ନାୟକ ଅକ୍ଷୟ ରାଜହସ୍ତୀ

Abstract Tragedy

4  

ନାୟକ ଅକ୍ଷୟ ରାଜହସ୍ତୀ

Abstract Tragedy

ମାଟି

ମାଟି

4 mins
256


         ସବୁଦିନ ପରି ଘରପାଖ ଷ୍ଟିଲ କମ୍ପାନୀରେ କାମକରିବାକୁ ସେଦିନ ମଧ୍ଯ ସାଢେ଼ ଆଠଟା ବେଳେ ନିଜ ସୁରକ୍ଷା ଉପକରଣ ସହ ଟିଫିନ୍ କାରିଆ ଧରି ଘରୁ ବାହାରିଲା ଧୋବେଇ l କାମକରିବାର ସମୟ ନଅଟା ବେଳେ ସିନା,ହେଲେ ପେଟକୁ ମୁଠେ ଦାନା ଓ ପିନ୍ଧିବାପାଇଁ ଖଣ୍ଡେ କନା ପାଇଁ ପଞ୍ଚାବନ ବର୍ଷ ବୟସ ହେଲେ ବି ବର୍ଷା, ତରା , ଜାଡ ହାଲପ ନ ମାନି ସୁଦ୍ଧା ବହାରିଯାଆନ୍ତି ସେ l ଖାଲି କମ୍ପାନୀ ମୂଖ୍ୟଫାଟକ ଯାଏ ପହଞ୍ଚିବା କଥା, ସେଠୁ କର୍ଯ୍ୟସ୍ଥଳୀକୁ ବସରେ ଯିବାକୁ ହୁଏ l ଏଇ ଦଶ କୋଡ଼ିଏ ମିନିଟ୍ ସମୟ ବସରେ ବସିବା ବେଳେ ଅନ୍ୟ କର୍ମଚାରୀମାନେ ଏଇ ପରିଣତ ବୟସରେ କାମ ନ କରିବାକୁ ବାରଣ କରନ୍ତି l କିନ୍ତୁ ଧୋବେଇ କହେ କାମ ନ କଲେ କିଏ ଅଛି ଯେ ଖାଇବାକୁ ଦେବ l ରାଣ୍ଡୀ ଖଣ୍ଡି ଲୋକ l ଆଉ ମାତ୍ର ପାଞ୍ଚ ବର୍ଷ ଖଟିବ l ଷlଠିଏ ବର୍ଷ ପରେ ତ ଆଉ କମ୍ପାନୀରେ କାମ ନାହିଁ l ତା ଛଡା ତାଙ୍କୁ ବି ଷାଠିଏ ବର୍ଷ ପୁରି ସାରିଲାଣି l ଜଣେ ନାତି ଟୋକା ଗାଆଁ ଜନସେବା କେନ୍ଦ୍ରକୁ ଯାଇ ଆଧାରକାର୍ଡରେ ବୟସ କମେଇ ଦେଇଛି l ନ ହେଲେ ଏବେ ସେ ଘରେ ଥାଆନ୍ତେ l ହାତ ଗୋଡ ଦିଟା ଚଳୁଛି ବୋଲି କହି କେତେ ବିଥେଇ କୁତେଇ ହୁଅନ୍ତି l 

ଏମିତିକା କଥା ହଉ ହଉ କେତେ ବେଳେ କାର୍ଯ୍ୟସ୍ଥଳୀ ବସଷ୍ଟାଣ୍ଡରେ ଗାଡି ପହଞ୍ଚି ଯାଏ ଜାଣି ହୁଏନି l ସେଇଠି ପହଂଚି ଗଲାପରେ ସୁପରଭାଇଜର ସଂଗେ ସଂଗେ କେଉଁଠି କାମ ହେବ??

କିପରି ସୁରକ୍ଷାରେ କାମ ହେବ ??

ତାର ପରମିଟ୍ ବନେଇ କାମରେ ଲଗେଇ ଦିଅନ୍ତି l ଯେମିତିକା ଅଣକୁଶଳୀ କାମ ହେଉ ପଛେ ବି ସେ କାମରେ ଲାଗି ଖୁସି ହୁଅନ୍ତି l ଚଟାଣ ସଫା ହେଉ , କି ଅଫିସ୍ ଗ୍ଲାସ୍ ପୋଛାପୋଛି, କିମ୍ବା ବଗିଚାକାମ ହେଉ ସମସ୍ତ ପ୍ରକାରର କାମକୁ ନିସଙ୍କୋଚରେ କରି ଚାଲନ୍ତି l

          ଦିନକର ଘଟଣା....

ଧୋବେଇ ଯେଉଁ ସେକ୍ସନ୍ ରେ କାମ କରୁଥିଲେ ସେ ବିଭାଗୀୟ ଅଧିକାରୀ ଥରେ କହିଲେ ଅଫିସ ସାମନାରେ ଦି ଚାରିଟା ଫୁଲ ଗଛ ଲଗେଇବାକୁ l ଏଥିପାଇଁ ମାପ ଚୁପ କରି ଧୋବେଇକୁ ଏଥିରେ ନିୟୋଜିତ କଲେ l ଧୋଵେଇ ଘର ବାଡ଼ି କାମ ପରି ମନ ଧ୍ୟାନ ଦେଇ କାମରେ ଲାଗି ଗଲେ l ଅଫିସ୍ ପାଖକୁ ସରସ ସୁନ୍ଦର ଓ ମୁକ୍ତ ଜଳବାୟୁ ଚଳାଚଳ ପାଇଁ ବିଦେଶରୁ ଅଣାଯାଉଥିବା ନାନା ଜାତିର ଗଛକୁ ଲଗେଇ ତା ମୂଳରେ ରାସାୟନିକ ସାର ଓ ମୁଠେ ମାଟି ଦେବାକୁ କହିଲେ l ଧୋବେଇ ରାଜି ହେଲା l  

ଟିପ୍ପରରେ ଅଣା ଯାଇଥିବା ମାଟି ଗଦାରୁ ଦି ହାତରେ ମାଟି ଆଞ୍ଜୁଳାଏ ଗଛମୂଳକୁ ଦେଲା ବେଳକୁ ତା ଭିତରୁ ରୂପାର ଲକେଟଟିଏ ପାଇ ଚମକି ପଡ଼ିଲେ ସେ l ପାଖନଳରୁ ପାଣି ମଗଟିଏ ଆଣି ଧୋଇଧାଇ ଦେଲେ l ସେ ଆହୁରି ଧୋବ ଫରଫର ହୋଇ ଦିଶିଲା lଏଇ ଲକେଟ୍ ସାଙ୍ଗରେ ତ ତାଙ୍କରି ଆଗରୁ ସମ୍ବଦ୍ଧିତ l ହଜିଲା ଦିନର ସ୍ମୃତିଟିଏ ପାଖରେ ପାଇ ଖୁସିରେ କାନ୍ଦି ପକାଇଥିଲେ lସେ ମନେପକେଇ ଚାଲିଲେ ଚାଳିଶି ବର୍ଷର ସେଇ ଅଭୁଲା ଅତୀତକୁ l         

         ଆଷାଢୁଆ ସମୟ ....

 " ହ ...ଡି ଡି ....ହ ...

 କଷରା...... କାଳିଆ ....

 ବୁଲି ଯା.....

ବୁଲି ଯା...

ଯା ବୁଲି ଯା '...

ଅଞ୍ଚା ମୁଣ୍ଡଜୁ " କହି କେନ୍ଦୁ ପାଞ୍ଚଣ ଧରି ପାଟିକରନ୍ତି ରତନା l

ସତକୁ ସତ ବଡ଼ ପାଟି ଶୁଣି ବଳଦ ଦିଟା ବୁଲି ପଡନ୍ତି l ହଳଧରା ସରିଯାଏ ଠିକ୍ ଦଶଟାବେଳେ ପାଣି ଖରା ପଡ଼ିବା ଆଗରୁ l ଧୋବେଇ ହୁଡ଼ାରେ ହୁଡ଼ାରେ ମୁଣ୍ଡରେ ପଖାଳ କଂସାଏ, କଞ୍ଚା ଲଙ୍କା, ସଜନା ଛୁଇଁ ଆଚାର ନେଇ ହଜାର ହୁଅନ୍ତି ବିଲମୁଣ୍ଡ ଜାମୁଗଛ ମୂଳେ l ସେଇଠି ରତନା ଢାଳରେ ନେଇଥିବା ପାଣିରେ ମୁହଁ ହାତ ଧୋଇ ହୋଇ ବସି ପଡନ୍ତି l ହସି ହସି କହନ୍ତି ଓଃ କି ଶାନ୍ତି ସତରେ??? ବେକର ଲକେଟ୍ ହସ ହସ ମୁହଁକୁ ମିଶିଯାଉଥାଏ l

 ହଳ ଲଙ୍ଗଳର ଦି ସିଆରିଆ ଚାଷ ଯୋଗୁ ମାଟି ମହକି ଉଠୁଥାଏ lଘରେ ଖାଇବା ମଜାଠୁ ବିଲ ମୁଣ୍ଡରେ ଖାଇବାର ମଜାକୁ ପ୍ରଶଂସା କରନ୍ତି ସେ l ଏଇମିତି ହସ ଖୁସିରେ ଦିନ ସବୁ ବିତିଯାଉଥିଲା l ହେଲେ ଦଇବ ଦିହରେ ଖୁସି ଗଲା ନାହିଁ l ଶ୍ରାବଣ ମାସ ଜୋର ବର୍ଷା ସମୟରେ ବିଲରୁ ଘରକୁ ହଳ ଧରି ଫେରୁଥିବା ବେଳେ ଚଡ଼କ ମାରିଲା l ଦି ବଳଦ ସାଙ୍ଗରେ ରତନା ବି ଆରପୁରକୁ ଚାଲିଗଲେ l ତାଙ୍କ ଜୀବନକୁ ଦୁଃଖ ଘନେଇ ଆସିଲା l ସାହି ଭାଇମାନେ ରତନାର ମଲା ଦିହକୁ ସେଇ ଜମିରେ ପୋତି ଦେଇ ଆସିଲେ l ସେ ବାୟାଣୀ ପରି ହୋଇ ଘୁରିବୁଲିଲେ l କିଛିଦିନ ପରେ ଶାଗମାଛ ମୂଲ ଦରରେ କମ୍ପାନୀ ଜମି ଅଧିଗ୍ରହଣ କରି ଜମିହରା ଲୋକଙ୍କୁ ନିଯୁକ୍ତି ଦେବ ବୋଲି ମିଛ ପ୍ରତିଶ୍ରୁତି ଦେଲା l ଗାଆଁ ଲୋକଙ୍କ ସହ ମିଶି ଧୋବେଇ ବାଧ୍ୟ ହୋଇ ସେଥିରେ ରାଜି ହେଇଗଲେ l କ୍ଷତିପୂରଣ ବାବଦକୁ ମିଳିଥିବା ଅର୍ଥରେ କିଛି ଦିନ ଚଳି କଂପାନୀରେ ଶ୍ରମିକଭାବେ ନିଯୁକ୍ତ ହେଲେ l ଆଉ ଦୁଃଖକୁ ସୁଖ ଭାବି 

କାମରେ ମଜ୍ଜୀ ଯାଆନ୍ତି l କିନ୍ତୁସେଦିନର ମାଟି ଭିତରୁ ଲକେଟ୍ ପାଇ ସ୍ମୃତି ସନ୍ତକ ରୂପେ କିଛି ମାଟି ଟିଫିନ୍ କରିଆ ଭିତରେ ପୁରାଇ କାର୍ଯ୍ୟସ୍ଥଳୀରୁ ବାହାରି ଆସିଲେ lଫେରିଲାବେଳେ ଦୁଇ ନମ୍ୱର୍ ଫାଟକ ପାଖରେ ସିକୁରିଟୀ ଗାର୍ଡ କଂପାନୀ ଭିତରୁ ମୂଲ୍ୟବାନ ସାମଗ୍ରୀ ଚୋରୀ ହେଉଥିବାର ଖବର ପାଇ କାମରୁ ଫେରୁଥିବା ସମସ୍ତ ଶ୍ରମିକ ମାନଂକ ବ୍ୟାଗ୍, ଡ୍ରେସ୍ ସବୁ ଟିକି ନିକି ଚେକ୍ କରୁଥାନ୍ତି l ଚେକ୍ କରୁ କରୁ କିଛି ଅସାଧୁ କର୍ମଚାରୀମାନଙ୍କ ପାଖରୁ କିଛି ତମ୍ବା, ପିତଳ ଧାତବ ସାମଗ୍ରୀ ଜବତ କରିବା ସହ ଧୋବେଇ ଠାରୁ କଳା ମିଶିମିଶି ମାଟି ଜବତ କଲେ l ଧୋବେଇ ସେଇ ଧରଣର ଅନୈତିକ କାର୍ଯ୍ୟରେ ଲିପ୍ତ ନୁହଁନ୍ତି ବୋଲି ଯେତେ ସଫେଇ ଦେଲେ ସୁଦ୍ଧା ଗାର୍ଡମାନେ ନ ଶୁଣିଲା ପରି ହେଲେ l ଧୋବେଇ ହାତରେ ମାଟି ଆଞ୍ଜୁଳାଏ ଧରାଇ ଦେଇ ଫଟୋ ଉଠାଇଲେ l ମୋତେ ଛାଡ଼ି ଦିଅ ବାବୁ, ମୁଁ ଚୋରି କରିନି ମୋତେ ଛାଡ଼ି ଦିଅ,ଏଇ ମାଟି ଆମ ଭିଟା ମାଟି, ମୋ ଜୀବନର ମାଟି l ଆମ ସ୍ନେହ ମମତାର ଫୁଲ ଫୁଟାଉଥିବା ମାଟି କହି କାନ୍ଦି ପକାଇଥିଲେ ଧୋବେଇ l ସତେ ଯେମିତି କୋହ, ଅଭିମାନ ଓ ଦୁଃଖର ଅବାରିତ ବର୍ଷା ପାଣି ଝରି ପଡିଥିଲା ମଲାମାଟି ଉପରେ l


Rate this content
Log in

Similar oriya story from Abstract