାଇଲେ ଜୟ ମୋହନ। ସୁରେନ୍ଦ୍ର ଅନ୍ଧାର ଭିତରେ ବାବୁ ଆପଣ କେଉଁଠି?? ବୋଲି ପଚାରୁ ଥାନ୍ତି।ସହଜେ ଅନ୍ଧାର ରାତି,ମଝିରେ ମଝିରେବର୍ଷା ହେଉଛି।

ଓଦା ଗଣ୍ଠିଲିକୁ ଗୋଟିଏ ହାତରେ ଧରି ଟର୍ଚ୍ଚ ମାରିଦେଖିଲେ ଅତି ଦୟନୀୟ ଅବସ୍ଥାରେ ଶିଶୁଟିଏ ସେଥିରେ ବନ୍ଧା ହୋଇଛି।ଜୟ ମୋହନଙ୍କ ହାତ ବାଜିଲା କ୍ଷଣି ଶିଶୁଟି ପୁନର୍ବାର ଧୀମା ସ୍ୱରରେ କାନ୍ଦି ଉଠିଲା।

ସ୍ତବ୍ଧ ଚକିତ ହୋଇ ଉଠିଲେ ଜୟ, କିଏ ଏ ଅବିବେକି ନବଜନ୍ମିତ ଶିଶୁଟିକୁ ଛାଡ଼ି ଦେଇ ଯିବାକୁ କେମିତି ତା ବିବେକ ବାଧା ଦେଲାନି ?

ସୁରେନ୍ଦ୍ର ଏତେ ବେଳକୁ ପହଞ୍ଚି ଯାଇ ଥାଆନ୍ତି।ଦୁଇ ଜଣ ମିଶି ଶିଶୁଟିକୁ ଗଣ୍ଠିଲି ଭିତରୁ ବାହାର କରିବା ପରେ ଶୀଘ୍ର ମୋଟରଗାଡି ଭିତରକୁ ଆଣିଲେ।ଜୟ ମୋହନ ତାର ହାତ ପାଦକୁ ନିଜ ହାତରେ ଜୋର ଜୋର ଘଷି ଉଷୁମ କରିବାକୁ ଚେଷ୍ଟା କରୁଥାନ୍ତି।

 ସୁରେନ୍ଦ୍ର ଶୀଘ୍ର କାର୍ ଚଲାଅ।ନ ହେଲେ ପିଲାଟି ବଞ୍ଚି ନ ପାରେ।ସେଠାରୁ ଗାଁଆ ଆହୁରି ଅନେକ ବାଟ ଅଛି।

ଜୟ ମୋହନ ଶିଶୁର ଶରୀରକୁ ନିଜ ଶରୀରର ମଧ୍ୟରେ ଉତ୍ତାପିତ କରିବା ପାଇଁ ଜାବୋଡି ଧରି ଥାଆନ୍ତି।

ତାଙ୍କୁ ଲାଗୁଥାଏ ସତେ ଯେମିତି ଏ ଶିଶୁ ସହିତ ଜନ୍ମ ଜନ୍ମର ସମ୍ପର୍କ।

ଯା ହେଉ କୌଣସି ପ୍ରକାରେ ଜୟ ମୋହନ ଘରେ ପହଞ୍ଚି ଯାଇଛନ୍ତି ।ହେଲେ ଏ କଣ ଘରେ ଏତେ ନିରବତା।ସମସ୍ତେ ତାଙ୍କୁ ଏମିତି ଚାହୁଁଛନ୍ତି କାହିଁକି?

 ଏ ସମ୍ପର୍କରେ ପରେ ବୁଝା ଯିବ ଭାବି ଧାଈ ମାଆ ଙ୍କୁ ଡାକ ପକାଇଲେ ଜୟ।

ତାଙ୍କ ଡାକରେ ତଳ ସାହାଲାରୁ ଧାଇଁ ଆସିଲେ ବୃଦ୍ଧା ଜଣେ।ଧାଈ ମା' ଏ ପିଲା ଟିକୁ ଶୀଘ୍ର ନିଆଁ କରି ସେକିବାକୁ ପଡ଼ିବ ।ଦେଖିଲ ୟାର ଅବସ୍ଥା ବର୍ଷାରେ ଓଦା ହୋଇ ବୁଦାମୁଳେ ପଡ଼ିଥିଲା ମୁଁ ତାକୁ ନେଇ ଆସିଛି।

 ଧାଈ ମା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ।

ଜୟ ମୋହନ ହାତରେ ଯେ ସେଇ ଶିଶୁ କନ୍ୟା, ଯାହାକୁ ଆଜି ଜମିଦାରଙ୍କ ଆଜ୍ଞାରେ ତାଙ୍କ ପାଳିତ ବେଠିଆ ମାନେ ବୁଦା ମୂଳେ ଫୋପାଡ଼ି ଦେଇ ଆସିଥିଲେ।

 --ଜମିଦାର ଙ୍କ ଘରେ ଯେ କନ୍ୟା ସନ୍ତାନ ପାଇଁ ସ୍ଥାନ ନାହିଁ। ତାଙ୍କ ବଂଶର ପୁରୁଷ କେବେ କାହାର ଶ୍ୱଶୁର ବା ଶ୍ୟାଳକ ହେବା ଯେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।ଏମିତି କେତେ କନ୍ୟାସନ୍ତାନ ଜନ୍ମ ଗ୍ରହଣ କରି ମାଆର କୋଳ ଶୂନ୍ୟ କରି ବୁଦାମୂଳେ, ନଈ କୂଳେ ବିଶର୍ଜିତା ହୋଇଥାଆନ୍ତି

ତାର ହିସାବ କିଏ ରଖିଛି।

କିନ୍ତୁ ସେ କଥା ସେଇ ଅଭାଗିନି ମା' ଟିର ଅଗୋଚରରେ କରାଯାଇ ଥାଏ।

ବିଚାରି ଭାବେ ମୃତ ଶିଶୁକୁ ଜନ୍ମ ଦେଇ ସେ ମଡଛୀ ହୋଇଗଲା। ଜମିଦାର ବଂଶର ଦୁର୍ଭାଗ୍ୟ ଯେ ସେମାନେ ଗୃହକୁ ଆସୁଥିବା ଲକ୍ଷ୍ମୀଙ୍କୁ ଦୟନୀୟ ଅବସ୍ଥାରେ ତ୍ୟାଗ କରିଦେଇ ଆସନ୍ତି।

ଆଜି କିନ୍ତୁ ଜୟମୋହନ ତାଙ୍କ ବଂଶରେ ହେଉଥିବା ମହାପାପର ଅନ୍ତ ଘଟାଇ ଛନ୍ତି।

ପୁଣି ନିଜ ହାତରେ ମହାଲକ୍ଷ୍ମୀଙ୍କୁ ଆଦର ପୂର୍ବକ ପାଛୋଟି ଆଣିଥିଲେ ସେଇ ଗୃହକୁ ଯେଉଁଠି କନ୍ୟା ସନ୍ତାନ ପ୍ରାପ୍ତି ଏକ ଦୁର୍ଭାଗ୍ୟ ବୋଲି ଗ୍ରହଣ କରାଯାଉଥିଲା।

ଜମିଦାର ରାୟ ବହାଦୁର୍ ଆଜି ନିଜ ସନ୍ତାନ ପାଖରେ କାପୁରୁଷ ଆଉ ଧର୍ମାନ୍ଧର ପରିଚୟ ନେଇ ଠିଆ ହୋଇଛନ୍ତି।

କ୍ଷମା କରିପାରିନାହାଁନ୍ତି ସେ.....

କ୍ଷମା କରି ପାରିନାହାନ୍ତି ତାଙ୍କ ପୁର୍ବ ପୁରୁଷଙ୍କୁ ଯେଉଁମାନେ ବାରମ୍ବାର ଏ ଅକ୍ଷମଣୀୟ ଅପରାଧ କରି ନିଜ ପୁରୁଷ ପଣିଆର ଡ଼ିଣ୍ଡିମ ପିଟି ଥାଆନ୍ତି।

ଏ ପାପର ଯେ ପ୍ରାୟଶ୍ଚିତ ନାହିଁ..  ....

     ପିତାଙ୍କ ମହାପାପର ପ୍ରାୟଶ୍ଚିତ ତାଙ୍କୁ କରିବାକୁ ହିଁ ପଡ଼ିବ। ନିଜ ବଂଶର ଏଇ ନିନ୍ଦନୀୟ ପରମ୍ପରା ବିରୁଦ୍ଧରେ ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରିବା ଲାଗି ନିଜେ ଆଉ ଦ୍ୱିତୀୟ ସନ୍ତାନର ପିତା ନହେବାର ସଂକଳ୍ପ ନେଲେ ଜୟ ମୋହନ।

      ଏକମାତ୍ର ସନ୍ତାନ ଭାବରେ ଅପରାଜିତା ଥିଲେ ବାପା ଆଉ ମାଆଙ୍କର ଗର୍ବ ଆଉ ଗୌରବ। ଆଭିଜାତ୍ୟ ପରମ୍ପରାକୁ ନିଜ ସଂସ୍କାର ସ୍ୱାଭିମାନ ରେ ରୂପାନ୍ତରିତ କରି ଗଢିଥିଲେ ଏକ ଉନ୍ମୁକ୍ତ ସମ୍ଭାବନାକୁ। ଶେଷ ପର୍ଯ୍ୟନ୍ତ ରାୟ ବହାଦୁର୍ ଜଗତ ମୋହନ ନିଜ ବଂଶ ଲୋପ ହେବାର ଭ୍ରାନ୍ତ ଧାରଣାକୁ ଜାବୋଡି ଧରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


  ଆତସବାଜିର ଶବ୍ଦରେ ଭାବନାରୁ ବିରତ ହେଲେ ଜୟମୋହନ, ବର ଓ ବରଯାତ୍ରୀ ଆସି ଗୃହର ସନ୍ନିକଟରେ ପହଞ୍ଚି ଗଲେଣି। ବରକୁ ବାଟବରଣ କରିବାକୁ ଚାଲିଲେ ସେ.....।


      


Rate this content
Log in

Similar oriya story from Action