Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Padmalaya Padhy

Inspirational

3  

Padmalaya Padhy

Inspirational

ଲୀଳାମୟ

ଲୀଳାମୟ

5 mins
170



କେଜାଣି କେଉଁ ବର୍ଷ ର କ୍ୟାଲେଣ୍ଡର ଏଇଟା ଫଡ ଫଡ ହୋଇ ଉଡି ଆଜି ବି ନିଜର ଅସ୍ତିତ୍ତ୍ୱ ଜାହିର କରୁଛି l ପ୍ରଥମ ପୃଷ୍ଠାରେ ମହାପ୍ରଭୁ ଜଗନ୍ନାଥ ନୀରବ ନିଶ୍ଚଳ ରହି ସାରା ଦୁନିଆକୁ ଦେଖୁଛନ୍ତି ସ୍ଥିର ଅବିଚଳିତ ହୋଇ l ମନେ ନାହିଁ କେଉଁ ବର୍ଷ ର କଥା l ବାପା ଆଣିଥିଲେ ସେଇଟିକୁ l ସବୁ ବର୍ଷ ଆଣନ୍ତି ସେ l ଏତେ ଭଲ ଭଲ ଟେବୁଲ କ୍ୟାଲେଣ୍ଡର କାନ୍ଥ ଟଙ୍ଗା କ୍ୟାଲେଣ୍ଡର ଉପହାର ମିଳିବା ସତ୍ତ୍ୱେ ବାପା କିନ୍ତୁ ପ୍ରଥମ ପୃଷ୍ଠାରେ ଜଗନ୍ନାଥଙ୍କ ଫଟ ଥିବା କ୍ୟାଲେଣ୍ଡରଟିଏ ସବୁ ବର୍ଷ ଆଣନ୍ତି l ମାଆ ବି ତଦ୍ରୁପ l ଲିନୁ ଦିନେ କହିଲା l


—ଏଇ ଗୋଟେ ପ୍ରକାର କ୍ୟାଲେଣ୍ଡରକୁ ସବୁ ବର୍ଷ ଦେଖିଲେ ବାପାଙ୍କୁ ବିରକ୍ତ ଲାଗୁନି ? ସବୁଥିରେ ତ ବର୍ଷକ ସେତିକି ମାସ ସେତିକି ଦିନ ତେବେ ସବୁ ବର୍ଷ ଏକା ପ୍ରକାର କାହିଁକି ଆଣୁଛନ୍ତି ? ମା କହିଥିଲା l


—ସବୁ ବର୍ଷ ସେତିକି ମାସ ସେତିକି ଦିନ ଥିଲେ ହେଁ ଆମେ ଯେ ସେ ସବୁଯାକ ପାର କରି ପାରିବା ତାର କୌଣସି ଠିକ ଠିକଣା ନାହିଁ l ତେଣୁ ମହାପ୍ରଭୁ ପ୍ରଥମରେ ରହି ବର୍ଷ ସାରା ଆମକୁ ରାସ୍ତା ଦେଖାଇବେ ସବୁ ଶୁଭ ହେବ l ତୁ ବଡ଼ ହେଲେ ଯାଇ ବୁଝିବୁ l ବଡ଼ ହୋଇ ବି ଆଜି ବୁଝି ପାରୁନି ଲିନୁ l ମା ବାପା କୋଉ କାଳୁ ଚାଲି ଗଲେଣି l ମା ଯାଇଥିଲା ବର୍ଷର ଏପ୍ରିଲ ମାସରେ ବାପା ଗଲେ ଦୁଇ ବର୍ଷ ପରେ ଫେବୃଆରି ମାସରେ l ସମ୍ପୂର୍ଣ୍ଣ ଗୋଟିଏ ବର୍ଷ କଣ ପାର କରି ପାରିଲେ କି ସେମାନେ ? ଭଗବାନ କଣ ହାତ ଧରି ଆଉ କେତୋଟି ବର୍ଷ ସେମାନଙ୍କୁ ରଖି ଦେଇଥିଲେ ହୋଇ ନଥାନ୍ତା କି ? ହେଲେ ସେ କୋଉ କଥା କେବେ ଶୁଣିଛନ୍ତି ଯେ ଆଜି ଶୁଣିବେ l


ଆଜି ଗୋଟିଏ ସର୍ଜରୀ ହେବାକୁ ଅଛି ତାର l ସବୁ ପୁରୁଣା କଥା ଗୋଟିଏ ପରେ ଗୋଟିଏ ମନେ ପଡୁଛି l କେତେ ଯୁଗ ପଛକୁ ଗଲେ ବି କାଲି ପରିକା ଲାଗୁଛି ଦିନ ଗୁଡିକ କେତେ ଶୀଘ୍ର ସରିଗଲା

ସତେ l


—ଦି ଫୁଟିଆକୁ ଦଶ ଫୁଟିଆ ସାଇକେଲ କଣ ହେବ ଯେ ?

ତା ପରେ ଦେଖିବ ଲିନୁର କାନ୍ଦ ଯାହା ବନ୍ଦ ହେବାର ନାଁ ଧରୁ ନଥିବ l ଏମିତି ଲିନୁର ଉଚ୍ଚତାକୁ ନେଇ ମାମୁଁ ପୁଅ ଟିକୁନର ଅହରହ ମନ୍ତବ୍ୟ ଏବଂ ତତ ସହିତ ଲିନୁର କାନ୍ଦି କାନ୍ଦି ମା ବାପାଙ୍କ ପାଖରେ ଫେରାଦ ହେବା ସବୁବେଳେ ଚାଲିଥାଏ l ସପ୍ତମ ପାସ କରି ଅଷ୍ଟମକୁ ଗଲା ଲିନୁ l ଘର ପାଖ ସ୍କୁଲରେ ସପ୍ତମ ଯାଏଁ ଅଛି ତା ପରେ ହାଇସ୍କୁଲ ଯିବାକୁ ହେବ l ହେଲେ ସ୍କୁଲ ଯିବ କେମିତି l ହାଇସ୍କୁଲ ତ ଚାରି ମାଇଲ ବାଟ l ହଁ ସାଇକେଲରେ ଗଲେ କିନ୍ତୁ ହେବ l ମନେ ମନେ କୁରୁଳି ଉଠୁଥିଲା ଲିନୁ l ନୂଆ ସାଇକେଲ ନୂଆ ଡ୍ରେସ ନୂଆ ବହି ଖାତା l


—ଯାହା କହ ଟିକୁନ ନୂଆ ବହିର ଗୋଟେ ଅଲଗା ବାସ୍ନା ଅଛି l ଟିକୁନ କହିଲା ହଅ ଖାଲି ବାସ୍ନା ଶୁଙ୍ଘି ଶୁଙ୍ଘି ସ୍କୁଲରେ ପହଞ୍ଚି ଯିବୁ l ହେଲେ ନୂଆ ସାଇକେଲ ତ ଆସିବ ନାହିଁ ବୋଲି ପିଇସୀ କହୁଥିଲେ l ପିଇସାଙ୍କର ସେ ପୁରୁଣା ସାଇକେଲଟା କିନ୍ତୁ ତୋର କାମରେ ଆସି ପାରେ l


ଲିନୁର ବାପା ଗୋଟେ ଡ୍ରେସ ଦୋକାନରେ ସେଲସ ମ୍ୟାନ କାମ କରନ୍ତି ତାଙ୍କୁ ବି ଚାରି ପାଞ୍ଚ ମାଇଲ ଦୂରକୁ ପ୍ରତିଦିନ ଯିବାକୁ ହୁଏ l ସେ ଯଦି ତାଙ୍କ ସାଇକେଲଟା ଦେଇଦେବେ ତେବେ ସେ ନିଜେ କେମିତି ଯିବେ ପୁଣି l ତାଙ୍କ ସାଇକେଲଟା ବି ବହୁତ ଉଚ୍ଚା ଲିନୁକୁ କଷ୍ଟ ହୋଇ ପାରେ l ମା କିନ୍ତୁ ସବୁ ସମସ୍ୟା ର ସମାଧାନ ଅଚିରେ କରିଦିଏ l ମା କହିଲା ତୁ ବ୍ୟସ୍ତ ହେବା ଦରକାର ନାହିଁ l ବାପା ଶିଖାଇ ଦେବେ ତୋତେ l ସାଇକେଲ ଶିଖି ଲିନୁ ସାଇକେଲରେ ବସି ଗୋଟେ ରାଉଣ୍ଡ ମାରି ସ୍କୁଲରେ ପହଞ୍ଚିଲା ବେଳକୁ ବାପା ବସ ରେ ଠେଲାପେଲା ଖାଇ ଉଠା ପକା ହୋଇ ଘଣ୍ଟେ ଦେଢ଼ ଘଣ୍ଟା ପରେ ଦୋକାନ ରେ ପହଞ୍ଚି ଥାନ୍ତି l


ବୋଧେ ସବୁ କାଳେ ବାପା ମାନେ ବିନା ଅଭିଯୋଗରେ ଗଧ ଖଟଣି ଖଟିବା ପାଇଁ ଜନ୍ମ ହୋଇଥାନ୍ତି କି କଣ l କେବେ ଆସିଲା ବେଳେ ସାର୍ଟରେ ଚିକିଟା କଳା ତ କେତେବେଳେ ଶୁଖୁଆର ଫରକଟିଆ ଗନ୍ଧ ବାହାରୁ ଥାଏ l ଦୁଇଟି ସାର୍ଟ ଥାଏ ବାପାଙ୍କର l ମା ଗୋଟିଏ ଧୋଇ ଶୁଖାଇଲେ ତହିଁ ପରଦିନ ଆଉ ଗୋଟିଏ ପିନ୍ଧି ଯାଆନ୍ତି l ଆସିଲା ବେଳକୁ ମା ଆଇରନ କରି ରଖିଥିବ କାଲି ପାଇଁ l ଯୁଗେ ଯୁଗେ ମା ମାନେ ବି ବାପା ମାନଙ୍କୁ ବାବୁ ବନାଇ ଚାକିରୀ କରିବାକୁ ଛାଡ଼ନ୍ତି ନିଜର ପଛେ ତେଲ ହଳଦୀ ଦାଗ ଲାଗି ସେଇ ଗୋଟିଏ ଘଷରା ଶାଢ଼ୀ ପିନ୍ଧି ଜୀବନ ଯାଉଥିବ l


ହଠାତ ସମରଙ୍କ ଡାକରେ ପ୍ରକୃତିସ୍ଥ ହେଲା ଲିନୁ l ସର୍ଜରୀ କରିବ କରିବନି ଭାବି ଅନେକ ଦ୍ୱନ୍ଦ୍ୱ ପରେ ଜୀବନ ବଞ୍ଚାଇବା ନିମନ୍ତେ କରିବା ପାଇଁ ନିଷ୍ପତି ନେଇଛି ସିନା ଯଦି ସର୍ଜରୀରେ ହିଁ ଜୀବନଟା ଚାଲିଯାଏ l ମେଜର ସର୍ଜରୀ ବୋଲି ଡାକ୍ତର କହିଛନ୍ତି l କେଜାଣି ସେ ଫେରି ପାରିବ କି ନାହିଁ l ଘରୁ ଆଣି ରଖିଥିବା ସେଇ କ୍ୟାଲେଣ୍ଡରଟିକୁ ହିଁ ଚାହିଁ ରହିଥାଏ l ଏ ହେଉଛନ୍ତି ପୁଣି ଜଗତର ନାଥ l ସାରା ଜଗତ ଏହାଙ୍କ ଇଙ୍ଗିତ ରେ ପୁଣି ପରିଚାଳିତ l ହେଲେ ଲିନୁର ମା ବାପାଙ୍କୁ ତ ରଖି ପାରିଲେ ନାହିଁ ? ଆଜିର ଅସମୟରେ ଯଦି ସେମାନେ ଥାଆନ୍ତେ ତେବେ ଆଉ ଟିକିଏ ବଳ ମିଳିଥାନ୍ତା l ଅବଶ୍ୟ ସମର କୌଣସି ବ୍ୟବସ୍ଥାରେ ଉଣା କରି ନାହାନ୍ତି l ସହରର ସବୁଠାରୁ ବଡ଼ ହସ୍ପିଟାଲରେ ଲିନୁର ଅପେରସନ ହେବ l


ଯାହା ହେଲେ ବି ଆଜିଯାଏଁ କେହି କେବେ ନିଶ୍ଚିତ ହୋଇ କହି ପାରିଛି କି ସେ ଓଟି ଭିତରୁ ବଞ୍ଚିକି ଫେରି ଆସିବ ବୋଲି ? ଆସିଲେ ଆସିଲା ପରି l ଗୋଟିଏ ମୁହୂର୍ତ୍ତର ତଫାତ l ନିଶ୍ୱାସଟା ଏପଟ ନହେଲେ ସେପଟ l ଏମିତି କଥା ଶୁଣିଲେ ସମର ବହୁତ ଚିଡ଼ନ୍ତି l କହନ୍ତି ମୁଁ ସକାଳେ ମର୍ଣ୍ଣି ୱାକ କରୁଛି l ସେଇ ରାସ୍ତାରେ ତେର ଗୋଟି ଦୁର୍ଘଟଣା ଘଟି ସାରିଲାଣି l କିନ୍ତୁ ମୁଁ କାହିଁ ରାସ୍ତା ବଦଳାଉ ନାହିଁ ତ ? ନିଜେ ନିଜେ ନିର୍ଦ୍ଧାରଣ ନ କରି ସବୁ ସେଇ ଈଶ୍ୱରଙ୍କ ଉପରେ ଛାଡି ଦିଅ l ଯେ ଏପର୍ଯ୍ୟନ୍ତ ଚଳାଇ ଆସିଲେ ସେ ଆହୁରି ଅନେକ ବାଟ ଆଗକୁ ଚଳାଇ ନେବେ l ଓହଃ ପୁଣି ଭଗବାନ ଭଗବାନ l ମା ବାପା କହୁଥିଲେ ଏବେ ଇଏ ପୁଣି ଆସିଲେ ଘୋଷି ହେବେ ଖାଲି l


ସମୟ ଠାରୁ କେହି ଲୁଚି ରହି ପାରିଛି ନା ସମୟକୁ କେହି ମାତ ଦେଇ ପାରିଛି l ଯଥା ସମୟରେ ସର୍ଜରୀ ତାରିଖଟି ଆସି ଉପସ୍ଥିତ ହୋଇଗଲା l ଓଟି ଭିତରେ ସେ କ୍ୟାଲେଣ୍ଡରଟିକୁ ମନେ ପକାଇଲା ଥରେ l ମା ଯାଇଥିଲା ଏପ୍ରିଲ ରେ ବାପା ଚାଲିଗଲେ ଫେବୃଆରୀରେ ଆଉ ଏବେ ସେପ୍ଟେମ୍ବର ଚାଲିଛି l ଆଜି ସେପ୍ଟେମ୍ବର ଅଠର l ଫେରିବା ନ ଫେରିବା କହ ହାତରେ ? ସତରେ କଣ ତାର ଫେରିବା ନଫେରିବା ନେଇ ଜଗନ୍ନାଥ ମୁଣ୍ଡ ଖେଳାଇବେ ? କାହିଁକି ? ନା ସେ ଉପାସ ବ୍ରତ କରିଛି ନା ନିତି ଯାଇ ମନ୍ଦିରର ଚକ୍କର କାଟିଛି l ତା ପରେ କଣ ହେଲା ଆଉ କିଛି ଜାଣିନାହିଁ ସେ l ଭଗବାନଙ୍କୁ ଆଉ ମନେ ପକାଇବା ପାଇଁ ବି ହାତରେ ସମୟ ନଥିଲା l ତାଙ୍କ ସହିତ ଯାହା କଥୋପକଥନ ତ ପୂର୍ବରୁ ସବୁ ସରିଛି l


—ଲିନୁ ମାଡାମ ! ଲିନୁ ମାଡାମ ! କେହି ଯେମିତି ଅନତି ଦୂରରେ ଡାକୁଛି ତାକୁ l ଯାଃ ନିଦଟା ଭାଙ୍ଗିଗଲା ଆଜି l

—ମାଡାମ ଆପଣଙ୍କର ସର୍ଜରୀ ଭଲରେ ସରିଗଲା l ଏବେ କେମିତି ଲାଗୁଛି ଆପଣଙ୍କୁ ? ଦୁର୍ବଳତା କିଛି ଦିନ ରହିବ ତାକୁ ନେଇ ବ୍ୟସ୍ତ ହେବା ଦରକାର ନାହିଁ l ବହୁତ ଡରୁଥିଲେ ନା ଆପଣ l କେହି ଜଣେ କହୁଥିଲା l

—ସବୁ କେମିତି ଭଲରେ ଭଲରେ ସରିଗଲା ଦେଖିଲେ l

ଲିନୁର ଡାହାଣା ହାତ ପାପୁଲି ସମରଙ୍କର ହାତ ମୁଠାରେ ଥାଇ ମାର ଏତିକି କଥା ଖାଲି ଶୁଭୁଥିଲା ତାକୁ ଯେ ରାସ୍ତା ବି ସିଏ ହିଁ ଦେଖାନ୍ତି ଏବଂ ଲକ୍ଷ୍ୟ ସ୍ଥଳରେ ବି ସିଏ ହିଁ ପହଞ୍ଚାଇ ଥାନ୍ତି l ସବୁ ସେଇ ଲୀଳାମୟଙ୍କ ଲୀଳା l


Rate this content
Log in

More oriya story from Padmalaya Padhy

Similar oriya story from Inspirational