Bibhu Samanta

Children Stories Inspirational Children

3  

Bibhu Samanta

Children Stories Inspirational Children

ଲଲିପପ୍

ଲଲିପପ୍

3 mins
163



ଡିସେମ୍ବର ର କେଉଁ ଏକ ଶୀତୁଆ ସଞ୍ଜ । ଟିଉସନ୍ ରୁ ଘରକୁ ଫେରିବା ବାଟରେ ସୋନୁ ବାପା ଙ୍କୁ ଗାଡି ରଖିବାକୁ କହିଲା, ରିଙ୍ଗ୍ ବନ୍ଧ ପାଖରେ। ବାପା କିଛି ନ ବୁଝି ଗାଡି ରଖିଦେଲେ ଫୁଟପାଥ କଡ଼ରେ। ଗାଡ଼ିରୁ ଡେଇଁ ସୋନୁ ଧାଇଁଗଲା ପାଖରେ ଥିବା ଅଳିଆ ଗଦା ଆଡ଼କୁ। ବାପା ଭାବିଲେ ସେ ବୋଧେ ଚକଲେଟ କି ଗୁପଚୁପ ଖାଇବାକୁ ଗାଡି ରଖେଇଲା। ହେଲେ ସେ ତ ସେ ଅଳିଆ ଆବର୍ଜନା ଗଦା ଆଡ଼କୁ ଯାଉଛି। ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି ତାକୁ। ସେ ଦେଖିଲେ ସୋନୁ, ସେ ଅଳିଆ ଗଦା ଭିତରୁ ସୁନ୍ଦର କୁକୁର ଛୁଆଟେ ହାତରେ ଧରି ଫେରୁଛି। ଆଉ ମୁହଁ ରେ ଖୁସି ଯେମିତି ସେ ଆକାଶର ଚାନ୍ଦକୁ ହାତରେ ପାଇଯାଇଛି। ଆଉ ସେ କୁକୁର ଛୁଆଟି ସୋନୁ ଛାତିରେ ଲାଗି ଶୁଙ୍ଘି ଚାଲିଛିଟା ଭଲ ପାଇବାକୁ, ଅତ୍ମୀୟତାକୁ। ଛାତିରେ ଜାକି ବାପାଙ୍କୁ କହୁଛି, "ଦେଖିଲ ବାପା, କେତେ ସୁନ୍ଦର ଦିଶୁଛି ନା? । ନିଅ ଟିକେ ଧର, ସେ କିଛି କରିବନି !" ବାପା ଦେଖିଲେ ସେ କୁକୁର ଛୁଆର ନିରୀହ ଚାହାଣି। ଆଉ ସୋନୁ ଆଖିରେ ଖୁସି। ସୋନୁ କହିଲା," ୟା କୁ ଆମେ ଘରକୁ ନେବା।"ଟିକେ ଆଉଁସି ଦେଇ କହିଲେ, "ହଁ, ଚାଲ ଯିବା ଏଥର ବହୁତ ଡେରି ହେଲାଣି। "

ଘରକୁ ଆସିଲା ବେଳେ ଗାଡ଼ିରେ ତାକୁ କୋଳରେ ଧରି ବସି ବସି ଭାବୁଥାଏ କଣ ନାଁ ଦେବ ତାର? ବାପାଙ୍କୁ ପଚାରିଲା, ବାପା କିଛି କହିଲେନି ହସିଦେଲେ। ସେ ଦେଖିଲା କୁକୁର ଛୁଆ ଟିକୁ ତାର ମନେ ପଡିଗଲା ବାପା ତା ପାଇଁ ଆଣୁଥିବା ଚକଲେଟ୍ ରେ ଠିକ୍ ଏମିତି ଛବି ଟେ। ସେ ତାର ଗୋଟେ ନାଁ ଦେଲା, ଲଲିପପ୍। କହିଲା, ବାପା ୟା ନାଁ ଆଜି ଠୁ ଲଲିିପପ୍। କଣ ପାଇଁ ଜାଣ, ତମେ ଦେଉଥିବା ଲଲିିପପ ପରି ଇଏ ସୁନ୍ଦର ଆଉ ନିଜର। ବାପା ହସିଲେ। ସେ ଦେଉଥିବା ଲଲିିପପ ରେ ସ୍ନେହ ଓ ଆଦର ସବୁ ସୋନୁ ଆଖିରେ ନାଚୁଛି କୁନି ସାଥିଟିଏ ପାଇ। ଏଇ ତ ପ୍ରେମ ମାନବୀୟ ମୂଲ୍ୟବୋଧର ଶ୍ରେଷ୍ଠ ଉପଲବ୍ଧି ଯାହା ପୀଢ଼ି ରୁ ପୀଢ଼ି କୁ ହସ୍ତାନ୍ତର ହେଉଥାଏ ନିସ୍ୱାର୍ଥରେ, ନୀରବରେ, ନିସର୍ତ୍ତରେ। ଘରେ ଗାଡି ରଖିଲା ବେଳକୁ, ସୋନୁ ତା ନୂଆ ସାଥିକୁ କହୁଥିଲା, "ଦେଖିଲୁ ଆମ ଘର ଆସିଗଲା ଆଜିଠୁ ତୋର ମୋର ଏଇଠି ରହିବା। ଯାହା ମୋର ସେ ସବୁ ତୋର। କହ ମୋତେ ଛାଡ଼ି ଯିବୁନି ତ କୁଆଡେ?" ସେ କଣ ବୁଝିଲା କେଜାଣି ମୁଁହଁ ଗୁଞ୍ଜିଦେଲା ତା ଛାତିରେ। ଆଖି ବନ୍ଦ କରି ବାରି ପାରୁଥିଲା ପ୍ରେମର ଉଷ୍ମତା।

    ସୋନୁ ତାର ସବୁ କଥା ବୁଝେ। ସେ ଜମା ତାକୁ ବାନ୍ଧି ରଖେନି। ସୀଢୀଘର ତଳେ ତା ପାଇଁ ଘରଟେ କରିଦେଇଛି। ରାତିରେ ବାହାନା କରି ଚାଲିଆସେ ତା ଲଲିପପକୁ ଦେଖିବାକୁ। ତା ସହ ଗପେ, ସକାଳ ହେଲେ ତାକୁ ନେଇ ବୁଲିବାକୁ ଯାଏ। ସୋନୁ ବାହାରକୁ ଗଲେ ସେ ସେମିତି ଗେଟ୍ ପାଖେ ଚାହିଁଥାଏ ତା ଫେରିବା ବାଟକୁ। ଆଉ ସୋନୁ ବି ତା ପାଇଁ ଯାହା ହେଲେ ବି ଖାଇବା ଜିନିଷ ନେଇ ଆସିଥାଏ। ସେଦିନ ଟିଉସନରୁ ଫେରୁ ଫେରୁ ଟିକେ ଡେରି ହେଲା ସୋନୁର। ଲଲିିପପ ସେମିତି ଚାହିଁ ରହିଥାଏ ତାକୁ। ସେ ଆସିବା ମାତ୍ରେ ତା ଉପରକୁ ଡେଇଁ ପଡିଲା ଖୁସିରେ । ସତେ ଯେମିତି ପ୍ରେମିକାଟେ ଖୁସିରେ ବିଭୋର ହୋଇ କୁଣ୍ଢେଇ ପକାଏ ତା ପ୍ରିୟତମକୁ। ତା ନଖ ବାଜି ସୋନୁର ହାତ ଖଣ୍ଡିଆ ହୋଇଗଲା ସାମାନ୍ୟ। ଏତିକିରେ ଡରି ଯାଇ ମମି ପିଟିଲେ ତାକୁ। ସେ ଡରି ଦୌଡ଼ି ପଳେଇଲା ଗେଟ ବାହାରକୁ। ଆଉ କେତେ ଦିନ ଯାଏ ଆସିଲାନି ଘରକୁ ଡରରେ। ସେ ଗେଟ ବାହାରେ ରହି ଚାହିଁ ରହିଥାଏ ଘରକୁ। ସୋନୁ ତାକୁ ଡାକେ ଭିତରକୁ ସେ ଆସେନି। ଇଂଜେକସନ ନେଲା ସୋନୁ, ହେଲେ ଲଲିପପ ପାଇଁ ତା ମନରେ ଟିକେ ବି ରାଗ ନାହିଁ। ହସପିଟାଲରୁ ଫେରିଲା ବେଳକୁ ଗେଟ ପାଖେ ସେମିତି ତା ବାଟ ଚାହିଁ ବସିଥାଏ ଲଲିପପ ପାଖକୁ ଆସି ତା ଦେହରେ ଘଷି ହୋଇ ଭୁଲ ମାଗୁଥାଏ ଯେମିତି। ସେ ଅନୁତପ୍ତ ଏକ କଥା ଜାଣିପାରୁଥାଏ ସୋନୁ, ଦେଖିପାରୁଥାଏ ତା ଆଖିରେ ଲୁହ। ସେ ଲୁହ ସଂକ୍ରମିତ ହୋଇ ଆସିଲା ସୋନୁର ଆଖିକୁ। ସେ କୁଣ୍ଢେଇ ପକେଇଲା ତାକୁ। ଆଉ କହିଲା, "କୁଆଡେ ଯାଇଥିଲୁ ମୋତେ ଛାଡିକି। ତୋ ବିନା ଜୀବନଟା ପୁରା ପିତା, ମୋ ପାଇଁ।ତୁ ଥିଲେ ସବୁ ମିଠା, ତୁ ପରା ମୋ ଲଲିିପପ "। ଆଉ ଯିବୁନି ମୋତେ ଛାଡିକି । ଦୁଇ ଜଣ ସେମିତି ଠିଆ ହୋଇଥିଲେ ଅନେକ ସମୟ ଯାଏ। କିଏ କହେ ପ୍ରେମ ପାଇଁ ଶବ୍ଦ ଦରକାର? କିଛି ଗୋଟେ ଶକ୍ତି ବାନ୍ଧି ରଖେ ଦୁଇଟି ହୃଦୟକୁ। ଆଉ ତା ଭିତରେ ସାଇତି ରଖେ, ନିରୁତା ଭଲପାଇବା। ଆଉ କିଛି ନୁହେଁ।



Rate this content
Log in