ମାତା କୁଷ୍ମାଣ୍ଡା
ମାତା କୁଷ୍ମାଣ୍ଡା
ଶରତ ଋତୁରେ ମାତା ଦୁର୍ଗାଙ୍କ ନବରାତ୍ର ପୂଜା ହିନ୍ଦୁ ମାନଙ୍କ ମନରେ ନବ ଉନ୍ମାଦନା ଭରିଦିଏ । ନଅ ଦିନ ବ୍ୟାପି ମାତାଙ୍କ ପୂଜାରେ ଚତୁର୍ଥ ଦିବସଟି ମାତା କୁଷ୍ମାଣ୍ଡାଙ୍କୁ ସମର୍ପିତ । ମାତା ଦୁଷ୍ଟ ଦଳନ ପାଇଁ କୈଳାସ ତେଜି ଧରା ପୃଷ୍ଠରେ ଅବତରଣ କରିଛନ୍ତି । ପୁର ପଲ୍ଲୀ,ସହର,ନଗର ସର୍ବତ୍ର ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ, ସୁନା-ଚାନ୍ଦି ମେଢ଼ରେ ମାତାଙ୍କ ମହିଷାମର୍ଦ୍ଦିନୀ ମୃଣ୍ମୟୀ ପ୍ରତିମା ଶୋଭା ପାଇଅଛି । ଦଶଭୁଜା ଦୁର୍ଗା ଦଶ ପ୍ରହରଣ ଧରି ମହିଷାମର୍ଦ୍ଦିନୀ ରୂପେ ବିରାଜିତା । ମହିଷାସୁର ଉପରେ ମାତାଙ୍କ ଗୋଟିଏ ପାଦ,ଅନ୍ୟ ପାଦ ତାଙ୍କର ବାହନ ସିଂହ ଉପରେ । ମାତାଙ୍କ ତ୍ରିଶୁଳ ମହିଷାସୁରର ବକ୍ଷ ଭେଦ କରିଥାଏ । ମାତା ବହୁ ମୂଲ୍ୟ ରତ୍ନାଳଙ୍କାରରେ ବିଭୂଷିତା । ମନ୍ଦାର ମାଳିନୀ ମାତା ଦୁର୍ଗା ବିଭିନ୍ନ ଆୟୁଧରେ ଶୋଭା ପାଆନ୍ତି । ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ଦେବୀ ମେଢ଼ ସମସ୍ତଙ୍କ ମନ,ହୃଦୟକୁ ଆକର୍ଷିତ କରିଥାଏ । ନାସ୍ତିକ ମନରେ ମଧ୍ୟ କିଛି ସମୟ ପାଇଁ ଭକ୍ତି ଭାବ ଜାଗ୍ରତ ହୁଏ । ମାତାଙ୍କ ଭବ୍ୟ ରୂପକୁ ଦେଖିଲେ ଭକ୍ତିରେ ଆପେ ଆପେ ମୁଣ୍ଡ ତଳକୁ ହୋଇଯାଏ । ଦୁଇ ହାତ ଯୋଡ଼ି ହୋଇ ଯାଏ । ଭକ୍ତିରେ ହୃଦୟ ଗଦଗଦ ହୋଇଯାଏ । ମାତୃ ଶକ୍ତି ସହ ସନ୍ତାନଗଣଙ୍କର ସତରେ ଏକ ନିଆରା ସମ୍ପର୍କ ।
ଆସନ୍ତୁ ଜାଣିବା ଚତୁର୍ଥ ସ୍ୱରୂପା ମାତା କୁଷ୍ମାଣ୍ଡାଙ୍କ ଅଲୌକିକ କଥା ।
କୁଷ୍ମାଣ୍ଡର ଅର୍ଥ କୁମଢା ବା ପାଣି କଖାରୁ । ଯେତେବେଳେ ସୃଷ୍ଟିର ଆରମ୍ଭ ହୋଇ ନଥିଲା ,କେବଳ ଏକ ଆଲୋକର ରେଖା ପ୍ରତିଭାତ ହେଉଥିଲା ।ଏହି ଆଲୋକ ରୂପକ ରେଖାର କୌଣସି ଆକାର ନ ଥିଲା । ହଠାତ୍ ସେହି ଶୂନ୍ୟ ସ୍ଥାନରେ ଏକ ଦୀପ୍ତିମୟ ଆକାର ବିରାଜମାନ ହେଲା । ତାହା ଏକ ଦେବୀ ରୂପେ ପ୍ରତୀୟମାନ ହେଲା । ସେ ଥିଲେ ସ୍ଵୟଂ ସମ୍ଭୂତା ଦେବୀ କୁଷ୍ମାଣ୍ଡା । ମାତା କୁଷ୍ମାଣ୍ଡାଙ୍କ ର ସ୍ମିତ ହାସ୍ୟ ଦ୍ଵାରା ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି ହେଲା । ସେ କୁସୁମ ରୂପକ ଅନ୍ତରୀକ୍ଷ ଅଣ୍ଡାକୁ ସୃଷ୍ଟି କଲେ ।ତେଣୁ ତାଙ୍କ ନାମ କୁଷ୍ମାଣ୍ଡା
। ମାତା ବ୍ରହ୍ମା,ବିଷ୍ଣୁ ଓ ଶିବଙ୍କୁ ସୃଷ୍ଟି କଲେ । ମାତା କୁଷ୍ମାଣ୍ଡାଙ୍କୁ ଆଦିଶକ୍ତି କୁହାଯାଏ ।ସୃଷ୍ଟି ବଞ୍ଚି ରହିବା ପାଇଁ ତାପ ଓ ଆଲୋକର ଆବଶ୍ୟକତା ହେବାରୁ ମାତା ସୂର୍ଯ୍ୟଙ୍କୁ ସର୍ଜନା କଲେ । ମାତାଙ୍କ ଆଶୀର୍ବାଦରୁ ସୂର୍ଯ୍ୟ ମହାନ୍ ଶକ୍ତିରେ ଶକ୍ତିମାନ ହୋଇ ଉଠିଲେ । ମା'ଙ୍କ ଆଶୀର୍ବାଦ ବିନା ସୂର୍ଯ୍ୟ ନିଷ୍ପ୍ରଭ ହୋଇଯିବ । ମାତା ସୂର୍ଯ୍ୟଙ୍କ କେନ୍ଦ୍ରରେ ରହି ପାର୍ଥିବ ଜଗତକୁ ପାଳନ କରୁଛନ୍ତି । ମାତା ଏମିତି ଶକ୍ତି ଅଟନ୍ତି ଯିଏ କି ସୂର୍ଯ୍ୟ ମଣ୍ଡଳରେ ବାସ କରନ୍ତି ।ମାତାଙ୍କୁ ଆରାଧନା କଲେ ରୋଗ ଶୋକ ଦୂର ହୁଏ । ସେ ଅଳ୍ପ ଭକ୍ତିରେ ସନ୍ତୁଷ୍ଟ ହୋଇଥାଆନ୍ତି । ମାତାଙ୍କ ଆଶୀର୍ବାଦରେ ସଂସାର ସାଗରରୁ ମୁକ୍ତି ମିଳେ ,ଆଦି ବ୍ୟାଧି ଦୂର ହୁଏ । ସମସ୍ତ ସୁଖ ସମୃଦ୍ଧି ଲାଭ ହୁଏ । ଶ୍ରଦ୍ଧା ପୂର୍ବକ ପୂଜା କଲେ ସୂର୍ଯ୍ୟ ସମ୍ବନ୍ଧୀୟ ଦୋଷରୁ ମୁକ୍ତି ମିଳେ ।
ମାତା ସିଂହବାହିନୀ ଅଟନ୍ତି। ମାତାଙ୍କ ଅଷ୍ଟ ଭୂଜରେ ଗଦା, କମଳ, ଧନୁତୀର,ଚକ୍ର,ଅମୃତ କଳସ ଶୋଭା ପାଏ । ଏକ ହସ୍ତ ସର୍ବଦା ବରଦା ମୁଦ୍ରାରେ ଥାଏ ।
ମାତାଙ୍କୁ ପୂଜା କରିବା ଦ୍ୱାରା ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ମିଳେ ।
ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ଶୌଚ ସାରି ହଳଦିଆ ବସ୍ତ୍ର ପରିଧାନ କରି ମାତାଙ୍କ ଆସ୍ଥାନ ବସାଇ କୁମ୍ଭ ସ୍ଥାପନ ପରେ ଶିବ, ବ୍ରହ୍ମା ଓ ବିଷ୍ଣୁଙ୍କୁ ଆବାହାନ ପୂର୍ବକ ମାତାଙ୍କୁ ପୂଜା କରାଯାଏ । ଦେବୀଙ୍କୁ ପୁଷ୍ପ ମାଳା ଦିଆଯାଏ। ଆରତୀ ଓ ମନ୍ତ୍ର ପାଠ କରାଯାଏ । ଭୋଗ ଦିଆଯାଏ । କୁଷ୍ମାଣ୍ଡରେ ପ୍ରସ୍ତୁତ ପେଠା ଓ ମାଲପୁଆ ମାତାଙ୍କ ପ୍ରିୟ ଭୋଗ । କୁଷ୍ମାଣ୍ଡ ବଳି ମଧ୍ୟ ମାତାଙ୍କୁ ଦେଲେ ମାତା ପ୍ରସନ୍ନ ହୋଇଥାନ୍ତି । ଚାମେଲି ଫୁଲ ମାତାଙ୍କର ପ୍ରିୟ ଫୁଲ ଅଟେ । ପାନ ଗୁଜୁରାତି,ଗୁଆ, ଚୂଆ,ଶ୍ରୀ କର୍ପୂର ଓ ପାନ ମହୁରୀ ଭୋଗରେ ମାତାଙ୍କୁ ଦିଆଯାଏ ।
ତେବେ ଆସନ୍ତୁ ସମସ୍ତେ ମାତା କୁଷ୍ମାଣ୍ଡାଙ୍କୁ ଆରାଧନା କରି ମାତାଙ୍କ କୃପା ଲାଭ କରିବା । ଜୟ ମା କୁଷ୍ମାଣ୍ଡା।