ଲାଞ୍ଚୁଆ ଓଧ ପାଇଲା ପାନେ
ଲାଞ୍ଚୁଆ ଓଧ ପାଇଲା ପାନେ


ବଣର ରାଜା ସିଂହ. ସବୁଦିନ ତାଙ୍କ ଦରବାର ବସେ. ପାତ୍ର ମନ୍ତ୍ରୀଙ୍କ ଗହଣରେ ସିଂହ ରାଜା ରାଜ୍ୟ ଶାସନ ଖସଡ଼ା ପ୍ରସ୍ତୁତ କରିବା ସହିତ ଯିଏ ଯାହା ହାରି ଗୁହାରି କରିବାକୁ ରାଜ ଦରବାରକୁ ଆସେ ତାକୁ ଉଚିତ ନ୍ୟାୟ ପ୍ରଦାନ କରିବା ସହିତ ସେଦିନ ତାକୁ ଭୋଜନ ବା ଖାଦ୍ୟ ଓ ସ୍ବର୍ଣ୍ଣମୁଦ୍ରା ଉପହାର ମିଳିଥାଏ. ଆସୁଥିବା ପଶୁପଖିଙ୍କୁ ଏକା ସାଙ୍ଗରେ ଭିତରକୁ ନଛାଡି ଜଣଙ୍କ ପରେ ଜଣେ ରାଜଦରବାରକୁ ଛାଡିବାକୁ ଜଣେ ଦ୍ୱାରପାଳ ନିଯୁକ୍ତି ପାଇଥାଏ. ସେ ହେଲା ଓଧ. ଏଣିକି ଖୁବ ଅଳ୍ପ ପଶୁ ପକ୍ଷୀ ନିଜ ଅସୁବିଧା ଜଣେଇବାକୁ ଆସନ୍ତି ତ ସିଂହ ରାଜା ଖୁବ ଖୁସି କାରଣ ସେ ଭାବନ୍ତି ତାଙ୍କ ସୁଶାସନ ଫଳରେ ବଣ ମୁଲକର ସମସ୍ତ ପଶୁ ପକ୍ଷୀ ତଥା ସରୀସୃପମାନେ ଭଲରେ ଅଛନ୍ତି.
ବିଲୁଆ ମନ୍ତ୍ରୀଙ୍କୁ କଥାଟା ଟିକେ ଅଡୁଆ ଲାଗୁଥାଏ ତ ଦୁଇଦିନ ପାଇଁ ଛୁଟିନେଇ ସେ ଦରବାର ବାହାରେ ଓଧ କଣ କରୁଛି ଜାଣିବାକୁ ଜଗି ରହିଲେ.ଦେଖିଲେ ଯୋଉ ପଶୁ ପକ୍ଷୀ ଓଧକୁ ଲାଞ୍ଚ ରୂପେ ମାଂସ ଵା ଫଳମୂଳ ଦେଉନାହିଁ ସେ ତାକୁ ଭିତରକୁ ଯିବାକୁ ଦେଉନି.ଏଥର ବିଲୁଆ ନିଜେ ବେଶ ବଦଳେଇ ଦରବାର ଯିବାକୁ ବାହାରିଲେ ତ ଓଧ ସମସ୍ତଙ୍କୁ ଲାଞ୍ଚ ମାଗିବା ପରି ବିଲୁଆ ମନ୍ତ୍ରୀଙ୍କୁ ଚିହ୍ନି ନପାରି ଲାଞ୍ଚ ମାଗିବାରୁ ବିଲୁଆ କହିଥିଲେ ଦେଖ ଭାଇ ମୋ ପାଖରେ କିଛି ନାହିଁ ବୋଲି ମୁଁ ଗୁହାରି କରିବାକୁ ଆସିଛି. ଦରବାରରେ ମତେ ଯାହା ମିଳିବ ମୁଁ ତୁମକୁ ସେ
ଥିରୁ ଅଧା ଦେବି. ହଉ କହି ଓଧ ଛାଡିଦେଲା ଭିତରକୁ.
ବିଲୁଆ ନେଳି ରଙ୍ଗ ବୋଳି ହୋଇଥିବାରୁ ତାଙ୍କୁ କେହି ତ କେହି ରାଜା ମଧ୍ୟ ଚିହ୍ନି ପାରିଲେ ନାହିଁ. ଆଉ ରାଇଜ ଖବର କଣ ତୁମେ କାହିଁକି ଆସିଛ?ପଚାରିବାରୁ ବିଲୁଆ ମନ୍ତ୍ରୀ କହିଲେ ହଜୁର ରାଇଜରେ ସବୁ ଭଲ ବୋଲି ମୁଁ ଗୋଟେ କବିତା ପାଠ କରିବାକୁ ଆଣିଥିଲି. ଅନୁମତି ଦେଲେ ପଢ଼ିବି.ଅନୁମତି ମିଳିଲା ଓ କବିତା ଶୁଣି ରାଜା ଖୁବ ଖୁସିହୋଇ ଭୋଜନ ସହ ଶହେ ସ୍ବର୍ଣ୍ଣମୁଦ୍ରା ଦେବାକୁ ପ୍ରସ୍ତୁତ ହୁଅନ୍ତେ ବିଲୁଆ ରାଜି ହେଲେ ନାହିଁ ବରଂ କହିଲେ ମତେ ଶହେ ପ୍ରହାର ଦେବାକୁ ଆଦେଶ କରନ୍ତୁ ମଣିମା.ନୀଳବର୍ଣ୍ଣ ଜନ୍ତୁଠାରୁ ଏକଥା ଶୁଣି ରାଜା ଓ ପରିଷଦବର୍ଗ ଆଶ୍ଚର୍ଯ୍ୟ ହେଲେ ଓ ଏହାର କାରଣ ପଚାରିବାରୁ ସେ ଓଧର ସମସ୍ତ ଦୋଷ କହିବା ସହ ତାକୁ ପାନେ ଦେବାକୁ ଏପରି କରିଛନ୍ତି କହିଥିଲେ. ଓଧକୁ ପଚାଶ ପ୍ରହାର ହେବାପରେ ସେ ସବୁ ସତ ମାନିଯାଇଥିଲା ଆଉ ସେତେବେଳକୁ ବିଲୁଆମନ୍ତ୍ରୀ ମଧ୍ୟ ବର୍ଷାରେ ଗାଧେଇ ପଡି ନିଜ ବେଶ ବଦଳାଇଦେଇ ଉଭା ହୋଇଥିଲେ. ରାଜା ଏଥର ଓଧକୁ ଦ୍ୱାରପାଳ ଚାକିରୀରୁ ବାହାର କରି ତା ସ୍ଥାନରେ ଜିରାଫକୁ ନିଯୁକ୍ତି ଦେଇଥିଲେ. ବିଲୁଆ ମନ୍ତ୍ରୀଙ୍କୁ ସମସ୍ତେ ବାହାବା ଦେଇ ଜୟ ବିଲୁଆ ମନ୍ତ୍ରୀଙ୍କ ଜୟ କହି ଜଙ୍ଗଲରେ ସୁଶାସନ ଜାରି କାରିଥିଲେ.ବର୍ଷା ଛାଡିଗଲା ପରେ ବିଲୁଆମନ୍ତ୍ରୀ ଶହେ ସ୍ବର୍ଣ୍ଣମୁଦ୍ରା ନେଇ ଗରୀବ ପଶୁପଖିଙ୍କ ଭିତରେ ବାଣ୍ଟି ଦେଇଥିଲେ.