STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଆ ଦୁର୍ଗାଙ୍କ ଆବିର୍ଭାବ ମହିଷାସୁରର ନିଧନ

ମାଆ ଦୁର୍ଗାଙ୍କ ଆବିର୍ଭାବ ମହିଷାସୁରର ନିଧନ

5 mins
11

     ମାଆ ଦୁର୍ଗାଙ୍କ ଆବିର୍ଭାବ ଓ 

          ମହିଷାସୁରର ନିଧନ

          =========== 

ପ୍ରାଚୀନ କାଳର କଥା l ୠଷି କଶ୍ୟପଙ୍କ ଅନ୍ୟତମା ପତ୍ନୀ ଦନୁଙ୍କ ଗର୍ଭରୁ ରମ୍ଭ ଓ କରମ୍ଭ ନାମକ ଦୁଇଟିରାକ୍ଷସ ଜନ୍ମହେଲେ l ବହୁଦିନଧରି ଦୁଇ ଭାଇଙ୍କର କୌଣସି ସନ୍ତାନ ସନ୍ତତି ହେଲାନାହିଁ l ଏଣୁ ସନ୍ତାନ ପ୍ରାପ୍ତି ପାଇଁ ସେମାନେ କଠୋର ତପସ୍ୟା କରିବାକୁ ଲାଗିଲେ l ରମ୍ଭ ପଞ୍ଚାଗ୍ନି ସେବନ କରି ଏବଂ କରମ୍ଭ ପଞ୍ଚନଦୀ ଜଳରେ ରହି ତପସ୍ୟା କରୁ କରୁ ଅନେକ ଦିନ ବିତିଗଲା l କରମ୍ଭ ଜଳ ମଧ୍ୟରେ ତପସ୍ୟାରତ ଥିଲାବେଳେ, ଇନ୍ଦ୍ର ତାକୁ କୁମ୍ଭୀରରୂପ ଧାରଣକରି ନିହତ କଲେ l ଦିନେ ରମ୍ଭ ନିଜ ମସ୍ତକ କର୍ତ୍ତନକରି ଅଗ୍ନିରେ ଆହୁତି ଦେବାକୁ ଉଦ୍ୟତ ହେଉଛି, ଏତିକ ବେଳେ ଅଗ୍ନି ଦେବ ପ୍ରକଟ ହେଲେ ଓ ତାକୁ ଏଥିରୁ ବାରଣ କରି ବର ଯାଚିଲେ l ରମ୍ଭ ତାଙ୍କୁ ପ୍ରାର୍ଥନାକଲା, ହେ ଅଗ୍ନିଦେବ ! ମୋତେ ତ୍ରିଭୁବନ ବିଜୟୀ ପ୍ରବଳ ପ୍ରତାପୀ ପୁତ୍ରଟିଏ ପ୍ରଦାନ କରନ୍ତୁ l ଅଗ୍ନି କହିଲେ, ଠିକ୍ ଅଛି l ତୁମେ, ଯାଅ l ତୁମେ ଯେଉଁ ସ୍ତ୍ରୀ ପ୍ରତି ଆସକ୍ତ ହେବ, ତାରି ଗର୍ଭରୁ ତୁମେ ଏପରି ଏକ ମହା ପରାକ୍ରମଶାଳୀ ପୁତ୍ର ପ୍ରାପ୍ତ ହେବ l ଦିନେ ରମ୍ଭ ଯାଉଥିଲା ବେଳେ ଏକ ମଇଁଷି ଦେଖି ଆସକ୍ତ ହୋଇ ପଡ଼ିବାରୁ ସେ ମଇଁଷିଟି ଗର୍ଭ ଧାରଣ କଲା l ପରେ ଗର୍ଭବତୀ ସେହି ମଇଁଷି ପ୍ରତି ଅନ୍ୟ ଏକ ପୁରୁଷ ମଇଁଷି ଆକୃଷ୍ଟ ହେବାରୁ, ରମ୍ଭର ତାହା ସହିତ ଯୁଦ୍ଧହେଲା ଏବଂ ରମ୍ଭ ଏଥିରେ ମୃତ୍ୟୁ ବରଣକଲା l ଏଥିରେ ଅତି ଦୁଃଖିହୋଇ ଗର୍ଭବତୀ ମଇଁଷିଟି ପତି ରମ୍ଭର ଚିତାରେ ଝାସଦେଲା l ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେହି ଚିତାରୁ ଜନ୍ମ ନେଲେ ଦୁଇ ଅସୁର ରକ୍ତବୀର୍ଯ୍ୟ ଓ ମହିଷାସୁର l କିଛିକାଳ ପରେ ମହିଷାସୁର ଦନୁଜଙ୍କ ରାଜା ହେଲା l ଅମର ବର ପ୍ରାପ୍ତି ପାଇଁ ମହିଷାସୁର ଯାଇ ସୁମେରୁ ପର୍ବତରେ ବ୍ରହ୍ମାଙ୍କୁ କଠୋର ତପସ୍ୟାକଲା l ଦିନେ ତା ଉପରେ ସନ୍ତୁଷ୍ଟହୋଇ ବ୍ରହ୍ମା ଆବିର୍ଭୁତ ହେଲେ l ମହିଷାର ପ୍ରାର୍ଥନାରେ ବ୍ରହ୍ମା କହିଲେ, ତତେ ଅମର ବର ଦେବା ମୋ ସାଧ୍ୟ ବାହାରେ l ମୁଁ ତୋତେ ବର ଦେଉଛି, ତୋ ମୃତ୍ୟୁ ଜଣେ ନାରୀ ହସ୍ତରେ ହେବ l ନାରୀହସ୍ତରେ ମୃତ୍ୟୁକୁ ପରାକ୍ରମଶାଳୀ ମହିଷାସୁର ଅସମ୍ଭବ ମଣି ଏହାକୁ ଅମର ବର ତୁଲ୍ୟ ଜ୍ଞାନକରି ମନେ ମନେ ଖୁବ୍ ଆନନ୍ଦିତହେଲା l ବ୍ରହ୍ମା ବରରେ ବଳୀୟାନ ମହିଷାସୁର କ୍ରମେ ସମଗ୍ର ପୃଥିବୀକୁ କରାୟତ କଲା l ସ୍ବର୍ଗ ଆୟତ୍ତ କରିବାକୁ ଦିନେ ସେ ଦେବରାଜ ଇନ୍ଦ୍ରଙ୍କ ପାଖକୁ ଦୂତ ପଠାଇ ବସ୍ୟତା ସ୍ବୀକାର କରିବାପାଇଁ କହିଲା l ଦେବରାଜ ଦୂତକୁ ପ୍ରତ୍ୟାଖ୍ୟାନ କରି କହିଲେ, ରେ ଅସୁର ! ତୁ ଯାଆ ତୋ ରାଜାକୁ କହିବୁ,ତାକୁ ମୁଁ ନିଧନ କରି ତା ଶିଙ୍ଗରେ ଧନୁ ତିଆରି କରିବି l ଦୂତ ଠାରୁ ଖବର ପାଇ ମହିଷାସୁର କ୍ରୋଧରେ ଜଳି ଉଠିଲା l ରାକ୍ଷସ ବୀରମାନଙ୍କୁ ସେ କହିଲା, ଚାଲ ! ଆଉ ଡେରି କଲେ ଚଳିବ ନାହିଁ l ଇନ୍ଦ୍ରର ବହୁ ଗର୍ବ ହୋଇ ଯାଇଛି l ତାକୁ ଉଚିତ ଶାସ୍ତି ଦେବାକୁ ହେବ l ସ୍ୱର୍ଗକୁ କରଗତ କରି ଦେବତାମାନଙ୍କ ଠାରୁ ଅମୃତ ଛଡ଼ାଇ ଆଣିବା l ଏଣିକି ରମ୍ଭା ମେନକାଦି ସୁନ୍ଦରୀ ମାନେ ଆମର ମନୋରଞ୍ଜନ କରିବେ l ଏପରି ଵିଚାରକରି ମହିଷାସୁର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶରେ ଦିନେ ଶୁଭ ମୂହୁର୍ତ୍ତରେ ସ୍ବର୍ଗ ଆକ୍ରମଣ କରିଦେଲା l ଦେବାସୁରଙ୍କ ମଧ୍ୟରେ ଘୋର ସଂଗ୍ରାମ ଲାଗିଲା l ଦୀର୍ଘଦିନ ଲଢ଼ି ଶେଷକୁ ଦେବତା ମାନେ ପରାଜିତ ହୋଇ ପଳାୟନ କଲେ l ଇନ୍ଦ୍ରଙ୍କ ଆସନ ମହିଷାସୁର ଅଧିକାର କଲା l ଆଶ୍ରୟହୀନ ଦେବତା ମାନେ ଯାଇ ବ୍ରହ୍ମା,ବିଷ୍ଣୁ,ମହେଶ୍ୱରଙ୍କ ଠାରେ ଶରଣ ପଶିଲେ l କିନ୍ତୁ କେଉଁଠୁ କୌଣସି ସମାଧାନର ସୂତ୍ର ବାହାରି ପାରିଲା ନାହିଁ l ଶେଷକୁ ବିଷ୍ଣୁ କହିଲେ, ମୁଁ ଜାଣିଛି, ମହିଷାସୁର ବର ଲାଭକରିଛି ଜଣେ ନାରୀ ହସ୍ତରେ ମୃତହେବ ବୋଲି l କିନ୍ତୁ ସେ ନାରୀ କିଏ l ବିଷ୍ଣୁ ଏପରି କହି ସାରିଛନ୍ତି, ବ୍ରହ୍ମାଙ୍କ ଶରୀରରୁ ଏକ ପଦ୍ମରାଗ ମଣି ସଦୃଶ ଅପୁର୍ବ ଲୋହିତ ତେଜ ପୁଞ୍ଜ ପ୍ରକାଶ ହେଲା l ଶିବଙ୍କ ଦେହରୁ ଗୌରବର୍ଣ୍ଣର ଏକ ତେଜ ପ୍ରକାଶ ହେଲା l ଭଗବାନ୍ ବିଷ୍ଣୁଙ୍କ ଶରୀରରୁ ଉଜ୍ଜ୍ବଳ ଶ୍ୟାମବର୍ଣ୍ଣର ଏକ ତେଜ ପ୍ରକାଶିତ ହେଲା l ସେହିପରି ଅନ୍ୟ ଦେଵତା ମାନଙ୍କ ମଧ୍ୟରୁ ଗୋଟିଏ ଲେଖାଁ ତେଜ ପ୍ରକାଶିତ ହେଲା l ସେହି ତେଜ ସବୁ ମିଳିତ ହୋଇ ଗୋଟିଏ ଉଜ୍ଜ୍ୱଳ ପର୍ବତର ଭ୍ରମ ସୃଷ୍ଟି କଲା l ଦେବତା ମାନେ ଦେଖୁ ଥାନ୍ତି l କ୍ରମେ ସେହି ତେଜପୁଞ୍ଜ ମଧ୍ୟରୁ ଆବିର୍ଭୁତାହେଲେ ଜଣେ ପରମା ଲାସ୍ୟମୟୀ, ନାରୀ l ଶ୍ରୀମଦ୍ ଦେବୀ ଭାଗବତରେ ସେହି ନାରୀଙ୍କ ସୁନ୍ଦର ବର୍ଣ୍ଣନା ରହିଛି:- ବଭୁବାତିବରା ନାରୀ, ସୁନ୍ଦରୀ ବିସ୍ମୟ ପ୍ରଦା l ତ୍ରିଗୁଣାସା ମହାଲକ୍ଷ୍ମୀ ସର୍ଵଦେବ ଶରୀରଜା ll ଅଷ୍ଟାଦଶଭୂଜା ରମ୍ୟା ତ୍ରିବର୍ଣ୍ଣା ବିଶ୍ଵମୋହିନୀ l ଶ୍ବେତାନନା କୃଷ୍ଣନେତ୍ରା ସଂରକ୍ତାଧରପଲ୍ଲବା ll ସେହି ଦିବ୍ୟତେଜସମ୍ଭୂତା ନାରୀ ଥିଲେ ସ୍ଵୟଂ ମାଆ ମହାଲକ୍ଷ୍ମୀ l ମାଆ ଭଗବତୀଙ୍କ ସେହି ଆନନ୍ଦମୟୀ ରୂପ ଦେଖି ଦେବତାମାନେ ପୁଲକିତ ହୋଇଗଲେ l ଦେବତା ମାନେ ଭଗବତୀଙ୍କୁ ସ୍ତୁତିକରି ନିଜ ନିଜର ଦିବ୍ୟ ଆୟୁଧ ଏବଂ ଅଳଙ୍କାରମାନ ପ୍ରଦାନ କଲେ l ସେସବୁ ଧାରଣକରି କଲ୍ୟାଣମୟୀ ଅତ୍ୟନ୍ତ ସୁନ୍ଦର ଦିଶିଲେ l ଦେବତାମାନେ ମାଆଙ୍କୁ ପ୍ରାର୍ଥନା କଲେ, ହେ ଭକ୍ତବତ୍ସଳେ ! ଦାନବ ତ୍ରାସିତ ଦୁର୍ଗତ ଦେବତା ମାନଙ୍କର ତୁମେହିଁ ରକ୍ଷାକର୍ତ୍ତ୍ରୀ l ଅରକ୍ଷ ଦେବତାଙ୍କୁ ତୁମେ ରକ୍ଷା କର, ମାଆ l ଦେଵୀ ଦେବତା ମାନଙ୍କୁ ଆଶ୍ବସ୍ତକରି କହିଲେ, ତୁମେମାନେ ଭୟ କରନାହିଁ l ମୁଁ ଅଚିରେ ସେହି ଦୁଷ୍ଟ ଦାନବକୁ ବଧ କରିବି l ଏହାକହି ଦେବୀ ଉଚ୍ଚସ୍ବରରେ ହସିବାକୁ ଲାଗିଲେ l ସେହି ଅଟ୍ଟହାସ୍ୟରେ, ଚତୁର୍ଦ୍ଦିଗ ପ୍ରକମ୍ପିତ ହେବାକୁ ଲାଗିଲା l ମାଆଙ୍କ ଅଟ୍ଟହାସ୍ୟ ଧ୍ୱନୀରେ ଦାନବଙ୍କ ହୃତକମ୍ପ ଜାତହେଲା l ମହିଷା ସେହି ଧ୍ଵନୀ ଶ୍ରବଣ କରି ଦୂତ ମାନଙ୍କୁ କହିଲା, ଏହି ବିକଟ ଅଟ୍ଟହାସ୍ୟ କିଏ କରୁଛି, ତାକୁ ଯାଇ ଧରିଆଣ l ଦୂତଗଣ ଚତୁର୍ଦ୍ଦିଗରେ କ୍ଷେପିଯାଇ ଶେଷରେ ମାଆ ଜଗଦମ୍ବାଙ୍କୁ ଦେଖିଲେ l ସେମାନେ ମାଆଙ୍କର ଅତି ଉଗ୍ର ରୂପ ଦେଖି ଆତଙ୍କିତ ହୋଇପଡ଼ିଲେ ଓ ଆସି ଦାନବରାଜ ମହିଷାସୁରକୁ ମାଆଙ୍କ କଥା କହିଲେ l ମହିଷାସୁର ଜଣେ ମନ୍ତ୍ରୀଙ୍କୁ କହିଲା, ସୈନ୍ୟ ସାମନ୍ତ ଧରି ତୁମେ ସେହି ସୁନ୍ଦରୀକୁ ଧରି ଆଣ l ସେ ହେବ ମୋର ଅଙ୍କ ଶାୟିନୀ l ଦାନବ ମନ୍ତ୍ରୀ,ଯାଇ ମାଆଙ୍କ ନିକଟରେ ପହଁଚିଲା l ସେ ମାଆଙ୍କୁ ଦାନବରାଜ ମହିଷାସୁରର ଅଭିଳାଷ ଜଣାଇ କହିଲା,ହେ ବିଶାଳନେତ୍ରୀ ! ତୁମେ ଦାନବ ରାଜଙ୍କୁ ସ୍ବୀକାର କରି, ତାଙ୍କର ପାଟ ରାଣୀ ହୋଇ ଯାଅ l ଜଗତର ସମସ୍ତ ଐଶ୍ୱର୍ଯ୍ୟ ତୁମ ପାଦ ତଳେ ଲୋଟିବ l ଦେବୀ ଉଚ୍ଚସ୍ଵରରେ ହସି ହସି କହିଲେ, ତୋ ରାଜା ଯେପରି ମୂର୍ଖ ତୁ ମଧ୍ୟ ସେହିପରି ମୂର୍ଖ l ଯାଆ, ତୋ ରାଜାଙ୍କୁ କହିଦେବୁ, ସେ ଯେଉଁ ନାରୀ ହାତରେ ମରିବ ବୋଲି ବର ପାଇଛି, ସେହି ନାରୀ ହେଉଛି ମୁଁ l ମୁଁ ତା ପାଟରାଣୀ ହେବାକୁ ଆସିନି,ମୁଁ ତାର ସଂହାର କାରିଣୀ l ସାମାନ୍ୟ ଜଣେ ନାରୀ l ଏତେ ଆସ୍ପର୍ଦ୍ଧା !! ମହିଷା ଖୁବ୍ ରାଗି ଯାଇ, ତା'ର ଦୁର୍ଦ୍ଦର୍ଷ ସେନାପତି ମାନଙ୍କୁ ଆଦେଶଦେଲା, ତୁମେ ଯାଇ ସେହି କୁହୁକୀ ନାରୀକୁ କଳେ ବଳେ କୌଶଳେ, ଧରି ଆଣ l ମହିଷା ନିର୍ଦ୍ଦେଶରେ ବିରୁପାକ୍ଷ,ଦୁର୍ଦ୍ଦର୍ଷ, ତାମ୍ର,ଦୂର୍ମୁଖ, ବାସ୍ପଳ ଆଦି ମହା ମହା ଦୈତ୍ୟମାନେ ଜଣଜଣ କରି ଯାଇ ଦେବୀଙ୍କ ହାତରେ ନିହତ ହେଲେ l ମହିଷା,ବିଚଳିତ ହୋଇ ନିଜେ ଧାଇଁ ଗଲା, ଦେବୀଙ୍କ ନିକଟକୁ l ଦେବୀଙ୍କୁ ଲକ୍ଷ କରି, ସେ କହିଲା, ହେ ସୁନ୍ଦରୀ ! ତୁମର ଏହି ବୀର ଉଲ୍ଲାସକର ରୂପ, ମୋତେ ମୋହିତ କରିଛି l ମୁଁ ତୁମ ଅଧୀନ ହୋଇ ଯାଇଛି l ହେ ଦୟାଶୀଳେ ! ମୋତେ ତୁମେ ସ୍ବୀକାର କରିନିଅ l ଦେବୀ ହସି ହସି କହିଲେ,ରେ ମୂର୍ଖ, ତୋ ସଂହାର ପାଇଁ ଯାହାର ଆଗମନ, ତାକୁ ନେଇ ତୁ ଦିବାସ୍ବପ୍ନ ଦେଖୁଛୁ l ତୋପରି ମୂର୍ଖ ଆଉ କେହିନାହିଁ l ତୋର ବଞ୍ଚିବାକୁ ଇଚ୍ଛା ତ ଶୀଘ୍ର ଦେବତାଙ୍କ ସହ ବୈରତା ତ୍ୟାଗ କରି ଯାଇ ପାତାଳ ପୁରୀରେ ସୁଖରେ ବାସ କର l କାମ ମୋହିତ ଅସୁର ଦେବୀଙ୍କର କୌଣସି କଥାରେ କର୍ଣ୍ଣପାତ କଲା ନାହିଁ l ଚାହୁଁ ଚାହୁଁ ଦୁହିଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଲାଗିଲା l ମହିଷାସୁର ବିଭିନ୍ନ ମାୟା ରୂପ ଧରି ମାଆଙ୍କ ସହିତ ଲଢ଼ି ଚାଲି ଥାଏ l ଶେଷରେ ସେ ଏକ ଭୀଷଣକାୟ ମହିଷ ରୂପ ଧରି ତୀବ୍ର ବେଗରେ ଦେବୀଙ୍କୁ ପ୍ରଚଣ୍ଡ ଆକ୍ରମଣ କଲା l ଦେଵୀ ସଙ୍ଗେ ସଙ୍ଗେ ଏକ ସହସ୍ର ଅରବିଶିଷ୍ଟ ଚକ୍ର ନିକ୍ଷେପ କରି ମହିଷାସୁରର ଗଣ୍ଡିମୁଣ୍ଡ ଅଲଗା କରି ଦେଲେ l ଭୀଷଣ ଗର୍ଜନକରି ମହିଷାସୁର ଭୂମିରେ ଲୋଟି ପଡ଼ିଲା l ମହିଷାସୁର ନିଧନରେ ତ୍ରିପୂରରେ ଉଲ୍ଲାସ ଖେଳିଗଲା l ସ୍ବର୍ଗରୁ ଦୁନ୍ଦୁଭି ବାଜିଉଠିଲା l ଦେବୀଙ୍କ ଉପରେ ସ୍ୱର୍ଗରୁ ପାରିଜାତ ବୃଷ୍ଟି ହେଲା l ଜଗଜ୍ଜନନୀ ମାଆ ଜଗଦମ୍ବାଙ୍କୁ ସ୍ତବ କରି ଦେବତା ମାନେ ଗାଇ ଉଠିଲେ:-  ଜୟ ଜୟ ଜୟ ଦୁର୍ଗେ, ଦୁର୍ଗତି ନାଶିନୀ l ଜୟଜୟ ଜୟ ଦୁର୍ଗେ ସତ୍ୟ ସନାତନୀ ll ଦୁର୍ଗତି କାଳରେ ହେଲୁ ଦୈବତଙ୍କୁ ସାହା l ନମଃ ପରମ ଈଶ୍ୱରୀ ନମଃ ମହାମାୟା ll 

              🙏🙏🙏 

                  ଅର୍ଜୁନୀ 

                 ----------- 

ଅର୍ଜୁନୀ ଚରଣ ବେହେରା 

 ମୋ -7693091971


Rate this content
Log in

Similar oriya story from Inspirational