ମାଆ ସରସ୍ଵତୀ ଓ ମୁନି ଯାଜ୍ଞବଲ୍କ୍ୟ
ମାଆ ସରସ୍ଵତୀ ଓ ମୁନି ଯାଜ୍ଞବଲ୍କ୍ୟ


ମହର୍ଷି ଯାଜ୍ଞବଲ୍କ୍ୟ ଥିଲେ, ମହର୍ଷି ବ୍ରହ୍ମରାତଙ୍କ ପୁତ୍ର ଓ ବୈଦିକ ଯୁଗର ଜଣେ ପ୍ରଖ୍ୟାତ ବେଦଜ୍ଞ ଋଷି l ତାଙ୍କ ମାଆ ଥିଲେ ସୁନନ୍ଦା ଦେବୀ l ବହୁ ଯଜ୍ଞ କରି ସେ ସିଦ୍ଧିପ୍ରାପ୍ତ କରି ଥିବାରୁ ତାଙ୍କ ନାମ ହୋଇଥିଲା ଯାଜ୍ଞବଲ୍କ୍ୟ l ବେଦ ଜ୍ଞାନ ଦୃଷ୍ଟିରୁ ବ୍ରହ୍ମାଙ୍କ ଅବତାର ବୋଲି ତାଙ୍କୁ ଅଭିହିତ କରା ଯାଏ l ଯାଜ୍ଞବଲ୍କ୍ୟଙ୍କ ନାମ ବହୁ ଶାସ୍ତ୍ର, ପୁରାଣ ଓ ସଂହିତାରେ ଦେଖିବାକୁ ମିଳିଥାଏ l ମହର୍ଷି ବୈଶମ୍ପାୟନ ତାଙ୍କ ମାମୁଁ ତଥା ଗୁରୁ ଥିଲେ l ମହାମୁନି ବୈଶମ୍ପାୟନ, ତୈତ୍ତରୀୟ ସଂହିତାର ଧୂରିଣ ପଣ୍ଡିତ ଥିଲେ l ଯାଜ୍ଞବଲ୍କ୍ୟ ତାଙ୍କ ଠାରୁ ଏହି ଶାଖାରେ ପାଣ୍ଡିତ୍ୟ ହାସଲ କରିଥିଲେ l ଥରେ ଗୁରୁ ବୈଶମ୍ପାୟନ ଓ ଯାଜ୍ଞବଲ୍କ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା l ଗୁରୁ ବୈଶମ୍ପାୟନ କୁପିତ ହୋଇ ଅଭିଶାପ ଦେଲେ, ତୁମେ ମୋଠାରୁ ଗ୍ରହଣ କରିଥିବା ସବୁ ବିଦ୍ୟା ବିସ୍ମୃତ ହୋଇଯାଅ l ଗୁରୁଙ୍କ ଅଭିଶାପ ଫଳିଲା l ଫଳରେ ଯାଜ୍ଞବଲ୍କ୍ୟଙ୍କ ସମସ୍ତ ଶାସ୍ତ୍ରଜ୍ଞାନ ଲୁପ୍ତ ହୋଇଗଲା l
ଶାସ୍ତ୍ରଜ୍ଞାନ ହୀନ ହୋଇ ଯାଜ୍ଞବଲ୍କ୍ୟ ପାଗଳ ପ୍ରାୟେ ବୁଲିବାକୁ ଲାଗିଲେ l ଶେଷରେ ସେ ଉଗ୍ର ତପସ୍ୟା ଦ୍ୱାରା ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କଲେ l ସୂର୍ଯ୍ୟ ତାଙ୍କୁ ଅଥର୍ବ ବେଦର ଏକ ନୂତନ ଶାଖା ପ୍ରଦାନ କଲେ l ସୂର୍ଯ୍ୟ ପ୍ରଦତ୍ତ ସେହି ଅଥର୍ବ ବେଦ ଶୁକ୍ଳ ଅଥର୍ବ ବେଦ ନାମରେ ପ୍ରସିଦ୍ଧ l ଯାଜ୍ଞବଲ୍କ୍ୟ ଶାସ୍ତ୍ର ସିନା ପାଇଲେ କିନ୍ତୁ ତାଙ୍କର ସ୍ନୃତିଶକ୍ତି ଲୋପ ପାଇ ଯାଇ ଥିବାରୁ ସେ ଏହାକୁ ଆୟତ୍ତ କରିବାରେ ବିଫଳ ହେଲେ l ଏଣୁ ସ୍ମୃତି ଶକ୍ତି ଫେରି ପାଇବାକୁ ପୁଣି ସେ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା କଲେ l ସୂର୍ଯ୍ୟ କହିଲେ, ଗୁରୁଙ୍କ ଅଭିଶାପ ଫଳରେ ତୁମର ସ୍ମୃତି ଶକ୍ତି ଲୋପ ପାଇ ଯାଇଛି l ସ୍ମୃତିଶକ୍ତି ଫେରି ପାଇବାକୁ ତୁମେ ବାକ୍ ପ୍ରଦାୟିନୀ ଭଗବତୀ ବାଗ୍ଦେବୀଙ୍କୁ ତପସ୍ୟା କର l ମାଆ ମୂକକୁ ମଧ୍ୟ ବାଚାଳ କରାଇପାରନ୍ତି l ତାଙ୍କ କୃପା ହେଲେ ତୁମର ଅଭୀଷ୍ଠ ପୂର୍ଣ୍ଣ ହେବ l
ସୂର୍ଯ୍ୟଙ୍କ ପରାମର୍ଶାନୁସାରେ ମୁନି ଯାଜ୍ଞବଲ୍କ୍ୟ ସ୍ନାନ ଶୌଚ ହୋଇ ଭକ୍ତିର ସହ ମାଆ ସରସ୍ଵତୀଙ୍କୁ ସ୍ତୁତି କରିବାକୁ ଲାଗିଲେ:-
କୃପାଂକୁରୁ ଜଗନ୍ନାତର୍ମାଂମେବଂ
ହତଚେତସମ୍ l
ଗୁରୁ ଶାପାତ୍ ସ୍ମୃତିଭ୍ରଷ୍ଟମ୍
ବିଦ୍ୟାହୀନଂ ଚ ଦୁଃଖିତମ୍ ll
ଅର୍ଥାତ୍, ହେ ଜଗନ୍ମାତା ! ଗୁରୁଙ୍କ ଅଭିଶାପରୁ ମୋର ସ୍ମୃତିଭ୍ରଂଶ ହୋଇଛି l ବି
ଦ୍ୟା ହୀନ ଓ ଶାସ୍ତ୍ର ହୀନ ହୋଇ ଅତିଶୟ ଦୁଃଖରେ ମୁଁ କାଳ କାଟୁଛି l ମାଆ ତୁମେ ମୋ ପ୍ରତି ସଦୟ ହୋଇ ମୋତେ ସ୍ମୃତି ଓ ସେହି ଶାସ୍ତ୍ର ଜ୍ଞାନ ପ୍ରଦାନ କରନ୍ତୁ l ମାଆ ତୁମେ ପରମା ପ୍ରକୃତି, ବ୍ରହ୍ମସନାତନୀ, ଭକ୍ତ ବତ୍ସଳା, ଭକ୍ତ ବାଞ୍ଛା ପୂରଣ କାରିଣୀ l ମାଆ କରୁଣାମୟୀ ଆପଣ ମୋ ପ୍ରତି କରୁଣାକରନ୍ତୁ l ମହର୍ଷି ପୁଣି ସ୍ତୁତି କଲେ, ମାଆ ତୁମର କରୁଣା ଲାଭ ନକଲେ କୌଣସି ଶାସ୍ତ୍ର ଜ୍ଞାନ ସମ୍ଭବ ନୁହେଁ l ମାଆ ତୁମ ପ୍ରସାଦରୁ ବୃହସ୍ପତି, ଜନକ, ବ୍ୟାସ, ବାଲ୍ମୀକି ପ୍ରଭୃତି ପୂର୍ବେ ଅପୂର୍ବ ଜ୍ଞାନ ଲାଭ କରିଥିଲେ l ମାଆ ତୁମକୁ ବାରମ୍ବାର ପ୍ରଣାମ କରୁଛି ଏ ଅଧମ ପ୍ରତି ପ୍ରସନ୍ନ ହୁଅ l
ଯାଜ୍ଞବଲ୍କ୍ୟଙ୍କ ଭକ୍ତିପୂତ ସ୍ତୁତିରେ ଜ୍ୟୋତିରୂପା ମାଆ ଭଗବତୀ ପ୍ରସନ୍ନ ହେଲେ ଏବଂ ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ କହିଲେ, ବତ୍ସ ! ମୁଁ ତୁମ ପ୍ରତି ପ୍ରସନ୍ନ ହୋଇଛି, ମୁଁ ଆଶୀର୍ବାଦ କରୁଛି ତୁମେ ଅସାଧାରଣ ପାଣ୍ଡିତ୍ୟ, କବିତ୍ଵ ଓ ଧିଶକ୍ତି ଲାଭ କରି ସଂସାରରେ ସୁଖ୍ୟାତି ଅର୍ଜନ କରିବ l ଏପରି ଆଶୀର୍ବାଦ ପ୍ରଦାନ କରି ମାଆ ଅନ୍ତର୍ହିତ ହେଲେ l
ମାଆଙ୍କ ପ୍ରସାଦରୁ ଯାଜ୍ଞବଲ୍କ୍ୟଙ୍କ ବିସ୍ମୃତ ସ୍ମୃତି ଶକ୍ତି ଓ ଶାସ୍ତ୍ର ଜ୍ଞାନ ଫେରି ଆସିଲା l ଅପୂର୍ବ ପାଣ୍ଡିତ୍ୟ ଲାଭ କରି, ସେ ଜଣେ ବ୍ରହ୍ମବେତ୍ତା ଋଷି ବୋଲାଇଲେ l ମହର୍ଷି ଯାଜ୍ଞବଲ୍କ୍ୟଙ୍କ ଦ୍ବାରା କରା ଯାଇଥିବା ମାଆ ସରସ୍ୱତୀଙ୍କ ସେହି ସ୍ତବ ଯାଜ୍ଞବଲ୍କ୍ୟ କୃତ ସରସ୍ୱତୀ ସ୍ତୋତ୍ର ନାମରେ ପ୍ରସିଦ୍ଧ l
ସପତ୍ନୀ ଗଙ୍ଗାଙ୍କ ଅଭିଶାପରୁ ମା' ସରସ୍ଵତୀ ଏକ ଅଂଶରେ ଭାରତ ବର୍ଷରେ ନଦୀ ରୂପେ ପ୍ରବାହିତ ହେଉଛନ୍ତି l ପୂର୍ଣ୍ଣ କଳା ଅଂଶରେ ମାଆ ଭଗବାନ୍ ଶ୍ରୀହରିଙ୍କ ପାଖରେ ଅବସ୍ଥାନ କରନ୍ତି l ଭାରତରେ ନଦୀରୂପେ ପ୍ରବାହିତ ହେଉଥିବାରୁ ମାଆଙ୍କ ନାମ ଭାରତୀ l ବ୍ରହ୍ମାଙ୍କ ପ୍ରିୟାଭାବେ ସେ ବ୍ରାହ୍ମୀ ବୋଲି ପରିଚିତ l ବାଣୀର ଅଧିଷ୍ଠାତ୍ରୀ ଭାବେ ସେ ବାଣୀ l ଭଗବାନ ଶ୍ରୀହରି ନଦୀ, କୂପ, ତଡ଼ାଗ, ପୁଷ୍କରିଣୀ ଆଦି ସମସ୍ତ ଜଳାଶୟରେ ବ୍ୟାପ୍ତ ରହିଥିବା ହେତୁ ତାଙ୍କୁ ସରସ୍ଵାନ କୁହା ଯାଏ l ମା ବୀଣାପାଣି ତାଙ୍କ ପତ୍ନୀ ହୋଇ ଥିବାରୁ ତାଙ୍କ ନାମ ସରସ୍ୱତୀ l ନଦୀ ରୂପେ ମାଆ ଅତ୍ୟନ୍ତ ପବିତ୍ରା ଓ ତୀର୍ଥ ସ୍ୱରୂପା l ସେ ପାପୀ ମାନଙ୍କ ସମସ୍ତ ପାପ ଦହନ କରିବାକୁ ସମର୍ଥା l ମାଆ ବାକ୍ୟଦେବୀ ବା ବାଗ୍ଦେବୀ ରୂପେ ସମସ୍ତଙ୍କର ନମସ୍ୟା l
ଶ୍ରୀମଦ୍ ଦେବୀ ଭାଗବତ ନବମ ସ୍କନ୍ଧ ଅଣତିରିଶ ଅଧ୍ୟାୟରେ ପରମେଶ୍ୱରୀ, ମାଆ ଭଗବତୀଙ୍କ ଏହି ମହିମା କୀର୍ତ୍ତିତ ହୋଇଛି l
!!! ଜୟ ମାଆ ବୀଣାପାଣି !!!