Anasuyamimi Rout

Tragedy Classics

3  

Anasuyamimi Rout

Tragedy Classics

ମାଉସୀ

ମାଉସୀ

5 mins
192


 

ଦିନ ଏଗାରଟା ବୈଶାଖ ମାସ ଖରା ମାଟିରେ ପାଦ ରଖୁ ରଖୁ ପାଦ ଯେମିତି ଫୋଟକା ହୋଇ ଯିବ।ଚାରିଆଡେ ପ୍ରକାଶ ହିଁ ପ୍ରକାଶ ।ଘରର ଗଳି କନ୍ଦିରେ ଆଲୋକ ଯେମିତି ଯୋରଜବରଦସ୍ତ ପଶି ଆଲୋକିତ କରୁଛି।ନମିତା ମାଉସୀ ଏ ଗରମଟାରେ କେମିତି ଝରକା କବାଟ ବନ୍ଦ କରି ଘର ଭିତରେ ଅଛି।ଗରମ ହଉଛି ଜୋରରେ ,ଏ ଖରାଦିନରେ ବିଜୁଳି ତ ଏମିତି ଗାଁରେ ସବୁବେଳେ କଟେ।ଆଜିବି ସକାଳୁ ଏ ଯାଏ ନାହିଁ ଶୋଇଥିବ ବୋଧେ।ତିନିବଖରା ମାଟି ଘରକୁ ଲାଗି ବଡବଖରାଏ ପକ୍କାଘର।ମଝିଦୂଆରେ ମାଟି ଚୂଲି ,ଚୂଲି ପାଖରେ ଜାଳ ଘଷି ସଜଡା ହୋଇ ଥୁଆ ହେଇଛି।ଚୂଲି ଉପରେ ଭାତହାଣ୍ଡିରେ ପାଣି ଯୋଗରା ହେଇଛି।ମାଉସୀ ଏବେ ନଈରୁ ଗାଧୋଇ ଆସିଛି ବୋଧେ ଦସ୍ତା ବାଲ୍ଟିରେ ଲୁଗାପଟା ସେମିତି ଚିପୁଡା ହୋଇ ଥୁଆ ହୋଇ ଅଧା ସୁଖି ଗଲାଣି।ଚୂନି ଲୁଗାପଟା ଦିଖଣ୍ଡ ସୁଖେଇ ଆସିଲା।ମାଉସୀକୁ ଡାକିବ କି ନାଇଁ ଭାବୁଥିଲା।ଆଉ ଟିକେ ଯାଉ ମୁଁ ଚୂଲି ଲଗେଇ ଦିଏ ପାଣି ତାତିଲା ବେଳକୁ ଡାକିବି କେତେଚାଉଳ ପଡିବ କହିବ ମାଉସୀ।

ଚୂଲି ଲଗଉ ଲଗଉ ପିଲାବେଳ କଥା ମନେପଡି ଯାଉଥିଲା।ଆଖିରେ ଦିଟୋପା ଲୁହ ଆସି ବର୍ତ୍ତମାନକୁ ଧୋଇଦେଲା।

ମା' ଆଉ ମାଉସୀ ଦୁହେଁ ସମାନ ନ ହେଲେ ବି ସ୍ନେହ ମମତାରେ ମାଉସୀ କେବେ ଉଣା କରିନି।ଚୂଲିଜଳିବାର ବାସ୍ନାରେ ନମିତା ମାଉସୀ କବାଟ ଖୋଲି ବାହାରକୁ ଆସିଲା।

-ଚୂନି ତୁ....ତୁ କାହିଁ ଚୂଲି ଲଗେଇଲୁ ମୁଁ କରି ନଥାନ୍ତି।

- ମାଉସୀ ତୋର ଦେହ କ'ଣ ଭଲନାହିଁ କି ମୁହଁ କ'ଣ ଏମିତି ଫୁଲିଛି?

ମାଉସୀ କିଛି ନ କହି ଚୁପ ରହିଲା ।ମୁଁ ବି କେଡେ ବୋକି ଝିଅଟି ଏତିକି ବୁଝୁନି ମାଉସୀ ଘର ଭିତର ଅନ୍ଧାର କରି କାନ୍ଦୁଥିଲା।ତା' କାନ୍ଦ ଯେମିତି କାହା କାନରେ ନ ପଡୁ।ଚୂନି ତୁ ପିଲାଲୋକ ନିଆଁ ଠାରୁ ଦୂରେଇ ରହ ମୁଁ କରି ଦଉଛି ତୁ ଉଠୁ।ପାଟିରୁ ଶବ୍ଦ ଗୁଡାକ ଯେମିତି ବାହାରିବାକୁ ବଳ ପାଉ ନଥାନ୍ତି।ମୁଁ ଚାଉଳ ଧୋଇ ପକେଇଲି ମାଉସୀ ପରିବା କାଟି ବସିଲା।ବେଶୀ କିଛି କଥା ନାହିଁ ଏତିକି ପଚାରିଲା ...

ତୁ କେତେବେଳୁ ଆଇଲୁଣି ?ଖାଇଚୁ ନା ନାହିଁ।ମୁଁ ଖାଇଛି ମାଉସୀ।ମାଉସୀ ପୂରା ଅନ୍ଯ ମନସ୍କ ପରିବା କାଟୁ କାଟୁ ପନିକି ଟିକେ ଲାଗିଗଲା ଆଙ୍ଗୁଠିରେ।ମୁଁ ବ୍ଯସ୍ତ ହୋଇ ଡେଟଲ ଖୋଜୁଥିଲି।ଡେଟଲ କୋଉଠୁ ଆସିବ ଚୂନି ସେ ଗଲା ଦିନୁ ଆମର ଆଉ କିଛି ଦରକାର ପଡୁନି।ମୁଁ ମାଉସୀ ହାତରେ ନଡିଆ ତେଲଟିକେ ଲଗେଇଦେଲି ରକ୍ତ ବନ୍ଦ ହେଇଗଲା।

ସୀତା ମା (ନମିତା ମାଉସୀ ବୋଉ)ପିଇବା ପାଣି ଗରା ଆଣି ଥୋଇଦେଇ ଲଥ କରି ପିଣ୍ଢାରେ ବସି ପଡିଲା।ମାଉସୀ ପାଖରେ ମୋତେ ଦେଖି ସୁଁ ସୁଁ ହୋଇ କାନ୍ଦିଲା।

- ସୀତା ମା' କାନ୍ଦୁଛୁ କାହିଁକି..?ଯିଏ ଯେତିକିରେ ଆସିଥିଲା ସେତିକିରେ ଗଲା।ତୁ କ'ଣ ତାଙ୍କୁ ଅଟକାଇ ପାରିଥାନ୍ତୁ।

- ଏମିତି ଅଧାବାଟରେ ଛାଡି ଚାଲିଗଲା।ଦେଖିଲୁ ମାଉସୀ ଅବସ୍ଥା କ'ଣ ହେଲାଣି ଝୂରି ଝୂରି।

ମାଉସୀ ଆଖିରେ ଲୁହ ନାହିଁ ଛାତି ଯେମିତି ପଥର ପାଲଟି ଯାଇଛି ଲୁହବରଫ ପାଲଟି ଯାଇଛି।ମୋର ମାଉସୀ କଥା ମନେ ପଡ଼ିଯାଉଥିଲା ସେତବେଳର ଖୁସିମିଜାଜର ମାଉସୀ ଆଜି ଯେମିତି ବଦଳି ଯାଇଛି।ସ୍ନେହ ମମତା କିନ୍ତୁ ସେମିତି ଅଛି।

ମାଉସୀ - ଚୂନି ତୁ ମୋ ଝିଅ..!

ଚୂନି - ହଁ ମାଉସୀ ମୁଁ ପରା ତୋ ଝିଅ।ବାତ୍ଯା ହେଲା ତୁ ମୋତେ ହାଣ୍ଡିରେ ପୂରେଇ ନଉଥିଲୁ ମୁଁ ଭାସିଗଲି।ମୋ ବାପା ବୋଉ ମୋତେ ପାଇକି ରଖିଲେ।ତୋତେ ଆଉ ଦେଲେନି,ମୁଁ କାନ୍ଦିକି ଯାହା ତୋ ପାଖକୁ ବେଳେ ବେଳେ ଆସେ।

ମାଉସୀ ଭେଁ କିନା କାନ୍ଦି ପକେଇ ମୋତେ କୁଣ୍ଢେଇ ପକେଇଲା।ତୋର

ମନେ ଅଛି ଚୂନି... ମୋ ସୁନା ଝିଅ।ପିଲାବେଳେ ମୁଁ ତୋତେ ସବୁବେଳେ ଏଇ ଗପ କହଇ।ହଁ ମାଉସୀ...!

ମୁଁ ସେଇକଥାରୁ ବୁଝିଯାଏ ତୁ ମୋତେ କେତେ ଭଲ ପାଉ ଆଦର ଯତ୍ନ କରୁ।ଯୁଆଡେ ଗଲେ ମୋତେ ସାଙ୍ଗରେ ନେଉ।ମୋତେ ସଜବାଜ କରି କୋରରେ ସୁଆଉ।ଗରମ ହେଲେ ମୁଁ ଶୋଇ ପାରେନି ତୁ ପରା ରାତିସାରା ଅନିଦ୍ରା ହୋଇ ମୋତେ ବିଞ୍ଚଣାରେ ବିଞ୍ଚୁଥାଉ।ମାଉସୀ ତୁ କ'ଣ ରାତିସାରା ଶୋଇନୁ ...?ନାଇଁ ବା ଗୋଟେ ଦିଟା ମଶା ଗୁଣୁ ଗୁଣୁ ହଉଥିଲେ ତ ଏଇଟିକେ ବିଞ୍ଚଣା ବୁଲେଇ ଦେଲି।ଅଜାଙ୍କ ଠାରୁ ପଇସା ଆଣି ମୋତେ ସବୁବେଳେ ଗୁଲୁଗୁଲା ଆଣି ଖୁଆଇ ଦେଉ।ମାଉସୀ ତୋ ହାତରୁ ଗୁଲୁଗୁଲା ଖାଇବାର ସୁଆଦ ମୁଁ ଆଜିଯାଏ ଭୂଲିନି ।

ନମିତା ମାଉସୀ ମୋ ବୋଉର ଦାଦା ଝିଅ ଭଉଣୀ।ଅଭାବ ପରିବାର ପାଇଁ ସିନା ଘର ମଝିରେ ପାଚେରୀ ଉଠିଥିଲା।ରକ୍ତ ସଂମ୍ପର୍କ ସେମିତି ଗୋଟିଏ ଧାରାରେ ବୋହି ଚାଲିଥିଲା।ମୁଁ ପଞ୍ଚମ ଷଷ୍ଠ ପଢିବାଯାଏ ମାମୁଁ ଘରକୁ ଆସିବାକୁ ସବୁବେଳେ କାନ୍ଦେ।ବାପା ବୋଉ ନ ଆସିଲେ ବି ନମିତା ମାଉସୀ ପାଖରେ ରହିଯାଏ।ନମିତା ମାଉସୀର ସ୍ନେହ ମମତା ମୋତେ ଯେମିତି ଟାଣି ଆଣେ।ମାଉସୀର ବାହାଘର ପରେ ମୁଁ ଆଉ ମାମୁଁ ଘରକୁ ଆସିବାକୁ ଏତେ ଭଲ ପାଏନି।ପିଲାବେଳେ ଏମିତି ଲାଗେ ମାଉସୀ ମୋର ଏକା।ମଉସା ଆସିବା ପରେ ମୋ ମାଉସୀର ଭଲପାଇବା କେବେ କମିନି ହେଲେ ମୋତେ ଲାଗେ ମଉସା ମୋ ସାଙ୍ଗରେ ଯେମିତି ଭାଗବସେଇଛନ୍ତି।

ଶନିଆ ଅଜାର ନମିତା ମାଉସୀ ଗୋଟେ ଝିଅ।ଅଭାବି ପରିବାର ବିଲରେ ଖଟିଲେ ଛମାସକୁ ଧାନ ହେବ।ଆଉ ଛମାସ ମଜୁରୀରେ ଦିନ କଟିଯାଏ।ଘରେ ଯେତେଅଭାବ ହେଲେ ବି ନମିତା ମାଉସୀ କାନରେ ପଡେନି କି ତା'ର କୌଣସି ଜିନିଷ ଊଣା ପଡେନି।ଶନିଆ ଅଜା ନମିତା ମାଉସୀକୁ ଭାରି ଭଲ ପାଆନ୍ତି।ନମିତା ମାଉସୀ ମେଟ୍ରିକ ପାସ ଆଉ ଆଗକୁ ପଢେଇବାକୁ ଅସମର୍ଥ ଥିଲେ ଅଜା।ଘରେ ବିଶେଷ କାମ ଦାମ କରିବାର ଦେଖିଲେ ସୀତା ମା'ଉପରେ ଗାଳି।ଆମେ ଥିବାଯାଏ ଆମ ଝିଅ ଭଲରେ ରହିବ।ଆମେ ଗଲାପରେ ସେ ଯାହାକରୁଛି କରୁ।ଝିଅକୁ ପାଖରୁ ଦୂରେଇ ପାରିବେନି ...ଝିଅ ମାସେ ଶାଶୂଘରେ ରହିଲେ ଦିମାସ ବାପଘରେ ରୁହେ।ସେଥିପାଇଁ କେତେ ଝଗଡା ଝାଣ୍ଟି।

ଗଲାସନ କଥା କିଛି ନଥିଲା ଭାଦ୍ରବ ମାସ ବିଲରେ ବୁଆ ବାଛିବାକୁ ଯାଇଥିଲେ।ବୁଆବାଛିସାରି ଗାଈ ପାଇଁ ଘାସ ବୋଝେ କାଟିସାରି ମୁଣ୍ଡେଇ ଘରକୁ ବାହାରିଥାଆନ୍ତି।ଆକାଶ ନିର୍ମଳ ଖରା ଯେମିତି ଦେହହାତରେ ଛୁଞ୍ଚି ମୂନ ପରି ଫୁଟେଇ ପକଉଥାଏ।ଅଚାନକ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସିଲା।ବିଜୁଳି ଚଡକ (ଘଡଘଡି) ଗାଈ ବଳଦ କିଏ କୁଆଡେ ଘରକୁ ବାହୁଡି ଯାଉଥିଲେ।ଶନିଆ ଅଜା ତରବର ହେଇ ଘାସ ବୋଝ ମୁଣ୍ଡେଇ ଗହିର ଟପି ଗାଁ ରାସ୍ତାକୁ ବାହାରି ପଡିଲା।ଘର ଆଉ ଦି ଖୋଜର ବାଟ ଚଡକ ପଡି ସେଇ ଅଧା ରାସ୍ତାରେ ଆଖିବୁଜିଦେଲେ।ସାଙ୍ଗେ ସାଙ୍ଗେ ଚହଳ ପଡିଗଲା ରାସ୍ତା ଉପରେ ଚଡକ ମାରି କିଏ ଚାଲିଯାଇଛି।ଗାଁ ଲୋକ ଦୌଡିଗଲେ ଦେଖିବାକୁ।

ନମିତା ମାଉସୀର ମନ ବାପା ପାଖରେ, ସେତେବେଳୁ ମେଘଛାଡିଲାଣି

ବାପା କାହିଁ ଘରକୁ ଆସିନାହାଁନ୍ତି।ରାସ୍ତାରେ ଲୋକମାନଙ୍କର ଗହଳି ଦେଖି ଦୌଡି ଯାଇଥିଲା।ଭିଡ ଭିତରୁ ଆଡେଇ ଦେଖିଲା ବାପା....!ସେତିକି ଡାକି ବେହୋସ ହେଇ ପଡିଗଲା।ତା' ପରେ ସେ ଆଉ କିଛି ଜାଣିନି।ଚେତା ଫେରିଲା ବେଳକୁ ସବୁକିଛି ସରିଲାଣି।ଗାଁ ମଶାଣୀରେ ବାପା ମୁଠାଏ ପାଉଁସ ଖାଲି।ସେଇଦିନୁ ଯେମିତି ସେ ମୁକ ପାଲଟି ଯାଇଛି। ବର୍ଷେ ହେଲା ବାପା ଘରଛପର କରିଯାଇଥିଲେ।ନୂଆ ଘରଛପର କରିବାକୁ ମନା କରୁଛି ସିନା ମଉସାଙ୍କୁ।ବାପାଙ୍କ କଥା ବେଶୀ କଷ୍ଟ ହେଲେ ଘରଭିତରେ କବାଟ ଦେଇ ଏକୁଟିଆ ବନ୍ଦଘରେ ଗୁମୁରି ଗୁମୁରି କାନ୍ଦେ ମନ ଶାନ୍ତ ପଡିଲେ ବାହାରି ଆସେ।ସିନା ମଉସା କେତେଥର କହିଲେଣି ଚାଲ ଆମେ ସମସ୍ତେ ଆମ ଘରକୁ ପଳେଇବା ମନ ପରିବର୍ତ୍ତନ ହେଇଗଲେ ଏ ଘରକୁ ଆସିବା।ସେ କେବେ ରାଜି ହେଇନି ଏଇଠୁ ଚାଲିଗଲେ କାଳେ ତା' ବାପା ତା' ଉପରେ ଅଭିମାନ କରିବେ।ଏଇଠି ସେ ତା' ବାପାଙ୍କୁ ପାଉଛି ଖୁସିରେ ଅଛି।ସେଇ ପୂରୁଣା ଚାଳଛପରରେ ଯେମିତି ବାପାଙ୍କ ଝାଳ ଗୋଳି ହେଇଛି।ବାପାଙ୍କୁ ସେ ସେଇଥିରୁ ଅନୁଭବ କରୁଛି।ଗୋଟିଏ ଝିଅ ବୋଲି ଅଭାବ କ'ଣ ଜାଣି ପାରୁ ନଥିଲା।ଯାହା ଦରକାର ବାପା ଆଣିଦେବେ ସ୍ବାମୀ ଉପରେ ନିର୍ଭର କେରନି।ପଇସା ପତ୍ର ଅଭାବ ହେଲେ ବାପାଙ୍କୁ କହିଲେ ଦେବେ ତୁମେ ବ୍ଯସ୍ତ ହୁଅନି ଏତିକି ଖାଲି କୁହେ।ଟଙ୍କା ପଇସା ମାଗୁ ମାଗୁ ରାତିପାହି ସକାଳ ହେଲେ ବାପା ଦେଇ ଆସିବେ।ଆଜି ଶନିଆ ଅଜା ନମିତା ମାଉସୀ ପାଖରୁ କୁଆଡେ ବହୁଦୂରକୁ ଚାଲିଯାଇଛନ୍ତି।ଚାହିଁଲେ ବି ଆଉ ଫେରି ପାରିବେନି।ସୀତା ମା' ନମିତା ମାଉସୀକୁ ଦେଖି ନିଜେ ସ୍ବାମୀ ହରେଇଛନ୍ତି ବୋଲି ଭୂଲିଗଲେଣି।ଝିଅ କଥା ଭାବୁଛନ୍ତି ସେ କେମିତି ତା' ବାପାଙ୍କୁ ଭୂଲି ତା' ଘର ସଂସାର କରିବ।ନହେଲେ ନମିତା ବାପା ଉପରେ ଥାଇଁ ସବୁ ଦେଖୁଥିବେ।ମୁଁ ତାଙ୍କ ପାଖକୁ ଗଲେ ମୋତେ ଗାଳି ଦେବେ ।ତୋତେ ନମିର ଦାୟିତ୍ବ ଦେଇ ଆସିଥିଲି ଦିନ କେଇଟାରେ ସେ କେମିତି ଦେଖା ଗଲାଣି।

ମାଉସୀର ଦୁଃଖ ମୋ ଆଖିରେ ଗଲାନି।ଶନିଆ ଅଜା ଚାଲିଯାଇନି ଯେ ନମିତା ମାଉସୀ ମୁହଁରୁ ହସ ଛଡେଇ ନେଇଛି।ପୂରା ଘରଟା ଯେମିତି ଶୂନସାନ ସେ ଘରେ ଓଳିଏ ଚୂଲି ଜଳିଲେ ଚାରିଓଳି ପରେ ଭାତ ଯାଇଁ ଗୋରୁ ହାଣ୍ଡିରେ।ମୁଁ ସେଠି ଚାରିଦିନ ରହି ପାରିଲିନି ଚାଲି ଆସିଲି ଆମ ଘରକୁ।ଆଜିକୁ ଛମାସ ହେଲାଣି ଯାଇଥିଲି।ଆଜି ସେ ଘରୁ ଆଉ ଗୋଟିଏ ଖବର ଆସିଲା।ବୋଉ ମୁଣ୍ଡ କୋରି କାନ୍ଦୁଛି ଯେତେ ଯାହାହେଲେ ସେ ତା'ସାନ ବୋଉ..!ସୀତା ମା' ଚାଲିଗଲା ନମିତା ମାଉସୀକୁ ଏକା କରି ଶନିଆ ଅଜା ପାଖକୁ।ବୋଉ ବାହୁନି ବାହୁନି କାନ୍ଦୁଥାଇ ଭାରି ଅଲିଅଳରେ ବଢେଇ ଥିଲେ ନମିତାକୁ।ଦି ଜଣ ଆଗପଛ ହେଇ ଏକୁଟିଆ କରି ଚାଲିଗଲେ।ନମିତା ମାଉସୀର ସ୍ନେହ ମମତା ମୋତେ ତା' ପାଖକୁ ଆଉଥରେ ଟାଣି ନେଲା।ତା'ଆଖିରେ ଲୁହ ଦେଖିବାକୁ ମୋ ପାଖରେ ଧର୍ଯ୍ଯ ନ ଥିଲା।ବୋଉ ସାଙ୍ଗରେ ଯାଇଥିଲି।ସେ କାନ୍ଦୁଥିବାର ଦେଖି ବୋଉ ପଛେ ପଛେ ରହିଲି।ଭିଡ ଭିତରୁ ସେ ମୋ ବାସ୍ନା ଯେମିତି ବାରି ପାରେ ଆଉ ମୁଁ ତା'ପଣତର ବାସ୍ନା।ତା' ଆଖିରୁ ଦୁଇ ପାପୁଲିରେ ଲୁହ ପୋଛି ମୁଁ ଭେଁ ଭେଁ ହୋଇ କାନ୍ଦି ପକେଇଲି।ମୋ ଆଖିର ଲୁହ କେବଳ ନମିତା ମାଉସୀ ପାଇଁ।ସୀତା ମା' ତ ଅଜାଙ୍କ ପାଖକୁ ଯାଇଛି ଖୁସିଥିବ।ବନ୍ଧବାଡ ଭାଙ୍ଗି ଲୁହ ଗଡି ଚାଲିଲା।ମାଉସୀ ପଦେ କଥା କହିଲା ଚୂନି ବାପା...ବୋଉକୁ ଡାକି ନେଲା।ମୋତେ ଏକା କରି ଚାଲିଗଲେ।ମୁଁ ବୁଝେଇଲି ମଉସା ଅଛନ୍ତି ତୋ ଭଲମନ୍ଦ ବୁଝିବେ ତୁ ଚିନ୍ତା କାହିଁ କରୁଛୁ।ଚୂନି ତୁ ମୋ ଝିଅ ହେବୁ...!ହଁ ମୁଁ ପରା ତୋ ଝିଅ ମାଉସୀ...!



Rate this content
Log in

Similar oriya story from Tragedy